ପୂର୍ବରୁ ସମସ୍ତ ଯୋଜନା ଉପରୁ ତଳ ଆଡକୁ ଆସୁଥିଲା । ଅର୍ଥାତ ସରକାରୀ ଅଫିସମାନଙ୍କରେ ଯୋଜନା ପସ୍ତୁତ ହୋଇଥିଲା ଓ ତାହା ଗାଁରେ କାର୍ଯ୍ୟକାରୀ ହୋଇଥିଲା । କିନ୍ତୁ ୭୩ତମ ସମ୍ବିଧାନ ସଂଶୋଧନ ପରେ ସମଗ୍ର ଭାରତ ବର୍ଷରେ ଗ୍ରାମସଭାକୁ ସାମ୍ବିଧାନିକ ସ୍ଵୀକୃତି ମିଳିଲା । ନିଜ ଯୋଜନା ନିଜେ ପ୍ରସ୍ତୁତ କରିବାର ପ୍ରକ୍ରିୟା ଆରମ୍ଭ ହେଲା । ଆମ ରାଜ୍ୟ ଓଡିଶା ଏ ଦିଗରେ ଗୋଟିଏ ପାଦ ଆଗକୁ ଯାଇ ପଲ୍ଲିସଭା ମାଧ୍ୟମରେ ଯୋଜନା ପ୍ରସ୍ତୁତ କରିବାର ନିୟମ ପ୍ରଣୟନ କରିଛନ୍ତି । ଗୋଟିଏ ରାଜସ୍ଵ ମୌଜା ପାଇଁ ଗୋଟିଏ ପଲ୍ଲିସଭା ବସିବ । ଯଦି ଗୋଟିଏ ରାଜସ୍ୱ ମୌଜା ବା ଗାଁରେ ଗୋଟିଏରୁ ଅଧିକ ୱାର୍ଡ ଥିବ ତେବେ ମଧ୍ୟ ସେହିମୌଜା ପାଇଁ ଗୋଟିଏ ପଲ୍ଲୀସଭା ବସିବ । ଗାଁରେ ବାସ କରୁଥିବା ପ୍ରତ୍ୟେକ ସାବାଳକ (ଉଭୟ ପୁରୁଷ ଓ ମହିଳା) ଏହି ପଲ୍ଲୀସଭାରେ ଯୋଗ ଦେଇ ତାଙ୍କ ପଲ୍ଲୀର ସମସ୍ତ ଯୋଜନା ବିଷୟରେ ଆଲୋଚନା କରିବେ ଏବଂ ନୂଆ ନୂଆ ପ୍ରସ୍ତାବ ମାନ ଗ୍ରାମସଭାକୁ ସୁପାରିଶ କରିବେ ।
ଗ୍ରାମ ପଞ୍ଚାୟତ ଆଇନ୍-୧୯୬୪ ର ଧାରା ୬ ଅନୁସାରେ ପ୍ରତ୍ୟେକ ରାଜସ୍ୱ ଗ୍ରାମକୁ ନେଇ ଏକ ପଲ୍ଲିସଭା ଗଠନ କରାଯାଏ । ଯେଉଁ କ୍ଷେତ୍ରରେ ଗୋଟିଏ ୱାର୍ଡ ମଧ୍ୟରେ ଏକରୁ ଅଧିକ ରାଜସ୍ୱ ଗ୍ରାମର ସୀମା ରହିଥାଏ ସେ କ୍ଷେତ୍ରରେ ସେହି ସବୁ ଗ୍ରାମକୁ ନେଇ ଗୋଟିଏ ପଲ୍ଲିସଭା ହୁଏ । ଏହାର ଅର୍ଥ ହେଲା ଗୋଟିଆ ପଲ୍ଲୀସଭାରେ ଏକରୁ ଅଧିକ ୱାର୍ଡ ଓ ଗ୍ରାମ ମଧ୍ୟ ରହିପାରେ ।
