ମୌଳିକ ଅଧିକାର

ଗଣତନ୍ତ୍ରର ଲକ୍ଷ୍ୟ ହେଲା ବ୍ୟକ୍ତିର ବ୍ୟକ୍ତିତ୍ଵର ବିକାଶ ,। ବ୍ୟକ୍ତିର ବସ୍ତୁତଃ ସ୍ଵାଧୀନତା ଉପରେ ଆଧାରିତ । ଗଣତାନ୍ତ୍ରିକ ରାଷ୍ଟ୍ରରେ ସେଥିଯୋଗୁଁ ବ୍ୟକ୍ତିର ସ୍ଵାଧୀନତା ଓ ରାଷ୍ଟ୍ରର କ୍ଷମତା ମଧ୍ୟରେ ଭାରସାମ୍ୟ ରହିବା ଦରକାର । ବିଶ୍ଵର ଅନେକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହି ଭାରସାମ୍ୟ ରକ୍ଷା କରିବା ପାଇଁ ନାଗରିକମାନଙ୍କୁ ମୌଳିକ ଅଧିକାର ପ୍ରଦାନର ବ୍ୟବସ୍ଥା ରହିଛି । ମୌଳିକ ଅଧିକାର ଦ୍ଵାରା ନାଗରିକ ନିଜର ବ୍ୟକ୍ତିତ୍ଵର ବିକାଶ କରିବା ସଙ୍ଗେ ସଙ୍ଗେ ରାଷ୍ଟ୍ରର ଯଥେଚ୍ଛାଚାର କ୍ଷମତାକୁ ସଙ୍କୁଚିତ କରିଥାଏ ।

ଭାରତରେ ମଧ୍ୟ ଅନ୍ୟାନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ରପରି ନାଗରିକମାନଙ୍କୁ ମୌଳିକ ଅଧିକାର ପ୍ରଦାନ କରାଯାଇଛି । ଭରତର ସମ୍ବିଧାନର ତୃତୀୟ ଭାଗରେ ଥିବା ଧାରା 12 ରୁ ଧାରା 35 ମଧ୍ୟରେ ଏହି ମୌଳିକ ଅଧିକାରଗୁଡିକୁ ବର୍ଣ୍ଣିତ ହୋଇଛି । ଭାରତର ସମ୍ବିଧାନର ପ୍ରଣେତାମାନେ ଏହି ମୌଳିକ ଅଧିକାରଗୁଡିକର ଆବଶ୍ୟକତା ଅନୁଭବ କଲାବେଳେ ଅନେକାଂଶରେ ଆମେରିକା “ ଅଧିକାର ସମ୍ପର୍କିତ ଆଇନ ‘ ଦ୍ଵାରା ପ୍ରଭାବିତ ହୋଇଥିଲେ ।

ଆମର ଏହି ଅଧିକାଗୁଡିକୁ ମୌଳିକ ଅଧିକାର କୁହାଯାଏ , କାରଣ ପ୍ରତ୍ୟେକ ଭାରତୀୟ ନାଗରିକର ଉତ୍ତମ ଜୀବନଜାପାନ ଓ ବ୍ୟକ୍ତିଗତ ସୁରକ୍ଷା ଲାଗି ଏଗୁଡିକ ଆବଶ୍ୟକତା ରହିଛି । ପୁଣି ଏହି ଅଧିକାର ଗୁଡିକ କାହାରି ବ୍ୟକ୍ତି ଗତ ଇଚ୍ଛାରେ ସଂଶୋଧିତ ବା ସଙ୍କୁଚିତ ହୋଇପାରିବ ନାହିଁ ।

ସ୍ଵତନ୍ତ୍ର ଲକ୍ଷଣ

(କ)ବ୍ୟକ୍ତିର ବ୍ୟକ୍ତିତ୍ଵର ପୂର୍ଣ୍ଣ ପରିପ୍ରକାଶ ପାଇଁ ମୌଳିକ ଅଧିକାରଗୁଡିକ ଅତ୍ୟନ୍ତ ଆବଶ୍ୟକ ।

(ଖ) ସରକାରଙ୍କ ଯଥେଛାରଶାସନ ଉପରେ ମୌଳିକ ଅଧିକାର ଅଙ୍କୁଶ ଲଗାଇଥାଏ ।

(ଗ) ଏହି ଅଧିକାରଗୁଡିକ ପରିବର୍ତ୍ତନ ବା ପ୍ରତ୍ୟାହାର ସାଧାରଣ ଆଇନ ବଳରେ କରାଯାଇପାରିବ ନାହିଁ ।

(ଘ) ଭାରତର ସମସ୍ତ ନାଗରିକ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମାନ ଭାବରେ ଏହି ଅଧିକାରଗୁଡିକୁ ଉପଭୋଗ କରିପାରିବେ ।

