অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗଣତାନ୍ତ୍ରିକ ମୂଲ୍ୟବୋଧ

ଗଣତନ୍ତ୍ରର ସଂଜ୍ଞା

ଗଣତନ୍ତ୍ର ହେଉଛି ଇଂରାଜୀ ଶବ୍ଦ “ ଡିମୋକ୍ରାସି ଓ ଓଡିଆ ଭାଷାନ୍ତର   । ଡିମୋକ୍ରାସି ଶବ୍ଦଟି ଆନୀତ ହୋଇଛି ଦୁଇଟି ଗ୍ରୀକ ଶବ୍ଦରୁ , ଯଥା ଡିମୋସ ବା ଲୋକବା ଜନସାଧାରଣ ଓ କ୍ରାଟୋସ ବା ଶାସନ ବ୍ୟବସ୍ଥା  । ତେଣୁ ଦିମୋକ୍ରାସି ବା ଗଣତନ୍ତ୍ର ହେଉଛି ‘ ଲୋକମାନଙ୍କର ଶାସନ ବା ସରକାର “ ଗଣତନ୍ତ୍ର ଏକ ଲୋକପ୍ରିୟ ଶାସନ ବ୍ୟବସ୍ଥା , ଯାହା ସର୍ବଦା ଜନକଲ୍ୟାଣ ବା ଜନମଙ୍ଗଳ ବା ସମୂହ କଲ୍ୟାଣ ପାଇଁ ଚେଷ୍ଟା କରିଥାଏ   । ଗଣତନ୍ତ୍ର ଏକ ଲୋକ ପ୍ରିୟ ଶାସନ ବ୍ୟବସ୍ଥା , ଯାହା ସର୍ବଦା ଜନକଲ୍ୟାଣ ବା ଜନମଙ୍ଗଳ ବା ସମୂହ କଲ୍ୟାଣ ପାଇଁ ଚେଷ୍ଟା କରିଥାଏ   । ଗଣତନ୍ତ୍ର ସମ୍ପର୍କରେ ଆମେରିକାର ପ୍ରାକ୍ତନ ରାଷ୍ଟ୍ରପତି ଆବ୍ରାହାମ ଲିଙ୍କନ ଯଥାର୍ଥରେ ଯାହା କହିଥିଲେ   , ତା’ର ଓଡିଆ ଭାଷାନ୍ତର ହେଲା “ ଗଣତନ୍ତ୍ର ହେଉଛି ଲୋକମାନଙ୍କର , ଲୋକମାନଙ୍କ ଦ୍ଵାରା ଓ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ସରକାର   । ଲର୍ଡ ବ୍ରାଇସଙ୍କ ମତରେ ଗଣତନ୍ତ୍ରରେ ଶାସନ କ୍ଷମତା ନ୍ୟସ୍ତ ହୋଇଥାଏ “ ଗୋଷ୍ଠୀ ସମୁଦାୟ “ ର ପରିପ୍ରକାଶ ହୋଇଥାଏ ଗଣତାନ୍ତ୍ରିକ ନିର୍ବାଚନ ବ୍ୟବସ୍ଥା ମାଧ୍ୟମରେ   ।

ଗଣତନ୍ତ୍ର ଓ ଜନମତ

ଉଭୟ ଗଣତନ୍ତ୍ର ଓ ଜନମତ ଏକ ଓ ଅଭିନ୍ନ ଗେଟେଲଙ୍କ ମତରେ ‘ ଗଣତନ୍ତ୍ରରେ ଜନମତର ସାର୍ବଭୌମ କ୍ଷମତା ‘ ରହିଛି  ।  ମାତ୍ର ସମୟ ବଦଳିବା ସହିତ ଗଣତାନ୍ତ୍ରିକ ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି  । ଗଣତନ୍ତ୍ରରେ ‘ ଜନସାଧାରଣଙ୍କର ଅଂସଗ୍ରହଣ ର ଚେହେରା ଏବେ ବଦଳିଗଲାଣି   । ଆଜିର ଗଣତନ୍ତ୍ରରେ ଶାସନର ଚାବି କାଠି ରହିଛି କେତେକ ବ୍ୟକ୍ତି ବିଶେଷ ଓ ମୁଷ୍ଟିମେୟ ତଥା ପ୍ରଭାବଶାଳି ବ୍ୟକ୍ତିଙ୍କ ହାତ ମୁଠାରେ   ।  ସେମାନଙ୍କର ରାୟ ନିଷ୍ପତ୍ତି ହେଉଛି ଆଜିର ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର “ ପରିଚୟ “   । ଗଣତନ୍ତ୍ରର ପରିବର୍ତ୍ତିତ ଚେହେରା କୁ ଦୃଷ୍ଟିରେ ରଖୀ କାର୍ଲ ଫ୍ରେଡରିକ ହୋଇଥିବା ଇଂରାଜୀ ଉକ୍ତିର ଓଡିଆ ଭାଷାନ୍ତର ହେଲା “ ପରିସ୍ଥିତି ଭିନ୍ନ ହେଲେ ଗଣତନ୍ତ୍ରର ଆଭିମୁଖ୍ୟ ଭିନ୍ନ ହୁଏ  “ ତେଣୁ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଦୃଷ୍ଟିକୋଣରୁ ଗଣତନ୍ତ୍ରକୁ ବୁଝିଥାଆନ୍ତି  ।

ଗଣତାନ୍ତ୍ରିକ ଚିନ୍ତାଧାରା କ୍ରମବିକାଶ

ନିରଙ୍କୁଶ ରାଜତନ୍ତ୍ର ବିରୋଧରେ ସଂଗଠିତ ଜନମତରୁ ଗଣତନ୍ତ୍ରର ସୃଷ୍ଟି   । ଜନଚେତନା ଓ ବୌଦ୍ଧିକ ଚେତନାର ମିଶ୍ରଣରୁ ଜନ୍ମନିଏ ଆଜିର ଗଣତାନ୍ତ୍ରିକ ଚିନ୍ତାଧାରା   । ସମ୍ରାଟଙ୍କ ଅଖଣ୍ଡ ଆଧିପତ୍ୟକୁ ଜନସାଧାରଣ ଗ୍ରହଣ କରିବାକୁ ଅନିଚ୍ଛୁକ ହେବାରୁ ପୃଥିବୀରେ ତିନିଗୋଟି “ ଜନବିପ୍ଲବ “ ଜନ୍ମ ନେଲା   । ଲୋକମାନେ ଦାବି କଲେ “ ସମାନାତା , ସ୍ଵତନ୍ତ୍ରତା ଓ ନ୍ୟାୟ   । ଇଂଲାଣ୍ଡର 1688 ମସିହାର “ ଗ୍ଲୋରିୟସ ରିଭଲ୍ୟୁସନ , 1776 ମସିହାର ଆମେରିକାର ସ୍ଵାଧୀନତା ସଂଗ୍ରାମ ଓ 1789 ମସିହାର ଫରାସୀ ବିପ୍ଲବ  ବିଶ୍ଵ -ଇତିହାସକୁ ଓଲଟ ପାଲଟ କରିଦେଲା   । ଅସୀମ ରାଜତନ୍ତ୍ର ସମାଧିରୁ ଜନ୍ମନେଲା ଗଣତନ୍ତ୍ର  । ଏହା ମାତ୍ର 400 ବର୍ଷ ତଳର କଥା   । ଜନସାଧାରଞ୍ଜଙ୍କ ଦାବି ପୂରଣ ହେଲା ଓ ସେମାନେ ପାଇଲେ “ ସାର୍ବଭୌମ ଶାସନ କ୍ଷମତା “ । ବିଂଶ ଶତାଦ୍ଦୀର ପ୍ରାରମ୍ଭରେ ଜନସାଧାରଣ ଏକଥା ସ୍ପଷ୍ଟ ବୁଝିପାରିଲେ ଯେ କ୍ଷମତାର ଦୁଇଟି ଉତ୍ସ – ଯଥା ଜନମତ ଓ ଜନସମ୍ମତି ହେଉଛି ଗଣତନ୍ତ୍ରର ଭିତ୍ତିଭୂମି   ।

ଗଣତନ୍ତ୍ର କାହିଁକି ଆମର ବେଶୀ ପସନ୍ଦ ?

ଏହାର କାରଣ ଗୁଡିକ ହେଲା :

  • ଗଣତନ୍ତ୍ର ହେଉଛି ଜନମତ ସମର୍ଥିତ ଏକ ସରକାର   ।
  • ଏହା ଏକ ଉତ୍ତରଦାୟୀ ଶାସନ ବ୍ୟବସ୍ଥା
  • ଏହା ଲୋକପ୍ରତିନିଧିମାନଙ୍କ ଦ୍ଵାରା ପରିଚାଳିତ ଏକ ସରକାର ବା ଶାସନ ବ୍ୟବସ୍ଥା  ।
  • ବିଳମ୍ବରେ ହେଲେ ବି ଗଣତନ୍ତ୍ରରେ ସମସ୍ତ ନିଷ୍ପତ୍ତି ଆଲୋଚନା ଓ ବିତର୍କ ମାଧ୍ୟମରେ ନିଆଯାଏ   ।
  • ଏହା ଜନସ୍ଵାର୍ଥ ଜଡିତ ଏକ ସରକାର   ।
  • ଏହା ଏକ ଶିକ୍ଷଣୀଯ ଶାସନ ବ୍ୟବସ୍ଥା , ଯାହାକି ଜନସାଧାରଣଙ୍କୁ ରାଜନୈତିକ ନେତୃତ୍ଵ ଓ ଦାୟିତ୍ଵ ସମ୍ପର୍କରେ ଶିକ୍ଷିତ କରିଥାଏ    ।
  • ଗଣତନ୍ତ୍ରରେ ସୃଷ୍ଟି ହେଉଥିବା ଭେଦଭାବ ଓ କନ୍ଦଳର ସମାଧାନ କେବଳ ଏକ ଶାନ୍ତ ପରିବେଶରେ ଆଲୋଚନା ମାଧ୍ୟମରେ ସମ୍ଭବ ହୁଏ   ।
  • ଗଣତନ୍ତ୍ରରେ କେହି ସର୍ବଦା ଲାଭ ବା କ୍ଷତି ସହନ୍ତି ନାହିଁ   ।
  • ଗଣତନ୍ତ୍ରରେ ବ୍ୟକ୍ତି – ଅଧିକାର , ସମାନତା ଓ ବ୍ୟକ୍ତି – ମର୍ଯ୍ୟାଦା ସୁରକ୍ଷିତ ରହେ   ।

