ଗ୍ରାମ୍ୟ ଯୁବକ ଯୁବତୀଙ୍କ ଆତ୍ମ ନିଯୁକ୍ତି ନିମିତ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଯୋଜିତ । ସଘନ ଗ୍ରାମ୍ୟ ଉନ୍ନୟନ ଯୋଜନାର ଏହା ଏକ ସାହାଯ୍ୟକାରୀ ଅଙ୍ଗରୂପେ ବିବେଚିତ ହୋଇସାରିଛି । ସଘନ 1979 ମଡ଼ିହା ଅଗଷ୍ଟ ୧୫ ତାରିଖଠାରୁ ଏହା କାର୍ଯ୍ୟକାରୀ ହେଉଅଛି ।
ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ପରିବାରର ଯୁବକ ଯୁବତୀମାନଙ୍କ ନିମିତ୍ତ କୃଷି ତଥା ଅନ୍ୟାନ୍ୟ ସହବଦ୍ଧ ଉଦ୍ୟୋଗ ସମ୍ପର୍କରେ ଏବଂ ଶିଳ୍ପ, ସେବା ତଥା ବ୍ୟବସାୟଭିତ୍ତିକ ଉଦ୍ୟୋଗ ସମୂହ ସମ୍ପର୍କରେ ପ୍ରାଯୁକ୍ତିକ ତଥା ଔଦ୍ୟୋଗିକ ଜ୍ଞାନ କୌଶଳର ବ୍ୟବସ୍ଥା କରିବା ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ । ମଜୁରୀ ଭିତ୍ତିକ କର୍ମ ନିୟୋଜନ ମଧ୍ୟ ଏହାର ଅନ୍ୟ ଏକ ଆଭିମୁଖ୍ୟ । ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ପରିବାରର ୧୮ ବର୍ଷରୁ ୩୫ ବର୍ଷ ବୟସ ଯୁବକ ଓ ଯୁବତୀ ଏହି ଯୋଜନାର ଲକ୍ଷ୍ୟ ବର୍ଗରୂପେ ବିବେଚିତ । ଗ୍ରାମାଞ୍ଚଳର ଅନାଥ ଆଶ୍ରମଗୁଡିକର ଅନ୍ତେବାସୀଙ୍କ ନିମନ୍ତେ ସର୍ବନିମ୍ନ ବୟସ ୧୬ ବର୍ଷ ଧାର୍ଯ୍ୟ କରାଯାଇଅଛି । ବିଧବା, ମୁକ୍ତ ଗୋତି ଶ୍ରମିକ, ମୁକ୍ତ ଦଣ୍ଡିତ ଅପରାଧି, ରୋଗମୁକ୍ତ କୁଷ୍ଠରୋଗୀ ଓ ବୃହଦାକାର ପ୍ରକଳ୍ପ ନିର୍ମାଣ ସକାଶେ ବାସଚ୍ୟୁତ ବାସିନ୍ଦାଙ୍କ କ୍ଷେତ୍ରରେ ସର୍ବାଧିକ ବୟସ ସୀମା ୪୫ ବର୍ଷ ଧାର୍ଯ୍ୟ ହୋଇଛି
ତଫସିଲଭୁକ୍ତ ହରିଜନ ଓ ଗିରିଜନଙ୍କ ନିମନ୍ତେ ମିଳିତ ଭାବେ ଶତକଡା ପଚାଶ (୫୦%) ସଂରକ୍ଷିତ ହୋଇ ଏହି ସମ୍ପ୍ରଦାୟର ଯୁବକ ଯୁବତୀଙ୍କୁ TRYSEM ରେ ତାଲିମ ପ୍ରଦାନ କରାଯିବ । ସେମାନଙ୍କ ମଧ୍ୟରୁ ଅନ୍ତତଃ ଶତକଡା ଚାଳିଶଭାଗ ମହିଳା ହେବା ବାଧ୍ୟତାମୂଳକ ତାଲିମ ଗ୍ରହଣ କରିବା ତତ୍ ପରେ ଆତ୍ମନିଯୁକ୍ତି କିମ୍ବା ମଜୁରୀଭିତ୍ତିକ ନିଯୁକ୍ତି ନିମିତ୍ତ ସାମର୍ଥ୍ୟ ଥିବା ଶାରୀରିକ ଅକର୍ମଣ୍ୟଙ୍କ ନିମନ୍ତେ ଶତକଡା ତିନି ସଂରକ୍ଷିତ ରହିବା ବାଧ୍ୟତାମୂଳକ ।
ଏଥିଲାଗି ଚିହ୍ନଟ ଯୁବକ ଯୁବତୀଗଣ ଏକ ତାଲିକା ପ୍ରଦାନକାରୀ ଅନୁଷ୍ଠାନ କିମ୍ବା ଧୂରୀଣ କାରିଗରଙ୍କ ତତ୍ତ୍ଵାବଧାନରେ ପ୍ରାଯୁକ୍ତିକ ଓ ଔଦ୍ୟୋଗିକ କୌଶଳ ସମ୍ପର୍କରେ ସବିଷଦ ଜ୍ଞାନ ଆହରଣ କରିବେ । ବିଭିନ୍ନ ଧନ୍ଦା ନିମିତ୍ତ ଭିନ୍ନ ଭିନ୍ନ ସମୟ ସୀମା ଧାର୍ଯ୍ୟ ହୋଇଅଛି । ପ୍ରଶିକ୍ଷଣ କାଳ ସମାପ୍ତି ପରେ ତାଲିମପ୍ରାପ୍ତ ଯୁବକ ଯୁବତୀମାନେ ଆଇ.ଆର.ଡି.ପି. ଜରିଆରେ ଛାଡ ଓ ଋଣ ମାଧ୍ୟମରେ ଆବଶ୍ୟକୀୟ ଆଯ ସୃଷ୍ଟିକ୍ଷମ ସମ୍ବଳ କରିପାରିବେ । ତାଲିମପ୍ରାପ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଧିଷ୍ଟ ଧନ୍ଦାମୂଳକ ତାଲିମ ଦେବା ସଙ୍ଗେ ସଙ୍ଗେ ସେ ପାଇଥିବା ସମ୍ବଳ ମଧ୍ୟରେ ସାମ୍ୟରକ୍ଷା ଲାଗି ଧ୍ୟାନ ଦେବା ଆବଶ୍ୟକ ।
ଗୋଷ୍ଠୀ ଉନ୍ନୟନ ଅଧିକାରୀ ତାଙ୍କ ମଣ୍ଡଳର ଲକ୍ଷ୍ୟ ବର୍ଗ ଅନ୍ତର୍ଭୁକ୍ତ ଯୁବକ ଯୁବତୀମାନଙ୍କଠାରୁ ଦରଖାସ୍ତ ଆହ୍ଵାନ କରିବେ । ଏହି ଦରଖାସ୍ତଗୁଡିକୁ ପ୍ରାରମ୍ଭିକ ଯାଞ୍ଚ ଦ୍ଵାରା TRYSEM ରେ ମୋଟ କେତେ ଜଣଙ୍କୁ ସାହାଯ୍ୟ ଯୋଗାଇ ଦିଆଯାଇପାରିବ ତାହାର ଏକ ଆକଳନ ପ୍ରସ୍ତୁତ ହୋଇପାରିବ । ପରିବାର ସର୍ବେକ୍ଷଣ ସମୟରେ ମଧ୍ୟ TRYSEM ର ଲକ୍ଷ୍ୟ ବର୍ଗ ନିର୍ଦ୍ଧାରିତ ହୋଇପାରିବ ।