(ଙ) ଏହି ଅଧିକାରଗୁଡିକ ନିରଙ୍କୁଶ ନୁହେଁ । ଜରୁରୀ ପରିସ୍ଥିତିରେ ଓ ପ୍ରତିଷେଧମୂଳକ ଅଟକ କାରଣରୁ ମୌଳିକ ଅଧକାର ସାମୟିକ ଭାବେ ସଙ୍କୁଚିତ ବା ସ୍ଥଗିତ ବା ନିଲମ୍ବିତ ରଖାଯାଇପାରିବ ।

(ଚ) ସମ୍ବିଧାନରେ ପ୍ରଦତ୍ତ ମୌଳିକ ଅଧିକାରକୁ ସଙ୍କୁଚିତ ବା ପ୍ରତ୍ୟାହାର କରିବା କ୍ଷେମତା କେବଳ ଭାରତ ର ସଂସଦ ର ରାହିଛି ।

(ଚ) ଏହିଅଧିକାରଗୁଡିକ ନ୍ୟାୟାଳୟରେ ପ୍ରତିପାଦନୀୟ ଅର୍ଥାତ କୌଣସି ନାଗରିକର ମୌଳିକ ଅଧିକାର କ୍ଷୁଣ୍ଣ ହେଲେ ଷେ ନ୍ୟାୟଳୟର ଆଶ୍ରୟ ନେଇ ତାହାର ପ୍ରତିକାର କରିପାରିବ ।

(ଛ) ଏହି ଅଧିକାରଗୁଡିକ ନ୍ୟାୟଳୟରେ ପ୍ରତିପାଦନୀୟ ଅର୍ଥାତ କୌଣସି ନାଗରିକର ମୌଳିକ ଅଧିକାର କ୍ଷୁଣ୍ଣ ହେଲେ ସେ ନ୍ୟାୟଳୟର ଆଶ୍ରୟ ନେଇ ତାହାର ପ୍ରତିକାର କରିପାରିବ ।

(ଜ) ନାଗରିକର ମୌଳିକ ଅଧିକାରକୁ କ୍ଷୁଣ୍ଣ କରିଥିବା ଯେ କୌଣସି ଆଇନକୁ ନ୍ୟାୟାଳୟ ଆସିଦ୍ଧ ଘୋଷଣା କରିପାରିବ ।

ମୌଳିକ ଅଧିକାରଗୁଡିକର ପ୍ରଭାବ ଭେଦ

ପ୍ରଥମେ ଭାରତର ସମ୍ବିଧାନ ନାଗରିକମାନଙ୍କୁ " ସାତଗୋଟି" ମୌଳିକ ଅଧିକାର ପ୍ରଦାନ କରଯାଇଥିଲା । ସମ୍ପତ୍ତିଗତ ଅଧିକାରକୁ ମୌଳିକ ଅଧିକାର ତାଲିକାରୁ ବାଦ ଦିଆଯିବା ପରଠାରୁ ଭାରତୀୟ ନାଗରିକମାନେ ନିମ୍ନଲିଖିତ " ଛଅ ଗୋଟି " ମୌଳିକ ଅଧିକାର ଉପଭୋଗ କରିଅଛନ୍ତି ସେଗୁଡିକ ହେଲା :

ସମାନତାର ଅଧିକାର

ସ୍ଵାଧୀନତା ଅଧିକାର

ଶୋଷଣ ବିରୋଧରେ ଅଧିକାର

ଧର୍ମଗତ ସ୍ଵାଧୀନତା ଅଧିକାର

ସାଂସ୍କୃତିକ ଶିକ୍ଷାଗତ ଅଧିକାର

ସାମ୍ବିଧାନିକ ପ୍ରତିକାରର ଅଧିକାର ।

ସମାନତାର ଅଧିକାର

ଆମ ସମ୍ବିଧାନରେ ସମାନତାକୁ ଗୁରୁତ୍ଵ ଦିଆଯାଇ ଧାରା ୧୪ ରୁ ଧାରା ୧୮ ମଧ୍ୟରେ ନାଗରିକମାନଙ୍କୁ ସମାନାତାର ଅଧିକାର ପ୍ରଦାନ କରାଯାଇଛି ଫଳରେ :

ଆଇନ ଆଗରେ ସମସ୍ତ ନାଗରିକ ସମାନ ଓ ଆଇନଗତ ସୁରକ୍ଷା ସମସ୍ତଙ୍କ ପାଇଁ ସମାନ ।

ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଓ ଜନ୍ମଭୂମି ଭିତ୍ତିରେ କୌଣସି ନାଗରିକ ପ୍ରତି ପାତର ଅନ୍ତର କରାଯାଇପାରିବ ନାହିଁ । କିନ୍ତୁ ଶିଶୁ, ମହିଳା, ଅନୁସୂଚିତ ଜାତି ଓ ଜନଜାତିର ଲୋକମାନଙ୍କ ପାଇଁ ଯେତେବେଳେ ଆବଶ୍ୟକ ପଡିବ , ସେତେବେଳେ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରଯାଇ ପାରିବ ।