ପଲ୍ଲିସଭା ଆଞ୍ଚଳ ଭିତରେ ରହୁଥିବା ସବୁ ଭୋଟ ଡାଟା ପଲ୍ଲୀସଭାର ସଦସ୍ୟ । ତେଣୁ ପଲ୍ଲୀସଭାର ବୈଠକରେ ଯୋଗଦେବା ପାଇଁ କୌଣସି ବ୍ୟକ୍ତି ବିଶେଷଙ୍କୁ ଚିଠି ଦେଇ ଡକାଯାଏ ନାହିଁ । ନୋଟିସ୍, ଡେଙ୍ଗୁରା ଓ ଆବଶ୍ୟକସ୍ଥଳେ ମାଇକ୍ ପ୍ରସ୍ତୁତି ଜରିଆରେ ପଲ୍ଲୀସଭାର ସ୍ଥାନ ଓ ସମୟ ବିଷୟରେ ସମସ୍ତଙ୍କୁ ଜଣାଇ ଦିଆଯାଇଥାଏ । ଗୋଟିଏ ପରିବାରରୁ ଭୋଟ ଦେଉଥିବା ସ୍ଵାମୀ, ସ୍ତ୍ରୀ, ପୁଅ ଓ ଝିଅ ସମସ୍ତେ ପଲ୍ଲୀସଭାରେ ଯୋଗ ଦେଇ ପାରିବେ । ପଲ୍ଲିସଭା ବୈଠକରେ ମୋଟ ସଦସ୍ୟ ସଂଖ୍ୟାର ଶତକଡା ୧୦ ଭାଗ ଯେପରି ଯୋଗଦାନ କରିବେ ସେ ବିଷୟରେ ପଲ୍ଲୀସଭାର ସଭାପତି ଯତ୍ନବାନ ହେବେ ।
ଆଇନ ଅନୁଯାଇ ପ୍ରତ୍ୟେକ ବର୍ଷ ଫ୍ରେବୃୟାରି ମାସରେ ଏହାର ବାର୍ଷିକ ବୈଠକ ହୁଏ । ଏହାଛଡା ହିତାଧିକାରୀ ବାଛିବା, ପଲ୍ଲିସଭା ଅଞ୍ଛଳରେ କାର୍ଯ୍ୟକାରିହେବାକୁ ଥିବା ପ୍ରକଳ୍ପ ସ୍ଥିର କରିବା, ପ୍ରକଳ୍ପ କାର୍ଯ୍ୟକାରୀ କରିବା ସମୟରେ ଏହାର ଦାୟିତ୍ଵ ଠିକାଦାରଙ୍କ ବଦଳରେ ଜଣେ ଗ୍ରାମବାସୀଙ୍କୁ ଦେବା ପାଇଁ ଗ୍ରାମ୍ୟ ନେତା ବାଛିବା ଆଦି କାର୍ଯ୍ୟ ପାଇଁ ପଲ୍ଲୀସଭାର ସ୍ଵତନ୍ତ୍ର ବୈଠକ ମଧ୍ୟ ଡକାଯାଇ ପାରିବ ।
ପଲ୍ଲୀସଭା ଅଞ୍ଚଳରୁ ପ୍ରତିନିଧିତ୍ଵ କରୁଥିବା ୱାର୍ଡ ମେମ୍ବର ଥାଆନ୍ତି ତେବେ ଗ୍ରାମ୍ୟ ପଞ୍ଚାୟତ ଦ୍ଵାରା ସ୍ଥିର କରାଯାଇଥିବା ତାଲିକା ଅନୁସାରେ ୱାର୍ଡ ମେମ୍ବରମାନେ କ୍ରମ ଅନୁସାରେ ପଲ୍ଲିସଭା ବୈକରେ ସଭାପତିତ୍ଵ କରିଥାନ୍ତି । ୱାର୍ଡ ମେମ୍ବରମାନଙ୍କ ଅନୁପସ୍ଥିତିରେ, ଉପସ୍ଥିତ ସଦସ୍ୟମାନେ ନିଜ ମଧ୍ୟରୁ ଜଣକୁ ସଭାପତି ଭାବେ ବାଛି ପାରିବେ । କୌଣସି ପରିସ୍ଥିତିରେ ମଧ୍ୟ ସରକାରୀ କର୍ମଚାରୀ ପଲ୍ଲୀସଭା ବୈଠକରେ ସଭାପତିତ୍ଵ କରିପାରିବେ ନାହିଁ ।