ପରୀକ୍ଷାର୍ଥୀ ବଛାବଛା କାର୍ଯ୍ୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକାରୀ କମିଟି ଦ୍ଵାରା ସମ୍ପାଦିତ ହେବ । ଏହି କମିଟିରେ ସମ୍ପୃକ୍ତ ଅଞ୍ଚଳର ପ୍ରଶିକ୍ଷଣ ଅନୁଷ୍ଠାନ, ବ୍ୟାଙ୍କ, ଖଦିବୋର୍ଡ ଓ ପଞ୍ଚାୟତିରାଜ ଅନୁଷ୍ଠାନ ଓ ଏହି କାର୍ଯ୍ୟରେ ସମ୍ପୃକ୍ତ ହେବାକୁ ଚାହୁଁଥିବା ଅନ୍ୟାନ୍ୟ ଅନୁଷ୍ଠାନ ସାମିଲ ହୋଇଯାଇଛନ୍ତି । ନିମ୍ନୋକ୍ତ ମାନଦଣ୍ଡ ଭିତ୍ତିରେ ପ୍ରରିକ୍ଷାର୍ଥୀ ବଛାବଛା କାର୍ଯ୍ୟ ସମ୍ପାଦିତ ହେବ ।
ବିହିନ୍ନ ସରକାରୀ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ପରାମର୍ଶକ୍ରମେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ବିଭିନ୍ନ ବୃତ୍ତି ଚିହ୍ନଟ କରିବେ । ବିଭିନ୍ନ କୌଶଳ ପାଇଁ ଆବଶ୍ୟକୀୟ କୁଶଳୀ କାରିଗରଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କୌଶଳ କ୍ଷେତ୍ର ସର୍ବେକ୍ଷଣ ପରିଚାଳନା କରିବା ଉଚିତ । ଏତଦ୍ୱାରା, TRYSEM ର ବଜାର ଆଭିମୁଖ୍ୟ ପ୍ରତିଷ୍ଠା ସମ୍ଭାବନା ଉଜ୍ଜ୍ଵଳ ହୋଇଥାଏ । ନିକଟବର୍ତ୍ତୀ ସହରାଞ୍ଚଳ, ଶିଳ୍ପାଞ୍ଚଳ, ବୃହତ ପ୍ରକଳ୍ପାଞ୍ଚଳ ବୃତ୍ତିଭିତ୍ତିକ କୌଶଳର ଚାହିଦାକୁ ମଧ୍ୟ ଦୃଷ୍ଟିରେ ରଖିବାକୁ ହୋଇଥାଏ । କୌଶଳ ଓ ସେବାର ଆବଶ୍ୟକତା ପ୍ରତି ନଜର ରଖି ବୃତ୍ତି ତାଲିକା ପ୍ରସ୍ତୁତ ହୁଏ ।
ପ୍ରଶିକ୍ଷଣ ଦାୟିତ୍ଵ ଗ୍ରହଣ କରି ତାହାର ସୁପରିଚାଳନା ନିମିତ୍ତ ସକ୍ଷମ ଅନୁଷ୍ଠାନମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବା କାର୍ଯ୍ୟ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଉପରେ ନ୍ୟସ୍ତ । ଶିଳ୍ପ ସମ୍ଭାନ୍ଧୀୟ ପ୍ରଶିକ୍ଷଣ କେନ୍ଦ୍ର, ପଲିଟେକ୍ ନିକ୍ସ କୃଷି ବିଜ୍ଞାନ କେନ୍ଦ୍ର, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରଶିକ୍ଷଣ କେନ୍ଦ୍ର, ସଂପ୍ରସାରଣ ପ୍ରଶିକ୍ଷଣ କେନ୍ଦ୍ର , ସ୍ଵେଚ୍ଛାସେବି ସଂଗଠନ ତଥା ଅନ୍ୟାନ୍ୟ ବିଭାଗୀୟ ସୁବିଧା ସୁଯୋଗମାନ ଏହି ତାଲିକାରେ ରହିବା ଉଚିତ । ଏତତ୍ ବ୍ୟତୀତ ସୁନାମଧନ୍ୟ ଧୂରୀଣ କାରୀଗରଙ୍କ ନାମ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇବା ଉଚିତ । ଏହି ପ୍ରଶିକ୍ଷଣ ଅନୁଷ୍ଠାନ/ଧୂରୀଣ କାରିଗରମାନଙ୍କ ଆୟତ୍ତରେ ଆବଶ୍ୟକ ବିଭାଗୀୟ ବୈଷୟିକ ସୁବିଧା ଓ କୋଠାବାଡି ରହିଥିବା ଆବଶ୍ୟକ ।
ପ୍ରତ୍ୟକ ବୃତ୍ତି ପାଇଁ ଆବଶ୍ୟକୀୟ ପାଠ୍ୟସୂଚୀ ଜିଲ୍ଲା ଉନ୍ନୟନ ସଂସ୍ଥା ଦ୍ଵାରା ଅନୁମୋଦିତ ହେବା ବିଧେୟ । ପାଠ୍ୟସୂଚୀରେ ବୃତ୍ତିଗତ କୌଶଳ ସହିତ ପରିଚାଳନାଗତ ଓ ଔଦ୍ୟୋଗିକ କୌଶଳମାନ ମିଶ୍ରିତ ହେବା ବାଞ୍ଛନୀୟ । ପରିଚାଳନାଗତ ଓ ଔଦ୍ୟୋଗିକ କୌଶଳର ମୁଖ୍ୟ ବିଭବମାନ ହେଲା ।
ନିଜେ କାମକରି ବୃତ୍ତିଗତ ଜ୍ଞାନ ଆହରଣ କରିବା ଏହି ପାଠ୍ୟସୂଚୀର ସାରତତ୍ତ୍ଵ ହେବା ବାଞ୍ଛନୀୟ ।
ପ୍ରଶିକ୍ଷଣର ସମୟ ଛ’ ମାସରୁ ବେଶି ହେବା ଉଚିତ ନୁହେଁ । ରାଜ୍ୟସ୍ତରୀୟ ସମନ୍ଵୟ କମିଟି ଏହି ସମୟ ପରିବର୍ତ୍ତନ ଆଣିପାରନ୍ତି ଏବଂ ନୂତନ ବୃତ୍ତି ନିମିତ୍ତ ପୃଥକ୍ ସମୟ ନିର୍ଣ୍ଣୟ କରିପାରନ୍ତି । ପ୍ରଶିକ୍ଷଣ ଶେଷରେ ପ୍ରଶିକ୍ଷାର୍ଥୀମାନଙ୍କୁ ଡି.ଆର.ଡି.ଏ. ତରଫରୁ ପ୍ରମାଣପତ୍ର ଯୋଗାଇ ଦିଆଯିବା ଉଚିତ ।
ପ୍ରଶିକ୍ଷଣ ସମୟ ଏକ ମାସରୁ କମ୍ ହେଲେ ପ୍ରଶିକ୍ଷାର୍ଥୀ ପିଛା ଦୈନିକ ଟ୧୦/- ବୃତ୍ତି ଦିଆଯାଏ, କିନ୍ତୁ ମୋଟ ବୃତ୍ତି ଟ ୧୨୫/-ରୁ ଅଧିକ ହେବ ନାହିଁ ।
ଉପରବର୍ଣ୍ଣିତ ପରିମାଣମାନ ସର୍ବୋଚ୍ଚ ସୀମା ସୂଚକ ଓ ଏହାଠାରୁ କମ୍ ଖର୍ଚ୍ଚ ପରିମାଣ ରାଜ୍ୟ ସରକାର ସ୍ଥିର କରିପାରନ୍ତି । ସ୍ଥାନୀୟ ପରିସ୍ଥିତି ଓ ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ଅନ୍ୟାନ୍ୟ ଏତାଦୃଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରଦତ୍ତ ବୃତ୍ତି ପ୍ରତି ଦୃଷ୍ଟିରଖି ଏହି ନିମ୍ନତମ ଆର୍ଥିକ ପରିମାଣର ସୀମା ଧାର୍ଯ୍ୟ କରାଯାଇପାରେ । ପ୍ରଶିକ୍ଷାର୍ଥୀଙ୍କ ଗ୍ରାମ ଓ ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟରେ ଦୂରତା ନେଇ ବୃତ୍ତି ପରିମାଣ ପରିବର୍ତ୍ତନ କରାଯାଇପାରେ ।
ପ୍ରଶିକ୍ଷଣ ଲାଗି ଆବଶ୍ୟକ ଜିନିଷପତ୍ର ରଖିବାଲାଗି ପ୍ରଶିକ୍ଷାର୍ଥୀଙ୍କୁ ଛ’ ଶହ ଟଙ୍କା କିମ୍ବା ତା’ଠାରୁ କମ୍ ମୂଲ୍ୟରେ ଏକ ଶିକ୍ଷାବସ୍ତୁ ଥଳି ମାଗଣା ଯୋଗାଇ ଦିଆଯିବା ବ୍ୟବସ୍ଥା ରହିଛି । ଧନ୍ଦାଗତ କୌଶଳର କେତେକାଂଶରେ ପାରଦର୍ଶିତା ହାସଲ କଲାପରେ ପ୍ରଶିକ୍ଷାର୍ଥୀଙ୍କୁ ଏହି ଧନ୍ଦା ସମ୍ପର୍କୀୟ ସାଜ ସରଞ୍ଜାମ ଥଳି ଯୋଗାଇ ଦିଆଗଲେ ସେ ନିଜେ ଏହାର ବ୍ୟବହାର ଓ ସଦୁପଯୋଗ କରି ଉଚ୍ଚତର ଅନୁଭବ ଲାଭ କରିପାରିବେ । ଯଦି ସାଜ ସରଞ୍ଜାମ ଥଳିର ମୂଲ୍ୟ ଛ’ଶହ ଟଙ୍କାରୁ ଅଧିକ ହୁଏ, ତେବେ ଏହା ବୃତ୍ତିର ବକେୟା ପାଉଣା କିମ୍ବା ପ୍ରଶିକ୍ଷାର୍ଥୀଙ୍କ ବ୍ୟକ୍ତିଗତ ପାଣ୍ଠିରୁ ଭରଣା କରାଯାଇପାରେ ।
ପ୍ରଶିକ୍ଷଣ ଅନୁଷ୍ଠାନକୁ ପ୍ରଶିକ୍ଷଣର ଦକ୍ଷତା ପାଇଁ ପ୍ରଶିକ୍ଷାର୍ଥୀ ପିଛା ମାସିକ ଟ ୧୦୦ / - ହିସାବରେ ଅର୍ଥ ପ୍ରଦାନ କରାଯାଏ । ପ୍ରଶିକ୍ଷାର୍ଥୀ ପିଛା ମାସିକ ଟ ୭୫ / - ହିସାବରେ ଧୂରୀଣ କାରିଗରଙ୍କୁ ପାରିତୋଷିକ ଦିଆଯାଏ । ଦଶ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ଜେନ କୁଶଳୀ କାରିଗର ନିଯୁକ୍ତ ହେବା ବିଧି । ଆବଶ୍ୟକ ଜିନିଷପତ୍ର କିଣିବା ପାଇଁ ପ୍ରଶିକ୍ଷାର୍ଥୀ ପିଛା ମାସିକ ଟ ୬୦ / - ହିସାବରେ ପ୍ରଶିକ୍ଷଣ ଅନୁଷ୍ଠାନ / କୁଶଳୀ କାରିଗରଙ୍କୁ ଯୋଗାଇ ଦିଆଯାଇଥାଏ । କିନ୍ତୁ ଏହି ଆର୍ଥିକ ପରିମାଣ ପ୍ରଶିକ୍ଷାର୍ଥୀ ପିଛା ସମଗ୍ର ପାଠ୍ୟକ୍ରମ ଅବଧି ପିଛା ଟ ୫୦୦/- ମଧ୍ୟରେ ସୀମିତ । ପ୍ରଶିକ୍ଷଣର ସଫଳ ସମାପନ ପରେ କେବଳ ଧୂରୀଣ କାରିଗରଙ୍କୁ ପ୍ରଶିକ୍ଷାର୍ଥୀ ପିଛା ଟ ୬୫୦ / - ପ୍ରଦାନ କରାଯାଏ ।
