ମହିଳା ଓ ଶିଶୁ ଡେସ୍କ ସୁଦୃଢ

ପ୍ରତ୍ୟେକ ପଞ୍ଚାୟତରେ ବିବାହ ପଞ୍ଜୀକରଣ ବାଧ୍ୟତାମୂଳକ କରାଯିବ । ଏହାଦ୍ୱାରା ମହିଳାମାନେ ନିଜ ଅଧିକାରକୁ ସହଜରେ ସାବ୍ୟସ୍ତ କରିପାରିବେ । ବିବାହ ପଞ୍ଜୀକରଣ କାର୍ଯ୍ୟ ପଞ୍ଚାୟତ ଏକ୍ସଟେନ୍ଶନ ଅଫିସରଙ୍କ ଉପରେ ନ୍ୟସ୍ତ ହେବ । ବାଳିକା ଓ ମହିଳାଙ୍କ ସୁରକ୍ଷା ତଥା ବିକାଶ ପାଇଁ ଗଠିତ ରାଜ୍ୟ ଟାସ୍କ ଫୋର୍ସ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଥାନାଗୁଡିକରେ ସ୍ଥାପନ କରାଯାଇଥିବା ମହିଳା ଓ ଶିଶୁ ଡେସ୍କଗୁଡିକୁ ଅଧିକ କାର୍ଯ୍ୟକ୍ଷମ ଓ ସୁଦୃଢ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନେବା ଆଣିବା କରାଯାଇ ପାରୁଥିବା (ପୋର୍ଟେବଲ) ଅଲ୍ଟ୍ରା ସାଉଣ୍ଡ ମେଶିନ୍ ର ବ୍ୟବହାର ଉପରେ ତୀକ୍ଷଣ ଦୃଷ୍ଟି ରଖିବାକୁ କୁହାଯାଇଛି ।

ଏହାକୁ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ ପଦକ୍ଷେପ ନେବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥ ପାର୍ଶ୍ଵରେ ଥିବା ପେଟ୍ରୋଲ୍ ପମ୍ପଗୁଡିକରେ ମହିଳାମାନଙ୍କ ପାଇଁ ଶୌଚାଳୟ ନିର୍ମାଣ, ରାଜ୍ୟ ବାହାରକୁ ବିଭିନ୍ନ ପ୍ରକାର ନିଯୁକ୍ତି ପାଇଁ ବା କାମ କରିବାକୁ ଯାଉଥିବା ମହିଳାମାନଙ୍କର ପଞ୍ଜୀକରଣ, ମହିଳା ଓ ବାଳିକା ହଷ୍ଟେଲ୍ ରେ ନିରାପତ୍ତା ବ୍ୟବସ୍ଥା ଆଦିକୁ ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ।

ନୀତିରେ ୭ଟି ବିଷୟକୁ ପ୍ରାଧାନ୍ୟ

ବୈଠକରେ ଓଡ଼ିଶା ରାଜ୍ୟ ବାଳିକା ଓ ମହିଳା ନୀତି କାର୍ଯ୍ୟକାରିତା ବିଷୟରେ ଆଲୋଚନା ହୋଇଛି । ଏହି ନୀତିରେ ୭ଟି ବିଷୟକୁ ପ୍ରାଧାନ୍ୟ ଦିଆଯାଇଛି । ସେଗୁଡିକ ହେଲା ସ୍ୱାସ୍ଥ୍ୟ, ପୁଷ୍ଟି, ଶିକ୍ଷା, ଜୀବିକା ନିର୍ବାହ, ସମ୍ପତ୍ତିଗତ ଅଧିକାର, ଉପକରଣ ଆଦି ଉପରେ ମାଲିକାନା, ନିଷ୍ପତ୍ତି ନେବାରେ ମହିଳାମାନଙ୍କର ଅଂଶଗ୍ରହଣ, ନିରାପତ୍ତା ଓ ସୁରକ୍ଷା । ଏ ସମ୍ବନ୍ଧିତ ନିୟାମକଗୁଡିକର କାର୍ଯ୍ୟକାରିତା ପାଇଁ ୯ ବିଭାଗରେ ମୋଟ ୧୬ଟି କାର୍ଯ୍ୟ ଯୋଜନା ବିଷୟରେ ଆଲୋଚନା ହୋଇଛି ।

ଯୋଜନାର ଉଦ୍ଦେଶ୍ୟ

ଲିଙ୍ଗ ଅନୁପାତରେ ସମାନତା ବଜାୟ ରଖିବା, କନ୍ୟା ଶିଶୁ ମୃତ୍ୟୁ ହାରକୁ କମାଇବା, ଜୁନିୟର କଲେଜଗୁଡିକରେ ଛାତ୍ରୀ ଏବଂ ମହିଳାଙ୍କର ନିରାପତ୍ତାକୁ ୧୦୦% ନିଶ୍ଚିତ କରାଇବା, ପ୍ରତି ବ୍ଲକରେ କସ୍ତୁର ବା ଗାନ୍ଧୀ ବାଳିକା ବିଦ୍ୟାଳୟ ହଷ୍ଟେଲ ପ୍ରତିଷ୍ଠା କରିବା, ସଂଖ୍ୟାଲଘୁ ଆଦିମ ଆଦିବାସୀମାନଙ୍କ ପାଇଁ ମମତା ଯୋଜନାର ୨ ସନ୍ତାନ ସମ୍ବନ୍ଧୀୟ ସର୍ତ୍ତକୁ ୫ ବର୍ଷ ପାଇଁ କୋହଳ କରିବା, କର୍ମଜୀବୀ ମହିଳାମାନଙ୍କ ପାଇଁ ହଷ୍ଟେଲ୍ ପ୍ରତିଷ୍ଠା ଆଦି ବିଷୟରେ ଆଲୋଚନା ହୋଇଥିଲା । ନିଷ୍ପତ୍ତିଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟଗୁଡିକର ତଦାରଖ କରିବା ପାଇଁ ପ୍ରତି ବିଭାଗରେ ଜଣେ ନୋଡାଲ୍ ଅଫିସର ମନୋନୟନ କାର୍ଯ୍ୟ ତୁରନ୍ତ ସାରିବା ପାଇଁ ମଧ୍ୟ କୁହାଯାଇଛି ।

ଆଧାର – ଦୈନିକ ସମାଜ