ସରକାରୀ ଚାକିରି ତଥା ନିଯୁକ୍ତି କ୍ଷେତ୍ରରେ ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ କରାଯିବ । କିନ୍ତୁ ସମାଜର ଦୁର୍ବଳ ବର୍ଗ ବା ଅନୁନ୍ନତ ଶ୍ରେଣୀ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଜନଜାତିର ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ବ୍ୟବସ୍ଥାକୁ ସଙ୍କୁଚିତ କରାଯାଇ ପାରିବ ନାହିଁ ।

ଅସ୍ପୁଶ୍ୟତା ନିବାରଣ କରାଯିବା ସହିତ ଏହାର ବିଲୋପ ସାଧନ କରାଯାଇଛି ।

ସମସ୍ତ ପ୍ରକାର ଆଲଙ୍କାରିକ ଉପାଧିଗୁଡିକ ଉଚ୍ଛେଦ କରଯାଇଛି । ମାତ୍ର ସ୍ଵାଧୀନତା ପରଠାରୁ ଦେଶରେ ଉଲ୍ଲେଖନୀୟ ସେବା ପ୍ରଦାନ କ୍ଷେତ୍ରରେ ରାଷ୍ଟ୍ରପତିଙ୍କ ଦ୍ଵାରା ଭାରତରତ୍ନ , ପଦ୍ମବିଭୂଷଣ , ପଦ୍ମଭୂଷଣ, ପଦ୍ମଶ୍ରୀ ଆଦି ଉପାଧି ପ୍ରଦାନ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ବିଶ୍ଵବିଦ୍ୟାଳୟ ତଥା ଅନ୍ୟାନ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକୁ ବିଭିନ୍ନ ଶିକ୍ଷା ସମ୍ବନ୍ଧୀୟ ଉପାଧି ପ୍ରଦାନ କରିବା ପାଇଁ ଅଧିକାର ଦିଆଯାଇଛି ।

ସେହିପରି ରାଷ୍ଟ୍ରଦ୍ଵାରା ବିଭିନ୍ନ ପ୍ରକାରର " ସାମରିକ ଉପାଧି " ପ୍ରଦାନ ବ୍ୟବସ୍ଥା ରହିଛି ।

ସ୍ଵାଧୀନତାର ଅଧିକାର

ସମ୍ବିଧାନର ଧାରା ୧୯ ରୁ ଧାରା ୨୨ ଧାରା ମଧ୍ୟରେ ନାଗରିକମାନଙ୍କୁ ସ୍ଵାଧୀନତାର ଅଧିକାର ଦିଆଯାଇଛି । ସମ୍ବିଧାନର ଧାରା ୧୯ ରେ ପ୍ରଥମ ସାତଗୋଟି ପ୍ରସଙ୍ଗରେ ନାଗରିକମାନଙ୍କୁ ସ୍ଵାଧୀନତାର ଅଧିକାର ଦିଆଯାଇଥିଲା । ମାତ୍ର ୧୯୭୮ ମସିହାରେ ପ୍ରଣିତ ୪୪ତମ ସମ୍ବିଧାନ ସଂଶୋଧନ ଆଇନ ମଧ୍ୟରେ ଏଥିରୁ ଗୋଟିଏ, ଅର୍ଥାତ ସମ୍ପତ୍ତିଗତ ସ୍ଵାଧୀନତାର ଅଧିକାରକୁ ବାଦ ଦିଆଯାଇଛି । ଫଳରେ ବର୍ତ୍ତମାନ ନାଗରିକମାନ ନିମ୍ନୋକ୍ତ ଛଅଗୋଟି ପ୍ରସଙ୍ଗରେ ସ୍ଵାଧୀନତାର ଅଧିକାର ଉପଭୋଗ କରୁଛନ୍ତି ଯଥା –

