ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ଲାଘବ କରିବା ଷଷ୍ଠ ପଞ୍ଚବାର୍ଷିକ ଯୋଜନାର ମୁଖ୍ୟ ଆଭିମୁଖ୍ୟମାନଙ୍କ ମଧ୍ୟରେ ଅନ୍ୟତମ ଥିଲା । ଗ୍ରାମାଞ୍ଚଳରେ ତାତ୍ପର୍ଯ୍ୟପୂର୍ଣ୍ଣ ଭାବେ ନିୟୋଜନ ସୁଯୋଗର ଅଭିବୃଦ୍ଧିପୂର୍ବକ ଜନରାଶିର ଦରିଦ୍ରତର ଅଂଶ ସପକ୍ଷରେ ଆୟ ଓ ଉପଯୋଗର ପୁନର୍ବଣ୍ଟନ କରିବା ଅନୁସୃତ କୌଶଳର ଲକ୍ଷ୍ୟ ଥିଲା । ଜାତୀୟ ଗ୍ରାମ୍ୟ ନିଯୁକ୍ତି ଯୋଜନା ଅକ୍ଟୋବର ୧୯୮୦ ରେ ଏହି ଆଭିମୁଖ୍ୟ ନେଇ ଆରମ୍ଭ ହେଲା । ପୂର୍ବ ପ୍ରଚଳିତ ‘ କାମ ପାଇଁ ଖାଦ୍ଯ ଯୋଜନା ’ ବନ୍ଦ ହୋଇ ତାହାରି ସ୍ଥାନରେ ଏହି ଯୋଜନା (ଅର୍ଥାତ୍ NREP) ଆରମ୍ଭ ହେଲା ଏବଂ ୧-୪-୧୯୮୧ ଠାରୁ ପଞ୍ଚବାର୍ଷିକ ଯୋଜନାର ଏକ ଅଙ୍ଗରୂପେ କାର୍ଯ୍ୟକଲା । ପରବର୍ତ୍ତୀକାଳରେ, ଅଗଷ୍ଟ ୧୫,୧୯୮୩ ଠାରୁ ‘ଗ୍ରାମ୍ୟ ଭୂମିହୀନ ନିୟୋଜନ ପ୍ରତ୍ୟାଭୂତି ଯୋଜନା ’ କାର୍ଯ୍ୟକାରୀ ହେଲା । ନିର୍ଦ୍ଧିଷ୍ଟ ଭାବେ ଗ୍ରାମୀଣ ଭୂମିହୀନ ଶ୍ରମିକଙ୍କ ନିମନ୍ତେ ନିଯୁକ୍ତ ସୁଯୋଗ ଉନ୍ନତ ଓ ସମ୍ପ୍ରସାରିତ କରିବା ଏହାର ପ୍ରଧାନ ଆଭିମୁଖ୍ୟ ଥିଲା । ପ୍ରତ୍ୟକ ଗ୍ରାମୀଣ ଭୂମିହୀନ ଶ୍ରମିକ ପରିବାରର ଅନ୍ତତଃ ଜଣେ ସଦସ୍ୟ ନିମନ୍ତେ ବାର୍ଷିକ ଏକଶହ ଦିନର ନିଯୁକ୍ତି ପାଇଁ ପ୍ରତ୍ୟାଭୂତି ଦେବା ଏହି ଯୋଜନାର ମୌଳିକ ଲକ୍ଷ୍ୟ ଥିଲା । ସପ୍ତମ ପଞ୍ଚବାର୍ଷିକ ଯୋଜନା (୧୯୮୫ - ୯୦) ଖାଦ୍ୟ, କାମ ଓ ଉତ୍ପାଦିକା ଶକ୍ତି ବୃଦ୍ଧି ଉପରେ ଗୁରୁତ୍ଵ ଆରୋପ କରିଥିଲା । ଗ୍ରାମ୍ୟ ଦାରିଦ୍ର୍ୟର ତୀବ୍ରତା ହ୍ରାସ କରିବାରେ ନିଯୁକ୍ତି ଯୋଜନାର ପ୍ରାଧାନ୍ୟ ଅନସ୍ଵୀକାର୍ଯ୍ୟ ଏବଂ ଏହାର ପ୍ରତିଫଳନ ସପ୍ତମ ପଞ୍ଚବାର୍ଷିକ ଯୋଜନାର ରୂପରେଖରେ ସୁସ୍ପଷ୍ଟ । ନିଯୁକ୍ତି ଅନୁସନ୍ଧିତ୍ସୁମାନଙ୍କୁ ଫଳପ୍ରଦଭାବେ ଏହା ଯୋଗାଇଦେବା । ଏହି ଯୋଜନାର ଆଭିମୁଖ୍ୟ ଥିଲା । ଏତଦ୍ ବ୍ୟତୀତ, ଯେଉଁ କ୍ରିୟାକଳାପମାନ ନିଯୁକ୍ତି ଯୋଗାଇ ଦେବା ଉଦ୍ଦେଶ୍ୟକୁ ଫଳପ୍ରଦ ଭାବେ ସାକାର କରୁଥିଲେ, ସେଗୁଡିକୁ ମଧ୍ୟ ସପ୍ତମ ଓ ପଞ୍ଚମ ବାର୍ଷିକ ଯୋଜନା ପ୍ରାଧାନ୍ୟ ଆରୋପ କରୁଥିଲା । ଅନ୍ୟ ଶବ୍ଦରେ ପ୍ରକାଶ କରିବାକୁ ଗଲେ, ଏହି ନିଯୁକ୍ତି ଯୋଜନା ମାଧ୍ୟମରେ ବିନିଯୋଗ ହୋଇଥିବା ପୁଞ୍ଜି ପ୍ରତ୍ୟକ୍ଷ ଏବଂ ଦୀର୍ଘସୂଚୀ ନିଯୁକ୍ତି ସୁଯୋଗ ସର୍ବାଧିକ ମାତ୍ରାରେ ସୃଷ୍ଟି କରିବା ପାଇଁ ଗୁରୁତ୍ଵ ପ୍ରଦାନ କରାଗଲା । ଏପ୍ରିଲ ୧,୧୯୮୯ ଠାରୁ, ତୀବ୍ର ଦାରିଦ୍ର୍ୟ ଓ ବେକାରୀ ପ୍ରପୀଡିତ ଅନୁନ୍ନତ ଜିଲ୍ଲାମାନଙ୍କରେ ମଜୁରୀଭିତ୍ତିକ ନିଯୁକ୍ତି ଯୋଜନା ନିବିଡ ଭାବେ କାର୍ଯ୍ୟକାରୀ କରାଗଲା । ଏହି ନୂତନ ଯୋଜନା ‘ ଜବାହର ରୋଜଗାର ଯୋଜନା ’ ରୂପେ ନାମିତ ହେଲା ପୂର୍ବ ପ୍ରଚଳିତ ଦୁଇଟି ଯୋଜନା, ଯଥା NREP ଏବଂ RLEGP ମଧ୍ୟ ଏହି ନୂତନ ଯୋଜନାର ସାମିଲ ହୋଇଗଲେ କେନ୍ଦ୍ର ସରକାରଙ୍କ ପୃଷ୍ଠପୋଷାକତାରେ ଏହି ଯୋଜନା ରୂପାନ୍ଵିତ ହେଲା । ଏଥିନିମନ୍ତେ ଆବଶ୍ୟକୀୟ ପାଣ୍ଠିର ଶତକଡା ୮୦ ଭାଗ କେନ୍ଦ୍ର ସରକାର ବହନ କରନ୍ତି ଏବଂ ରାଜ୍ୟ ସରକାର ଶତକଡା ୨୦ ଭାଗ ବହନ କରନ୍ତି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଉନ୍ନୟନ ସଂସ୍ଥା ଓ ଗ୍ରାମ ପଞ୍ଚାୟତ ମଧ୍ୟରେ ଯୋଜନା ପାଣ୍ଠି ବଣ୍ଟନ ନିମନ୍ତେ ମାର୍ଗ ନିର୍ଦ୍ଦେଶକ ନୀତିମାନ ପ୍ରଣୀତ ହେଲା । ଜନସାଧାରଣଙ୍କର ପରିପୂର୍ଣ୍ଣ ଅଂଶ ଗ୍ରହଣ ତଥା ବୀସ୍ତିର୍ଣ୍ଣ ଗ୍ରାମାଞ୍ଚଳରେ ଯୋଜନାର ପରିବର୍ଦ୍ଧିତ ସମ୍ପ୍ରସାରଣ ପ୍ରତି ଲକ୍ଷ୍ୟରଖି ଏହିସବୁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ପୂର୍ବରୁ ଉକ୍ତ ଯୋଜନାରେ କେନ୍ଦ୍ରର ଅଂଶ ସ୍ୱରୂପ ପ୍ରଦାନ କରାଯାଉଥିବା ପାଣ୍ଠି ପ୍ରତ୍ୟକ୍ଷଭାବେ ଜିଲ୍ଲାମାନଙ୍କରେ ପହଞ୍ଚୁଥିଲା ବେଳେ ବର୍ତ୍ତମାନ ଏହା ସିଧାସଳଖ ରାଜ୍ୟ ସରକାର କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ନିକଟରେ ପହଞ୍ଚୁଅଛି । ଉକ୍ତ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ସରକାର ସେଥିରେ ନିଜ ଅଂଶ ଅନୁରୂପ ପାଣ୍ଠି ଯୋଗକରି ଜିଲ୍ଲା ପ୍ରଶାସନଙ୍କ ନିକଟକୁ ପ୍ରେରଣ କରନ୍ତି । ଯୋଜନାର ଆଭିମୁଖ୍ୟ ଗ୍ରାମାଞ୍ଚଳରେ ବେକାର ତଥା ଅର୍ଦ୍ଧନିଯୁକ୍ତ ପୁରୁଷ ଓ ସ୍ତ୍ରୀଙ୍କ ନିମନ୍ତେ ଅତିରିକ୍ତ, ଫଳପ୍ରସୂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହି ଯୋଜନାର ପ୍ରାଥମିକ ଲକ୍ଷ୍ୟ । ଏହି ଯୋଜନାର ଗୌଣ ଲକ୍ଷ୍ୟଗୁଡିକ ହେଲା । ଗ୍ରାମୀଣ ଅର୍ଥନୈତିକ ବିନ୍ୟାସକୁ ପରିପୁଷ୍ଟ କରି ଅବିରତ କର୍ମନିଯୁକ୍ତିର ସମ୍ଭାବନା ସୃଷ୍ଟି କରିବା । ଗ୍ରାମୀଣ ଦରିଦ୍ର ଲୋକଙ୍କ ପ୍ରତ୍ୟକ୍ଷ ଏବଂ ଅବିଚ୍ଛିନ୍ନ ହିତସାଧନ ନିମନ୍ତେ ସମ୍ପଦ ସୃଷ୍ଟି କରିବା । ଗ୍ରାମାଞ୍ଚଳରେ ସାମଗ୍ରିକ ଜୀବନର ଗୁଣବତ୍ତାରେ ଅଭିବୃଦ୍ଧି ସାଧନ । ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ବ୍ୟକ୍ତିଗଣ ଏହି ଯୋଜନାର ଲକ୍ଷ୍ୟ ବର୍ଗ ରୂପେ ଗୃହୀତ ହେବେ । ଆଦିବାସୀ, ହରିଜନ ଓ ମୁକ୍ତ ଗୋତି ଶ୍ରମିକମାନେ ଏହି ଯୋଜନାରେ ନିଯୁକ୍ତି ନିମନ୍ତେ ଅଗ୍ରାଧିକାର ଲାଭ କରନ୍ତି । ମୋଟ ନିଯୁକ୍ତି ସୁଯୋଗର ଶତକଡା ୩୦ ଭାଗ ମହିଳାମାନଙ୍କ ନିମନ୍ତେ ସଂରକ୍ଷିତ । ରାଜ୍ୟର ଗ୍ରାମୀଣ ଦରିଦ୍ରଙ୍କ ସଂଖ୍ୟା ସହ ଦେଶର ଗ୍ରାମୀଣ ଦରିଦ୍ରଙ୍କ ସଂଖ୍ୟାର ସମାନୁପାତ କୁ ଭିତ୍ତିକରି ରାଜ୍ୟମାନଙ୍କ ମଧ୍ୟରେ କେନ୍ଦ୍ରୀୟ ସାହାଯ୍ୟ ବଣ୍ଟନ କରାଯିବ । ଏକ ନିର୍ଦ୍ଧିଷ୍ଟ ଜିଲ୍ଲା ବା ପଞ୍ଚାୟତ ପାଇଁ ଉଦ୍ଦିଷ୍ଟ ପାଣ୍ଠି ଅନ୍ୟ ଏକ ଜିଲ୍ଲା ବା ପଞ୍ଚାୟତରେ ବିନିଯୋଗ ହୋଇପାରିବ ନାହିଁ । ତେବେ, ଦୁଇ କିମ୍ବା ତଦୁର୍ଦ୍ଧ ଜିଲ୍ଲା ଗ୍ରାମପଞ୍ଚାୟତ ସମ୍ପୃକ୍ତ ଜିଲ୍ଲା ଗ୍ରାମପଞ୍ଚାୟତର ସାର୍ବଜନୀନ ହିତସାଧନ ନିମନ୍ତେ ସେମାନଙ୍କର ଯୋଜନା – ସମ୍ବଳ ଏକତ୍ରିତ କରି ବିନିଯୋଗ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି । କେନ୍ଦ୍ର ସରକାରଙ୍କ ପୃଷ୍ଠପୋଷକତାରେ କ୍ରିୟାଶୀଳ ଏହି ଯୋଜନାର ସମସ୍ତ ବ୍ୟୟର ଶତକଡା ୮୦ ଭାଗ କେନ୍ଦ୍ର ଓ ଶତକଡା ୨୦ ଭାଗ ରାଜ୍ୟ ସରକାର ବହନ କରିବେ । କେନ୍ଦ୍ରୀୟ ସାହାଯ୍ୟ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ କେତେଗୁଡିଏ କିସ୍ତିରେ ପ୍ରେରଣ କରାଯାଏ । ବିଭିନ୍ନ କିସ୍ତି ପ୍ରେରିତ ହେବା ପୂର୍ବରୁ ରାଜ୍ୟ ସରକାରଙ୍କୁ ବିଭିନ୍ନ ନିର୍ଦ୍ଧାରିତ ସର୍ତ୍ତ ପାଳନ କରିବାକୁ ପଡିଥାଏ । ତେବେ, ପ୍ରଥମ କିକତି ପାଇବା ପୂର୍ବରୁ ସାଧାରଣତଃ ରାଜ୍ୟ ସରକାରଙ୍କ ନିକଟରେ କୌଣସି ସର୍ତ୍ତ ପାଳିତ ହେବା ନିମିତ୍ତ ଧାର୍ଯ୍ୟ ହୋଇନଥାଏ । ଅବଶ୍ୟ, ପୂର୍ବବର୍ଷର ସର୍ବଶେଷ କିକତି ପ୍ରେରଣ ବେଳେ ଯଦି କିଛି ସର୍ତ୍ତ ଆରୋପିତ ହୋଇଥାଏ, ତେବେ ତାହାର ପରିପାଳନ ଆବଶ୍ୟକ ହୋଇଥାଏ । ପରବର୍ତ୍ତୀ କିସ୍ତି ପ୍ରେରଣ ପୂର୍ବରୁ ରାଜ୍ୟ ସରକାରଙ୍କୁ ନିକଟରେ ଆରୋପିତ ବିଭିନ୍ନ ସର୍ତ୍ତ ପାଳନ କରିବାକୁ ପଡିଥାଏ । ଉକ୍ତ ସର୍ତ୍ତମାନଙ୍କ ମଧ୍ୟରେ ମୁଖ୍ୟ ହେଲା – ଲଭ୍ୟ ପାଣ୍ଠି, ଅର୍ଥାତ୍ ଚଳିତ ବର୍ଷର ପ୍ରାରମ୍ଭିକ ଅବଶେଷ ଯୁକ୍ତ ଚଳିତ ବର୍ଷ ପ୍ରାପ୍ତ ହୋଇଥିବା ପାଣ୍ଠିର ଶତକଡା ୫୦ ଭାଗ ପରବର୍ତ୍ତୀ କିସ୍ତି ପାଇଁ ଦରଖାସ୍ତ ପ୍ରେରଣ କରିବା ପୂର୍ବରୁ ବିନିଯୋଗ ହୋଇଥିବା ଆବଶ୍ୟକ । ରାଜ୍ୟ ସରକାରଙ୍କ ଚଳିତ ବଜେଟରେ ଯୋଜନା ପାଇଁ ନିର୍ଦ୍ଧିଷ୍ଟ ଅଂଶର ପାଣ୍ଠି ସକାଶେ ବ୍ୟବସ୍ଥା ରହିବା ଆବଶ୍ୟକ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପରିଚାଳକ ମଣ୍ଡଳୀଙ୍କ ଦ୍ଵାରା ବାର୍ଷିକ ଖସଡା ଅନୁମୋଦିତ ହୋଇଥିବା ଉଚିତ । ଗ୍ରାମ ପଞ୍ଚାୟତମାନଙ୍କୁ ମାର୍ଗ ପ୍ରଦର୍ଶିକା ବିଧାନ ଅନୁଯାୟୀ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଇଥିବା ସମ୍ପର୍କରେ ପ୍ରମାଣପତ୍ର ଗ୍ରଥିତ ହୋଇଥିବା ଉଚିତ । କିସ୍ତି ପ୍ରାର୍ଥନା ଦରଖାସ୍ତ ସହ ପ୍ରେରିତ ହେଉଥିବା ଅନ୍ୟାନ୍ୟ ଆବଶ୍ୟକୀୟ ପ୍ରମାଣ ପତ୍ରଗୁଡିକ ହେଲା – ଅସମ୍ପୂର୍ଣ୍ଣ କାର୍ଯ୍ୟଗୁଡିକ ପ୍ରାଧାନ୍ୟ ଭିତ୍ତିରେ ସମ୍ପାଦନ କରାଯାଉଅଛି । ଦୁଇବର୍ଷ ପୂର୍ବେ ଆରମ୍ଭ ହୋଇଥିବା କୌଣସି କାର୍ଯ୍ୟ ଅସମ୍ପୂର୍ଣ୍ଣ ଅବସ୍ଥାରେ ନାହିଁ । ଦୀର୍ଘସ୍ଥାୟୀ ସମ୍ପଦ ହିଁ ସୃଷ୍ଟି କରାଯାଇଛି । ମାର୍ଗ ପ୍ରଦର୍ଶନ ବିଧାନ ଆରୋପିତ ସମସ୍ତ ସର୍ତ୍ତ ପାଳିତ ହୋଇଥିବା ସମ୍ପର୍କରେ । ଗ୍ରାମ ପଞ୍ଚାୟତ ନିର୍ଦ୍ଧିଷ୍ଟ ଆର୍ଥିକ ବର୍ଷ ପାଇଥିବା ସମସ୍ତ ପାଣ୍ଠି ଉକ୍ତ ବର୍ଷ ମଧ୍ୟରେ ହିଁ ବିନିଯୋଗ କରିବେ । ଯଦି କୌଣସି ଆର୍ଥିକ ବର୍ଷ ମଧ୍ୟରେ ପ୍ରାପ୍ତ ପାଣ୍ଠିର ମୋଟ ଶତକଡା ୨୫ ଭାଗରୁ ଉର୍ଦ୍ଧ୍ଵ ଖର୍ଚ୍ଚ ହୋଇ ନପାରି ପରବର୍ତ୍ତୀ ଆର୍ଥିକ ବର୍ଷକୁ ଉଦ୍ ବୃତ୍ତ ପାଣ୍ଠି ହିସାବରେ ଚାଲିଯାଏ, ତେବେ ଖର୍ଚ୍ଚ ହୋଇପାରି ନଥିବା ପାଣ୍ଠିର ପରିମାଣ ଯାହା ସେଇ ପରିମାଣର ଅର୍ଥ ହ୍ରାସକରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ପୃକ୍ତ ଗ୍ରାମ ପଞ୍ଚାୟତକୁ ପରବର୍ତ୍ତୀ ଆର୍ଥିକ ବର୍ଷ ଯୋଗାଇବେ । ଯୋଜନାର ଅନ୍ୟାନ୍ୟ ସମ୍ବଳ ଯୋଗାଇ ଦେବା ସହିତ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଖାଦ୍ୟଶସ୍ୟ ମଧ୍ୟ ଯୋଗାଇ ଦେବେ । ଏହି ଖାଦ୍ୟଶସ୍ୟ ମଧ୍ୟ କିସ୍ତିୱ୍ୟାରୀ ଯୋଗାଇ ଦିଆଯିବ । ‘ ଭାରତ ଖାଦ୍ୟନିଗମ ’ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାମାନଙ୍କୁ ଖାଦ୍ୟଶସ୍ୟ ଯୋଗାଇଦେବେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଗ୍ରାମ ପଞ୍ଚାୟତ କିମ୍ବା କାର୍ଯ୍ୟକାରୀ କର୍ତ୍ତୃପକ୍ଷଙ୍କୁ ଖାଦ୍ୟଶସ୍ୟ ଯୋଗାଇ ଦେବା ବ୍ୟବସ୍ଥା କରିବେ । କାର୍ଯ୍ୟସ୍ଥଳୀରେ ହିଁ ମଜୁରୀର ଶସ୍ୟ ଭାଗଟିକୁ ମଜୁରିଆମାନଙ୍କୁ ପ୍ରଦାନ କରାଯିବ । ମଜୁରୀର ଶସ୍ୟ ଅଂଶଟିକୁ ପ୍ରଦାନ କରିବାରେ ରାଜ୍ୟ ସରକାର ସାଧାରଣ ଯୋଗାଣ ବ୍ୟବସ୍ଥା ମଧ୍ୟ ସଦୁପଯୋଗ କରିପାରନ୍ତି । ଯୋଜନା ମାଧ୍ୟମରେ ସମ୍ପାଦନଯୋଗ୍ୟ କାର୍ଯ୍ୟ ଯେଉଁସବୁ କାର୍ଯ୍ୟ ଦୀର୍ଘସ୍ଥାୟୀ, ଫଳପ୍ରଦ ଗୋଷ୍ଠୀ ସମ୍ପର୍କିତ ସମ୍ପଦ ସୃଷ୍ଟିରେ ସହାୟକ, ସେହିଭଳି ସବୁକାର୍ଯ୍ୟ ଏହି ଯୋଜନା ମାଧ୍ୟମରେ ସମ୍ପର୍କିତ ହୋଇପାରେ । ଗରିବ ଗୋଷ୍ଠୀ ଅନ୍ତର୍ଭୁକ୍ତ ବ୍ୟକ୍ତିଗଣଙ୍କ ନିମନ୍ତେ ସର୍ବାଧିକ ମାତ୍ରାରେ ପ୍ରତ୍ୟକ୍ଷ ଓ ନିରବଚ୍ଛିନ୍ନ ଉପକାର ସାଧନ କରୁଥିବା କାର୍ଯ୍ୟମାନ ସମ୍ପାଦନ କରାଯିବା ଉଚିତ । ଏହି କାର୍ଯ୍ୟ ପ୍ରସୂତ ସମ୍ପଦମାନ ପ୍ରତ୍ୟକ୍ଷଭାବେ ଗରିବ ଗୋଷ୍ଠୀର ମାଲିକାନାରେ ପରିଚାଳିତ ହୋଇ ହିତାଧିକାରୀମାନଙ୍କର ବ୍ୟବହାର ଉପଯୋଗୀ ହୋଇପାରେ ଅଥବା ସମ୍ପଦରୁ ଜାତ ହେଉଥିବା ସେବା/ସୁବିଧାର ବିକ୍ରୟ ଦ୍ଵାରା ହିତାଧିକାରୀମାନଙ୍କ ନିମନ୍ତେ ଆୟ ଉପାର୍ଜନର ବ୍ୟବସ୍ଥା କରାଯାଇପାରେ । ଆଇ.ଆର.ଡି.ପି., ଡୋକ୍ରା, ଡି.ପି.ଏପି., ଡି.ଡି.ପି. ଭଳି ଦାରିଦ୍ର୍ୟ ଦୂରୀକରଣ ଯୋଜନା ଅନ୍ତର୍ଗତ ଅନ୍ତର୍ନିର୍ମାଣମୂଳକ କାର୍ଯ୍ୟମାନ ଜବାହର ରୋଜଗାର ଯୋଜନା ଆନୁକୁଲ୍ୟରେ ପ୍ରାଧାନ୍ୟ ଲାଭପୂର୍ବକ ସମ୍ପାଦିତ ହେବ । ଯେଉଁ ରାଜସ୍ୱ ଗ୍ରାମମାନଙ୍କରେ ପ୍ରାଥମିକ ବିଦ୍ୟାଳୟ ଗୃହ ଶିକ୍ଷାଦାନ ଚାଲୁଅଛି, ସେଠାରେ ବିଦ୍ୟାଳୟ ଗୃହ ନିର୍ମାଣ ମଧ୍ୟ ପ୍ରାଧାନ୍ୟ ଲାଭ କରିବ । ଦାରିଦ୍ର୍ୟ ଦୂରୀକରଣ ଯୋଜନା ଅନ୍ତର୍ଗତ ଅନ୍ତର୍ନିର୍ମାଣମୂଳକ କାର୍ଯ୍ୟ ସମ୍ପାଦନ ପାଇଁ ପାଣ୍ଠି ବିନିଯୋଗ କଲାବେଳେ ଧ୍ୟାନ ଦେବାକୁ ହେବ ଯେପରି ମଜୁରୀ ଓ ସାମଗ୍ରୀ ଅଂଶର ଅନୁପାତ ୬୦.୪୦ ରହେ । ସାମଗ୍ରୀ ଅଂଶ ବାବଦକୁ ଯଦି ଅତିରିକ୍ତ ପାଣ୍ଠିର ଆବଶ୍ୟକତା ଅନୁଭୂତ ହୁଏ, ତେବେ ଏତଦ୍ ଅନୁରୂପ ଅନ୍ୟ କୌଣସି ସରକାରୀ କାର୍ଯ୍ୟକ୍ରମରୁ ସମ୍ବଳ ସଂଗ୍ରହ କରି ଏହି ଅଂଶରେ ସଂଯୋଗ କରାଯାଇପାରେ । ସାମଗ୍ରୀ ଅଂଶବାବଦକୁ ଆବଶ୍ୟକ ହେଉଥିବା ଅତିରିକ୍ତ ପାଣ୍ଠି, ପଞ୍ଚାୟତ କିମ୍ବା ସମବାୟ ଅନୁଷ୍ଠାନ ଭଳି ସାର୍ବଜନୀନ ଅନୁଷ୍ଠାନର ସ୍ଵ - ସମ୍ପତ୍ତିରୁ କିମ୍ବା ସର୍ବସାଧାରଣଙ୍କ ସ୍ଵତଃପ୍ରବୃତ୍ତ ଦାନ ଦ୍ଵାରା ମଧ୍ୟ ସଂଗୃହୀତ ହୋଇପାରେ । ଜବାହର ରୋଜଗାର ଯୋଜନାର ସମ୍ବଳ ମାଧ୍ୟମରେ ସାଧିତ ଅନ୍ତର୍ନିର୍ମାଣ ଭିତ୍ତିକ କାର୍ଯ୍ୟକ୍ରମମାନଙ୍କ ମଧ୍ୟରୁ କେତୋଟିର ଉଦାହରଣ ନିମ୍ନରେ ପ୍ରଦତ୍ତ ହୋଇଅଛି : ତୁତ୍ ବୃକ୍ଷରୋପଣ । ରେଶମ ଚାଷ ପାଇଁ ଗୋଟିପୋକ ଲାଳନପାଳନ ସେଡ୍ ବା ଚାଳିଆ, ରେଶମ ଉତ୍ପାଦନ ଓ ତତ୍ପରେ ତାହାକୁ ସାଇତି ରଖିବା କାର୍ଯ୍ୟ ପାଇଁ ସେଡ୍ । କୁକୁଡା ଚାଷ ଗୃହ । ହସ୍ତତନ୍ତ ଗୃହ । ଜିଲ୍ଲା ଯୋଗାଣ ଏବଂ କ୍ରୟ ବିକ୍ରୟ ସମିତି ନିମିତ୍ତ ଖୁଚୁରା ବିକ୍ରୟ କେନ୍ଦ୍ର । ଡୋକ୍ରା ଗୋଷ୍ଠୀ ନିମିତ୍ତ କଞ୍ଚାମା, ଗୋଦାମ ଏବଂ ଗୋଷ୍ଠୀ ଭିତ୍ତିକ କର୍ମସ୍ଥଳୀ । ଦାରିଦ୍ର୍ୟ ସୀମାରେଖାତଳେ ଥିବା କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କ ଭୂମିର ଉନ୍ନୟନ ନିମନ୍ତେ ବ୍ୟବସ୍ଥା ଆଇ.ଆର.ଡି.ପି. ସର୍ବେକ୍ଷଣ ରେଜିଷ୍ଟରାରେ ନାମ ଉଠିଥିବା ଓ ଦରିଦ୍ର ସୀମାରେଖା ତଳେ ରହିଥିବା କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କର ବ୍ୟକ୍ତିଗତ ଜମିର ଉନ୍ନୟନ ପାଇଁ ଜବାହର ରୋଜଗାର ଯୋଜନା ପାଣ୍ଠି ବିନିଯୋଗ କରାଯାଇପାରେ । ସେମାନଙ୍କର ଜମିର ସଠିକ ଆକାର ପ୍ରସ୍ତୁତି ପାଇଁ, ଜମିରେ ଜଳ ମାଡିବା ପାଇଁ ତଥା ବଳକା ଜଳ ଜମିରୁ ବାହାରିଯିବାପାଇଁ ନାଳ ପ୍ରସ୍ତୁତି ସକାଶେ ଏହି ପାଣ୍ଠି ବ୍ୟୟ ହେବ । ଅର୍ଥନୈତିକ ଅନଗ୍ରସର ଶ୍ରେଣୀ ତଥା ଆଦିବାସୀ, ହରିଜନ ଜାତି ଅନ୍ତର୍ଗତ ବ୍ୟକ୍ତିମାନଙ୍କ ନିମନ୍ତେ ହିତାଧିକାରୀଭିତ୍ତିକ ବ୍ୟବସ୍ଥା ଯୋଜନା । ନିମ୍ନୋକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ଯେଉଁମାନେ ଦାରିଦ୍ର୍ୟ ସୀମାରେଖାତଳେ ବାସ କରୁଥିବେ ସେମାନଙ୍କ ପାଇଁ ଜବାହର ରୋଜଗାର ଯୋଜନାରେ ପାଣ୍ଠି ବିନିଯୋଗ କରାଯାଇପାରିବ । ଆଦିବାସୀ, ହରିଜନ ଶ୍ରେଣୀର ବ୍ୟକ୍ତି । ମୁକ୍ତ ଗୋତି ଶ୍ରମିକ । ସିଲିଂ ସର୍ବୋଚ୍ଚ ସୀମା, ଉଦ୍ ବୃତ୍ତ ଜମି, ଭୂଦାନଜମି, ପତିତଜମି, ସରକାରୀ ଜମି ପ୍ରାପ୍ତ ହୋଇଥିବା ଯେ କୌଣସି ଜାତିର ବ୍ୟକ୍ତି । ଏହିଭଳି ବ୍ୟକ୍ତିଙ୍କ ନିମନ୍ତେ ନିମ୍ନୋକ୍ତ କାର୍ଯ୍ୟମାନ ସମ୍ପାଦନ କରାଯାଇପାରେ । ପରିବାର ନିମନ୍ତେ ବାସଗୃହ । ପ୍ରାପ୍ତ ହୋଇଥିବା ଜମିର ଉନ୍ନୟନ । ପ୍ରାପ୍ତ ହୋଇଥିବା ଜମିରେ ସାମାଜିକ ବନୀକରଣ କାର୍ଯ୍ୟ, ଯଥା – ଜାଳେଣୀ କାଠ, ଗୋଖାଦ୍ୟ ଚାଷ ଇତ୍ୟାଦି । କ୍ଷୁଦ୍ର ଜଳସେଚନ କୂପ । ପାନୀୟଜଳ କୂପ । ସାମାଜିକ ବନୀକରଣ କାର୍ଯ୍ୟ ସାମାଜିକ ବନୀକରଣ ଲବ୍ଧ ସମସ୍ତ ଉପକାର ଗ୍ରାମ୍ୟ ଜନତା ଏବଂ ମୁଖ୍ୟତଃ ଗ୍ରାମ୍ୟ ଦରିଦ୍ରଙ୍କ ଉପଯୋଗୀ ହେବା ହିଁ ଏହି ଯୋଜନା ସାଧନର ଆଭିମୁଖ୍ୟ । ବୃକ୍ଷଗୁଡିକ ବଞ୍ଚିରହିବା ଉଦ୍ଦେଶ୍ୟରେ ଜଳ ସଂରକ୍ଷଣ ଓ ମୃତ୍ତିକା ସଂରକ୍ଷଣ ପ୍ରକଳ୍ପମାନ ମଧ୍ୟ ଏହି ସାମାଜିକ ବନୀକରଣ ଯୋଜନା ମାଧ୍ୟମରେ କାର୍ଯ୍ୟକାରୀ କରାଯାଇଥାଏ । ସରକାରୀ ଜମି, କୋଠ ଜମି, ରାସ୍ତାକଡ, କେନାଲ ବନ୍ଧ, ରେଳପଥ ପାର୍ଶ୍ଵରେ ସାମାଜିକ ବନୀକରଣ ମାଧ୍ୟମରେ ବୃକ୍ଷରୋପଣ କରାଯାଇଥାଏ । ନିମ୍ନମାନର ଅରଣ୍ୟ ଭୂମିରେ ମଧ୍ୟ ନିମ୍ନୋକ୍ତ ସର୍ତ୍ତ/ଅବସ୍ଥା ଚକ୍ରରେ ସାମାଜିକ ବନୀକରଣ କାର୍ଯ୍ୟ ସମ୍ପାଦନ କରାଯାଇଥାଏ । ଯଦି ଉପଯୁକ୍ତ କୋଠ ଜମି ସୁଲଭ ହୁଏ ନାହିଁ । ରାଜ୍ୟ ସରକାରଙ୍କର ଆଦେଶ ବଳରେ ଏଭଳି ଜମିର ସମସ୍ତ ଉତ୍ପାଦନ ଗ୍ରାମ୍ୟ ଜନତାଙ୍କର ସେବାରେ ବିନିଯୋଗ କରିବାକୁ ହୁଏ । ଫଳ, ଜାଳେଣୀ ତଥା ଗୋ – ଖାଦ୍ୟ ରୂପେ ବ୍ୟବହୃତ ସମସ୍ତ ପ୍ରକାର ବୃକ୍ଷ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରୋପଣ କରାଯାଇପାରେ । ଅଞ୍ଚଳରେ ଆବଶ୍ୟକତା ତଥା ଭୌଗଳିକ ଓ ଜଳବାୟୁଗତ ଅବସ୍ଥାକୁ ବିଚାର ପରିସର ମଧ୍ୟକୁ ଆଣି ଡି. ଆର.ଡି. ଏ/ଗ୍ରାମ ପଞ୍ଚାୟତ ରୋପଣ ହେବାକୁ ଯୋଗ୍ୟ ବୃକ୍ଷର ତାଲିକା ପ୍ରସ୍ତୁତ କରିବେ । ବିଦେଶାନୀତ ବୃକ୍ଷ ଅପେକ୍ଷା ଦ୍ରୁତ ବୃଦ୍ଧି ପାଉଥିବା ଜାଳେଣୀ, ଫଳ, ଗୋ – ଖାଦ୍ୟ ତଥା ଇମାରତି କାଠ ବୃକ୍ଷ ପ୍ରାଧାନ୍ୟ ଭିତ୍ତିରେ ରୋପିତ ହେବା ଉଚିତ । କ୍ଷୁଦ୍ର ଏବଂ ନାମ ମାତ୍ର ଚାଷୀମାନେ ନିଜ ଜମି କିମ୍ବା ବାଡିରେ ଚାରା ଗଛର ବଗିଚା ତିଆରି କରି ସାମାଜିକ ବନୀକରଣ ଯୋଜନାକୁ ସାକାର କରିବା ପାଇଁ ପଦକ୍ଷେପ ନିଆଯାଇପାରେ । ସାମାଜିକ ବନୀକରଣର ସଫଳମାନ ପ୍ରତ୍ୟକ୍ଷଭାବେ ଗ୍ରାମ୍ୟ ଦରିଦ୍ରମାନେ ଭୋଗ କରିପାରିବେ । ବୃକ୍ଷରୋପଣ ପରିମିଟ ଧାରକମାନେ ଏବଂ ବୃକ୍ଷପଟ୍ଟାଧାରମାନେ, ‘ ବୃକ୍ଷ ପଟ୍ଟା ଯୋଜନା ’ ମାଧ୍ୟମରେ ବୃକ୍ଷମାନଙ୍କର ଭୋଗ ଅଧିକାର ଲାଭ କରିପାରିବେ । ଏହି ଭୋଗ ଅଧିକାର ନିମ୍ନୋକ୍ତ ସୁବିଧା ହାସଲ କରିବା ପାଇଁ ପ୍ରଦତ୍ତ ହୋଇଥାଏ । ଗଛର ମୃତ, ଶୁଖିଲା ଡାଳ ସଂଗ୍ରହ କରିବା । କ୍ଷୁଦ୍ର ଶାଖା, ଡାଳି ସଂଗ୍ରହ କରିବା । ବୃକ୍ଷର ଫଳ, ଫୁଲ, ମଞ୍ଜି, ପତ୍ର ଇତ୍ୟାଦି ଅମଳ କରିବା । ମହୁ ଲାଖ, ଏଣ୍ଡିପୋକ ଚାଷ ଇତ୍ୟାଦି କାର୍ଯ୍ୟକାରୀ କରିବା । ଝାଟି ସଂଗ୍ରହ କରିବା । ବ୍ୟାଙ୍କମାନଙ୍କରେ ପଟ୍ଟା ପରମିଟ ବନ୍ଧକ ରଖି ସଂଗ୍ରହ କରିବା । ରୋପଣ ନିମନ୍ତେ କ୍ରୟ ହେଉଥିବା ଚାରା, ରୋପଣ ପାଇଁ ଆବଶ୍ୟକ ମଜୁରୀ ଓ ବୃକ୍ଷଗୁଡିକ ତିଷ୍ଠିରହିବା ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ଇତ୍ୟାଦି ବାବଦକୁ ଆବଶ୍ୟକ ବ୍ୟୟ ନିମନ୍ତେ ଜବାହର ରୋଜଗାର ଯୋଜନାରେ ପାଣ୍ଠି ବ୍ୟବସ୍ଥା କରାଯାଇଥାଏ । କ୍ଷେତ ବନୀକରଣ ଆଇ.ଆର.ଡି.ପି. ସର୍ବେକ୍ଷଣ ପୁସ୍ତିକାରେ ନାମ ଲିପିବଦ୍ଧ ହୋଇଥିବା ନିମ୍ନୋକ୍ତ ଶ୍ରେଣୀୟ ଗ୍ରାମ୍ୟ ଦରିଦ୍ରଙ୍କ କ୍ଷେତରେ କ୍ଷେତବନୀକରଣ ଯୋଜନା କାର୍ଯ୍ୟକାରୀ କରାଯାଇଥାଏ । ହରିଜନ ଏବଂ ଆଦିବାସୀ ଗୋଷ୍ଠୀର ବ୍ୟକ୍ତି ବିଶେଷ । ମୁକ୍ତ ଗୋତି ଶ୍ରମିକ । ସମସ୍ତ ଜମି ଆବଣ୍ଟନଗ୍ରାହୀ ଯଥା ସିଲିଂ ଉଦ୍ ବୃତ୍ତ ଭୂ/ଦାନ ସରକାରୀ । ଅବଶ୍ୟ ସେମାନଙ୍କର ଜମି ପରିମାଣ କ୍ଷୁଦ୍ରଚାଷୀଙ୍କ ନିମନ୍ତେ ନିର୍ଦ୍ଧାରିତ ଜମି ପରିମାଣକୁ ଅଧିକ ହେବ ନାହିଁ । ଏତଦ୍ ବ୍ୟତୀତ ବୃକ୍ଷପଟ୍ଟା ହାସଲ ହୋଇଥିବା ଜମିମାନଙ୍କରେ ସେତ ବନୀକରଣ କାର୍ଯ୍ୟକଳାପ ଚାଲୁ କରାଯାଇପାରେ । ସାମାଜିକ ବନୀକରଣ ଯୋଜନା ମାଧ୍ୟମରେ କୋଠ ଜମିରେ ଗୋଷ୍ଠୀର ସାମୁହିକ ମଙ୍ଗଳ ବିଧାନ ନିମିତ୍ତ ଯଦି ବୃକ୍ଷ ରୋପଣ ହୋଇଥାଏ । ତେବେ ସେପରି କ୍ଷେତ୍ରରେ ବୃକ୍ଷଗୁଡିକ ତିଷ୍ଠି ରହିବା ଅବସ୍ଥାରେ ପହଞ୍ଚିବା ପର୍ଯ୍ୟନ୍ତ, ଅନ୍ୟଥା ଅନ୍ତତଃ ପକ୍ଷେ ତିନି ବର୍ଷ ପର୍ଯ୍ୟନ୍ତ ବୃକ୍ଷଗୁଡିକର ରକ୍ଷଣାବେକ୍ଷଣ ନିମିତ୍ତ ଆବଶ୍ୟକ ପାଣ୍ଠି ଜବାହର ରୋଜଗାର ଯୋଜନା ମାଧ୍ୟମରେ ସଂଗ୍ରହ କରାଯାଇପାରେ । ସାମାଜିକ ବନୀକରଣ ଯୋଜନାରେ ବେସରକାରୀ ସଂସ୍ଥାମାନଙ୍କୁ ନିୟୋଜିତ କରାଯାଇପାରେ । ଇନ୍ଦିରା ଆବାସ ଯୋଜନା ଦାରିଦ୍ର୍ୟ ସୀମାରେଖାତଳେ ବାସ କରୁଥିବା ଆଦିବାସୀ/ହରିଜନ ଗୋଷ୍ଠୀର ବ୍ୟକ୍ତିମାନଙ୍କୁ ତଥା ମୁକ୍ତ ଗୋତି ଶ୍ରମିକମାନଙ୍କୁ ବିନାମୂଲ୍ୟରେ ବାସଗୃହ ଯୋଗାଇ ଦେବା ଇନ୍ଦିରା ଆବାସ ଯୋଜନାର ଆଭିମୁଖ୍ୟ ଇନ୍ଦିରା ଆବାସ ଯୋଜନାରେ ଗୃହଗୁଡିକ ସାଧାରଣତଃ ଗୁଚ୍ଛାକାରରେ ନିର୍ମିତ ହେବା ଆବଶ୍ୟକ । ସାଧାରଣ ଆବଶ୍ୟକତା ପୂରଣ କରିପାରିଲା ଭଳି କେତେକ ସୁବିଧା ସୁଯୋଗ ଯୋଗାଇ ଦେବାରେ କୌଣସି ବାଧା ରହେ ନାହିଁ । ଅବଶ୍ୟ ଗୃହ ନିର୍ମାଣ ପାଇଁ ଆବଶ୍ୟକ ପରିମାଣର ସ୍ଥାନ ଅଭାବ ଦେଖାଦେଲେ କିମ୍ବା ହିତାଧିକାରୀମାନଙ୍କ ନିଜସ୍ଵ ଗୃହନିର୍ମାଣ ସ୍ଥାନ ବିକ୍ଷିପ୍ତଭାବେ ଥିଲେ, ଯୋଜନା ଅନ୍ତର୍ଗତ ବାସଗୃହମାନ ଭିନ୍ନ ଭିନ୍ନ ସ୍ଥାନରେ ନିର୍ମାଣ କରାଯାଇପାରେ । ଗୃହଗୁଡିକ ପାଇଁ କୌଣସି ନିର୍ଦ୍ଧିଷ୍ଟ ନକ୍ସା ନିର୍ଦ୍ଧାରିତ ହୋଇନାହିଁ । ତେବେ ପ୍ରତ୍ୟକ ଗୃହର ମେଜିଆ କ୍ଷେତ୍ରଫଳ ୧୭ ରୁ ୨୦ ବର୍ଗମିଟର ହେବା ବିଧେୟ । ଜଳବାୟୁଗତ ଅବସ୍ଥା ଓ ପ୍ରଚଳିତ ଗୃହ ନିର୍ମାଣ ରୀତି ସହିତ ଜନମାନସରେ ଗୃହୀତ ପରିବର୍ତ୍ତନର ମିଶ୍ରଣରୁ ଉଦ୍ଭବ ଢାଞ୍ଚା ପ୍ରତି ଦୃଷ୍ଟି ଦେଇ ଭିନ୍ନ ଭିନ୍ନ ଅଞ୍ଚଳ ପ୍ରତି ଭିନ୍ନ ଭିନ୍ନ ଗୃହ – ନକ୍ସା ହୋଇପାରେ । ଗୃହଗୁଡିକରେ ରୋଷେଇ ପ୍ରକୋଷ୍ଠ, ଧୂମ ବିହୀନ ଚୂଲି ଓ ସାନିଟାରୀ ପାଇଖାନାର ବ୍ୟବସ୍ଥା ହୋଇଥିବା ଉଚିତ । ଇନ୍ଦିରା ଆବାସ ଯୋଜନାରେ ନିର୍ମିତ ଗୃହ ଗୁଡିକର ନିର୍ମାଣ ମୂଲ୍ୟ ନିମ୍ନମତେ ହେବ – ଗୃହ ନିର୍ମାଣ ଟ. ୮୦୦୦/- ସାନିଟାରୀ ପାଇଖାନା ଏବଂ ଧୂମବିହୀନ ଚୂଲି ଟ.୧୪୦୦/- ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ (ଯଥା କୋଠଘର, ପାଠାଗାର) ଟ. ୩୩୦୦/- ନଳକୂପ, ରାସ୍ତା ଇତ୍ୟାଦି ଯଦି ଗୃହଗୁଡିକ ଗୁଚ୍ଛାକାରରେ ଏକତ୍ର ନିର୍ମିତ ହୋଇନଥାଏ, ତେବେ ଆନୁଷଙ୍ଗିକ ସୁବିଧା ସୁଯୋଗ ବାବଦ ଟ.୩୩୦୦/- ଗୃହ ନିର୍ମାଣ ପାଇଁ ବିନିଯୋଗ କରାଯାଇପାରେ । ପାର୍ବତ୍ୟଞ୍ଚଳରେ, ଗମନାଗମନରେ ଅସୁବିଧା ସୃଷ୍ଟି ହୋଇଥିବା ସ୍ଥାନମାନଙ୍କରେ ଗୃହ ନିର୍ମାଣ ବ୍ୟବସ୍ଥା କରାଯାଇଛି । ମିଲିୟନ୍ ୱେଲ୍ ଯୋଜନା ଆଦିବାସୀ ଏବଂ ହରିଜନ ଗୋଷ୍ଠୀର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ତଥା ମୁକ୍ତ ଗୋତି ଶ୍ରମିକଙ୍କୁ ବିନାମୂଲ୍ୟରେ ଜଳସେଚନ କୂପ ଯୋଗାଇଦେବା ଆଭିମୁଖ୍ୟ ନେଇ ୧୯୮୮ – ୮୯ରୁ ମିଲିୟନ୍ ୱେଲ୍ ଯୋଜନା କାର୍ଯ୍ୟକାରୀ କରାଗଲା । ଜବାହର ରୋଜଗାର ଯୋଜନାରେ ବ୍ୟବସ୍ଥିତ ଶତକଡା ୨୦ ଭାଗ ସମ୍ବଳ ମିଲିୟନ୍ ୱେଲ୍ ଯୋଜନାରେ ବ୍ୟୟ ହେବ । ଆଦିବାସୀ ଓ ହରିଜନମାନଙ୍କର ମାଲିକାନାରେ ରହିଥିବା ଅଣ – ଜଳସେଚିତ ଜମିଗୁଡିକର ସେଚକୂପର ସମ୍ଭାବନାକୁ ବିଚାରକୁ ନେଇ ରାଜ୍ୟ ସରକାର ଜିଲ୍ଲାୱାରୀ ପାଣ୍ଠି ଯୋଗାଇ ଦେବେ । ଏହି ପାଣ୍ଠି କେବଳ ମୁକ୍ତ ସେଚକୂପ ଖନନ ପାଇଁ ବ୍ୟବହୃତ ହେବ, ନଳକୂପ କିମ୍ବା ବୋର୍ ୱେଲ୍ ନିମିତ୍ତ ନୁହେଁ । ଭୌଗଳିକ କାରଣରୁ ସେଚକୂପ ଖନନ ଯେଉଁଠାରେ ଅସାଧ୍ୟ, ସେଠାରେ ତତ୍ ସମ୍ପର୍କୀୟ ପାଣ୍ଠି ବିନିଯୋଗ କରି କ୍ଷୁଦ୍ର ଜଳସେଚନ ପ୍ରକଳ୍ପମାନ ନିର୍ମାଣ କରାଯାଇପାରେ । ଏପରିକି, ଆଦିବାସୀ, ହରିଜନମାନଙ୍କର ତଥା ମୁକ୍ତ ଗୋତି ଶ୍ରମିକମାନଙ୍କର ଚାଷ ଜମିର ଉନ୍ନୟନ ସାଧନ ମଧ୍ୟ କରାଯାଇପାରେ । ସେମାନଙ୍କୁ ପ୍ରଦତ୍ତ ହୋଇଥିବା ସିଲିଂ ବହିର୍ଭୂତ ଜମି ତଥା ଅନ୍ୟ କୌଣସି ଯୋଜନା କିମ୍ବା ଅନ୍ୟ କୌଣସି ଶ୍ରେଣୀର ବ୍ୟକ୍ତିମାନଙ୍କ ପାଇଁ ଏହି ପାଣ୍ଠି ବିନିଯୋଗ ହୋଇପାରେ ନାହିଁ । ଭୌଗଳିକ କାରଣରୁ କିଛି ପରିମାଣର ଖନନ କାର୍ଯ୍ୟ ସମାପନାନ୍ତେ ସାମାନ୍ୟ ଗଭୀରତା ହାସଲ କଲାପରେ ଯେଉଁଠାରେ ପଥର ଫୁଟାଇ ପଥର ସ୍ତର ଭେଦ କରିବାକୁ ପଡେ ଏବଂ ରନ୍ଧ୍ର ସୃଷ୍ଟି କରି ଜଳସେଚନ ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ଜଳର ବ୍ୟବସ୍ଥା କରିବାକୁ ହୁଏ ସେପରି କ୍ଷେତ୍ରରେ ସମଗ୍ର କର୍ମ ସମ୍ପାଦନର ବ୍ୟୟ ଓ ସାମଗ୍ରୀ ବାବଦ ବ୍ୟୟର ଅନୁପାତ ୬୦.