ଗଣତନ୍ତ୍ରରେ ନିର୍ବାଚନ ବ୍ୟବସ୍ଥା

ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚିତ ମାଧ୍ୟମରେ ଜନସାଧାରଣ ସେମାନଙ୍କର ଲୋକ- ପ୍ରତିନିଧିମାନଙ୍କୁ ଚୟନ କରନ୍ତି   । ଏକ ଅବାଧ , ମୁକ୍ତ ,ସ୍ଵଚ୍ଛ ଓ ନୀରପେକ୍ଷ ସାବାଳକ ମତଦାନଭିତ୍ତିକ ନିର୍ବାଚନ ବ୍ୟବସ୍ଥା ହେଉଛି   , ଗଣତନ୍ତ୍ରର ମୂଳଦୁଆ   । ନିର୍ବାଚିତ ଲୋକ –ପ୍ରତିନିଧିମାନେ “ମତଦାତା “ ଙ୍କ ନିକଟରେ ବାସ୍ତବରେ ଉତ୍ତରଦାୟୀ   ।

ମୂଲ୍ୟବୋଧଭିତ୍ତିକ ଗଣତନ୍ତ୍ରର ଆବଶ୍ୟକ ଉପାଦାନ :

ଗୋଟିଏ ମୂଲ୍ୟବୋଧଭିତ୍ତିକ ଗଣତନ୍ତ୍ରର ନିମ୍ନୋକ୍ତ ଆବଶ୍ୟକ ଉପାଦାନଗୁଡିକ ହେଲା  :

  • ସଚ୍ଚୋଟ ଓ ଚରିତ୍ରବାନ ଲୋକପ୍ରତିନିଧି ଚୟନ ବ୍ୟବସ୍ଥା   ।
  • ମୁକ୍ତ ଓ ସ୍ଵାଧୀନ ତଥା ନୀରପେକ୍ଷ ନିର୍ବାଚନ ବ୍ୟବସ୍ଥା   ।
  • ନିରପେକ୍ଷ ଓ ସ୍ଵାଧୀନ ନ୍ୟାୟପାଳିକା ବ୍ୟବସ୍ଥା   ।
  • ନିରପେକ୍ଷ ତଥା ସ୍ଵାଧୀନ ଗଣମାଧ୍ୟମ ବ୍ୟବସ୍ଥା  ।
  • ସାମାଜିକ ଓ ଅର୍ଥନୈତିକ ବିକାଶ  ।
  • ଆଇନର ଶାସନ
  • ଜନସାଧାରଣଙ୍କର ରାଜନୈତିକ ପ୍ରକ୍ରିୟାରେ ଅବାଧ ସହଯୋଗ  ।
  • ସମସ୍ତଙ୍କର ନିର୍ଭୀକ ଅଭିମତ ବ୍ୟକ୍ତ କରିବାର ସ୍ଵାଧୀନତା   ।
  • ମତଦାତାଙ୍କୁ ନିର୍ବାଚନରେ ବିବେକାନୁମୋଦିତ ତଥା ନିର୍ଭୀକ ମତଦାନର ସୁଯୋଗ ପ୍ରଦାନ   ।
  • ସମ୍ବିଧାନସମ୍ମତି ଅଧିକାରଗୁଡିକ ସମସ୍ତ ବ୍ୟକ୍ତି ଉପଭୋଗ କରିବାର ବ୍ୟବସ୍ଥା ।
  • ରାଜନୈତିକ ବିରୋଧ ଭାବ ପ୍ରତି ସହନଶୀଳତା  ।
  • ସ୍ଵେଚ୍ଛାକୃତ ଭାବେ ଆଇନ ପାଳନ କରିବାର ମନୋଭାବ
  • ଦେଶ ପାଇଁ ସ୍ଵାର୍ଥ ତ୍ୟାଗ ଓ ଦେଶପ୍ରେମ ପ୍ରଦର୍ଶନ ।
  • ବ୍ୟକ୍ତି – ମର୍ଯ୍ୟାଦାର ସୁରକ୍ଷା ଲାଗି ପ୍ରଚେଷ୍ଟା   ।
  • ଭେଦଭାବଶୂନ୍ୟ ସମାଜ ପ୍ରତିଷ୍ଠା   ।
  • ନ୍ୟାୟିକ, ପ୍ରଶାସନିକ ଓ ବ୍ୟବସ୍ଥାପିକା ବିଭାବର ଉତ୍ତରଦାୟିତ୍ଵ   ।

