ଆମ ଗ୍ରାମାଅଞ୍ଚଳର ଲୋକମାନଙ୍କର ଜୀବନ ଜୀବିକା ବିଶେଷକରି କୃଷି ଉପରେ ନିର୍ଭରଶୀଳ । ପାରିପାର୍ଶ୍ଵିକ ପ୍ରାକୃତିକ ସମ୍ପଦ କୃଷିକୁ ବିଭିନ୍ନ ଭାବରେ ପ୍ରଭାବିତ କରିଥାଏ । ଜଳ – ଜମି – ଜଙ୍ଗଲ – ଜୀବଜନ୍ତୁ ପ୍ରଭୃତିଙ୍କ ମଧ୍ୟରେ ଯେଉଁ ପ୍ରାକୃତିକ ସୁସଂପର୍କ ଆବାହମାନ କାଳରୁ ପ୍ରତିଷ୍ଠିତ ସେଥିରେ ବ୍ୟତିକ୍ରମ ଆମର କୃଷି ତଥା ପ୍ରାକୃତିକ ସମ୍ପଦ ଉପରେ ନିର୍ଭରଶୀଳ ଅନ୍ୟାନ୍ୟ ଜୀବିକା ଗୁଡିକୁ ବହୁଳଭାବରେ କ୍ଷତିଗ୍ରସ୍ତ କରିଛି । କୃଷି କ୍ଷତିଗ୍ରସ୍ତ ହେବା ଫଳରେ ଖାଦ୍ୟ ନିରାପତ୍ତା ତଥା ଗୁଜୁରାଣ ମେଣ୍ଟାଇବା ପାଇଁ ଗ୍ରାମାଞ୍ଚଳରୁ ଲୋକେ ଅନ୍ୟତ୍ର ଯାଇ ଦାଦନ ଖଟିବାକୁ ଗାଁ ଛାଡିଲେଣି । ଯେଉଁ କୃଷି ଆମର ଖାଦ୍ୟ ନିରାପତ୍ତାର ମୂଳ ଭିତ୍ତିଭୂମି ଥିଲା ତାକୁ ଅବହେଳିତ କରି ଲୋକେ ସହରାଞ୍ଚଲରେ କୁଲିମଜୁରୀ ଉପରେ ନିର୍ଭର କରିବା ଆରମ୍ଭ କଲେଣି । ବଞ୍ଚିରହିବାର ପ୍ରଚେଷ୍ଟା ଭିତରେ ପାରିପାର୍ଶ୍ଵିକ ପ୍ରାକୃତିକ ସଂପଦକୁ ମଧ୍ୟ ଉଜାଡି ଚାଲିଲେଣି । ଏହାଦ୍ଵାରା ସବୁଠାରୁ ବେଶୀ ଯେଉଁମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ସେମାନେ ପ୍ରାୟତଃ ଭୂମିହୀନ ଓ ଶ୍ରମଜୀବି । ଗ୍ରାମାଞ୍ଚଳରେ ଜୀବକାର୍ଯ୍ୟନ ପାଇଁ ପ୍ରାକୃତିକ ସଂପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ଯେଉଁ ଯେଉଁ ଜାଗାରେ ପ୍ରାକୃତିକ ସଂପଦ ଉଜୁଡି ଯାଉଛି ବା ଅବକ୍ଷୟ ହୋଇଯାଉଛି ସେଠି ପ୍ରାକୃତିକ ପୁନଃଥଇଥାନ କରାଯାଇ ପାରିଲେ ଜୀବନ ଧାରଣର ମାନ ମଧ୍ୟ ସମୃଦ୍ଧ ହୋଇପାରେ । ଯେଉଁଠି ପ୍ରାକୃତିକ ସଂପଦ ଉଜୁଡି ଗଲାଣି ସେଠି ତାର ନକରାତ୍ମକ ପ୍ରଭାବ ସ୍ଥାନୀୟ ଜୀବନ ଜୀବିକା ଉପରେ ସ୍ପଷ୍ଟ ଦିଶିଲାଣି । ଗ୍ରାମର ଉତ୍ପାଦନ ଉପକରଣ କହିଲେ ଜଳ, ଜମି, ଜଙ୍ଗଲ, ଜୈବ ବିବିଧତା, ଚାରଣ ଭୂମି, ଜଳାଶୟ ଇତ୍ୟାଦି ଅନେକ ପ୍ରାକୃତିକ ସଂପଦକୁ ବୁଝାଏ । ଏହି ପ୍ରାକୃତିକ ସମ୍ପଦର ଅବକ୍ଷୟ ସହିତ ସମତାଳରେ ବୃଦ୍ଧି ପାଉଛି ଦାରିଦ୍ର୍ୟତା । କୃଷିପ୍ରଧାନ ଅଞ୍ଚଳରେ ଜମି ( ଚାଷ ଯୋଗ୍ୟ ବା ଅଯୋଗ୍ୟ ), ଜଳ, ଜୈବ ସମ୍ବଳ ( ଶସ୍ୟ, ତୃଣ, ଜାଳେଣୀ, ଅଣକାଷ୍ଠ ଜଙ୍ଗଲଜାତ ଦ୍ରବ୍ୟ, ପଶୁ ସଂପଦ ) ଏବଂ ଅନ୍ୟାନ୍ୟ ସର୍ବସାଧାରଣ ସଂପତ୍ତି ଯଥା ଗୋଚର, ଜଳାଶୟ, ନଦୀ, ନାଳ, ଗ୍ରାମ ଜଙ୍ଗଲ, ପତିତ ଜମି ଇତ୍ୟାଦିର ପୁନରୁଦ୍ଧାରକୁ ହିଁ ସବୁଠୁ ବେଶୀ ଗୁରୁତ୍ଵ ଦିଆଯିବା ଦରକାର । ପରିବେଶର ଅବକ୍ଷୟ ଯୋଗୁଁ ଦେଶର ଅନେକ ଅଞ୍ଚଳ ଶୁଷ୍କ ଅଞ୍ଚଳରେ ପରିଣତ ହେବାକୁ ଗଲାଣି । ଅଳ୍ପ ବୃଷ୍ଟି, ଅତିବୃଷ୍ଟି, ଉର୍ବରତା କ୍ଷୟ ଯୋଗୁଁ ଉତ୍ପାଦନ ହ୍ରାସ ପାଇବା ଫଳରେ ଜୀବକାର୍ଜନର ନିରାପତ୍ତା ବିପନ୍ନ ହେବାରେ ଲାଗିଛି । ଗ୍ରାମ୍ୟ ପରିସଂସ୍ଥାର ପ୍ରାକୃତିକ ସମ୍ବଳ ଗୁଡ଼ିକୁ ସର୍ବସାଧାରଣ ସମ୍ବଳ ଓ ଘରୋଇ ସମ୍ବଳ ଭାବରେ ଭାଗ କରାଯାଇପାରେ । ସର୍ବସାଧାରଣ ସମ୍ବଳ ଭାବେ ଚାରଣ ଭୂମି, ଜଙ୍ଗଲ, ପୋଖରୀ ଓ ନାଳ ତଥା ଘରୋଇ ସମ୍ବଳ ଭାବେ ଫସଲ ଜମି, ପଶୁ ସଂପଦ, ବୃକ୍ଷ, କୂପ ଇତ୍ୟାଦି ମଧ୍ୟରେ ନିବିଡ ସଂପର୍କ ରହିଛି ଓ ଏମାନେ ପରସ୍ପର ଉପରେ ନିର୍ଭରଶୀଳ । ସର୍ବସାଧାରଣ ସମ୍ବଳ ଉଜୁଡିଗଲେ ତାର ସିଧାସଳଖ ପ୍ରଭାବ ଘରୋଇ ସମ୍ବଳ ଉପରେ ପଡିବ ଯାହା ପରିବାରର ଜୀବନ ଜୀବିକକୁ ଘୋର ବାଧା ପହଞ୍ଚାଇବା । ଏହି ସବୁ ସମ୍ବଳରୁ ଆମର ମୌଳିକ ଆବଶ୍ୟକତା ଯଥା : - ଖାଦ୍ୟ, ଗୋଖାଦ୍ୟ, ଜାଳେଣୀ, ଖତ, ଘର ତିଆରି ପଦାର୍ଥ, କାରିଗରୀ ଦ୍ରବ୍ୟ, ଔଷଧୀୟ ବୃକ୍ଷଲତା, ପାନୀୟ ଜଳ, ସେଚନ ପାଇଁ ଜଳ ଇତ୍ୟାଦି ମେଣ୍ଟିଥାଏ । ତେଣୁ ଉଭୟ ଘରୋଇ ତଥା ସର୍ବସାଧାରଣ ସମ୍ବଳର ଯତ୍ନ ନେଲେ ଯାଇ ଜୀବିକା ନିରାପତ୍ତା ହାସଲ କରିହେବ । ପ୍ରାକୃତିକ ସମ୍ପଦରେ କଣ ଅବ୍ୟବସ୍ଥା ହୋଇଛି ଓ ତାହା ଫଳରେ ଆମର ଜୀବନ ଜୀବିକା କିପରି ବାଧାପ୍ରାପ୍ତ ହେଉଛି ତାହା ଆମେ ଆମର ସ୍ଥାନୀୟ ସମସ୍ୟାର ଆଧାରରେ ଭଲଭାବରେ ବୁଝିପାରିବା । ଜଙ୍ଗଲ ଧ୍ଵଂସ ଯୋଗୁଁ ଚାଷ ଜମିକୁ ସାରପାଣି ଆସୁନାହିଁ ତେଣୁ ଆମେ ରାସାୟନିକ ସାର ଉପରେ ନିର୍ଭର କଲେଣି । ଆକସ୍ମିକ ବନ୍ୟା ଯୋଗୁଁ ମାଟି ଧୋଇଯାଉଛି ଓ ଜମିରେ ବାଲି ପଥର ଇତ୍ୟାଦି ଜମା ହୋଇ ଯାଇଛି । ପାହାଡ଼ରେ ଗଛ ନଥିବା ଯୋଗୁଁ ବର୍ଷାଜଳ ତୀବ୍ର ବେଗରେ ଗତିକରି ମୃତ୍ତିକା କ୍ଷୟ ବଢାଉଛି । ଜମିର ଦୁର୍ବଳ ହୁଡା ବର୍ଷା ଜଳର ତୀବ୍ର ବେଗରେ ଭାଙ୍ଗିଯିବା ଫଳରେ ଜମିର ଉପର ମାଟି ମଧ୍ୟ ଧୋଇ ହୋଇଯାଉଛି । ଏଥିଯୋଗୁଁ ଅନେକ ଗଡାଣିଆ ଜମିରୁ ମୃତ୍ତିକା କ୍ଷୟ ହୋଇ ପଥର ଦିଶିଲାଣି । ପୁଣି ପାହାଡ଼ରୁ ବର୍ଷାଜଳ ଯେଉଁ ବାଟ ଦେଇ ଗଡୁଛି ସେ ମଧ୍ୟରୁ କେତେକ ଜାଗାରେ ନରମ ମାଟି ଧୋଇଯାଇ ନୂଆ ନାଳ ସୃଷ୍ଟି ହେଲାଣି । ମାଟି ଧୋଇଯିବା ଯୋଗୁଁ ହେଉଥିବା ଏହି କୃତ୍ରିମ ନାଳଗୁଡ଼ିକୁ ଯଦି ନିୟନ୍ତ୍ରଣ କରାନଯାଏ ତେବେ ଭବିଷ୍ୟତରେ ଏହା ଆହୁରି ମୃତ୍ତିକା କ୍ଷୟର କାରଣ ହେବ । ଅନେକ ଜାଗାରେ ଝରଣା ଗୁଡିକ ମଧ୍ୟ ପୋତି ହୋଇ ଶୁଖିଗଲାଣି । ଯେଉଁ ନାଳ, ଝରଣା ବର୍ଷସାରା ପ୍ରବାହିତ ହେବ ଫଳରେ ଚାଷ ଜମିର ଜଳ ସେଚିତ ହୋଇପାରୁଥିଲା ସେଠି ଝରଣା ଶୁଖିଯିବା ଯୋଗୁଁ ଚାଷ କରିବା କଠିନ ହେଲାଣି । ଜଙ୍ଗଲର ଢାଲୁ ଅଞ୍ଚଳରେ ପୋଡୁଚାଷ ଯୋଗୁଁ ଜଙ୍ଗଲ ପାଦଦେଶରେ ସୃଷ୍ଟି ହୋଇଥିବା । ଜଳାଶୟ ଗୁଡିକ ମଧ୍ୟ ପଟୁ ପଡି ପୋତି ହୋଇଯାଉଛି । ମୋଟାମୋଟି ଭାବରେ କହିବାକୁ ଗଲେ ବୃଷ୍ଟିପାତ, ଭୂ ପୃଷ୍ଠର ଅବସ୍ଥିତ, ମୃତ୍ତିକାର ଅବସ୍ଥା ଓ ଗଛଲତାର ଆବରଣ ଏପରି ମୃତ୍ତିକା କ୍ଷୟକୁ ପ୍ରଭାବିତ କରିଥାଏ । ତେଣୁ ଆମ ଆଗରେ ପ୍ରଶ୍ନ ଉଚୁଛି ଯେ ଆମର ଜୀବନ ଜୀବିକା ଯେଉଁ ପ୍ରାକୃତିକ ସମ୍ପଦକୁ ସେପରି ଅବହେଳିତ ଅବସ୍ଥାରେ ଛାଡିଦେବା ନା ତାର କିଛି ଯତ୍ନ ନେଇ ଆମର ପାରମ୍ପରିକ ଜୀବନ ଜୀବିକା ବ୍ୟବସ୍ଥାକୁ ଚିରନ୍ତନ କରିବା ? ପ୍ରାକୃତିକ ସମ୍ପଦର ପରିଚାଳନା ପାଇଁ କେବଳ ଗ୍ରାମର ଭୌଗଳିକ ସୀମା ଭିତରେ ଚିନ୍ତା କରିବା ଠିକ ହେବନି । ପ୍ରାକୃତିକ ସମ୍ପଦର ସଂରକ୍ଷଣ ଯୋଜନା କରିପାରିଲେ ଏହା ବେଶୀ ଫଳପ୍ରଦ ହେବ । ଏହି ଭୂ – ଭାଗଟିର କେତୋଟି ଗ୍ରାମ ବା କେତୋଟି ପଞ୍ଚାୟତ ମଧ୍ୟ ଆସିପାରନ୍ତି । ଯଦି ଏକ ଭୂ ଭାଗକୁ ପ୍ରାକୃତିକ ସମ୍ପଦ ପରିଚାଳନାର କ୍ଷେତ୍ର ଭାବେ ଚିନ୍ତା କରାଯାଏ ତେବେ ଏଥିରେ ବିଭିନ୍ନ ଉପାଦାନକୁ ସଂରକ୍ଷିତ ରଖିବାକୁ ସମନ୍ଵିତ ଯୋଜନାର ଆବଶ୍ୟକତା ବହୁତ ରହିଛି । ଏହି ଭୂଭାଗଟିକୁ ଏକ ବା ଏକାଧିକ ଜଳଛାୟାର ଅଂଶ ଭାବରେ ମଧ୍ୟ ଦେଖାଯାଇପାରେ । ତେଣୁ ଭୂଭାଗ ସ୍ତରରେ ଯୋଜନା ପ୍ରସ୍ତୁତ କରିବା ହେଉଛି ସବୁଠାରୁ ବଡ କଥା । ଉଦାହରଣ ସ୍ୱରୂପ ଜଳଛାୟା ମଧ୍ୟରେ ଅନେକ ନାଳ ଆସି ଏକ ବଡ ନାଳ ମାଧ୍ୟମରେ ଜଳ ନିଷ୍କାସନ କରନ୍ତି । କେଉଁ ନାଳ କେଉଁଠୁ ବାହାରି କେଉଁ ପର୍ଯ୍ୟନ୍ତ ଯାଇଛି, କେଉଁ ନାଳ ସଙ୍କୁଚିତ ହୋଇଗଲାଣି ବା ବିସ୍ତୃତ ହୋଇଗଲାଣି, କିଏ ଶୁଖିଗଲାଣିତ କିଏ ଜମି ଖାଇଲାଣି ସେସବୁକୁ ଠିକ୍ ଭାବରେ ଅନୁଧ୍ୟାନ କରି କେଉଁ କାର୍ଯ୍ୟ କେଉଁଠି କରାଯାଇପାରେ ଯୋଜନା ହେବା ଦରକାର । ସେହିପରି ପୋଡୁ ଚାଷ ହେଉଥିବା ଅଞ୍ଚଳରେ ପାହାଡ଼ର ଉଚ୍ଚତମ ଅଂଶରେ ଜଙ୍ଗଲ ରଖି, ମଧ୍ୟବର୍ତ୍ତୀ ଅଂଶରେ କୃଷି ଅରଣ୍ୟ ବା ବହୁବିଧ କୃଷିର ଯୋଜନା କରାଯାଇପାରେ । ସ୍ଥାନୀୟ ସ୍ତରରେ ମୃତ୍ତିକା ଓ ଜଳ ସଂରକ୍ଷଣ କାର୍ଯ୍ୟକୁ ବିଭିନ୍ନ ଉଦ୍ଦେଶ୍ୟରେ ଗୁରୁତ୍ଵ ଦିଆଯାଇପାରେ । ଯଥା :- ମାଟିରେ ବତର ବଢାଇବାକୁ ବର୍ଷାଜଳ ଧରିରଖିବା ପାଇଁ ପରିସ୍ରବଣ ପୋଖରୀ, ସମପତନ ଖାଇ ଓ ବନ୍ଧ ଇତ୍ୟାଦି କରାଯାଇପାରେ । ଯେଉଁଠି ଭୂତଳ ଜଳ ଅଳ୍ପ ଗଭୀରରେ ଥାଏ ସେଠି ଜଳ ସେଚନ ପାଇଁ ପୋଖରୀ କରାଯାଇପାରେ । ଆବଶ୍ୟକୀୟ ଦୂରତାରେ ସମପତନ ଖାଇ (CCT) ଏବଂ ଜଳ ଶୋଷଣ ଖାଇ (WAT) ପାହାଡ ପାର୍ଶ୍ଵରେ ନିର୍ମାଣ କରାଗଲେ ଏହା ମୋଟାମୋଟି ମୃତ୍ତିକାର ଜଳୀୟ ଅବସ୍ଥା ଏବଂ କୂଅର ଜଳପତନ ବୃଦ୍ଧିରେ ସହାୟକ ହୁଏ । କିନ୍ତୁ ଏହାର ଫାଇଦା ଅସମାନ ଭାବରେ ପାହାଡତଳ ଖାଲୁଆ ଅଞ୍ଚଳର ଲୋକମାନଙ୍କୁ ଅଧିକ ମିଳିଥାଏ । ତେଣୁ ସ୍ଥାନୀୟ ପରିବେଶର ଆଧାରରେ ଚିନ୍ତା କଲେ ଅନେକ ବ୍ୟବସ୍ଥା ବାହାରିପାରିବ ଯାହା ଫଳରେ ପ୍ରାକୃତିକ ସମ୍ପଦରୁ ସଂରକ୍ଷଣ ସହିତ ଜୀବନ ଜୀବିକାର ଉନ୍ନତି ସାଧିତ ହୋଇପାରିବ । ତେଣୁ ଏ ପାଇଁ ଆମକୁ ଗ୍ରାମର ଭୌଗଳିକ ସୀମା ବାହାରକୁ ଯାଇ ଭୂ ଭାଗ ସ୍ତରରେ ଚିନ୍ତା କରିବା ଦରକାର । ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ୍ ଏପରି ଏକ ସ୍ଥିତିଦେଇ ଆମେ ଗତିକରୁଥିବା ବେଳେ କେନ୍ଦ୍ର ସରକାର ଆରକେ ପ୍ରଗତିଶୀଳ ଆଇନ୍ ର ପ୍ରଣୟନ କଲେ ଯାହାକୁ ଆମେ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ୍ ବା ଏନ୍.ଆର.ଇ.ଜି.ଏ. ନାମରେ ଜାଣନ୍ତି । ଏହି ଆଇନ୍ ଡିସେମ୍ବର ୨୦୦୫ ମସିହାରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପ୍ରାପ୍ତ ହୋଇ ୨୦୦୬ ମସିହା ଫ୍ରେବୃୟାରୀ ମାସଠାରୁ ଦେଶବ୍ୟାପୀ ଯୋଜନାରେ ରୂପାନ୍ତରିତ ହେଲା । ଏହି ଯୋଜନାର ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକ ହେଲା ଯେ ଏହା ଗ୍ରାମର ପ୍ରତ୍ୟେକ ଶ୍ରମଜୀବି ପରିବାରଙ୍କୁ ୧୦୦ ଦିନର କର୍ମ ନିଯୁକ୍ତିର ନିଶ୍ଚିତତା ପ୍ରଦାନ କରୁଛି ତଥା ଏକ ନିର୍ଦ୍ଧିଷ୍ଟ ମଜୁରୀ ହାରରେ ମଜୁରୀ ବ୍ୟବସ୍ଥା ଏଥିରେ ଅଛି । ଏହି ଯୋଜନା ଶ୍ରମଜୀବି ପରିବାରର ଶ୍ରମ ଅଧିକାରକୁ ପରୋକ୍ଷରେ ମାନ୍ୟତା ଦେବା ସହିତ ଗ୍ରାମାଞ୍ଚଳରେ ପ୍ରାକୃତିକ ସମ୍ପଦର ପୁନରୁଦ୍ଧାର ଓ ପୁନଃଥାଇଥାନ କାର୍ଯ୍ୟକୁ ଅଗ୍ରାଧିକାର ଦେଇ ପରିବେଶ ଭିତ୍ତିକ କୃଷି ଓ ଖାଦ୍ୟ ନିରାପତ୍ତା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିଛି । ବିଭିନ୍ନ କାରଣରୁ ଚାଷ କ୍ଷତିଗ୍ରସ୍ତ ହେବ ଫଳରେ ଯେଉଁମାନେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଚାଲିଯାଇ ବିଭିନ୍ନ ପ୍ରକାରର ଅସୁବିଧା ଭୋଗୁଛନ୍ତି ସେମାନେ ମଧ୍ୟ ନିଜ ଗ୍ରାମରେ ରହି ନିଜ ମାଲିକାନାରେ ଥିବା ପ୍ରାକୃତିକ ସମ୍ପଦ ଯଥା ଜଳ-ଜମି-ଜଙ୍ଗଲକୁ ବିକଶିତ କରି ଏକ ଦୀର୍ଘମିଆଦି ଉନ୍ନତି ଦିଗରେ ଆଗେଇବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଏହି ଯୋଜନା ଆମକୁ ଆଣିଦେଇଛନ୍ତି । ଏହି ପ୍ରଗତିଶୀଳ ଯୋଜନାର ସବୁଠୁ ବଡକଥା ହେଉଛି – ଶ୍ରମଜୀବି ପରିବାରମାନେ କମ ଦାବୀକଲେ ସରକାର କାମ ଯୋଗାଇଦେବେ । କାମ ମାଗିଥିବା ବ୍ୟକ୍ତିମାନଙ୍କୁ ଆବେଦନ କରିବାର ୧୫ଦିନ ମଧ୍ୟରେ ଗ୍ରାମର ୫ କିଲୋମିଟର ଦୂରତା ମଧ୍ୟରେ ହିଁ କମ ଯୋଗାଇ ଦିଆଯିବ । ଯଦି ଆବେଦନ କରିଥିବା ତାରିଖଠାରୁ ୧୫ ଦିନ ମଧ୍ୟରେ ହିଁ କାମ ଯୋଗାଇ ଦିଆନଯାଏ, ତେବେ ଆବେଦନକାରୀଙ୍କୁ ବେରୋଜଗାରୀ ଭତ୍ତା ମଧ୍ୟ ମିଳିବାର ବ୍ୟବସ୍ଥା ରହିଛି । କିନ୍ତୁ ସଚେତନତାର ଅଭାବରୁ ଅନେକ ଲୋକେ ଭାବୁଛନ୍ତି ଯେ ଏହି ଯୋଜନାରେ କାମ ଆସିଲେ ହିଁ କାମ ମିଳିବ । କିନ୍ତୁ ବୁଝିରଖିବା ଦରକାର ଯେ ୧୦୦ ଦିନର କାମ ମାଗିବା ନିଜର ଅଧିକାର । ଯଦି ଜଣେ ନିଜର ଅଧିକାରକୁ ସାବ୍ୟସ୍ତ ନକରେ ତେବେ ଦୋଷ କାହାକୁ ଦେବା ? ନିଶ୍ଚିତ ନିଯୁକ୍ତି କାର୍ଯ୍ୟକ୍ରମ ଏବଂ ଗ୍ରାମ ଆଧାରିତ ଯୋଜନା ମାଧ୍ୟମରେ ଗ୍ରାମପାଇଁ ଦୀର୍ଘସୂତ୍ରୀ କୃଷିଭିତ୍ତିଭୂମି ତଥା ଜଳ – ଜମି – ଜଙ୍ଗଲର ଉନ୍ନତି କରିପାରିଲେ ନିଶ୍ଚିତ ଦାରିଦ୍ର୍ୟ ଦୂରୀକରଣ ତଥା ଖାଦ୍ୟ ନିରାପତ୍ତା ଯେ ସହଜ ହେବ ଏକଥା ଆମକୁ ବିଶ୍ଵାସ କରିବାକୁ ପଡିବ । ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ବୈଶିଷ୍ଟ୍ୟ ଆଇନ୍ ଅନୁଯାୟୀ ଏହି ଯୋଜନାରେ ନିମ୍ନ ପ୍ରକାରର କାର୍ଯ୍ୟଗୁଡ଼ିକୁ ଅଗ୍ରାଧିକାର ଭିତ୍ତରେ ବିଚାର କରାଯିବ । ଜଳ ସଂରକ୍ଷଣ ଓ ଜଳ ଅମଳ ପ୍ରକଳ୍ପ କାର୍ଯ୍ୟ । ମରୁଡି ନିରାକରଣ ( ବନୀକରଣ ଓ ବୃକ୍ଷରୋପଣ ସହିତ ) କାର୍ଯ୍ୟ । କ୍ଷୁଦ୍ର ତଥା ଅଣୁଜଳସେଚନ କାର୍ଯ୍ୟକ୍ରମ ସହିତ ଜଳସେଚନ ପାଇଁ କେନାଲ ଖନନ । ଅନୁସୂଚୀତ ଜନଜାତି ଓ ଅନୁସୂଚୀତ ଜାତି ଭୂ ସଂସ୍କାର ଓ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରବର୍ତ୍ତିତ ଇନ୍ଦିରା ଆବାସ ଯୋଜନା ହିତାଧିକାରୀଙ୍କ ଜମିକୁ ଜଳ ସେଚନ ସୁବିଧା । ପୁରାତନ ବନ୍ଧ, ପୋଖରୀ ଓ ପାରମ୍ପରିକ ଜଳାଶୟ ଗୁଡ଼ିକର ପଙ୍କ ଉଦ୍ଧାର ତଥା ପୁନଃ ଖନନ କାର୍ଯ୍ୟ । ଜମିର ଉନ୍ନତି ( ବନ୍ଧ ଦେବା, ସମତଳ କରିବା, ଥାକ ଥାକ କରିବା ଇତ୍ୟାଦି) । ବନ୍ୟା ନିୟନ୍ତ୍ରଣ ଓ ସୁରକ୍ଷା କାର୍ଯ୍ୟ ସମେତ ଜଳ ଜମୁଥିବା ଅଞ୍ଚଳରେ ଜଳ ନିଷ୍କାସନ ପାଇଁ ନାଳ ବ୍ୟବସ୍ଥା କରିବା । ଗ୍ରାମାଞ୍ଚଳ ସଂଯୋଗୀକରଣ ପାଇଁ ସବୁଦିନିଆ ରାସ୍ତା ନିର୍ମାଣ । ଅନ୍ୟ କୌଣସି କାର୍ଯ୍ୟ ଯାହାକୁ କି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ପରାମର୍ଶକ୍ରମେ ଚାଲୁ ରଖିବାକୁ ଚାହୁଁଥିବେ । ଯୋଜନାର ବୃହତ ଉଦ୍ଦେଶ୍ୟ ହେଉଛି ଗାଁର ଗରିବ ଲୋକଙ୍କର ଜୀବିକାର୍ଜନର ପନ୍ଥାକୁ ଅଧିକ ମଜବୁତ୍ କରିବା । ଯୋଜନା ଅଧିନରେ କରାଯିବାକୁ ଥିବା ସମସ୍ତ କାର୍ଯ୍ୟ କେବଳ ଗ୍ରାମାଞ୍ଚଳରେ ହିଁ କରାଯିବ । ବିଭିନ୍ନ ଗ୍ରାମାଞ୍ଚଳରେ ଏହି ଯୋଜନା ଜରିଆରେ ସ୍ଥାୟୀ ସଂପତ୍ତି ସୃଷ୍ଟି କରିପାରିବା ଭଳି ସେହି ଅଞ୍ଚଳରେ ଶ୍ରମିକ ମାନଙ୍କ କ୍ଷମତା ଭିତ୍ତିରେ କି ପ୍ରକାର ଯୋଜନା କରାଯିବ ରାଜ୍ୟ ପରିଷଦ ତାରଏକ ତାଲିକା ପ୍ରସ୍ତୁତ କରିବେ । ଜନ ସାଧାରଣଙ୍କ ପାଇଁ ଏହି ଯୋଜନାରେ ସୃଷ୍ଟି ହୋଇଥିବା ସଂପତ୍ତିର ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆବଶ୍ୟକ ବ୍ୟବସ୍ଥା କରାଯିବ । ଏହି ଯୋଜନାରେ ଚାଲୁଥିବା କାମରେ ଶ୍ରମିକଙ୍କୁ କୌଣସିମତେ ସର୍ବନିମ୍ନ ମଜୁରୀ ମୂଲ୍ୟରୁ କମ ଅର୍ଥ ଦିଆଯିବ ନାହିଁ । କାର୍ଯ୍ୟର ମାନ ସହିତ ମଜୁରୀଦର ସିଧାସଳଖ ଜଡିତ ରହୁଥିବା କାରଣରୁ କେଉଁ କାମ ପାଇଁ କେତେ ମଜୁରୀ ଦିଆଯିବ ତାହା ରାଜ୍ୟ ସରକାର ରାଜ୍ୟ ସରକାର ରାଜ୍ୟ ପରିଷଦ ସହିତ ବିଚାରାଲୋଚନା ଓ ପରାମର୍ଶ କରି ସ୍ଥିର କରିବେ । ଯେତେବେଳେ କାମକୁ ଦେଖି ମଜୁରୀ ସ୍ଥିର କରାଯିବ ସେତେବେଳେ ଅଣକୁଶଳୀ ଶ୍ରମିକ ମାନଙ୍କ ପାଇଁ ମଜୁରୀହାର ଏପରି ନିର୍ଦ୍ଧାରଣ କରାଯିବ ଯେପରିକି ଯୋଜନାରେ ସାତଘଣ୍ଟା କମ କରିଥିବା ଶ୍ରମିକ ମଧ୍ୟ ଧାର୍ଯ୍ୟ ଦରରେ ପୁରା ଦିନକର ମଜୁରୀ ପାଇବେ । କୁଶଳୀ/ଅର୍ଦ୍ଧକୁଶଳୀ ଶ୍ରମିକ ମାନଙ୍କର ମଜୁରୀ ଖର୍ଚ୍ଚ ମୋଟ ପ୍ରକଳ୍ପ ଅର୍ଥର ୪୦ ଭାଗରୁ ଅଧିକ ହୋଇପାରିବ ନାହିଁ । କାର୍ଯ୍ୟକ୍ରମ ଅଧିକାରୀ ଏବଂ ଗ୍ରାମପଞ୍ଚାୟତ ମାନେ ଏହି ଯୋଜନାରେ ନିଯୁକ୍ତି ପାଇଁ ଆବେଦନ କରିଥିବା ଗ୍ରାମାଞ୍ଚଳରେ ଯେ କୌଣସି ଲୋକଙ୍କୁ କାମ କରିବାକୁ ଖୋଲାଖୋଲି ଭାବେ ନିର୍ଦ୍ଦେଶ ଦେଇପାରିବେ । ଏହି ଯୋଜନାରେ କୌଣସି ଠିକାଦାରଙ୍କୁ କମ ଦିଆଯିଇ ପାରିବ ନାହିଁ । ଏହି ଯୋଜନାରେ ଅଧିନସ୍ଥ ପାଣ୍ଠି ଅର୍ଥରେ ଚାଲିବାକୁ ଥିବା କାର୍ଯ୍ୟ ଯନ୍ତ୍ରୀଙ୍କ ଦ୍ଵାରା କରାନଯାଇ ଉର୍ଦ୍ଦିଷ୍ଟ ଶ୍ରମିକଙ୍କ ଡ ଦ୍ଵାରା କରାଯିବ । ପଞ୍ଚାୟତ ଓ ଗ୍ରାମ ସ୍ତରରେ ପ୍ରାକୃତିକ ସମ୍ବଳ ପରିଚାଳନା ଯୋଜନା : ଗ୍ରାମାଞ୍ଚଳ ଅର୍ଥନୀତି, ଖାଦ୍ୟ ନିରାପତ୍ତା ଓ ଜୀବିକାର୍ଜନ ଧାରାରେ ଆଖି ଦୃଶିଆ ପରିବର୍ତ୍ତନ ଆଶା କରୁଥିଲେ ଆମକୁ ପ୍ରଥମେ ଅବକ୍ଷୟଗାମୀ ପ୍ରାକୃତିକ ସମ୍ବଳର ପୁନରୁଦ୍ଧାର କରିବାକୁ ହେବ । ଏଥିପାଇଁ ଉଭୟ ସ୍ୱଳ୍ପ ମିଆଦି ତଥା ଦୀର୍ଘ ମିଆଦି ଯୋଜନା କରାଯିବା ନିତାନ୍ତ ଆବଶ୍ୟକ । ଏଥିପାଇଁ ଗ୍ରାମ ସ୍ତରରେ ତଥା ପଞ୍ଚାୟତ ପ୍ରତିନିଧିମାନଙ୍କର ସଚେତନତା ବୃଦ୍ଧିକରି ସେହି ଅଞ୍ଚଳର କେଉଁ କେଉଁ କାର୍ଯ୍ୟ ନିଶ୍ଚିତ ଅଞ୍ଚଳର ବିକାଶ ହୋଇପାରିବ । ତେଣୁ ଗ୍ରାମ୍ୟ ବିକାଶ ପାଇଁ ଗ୍ରାମ ଭିତ୍ତିକ, ପଞ୍ଚାୟତଭିତ୍ତିକ ତଥା ଅଞ୍ଚଳ ଭିତ୍ତିକ ଯୋଜନା ପ୍ରସ୍ତୁତି ସମୟରେ ନିମ୍ନ ବିଷୟ ମାନଙ୍କ ପ୍ରତି ଯଥେଷ୍ଟ ଗୁରୁତ୍ଵ ଦେବା ଜରୁରୀ । ଅଧିକନ୍ତୁ ଗ୍ରାମସ୍ତରରେ ବାର୍ଷିକ ତଥା ପଞ୍ଚବାର୍ଷିକି ଯୋଜନାକୁ ପଲ୍ଲୀସଭାରେ ଅନୁମୋଦିତ କରାଇ ଗ୍ରାମସଭାରେ ଏହାକୁ ଆଦୃତ କରାଇବା ନିତାନ୍ତ ଜରୁରୀ । ଏହା ହୋଇପାରିଲେ ଗ୍ରାମର ଦୀର୍ଘମିଆଦି ଉନ୍ନତିମୂଳକ କାର୍ଯ୍ୟ ହୋଇପାରିବା ସହିତ ୧୦୦ ଦିନର କର୍ମ ନିଯୁକ୍ତି ନିଶ୍ଚିତ ହୋଇପାରିବେ । ତେଣୁ ଏହି ଯୋଜନାରେ କର୍ମ ନିଯୁକ୍ତି ତଥା କାର୍ଯ୍ୟ ପାଇଁ ଅନୁଦାନ ପାଇବାର ପ୍ରଥମ ସୋପାନ ହେଉଛି ଗ୍ରାମ ଯୋଜନା । ପ୍ରାକୃତିକ ସମ୍ପଦ ପୁନରୁଦ୍ଧାର ଯୋଜନାର ବିଭିନ୍ନ ଦିଗ :: ପାରମ୍ପରିକ ଜ୍ଞାନକୌଶଳକୁ ବ୍ୟବହାର କରି ସହଭାଗୀ ପ୍ରକ୍ରିୟା ଆଧାରରେ ମରୁଡ଼ି ନିରାକରଣ ପାଇଁ ପ୍ରାକୃତିକ ସମ୍ପଦର ବିକାଶ ଯୋଜନା । ଯୋଜନା ପ୍ରସ୍ତୁତି ସମୟରେ ବିଭିନ୍ନ କାର୍ଯ୍ୟ ସହିତ ହିତାଧିକାରୀଙ୍କ ମଧ୍ୟରେ ତାଳମେଳ ରଖିପାରିଲେ କାର୍ଯ୍ୟଗୁଡିକ ଦୀର୍ଘପ୍ରଭାବୀ ହୋଇପାରିବ । ପଞ୍ଚାୟତ ସ୍ତରରେ କାର୍ଯ୍ୟ ଯୋଜନା ଗୁଡିକୁ ସମ୍ପାଦନା କଲାବେଳେ ଗ୍ରାମ / ପଡା ଆଦିରେ ଅଞ୍ଚଳ ସ୍ତରୀୟ ଯୋଜନା ଗୁଡିକୁ ମିଳାଇ ଦେଖିବା ଦରକାର । କୌଣସି ଯୋଜନାକୁ ଆର୍ଥିକ ଦୃଷ୍ଟିରୁ ଫଳପ୍ରଦ କରିବାକୁ ପ୍ରଥମରୁ ଗ୍ରାମ/ ପଡ଼ା ସ୍ତରରେ ସମ୍ବଳ ବ୍ୟବହାରକାରୀ ଓ ପ୍ରାକୃତିକ ସମ୍ପଦ ପରିଚାଳନା କମିଟି ମଧ୍ୟରେ ପାରସ୍ପରିକ ସଯୋଗ, ସହଭାଗୀତା ତଥଗା ଦକ୍ଷତା ଦିଗ ଗୁଡିକୁ ଧ୍ୟାନ ଦିଆଯିବା ନିତାନ୍ତ ଆବଶ୍ୟକ । ଯେଉଁ କାର୍ଯ୍ୟଗୁଡିକ ଦୀର୍ଘସ୍ଥାୟୀ ତଥା ଦୀର୍ଘ ପ୍ରଭାବୀ ହୋଇପାରିବ ସେହି କାର୍ଯ୍ୟଗୁଡିକୁ ଅଗ୍ରାଧିକାର ଦେବା ଜରୁରୀ। ଏଥିରେ ଜଳ ଓ ମୃତ୍ତିକା ସଂରକ୍ଷଣ ତଥା ଜୈବ ବିବିଧତା ସଂରକ୍ଷଣ ପରି କାର୍ଯ୍ୟ ପ୍ରଥମେ ବିଚାର ଯୋଗ୍ୟ। ବିଭିନ୍ନ ପ୍ରାକୃତିକ ସମ୍ପଦର ଉନ୍ନତି ପାଇଁ ଉପଯୁକ୍ତ ପରାମର୍ଶ ନେଇ ବିଭିନ୍ନ ସରକାରୀ ବିଭାଗ ଗୁଡିକ ସହ ସମନ୍ଵୟ ରକ୍ଷା କରିବା ଦରକାର । ବିଭିନ୍ନ ସରକାରୀ, ବେସରକାରୀ କର୍ମକର୍ତ୍ତା, ସ୍ଵେଚ୍ଛାସେବୀ, ସ୍ଥାନୀୟ ବିଶେଷଜ୍ଞ ମାନଙ୍କୁ ନେଇ ବୈଷୟିକ ସହାୟତାଦଳ ଗଠନ କରି ପ୍ରାକୃତିକ ସମ୍ପଦର ଉନ୍ନତି ତଥା ପରିଚାଳନା ଯୋଜନାକୁ ଆହୁରି ସମୃଦ୍ଧ କରାଯାଇପାରେ । ଗ୍ରାମ୍ୟ ବା ପଞ୍ଚାୟତର ସାମଗ୍ରୀର ଯୋଜନା ମଧ୍ୟରେ ଏନ୍.ଆର.ଇ.କି.ଏସ୍. ପାଇଁ ଯୋଜନା ମଧ୍ୟ ସ୍ଵତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇପାରେ । କେଉଁ ଯୋଜନା କାହିଁକି କରିବା ? ପ୍ରାକୃତିକ ସମ୍ବଳର ପୁନରୁଦ୍ଧାର ପାଇଁ ବିଭିନ୍ନ କାମ ରହିଛି । ଜଳାଶୟ/ପୋଖରୀ ଖନନ, ବୃକ୍ଷରୋପଣ, ବନୀକରଣ, ଜମିର ଉନ୍ନତି ଏସବୁ ମଧ୍ୟରୁ ଜଳ ଓ ଜମି ସମ୍ବଳର ବିକାଶ କାର୍ଯ୍ୟକ୍ରମ ଆମେ ଜାତୀୟ ଗ୍ରାମୀଣ ନିଯୁକ୍ତି ଯୋଜନାରେ କରାଯାଇପାରିବ । ଅଞ୍ଚଳ ଭିତ୍ତିକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଇବା ସହ ନିମ୍ନୋକ୍ତ ମୁଖ୍ୟ ଦିଗଗୁଡିକୁ ଦୃଷ୍ଟିଦେବା । ବିଭିନ୍ନ ପ୍ରଜାତିର ବୃକ୍ଷଲତାରେ ଘଞ୍ଚତା ସୃଷ୍ଟି କରିବା ଲକ୍ଷରେ ଉଜୁଡା ଜଙ୍ଗଲର ପୁନରୁଦ୍ଧାର କରି ଜୈବ ବିବିଧତାର ସଂରକ୍ଷଣ କରିବା । ଜଳ ଓ ମୃତ୍ତିକା ସଂରକ୍ଷଣ କାର୍ଯ୍ୟ ଜରିଆରେ ଜମି ସମ୍ବଳକୁ ବିକଶିତ କରାଇବା । ସ୍ଥାନୀୟ ଅଞ୍ଚଳରେ ଜଳର ଉପଲବ୍ଧତା ନିଶ୍ଚିତ କରାଇବା ପାଇଁ ଜଳ ବିଭାଜିକା ଏବଂ ଜଳ ଉତ୍ସ ଗୁଡିକ ପ୍ରତି ଦୃଷ୍ଟି ଦେବା । କେତେକ କ୍ଷେତ୍ରରେ ଆନୁସାଙ୍ଗୀକ ଭିତ୍ତିଭୂମି ସୃଷ୍ଟି କରାଇବା । ଚାରଣ ଜମି/ଗୋଚର ଉନ୍ନତି : ସବୁ ଗାଁ ପାଇଁ ଗୋଚର ଜମି ସଂରକ୍ଷିତ ଥାଏ । ଗୋଚର ଜମି ସହିତ ଲୋକେ ପାଖ ପାହାଡ଼ରେ ମଧ୍ୟ ଗୋ ଚାରଣ କରାନ୍ତି । ତେବେ ଏହି ସବୁ ସର୍ବସାଧାରଣ ସଂପତ୍ତିରେ ବିଭିନ୍ନ କାରଣରୁ ଘାସ ତଥା ଗାଈଗୋରୁ ଚାରୁଥିବା ଛୋଟ ବିଦା – ଗୁଳ୍ମ ପ୍ରଜାତିର ଘଞ୍ଚତା ତଥା ସଂଖ୍ୟା ହ୍ରାସ ପାଇଚାଲିଛି । କିନ୍ତୁ ଏହି ଗୋଚର ଗୁଡିକ ଆମ ପରିବେଶକୁ ମଧ୍ୟ ବିଭିନ୍ନ ଭାବରେ ସାହାଯ୍ୟ କରିଥାଏ ଯଥା : ଏହା ଭୂତଳ ଜଳସ୍ତର ବୃଦ୍ଧିକରାଏ, ମୃତ୍ତିକା ସଂରକ୍ଷଣ କରିଥାଏ, ଗୋଚରଟି କରିଡର ପରି ଦୁଇଟି ଅଲଗା ଅଞ୍ଚଳକୁ ଯୋଡି ରଖିଥାଏ । ଏହି ଗୋଚର ଅନେକ ବିରଳ ଓ ବିଲୁପ୍ତପ୍ରାୟ ଗଛ ଲତାର ପ୍ରଜାତିମାନଙ୍କର ଆଶ୍ରୟସ୍ଥଳ ତଥା ଏହା ପଶୁମାନଙ୍କୁ ଖାଦ୍ୟ ଯୋଗାଇଥାଏ । ତେଣୁ ଗୋଚରର ଉନ୍ନତି ପାଇଁ ବିଭିନ୍ନ ପ୍ରକାର ନାମ ଯଥା କ୍ଷେତ୍ର ଆଡି, ଷ୍ଟାଗାର୍ଡ ଟ୍ର୍ଞ୍ଚ,କଣ୍ଟୁର ଟ୍ରେଞ୍ଚ ଇତ୍ୟାଦି ପ୍ରକାରର କାମ ମଧ୍ୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କରାଯାଇପାରେ । ବନୀକରଣ : ଗ୍ରାମ ବା ଅଞ୍ଚଳର ଆବଶ୍ୟକତାକୁ ବିଚାରକୁ ନେଇ ବୃକ୍ଷରୋପଣର ଯୋଜନା କରାଯିବା ଦରକାର । ଉଜୁଡ଼ି ଯାଉଥିବା ଜଙ୍ଗଲରେ ପ୍ରାକୃତିକ ପୁନଃଜନନ ପାଇଁ ଜଙ୍ଗଲ ଜଗାରଖା କରିବା ସହିତ ଜାଳକାଠ, ପଶୁଖାଦ୍ୟ, ଅଣକାଷ୍ଠ ଜଙ୍ଗଲଜାତ ଦ୍ରବ୍ୟ ଇତ୍ୟାଦିର ସୁବିଧା ପାଇଁ ସ୍ଥାନୀୟ ବୃକ୍ଷ ପ୍ରଜାତିର ବନୀକରଣ ଏନ୍.ଆର.ଇ.ଜି.ଏସ୍. ମାଧ୍ୟମରେ ମଧ୍ୟ କରାଯାଇପାରିବ । ଏହା ହୋଇପାରିଲେ ସ୍ଥାନୀୟ ଲୋକେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ପରିବେଶରୁ ମିଳୁଥିବା ଲାଭ ଉଠାଇପାରିବେ । ଉଜୁଡା ଜଙ୍ଗଲର ଉଦ୍ଧାର ହୋଇପାରିଲେ ଭୂତଳ ଜଳ, ମୃତ୍ତିକା, ଜଳବାୟୁ, ଜୈବ ବିବିଧତାର ସ୍ଥିତିଟିରେ ଉନ୍ନତି ଆସିବା ସହିତ ଜଙ୍ଗଲରୁ ମିଳୁଥିବା ଫଳ, ମୂଳ, ତନ୍ତୁ, ଔଷଧ, ଜାଳେଣୀ, ଗୃହ, ନିର୍ମାଣ ସାମଗ୍ରୀ ଇତ୍ୟାଦିର ଅଭାବ ହେବ ନାହିଁ । ଗଲି ନିୟନ୍ତ୍ରଣ ଦ୍ଵାରା ମୃତ୍ତିକା ସଂରକ୍ଷଣ : ପାହାଡ଼ ପର୍ବତରୁ ତୀବ୍ର ବେଗରେ ଜଳ ବହିବା ଯୋଗୁଁ ଅନେକ ଜାଗାରେ ବଡବଡ ଖାଇ ବା ଗଲି ସୃଷ୍ଟି ହୋଇଥାଏ । ଏହି ଜାଗାଗୁଡ଼ିକରୁ ବିଶେଷକରି ନରମ ମାଟି ଗୁଡିକ ପାଣିରେ ବହିଜୟ ଅନେକ ଜାଗାରେ ଅତି ଗଭୀର ଖାଇମାନ ସୃଷ୍ଟି କରି ଭୂ – ଭାଗଟିକୁ ଅସମତୁଲ କରିଦେଇଥାଏ । ଯେଉଁ ଜାଗାରୁ ମୃତ୍ତିକା କ୍ଷୟ ହୋଇଥାଏ ସେଠାରେ ଉତ୍ପାଦନ ବାଧାପ୍ରାପ୍ତ ହୋଇଥାଏ । ଏହାକୁ ଏପରି ଛାଡିଦେଲେ ପ୍ରତିବର୍ଷ ବର୍ଷାରେ ଆହୁରି ମାଟି ଧୋଇ ହୋଇ ମୃତ୍ତିକା କ୍ଷୟ କ୍ଷତି ବଢିଯାଏ ଓ ତଳେ ଥିବା ନଦୀନଳଗୁଡିକରେ ମଧ୍ୟ ପଟୁ ଜମିଯାଏ । କାଳକ୍ରମେ ଏହି କ୍ଷୟକ୍ଷତିଗ୍ରସ୍ତ ଜାଗାଗୁଡିକ ପତିତ ଜମିରେ ପରିଣତ ହୋଇଯାଏ ଓ ଏଠାରେ ଉତ୍ପାଦନ ବାଧାପ୍ରାପ୍ତ ହୁଏ । ତେଣୁ ଏହି ପତିତ ଜମିକୁ ଉତ୍ପାଦନ କ୍ଷମ କରି ଜୀବନ ଜୀବିକାକୁ ସମୃଦ୍ଧ କରିବା ପାଇଁ ଏସବୁ ଜାଗାଗୁଡିକରେ ଗଲି ନିୟନ୍ତ୍ରଣ କାର୍ଯ୍ୟ ମଧ୍ୟ ଏନ୍.