୪୦ ହେବ । ସାମଗ୍ରୀ ମୂଲ୍ୟ ଅନୁପୂରକ ବ୍ୟୟ ଅନ୍ୟ କୌଣସି ସର୍ବସାଧାରଣ କିମ୍ବା ଘରୋଇ ଉତ୍ସରୁ ବ୍ୟବସ୍ଥା କରାଯାଇପାରେ । ଯେଉଁଠାରେ ଏକ ନିର୍ଦ୍ଧିଷ୍ଟ ଆର୍ଥିକ ବର୍ଷରେ ମିଲିୟନ୍ ୱେଲ୍ ଯୋଜନାରେ ଆବଣ୍ଟନର ମାତ୍ର ଶତକଡା ୮୦ କିମ୍ବା ସେହିଭଳି କିଛି ଅଂଶ ହିଁ ବିନିଯୋଗ ହୋଇପାରିବ, ସେହିଠାରୁ ରାଜ୍ୟ ସରକାର / କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଶାସନ ଏକ ବୃହତ୍ତର କାର୍ଯ୍ୟକ୍ରମ ହାତକୁ ନେଇ ଆବଣ୍ଟନର ଶତକଡା ୧୦୦ ସେହି ନିର୍ଦ୍ଧିଷ୍ଟ ଆର୍ଥିକ ବର୍ଷରେ ବିନିଯୋଗ ହେବା ଦୃଷ୍ଠି ଦେବେ । ତତ୍ ସଙ୍ଗେ ସଙ୍ଗେ ଅସମ୍ପୂର୍ଣ୍ଣ କାର୍ଯ୍ୟମାନ ପରବର୍ତ୍ତୀ ଆର୍ଥିକ ବର୍ଷରେ ସମ୍ପୂର୍ଣ୍ଣ ହେବା ତଥା କାର୍ଯ୍ୟାରମ୍ଭ ହେବାର ମୋଟ ୧୨ ମାସ ମଧ୍ୟରେ କାର୍ଯ୍ୟ ସମ୍ପନ୍ନ ହେବା ପ୍ରତି ଦୃଷ୍ଟି ଦେବାକୁ ହୁଏ । ଜବାହର ରୋଜଗାର ଯୋଜନାରେ ସମ୍ପାଦିତ ହେଉଥିବା ପ୍ରକଳ୍ପ କାର୍ଯ୍ୟଗୁଡିକ ଦୀର୍ଘସ୍ଥାୟୀ ହେବା ଆବଶ୍ୟକ । ଏଗୁଡିକ ଯଥାଯଥ ପ୍ରଯୁକ୍ତିକ ମାନଦଣ୍ଡ ଓ ସବିଶେଷ ବିବରଣୀର ଆଧାରରେ ସମ୍ପାଦିତ ହେବା ଆବଶ୍ୟକ । ଗ୍ରାମ୍ୟ ରାସ୍ତା ନିର୍ମାଣ କ୍ଷେତ୍ରରେ ରାଜ୍ୟ ସରକାର/କେନ୍ଦ୍ର ଶାସିତ ପ୍ରଶାସନଙ୍କ ଦ୍ଵାରା ପ୍ରଚଳିତ/ପରିଘୋଷିତ ନିର୍ଦ୍ଦେଶାବଳୀ ଅନୁସୃତ ହେବ । ପ୍ରାଯୁକ୍ତିକ ନିର୍ଦ୍ଦେଶାବଳୀ ସ୍ଥିରୀକୃତ ହେବା ସମୟରେ ଯତ୍ନ ନେବାକୁ ହେବ, ଯେପରି ସର୍ବାଧିକ ପରିମାଣର ସ୍ଥାନୀୟ ସାମଗ୍ରୀ ଓ ବିଭିନ୍ନ ଅନୁଷ୍ଠାନ ଦ୍ଵାରା ବିକଶିତ ଶସ୍ତା ପ୍ରୟୋଗ ବିଜ୍ଞାନ ସମ୍ଭାବନା ବିନିଯୋଗର ସୁରକ୍ଷିତ ରହେ । କାର୍ପାଟ,ଜାତୀୟ କୋଠାବାଡି ସଂସ୍ଥା, କେନ୍ଦ୍ରୀୟ, ରାସ୍ତା ସର୍ବେକ୍ଷଣ ପ୍ରତିଷ୍ଠାନ ପ୍ରଭୃତି ନିକଟରେ ଲଭ୍ୟ ପ୍ରୟୋଗ ବିଜ୍ଞାନର ସମ୍ପୂର୍ଣ୍ଣ ସଦୁପଯୋଗ ହେବା ଉଚିତ । ଯୋଜନା ଅନ୍ତର୍ଗତ କାର୍ଯ୍ୟଗୁଡିକର ମଜୁରୀଭିତ୍ତିକ ଏବଂ ଅଣମଜୁରୀଭିତ୍ତିକ ଉପାଦାନ ଗ୍ରାମ ପଞ୍ଚାୟତ ଗ୍ରହଣ କରିଥିବା ମୋଟ ପାଣ୍ଠିର ଶତକଡା ଷାଠିଏ ଭାଗ ମଜୁରୀ ଅଂଶ ବାବଦରେ ବିନିଯୋଗ ହେବ । ଅଣମଜୁରୀ ଅଂଶ ବାବଦରେ ଶତକଡା ଚାଳିଶ ଭାଗ ନିମ୍ନୋକ୍ତ ଉଦ୍ଦେଶ୍ୟରେ ବିନିଯୋଗ ହେବ – (୧) ସାମଗ୍ରୀ, ସରଞ୍ଜାମ ମୂଲ୍ୟ, (୨) ପ୍ରଶାସନିକ ବ୍ୟୟ, (୩) ସରଞ୍ଜାମ ଓ ଖାଦ୍ୟ ଶସ୍ୟ ପରିବହନ, (୪) କୁଶଳୀ କାରିଗରଙ୍କ ମଜୁରୀ (ଅଣକୁଶଳୀ କାରିଗରଙ୍କ ପାଇଁ ନୁହେଁ, ଅଣମଜୁରୀ ଅଂଶ ବାବଦରେ ଅଧିକ ପାଣ୍ଠିର ଆବଶ୍ୟକତା ଦେଖାଦେଲେ ତାହା ଜବାହର ରୋଜଗାର ଯୋଜନା ବହିର୍ଭୂତ ଅନ୍ୟ କୌଣସି ଉତ୍ସରୁ ସଂଗୃହୀତ ହୋଇପାରେ । ଯୋଜନା ଅନ୍ତର୍ଗତ କାର୍ଯ୍ୟପାଇଁ ଦିଆଯାଉଥିବା ମଜୁରୀ ଆଂଶିକ ନଗଦ ଏବଂ ଖାଦ୍ୟ ଶସ୍ୟ ଆକାରରେ ଯୋଜନାରେ ମଜୁରୀ ପ୍ରଦାନ କରାଯାଏ । ସ୍ତ୍ରୀ ପୁରୁଷ ଉଭୟ ପ୍ରକାର ମଜୁରୀଆ ପାଇଁ ମଜୁରୀ ହାର ସମାନ ଅଟେ । ଦିନ ପିଛା ଜଣେ ମଜୁରୀଆକୁ ୧.୫ କିଲୋଗ୍ରାମରୁ ଅଧିକ ଖାଦ୍ୟ ଶସ୍ୟ ଦିଆଯାଏ ନାହିଁ । ମଜୁରୀଆମାନଙ୍କୁ ନିର୍ଦ୍ଧାରିତ ହାରରେ ମଜୁରୀ ପ୍ରଦାନ କରିବା ଦାୟିତ୍ଵ କାର୍ଯ୍ୟ ନିର୍ବାହୀ ସଂସ୍ଥା ଉପରେ ନ୍ୟସ୍ତ । ସପ୍ତାହର ଏକ ନିର୍ଦ୍ଧିଷ୍ଟ ବାରରେ ମଜୁରୀ ପ୍ରଦାନ କରାଯିବା ଉଚିତ । ଏଥିପାଇଁ ସାପ୍ତାହିକ ହାଟ ଦିବସ ସ୍ଥିରୀକୃତ ହେବା ଅଧିକ ଗ୍ରହଣଯୋଗ୍ୟ । ମଜୁରୀଆମାନଙ୍କ ସ୍ଵଇଚ୍ଛାକ୍ରମେ ଏହି ମଜୁରୀ ପ୍ରଦାନ ଦିବସ ଏକ ପକ୍ଷରୁ ଅଧିକ ବ୍ୟବଧାନରେ ରହିବ ନାହିଁ । ନିର୍ମାଣ କାର୍ଯ୍ୟର ଯୋଜନା ଓ ସମ୍ପାଦନ ପୂର୍ବବର୍ତ୍ତୀ ଆର୍ଥିକ ବର୍ଷରେ ଡି.ଆର.ଡି.ଏ. ପ୍ରାପ୍ତ ହୋଇଥିବା ଆବଣ୍ଟନର ଶତକଡା ୧.୨୫ ଭାଗ ସହ ସମତୂଲ୍ୟ ରକ୍ଷାପୂର୍ବକ କର୍ମ ଯୋଜନା ଡି.ଆର.ଡି.ଏ. ସ୍ତରରେ ପ୍ରସ୍ତୁତ ହେବ । ବାର୍ଷିକ କର୍ମ ଯୋଜନାରେ ସ୍ଥାନ ପାଇ ନଥିବା କୌଣସି ନିର୍ମାଣ କାର୍ଯ୍ୟ ସମ୍ପାଦିତ ହୋଇପାରିବ ନାହିଁ । ବାର୍ଷିକ କର୍ମଯୋଜନା ପ୍ରସ୍ତୁତ କଲାବେଳେ ନୂତନ କାର୍ଯ୍ୟ ପାଇଁ ବ୍ୟବସ୍ଥା ରଖିବା ଅପେକ୍ଷା ପୁରାତନ, ଅପୂର୍ଣ୍ଣ ନିର୍ମାଣ କାର୍ଯ୍ୟଗୁଡିକ ସମ୍ପୂର୍ଣ୍ଣ କରିବା ବ୍ୟବସ୍ଥା ପ୍ରତି ଅଧିକ ଗୁରୁତ୍ଵ ଦେବାକୁ ହେବ । ଦୁଇଟି ଆର୍ଥିକ ବର୍ଷ ମଧ୍ୟରେ ସଂପୂର୍ଣ୍ଣ ହୋଇପାରୁନଥିବା କୌଣସି କାର୍ଯ୍ୟ ହାତକୁ ନେବା ଉଚିତ ନୁହେଁ । ଗ୍ରାମସ୍ତରୀୟ କାର୍ଯ୍ୟସୂଚୀ ଗ୍ରାମ – ପଞ୍ଚାୟତ ବିଭିନ ଗ୍ରାମର ଉନ୍ନୟନ ନିମନ୍ତେ ଆଗତ ଯୋଜନା ପ୍ରସ୍ତାବମାନ ପ୍ରଥମେ ଗ୍ରାମ – ପଞ୍ଚାୟତ ବୈଠକରେ ପୁଙ୍ଖାନୁପୁଙ୍ଖଭାବେ ଆଲୋଚିତ ହେବା ଉଚିତ । ଗାମ୍ୟ ସମାଜର ଦୁର୍ବଳଭାବ, ଯଥା ଆଦିବାସୀ, ହରିଜନ, ମହିଳା ଇତ୍ୟାଦିଙ୍କର ସ୍ୱାସ୍ଥ୍ୟରକ୍ଷା ପ୍ରତି ସର୍ବୋଚ୍ଚ ଗୁରୁତ୍ଵ ପ୍ରଦାନପୂର୍ବକ ନିର୍ମାଣ କାର୍ଯ୍ୟମାନ କାର୍ଯ୍ୟସୂଚୀରେ ସ୍ଥାନ ପାଇବା ବିଧେୟ । ଯୋଜନା କାର୍ଯ୍ୟକାରିତାର ଅଗ୍ରଗତି ସମ୍ପର୍କରେ ଗ୍ରାମସଭା ବାର୍ଷିକ ଅନ୍ତତଃ ଦୁଇଥର ଅବଗତ ହେବା ବାଞ୍ଛନୀୟ । ନିର୍ମାଣ କାର୍ଯ୍ୟର ପ୍ରକାର ଗ୍ରାମ ସମାଜ ଦ୍ଵାରା ଅନୁଭୂତ ହେଉଥିବା ଆବଶ୍ୟକତାକୁ ଭିତ୍ତିକରି ନିର୍ମାଣ କାର୍ଯ୍ୟମାନ ସୁନିର୍ବାଚିତ ହେବା