(କ) ଭାଷଣ ତଥା ମତାମତ ପ୍ରକାଶ କରିବାର ସ୍ଵାଧୀନତା

(ଖ) ଶାନ୍ତିପୂର୍ଣ୍ଣ ଭାବରେ ଓ ନିରସ୍ତ୍ର ହୋଇ ସମାବେଶରେ ମିଳିତ ହେବାର ସ୍ଵାଧୀନତା ।

(ଗ) ସଂଘବା ସମିତି ଗଠନ ସ୍ଵାଧୀନତା

(ଘ) ଭାରତ ଭୂଖଣ୍ଡ ମଧ୍ୟରେ ଅବାଧ ବିଚରଣର ସ୍ଵାଧୀନତା ।

(ଙ) ଭାରତରେ ଯେ କୌଣସି ସ୍ଥାନରେ ବସବାସ କରିବାର ସ୍ଵାଧୀନତା ।

(ଚ) ଯେ କୌଣସି ବୃତ୍ତି , ଜୀବିକା, ବାଣିଜ୍ୟ ଓ ବ୍ୟବସାୟ କରିବାର ସ୍ଵାଧୀନତା ।

ମାତ୍ର ଏହି ସ୍ଵାଧୀନତାଗୁଡିକ ନିରଙ୍କୁଶ ନୁହେଁ । ଆବଶ୍ୟକସ୍ଥଳେ ରାଷ୍ଟ୍ରର ଐକ୍ୟ ଓ ନିରାପତ୍ତା , ଶାନ୍ତି ଓ ଶୃଙ୍ଖଳାରକ୍ଷା , ନୈତିକତା ଓ ବିଦେଶୀ ରାଷ୍ଟ୍ର ସହିତ ବନ୍ଧୁତାପୂର୍ଣ୍ଣ ସମ୍ପର୍କ ରକ୍ଷା ଦୃଷ୍ଟିରୁ ସରକାର ନ୍ୟାୟୋଚିତ ଭାବରେ ନାଗରିକର ବ୍ୟକ୍ତିଗତ ସ୍ଵାଧୀନତାକୁ ନିମନ୍ତ୍ରଣ କରିପାରିବେ । ରାଷ୍ଟ୍ରପତି ଜରୁରୀକାଳୀନ ପରିସ୍ଥିତିରେ ଏହି ବ୍ୟକ୍ତିଜିଟି ସ୍ଵାଧୀନତାଗୁଡିକୁ ଲିଲମ୍ବିତ କରି ପାରିବେ ବା ସ୍ଥଗିତ ରଖିପାରିବେ । ଏହି ସ୍ଵାଧୀନତାଗୁଡିକ କେବଳ ଦେଶର ନାଗରିକମାନେ ଉପଭୋଗ କରିବେ ।

ସ୍ଵାଧୀନତାର ଧାରା ୨୦ ରେ ବର୍ଣ୍ଣିତ ହୋଇଥିବା ବ୍ୟବସ୍ଥା ଅନୁସାରେ ଦୋଷୀ ବା ଅପରାଧୀ ବିବେଚିତ ହେଉଥିବା ବ୍ୟକ୍ତିଙ୍କୁ ନିମ୍ନୋକ୍ତ ତିନିଗୋଟି ଅଧିକାର ପ୍ରଦାନ କରାଯାଇଛି ଯଥା –

(କ) କୌଣସି ବ୍ୟକ୍ତି ସେହି ସମୟରେ ପ୍ରଚଳିତ ନଥିବା କୌଣସି ଆଇନ ଅନୁସାରେ ଦଣ୍ଡିତ ହେବେନାହିଁ ।

(ଖ) କୌଣସି ବ୍ୟକ୍ତି ଗୋଟିଏ ଅପରାଧ ପାଇଁ ଦୁଇଥର ଦଣ୍ଡ ଭୋଗ କରିବେ ନାହିଁ ।

(ଗ) କୌଣସି ବ୍ୟକ୍ତିଙ୍କୁ ନିଜ ବିରୋଧରେ ସାକ୍ଷ୍ୟ ଦେବାକୁ ବାଧ୍ୟ କରାଯିବ ନାହିଁ ।

ସମ୍ବିଧାନର ଧାରା ୨୧ ଅନୁସାରେ ଆଇନ ଅନୁମୋଦନ ପନ୍ଥା ଭିନ୍ନ ଅନ୍ୟ କୌଣସି ପନ୍ଥାରେ ନାଗରିକକୁ ତାହାର ଜୀବନ ଓ ବ୍ୟକ୍ତିଗତ ସ୍ଵାଧୀନତାରୁ ବଞ୍ଚିତ କରିଯିବ ନାହିଁ । ଶିକ୍ଷାଲାଭରୁ ମୌଳିକ ଅଧିକାର ଭାବେ ସମ୍ବିଧାନର ଧାରା ୨୧ (କ) ରେ ଯୋଗ କରାଯାଇଛି । ୨୦୧୦ ମସିହା ଅପ୍ରେଲ ମାସର ୧ ତାରିଖରେ ଯୋଗ କରାଯାଇଥିବା ନୂତନ ଶିକ୍ଷା ଅଧିକାର ବ୍ୟବସ୍ଥା ଅନୁସାରେ ଛଅ ବର୍ଷରୁ ଚଉଦ ବର୍ଷ ବୟସ ମଧ୍ୟରେ ଥିବା ବାଳକ ଓ ବାଳିକାମାନଙ୍କ ପାଇଁ ଶିକ୍ଷାଦାନ ମାଗଣା ଓ ବାଧ୍ୟତାମୂଳକ ହୋଇଛି ଏବଂ ତତସମ୍ପର୍କିତ ସମସ୍ତ ଖର୍ଚ୍ଚ ରାଷ୍ଟ୍ର ବହନ କରିବ ।