ଆର.ଇ.ଜି.ଏସ୍. ମାଧ୍ୟମରେ କରାଯାଇପାରେ । ଜଳଛାୟା ବିକାଶ : ପରିବେଶ ସହିତ ସ୍ଥାନୀୟ ପ୍ରାକୃତିକ ସମ୍ପଦ ଭିତ୍ତିକ ଜୀବନ ଜୀବିକାକୁ ସମୃଦ୍ଧ କରିବା ପାଇଁ ଜଳଛାୟା ବିକାଶ ଏକ ସାମଗ୍ରିକ ପ୍ରକ୍ରିୟା । ଜଳଛାୟା ବିକାଶ ମାଧ୍ୟମରେ ଜଳ ସଂରକ୍ଷଣ ଓ ପରିଚାଳନ, ଜଙ୍ଗଲ ବିକାଶ, ଉଦ୍ୟାନ କୃଷି, କୃଷି ଓ କୃଷି ଜମି ପରିଚାଳନା, ଗୋଚର ଉନ୍ନୟନ, ଗୃହପାଳିତ ପଶୁ ବିକାଶ ସହ ଅଣକୃଷି ଭିତ୍ତିକ ରୋଜଗାର ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଯଦିଓ ଏନ୍.ଆର.ଇ.ଜି.ଏସ୍. ମାଧ୍ୟମରେ ସଂପୂର୍ଣ୍ଣ ଜଳଛାୟା ବିକାଶ ସମ୍ଭବ ନୁହେଁ, ତଥାପି ଜଳଛାୟାର ବିଭିନ୍ନ ଉପାଦାନ ଗୁଡିକରେ ଏକକ ଭାବରେ କାର୍ଯ୍ୟକରିବାର ସୁଯୋଗ ମଧ୍ୟ ରହିଛି ଯଥା : ଜଳ ଅମଳ ପ୍ରକଳ୍ପ, ଚାଷ ପାଇଁ ଛୋଟ ପୋଖରୀ,ବନୀକରଣ, ଗଲି ନିୟନ୍ତ୍ରଣ ଇତ୍ୟାଦି । ଯଦି ଗୋଟିଏ ଗୋଟିଏ କରି କାର୍ଯ୍ୟ ଏନ୍.ଆର.ଇ.ଜି.ଏସ୍. ମାଧ୍ୟମରେ କରିଦିଆଯାଏ ତେବେ ଜଳଛାୟାର ୫୦ ପ୍ରତିଶତ ବିକାଶ ମଧ୍ୟ ସମ୍ଭବ ହୋଇପାରିବ । ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଗ୍ରାମ ପଞ୍ଚାୟତର ଦାୟିତ୍ଵ ଗ୍ରାମ ପଞ୍ଚାୟତର ଦାୟିତ୍ଵ ହେଉଛି ଗ୍ରାମ ସଭା ତଥା ପଲ୍ଲୀସଭା ( ୱାର୍ଡସଭା)ର ସୁପାରିଶ ମୁତାବକ ଗ୍ରାମ ପଞ୍ଚାୟତ ଅଧିନରେ ଚାଲିବାକୁ ଥିବା ଯୋଜନା ଗୁଡିକୁ ଚିହ୍ନଟ କରି ତାହାକୁ କାର୍ଯ୍ୟକାରୀ କରାଇବା ଏବଂ ତଦାରଖ କରିବା । କାର୍ଯ୍ୟକ୍ରମ ଅଧିକାରୀଙ୍କ ଦ୍ଵାରା ଅନୁମୋଦିତ ଯେ କୌଣସି ପ୍ରକଳ୍ପକୁ କୌଣସି ଯୋଜନା ଅଧିନରେ କାର୍ଯ୍ୟକାରୀ କରିବା ଦାୟିତ୍ଵ ଗ୍ରାମ ପଞ୍ଚାୟତ ହାତକୁ ନେଇପାରିବେ । ଏହି ଯୋଜନା ଅଧିନରେ ଯେ କୌଣସି ସମୟରେ ଦାବୀ ମୁତାବକ କାମ ପାଇଁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ, ଗ୍ରାମସଭା ଓ ପଲ୍ଲୀସଭା ( ୱାର୍ଡସଭା)ର ସୁପାରିଶ କ୍ରମେ ଏକ ବିକାଶ ଯୋଜନା ସହ ସମ୍ଭାବ୍ୟ କାର୍ଯ୍ୟଗୁଡିକର ଏକ କ୍ରମତାଲିକା ପ୍ରସ୍ତୁତ କରିବେ । ଗ୍ରାମ ପଞ୍ଚାୟତ ବର୍ଷ ଆରମ୍ଭରୁ ସେହି ବର୍ଷପାଇଁ ତାଙ୍କ ଅଞ୍ଚଳରେ ଚାଲିଥିବା ବିକାଶ ଯୋଜନା ଗୁଡିକର ପ୍ରସ୍ତାବକୁ ଅଗ୍ରାଧିକାର ଭିତ୍ତିରେ କ୍ରମାନୁସାରେ ସଜାଇ କାର୍ଯ୍ୟକ୍ରମ ଅଧିକାରୀଙ୍କ ଯାଞ୍ଚ ତଥା ପ୍ରାଥମିକ ଅନୁମୋଦନ ସକାଶେ ପଠାଇବେ । ଗ୍ରାମ ପଞ୍ଚାୟତ ମାଧ୍ୟମରେ ହେବାକୁ ଥିବା କାର୍ଯ୍ୟପାଇଁ ଯେତିକି ଅର୍ଥ ଆବଶ୍ୟକ ତାର ଅଧା ଅର୍ଥ କାର୍ଯ୍ୟକ୍ରମ ଅଧିକାରୀ ଗ୍ରାମ ପଞ୍ଚାୟତକୁ ଯୋଗାଇ ଦେବେ । କାର୍ଯ୍ୟକ୍ରମ ଅଧିକାରୀ ପ୍ରତି ଗ୍ରାମ ପଞ୍ଚାୟତକୁ ମଞ୍ଜୁର ହୋଇଥିବା ପ୍ରତ୍ୟେକ କାମପାଇଁ ହାଜିରା ଖାତା ( ମଷ୍ଟର ରୋଲ୍) ଓ ସେହି ପଞ୍ଚାୟତ ଲୋକଙ୍କ ପାଇଁ ଆଉନ କେଉଁ ଠାରେ ମିଳୁଥିବା କର୍ମ ନିଯୁକ୍ତି ବିଷୟରେ ଏକ ସୂଚୀ ଯୋଗାଇ ଦେବେ । ଗ୍ରାମ ପଞ୍ଚାୟତ କାମ ପାଇଁ ଆବେଦନ କରିଥିବା ଶ୍ରମିକମାନଙ୍କୁ କାମ ଯୋଗାଇଦେବା ସହିତ ସେମାନଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ରିପୋର୍ଟ କରିବାକୁ କହିବେ । ଗ୍ରାମ ପଞ୍ଚାୟତ ଦ୍ଵାରା କରାଯାଉଥିବା କାର୍ଯ୍ୟରେ ବୈଷୟିକ ମାନ ଏବଂ ମାପଚୁପ ଯେପରି ଠିକ୍ ଠାକ୍ ରହିବ ସେଥିପ୍ରତି ଦୃଷ୍ଟି ଦେବେ । ଗ୍ରାମସଭା ପକ୍ଷରୁ ସାମାଜିକ ସମୀକ୍ଷା: : ଗ୍ରାମ ପଞ୍ଚାୟତ ମଧ୍ୟରେ ହେଉଥିବା ଯୋଜନାର କାର୍ଯ୍ୟକାରିତା ସଂପର୍କରେ ଗ୍ରାମସଭା ନିରୀକ୍ଷଣ କରିବେ । ଗ୍ରାମ ପଞ୍ଚାୟତ ଅଧିନରେ ଚାଲୁଥିବା ସମସ୍ତ ପ୍ରକଳ୍ପ ସମ୍ପର୍କରେ ଗ୍ରାମସଭା ନିୟମିତ ଭାବରେ ସାମାଜିକ ସମୀକ୍ଷା କରିବେ । ଏଥିପାଇଁ ଗ୍ରାମ ପଞ୍ଚାୟତ ଗ୍ରାମସଭାକୁ ସମସ୍ତ ଆବଶ୍ୟକୀୟ କାଗଜପତ୍ର ଯଥା ହାଜିରାଖାତା, ବିଲ୍, ଭାଉଚର୍, ମାପବହି, ମଞ୍ଜୁରୀ ନିର୍ଦ୍ଦେଶନାମାର କପି ବା ଅନ୍ୟାନ୍ୟ ଆନୁସାଙ୍ଗିକ ହିସାବ ବହି ଓ କାଗଜପତ୍ର ଇତ୍ୟାଦି ଯାହା ଦରକାର ଯୋଗାଇ ଦେବେ । ଯୋଜନାରେ କାର୍ଯ୍ୟକ୍ଷେତ୍ରରେ ଶ୍ରମିକମାନଙ୍କ ପାଇଁ ଯେଉଁ ସୁବିଧା ସୁଯୋଗ ରହିଛି ଯଥା : ପାନୀୟ ଜଳ, ଜରୁରୀ କାଳୀନ ସ୍ୱାସ୍ଥ୍ୟସେବା, ବୀମା ତଥା ଅନୁକମ୍ପା ମୂଳକ ସାହାଯ୍ୟ, ମହିଳା ଶ୍ରମିକଙ୍କୁ ସୁଯୋଗ ଇତ୍ୟାଦିର ମଧ୍ୟ ସାମାଜିକ ସମୀକ୍ଷା ପଞ୍ଚାୟତ ଦ୍ଵାରା ହେବା ଦରକାର । ଏହା ମଧ୍ୟରେ ଏନ୍.ଆର.ଇ.କି.ଏସ୍. ଯୋଜନାର କାର୍ଯ୍ୟକାରିତାକୁ ବ୍ୟବସ୍ଥିତ, ଶୃଙ୍ଖଳିତ ତଥା ଲୋକାଭିମୂଖୀ କରିବାକୁ ସରକାରୀ ସ୍ତରରେ ଅନେକ ନୂତନ ପଦକ୍ଷେପ ନିଆଯାଉଛି । ସେ ମଧ୍ୟରେ ଏନ୍.ଆର.ଇ.କି.ଏସ୍. ସଂକ୍ରାନ୍ତୀୟ ବିଭିନ୍ନ ସମସ୍ୟାବଳୀକୁ ସମାଧାନ କରିବାକୁ ପ୍ରତି ଜିଲ୍ଲାରେ ଜଣେ ଜଣେ ଓମ୍ବୁଡସମ୍ୟାନ୍ ନିଯୁକ୍ତି କରିବା ପ୍ରକ୍ରୀୟା ଆରମ୍ଭ ହୋଇଛି । ଏନ୍.ଆର.ଇ.କି.ଏସ୍. କାର୍ଯ୍ୟକାରିତା କ୍ଷେତ୍ରରେ ସମ୍ପୃକ୍ତ ଅଧିକାରୀ ମାନଙ୍କ ବିରୁଦ୍ଧରେ ଥିବା ଆପତ୍ତି ଅଭିଯୋଗଗୁଡ଼ିକର ଅନୁସନ୍ଧାନ କରି ସେ ଦିଗରେ ବିହିତ ପଦକ୍ଷେପ ନେଇ ଯୋଜନାକୁ ଆହୁରି ଉପକାରୀ ତଥା ଉତ୍ତରଦାୟୀ କରିବାରେ ଓମ୍ବୁଡସମ୍ୟାନ୍ ଙ୍କର ମୁଖ୍ୟ ଭୂମିକା ରହିବ । ନିଜ ଘର ପାଖରେ ମଜୁରୀ ପାଇବା ପାଇଁ ମାସର ନିର୍ଦ୍ଧିଷ୍ଟ ତାରିଖରେ ବ୍ୟାଙ୍କ ମାନଙ୍କ ଦ୍ଵାରା ପଞ୍ଚାୟତରେ ବ୍ୟାଙ୍କିଙ୍ଗ୍ ଆଉଟପୋଷ୍ଟ ପରି ବ୍ୟବସ୍ଥା ମାଧ୍ୟମରେ ମଜୁରୀ ପ୍ରଦାନର ସୁବିଧା କରାଯାଉଅଛି । ଏତଦ୍ ବ୍ୟତୀତ ଶ୍ରମଜୀବି ପରିବାର ମାନଙ୍କ ପାଇଁ ଶ୍ରମ ଅଧିକାର ୧୦୦ ଦିନରୁ ୧୫୦ ଦିନକୁ ବୃଦ୍ଧି କରାଯାଇଛି ଏବଂ ସର୍ବ ନିମ୍ନ ମଜୁରୀ ହାର ମଧ୍ୟ ବୃଦ୍ଧି ହୋଇଛି । ପ୍ରାକୃତିକ ସମ୍ପଦ ସହିତ ଜଡିତ ସରକାରୀ ବିଭାଗ ଗୁଡିକୁ ପ୍ରତ୍ୟକ୍ଷ ଭାବରେ ଏନ୍.ଆର.ଇ.କି.ଏସ୍. ସହିତ ଯୋଡା ଯାଇଛି । ଏନ୍.ଆର.ଇ.କି.ଏସ୍. କାର୍ଯ୍ୟକାରୀ ପ୍ରକ୍ରିୟାରେ ଏହିପରି ଅନେକ ଗୁଡିଏ ପରିବର୍ତ୍ତନ କରାଗଲାଣି ଯାହା ଏହି ଯୋଜନାର ପରିସରକୁ ଆହୁରି ବିସ୍ତୃତ ତଥା ବ୍ୟାପକ କରୁଛି । ମୋଟାମୋଟି ଭାବେ କରିବାକୁ ଗଲେ ଅବକ୍ଷୟଗାମୀ ପ୍ରାକୃତିକ ସମ୍ପଦ ଯୋଗୁଁ ଜଳ –ଜମି – ଜଙ୍ଗଲ ଭିତ୍ତିକ ବହୁ ପାରମ୍ପରିକ ଜୀବନ ଜୀବିକା ବ୍ୟବସ୍ଥା ବିପର୍ଯ୍ୟୟ ଆଡକୁ ଗତି କରୁଥିବା ବେଳେ ଏନ୍.ଆର.ଇ.କି.ଏସ୍. ପରି ଏକ ଅପୂର୍ବ ସୁଯୋଗ ଆମ ହାତ ପାଆନ୍ତାରେ ଅଛି । ସୁଯୋଗ ବାରମ୍ବାର ଆସେନା । ତେଣୁ ସଂଗଠିତ ଭାବରେ, ଆନୁଷ୍ଠାନିକ ବ୍ୟବସ୍ଥା ଭିତରେ ଉପଯୁକ୍ତ ଯୋଜନା ମାଧ୍ୟମରେ ପ୍ରାକୃତିକ ସଂପଦର ସାଂପ୍ରତିକ ସ୍ଥିତିରେ ଉନ୍ନତି କରିପାରିଲେ ତାହାର ଦୀର୍ଘ ପ୍ରଭାବୀ ପ୍ରକ୍ରିୟା ଆମର ଜୀବନ ଜୀବିକାକୁ ପ୍ରଗତିଶୀଳ ଓ ଚିରନ୍ତର କରିପାରିବ । ଏପାଇଁ ଏନ୍.ଆର.ଇ.କି.ଏସ୍. ଏକ ବଳିଷ୍ଠ ମାଧ୍ୟମ । ଏହି ସୁଯୋଗର ଉଚିତ୍ ଉପଯୋଗ ପାଇଁ ଗ୍ରାମବାସୀମାନେ ପଞ୍ଚାୟତିରାଜ ବ୍ୟବସ୍ଥା ମାଧ୍ୟମରେ ଆଗେଇ ଆସିଲେ ଯୋଜନା ଫଳପ୍ରସୂ ହେବ ଓ ଦାରିଦ୍ର୍ୟ ଦୂରୀକରଣ ସହିତ ଖାଦ୍ୟ ନିରାପତ୍ତା ସମ୍ଭବ ହୋଇପାରିବ । ଅଧିକନ୍ତୁ, ସ୍ଥାନୀୟ ଜୀବିକା ସହିତ ପରିବେଶର ଉନ୍ନତି ସମତାଳରେ ଆଗେଇ ପାରିବ । ଆଧାର – ଫାଉଣ୍ଡେସନ୍ ଫର୍ ଇକୋଲୋଜିକାଲ୍ ସିକ୍ୟୁରିଟି