ଧୂରୀଣ କାରିଗରଙ୍କ ପ୍ରତି ପ୍ରତ୍ୟୟ ସ୍ଥାପନ
ଦେଖାଯାଏ ଯେ, ଅନେକ କ୍ଷେତ୍ରରେ ଅନେକଗୁଡିଏ ଧନ୍ଦା, ବ୍ୟବସାୟ ପାଇଁ ଆବଶ୍ୟକୀୟ ଆନୁଷ୍ଠାନିକ ପ୍ରଶିକ୍ଷଣର ବ୍ୟବସ୍ଥା ସହଜ ଲବ୍ଧହୁଏ ନାହିଁ । ଅତଏବ ପ୍ରଶିକ୍ଷାର୍ଥୀ ବାସସ୍ଥାନର ନିକଟରେ କହିବାକୁ ଗଲେ ତାଙ୍କ ଦ୍ଵାରା ଦେଶରେ, ପ୍ରଶିକ୍ଷଣର ବ୍ୟବସ୍ଥା ସାକାର କରିବାକୁ ହେଲେ, ଧୂରୀଣ କାରିଗରଙ୍କ ଉପରେ ପ୍ରତ୍ୟୟ ସ୍ଥାପନ କରିବାକୁ ହେବ । ଉକ୍ତ ଧୂରୀଣ କାରିଗର ତାଙ୍କର ବୃତ୍ତିରେ ନିରନ୍ତର ଲିପ୍ତ ରହିଥିବା ଆବଶ୍ୟକ । ବିବିଧ , ବିସ୍ତାରିତ ଶ୍ରେଣୀର ବୃତ୍ତି ସମୂହରେ ଧୂରୀଣ କାରିଗରଙ୍କ ପ୍ରଶିକ୍ଷଣ ସେବା ବିନିଯୋଗ କରାଯାଇପାରେ କିନ୍ତୁ ଏହି ସୁଯୋଗର ଯେପରି ଅସଦ୍ ବ୍ୟବହାର ନହୁଏ ସେଥିପ୍ରତି ସତର୍କ ଦୃଷ୍ଟି ରଖିବାକୁ ହେବ । ଯେତେ ଦୂର ସମ୍ଭବ ପ୍ରଶିକ୍ଷଣ ବ୍ୟବସ୍ଥା ପ୍ରତିଷ୍ଠିତ ଅନୁଷ୍ଠାନମାନଙ୍କରେ ହିଁ କାର୍ଯ୍ୟକାରୀ ହେବା ବାଞ୍ଛନୀୟ ।
ପ୍ରଶିକ୍ଷଣ ସମୟରେ ହିଁ ପ୍ରଶିକ୍ଷାର୍ଥୀଙ୍କଠାରୁ ଆଇ.ଆର.ଡି.ପି. ରେ ଥଇଥାନ ପାଇଁ ଋଣ ଲାଗି ଦରଖାସ୍ତ ସଂଗ୍ରହ କରାଯାଏ । ଏତଦ୍ୱାରା ପାଠ୍ୟକ୍ରମ ଶେଷ ହେବା ବେଳକୁ ପ୍ରଶିକ୍ଷାର୍ଥୀଙ୍କୁ ଋଣ ଦିଆଯାଇଥାଏ । ଏଉନ ଦେବାରେ ଡେରି ହେଲେ ପ୍ରଶିକ୍ଷାର୍ଥୀଙ୍କ ଆଗ୍ରହ ଭାଙ୍ଗିଯିବା ଓ ଶିକ୍ଷା ପ୍ରତି ଅବିଶ୍ଵାସ ଓ ହତାଶା ସୃଷ୍ଟି ହୋଇପାରେ । ଏଥିପାଇଁ ଏହି ପ୍ରଶିକ୍ଷଣକୁ ନିଷ୍କାସନ ପରିଚାଳନା କରିବା ଉଚିତ ।