ଗଣତାନ୍ତ୍ରିକ  ଜୀବନଧାରା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ

ଗଣତନ୍ତ୍ର ଏକ ଜୀବନଧାରା ଏକ ସୁସ୍ଥ ରାଜନୈତିକ ତଥା ଗଣତାନ୍ତ୍ରିକ ଜୀବନଶୈଳୀ ଗଠନ ଓ ଗଣତାନ୍ତ୍ରିକ ମୂଲ୍ୟବୋଧରେ ବିଶ୍ଵାସ – ଉଭୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵଭଳି   । ଜଣେ ବ୍ୟକ୍ତି ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ଏକ ଅଂଶ ହୋଇ ରହିବା ବଡକଥା ନୁହେଁ   , ମାତ୍ର ଗନ୍ତତାନ୍ତ୍ରିକ ମୂଲ୍ୟବୋଧରେ ବିଶ୍ଵାସ ରାଖୀ ସେହି ଅନୁସାରେ ନିଜର ଚାଲିଚଳଣି , ଆଚାର – ବ୍ୟବହାର ତଥା ଆତ୍ମବିଶ୍ଵାସକୁ ଗଣତାନ୍ତ୍ରିକ ଢାଞ୍ଚାରେ ପରିବର୍ତ୍ତିତ କରିପାରିଲେ , ଗଣତନ୍ତ୍ରକୁ ସଫଳତା ମିଳିପାରିବ   ।

(କ) ଗଣତନ୍ତ୍ରରେ ରାଜନୈତିକ ବିରୋଧଭାବ ରହିବା ସ୍ଵାଭାବିକ   । ସଂଖ୍ୟାଗରିଷ୍ଠ ଗୋଷ୍ଠୀ ସର୍ବଦା ସଂଖ୍ୟାଲଘୁ ଗୋଷ୍ଠୀଙ୍କ ମତଦାନକୁ ସମ୍ମାନ ଜଣାଇବା ଗଣତାନ୍ତ୍ରିକ ମୂଲ୍ୟବୋଧର ଏକ ଅସ୍ତିସୂଚକ ମନୋଭାବ   । ଏହାଦ୍ଵାରା ଗଣତନ୍ତ୍ର ସ୍ଥାୟୀ ହୁଏ   ।

(ଖ) ବିରୋଧୀ ଗୋଷ୍ଠୀଙ୍କର ସମାଲୋଚନା ପ୍ରତି ସରକାରଙ୍କର ସର୍ବଦା ଏକ ସହନଶୀଳ ମନୋଭାବ ରହିବା ଗଣତନ୍ତ୍ର ପ୍ରତି ଶୁଭଙ୍କର   । ମାତ୍ର ବିରୋଧୀ ଗୋଷ୍ଠୀଙ୍କର ସମାଲୋଚନା ସର୍ବଦା “ ଅସ୍ତି ସୂଚକ “ ବା ଗଠନମୂଳକ ହେବା ଉଚିତ   ।

(ଗ) ବନ୍ଧୁତ୍ଵ ତଥା ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ସମସ୍ତ ସମସ୍ୟାର ସମାଧାନ କରିବା ସର୍ବଦା ଏକ ଗ୍ରହଣୀୟ ଗଣତାନ୍ତ୍ରିକ ମୂଲ୍ୟବୋଧ  ।

(ଘ) ଗଣତାନ୍ତ୍ରିକ ମୂଲ୍ୟବୋଧ ଦ୍ଵାରା ଦେଶପ୍ରେମ ମନୋଭାବ ଜାଗ୍ରତ ହୋଇଥାଏ   ।

(ଙ) ନାଗରିକମାନଙ୍କ “ ନୈତିକ ମୂଲ୍ୟବୋଧ “ ସେମାନଙ୍କର ବୌଦ୍ଧିକ ଜ୍ଞାନର ପରିସର ବୃଦ୍ଧିକରେ  । ଗଣତାନ୍ତ୍ରିକ ମୂଲ୍ୟବୋଧ କହିଲେ , ବିଜ୍ଞତା , ବିଚାର ଶକ୍ତି , ବୃଦ୍ଧି , ସାମୁହିକସ୍ଵାର୍ଥ, ସାର୍ବଜନୀନ ସୁଖ , ନାଗରିକମାନଙ୍କର ସଚେତନା ବୃଦ୍ଧି ଓ ଗୁଣ –ଉଦ୍ଦୀପନାକୁ ବୁଝାଏ   । ସେହିପରି ଭେଦଭାବର ବିଲୋପ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଉଦଜୀବିତ କରେ  ।

(ଛ) ନାଗରିକ – ବ୍ୟକ୍ତି ଚରିତ୍ର ଯଥା – ସତ୍ୟବାଦିତା , ସଚ୍ଚୋଟପଣିଆ ,  ସ୍ପଷ୍ଟବାଦିତା , ସଚେତନାତା , ଚରିତ୍ରବତ୍ତା, ନୀରପେକ୍ଷତା , ସାଧୁତା , ତଥା ଦୁର୍ନୀତି – ବିରୋଧୀ ମନୋଭାବ ଦ୍ଵାରା ଗଣତାନ୍ତ୍ରିକ ମୂଲ୍ୟବୋଧ ସୁନିଶ୍ଚିତ ହୁଏ   ।