ସମ୍ବିଧାନର ଧାରା ୨୨ ଅନୁଯାୟୀ ପ୍ରତ୍ୟେକ ନାଗରିକଙ୍କୁ ପଦତ୍ତ କେତେକ ସୁରକ୍ଷା ଅଧିକାର ବଳରେ ସେ ପୋଲିସର ବେଆଇନ ଗିରଫଦାରିରୁ ନିଜକୁ ମୁକ୍ତ ରାଖୀପାରିବେ । ଏହି ଧାରାରେ ପ୍ରଦତ୍ତ ବ୍ୟବସ୍ଥା ଅନୁସାରେ କୌଣସି ବ୍ୟକ୍ତିଙ୍କୁ ପୋଲିସ ମନଇଚ୍ଛା ଗିରଫ କରିପାରିବ ନାହିଁ । ଗିରଫ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଗିରଫ ହେବାର କାରଣ ଶୀଘ୍ର ଜଣାଇ ଦିଆଯିବ । ପୋଲିସ ଗିରଫ କରିଥିବାବ ବ୍ୟକ୍ତି ଜଣକ ଚାହିଁଲେ ସେ ନିଜ ପସନ୍ଦ ଅନୁସାରେ ଓକିଲ ସହିତ ପରାମର୍ଶ କରି ନିଜ ପ୍ରତିରକ୍ଷା ବ୍ୟବସ୍ଥା ଗ୍ରହଣ କରିପାରିବେ । ଗିରଫ ହୋଇଥିଲା ବ୍ୟକ୍ତିଙ୍କୁ ଗିରଫ ହେବାର ୨୫ ଘଣ୍ଟା ମଧ୍ୟରେ ନିକଟତମ ମାଜିଷ୍ଟ୍ରେଟ ଙ୍କ ଅଦାଲତରେ ହଜାର କରାଯିବା ବାଧ୍ୟତାମୂଳକ ଅଟେ । ମାଜିଷ୍ଟ୍ରେଟଙ୍କ ଆଦେବ ବିନା କୌଣସି ବ୍ୟକ୍ତିଙ୍କୁ ୨୪ ଘଣ୍ଟାରୁ ଅଧିକ ସମୟ ଅଟକ ରଖାଯିବ ନାହିଁ ।

ଏହି ବ୍ୟବସ୍ଥାଗୁଡିକ କେବଳ ଭାରତର ନାଗରିକମାନଙ୍କ ପ୍ରତି ପ୍ରଯୁଜ୍ୟ ହେବ । ବିଦେଶୀ ନାଗରିକମାନେ ଏହି ସୁବିଧା ପାଇ ପାରିବେ ନାହିଁ । ସେହିପରି ଜାତୀୟ ନିରାପତ୍ତା ଆଇନ ଓ ପ୍ରତିଷେଧ ମୂଳକ ଅଟକ ଆଇନ ଏବଂ ସନ୍ତ୍ରାସବାଦୀ ଓ ଧ୍ଵଂସାତ୍ମକ କାର୍ଯ୍ୟବଳୀ ଆଇନ ଦ୍ଵାରା ଅଟକ ହୋଇଥିବା ବ୍ୟକ୍ତିଙ୍କ ପ୍ରତି ଏହି ବ୍ୟବସ୍ଥା ଲାଗୁ ହେବ ନାହିଁ ।

ଶୋଷଣ ବିରୋଧରେ ଅଧିକାର

ଆମ ସମ୍ବିଧାନର ଧାରା ୨୩ ଓ ୨୪ ରେ ନାଗରିକମାନଙ୍କୁ ଶୋଷଣ ବିରୋଧରେ କିଛି ଅଧିକାର ଦିଆଯାଇଛି

(କ) ମଣିଷ କିଣାବିକା , ବେଠି ଓ ବିନା ମଜୁରିରେ ବ୍ୟକ୍ତିଙ୍କୁ ଖଟାଇବା ଆଦି ବ୍ୟବସ୍ଥାକୁ ନିଷିଦ୍ଧ କରାଯାଇଛି । ଏହି ବ୍ୟବସ୍ଥାର ଖିଲାପ କରୁଥିବା ବ୍ୟକ୍ତି ଆଇନ ଅନୁସାରେ ଦଣ୍ଡନୀୟ ହେବେ । କିନ୍ତୁ ସାଧାରଣ ସ୍ଵାର୍ଥ ଦୃଷ୍ଟିରୁ ଜାତି , ଧର୍ମ , ବର୍ଣ୍ଣ ଓ ଶ୍ରେଣୀ ନିର୍ବିଶେଷରେ ନାଗରିକମାନଙ୍କୁ ଦେଶର ସ୍ଵାର୍ଥପାଇଁ ବାଧ୍ୟତାମୂଳକ ଭାବେ ରାଷ୍ଟ୍ର ନିଯୋଜିତ କରିପାରିବ ।