ପଲ୍ଲିସଭା ବୈଠକରେ ବିବରଣୀ ପଞ୍ଚାୟତ ସଂପାଦକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଲିପିବଦ୍ଧ କରିବେ । ଯଦି ପଞ୍ଚାୟତ ସମ୍ପାଦକ ଅନୁପସ୍ଥିତ ଥାଆନ୍ତି ତେବେ ସଭାପତିଙ୍କ ଅନୁମୋଦନକ୍ରମେ ଗ୍ରାମର ଜଣେ ସାବାଳକ ଏହି କାର୍ଯ୍ୟ ତୁଲାଇ ପାରିବେ ।
ସ୍ଵତନ୍ତ୍ର ପଲ୍ଲୀସଭାରେ ଯେଉଁ ବିଷୟକୁ ନେଇ ପଲ୍ଲିସଭା ଡକାଯାଇଥିବ, ସେ ବିଷୟରେ ହିଁ ଆଲୋଚନା ହେବ । ପଲ୍ଲୀସଭାର କୋରମ – ଧାରା ୬ ଉପଧାରା ୫(କ) ଅନୁସାରେ ପଲ୍ଲୀସଭାରେ ମୋଟ ସଭ୍ୟ ସଂଖ୍ୟାର ଏକ ଦଶାଂସ ସଭ୍ୟ ଉପସ୍ଥିତ ରହିବା ପାଇଁ ପ୍ରଚାର ପ୍ରସାର ମାଧ୍ୟମରେ ଚେଷ୍ଟା କରାକିବ । ଯଦି କୋରମ ଅଭାବରୁ ବୈଠକ ସ୍ଥଗିତ ରହେ ତାହା ଅନ୍ୟ ଏକ ଦିନକୁ ଘୁଞ୍ଚାଇଦିଆଯିବ ଏବଂ ପରବର୍ତ୍ତୀ ବୈଠକ ପାଇଁ ଫୋରମ ଦରକାର ହେବ ନାହିଁ । ଏଥିପାଇଁ ଗ୍ରାମପଞ୍ଚାୟତର ୱାର୍ଡ ସଭ୍ୟ/ସଭ୍ୟା ମନେରଖିବା ଦରକାର ଯେ,ତାଙ୍କ ପଲ୍ଲୀସଭାର ମୋଟ ସଭ୍ୟ ସଂଖ୍ୟା କେତେ,ସେହି ଅନୁସାରେ ସେମାନେ କୋରମ ହେବା ନ ହେବା ଜାଣିପାରିବେ । କୋରମ ଅଭାବରୁ ବୈଠକ ସ୍ଥଗିତ ଜଖାଯାଇ ଘୁଞ୍ଚାଇ ଦିଆଗଲେ,ପୁନର୍ବାର ନିୟମ ୨୩ ଅନୁସାରେ ପୂର୍ଣ ୧୫ ଦିନିଆ ନୋଟିସ ଦିଆଯିବ ।