(ଜ) ସେହିପରି ନାଗରିକର “ ସଜାଗପଣିଆ ଓ “ ରାଜନୈତିକ ସକ୍ରିୟତା “ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବହୁଗୁଣିତ କରେ   ।

(ଝ)  ଗଣତନ୍ତ୍ରରେ “ ଭୀରୁତା “ ର ସ୍ଥାନ ନାହିଁ  ।  ଭୀରୁତା ହେଉଛି ଆତ୍ମମର୍ଯ୍ୟାଦା ବିରୋଧୀ   । ସାହସିକତା ହେଉଛି ଗଣତନ୍ତ୍ରର ମୂଳମନ୍ତ୍ର ଏବଂ ଏହାକୁ ବାଦଦେଇ ଗଣତନ୍ତ୍ର ବଞ୍ଚାଇପାରିବ ନାହିଁ   ।

(ଞ) ଅନ୍ୟ ଏକ ଗଣତାନ୍ତ୍ରିକ ମୂଲ୍ୟବୋଧ ହେଲା ‘ଜନ ସହଯୋଗ “ । ସ୍ଵାର୍ଥ ବିରୋଧୀ ଗଣତାନ୍ତ୍ରିକ ସରକାରକୁ ସଦା ଜାଗ୍ରତ , ସଚେତନ ତଥା ଦାୟିତ୍ଵବାନ ନାଗରିକର ସର୍ବଦା “ ପ୍ରତିବାଦ “ ଓ “ ପ୍ରତିରୋଧ” ମାଧ୍ୟମରେ ଠିକ ବାଟରେ ଚାଲିବାକୁ ବାଧ୍ୟକରେ   । ମାତ୍ର ପ୍ରାୟବାଦ ଓ ପ୍ରତିରୋଧ ସର୍ବଦା ଶାନ୍ତିପୂର୍ଣ୍ଣ ଓ ସମୂହ –ସ୍ଵାର୍ଥ ଜଡିତ ହେବା ବାଞ୍ଛନୀୟ   । ଗାନ୍ଧିଜୀଙ୍କ ସତ୍ୟାଗ୍ରହ “ ଆଇନ ଅମାନ୍ୟ ତଥା “ ଅସହଯୋଗ ଆନ୍ଦୋଳନ “ ଜୟପ୍ରକାଶ ନାରାୟଣଙ୍କ “ ସାମଗ୍ରିକ ଆନ୍ଦୋଳନ “ ଇତ୍ୟାଦି ଗଣତାନ୍ତ୍ରିକ ପ୍ରତିବାଦ ତଥା ପ୍ରତିରୋଧର ଜ୍ଵଳନ୍ତ ଉଦାହରଣ   ।

(ଟ) ଅନ୍ୟ ଗୋଟିଏ ଗଣତାନ୍ତ୍ରିକ ମୂଲ୍ୟବୋଧ ହେଲା , ପ୍ରତ୍ୟେକ ନାଗରିକଙ୍କର “ ଜାଣିବାର ଅଧିକାର ‘  । ପ୍ରଶାସନିକ ଗୋପନୀୟତା ଦୁର୍ନୀତିକୁ ପ୍ରୋତ୍ସାହନ ଦେଇଥାଏ   । ତେଣୁ “ ମୁକ୍ତ –ଶାସନ ବା ମୁକ୍ତ ସରକାର “ ବା ସ୍ଵଚ୍ଛ ଶାସନ “ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରେ   ।

ସେହିପରି , ଗଣତାନ୍ତ୍ରିକ ମୂଲ୍ୟବୋଧର ଅନ୍ୟ ଏକ ଦିଗ ହେଲା ସମାଜରୁ ଦୁର୍ନୀତିର ମୂଳ ଉତ୍ପାଟନ କରିବା ସେଥିପାଇଁ ଆବଶ୍ୟକ ଦୃଢ ମନୋବଳ , ନାଗରିକ ସମାଜର ନେତୃତ୍ଵ ଓ ରାଜନୈତିକ ଇଚ୍ଛାଶକ୍ତି   ।

ଗଣତନ୍ତ୍ରର ଅନ୍ୟ ବିକଳ୍ପ ଅଛି କି

ଏହା ଏକ ଜଟିଳ ପ୍ରଶ୍ନ , ଯାହାର ଉତ୍ତର ପାଇବା ସେତେ ସହଜ ନୁହେଁ   । ଗୋଲାପ ଫୁଲତି କଣ୍ଟାଯୁକ୍ତ ହେଲେ ନିଜର ସୁଗନ୍ଧ ପାଇଁ ସର୍ବତ୍ର ଆଦରଣୀୟ  । ଲର୍ଡ ବ୍ରାଇସଙ୍କ ଯୁକ୍ତିରେ “ ଯଦି ଗଣତନ୍ତ୍ର ଦୋଷଯୁକ୍ତ , ତେବେ କେଉଁ ସରକାରଟି ଉତ୍ତମ ? ବର୍ଣ୍ଣସଙ୍କ ଯୁକ୍ତି ହେଲା “ ଯଦି ମୋଟରଗାଡି ଅଚଳ ହୁଏ ତେବେ ବଳଦଗାଡି ଯେତେ ସୁଦୃଶ୍ୟ ହେଲେବି ତାକୁ ପୁଣି ବ୍ୟବହାର କରିବା ଏକ ବୋକାମିର ପରିଚୟ   ।