ଆଇ.ଆର.ଡି.ପି. ର କାର୍ଯ୍ୟକାରିତା ତଦାରଖ ପାଇଁ ଗ୍ରାମ ଉନ୍ନୟନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କେନ୍ଦ୍ରରେ କମିଟି TRYSEM ର ନୀତି ନିର୍ଦ୍ଧାରଣ କରନ୍ତି ଓ କାର୍ଯ୍ୟକାରିତା ସମୀକ୍ଷା କରନ୍ତି ।
ରାଜ୍ୟସ୍ତରୀୟ ସମନ୍ଵୟ କମିଟି ଦ୍ଵାରା ଏକ ଉପକମିଟି ଗଠିତ ହୋଇଥାଏ । ଏହି ଉପକମିଟି ରାଜ୍ୟସ୍ତରରେ TRYSEM ର ସୁପରିଚାଳନା ନିମିତ୍ତ ଦାୟୀ ରହନ୍ତି ।
ଜିଲ୍ଲାସ୍ତରରେ ଆଇ.ଆର.ଡି.ପି. ର ପରିଚାଳନା ଡି.ଆର.ଡି.ଏ. ର ଦାୟିତ୍ଵ । ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ସଂଶ୍ଳିଷ୍ଟ କରିବା ଏହି ସଂସ୍ଥାର ଦାୟିତ୍ଵ । ଜିଲ୍ଲା ଶିଳ୍ପ କେନ୍ଦ୍ର, ଶିଳ୍ପ, ସେବା ଓ ବ୍ୟବସାୟ ସେକ୍ଟର ପାଇଁ କାର୍ଯ୍ୟ କରିବାକୁ ହେବ । ଡି.ଆର.ଡି. ସ୍ତରରେ ଶିଳ୍ପ – ସହକାରୀ ପ୍ରକଳ୍ପ ଅଧିକାରୀ ସୁପରିଚାଳନା ନିମିତ୍ତ ଅବସ୍ଥାପିତ ହୋଇଥାନ୍ତି ।
TRYSEM କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଏକ ଜିଲ୍ଲାସ୍ତରୀୟ କମିଟି ଗଠିତ ହୋଇଥାଏ । TRYSEM ପ୍ରଶିକ୍ଷାର୍ଥୀମାନଙ୍କ ସଫଳ ଆତ୍ମନିଯୁକ୍ତି କିମ୍ବା କିମ୍ବା ମଜୁରୀଭିତ୍ତିକ ନିଯୁକ୍ତି ନିମିତ୍ତ ଦୀର୍ଘସ୍ଥାୟୀ ଓ ସୁଦୃଢ ଭିତ୍ତି ପ୍ରସୂତ କରିବା ଏହି କମିଟିର ଆଭିମୁଖ୍ୟ ନିମ୍ନଲିଖିତ ବ୍ୟକ୍ତି / ସଂସ୍ଥା ଏହି କମିଟିର ସଭ୍ୟ / ଅଧ୍ୟକ୍ଷ ରହିବେ ।
କମିଟିର ପ୍ରଶିକ୍ଷଣ ଅନୁଷ୍ଠାନର ସଭ୍ୟମାନେ ଅନୁଷ୍ଠାନରୁ ଉତ୍ତୀର୍ଣ୍ଣ ହୋଇଥିବା ଓ ନିକଟ ଭବିଷ୍ୟତରେ ଉତ୍ତୀର୍ଣ୍ଣ ହେବାକୁ ଯାଉଥିବା ପ୍ରଶିକ୍ଷାର୍ଥୀଙ୍କ ସମ୍ପର୍କରେ ଏକ ସବିଶେଷ ବିବରଣୀ ଦାଖଲ କରିବେ । ଏହି ବିବରଣୀ ଗୁଡିକର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ପରେ ଏହି କମିଟି ପ୍ରଶିକ୍ଷଣ ଅନୁଷ୍ଠାନଗୁଡିକୁ ଆବଶ୍ୟକୀୟ ଅନୁଦାନ ଓ ଉପଦେଶ ପ୍ରଦାନ କରିବେ । ପ୍ରଶିକ୍ଷଣ ଅନୁଷ୍ଠାନମାନଙ୍କର ନେତୃତ୍ଵରେ ପରିଚାଳିତ ଏକ ସବକମିଟି ଦ୍ଵାରା ଏକ ପତ୍ର ବା ଫର୍ମାଟ ପ୍ରସ୍ତୁତ ହୋଇ ସେଥିରେ ଏହି କାର୍ଯ୍ୟକ୍ରମର ପର୍ଯ୍ୟାଲୋଚନା ପାଇଁ ସମସ୍ତ ତଥ୍ୟ ସଂଗୃହୀତ ହେବ । ପ୍ରଶିକ୍ଷିତ କିନ୍ତୁ ଅନିୟୋଜିତ ଯୁବକ ଯୁବତୀଙ୍କ ବିଷୟରେ ସର୍ବେକ୍ଷଣ ନିମିତ୍ତ ଏହା ସହାୟକ ହେବ ।
ରାଜ୍ୟ ସରକାର ସ୍ଵପରିଚାଳିତ ପ୍ରଶିକ୍ଷଣ ଅନୁଷ୍ଠାନ ପାଇଁ ପଚାଶ ଭାଗ ପାଣ୍ଠି ନିଜ ଅଂଶ ହିସାବରେ ଯୋଗାଇ ଦିଆଯାଏ । ଏଥିରେ ଥିବା ନିଅଣ୍ଟ ଅଂଶ କେନ୍ଦ୍ର ଦ୍ଵାରା ଚଳିତ ବର୍ଷର ଆବଣ୍ଟନରୁ କାଟି ଦିଆଯାଏ ।
ରାଜ୍ୟ ସରକାର / କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶିକ୍ଷଣ ଅନୁଷ୍ଠାନମାନଙ୍କୁ ଦୁଇଟି ସମାନ କିସ୍ତିରେ ପାଣ୍ଠି ପ୍ରଦାନ କରିଥାନ୍ତି । ରାଜ୍ୟ ସରକାର / କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସରକାର ଗୋଟିଏ କିସ୍ତିରେ ପାଣ୍ଠି ଯୋଗାଇ ଦେଇଥାନ୍ତି ।
ପ୍ରଶିକ୍ଷଣ ଅନୁଷ୍ଠାନମାନଙ୍କ ପାଇଁ ଆବଶ୍ୟକ ପାଣ୍ଠି ରାଜ୍ୟ ସ୍ତରୀୟ ସମନ୍ଵୟ କମିଟି ଦ୍ଵାରା ରାଜ୍ୟ ସରକାର / କେନ୍ଦ୍ର ଶାସିତ ଅଞ୍ଚଳଙ୍କ ପ୍ରସ୍ଥାପନା ଅନୁମୋଦିତ ହେଲା ପରେ ଯାଇ ଯୋଗାଇ ଦିଆଯାଏ । ପାଣ୍ଠି ଯୋଗାଇ ଦିଆଯିବାର ଛ’ ମାସ ମଧ୍ୟରେ ପ୍ରଶିକ୍ଷଣ ଅନୁଷ୍ଠାନମାନଙ୍କ ଦ୍ଵାରା ଉପଯୋଗ କରାଯିବା କଥା । ଏଥିରେ ବିଳମ୍ବ ହେଲେ ସମୟ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରାଯାଇପାରେ ନତୁବା ରାଜ୍ୟ ସରକାରଙ୍କୁ ପାଣ୍ଠି ସମର୍ପଣ କରାଯାଏ ।
ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 12/13/2019