ଉଚିତ । ଗ୍ରାମସଭାରେ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ସୁଚିତା ହେଇଥିବା କ୍ରମାନ୍ଵୟ ଅଗ୍ରାଧିକାରକୁ ମଧ୍ୟ ବିଚାର ପରିସର ମଧ୍ୟକୁ ଆଣିବାକୁ ହୁଏ । କାର୍ଯ୍ୟଗୁଡିକର ମୂଲ୍ୟ ସମ୍ପର୍କରେ କୌଣସି ସର୍ବୋଚ୍ଚ ସୀମାଧାର୍ଯ୍ୟ ହୋଇନାହିଁ । ତେବେ ସ୍ଥାନୀୟ ପ୍ରୟୋଗ କୌଶଳର ସହାୟତାରେ ସୂଚାରୁରୂପେ ସମ୍ପନ୍ନ ହୋଇପାରୁଥିବା ଓ ଉଚ୍ଚତର ପ୍ରୟୋଗ କୌଶଳ ଆବଶ୍ୟକ କରୁନଥିବା ନିର୍ମାଣ କାର୍ଯ୍ୟମାନ ତ୍ୱରାନ୍ୱିତ ହେବା ବାଞ୍ଛନୀୟ । ବୃହଦାକାର ବିଶିଷ୍ଟ, ବହୁମୂଲ୍ୟ ସାପେକ୍ଷ କାର୍ଯ୍ୟମାନ ହାତକୁ ନିଆଜିବା ଅନୁଚିତ । ଅତ୍ୟଧିକ ମାତ୍ରାରେ କୁଶଳୀ କାରିଗରଙ୍କ ସେବା ଆବଶ୍ୟକ କରୁଥିବା ତଥା ସାମଗ୍ରୀ କ୍ରୟରେ ଅଧିକତର ପାଣ୍ଠି ବିନିଯୋଗ ହେବା ଭଳି କାର୍ଯ୍ୟମାନ ହାତକୁ ନିଆଜିବା ଅନୁଚିତ । ନୂତନ କାର୍ଯ୍ୟମାନ ଆରମ୍ଭ କରିବା ପରିବର୍ତ୍ତେ ଅସମ୍ପୂର୍ଣ୍ଣ କାର୍ଯ୍ୟମାନ କରିବା କାମ ହାତକୁ ନିଆଜିବା ଉଚିତ । ଯେଉଁକାର୍ଯ୍ୟମାନ ଦୁଇବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ ସେପରି କାର୍ଯ୍ୟ ହାତକୁ ନିଆଜିବା ଅନୁଚିତ । ଗ୍ରାମପଞ୍ଚାୟତ ପରିଯୋଜନାର ଅନୁମୋଦନ ପଞ୍ଚାୟତ ସମିତିର ପ୍ରାଯୁକ୍ତିକ ଅନୁମୋଦନ ଲାଭପରେ ଗ୍ରାମପଞ୍ଚାୟତ ସ୍ଵପରିଯୋଜନାକୁ ନିଜେ ଅନୁମୋଦିତ କରିପାରିବେ । ପଞ୍ଚାୟତ ସମିତିର ଅବର୍ତ୍ତମାନରେ ପରିଯୋଜନାର ପ୍ରାଯୁକ୍ତିକ ଯାଞ୍ଚ ଦାୟିତ୍ଵ ଜିଲ୍ଲାସ୍ତରରେ ନ୍ୟସ୍ତଥାଏ । ଯଦି ବ୍ୟୟ ଅଟକଳରେ ମଜୁରୀ ଅଂଶ ବାବଦରେ ଶତକଡା ଷାଠିଏ ଭାଗ ବ୍ୟବସ୍ଥା ରହିନଥାଏ ଏବଂ ଯଦି ଆଦିବାସୀ / ହରିଜନ ଗୋଷ୍ଠୀଙ୍କ ପାଇଁ ମୋଟ ବ୍ୟୟ ଅଟକଳର ଶତକଡା ପନ୍ଦରଭାଗ ସଂରକ୍ଷିତ ନଥାଏ ତେବେ ଗ୍ରାମପଞ୍ଚାୟତ ଦ୍ଵାରା ଆଗତ ବ୍ୟୟ ଅଟକଳ ପ୍ରସ୍ତାବ ଅନୁମୋଦନ ଲଭ କରିପାରେ ନାହିଁ । ପଞ୍ଚାୟତ ଦ୍ଵାରା ନିର୍ବାଚିତ ବିଧିସମ୍ମତ କାର୍ଯ୍ୟଗୁଡିକ ମଧ୍ୟରୁ କେଉଁଟିକୁ ସମିତି କିମ୍ବା ଜିଲ୍ଲା ସ୍ତରରେ ପରିବର୍ତ୍ତନ କରାଯାଇପାରିବ ନାହିଁ । କାର୍ଯ୍ୟାନ୍ଵୟନ ସଂସ୍ଥା ଜିଲ୍ଲାସ୍ତରୀୟ ସମଗ୍ର କାର୍ଯ୍ୟକ୍ରମର ସମନ୍ଵୟ, ସମୀକ୍ଷା, ପର୍ଯ୍ୟବେକ୍ଷଣ ଓ ପରିଚାଳନା ଦାୟିତ୍ଵ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଜିଲ୍ଲାପାଳ/ ଡି.ଆର.ଡି.ଏ. ମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଏ । ଜିଲ୍ଲା ପରିଷଦ / ଡି.ଆର.ଡି.ଏ. ରାଜ୍ୟ ସରକାରଙ୍କୁ କାର୍ଯ୍ୟମାନଙ୍କ ସମ୍ପର୍କରେ ସାମୟିକ ରିପୋର୍ଟ/ ବିବରଣୀ ପ୍ରଦାନ କରିବେ । ଗ୍ରାମ ସ୍ତରରେ କାର୍ଯ୍ୟକ୍ରମର ରୂପାୟନ ଦାୟିତ୍ଵ ଗ୍ରାମପଞ୍ଚାୟତଙ୍କର ଯୋଜନା ଓ କାର୍ଯ୍ୟ ସମ୍ପାଦନରେ ତାଙ୍କର ପ୍ରାଧାନ୍ୟ ଅବିସମ୍ବାଦିତା ତେବେ ପ୍ରାଯୁକ୍ତିକ ପର୍ଯ୍ୟବେକ୍ଷଣ ଦାୟିତ୍ଵ ବ୍ଲକ ସଂସ୍ଥା/ ଡି.ଆର.ଡି.ଏ. ଙ୍କ ଉପରେ ନ୍ୟସ୍ତ । ଗ୍ରାମପଞ୍ଚାୟତ କାର୍ଯ୍ୟର ପର୍ଯ୍ୟବେକ୍ଷଣ ଯୋଜନା ଅନ୍ତର୍ଗତ କାର୍ଯ୍ୟଗୁଡିକର ପର୍ଯ୍ୟବେକ୍ଷଣ, ପର୍ଯ୍ୟାଲୋଚନା ପାଇଁ ଗ୍ରାମପଞ୍ଚୟାତ ପ୍ରତ୍ୟକ ଗ୍ରାମ ପାଇଁ ଗୋଟିଏ କରି କମିଟି ନିଯୁକ୍ତ କରିପାରିବେ । ଗ୍ରାମ ବାସିନ୍ଦାଙ୍କ ମଧ୍ୟରୁ ଯେ କୌଣସି ବ୍ୟକ୍ତି ଏହି କମିଟିର ସଦସ୍ୟ ହୋଇପାରିବେ । ଉକ୍ତ ବ୍ୟକ୍ତି ପଞ୍ଚାୟତର ଏହି କାର୍ଯ୍ୟ ସହାୟକ ହେବାଭଳି ଦକ୍ଷତାର ଅଧିକାରୀ ହୋଇଥିବା ଆବଶ୍ୟକ । ଏହି କମିଟିର ସଦସ୍ୟମାନଙ୍କ ମଧ୍ୟରୁ ଅନ୍ତତଃ ଜଣେ ଆଦିବାସୀ/ ହରିଜନ ହୋଇଥିବା ଆବଶ୍ୟକ । ଠିକାଦାରଙ୍କ ଉପରେ ନିଷେଧାଦେଶ ଯୋଜନା ଅନ୍ତର୍ଗତ କାର୍ଯ୍ୟଗୁଡିକର ସମ୍ପାଦନ ନିମନ୍ତେ ଠିକାଦାରମାନେ ନିଯୁକ୍ତ ହୋଇପାରିବ ନାହିଁ । କୌଣସି ମଧ୍ୟସ୍ଥି କିମ୍ବା ମଧ୍ୟବର୍ତ୍ତୀ ସଂସ୍ଥା ଯୋଜନା ଅନ୍ତର୍ଗତ ନିର୍ମାଣ କାର୍ଯ୍ୟ ସମ୍ପାଦନ ନିମନ୍ତେ ନିୟୋଜିତ ହେବେ ନାହିଁ । ତଦ୍ୱାରା ମଜୁରୀ ବାବଦ ସମ୍ପୂର୍ଣ୍ଣ ଲାଭ ମଜୁରୀଆମାନଙ୍କୁ ପ୍ରାପ୍ତ ହୋଇଥାଏ । ପୁନଶ୍ଚ, ଠିକାଦାର, ମଧ୍ୟସ୍ଥି କିମ୍ବା ମଧ୍ୟବର୍ତ୍ତୀ ସଂସ୍ଥାଙ୍କୁ କମିଶନ ଦେୟ ଦ୍ଵାରା ନିର୍ମାଣ କାର୍ଯ୍ୟର ମୂଲ୍ୟ ଅହେତୁକ ବୃଦ୍ଧି ପାଇବାର ସମ୍ଭାବନା ନଥାଏ । ଅନୁଭୂତିରୁ ପ୍ରମାଣିତ ହୋଇଅଛି ଯେ ଠିକାଦାରଙ୍କ ଦ୍ଵାରା ନିୟୋଜିତ ବ୍ୟକ୍ତିମାନେ ଯୁବ ସଂଯୋଜକ, ଗ୍ରାମ ସଂଗଠକ ଇତ୍ୟାଦି ନାମରେ ଯୋଜନା ଅନ୍ତର୍ଗତ ନିର୍ମାଣ କାର୍ଯ୍ୟରେ ଲିପ୍ତରହି ବାସ୍ତବତଃ ଠିକାଦାରମାନଙ୍କର ହିଁ ପ୍ରତିନିଧିତ୍ଵ କରିଥାନ୍ତି । ଠିକାଦାରମାନଙ୍କର ଏହି କୁଟିଳ ପରିପ୍ରକାଶ ଯେପରି ବାଧାପ୍ରାପ୍ତ ହୁଏ ସେଥିପ୍ରତି ସଜାଗ ରହିବାକୁ ପଡିବ । ଯୋଜନାରେ ସୃଷ୍ଟି ହୋଇଥିବା ସମ୍ପଦଗୁଡିକର ଦାୟିତ୍ଵ ଓ ରକ୍ଷଣାବେକ୍ଷଣର ଭାର ରାଜ୍ୟ ସରକାରଙ୍କର ସମ୍ପୃକ୍ତ ନିୟମିତ ବିଭାଗମାନ ବହନ କରିବେ । କର୍ମନିଯୁକ୍ତି ଯୋଜନା ଦ୍ଵାରା ସୃଷ୍ଟି ହୋଇଥିବା ସମ୍ପଦଗୁଡିକର ରକ୍ଷଣାବେକ୍ଷଣ ନିମନ୍ତେ କୌଣସି ପାଣ୍ଠିର ବ୍ୟବସ୍ଥା ନାହିଁ । ଯୋଜନାରେ ବ୍ୟବସ୍ଥିତ ପାଣ୍ଠି ଦ୍ଵାରା ଗ୍ରାମପଞ୍ଚାୟତ ସେଗୁଡିକର ରକ୍ଷଣାବେକ୍ଷଣ କରିବେ । ଯୋଜନା ଅନ୍ତର୍ଗତ ସମ୍ଭାବ୍ୟ ନିର୍ମାଣ କାର୍ଯ୍ୟଗୁଡିକର ଦୃଷ୍ଟାନ୍ତମୂଳକ ତାଲିକା ସରକାରୀ ତଥା ପଞ୍ଚାୟତ ଅଧୀନସ୍ଥ କୋଠ ଜମିରେ ସାମାଜିକ ବନୀକରଣ କ୍ରିୟାକଳାପ, ରାସ୍ତାକଡ ବନୀକରଣ, କେନାଲବନ୍ଧ ବନୀକରଣ, ପତିତଜମି ବନୀକରଣ, ରେଳପଥ ପାର୍ଶ୍ଵ ବନୀକରଣ । ଏହି କାର୍ଯ୍ୟକ୍ରମରେ ଜାଳେଣୀ, ଗୋ-ଖାଦ୍ୟ ଓ ଫଳ ବୃକ୍ଷରୋପଣ କରାଯାଇପାରେ । ବୃକ୍ଷଚାରା ପ୍ରସ୍ତୁତି ମଧ୍ୟ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ହୋଇପାରେ । ଜଳ ଓ ମୃତ୍ତିକା ସଂରକ୍ଷଣ କାର୍ଯ୍ୟ, ଜଳ ଅମଳ ପ୍ରକଳ୍ପ । କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଯଥା – ଗୋଷ୍ଠୀଭିତ୍ତିକ ଜଳସେଚନ କୂପ ନିର୍ମାଣ, ପୟଃପ୍ରଣାଳୀ ନିର୍ମାଣ, ଖନନ ଓ ଉନ୍ନତି ସାଧନ । ବନ୍ୟା ନିୟନ୍ତ୍ରଣ, ଜଳ ନିଷ୍କାସନ କାର୍ଯ୍ୟ । ସର୍ବସାଧାରଣ କିମ୍ବା ଗୋ – ମହିଷାଦିଙ୍କ ବ୍ୟବହାର ନିମନ୍ତେ ମତ୍ସ୍ୟ ଚାଷ, ଜଳସେଚନ ନିମନ୍ତେ ପୋଖରୀ ଖନନ ଓ ପଙ୍କୋଦ୍ଧାର । ଆଦିବାସୀ/ ହରିଜନଙ୍କ ଜମିରେ ସିଲିଂ ବହିର୍ଭୂତ ଜମିପ୍ରାପ୍ତ ହୋଇଥିବା ବ୍ୟକ୍ତିମାନଙ୍କ ଜମିରେ ତଥା ଭୁଦାନ ଜମିରେ ଜଳସେଚନ କୂପ ନିର୍ମାଣ । ଗ୍ରାମ୍ୟ ଅନୁଷ୍ଠାନମାନଙ୍କରେ ସାନିଟାରୀ ପାଇଖାନା ନିର୍ମାଣ । ଆଦିବାସୀ/ ହରିଜନ ତଥା ମୁକ୍ତଗୋତି ଶ୍ରମିକଙ୍କ ନିମନ୍ତେ ବାସଗୃହ ନିର୍ମାଣ । ଗ୍ରାମ୍ୟ ରାସ୍ତା ନିର୍ମାଣ । ଭୂ – ଉନ୍ନୟନ ଓ ପତିତ ଜମିର ସଂସ୍ଥାର ସାଧନ । ପଞ୍ଚାୟତ ଗୃହ, ଡୋକ୍ରା କେନ୍ଦ୍ର, ଗୋଷ୍ଠୀଭିତ୍ତିକ କେନ୍ଦ୍ର, ବଜାରଗୃହ ଇତ୍ୟାଦି ନିର୍ମାଣ । ଅଙ୍ଗନୱାଡି, ବାଳବାଡି, କ୍ରେଚ୍ ଇତ୍ୟାଦି କ୍ରିୟାକଳାପ ନିମନ୍ତେ ଗୃହନିର୍ମାଣ । ଯେଉଁ ରାଜସ୍ୱ ଗ୍ରାମର ମଞ୍ଜୁରୀପ୍ରାପ୍ତ ବିଦ୍ୟାଳୟର କୌଣସି ନିଜସ୍ଵ କୋଠା ନାହିଁ, ସେଠାରେ ବିଦ୍ୟାଳୟ ଗୃହନିର୍ମାଣ । ଜବାହର ରୋଜଗାର ଯୋଜନା ସମ୍ପର୍କରେ ଅନ୍ୟ କେତେକ ଜ୍ଞାତବ୍ୟ ବିଷୟ ଡି.ଆର.ଡି.ଏ./ ଜିଲ୍ଲା ପରିଷଦ ପାଇଁ ଉଦ୍ଦିଷ୍ଟ ପାଣ୍ଠି ନିମ୍ନୋକ୍ତ ପ୍ରକାରେ ବିନିଯୋଗ ହେବା ନିମନ୍ତେ ସେକ୍ଟର ଭିତ୍ତିରେ ନିର୍ଦ୍ଧିଷ୍ଟ ହୋଇଅଛି । ଆର୍ଥିକ ଦୃଷ୍ଟିକୋଣରୁ ଫଳପ୍ରଦ/ଉତ୍ପାଦନକ୍ଷମ ସମ୍ପଦ ୩୫% ସାଜିକ ବନୀକରଣ ୨୫% ଆଦିବାସୀ/ହରିଜନଙ୍କ ନିମନ୍ତେ ବ୍ୟକ୍ତିଗତ ହିତାଧିକାରୀ ଯୋଜନା ୧୫% ରାସ୍ତାଘାଟ ଓ କୋଠାବାଡି ସମେତ ଅନ୍ୟାନ୍ୟ କାର୍ଯ୍ୟ ୨୫% ଗ୍ରାମପଞ୍ଚାୟତ ସ୍ତରରେ ଲିଖନ ସାମଗ୍ରୀ/ଖାତାପତ୍ର ଇତ୍ୟାଦି କ୍ରୟ ନିମନ୍ତେ ଯୋଜନା ପାଣ୍ଠିରୁ ସର୍ବାଧିକ ଟ. ୨୫୦/- ବାର୍ଷିକ ବ୍ୟୟ କରାଯାଇପାରେ । ସମ୍ପଦ ରକ୍ଷଣାବେକ୍ଷଣ ବ୍ୟବସ୍ଥା ଗ୍ରାମପଞ୍ଚାୟତ ଏହାର ଭୌଗଳିକ ପରିସୀମା ମଧ୍ୟସ୍ଥ ସର୍ବସାଧାରଣ ସମ୍ପତ୍ତିର ରକ୍ଷଣାବେକ୍ଷଣ ନିମନ୍ତେ ସର୍ବାଧିକ ଶତକଡା ୧୦ ଭାଗ ବ୍ୟୟ କରିପାରିବେ । ଯେଉଁ ପ୍ରକାର ସମ୍ପଦମାନଙ୍କର ରକ୍ଷଣାବେକ୍ଷଣ ନିମନ୍ତେ ନିର୍ଦ୍ଧିଷ୍ଟ ପାଣ୍ଠି ବିନିଯୋଗ କରାଯାଇପାରେ, ସେଗୁଡିକ ହେଲା । ଏନ୍.ଆର୍.ଇ.ପି./ଆର୍.ଏଲ.ଇ.ଜି.ପି / ଜବାହର ରୋଜଗାର ଯୋଜନାରେ ସୃଷ୍ଟି ହୋଇଥିବା ସମ୍ପଦ, ଯାହା ସରକାରଙ୍କର ଅନ୍ୟ କୌଣସି ବିଭାଗ କିମ୍ବା ସ୍ଥାନୀୟ ସଂସ୍ଥାଙ୍କ କର୍ତ୍ତୃତ୍ଵାଧୀନ ହୋଇନାହିଁ । ଯେଉଁସବୁ ସର୍ବସାଧାରଣ ସମ୍ପତ୍ତିର ରକ୍ଷଣାବେକ୍ଷଣ ଦାୟିତ୍ଵ ପଞ୍ଚାୟତ ଉପରେ ନ୍ୟସ୍ତ । ଅନ୍ୟ କୌଣସି ସର୍ବସାଧାରଣ ସମ୍ପତ୍ତିର ରକ୍ଷଣାବେକ୍ଷଣ ଦାୟିତ୍ଵ ବହନପାଇଁ ଅଙ୍ଗୀକାରବଦ୍ଧ ହୋଇଥିବା ସତ୍ତ୍ୱେ ଯଦି ତାହା ସମ୍ବଳ ଅଭାବରୁ ନିଜ ଦାୟିତ୍ଵ ସମ୍ପାଦନ କରିନପାରେ, ତେବେ ଗ୍ରାମପଞ୍ଚାୟତ ଠାରୁ ସମ୍ବଳ ସଂଗ୍ରହ କରିପାରେ । ପଞ୍ଚାୟତ ସ୍ତରରେ ସମ୍ବଳର ସେକ୍ଟରଭିତ୍ତିକ ପାଣ୍ଠି ବିନିଯୋଗ ନିର୍ଦ୍ଧିଷ୍ଟ ହୋଇନାହିଁ । ତେବେ, ବାର୍ଷିକ ଆବଣ୍ଟନର ଶତକଡା ୧୫ ଭାଗ ଆଦିବାସୀ / ହରିଜନ ଗୋଷ୍ଠୀଙ୍କ ପ୍ରତ୍ୟକ୍ଷ ଉପକାର ସାଧନ କରୁଥିବା ପ୍ରକଳ୍ପମାନଙ୍କ ନିମନ୍ତେ ବିନିଯୋଗ ହେବା ବାଧ୍ୟତାମୂଳକ । ଆଦିବାସୀ/ହରିଜନଙ୍କ ନିମନ୍ତେ ଉଦ୍ଦିଷ୍ଟ ପାଣ୍ଠିର ଅନ୍ୟଥା ବ୍ୟବହାର ନିଷେଧ । ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