ଗଣତନ୍ତ୍ରରେ ନିଷ୍ପତ୍ତି ନେବାର ପ୍ରକ୍ରିୟା ଧୀର ଓ ମନ୍ଥର ହେଲେ ବି ଏହା ଏକ “ ଦାୟିତ୍ଵସମ୍ପର୍ଣ୍ଣ ତଥା “ ଉତ୍ତରଦାୟୀ ସରକାର, ଯାହାର କୌଣସି ବିକଳ୍ପ ନାହିଁ  । ଏକଛତ୍ରବାଦ ଗଣତନ୍ତ୍ରର ବିକଳ୍ପ ନୁହେଁ   ।  ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଉଦଜୀବିତ କରିବା ସହିତ ଗଣତନ୍ତ୍ରର ଦୋଷ ଓ ଦୁର୍ବଳତାକୁ ସୁଧାରୀ ପାରିଲେ ଗଣତନ୍ତ୍ରର ବିକଳ୍ପ ଖୋଜିବା ଅନାବଶ୍ୟକ   ।

ଭାରତରେ ପ୍ରଚଳିତ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା

  • 1950 ମସିହା ଜାନୁଆରୀ 26 ତାରିଖ ଦିନ ଭାରତରେ ପ୍ରଚଳିତ ହେଲା ନୂତନ ସମ୍ବିଧାନ   । ସେହି ଦିନ ଠାରୁ ଏକ “ ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର “ ରାଷ୍ଟ୍ରର ପରିଚୟ ପାଇଲା  । ଦେଶରେ ଗଣତନ୍ତ୍ର ଶାସନ ବ୍ୟବସ୍ଥା ପ୍ରତିଷ୍ଠିତ ହେଲା   ।  ଏହାର ନିଦର୍ଶନ ସ୍ୱରୂପ 1952 ମସିହାରେ ଦେଶର ପ୍ରଥମ ଥର ପାଇଁ ଏକ ମୁକ୍ତ ଓ ନୀରପେକ୍ଷ ନିର୍ବାଚନ ପ୍ରକ୍ରିୟା ଆରମ୍ଭହେଲା ଏବଂ ସାବାଳକ ମତଦାନ ବ୍ୟବସ୍ଥା ଜରିଆରେ ଦେଶରେ ପ୍ରଥମ ଲୋକସଭା ଓ ପ୍ରତି ରାଜ୍ୟରେ ବିଧାନସଭା ଗଠିତ ହେଲା  ।  2009 ମସିହା ସୁଦ୍ଧା ପନ୍ଦରଥର ସାଧାରଣ ନିର୍ବାଚନ ସରିଲାଣି ଓ ପାଞ୍ଚଦାସ ଲୋକସଭା 2009 ମସିହାରେ ଗଠିତ ହୋଇଅଛି  । ବିଭିନ୍ନ ସମୟରେ ରାଜ୍ୟମାନଙ୍କରେ ନିର୍ବାଚିତ ମାଧ୍ୟମରେ ବିଧାନସଭାମାନ ପୁନର୍ଗଠନ ହୋଇଅଛି  । ବିଭିନ୍ନ ସମୟରେ ରାଜ୍ୟମାନଙ୍କର ନିର୍ବାଚନ ମାଧ୍ୟମରେ ବିଧାନସଭାମାନ ପୁନର୍ଗଠନ ହୋଇଅଛି  । ଅବାଧ ଓ ମୁକ୍ତ ନିର୍ବାଚନ ପ୍ରକ୍ରିୟାର ସୁରକ୍ଷା ଦାୟିତ୍ଵ ରହିଛି  , “ ନିର୍ବାଚନ ଆୟୋଗ “ ଙ୍କ ହାତରେ   ।
  • ସେହିପରି 1993 ମସିହାରେ ସମ୍ବିଧାନର 73 ତମ ଓ 75 ତମ ସମ୍ବିଧାନ ସଂଶୋଧନ ଆଇନ ସଂସଦରେ ଗୃହିତ ହେବାପରେ “ ପଞ୍ଚାୟତରାଜ ଓ ନଗରପାଳିକା “ ବ୍ୟବସ୍ଥାଦ୍ୱୟ ଏକ ନୂତନ ଧାରାରେ କାର୍ଯ୍ୟକାରୀ ହେଉଅଛି ଏବଂ ନିର୍ବାଚନ ମାଧ୍ୟମରେ ଲୋକପ୍ରତିନିଧିମାନଙ୍କୁ ନିର୍ବାଚିତ କରାଯାଇ ପଞ୍ଚାୟତରାଜ ଓ ନଗରପାଳିକା ଅନୁଷ୍ଠାନଗୁଡିକ ପୁନର୍ଗଠନ ହୋଇଛି   ।
  • ସମ୍ବିଧାନର ତୃତୀୟ ଭାଗରେ ଧାରା 12 ରୁ ଧାରା 35 ମଧ୍ୟରେ ପ୍ରଦତ୍ତ ଛଅଗୋଟି ମୌଳିକ ଅଧିକାର ସମସ୍ତ ଭାରତୀୟ ନାଗରିକ ଏବେ ଉପଭୋଗ କରୁଛନ୍ତି   । ଏହି ଅଧିକାରଗୁଡିକ ନ୍ୟାୟାଳୟ ଦ୍ଵାରା ସୁରକ୍ଷିତ   ।