ନିୟମ ୨୩ ଆନୁସାରେ ପଲ୍ଲିସଭା ପାଇଁ ପୂର୍ଣ୍ଣ ୧୫ ଦିନିଆ ନୋଟିସ ଦିଆଯିବ । ଏହି ନୋଟିସ ପଲ୍ଲିସଭା ଅଞ୍ଚଳରେ ଡେଙ୍ଗୁରା ମାଧ୍ୟମରେ ସର୍ବସାଧାରଣଙ୍କୁ ଜଣାଇଦିଆଯିବ । ଏହା ବ୍ୟତୀତ ନୋଟିସର ନକଲ ପଲ୍ଲିସଭା ଅଞ୍ଚଳରେ ଥିବା ସମସତ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର, ଯୁବକ ସଂଘ ଗୃହ, ମହିଳା ସମିତି ଗୃହ, ସ୍ଵେଚ୍ଛାସେବି ଅନୁଷ୍ଠାନ ଏବଂ ବଜାର ଛକମାନଙ୍କରେ ସର୍ବସାଧାରଣ ଗୋଚରାର୍ଥେ ଲଟକା ଦିଆଯିବ ।
ପଲ୍ଲୀସଭାରେ ଉଭୟ ପୁରୁଷ ଏବଂ ମହିଳା ଯୋଗ ଦେଇ ନିଜ ପାଇଁ ନିଜେ ଯୋଜନା ପ୍ରସ୍ତୁତ କରିବା ଲାଗି ଆଲୋଚନା କରିବେ । ଉପସ୍ଥିତ ସମୁଦାୟ ସଭ୍ୟଙ୍କ ମଧ୍ୟରୁ ଯେପରି ଏକ ଦଶାଂସ ମହିଳା ଉପସ୍ଥିତ ରହିବେ ତାହାକୁ ସୁନିଶ୍ଚିତ କରିବାକୁ ପଡିବ ।
ଧାରା ୬ ଉପଧାରା ୨ ଅନୁସାରେ ପଲ୍ଲିସଭା ଅଞ୍ଚଳର ସମସ୍ତ ଭୋଟରମାନଙ୍କୁ ପଲ୍ଲୀସଭାର ସଭ୍ୟ ବୋଲି ଗ୍ରହଣ କରାଯିବ ।
ଧାରା ୬ ଉପଧାରା ୩ ଅନୁସାରେ ପ୍ରତିବର୍ଷ ଫ୍ରେବୃୟାରି ମାସରେ ପଲ୍ଲିସଭା ଅନୁଷ୍ଠିତ ହୁଏ । ପଲ୍ଲୀସଭାରେ ୱାର୍ଡସଭ୍ୟ/ସଭ୍ୟା ସଭାପତିତ୍ଵ କରନ୍ତି । ଯେଉଁ ପଲ୍ଲୀସଭାରେ ଏକରୁ ଅଧିକ ୱାର୍ଡ ଥାଏ, ସେ କ୍ଷେତ୍ରରେ କେଉଁ ୱାର୍ଡ ସଭ୍ୟ ପଲ୍ଲୀସଭାରେ ସଭାପତିତ୍ଵ କରିବେ ତାହା ଗ୍ରାମପଞ୍ଚାୟତ ବୈଠକରେ କ୍ରମାନ୍ଵୟରେ ସ୍ଥିର କରାଯାଇଥିବ । ପଲ୍ଲିସଭା ବୈଠକ ଦିନ ଯଦି ସେହି ପଲ୍ଲିସଭା ଅଞ୍ଚଳର ସମସ୍ତ ୱାର୍ଡସଭ୍ୟ ଅନୁପସ୍ଥିତ ଥିବେ, ଉପସ୍ଥିତ ପଲ୍ଲିସଭା ସଭ୍ୟମାନଙ୍କ ମଧ୍ୟରୁ ଜଣଙ୍କୁ ବଛାଯାଇ ସଭାପତି କରାଯିବ ।
କେତେକ ଗୁରୁତ୍ଵପୂର୍ଣ୍ଣ ସୂଚନା |
|
ଆଧାର - ସେଣ୍ଟର ଫର ରୁରାଲ ଡେଭଲପମେଣ୍ଟ, ଭୁବନେଶ୍ଵର
Last Modified : 3/2/2020