(ଖ) ୧୪ ବର୍ଷରୁ କମ ବୟସର ଶିଶୁମାନଙ୍କୁ ଖଣି, କଳ, କାରଖାନା ଓ ଅନ୍ୟ କୌଣସି ବିପଦଜନକ କାମରେ ନିୟୋଜିତ କରିବାକୁ ନିଷିଦ୍ଧ କରଯାଇଛି ।

ଧର୍ମଗତ ସ୍ଵାଧୀନତାର ଅଧିକାର

ଭାରତରେ ବହୁ ଧର୍ମର ପ୍ରଚଳନ ହେଉଥିବାରୁ ସମ୍ବିଧାନରେ ଭାରତକୁ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ବୋଲି ଘୋଷଣା କରାଯାଇଛି । ଫଳରେ ରାଷ୍ଟ୍ର କୌଣସି ନିର୍ଦ୍ଧିଷ୍ଟ ଧର୍ମର ପୃଷ୍ଠପୋଷାକତା କରିବ ନାହିଁ । ଭାରତରେ ବସବାସ କରୁଥିବା ବିଭିନ୍ନ ଧର୍ମର ନାଗରିକମାନଙ୍କୁ ସମ୍ବିଧାନର ଧାରା ୨୫ ରୁ ଧାରା ୨୮ ମଧ୍ୟରେ ଧର୍ମଗତ ସ୍ଵାଧୀନତାର ଅଧିକାର ପ୍ରଦାନ କରାଯାଇଛି । ଏହି ଅଧିକାର ବଳରେ –

(କ) ପ୍ରତ୍ୟେକ ନାଗରିକ ନିଜ ବିବେକ ଅନୁସାରେ ସ୍ଵାଧୀନ ଭାବେ ଧର୍ମଗ୍ରହଣ , ଧର୍ମାଚରଣ ଓ ଧର୍ମ ପ୍ରଚାର କରିପାରିବେ ।

ଅବଶ୍ୟ ଆବଶ୍ୟକ ପଡିଲେ ରାଷ୍ଟ୍ରର ସୁରକ୍ଷା , ଏକତା ,ନୈତିକତା ଓ ଶାନ୍ତିଶୃଙ୍ଖଳା ତଥା ସ୍ୱାସ୍ଥ୍ୟରକ୍ଷା ଦୃଷ୍ଟିରୁ ଏହି ଅଧିକାର କୁ ରାଷ୍ଟ୍ର ନିୟନ୍ତ୍ରଣ କରିପାରିବେ ।

(ଖ) ପ୍ରତ୍ୟେକ ଧର୍ମ - ସମ୍ପ୍ରଦାୟ ନିଜର ଧର୍ମାନୁଷ୍ଠାନ ପ୍ରତିଷ୍ଠା କରିବା ସହିତ ଏହାର ରକ୍ଷଣାବେକ୍ଷଣା କରିପାରିବେ ।

(ଗ)କୌଣସି ନିର୍ଦ୍ଧିଷ୍ଟ ଧର୍ମର ଉନ୍ନତି ପାଇଁ ଏବଂ କୌଣସି ଧର୍ମାନୁଷ୍ଠାନ ର ସୁରକ୍ଷା ଓ ରକ୍ଷଣାବେକ୍ଷଣା ପାଇଁ ନାଗରିକମାନଙ୍କ ଠାରୁ ବାଧ୍ୟତାମୂଳକ " କର" ବା ଅର୍ଥ ଆଦାୟ କରାଯାଇ ପାରିବ ନାହିଁ ।

(ଘ) ସରକାରଙ୍କ ଦ୍ଵାରା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ପରିଚାଳିତ କୌଣସି ଶିକ୍ଷାନୁଷ୍ଠାନଗୁଡିକରେ ନିର୍ଦ୍ଧିଷ୍ଟ ଧର୍ମ ସମ୍ପର୍କିତ ଶିକ୍ଷାଦାନ କରାଯାଇ ପାରିବ ନାହିଁ ।

ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର

ସମ୍ବିଧାନର ଧାରା ୨୯ ଓ ୩୦ ରେ ଭାରତରେ ବାସ କରୁଥିବା ସଂଖ୍ୟାଲଘୁ ଗୋଷ୍ଠୀର ବ୍ୟକ୍ତିମାନଙ୍କର ସ୍ଵାର୍ଥରକ୍ଷା ପାଇଁ ଏହି ଅଧିକାର ପ୍ରଦାନ କରାଯାଇଛି ଫଳରେ -:

(କ) ସଂଖ୍ୟାଲଘୁ ସମ୍ପ୍ରଦାୟ ତାଙ୍କର ଭାଷା , ଲିପି ଓ ସଂସ୍କୃତିର ସୁରକ୍ଷା କରିବାର ଅଧିକାର ପାଇଛନ୍ତି । ସରକାରଙ୍କ ଦ୍ଵାରା ପରିଚାଳିତ ଅଥବା ସରକାରଙ୍କଠାରୁ ଅନୁଦାନ ପାଉଥିବା କୌଣସି ଶିକ୍ଷାନୁଷ୍ଠାନ କେବଳ ଧର୍ମ , ଜାତି, ବର୍ଣ୍ଣ , ଭାଷା ଓ ବାସସ୍ଥାନ ଆଦି କାରଣରୁ କୌଣସି ନାଗରିକକୁ ଅଧ୍ୟୟନ ପାଇଁ ନାମଲେଖାରୁ ବଞ୍ଚିତ କରାଯାଇ ପାରିବ ନାହିଁ ।

(ଖ) ସଂଖ୍ୟାଲଘୁ ଗୋଷ୍ଠୀ ନିଜ ମନମୁତାବକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିପାରିବେ ଓ ସେଗୁଡିକ ସରକାରୀ ସାହାଯ୍ୟ ମିଳିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ।

ସାମ୍ବିଧାନିକ ପ୍ରତିକାରର ଅଧିକାର

ଏହି ଅଧିକାର ସମ୍ବିଧାନର ଧାରା ୩୨ ରେ ଉଲ୍ଲେଖ କରାଯାଇଛି । ଏହି ଧାରା ଅନୁଯାୟୀ ଜଣେ ନାଗରିକ ନିଜର ମୌଳିକ ଅଧିକାରର ସୁରକ୍ଷା ପାଇଁ ଅଦାଲତର ସାହାଯ୍ୟ ନେଇ ପାରିବ । ଉପରୋକ୍ତ ପାଞ୍ଚଗୋଟି ମୌଳିକ ଅଧିକାର କ୍ଷୁଣ୍ଣ ହେଲେ ପ୍ରତ୍ୟେକ ନାଗରିକ ଏହାର ସୁରକ୍ଷା ପାଇଁ ଭାରତର ଉଚ୍ଚତମ ନ୍ୟାୟାଳୟ ରେ ସିଧାସଳଖ ଆବେଦନ କରିପାରିବେ । ମୌଳିକ ଅଧିକାରଗୁଡିକୁ ସୁରକ୍ଷା ଦେବା ପାଇଁ ଉଚ୍ଚତମ ନ୍ୟାୟାଳୟ ଓ ରାଜ୍ୟର ଉଚ୍ଚ ନ୍ୟାୟାଳୟ ଓ ରାଜ୍ୟର ଉଚ୍ଚ ନ୍ୟାୟଳୟ " ପାଞ୍ଚପ୍ରକାର " ରିଟ " ବା ହୁକୁମନାମା ବା ନିର୍ଦ୍ଦେଶନାମା ଜରିକରି ପାରିବେ । ସେଗୁଡିକ ହେଲା –