  • ସମୁଚିତ୍ଜ ନ୍ୟାୟ ପ୍ରଦାନ ଲାଗି ଭାରତରେ ଗୋଟିଏ ତ୍ରି-ସ୍ତରୀୟ ନ୍ୟାୟପାଳିକା ବ୍ୟବସ୍ଥା ରହିଛି   , ଯାହା ସମ୍ବିଧାନ ସ୍ଵୀକୃତ  । ଉଚ୍ଚତମ ନ୍ୟାୟାଳୟ (ସୁପ୍ରିମ କୋର୍ଟ ) ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଓ ଦେଶର ନ୍ୟାୟପାଳିକା ବ୍ୟବସ୍ଥାର ଶୀର୍ଷରେ ଅବସ୍ଥିତ  । ଆମ ଦେଶରେ ବର୍ତ୍ତମାନ ସର୍ବମୋଟ 21 ଗୋଟି ରାଜ୍ୟସ୍ତରୀୟ ଉଚ୍ଚ ନ୍ୟାୟଳୟ କାର୍ଯ୍ୟରତ  । ଜିଲ୍ଲାସ୍ତରୀୟ କାର୍ଯ୍ୟ କରୁଛନ୍ତି ଏହାଧିକ ନିମ୍ନ ଅଦାଲତ  । ନ୍ୟାୟ ପ୍ରଦାନ କରିବା ପରି ଏକ ଗୁରୁତ୍ଵପୂର୍ଣ୍ଣ ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତୀକ ହେଉଛନ୍ତି ଆମର ସ୍ଵାଧୀନ ତଥା ନିରପେକ୍ଷ ନ୍ୟାୟପାଳିକା  ।
  • ପ୍ରତ୍ୟେକ ସାବାଳକ ଭାରତୀୟ ନାଗରିକ (18 ବର୍ଷରୁ ଅଧିକ ବୟସ୍କ )ମାନଙ୍କ ଅବାଧ ମତଦାନ ଅଧିକାର ରହିଛି ଓ ସେମାନେ ନିର୍ବାଚିତ ମାଧ୍ୟମରେ ଏହି ଅଧିକାର ଉପଭୋଗ କରି ନିଜର ମତଦାନ ସାବ୍ୟସ୍ତ କରିଆସୁଛନ୍ତି  ।
  • ଭାରତରେ “ ଧର୍ମ ନୀରପେକ୍ଷତା “ ପାଳନ କରାଯିବା ପାଇଁ ପ୍ରତି ନାଗରିକଙ୍କୁ ସମ୍ବିଧାନ ସ୍ବୀକୃତି “ ଧର୍ମଗତ ସ୍ଵାଧୀନତା ଓ ଉପାସନା ର ଅଧିକାର ମିଳିଛି  ।
  • ସମାନତାର ଅଧିକାର ବ୍ୟବସ୍ଥାରେ ସମସ୍ତ ପ୍ରକାର ସାମାଜିକ ଅସମାନତାକୁ ଦୂର କରାଯାଇଛି  । କେବଳ ସେତିକି ନୁହେଁ   , ସମାଜର ଦୁର୍ବଳ ଶ୍ରେଣୀର ବ୍ୟକ୍ତି , ଶିଶୁ ଓ ମହିଳାମାନଙ୍କର ଅଧିକାରର ସୁରକ୍ଷା ଲାଗି ବିହିତ ଆଇନଗତ ବ୍ୟବସ୍ଥା କରାଯାଇଛି   ।
  • ସମ୍ବାଦପତ୍ର ଓ ଗଣମାଧ୍ୟମ ଜରିଆରେ ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ଵାଧୀନ ଅଭିମତ ପ୍ରକାଶ କରିବାର ଅଧିକାର ରହିଛି  ।
  • ଶାସନରେ ସ୍ଵଚ୍ଛତା ଆଣିବା ପାଇଁ ଭାରତର    ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆଇନ ମାଧ୍ୟମରେ ପ୍ରଦାନ କରାଯାଇଛି  “ ସୂଚନା ଅଧିକାର “ ଯାହା ଫଳରେ ସରକାରଙ୍କ ପାଖରୁ ସମସ୍ତ ସୂଚନା ମିଳିପାରିବାର ଆଇନଗତ ବ୍ୟବସ୍ଥା ରହିଛି  । ଏହି ଅଧିକାରର ସଫଳ ରୂପାୟନ ପାଇଁ “ କେନ୍ଦ୍ରୀୟ ସୂଚନା ଆୟୋଗ ବା କମିଶନ “ ଓ ପ୍ରତି ରାଜ୍ୟରେ “ ରାଜ୍ୟ ସୂଚନା ଆୟୋଗ ବା କମିଶନ “ ଗଠନ କରାଯାଇଛି   ।
  • ଶିକ୍ଷା ଅଧିକାର ଆଇନ ଜରିଆରେ ଛଅ ବର୍ଷରୁ ଚଉଦ ବର୍ଷ ମଧ୍ୟରେ ସମସ୍ତ ବାଳକ ଓ ବାଳିକାମାନଙ୍କୁ ମାଗଣା ଶିକ୍ଷାଦାନ ବ୍ୟବସ୍ଥାକୁ ଆଇନ ସମ୍ମତ କରାଯାଇଛି   ।
  • “ ରାଷ୍ଟ୍ର ନୀତି ନିୟାମକ ନିର୍ଦ୍ଦେଶାବଳି “ ର ସଫଳ ରୂପାୟନ ଯୋଗୁଁ ଭାରତରେ ଏକ ଜନମଙ୍ଗଳ କାରକ ରାଷ୍ଟ୍ରର ପରିକଳ୍ପନା ସାକାର ହୋଇପାରିଛି  ।
  • ବହୁ ଦଳୀୟ ରାଜନୈତିକ ବ୍ୟବସ୍ଥା ମାଧ୍ୟମରେ ଭାରତରେ ଏକାଧିକ “ ଜାତୀୟ ରାଜନୈତିକ ଦଳ ଓ ଆଞ୍ଚଳିକ ରାଜନୈତିକ ଦଳ ଆମ ଦେଶରେ ପ୍ରଚଳିତ ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସକ୍ରିୟ ଓ ସଫଳ କରାଇବାରେ ସମର୍ଥ  ହୋଇଛନ୍ତି  ।