(କ) ବନ୍ଦୀ ପ୍ରତ୍ୟକ୍ଷୀକରଣ

(ଖ) ପରମାଦେଶ

(ଗ) ନିଷେଧାଦେଶ

(ଘ) ଅଧିକାର ପୁଚ୍ଛା

(ଙ) ଉତପ୍ରେକ୍ଷଣ

ଏ ସବୁ ହୁକୁମନାମା ପାଳନ କରିବାକୁ ସମସ୍ତ ନାଗରିକ ବାଧ୍ୟ । କେବଳ କ୍ଷତିଗ୍ରସ୍ତ ହୋଇଥିବା ନାଗରିକ ବା ଗୋଷ୍ଠୀ ଏ ସମ୍ପର୍କରେ ଯେ ଆବେଦନ କରିପାରିବେ ତାହାନୁହେଁ, ବରଂ ଯେ କୌଣସି ବ୍ୟକ୍ତି ଚାହିଁଲେ ସେ ଏଥିପାଇଁ ଅଦାଲତ ବା କୋର୍ଟକୁ ଯାଇପାରନ୍ତି । ଏହି ପରି ଜନସ୍ଵାର୍ଥ ଜଡିତ ମାମଲାକୁ " ଜନସ୍ବାର୍ଥ ମାମଲା " କୁହାଯାଇଥାଏ । କେତେକ ସ୍ଥଳେ ଏହିପରି ଘଟିଥିବା ଘଟନା ସମ୍ବାଦପତ୍ର , ଟି.ଭି ଚ୍ୟାନେଲ ବା ଅନ୍ୟ କୌଣସି ସୂତ୍ରରୁ ଯଦି ହାଇକୋର୍ଟ ବା ସୁପ୍ରିମକୋର୍ଟର ବିଚାରପତିମାନଙ୍କ ଦୃଷ୍ଟି ଗୋଚର ହୋଇଥାଏ , ତେବେ ଏହାକୁ ମଧ୍ୟ " ଜନସ୍ଵାର୍ଥ ମାମଲା " ରୂପେ ବିଚାରପତି ମାନେ ବିଚାର ପାଇଁ ଗ୍ରହଣ କରିଥାଆନ୍ତି ।

ମୌଳିକ ଅଧିକାରଗୁଡିକର ବିଶେଷତ୍ଵ

ଆମର ମୌଳିକ ଅଧିକାରଗୁଡିକର ଅନେକ ବିଶେଷତ୍ଵ ରହିଛି । ଭାରତର ସମ୍ବିଧାନରେ ଦିଆଯାଇଥିବା ଏହି ଅଧିକାରଗୁଡିକ ନାଗରିକମାନ ଉପଭୋଗ କରିବା ପାଇଁ ଉଦ୍ଧିଷ୍ଟ । ସେଥିମଧ୍ୟରୁ କେତେକ ଅଧିକାର ଉଭୟ ଭାରତୀୟ ନାଗରିକ ଓ ବିଦେଶୀନାଗରିକମାନେ ଉପଭୋଗ କରିପାରିବେ । ତନ୍ମଧ୍ୟରେ ଆଇନ ଆଖିରେ ସମସ୍ତେ ସମାନ, ବ୍ୟକ୍ତିଗତ ଜୀବନ ଓ ସ୍ଵତନ୍ତ୍ର ରକ୍ଷା , ଶୋଷଣ ବିରୋଧୀ ସ୍ଵାଧୀନତା ଓ ଧର୍ମଗତ ସ୍ଵାଧୀନତା ଅନ୍ତର୍ଭୁକ୍ତ ପୁନଶ୍ଚ ବିଭିନ୍ନ ସମୟରେ ଉଚ୍ଚତମ ନ୍ୟାୟାଳୟ ଏବଂ ଉଚ୍ଚ ନ୍ୟାୟାଳୟ ଦ୍ଵାରା ପ୍ରଦତ୍ତ ରାୟ ଫଳରେ ମୌଳିକ ଅଧିକାରର ପରିସର ବୃଦ୍ଧି ପାଇଛି । ଉଦାହରଣ ସ୍ୱରୂପ : ପ୍ରେସ ଓ ସମ୍ବାଦ ସରବରାହ ସ୍ଵାଧୀନତାର ଅଧିକାର, ସୂଚନା ଅଧିକାର , ଶିକ୍ଷା ଅଧିକାର ଆଦିର ସୃଷ୍ଟି ଏହି ମୌଳିକ ଅଧିକାରର ପରିସର ମଧ୍ୟରୁ ସମ୍ଭବ ହୋଇଛି ।

ଶିକ୍ଷା ଅଧିକାର ବ୍ୟବସ୍ଥାରେ ଛଅ ବର୍ଷରୁ ଚଉଦ ବୟସ ମଧ୍ୟରେ ଥିବା ସମସ୍ତ ବାଳକ ଓ ବାଳିକାମାନଙ୍କ ପାଇଁ ଶିକ୍ଷାଦାନର ବ୍ୟବସ୍ଥା ମାଗଣା ଓ ବାଧ୍ୟତାମୂଳକ କରାଯାଇଛି ।

ଭାରତରେ ଜନସାଧାରଣଙ୍କୁ ସୂଚନା ପ୍ରଦାନ କରିବା ପାଇଁ ସଂସଦ ଦ୍ଵାରା ସୂଚନା ଅଧିକାର ଆଇନ ପ୍ରଣୟନ କରାଯାଇଛି ୨୦୦୫ ମସିହାରେ ।

ସୁତରାଂ , ବର୍ତ୍ତମାନ ଜୀବନଧାରଣ ଅଧିକାରର ପରିସର ଯଥେଷ୍ଟ ବ୍ୟାପକ ହୋଇଅଛି ଏଥିରେ ସନ୍ଦେହ ନାହିଁ ।

ଆଧାର - ମାଧ୍ୟମିକ ଶିକ୍ଷା ପରିଷଦ , ଓଡିଶା