ଭାରତରେ ଗଣତାନ୍ତ୍ରିକ ମୂଲ୍ୟବୋଧ ରହିଛି କି

ସମ୍ପ୍ରତି ଭାରତରେ ଗଣତାନ୍ତ୍ରିକ ମୂଲ୍ୟବୋଧର ଅବକ୍ଷୟ ଦ୍ରୁତଗତିରେ ଘଟୁଛି  । ଏହା ଏକ ଶୁଭ ଲକ୍ଷଣ  ନୁହେଁ  । କେନ୍ଦ୍ର ଓ ରାଜ୍ୟ ସରକାରରେ ଅସ୍ଥିରତା ଦିନକୁ ଦିନ ବଢି ଚାଲିଛି  । ଦୁର୍ନୀତି , ସରକାରଙ୍କ ଅପାରଗତା , ନିର୍ବାଚନରେ ଭଗ୍ନ –ଜନାଦେଶ , ରାଜନୈତିକ ହିଂସା , ଦେଶ ସେବା ଓ ଦେଶଭକ୍ତିର ଅଭାବ , ବେକାରି,ନିରକ୍ଷରତା, ଦାରିଦ୍ର୍ୟ ସଂସ୍କୃତିର ଅବକ୍ଷୟ ଓ ଅପସଂସ୍କୃତିର ଅନୁପ୍ରବେଶ, ଏବଂ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଇତ୍ୟାଦି କେତେକ କାରଣ ଭାରତୀୟ ଗଣତାନ୍ତ୍ରିକ ମୂଲ୍ୟବୋଧର ଅବକ୍ଷୟ ପାଇଁ ସଂପୂର୍ଣ୍ଣ ଭାବରେ ଦାୟୀ   ।

ଏବେ ସମୟ ଆସିଛି , ଆତ୍ମନିରୀକ୍ଷଣ କରିବା ପାଇଁ  । ଆମର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଅଧିକ ଉନ୍ନତ ଓ ସୁଦୃଢ କରିବାକୁ ହେବ   । ସେଥିପାଇଁ ଆବଶ୍ୟକ ହେଉଛି – ନାଗରିକଙ୍କ ସାଧୁତା , ରାଜନେତା ଓ କର୍ମଚାରୀଙ୍କ ସଚ୍ଚୋଟପଣିଆ , ଗଣତାନ୍ତ୍ରିକ ମୂଲ୍ୟବୋଧରେ ବିଶ୍ଵାସ , ନିଃସ୍ଵାର୍ଥ ଦେଶସେବା ଓ ଦେଶ ପାଇଁ ତ୍ୟାଗ ବା ଆତ୍ମୋତ୍ସର୍ଗ, ରାଜନୈତିକ ଇଚ୍ଛାଶକ୍ତିର ଅଭିବୃଦ୍ଧି ଓ ସର୍ବୋପରି ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଉପରେ ଦୃଢ ବିଶ୍ଵାସ ସ୍ଥାପନ ଏବଂ ଆତ୍ମବିଶ୍ଵାସର ଦୃଢତା   ।

ଆଧାର – ମାଧ୍ୟମିକ ଶିକ୍ଷା ପରିଷଦ ,  ଓଡିଶା

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate