ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

୧୯୪୫ ମସିହାରେ ଦ୍ଵିତୀୟ ବିଶ୍ଵଯୁଦ୍ଧର ପରିସମାପ୍ତି ଘଟିଲା । ଏହି ବିଶ୍ଵଯୁଦ୍ଧର ବିଭୀଷିକା ସମଗ୍ର ବିଶ୍ଵରେ ଆତଙ୍କ ଖେଳାଇ ଦେଇଥିଲା । ପରମାଣୁ ବୋମା ବ୍ୟବହୃତ ହୋଇଥିବା ଏହି ବିଶ୍ଵଯୁଦ୍ଧରେ ମୃତାହତଙ୍କ ସଂଖ୍ୟା ଓ ବ୍ୟାପକ କ୍ଷୟକ୍ଷତି ବିଶ୍ଵବାସୀ ଏହା ଉପଲ୍ଲବ୍ଧ କଲେ ଯେ ଭବିଷ୍ୟରେ ଯେପରି ତୃତୀୟ ବିଶ୍ଵଯୁଦ୍ଧ ଆଉ ନହେଉ ଓ ପୃଥିବୀରେ ଶାନ୍ତି ଓ ମୈତ୍ରୀ ପୁନଃ ପ୍ରତିଷ୍ଠିତ ହେଉ । ଏହି ଲକ୍ଷ ନେଇ ଦ୍ଵିତୀୟ ବିଶ୍ଵଯୁଦ୍ଧରେ ବିଜୟୀ ଓ ବିଜିତ ରାଷ୍ଟ୍ରମାନେ ପୃଥିବୀରେ ସ୍ଥାୟୀ ପ୍ରତିଷ୍ଠା ନିମନ୍ତେ ପ୍ରଚେଷ୍ଟା ଆରମ୍ଭ କଲେ । ବିଶେଷ କରି “ ମିତ୍ର-ଶକ୍ତି “ ର ନେତୃତ୍ଵ ନେଇଥିବା ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ ଓ ସୋଭିଏତ ଋଷ ରାଷ୍ଟ୍ର ତ୍ରୟ ସ୍ଥାୟୀ ବିଶ୍ଵଶାନ୍ତି ପ୍ରତିଷ୍ଠା ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କଲେ ଓ ଅନ୍ତର୍ଜାତିକ ସ୍ତରରେ ଏକ ସୁଦୃଢ ସଂଗଠନର ଆବଶ୍ୟକତା ଅନୁଭବ କଲେ ।

ସଂଯୁକ୍ତ ରାଷ୍ଟ୍ର ସଂଘ ଗଠନ ପାଇଁ ଉଦ୍ୟମ ଆରମ୍ଭ

ଦ୍ଵିତୀୟ ବିଶ୍ଵଯୁଦ୍ଧ ଚାଲୁଥିବା ସମୟରେ ମିତ୍ର-ଶକ୍ତିର ରାଷ୍ଟ୍ରମୁଖ୍ୟମାନେ ବିଶ୍ଵଶାନ୍ତି ପ୍ରତିଷ୍ଠା ଦିଗରେ ରଣ କୌଶଳ ସ୍ଥିର କରିବା ପାଇଁ ବହୁବାର ବୈଠକରେ ମିଳିତ ହୋଇଥିଲା । ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଅନ୍ତର୍ଜାତିକ ସ୍ତରରେ ଶାନ୍ତି ଓ ନିରାପତ୍ତା ରକ୍ଷା କରିବା ପାଇଁ ଏକ ବିଶ୍ଵସ୍ତରୀୟ ସଂଗଠନ ପ୍ରତିଷ୍ଠା କରିବା ।

ଏ ଦିଗରେ ପ୍ରଥମ ପଦକ୍ଷେପ ଥିଲା “ ଆଟଲାଣ୍ଟିକ ସନନ୍ଦ “ । ବିଶ୍ଵଯୁଦ୍ଧ ଚାଲୁଥିବା ସମୟରେ ୧୯୪୧ ମସିହା ଅଗଷ୍ଟ ୧୪ ତାରିଖ ଦିନ ଉତ୍ତର ଆଟଲାଣ୍ଟିକ ମହାସାଗରରେ ଥିବା ଏକ ଯୁଦ୍ଧ ଜାହାଜରେ ତଦାନୀନ୍ତର ଆମେରିକା ରାଷ୍ଟ୍ରପଟି ଫ୍ରାଙ୍କଲୀନ ରୁଜଭେଲଟ ଓ ବ୍ରିଟିଶ ପ୍ରଧାନମନ୍ତ୍ରୀ ଉଇନଷ୍ଟଲ ଚର୍ଚ୍ଚିଲ ମିଳିତ ହୋଇ ବିଶ୍ଵ ଶାନ୍ତି ପ୍ରତିଷ୍ଠା ପାଇଁ ଆଠ ଦଫା ସମ୍ବଳିତ “ ଆଟଲାଣ୍ଟିକ ସନନ୍ଦ” ଜାରିକଲେ । ଏହି ସନନ୍ଦରେ ବାକସ୍ଵାଧୀନତା ଓ ଧର୍ମଗତ ସ୍ଵାଧୀନତା , ଅବାଧ ଜଳଯାତ୍ରା , ନିରାପତ୍ତା ଓ ନୀରସ୍ତ୍ରୀକରଣ ଏବଂ ଅନ୍ତର୍ଜାତିକ ଶାନ୍ତି ଓ ସହଯୋଗ ପ୍ରତିଷ୍ଠା ସମ୍ପର୍କରେ ଘୋଷଣା କରାଯାଇଥିଲା ।

ସାନଫ୍ରାନସୀସକୋ ସମ୍ମିଳନୀ ଥିଲା ଏହି ବିଶ୍ଵ ସଂଗଠନ ପ୍ରତିଷ୍ଠା ଦିଗରେ ଏକ ଚୁଡାନ୍ତ ପଦକ୍ଷେପ । ୧୯୪୫ ମସିହା ଅପ୍ରେଲ ୨୫ ତାରିଖ ଠାରୁ ଜୁନ ୨୬ ତାରିଖ ମଧ୍ୟରେ ୫୧ ଗୋଟି ରାଷ୍ଟ୍ରର ପ୍ରତିନିଧିମାନେ ଯୁକ୍ତରାଷ୍ଟ୍ରଆମେରିକାର ସାନଫ୍ରାନସୀସକୋ ସହରରେ ଏକ ସମ୍ମିଳନୀରେ ମିଳିତ ହୋଇ “ ସଂଯୁକ୍ତ ରାଷ୍ଟ୍ରସଂଘ “ ଗଠନ ନିମନ୍ତେ ଚୁଡାନ୍ତ ସନ୍ଦନ ପ୍ରସ୍ତୁତ କଲେ , ଯାହାକି ସଂଯୁକ୍ତ ରାଷ୍ଟ୍ରସଂଘର ସନନ୍ଦ ନାମରେ ସମଗ୍ର ବିଶ୍ଵରେ ସୁପରିଚିତ । ସର୍ବଶେଷରେ ସେହି ବର୍ଷ ଜୁନମାସ ୨୬ ତାରିଖ ଦିନ ସଂଯୁକ୍ତ ରାଷ୍ଟ୍ର ସଂଘର ସନନ୍ଦରେ ସାନଫ୍ରାନସୀସକୋ ସମ୍ମିଳନୀରେ ଉପସ୍ଥିତ ଥିବା ୫୧ ଟି ରାଷ୍ଟ୍ରର ୧୯୨ ଜଣ ପ୍ରତିନିଧି ସ୍ଵାକ୍ଷର ପ୍ରଦାନକରି ଏହି ସନନ୍ଦକୁ ସ୍ବୀକୃତୀ ପ୍ରଦାନ କଲେ । ଫଳରେ ୧୯୪୫ ମସିହା ଅକ୍ଟୋବର ମାସ ୨୪ ତାରିଖଦିନ ସଂଯୁକ୍ତ ରାଷ୍ଟ୍ରସଂଘ ଜନ୍ମନେଲା । ଏହି ଦିନଟି ପ୍ରତିବର୍ଷ “ ସଂଯୁକ୍ତ ରାଷ୍ଟ୍ରସଂଘ ଦିବସ “ ରୂପେ ପାଳନ କରାଯାଉଛି । ସମ୍ପ୍ରତି ସଂଯୁକ୍ତ ରାଷ୍ଟ୍ରସଂଘର ମୁଖ୍ୟକାର୍ଯ୍ୟ।ଳୟ ଯୁକ୍ତରାଷ୍ଟ୍ର ଆମେରିକାର ନିୟୁୟର୍କ ସହରରେ ଅବସ୍ଥାପିତ । ଏ ଅବିଧି ୨୦୧୧ ମସିହା ସୁଦ୍ଧା, ପୃଥିବୀର ୧୯୩ଟି ରାଷ୍ଟ୍ର ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟ ଅଛନ୍ତି ।

“ ସଂଯୁକ୍ତ ରାଷ୍ଟ୍ର ସଂଘ” ସନନ୍ଦ ସର୍ବମୋଟ ୧୦,୦୦୦ ଶବ୍ଦ ସମ୍ବଳିତ । ଏହି ସନନ୍ଦରେ ରହିଛି ୧୧୧ ଟି ଧାରା ଓ ଏହା ୧୯ ଗୋଟିଏ ଅଧ୍ୟାୟରେ ବିଭକ୍ତ । ଏହି ସନ୍ଦନ ପାଞ୍ଚଗୋଟି ଭାଷା ଯଥା- ଫରାସୀ, ରୁଷୀ,ଚୀନ ଇଂରାଜୀ ଓ ସ୍ପେନୀୟ ଭାଷାରେ ଲିଖିତ ।

ସଂଯୁକ୍ତ ରାଷ୍ଟ୍ରସଂଘର ନିଜର ସ୍ଵତନ୍ତ୍ର ପତାକା ଅଛି ।

ସଂଯୁକ୍ତ ରାଷ୍ଟ୍ରସଂଘର ଲକ୍ଷ୍ୟ

ସନନ୍ଦର ପ୍ରଥମ ଅଧ୍ୟାୟରେ ପ୍ରଥମ ଧାରାରେ ବର୍ଣ୍ଣିତ ସଂଯୁକ୍ତ ରାଷ୍ଟ୍ରସଂଘର ଲକ୍ଷ୍ୟଗୁଡିକ ନିମ୍ନପ୍ରକାରର ଅଟେ ।

ପୃଥିବୀ ଶାନ୍ତି ଓ ନିରାପତ୍ତା ପ୍ରତିଷ୍ଠା କରିବା ସଙ୍ଗେ ସଙ୍ଗେ ଯୁଦ୍ଧ ବନ୍ଦ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ।,

ଦେଶ ଦେଶ ମଧ୍ୟରେ ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କ ପ୍ରତିଷ୍ଠା କରିବା ସହିତ ସହଯୋଗ ଓ ସୁ ସମ୍ପର୍କ ବଜାୟ ରଖିବା ।

ଆନ୍ତର୍ଜାତିକ ସ୍ତରରେ ଅର୍ଥନୈତିକ , ସାମାଜିକ , ସାଂସ୍କୃତିକ ତଥା ମାନବିକ ସମ୍ପର୍କ ବୃଦ୍ଧି କରିବା ।

ଦାରିଦ୍ର୍ୟ, ନିରକ୍ଷରତା ଓ ବ୍ୟାଧି ଦୂରୀକରଣ ସହିତ ଦେଶ ଦେଶ ମଧ୍ୟରେ ଶିକ୍ଷା ଓ ସଂସ୍କୃତିର ବିକାଶ ଦିଗରେ ଚେଷ୍ଟା କରିବା ।

ଜାତି ଧର୍ମ, ଲୀଙ୍ଗ, ଭାଷା ଓ ଧର୍ମ ନିର୍ବିଶେଷରେ ମାନବାଧିକାର ଓ ମୌଳିକ ଅଧିକାର ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହିତ ଏହାର ସୁରକ୍ଷା ଦିଗରେ ସମସ୍ତ ରାଷ୍ଟ୍ରମାନଙ୍କୁ ଉତ୍ସାହିତ କରିବା ।

ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟ ପଦ

ସନନ୍ଦର ତୃତୀୟ ଧାରା ଅନୁସାରେ ସଂଯୁକ୍ତ ରାଷ୍ଟ୍ରସଂଘର ସମସ୍ତ ସଦସ୍ୟ ମୁଖ୍ୟତଃ ଦୁଇଟି ଶ୍ରେଣୀର ଯଥା :-

(କ) ସାନଫ୍ରାନସୀସକୋ ସମ୍ମିଳନୀ ରେ ଯୋଗ ଦାନକରି ସନନ୍ଦରେ ପ୍ରଥମେ ସ୍ଵାକ୍ଷର ପ୍ରଦାନ କରିଥିବା ୫୧ ଟି ରାଷ୍ଟ୍ର ହେଲେ “ ମୂଳ ସଦସ୍ୟ )

(ଖ) ପରବର୍ତ୍ତୀ ସମୟରେ ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟପଦ ଗ୍ରହଣ କରିଥିବା ଅନ୍ୟ ରାଷ୍ଟ୍ରମାନେ ।

ନୂତନ ସଦସ୍ୟପଦ ଗ୍ରହଣ

ସନନ୍ଦର ଚତୁର୍ଥ ଧାରା ଅନୁସାରେ ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟପଦ ସମତ ଶାନ୍ତିପ୍ରେମୀ ରାଷ୍ଟ୍ରମାନଙ୍କ ପାଇଁ ଉଦ୍ଧିଷ୍ଟ , ଯେଉଁ ରାଷ୍ଟ୍ରମାନେ ସନନ୍ଦର ସମସ୍ତ ନୀତି ନିୟମକୁ ମାନି ଚଳିବାକୁ ପ୍ରତିସ୍ରୁତିବଦ୍ଧ ।

ନିରାପତ୍ତା ପଶିଷଦ ଅନୁମୋଦନ କ୍ରମେ, ସନନ୍ଦର ବ୍ୟବସ୍ଥାକୁ ମାନିଚଳିବାକୁ ପ୍ରତିଶ୍ରୁତିବଦ୍ଧ ରାଷ୍ଟ୍ରମାନଙ୍କୁ “ ସାଧାରଣ ସଭା “ ର ଅନୁମତି ମିଳିବା ପରେ ସଂଯୁକ୍ତ ରାଷ୍ଟ୍ରସଂଘର ନୂତନ ସଦସ୍ୟ ରୂପେ ଗ୍ରହଣ କରାଯାଇ ପାରିବ ।

ସଦସ୍ୟପଦରୁ ବହିଷ୍କାର ବ୍ୟବସ୍ଥା

ନିରାପତ୍ତା ପରିଷଦ ଅନୁମୋଦନ କ୍ରମେ ସନନ୍ଦରେ ବ୍ୟବସ୍ଥାକୁ ବାରମ୍ବାର ଭଙ୍ଗ କରୁଥିବା ଯେ କୌଣସି ରାଷ୍ଟ୍ରକୁ “ ସାଧାରଣସଭା “ ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟପଦରୁ ବହିଷ୍କାର କରିଥାଆନ୍ତି ।

ସଂଯୁକ୍ତ ରାଷ୍ଟ୍ରସଂଘର ଛଅଗୋଟି ମୁଖ୍ୟ ଅଙ୍ଗଓ ଛଅଗୋଟି ସ୍ଵତନ୍ତ୍ର ସଂସ୍ଥାଗୁଡିକର ନାମ ନିମ୍ନରେ ପ୍ରଦତ୍ତ ହୋଇଅଛି ।

(କ) ମୁଖ୍ୟ ଅଙ୍ଗ :

ସାଧାରଣ ସଭା

ନିରାପତ୍ତା ପରିଷଦ

ନ୍ୟାସ ପରିଷଦ

ଅର୍ଥନୈତିକ ଓ ସାମାଜିକ ପରିଷଦ

ଅନ୍ତର୍ଜାତିକ ନ୍ୟାୟାଳୟ

ସଚିବାଳୟ

(ଖ) ସ୍ଵତନ୍ତ୍ର ସଂସ୍ଥା :

ଶ୍ରମିକ କଲ୍ୟାଣ ସାଧନ ପାଇଁ ଆନ୍ତର୍ଜାତିକ ଶ୍ରମ ସଂଗଠନ

କୃଷିର ବିକାଶ ପାଇଁ ଖାଦ୍ୟ ଓ କୃଷି ସଂଗଠନ

ବାଣିଜ୍ୟ – ବ୍ୟବସାୟ ପାଇଁ ଅନ୍ତର୍ଜାତିକ ବ୍ୟାପାର ସଂଗଠନ ।

ଶିକ୍ଷାର ଉନ୍ନତି ସାଧନ ପାଇଁ ଅନ୍ତର୍ଜାତିକ ଶିକ୍ଷା, ବିଜ୍ଞାନ, ଏବଂ ସାଂସ୍କୃତିକ ସଂଗଠନ ।

ଶିଶୁ କଲ୍ୟାଣ ପାଇଁ ଅନ୍ତର୍ଜାତିକ ଶିଶୁ କଲ୍ୟାଣ ଜରୁରୀକାଳୀନ ପାଣ୍ଠି ।

ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ବିଶ୍ଵସ୍ୱାସ୍ଥ୍ୟ ସଂଗଠନ ।

ସାଧାରଣ ସଭା

ସଂଯୁକ୍ତ ରାଷ୍ଟ୍ରସଂଘର ଛଅ ଗୋଟି ଅଙ୍ଗ ମଧ୍ୟରୁ ସାଧାରଣ ସଭା ଅନ୍ୟତମ । ସାଧାରଣସଭାକୁ “ ପୃଥିବୀର ପଞ୍ଚାୟତ “ ର ଆଖ୍ୟା ମିଳିଛି , କାରଣ ଏହି ସଭାରେ ସଂଯୁକ୍ତ ରାଷ୍ଟ୍ରସଂଘର ସମସ୍ତ ସଦସ୍ୟ –ରାଷ୍ଟ୍ରର ପ୍ରତିନିଧିମାନେ ଆଲୋଚନା ଓ ବିତର୍କ ମାଧ୍ୟମରେ ବିଭିନ୍ନ ଆନ୍ତର୍ଜାତିକ ସମସ୍ୟାର ସମାଧାନ କରିଥାଆନ୍ତି ।

ପ୍ରତ୍ୟେକ ସଦସ୍ୟ- ରାଷ୍ଟ୍ର ଏହି ସାଧାରଣ ସଭାକୁ ପାଞ୍ଚଜଣ ଲେଖାଏଁ ପ୍ରତିନିଧି ପଠାଇଥାଆନ୍ତି । କିନ୍ତୁ ପ୍ରତି ସଦସ୍ୟ ରାଷ୍ଟ୍ର ମାତ୍ର ଗୋଟିଏ “ ଭୋଟ “ ଦେବାର ଅଧିକାର ରହିଛି । ସଂଯୁକ୍ତ ରାଷ୍ଟ୍ରସଂଘର ପରିସରଭୁକ୍ତ ସମସ୍ତ ବିଷୟ ଏହି ସଭାରେ ଆଲୋଚିତ ହୋଇଥାନ୍ତି ।

ସାଧାରଣ ସଭା ପ୍ରତି ବର୍ଷ ଗୋଟିଏ ଥର ବୈଠକରେ ମିଳିତ ହୁଏ । ଆବଶ୍ୟକ ହେଲେ , ଜରୁରୀ ଅଧିବେଶନ ମଧ୍ୟ ଡକାଯାଇଥାଏ । ପ୍ରତିବର୍ଷ ସାଧାରଣ ସଭାର ସଭାପତି (ଅଧ୍ୟକ୍ଷ) ଗୋପନୀୟ ମତଦାନ ପଦ୍ଧତି ଅନୁସାରେ ଏକ ବର୍ଷ ପାଇଁ ସାଧରଣ ସଭାର ସଦସ୍ୟ –ରାଷ୍ଟ୍ରମାନଙ୍କର ପ୍ରତିନିଧିମାନଙ୍କ ଦ୍ଵାରା ନିର୍ବାଚିତ ହୁଅନ୍ତି । ସଭାପତିଙ୍କୁ ବାଦଦେଲେ ଅନ୍ୟ ୧୭ ଜଣ ନିର୍ବାଚିତ ଉପସଭାପତି ବିଶ୍ଵର ବିଭିନ୍ନ ଅଞ୍ଚଳରୁ ପ୍ରତିନିଧିତ୍ଵ କରନ୍ତି ।

ଜରୁରୀ ପରିସ୍ଥିତି ଉପୁଜିଲେ ୨୪ ଘଣ୍ଟା ସମୟ ମଧ୍ୟରେ ସାଧାରଣ ସଭା ବୈଠକରେ ମିଳିତ ହୋଇଥାଏ । ସାଧାରଣ ସଭାର “ ସାତଗୋଟି କମିଟି ଅଛି । ସେହି କମିଟିଗୁଡିକ ହେଲା :

ରାଜନୈତିକ ଏବଂ ନିରାପତ୍ତା କମିଟି ।

ଅର୍ଥନୈତିକ କମିଟି ।

ସାମାଜିକ ସଂସ୍ଥା ଓ ସାଂସ୍କୃତିକ କମିଟି ।

ନ୍ୟାସ କମିଟି ।

ପ୍ରଶାସନିକ ଓ ବଜେଟ କମିଟି ।

ଆଇନଗତ କମିଟି ।

ସ୍ଵତନ୍ତ୍ର ରାଜନୈତିକ କମିଟି ।

ସାଧାରଣସଭାରେ କିପରି ନିଷ୍ପତ୍ତି ନିଆଯାଏ

ସମସ୍ତ ସରଳ ଓ ସହଜ ସମସ୍ୟାର ସମାଧାନ ସାଧାରଣ ସଭାର ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କର ସାଧାରଣ ସଂଖ୍ୟାଗରିଷ୍ଠ (୫୦%+ ୧) ମତ ବା ସମର୍ଥନ ଅନୁସାରେ ହୋଇଥାଏ ।

ଅନ୍ୟ ସମସ୍ତ ଜରୁରୀ ବା ଗୁରୁତର ସମସ୍ୟାର ସମାଧାନର ନିଷ୍ପତ୍ତି ଉପସ୍ଥିତ ସମସ୍ତ ସଦସ୍ୟଙ୍କର ଦୁଇ –ତୃତୀୟାଂସ ସଂଖ୍ୟାଗରିଷ୍ଠ ସମର୍ଥନରେ ନିଆଯାଏ । ତେବେ , ସଂକ୍ଷେପରେ କହିଲେ ସାଧାରଣ ସଭାରେ ସମସ୍ତ ନିଷ୍ପତ୍ତି କେବଳ “ ଭୋଟ ଦାନ ବା ମତଦାନ ମାଧ୍ୟମରେ ନିଆଯାଏ ।

ସାଧାରଣ ସଭାର ମୁଖ୍ୟ କାର୍ଯ୍ୟ।ବଳୀ ନିମ୍ନୋକ୍ତ ପାଞ୍ଚ ପ୍ରକାରର,

ଯଥା

ଆଲୋଚନା ବା ବିତର୍କମୂଳକ କାର୍ଯ୍ୟ ।

ପର୍ଯ୍ୟବେକ୍ଷଣ ସମ୍ପର୍କିତ କାର୍ଯ୍ୟ ।

ଅର୍ଥ ସମ୍ପର୍କିତ କାର୍ଯ୍ୟ ।

ନିର୍ବାଚିତ ସମ୍ପର୍କିତ କାର୍ଯ୍ୟ ।

ସନନ୍ଦ ସଂଶୋଧନ ସମ୍ପର୍କିତ କାର୍ଯ୍ୟ ।

ପ୍ରୋକ୍ତ କାର୍ଯ୍ୟ।ବଳୀର ସଂକ୍ଷିପ୍ତ ବର୍ଣ୍ଣନା ନିମ୍ନରେ ପ୍ରଦତ୍ତ ହେଲା

ଆଲୋଚନା ବା ବିତର୍କମୂଳକ କାର୍ଯ୍ୟ – ସାଧାରଣ ସଭାରେ ସଂଯୁକ୍ତ ରାଷ୍ଟ୍ରସଂଘ ପରିସର ଭୁକ୍ତ ସମସ୍ତ ବିଷୟ ଉପରେ ବିତର୍କ ବା ଆଲୋଚନା କରଯାଇଥାଏ । ଅତୀତରେ ଗ୍ରୀସ , ପାଲେଷ୍ଟାଇନ , କୋରିଆ, ହଙ୍ଗେରୀ, ଭାରତ –ପାକିସ୍ଥାନ ବିବାଦ, ସୁଏଜ କେନାଲ ସଙ୍କଟ , ନୀରସ୍ତ୍ରୀକରଣ , ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟ ଇତ୍ୟାଦି ସମସ୍ୟାଗୁଡିକ ସାଧାରଣ ସଭାରେ ବିସ୍ତ୍ରୁତ ଭାବରେ ଆଲୋଚିତ ହୋଇଅଛି ।

ନ୍ୟାସ ପରିଷଦର କାର୍ଯ୍ୟକୁ ସାଧାରଣ ସଭା ତଦାରଖ କରେ । ସଂଯୁକ୍ତ ରାଷ୍ଟ୍ରସଂଘରେ କାର୍ଯ୍ୟରତ କର୍ମଚାରୀମାନଙ୍କର ଚାକିରି ସର୍ତ୍ତାବଳୀ ସମ୍ପର୍କିତ ନିୟମାବଳୀ ସାଧାରଣସଭାରେ ଅନୁମୋଦନ ହୋଇଥାଏ । ସଂଯୁକ୍ତ ରାଷ୍ଟ୍ରସଂଘର ବିଭିନ୍ନ ସ୍ଵତନ୍ତ୍ର ସଂସ୍ଥା ଯଥା, ବିଶ୍ଵସ୍ୱାସ୍ଥ୍ୟ ସଂଗଠନ , ଆନ୍ତର୍ଜାତିକ ଶ୍ରମ ସଂଗଠନ ଓ ଖାଦ୍ୟ ଓ କୃଷି ସଂଗଠନ, ଆନ୍ତର୍ଜାତିକ ମୁଦ୍ରା ସଂସ୍ଥାର କାର୍ଯ୍ୟ ମଧ୍ୟରେ ସମନ୍ଵୟ ରକ୍ଷା କରେ ସାଧାରଣ ସଭା ।

ଅର୍ଥ ସମ୍ପର୍କିତ କାର୍ଯ୍ୟ : ସାଧାରଣ ସଭାରେ ସଂଯୁକ୍ତ ରାଷ୍ଟ୍ରସଂଘର ବାର୍ଷିକ ଆୟବ୍ୟୟର ଅଟକଳ (ବଜେଟ )ଅନୁମୋଦନ ହୋଇଥାଏ ।

ନିର୍ବାଚିତ କାର୍ଯ୍ୟ :

ସାଧାରଣ ସଭାର ସଦସ୍ୟମାନଙ୍କର ଦ୍ଵାରା ନିରାପତ୍ତା ପରିଷଦର ୧୦ ଜଣ ଅସ୍ଥାୟୀ ସଦସ୍ୟ , ଅର୍ଥନୈତିକ ଓ ସାମାଜିକ ପରିଷଦର ୧୮ ଜଣ ସଦସ୍ୟ, ଓ ଆନ୍ତର୍ଜାତିକ ନ୍ୟାୟାଳୟର ବିଚାରପତି ବୃନ୍ଦ ନିର୍ବାଚିତ ହୋଇଥାନ୍ତି ।

ନିରାପତ୍ତା ପରିଷଦର ପରାମର୍ଶ କ୍ରମେ ସାଧାରଣ ସଭାର ଅନୁମୋଦନ ସହିତ ସଂଯୁକ୍ତ ରାଷ୍ଟ୍ରସଂଘର ମହାସଚିବ ନିଯୁକ୍ତ ହୁଅନ୍ତି ।

ସନନ୍ଦ ସଂଶୋଧିତ ସମ୍ପର୍କିତ କାର୍ଯ୍ୟ :

ସଂଯୁକ୍ତ ରାଷ୍ଟ୍ରସଂଘର ସନନ୍ଦର ଆବଶ୍ୟକ ସଂଶୋଧନ ପାଇଁ ଉଦ୍ଧିଷ୍ଟ ପ୍ରସ୍ତାବ ସାଧାରଣ ସଭାର ଦୁଇ –ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଓ ନିରାପତ୍ତା ପରିଷଦର ସମସ୍ତ ସ୍ଥାୟୀ ସଦସ୍ୟଙ୍କ ଅନୋମୋଦନ ସହିତ ଗୃହିତ ହେବାପରେ କାର୍ଯ୍ୟକାରୀ ହୁଏ ।

ନିରାପତ୍ତା ପରିଷଦ

ନିରାପତ୍ତା ପରିଷଦ ହେଉଛି ସଂଯୁକ୍ତ ରାଷ୍ଟ୍ରସଂଘର କାର୍ଯ୍ୟପାଳିକା ଅଙ୍ଗ । ସନନ୍ଦ ଧାରା ୨୩ ଅନୁସାରେ ୧୯୬୬ ଜାନୁଆରୀ ୧ ତାରିଖଠାରୁ ନିରାପତ୍ତା ପରିଷଦରେ ସର୍ବମୋଟ ପନ୍ଦର ଗୋଟି ରାଷ୍ଟ୍ର ସଦସ୍ୟ ରହିଛନ୍ତି । ସେମାନଙ୍କ ମଧ୍ୟରେ ପାଞ୍ଚଗୋଟି ରାଷ୍ଟ୍ର ସ୍ଥାୟୀ ସଦସ୍ୟ ଓ ଦଶ ଗୋଟି ରାଷ୍ଟ୍ର ଅସ୍ଥାୟୀ ସଦସ୍ୟ । ପାଞ୍ଚଗୋଟି ସ୍ଥାୟୀ ସଦସ୍ୟ ରାଷ୍ଟ୍ର ହେଲେ - ଯୁକ୍ତରାଷ୍ଟ୍ର ଆମେରିକା , ଇଂଲାଣ୍ଡ , ଫ୍ରାନସ , ରୁଷିଆ, ଓ ଚୀନ । “ ଏମାନେ ବୃହତ ଶକ୍ତି “ ନାମରେ ପରିଚିତ । ଅନ୍ୟ ଦଶ ଗୋଟି ଅସ୍ଥାୟୀ ସଦସ୍ୟ ରାଷ୍ଟ୍ର ପ୍ରତି ଦୁଇ ବର୍ଷ ପାଇଁ ସାଧାରଣ ସଭା ଦ୍ଵାରା ନିର୍ବାଚିତ ହୁଅନ୍ତି । ଆପାତତଃ ବିଶ୍ଵର ସମସ୍ତ ଅଞ୍ଚଳକୁ ସମାନ ପ୍ରତିନିଧି ମିଳିବା ପାଇଁ ଏପରି ଦ୍ଵି-ବାର୍ଷିକ ନିର୍ବାଚନ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଭାରତ ଦୁଇ ବର୍ଷ ପାଇଁ ଅସ୍ଥାୟୀ ସଦସ୍ୟପଦ ପାଇବା ପାଇଁ ଚେଷ୍ଟା କରୁଅଛି । ନିରାପତ୍ତା ପରିଷଦର ଜଣେ ଅଧ୍ୟକ୍ଷ ଅଛନ୍ତି । ମାତ୍ର ଅଧ୍ୟକ୍ଷ ପଦବୀ ସଦସ୍ୟ ରାଷ୍ଟ୍ରମାନଙ୍କର ନାମର ପ୍ରଥମ ଅକ୍ଷର ଅନୁସାରେ ପ୍ରତି ମାସରେ ଗୋଟିଏ ଗୋଟିଏ ରାଷ୍ଟ୍ରକୁ ମିଳିଥାଏ । ତେଣୁ ଅଧ୍ୟକ୍ଷ ପଦବୀ ଘୂର୍ଣ୍ଣାୟମାନ ।

ନିରାପତ୍ତା ପରିଷଦରେ ଭୋଟ ଦାନ ବା ମତ ପ୍ରଣାଳୀ

ନିରାପତ୍ତା ପରିଷଦ ସମସ୍ତ ନିଷ୍ପତ୍ତି “ ଭୋଟ “ ବା “ ମତ “ ଦାନ ପ୍ରଣାଳୀରେ ନିଆଯାଏ । ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ରଙ୍କର ଗୋଟିଏ ଲେଖାଏଁ ଭୋଟ ରହିଛି । ନିରାପତ୍ତା ପରିଷଦରେ ଦୁଇଟି ପ୍ରଣାଳୀରେ ନିଷ୍ପତ୍ତି ଗ୍ରହଣ କରାଯାଇଥାଏ । ପ୍ରଥମଟି ହେଲା – ନିୟମ ବା ପଦ୍ଧତି ସମ୍ପର୍କିତ ଓ ଦ୍ଵିତୀୟଟି ହେଲା ଗୁରୁତ୍ଵପୂର୍ଣ୍ଣ ବିଷୟବସ୍ତୁ ସମ୍ପର୍କିତ ।

ଭିଟୋ ବ୍ୟବସ୍ଥା

ଯେତେବେଳେ କୌଣସି ଗୁରୁତ୍ଵପୂର୍ଣ୍ଣ ବିଷୟବସ୍ତୁ ସମ୍ପର୍କିତ ସମସ୍ୟା ନିରାପତ୍ତା ପରିଷଦର ନିଷ୍ପତ୍ତି ପାଇଁ ବିଚାରକୁ ଆସେ , ସେତେବେଳେ ପାଞ୍ଚ ଜଣ ସ୍ଥାୟୀ ସଦସ୍ୟଙ୍କ ସମେତ ନଅ ଜଣ ସଦସ୍ୟଙ୍କ ସମର୍ଥନ ନିଶ୍ଚିତ ଭାବେ ଆବଶ୍ୟକ । ଯଦି କେହି ଜଣେ ସ୍ଥାୟୀ ସଦସ୍ୟ ପ୍ରସ୍ତାବ ସପକ୍ଷରେ ଭୋଟ ନ ଦିଅନ୍ତି, ତେବେ ସେ କ୍ଷେତ୍ରରେ “ଭିଟୋ “ ପ୍ରୟୋଗ ହେଲା ବୋଲି ବୁଝିବାକୁ ହେବ । ଏହା ସ୍ଥାୟୀ ସଦସ୍ୟଭୋଟଦାନ ସମୟରେ ଅନୁପସ୍ଥିତ ରହିଲେ , ତାହା ଭିଟୋ ବୋଲି ଗଣାଯାଏ ନାହିଁ ।ତେଣୁ ଭିଟୋ କ୍ଷମତା କେବଳ ଉପସ୍ଥିତ ରହି ଜାହିର କରାଯାଏ । ଏହା ତାତ୍ପର୍ଯ୍ୟ ହେଲା ଯେ ସମସ୍ତ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କ୍ଷେତ୍ରରେ ପାଞ୍ଚଜଣଯାକ ସ୍ଥାୟୀ ସଦସ୍ୟଙ୍କ ସହମତି ର ଆବଶ୍ୟକ ଅଛି । ବିଶ୍ଵଶାନ୍ତି ପ୍ରତିଷ୍ଠା ନିରାପତ୍ତା ପରିଷଦ ସଙ୍ଗେସଙ୍ଗେ ଶାନ୍ତି ପ୍ରତିଷ୍ଠା ଲାଗି ବିହିତ ଉଦ୍ୟମ କରିଥାଏ । ସଂଯୁକ୍ତ ରାଷ୍ଟ୍ରସଂଘର ସାଧାରଣ ସଭାରେ ଗୃହିତ ନିଷ୍ପତ୍ତି କାର୍ଯ୍ୟକାରୀ କରିବାର ଦାୟିତ୍ଵ ନିରାପତ୍ତା ପରିଷଦ ହାତରେ ନ୍ୟସ୍ତ କରଯାଇଛି ।

ନିରାପତ୍ତା ପରିଷଦ ବୈଠକରେ ସମସ୍ତ ପନ୍ଦର ଜଣ ସଦସ୍ୟ ଭାବ ନିଅନ୍ତି । ନିରାପତ୍ତାର ଚାରି ପ୍ରକାରର କାର୍ଯ୍ୟ ରହିଛି , ଯଥା –

ଆଲୋଚନା କାର୍ଯ୍ୟ ।

ନିଷ୍ପତ୍ତି କାର୍ଯ୍ୟକାରୀ କରାଇବା କାର୍ଯ୍ୟ ।

ନିର୍ବାଚନ ସମ୍ପର୍କିତ କାର୍ଯ୍ୟ ।

ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ସମ୍ପର୍କିତ କାର୍ଯ୍ୟ ।

ମୁଖ୍ୟତଃ, କୌଣସି ବିବାଦ ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟ – ରାଷ୍ଟ୍ରମାନଙ୍କ ମଧ୍ୟରେ ଉପୁଜିଲେ , ସେ ସମ୍ପର୍କରେ ନିରାପତ୍ତା ପରିଷଦର ଦ୍ରୁଷ୍ଟି ଆକର୍ଷଣ କରାଯାଏ ଓ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଦିଗରେ ନିରାପତ୍ତା ପରିଷଦ ସମସ୍ତ ଚେଷ୍ଟା କରିଥାଏ ।

ନ୍ୟାସ ପରିଷଦ

ସଂଯୁକ୍ତ ରାଷ୍ଟ୍ରସଂଘ ଅଧୀନରେ ଥିବା ଅନୁନ୍ନତ ଅଞ୍ଚଳ ଏବଂ କୌଣସି ରାଷ୍ଟ୍ରର ପରିସୀମା ଅନ୍ତର୍ଭୁକ୍ତ ହୋଇନଥିବା ଅଞ୍ଚଳମାନଙ୍କର ପ୍ରଶାସନ ଦାୟିତ୍ଵ : ନ୍ୟାସ ପରିଷଦ “ ଉପରେ ନ୍ୟସ୍ତ । ଏହି ପରିଷଦରେ ଥିବା ନିରାପତ୍ତା ପରିଷଦର ପାଞ୍ଚଜଣ ସ୍ଥାୟୀ ସଦସ୍ୟଙ୍କ ବ୍ୟତୀତ ଅନ୍ୟ ସଦସ୍ୟମାନେ ପ୍ରତି ଜଣ ତିନି ବର୍ଷ ପାଇଁ ସାଧାରଣ ସଭା ଦ୍ଵାରା ନିର୍ବାଚିତ ହୋଇଥାଆନ୍ତି । ନ୍ୟାସ ପରିଷଦର ବୈଠକ ପ୍ରତି ବର୍ଷ ଦୁଇ ଠାରେ ବସେ ।

ଅର୍ଥନୈତିକ ଓ ସାମାଜିକ ପରିଷଦ

ଏହି ପରିଷଦର ସଦସ୍ୟ ସଂଖ୍ୟା ୫୪ । ଏହି ସଦସ୍ୟମାନେ ସାଧାରଣ ସଭା ଦ୍ଵାରା ପ୍ରତି ତିନି ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି । ବିଶ୍ଵରେ ଅର୍ଥନୈତିକ ଓ ସାମାଜିକ ସମାସ୍ୟାର ସମାଧାନ ଦିଗରେ ଏହି ପରିଷଦ ସଂଯୁକ୍ତ ରାଷ୍ଟ୍ରସଂଘକୁ ବିଭିନ୍ନ ପ୍ରସ୍ତାବ ହେଇଥାଏ ।

ଆନ୍ତର୍ଜାତିକ ନ୍ୟାୟାଳୟ

ଏହା ସଂଯୁକ୍ତ ରାଷ୍ଟ୍ରସଂଘର ମୁଖ୍ୟ ନ୍ୟାୟୀକ ସଂସ୍ଥା । ଏହି ନ୍ୟାୟାଳୟରେ ପନ୍ଦର ଜଣ ବିଚାରପତି ଅଛନ୍ତି । ନିରାପତ୍ତା ପରିଷଦର ସୁପାରିସ କ୍ରମେ ସାଧାରଣ ସଭା ଦ୍ଵାରା ଏହି ବିଚାର ପତିମାନେ ନିର୍ବାଚିତ ହୋଇଥାନ୍ତି । ବିଚାରପତିମାନଙ୍କ କାର୍ଯ୍ୟକାଳ ନଅ ବର୍ଷ । ପ୍ରତି ତିନିବର୍ଷ ରେ ଏକ-ତୃତୀୟାଂଶ ବିଚାରପତି ଅବସର ଗ୍ରହଣ କରନ୍ତି ଓ ସେମାନଙ୍କ ସ୍ଥାନରେ ନୂତନ ବିଚାରପତି ନିର୍ବାଚିତ ହୁଅନ୍ତି । ଅବସରପ୍ରାପ୍ତ ବିଚାରପତିମାନେ ପୁନଃ ନିର୍ବାଚିତ ହେବାର କୌଣସି ବାଧାନାହିଁ । ଏହା ନ୍ୟାୟାଳୟର ମୁଖ୍ୟ କାର୍ଯ୍ୟ।ଳୟ “ ଦି ହେଗ “ ଠାରେ ଅବସ୍ଥିତ । ଏହି ନ୍ୟାୟାଳୟର ପ୍ରତ୍ୟେକ ବିଚାରପତି ବାର୍ଷିକ ନିର୍ଦ୍ଧିଷ୍ଟ ପରିମାଣର ଦରମା ଓ ଭତ୍ତା ଆମେରିକୀୟ ଡଲାରରେ ପାଆନ୍ତି । ଏହା “ କର “ ମୁକ୍ତ ଅଟେ । ବିଚାରପତି ମାନେ ଅବସର ପରେ “ ଅବସରକାଳୀନ ଭତ୍ତା ପାଇଥାନ୍ତି । ବିଚାରପତିଙ୍କ ଦରମା ସାଧାରଣ ସଭା ଦ୍ଵାରା ସ୍ଥିରୀକୃତ ହୁଏ । ନଅଜଣ ବିଚାରପତିଙ୍କୁ ନେଇ “କୋରମ “ ଗଠିତ ହୁଏ । ବିଚାରପତିମାନେ ସେମାନଙ୍କର ମଧ୍ୟରୁ ଜଣଙ୍କୁ ଅଧ୍ୟକ୍ଷ ଓ ଅନ୍ୟ ଜଣକୁ ଉପାଧ୍ୟକ୍ଷ ଭାବରେ ତିନି ବର୍ଷ ପାଇଁ ନିର୍ବାଚିତ କରନ୍ତି ।

ଏହି ନ୍ୟାୟାଳୟର ସମତ ନିଷ୍ପତ୍ତି ସଂଖ୍ୟାଗରିଷ୍ଠ ମତରେ ନିଆଯାଏ । ନିଷ୍ପତ୍ତି ନେବା ସମୟରେ ସପକ୍ଷ ଓ ବିପକ୍ଷ ମତ ସମାନ ହେଲେ , ଅଧ୍ୟକ୍ଷ ନିଜର ନିର୍ଣ୍ଣାୟକ ଭୋଟ ଜରିଆରେ ନିଷ୍ପତ୍ତି ଧାର୍ଯ୍ୟ କରନ୍ତି । ନ୍ୟାୟାଳୟର ନିଷ୍ପତ୍ତିକୁ ମୋକଦ୍ଦମାରେ ସମ୍ପୃକ୍ତ ଓ ବିବାଦ ସହିତ ସମ୍ପୃକ୍ତ ସମସ୍ତ ରାଷ୍ଟ୍ର ଗ୍ରହଣ କରିବାକୁ ବାଧ୍ୟ । ନ୍ୟାୟାଳୟର ନିଷ୍ପତ୍ତି (ରାୟ) କୁ ଯଦି କୌଣସି ରାଷ୍ଟ୍ର ଗ୍ରହଣ କରିବାକୁ ଅରାଜି ହୁଅନ୍ତି , ତେବେ ନ୍ୟାୟାଳୟର ନିଷ୍ପତିକୁ କାର୍ଯ୍ୟକାରୀ କରାଇବା ନିରାପତ୍ତା ପରିଷଦର ଦାୟିତ୍ଵ ।

ଆନ୍ତର୍ଜାତିକ ନ୍ୟାୟାଳୟର କ୍ଷେତ୍ରାଧିକର ଦୁଇ ପ୍ରକାରର ଯଥା – (କ) ବାଧ୍ୟତାମୂଳକ (ଖ) ଇଚ୍ଛାଧୀନ । ଆନ୍ତର୍ଜାତିକ ନ୍ୟାୟାଳୟ ଅଦ୍ୟାବଧି ବହୁ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଏହି ନ୍ୟାୟାଳୟର ଉପଦେଶମୂଳକ କ୍ଷେତ୍ରାଧିକର ରହିଛି । ନ୍ୟାୟାଳୟ ଏହି କ୍ଷମତା ପ୍ରୟୋଗ ଜରିଆରେ ସାଧାରଣ ସଭା , ନିରାପତ୍ତା ପରିଷଦ ତଥା ସଂଯୁକ୍ତ ରାଷ୍ଟ୍ରସଂଘର ସ୍ଵତନ୍ତ୍ର ସଂସ୍ଥାଗୁଡିକୁ ପରାମର୍ଶ ଦେଇଥାନ୍ତି । ରାଷ୍ଟ୍ରମାନଙ୍କ ମଧ୍ୟରେ ବିବାଦ ଉପୁଜିଲେ , ଅନ୍ତର୍ଜାତିକ ନ୍ୟାୟାଳୟ ଉକ୍ତ ବିବାଦ ସହିତ ସମ୍ପୃକ୍ତ ରାଷ୍ଟ୍ରମାନଙ୍କର ସମ୍ମତି କ୍ରମେ ସେହି ବିବାଦର ସମାଧାନ କରେ । ଆନ୍ତର୍ଜାତିକ ନ୍ୟାୟାଳୟ ଉକ୍ତ ବିବାଦ ସହିତ ସମ୍ପୃକ୍ତ ରାଷ୍ଟ୍ରମାନଙ୍କର ସମ୍ମତି କ୍ରମେ ସେହି ବିବାଦର ସମାଧାନ କରେ । ଆନ୍ତର୍ଜାତିକ ଚୁକ୍ତି ଖିଲାପ ହେଲେ ବା ଅନ୍ତର୍ଜାତିକ ଆଇନର ଉଲ୍ଲଂଘନ ହେଲେ ନ୍ୟାୟାଳୟ ନିଜର ବାଧ୍ୟତାମୂଳକ ବିଚାର କ୍ଷମତା ପ୍ରୟୋଗ କରିଥାଏ ।

ସଚିବାଳୟ

ସଚିବାଳୟ ହେଉଛି ସଂଯୁକ୍ତ ରାଷ୍ଟ୍ର ସଂଘର ମୁଖ୍ୟ ପ୍ରଶାସନିକ ଅଙ୍ଗ । ଏହି ପ୍ରଶାସନିକ କାର୍ଯ୍ୟରେ ଏବେ ନିୟୋଜିତ ହୋଇଛନ୍ତି ପ୍ରାୟ ୪୪ ହଜାର କର୍ମଚାରୀ । ନିରାପତ୍ତା ପରିଷଦର ଅନୁମୋଦନ କ୍ରମେ ସାଧାରଣ ସଭା ଦ୍ଵାରା ସଚିବାଳୟର ମହାସଚିବ ନିଯୁକ୍ତ ହୁଅନ୍ତି ।

ସଂଯୁକ୍ତ ରାଷ୍ଟ୍ରସଂଘର ମୁଖ୍ୟ ଅଙ୍ଗଗୁଡିକର କାର୍ଯ୍ୟ ପ୍ରକ୍ରିୟା ଓ କାର୍ଯ୍ୟ।ବଳୀ ସଚିବାଳୟ ଦ୍ଵାରା ସଂଯୋଜିତ ହୁଏ । ସଂଯୁକ୍ତ ରାଷ୍ଟ୍ରସଂଘର ସହଯୋଗୀ ଅନୁଷ୍ଠାନଗୁଡିକ ସଚିବାଳୟ ପ୍ରଶାସନିକ ସହାୟତା ଯୋଗାଇ ଦିଏ । ସଂଯୁକ୍ତ ରାଷ୍ଟ୍ରସଂଘର ବାର୍ଷିକ ଆୟ-ବ୍ୟୟ ଅଟକଳ ସଚିବାଳୟ ଦ୍ଵାରା ପ୍ରସ୍ତୁତ କରାଯାଏ । ସଂଯୁକ୍ତ ରାଷ୍ଟ୍ର ସଂଘର ବାର୍ଷିକ ବିବରଣୀ ସଚିବାଳୟର ମହାସଚିବଙ୍କ ନିର୍ଦ୍ଦେଶକ୍ରମେ ପ୍ରସ୍ତୁତ ହୁଏ । ସମସ୍ତ ଆନ୍ତର୍ଜାତିକ ଚୁକ୍ତି ବ ସନ୍ଧିପତ୍ର ବା ଘୋଷଣାନାମା ସଚିବାଳୟରେ ପାଞ୍ଜିକୃତ ହୋଇଥାଏ ।

ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟ ଥିବା ସମସ୍ତ ରାଷ୍ଟ୍ରମାନଙ୍କର ଦେୟ ସଚିବାଳୟରେ ଗ୍ରହଣ କରାଯାଏ ।

ମହାସଚିବ

ସଂଯୁକ୍ତ ରାଷ୍ଟ୍ରସଂଘର ସଚିବାଳୟର ମୁଖ୍ୟ ହେଉଛନ୍ତି ମହାସଚିବ । ସଚିବାଳୟ ହେଉଛି ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଶାସନିକ ଅଙ୍ଗ । ଜାତିସଂଘର ସବୁ ବିଭାଗମାନଙ୍କ ଦ୍ଵାରା ଗୃହିତ ହୋଇଥିବା ସମସ୍ତ ପ୍ରସ୍ତାବଗୁଡିକୁ କାର୍ଯ୍ୟକାରୀ କରାଇବାର ଦାୟିତ୍ଵ ମହାସଚିବଙ୍କର ।

ମହାସଚିବ ନିରାପତ୍ତା ପରିଷଦର ଅନୁମୋଦନ କ୍ରମେ ସାଧାରଣ ସଭା ଦ୍ଵାରା ପାଞ୍ଚ ବର୍ଷ ନିଯୁକ୍ତି ହୁଅନ୍ତି । ତାଙ୍କୁ କାର୍ଯ୍ୟରେ ସହାୟତା ପ୍ରଦାନ କରିବା ପାଇଁ ଉପ –ମହାସଚିବମାନେ ନିଯୁକ୍ତ ହୁଅନ୍ତି । ମହାସଚିବଙ୍କର ପାଞ୍ଚବର୍ଷର କାର୍ଯ୍ୟକାଳ ଥରେ ପୂରଣ ହେବା ପରେ ମଧ୍ୟ ସେ ଆଉ ପାଞ୍ଚ ବର୍ଷ ପୁନଃ ନିଯୁକ୍ତ ହୋଇପାରିବେ ।

ମହାସଚିବ ଯୋଗ୍ୟତା

ସାଧାରଣ ସଭା ଓ ନିରାପତ୍ତା ପରିଷଦ ଦ୍ଵାରା ଗ୍ରହଣଯୋଗ୍ୟ ଜଣେ ବ୍ୟକ୍ତି ମହାସଚିବ ହେବା ବାଞ୍ଛନୀୟ । ସେ ଜଣେ ବିଚକ୍ଷଣ ରାଷ୍ଟ୍ରନୀତିଜ୍ଞ ଓ ସୁପ୍ରଶାସକ ହୋଇଥିବା ଆବଶ୍ୟକ ।

କାର୍ଯ୍ୟ।ବଳୀ

ମହାସଚିବଙ୍କର କାର୍ଯ୍ୟ ମୁଖ୍ୟତଃ ପାଞ୍ଚଗୋଟି ଯଥା –

ପ୍ରଶାସନିକ

ଆର୍ଥିକ

ରାଜନୈତିକ

ପ୍ରତିନିଧିମୂଳକ

ରେଜିଷ୍ଟ୍ରେସନ ବା ପଞ୍ଜିକରଣ ସମ୍ପର୍କିତ

ସଂଯୁକ୍ତ ରାଷ୍ଟ୍ରସଂଘର କେତେକ ସ୍ଵତନ୍ତ୍ର ସଂସ୍ଥା

ସଂଯୁକ୍ତ ରାଷ୍ଟ୍ରସଂଘର ନିମ୍ନୋକ୍ତ ମୁଖ୍ୟ ଛଅଗୋଟି ସହଯୋଗୀ ସଂସ୍ଥା ରହିଛି । ସେଗୁଡିକ ସଂକ୍ଷେପରେ ନିମ୍ନରେ ବର୍ଣ୍ଣିତ ।

ସଂଯୁକ୍ତ ରାଷ୍ଟ୍ରସଂଘ ଶିକ୍ଷା, ବିଜ୍ଞାନ ଏବଂ ସାଂସ୍କୃତିକ ସଂଗଠନ

ଏକ ଉପାଦେୟ ସଂସ୍ଥା, ଯାହାର ଶିକ୍ଷା, ବିଜ୍ଞାନ ଓ ସଂସ୍କୃତିର ପ୍ରସାର ତଥା ବିନିମୟ ଦିଗରେ ପ୍ରଶଂସନୀୟ ଅବଦାନ ରହିଛି । ନିରକ୍ଷରତା ଦୂରୀକରଣ, ଶିକ୍ଷକ ଓ ବୈଜ୍ଞାନିକମାନଙ୍କୁ ଉନ୍ନତମାନର ତାଲିମ ପ୍ରଦାନ , ଦେଶ ଦେଶ ମଧ୍ୟରେ ସାଂସ୍କୃତିକ ସହଯୋଗ ସ୍ଥାପନ ଇତ୍ୟାଦି କାର୍ଯ୍ୟକ୍ରମର ଦାୟିତ୍ଵ ଏହି ସଂଗଠନ ହାତରେ ନ୍ୟସ୍ତ ।

ବିଶ୍ଵସ୍ୱାସ୍ଥ୍ୟ ସଂଗଠନ

ବିଶ୍ଵବ୍ୟାପୀ ବିଭିନ୍ନ ରୋଗର ନିରାକରଣ ଲାଗି ସର୍ବଦା ଏହି ସଂସ୍ଥା କାର୍ଯ୍ୟରତ । ଶିଶୁ ଓ ମା ମାନଙ୍କର ସ୍ୱାସ୍ଥ୍ୟର ମାନବୃଦ୍ଧି ଲାଗି ସେମାନଙ୍କୁ ଔଷଧ ଓ ପୃଷ୍ଟିକର ଖାଦ୍ୟ ଯୋଗାଣ ଏବଂ ସ୍ୱାସ୍ଥ୍ୟରକ୍ଷା ଲାଗି ସେମାନଙ୍କୁ ସଚେତନ କରାଇବା ଏହି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ମୂଳ ଲକ୍ଷ୍ୟ ।

ଆନ୍ତର୍ଜାତିକ ଶ୍ରମ ସଂଗଠନ

ଶ୍ରମିକମାନଙ୍କର ମଙ୍ଗଳ ପାଇଁ ଏହି ସଂଗଠନ କାର୍ଯ୍ୟ କରି ଆସୁଅଛି ।

ଖାଦ୍ୟ ଓ କୃଷି ସଂଗଠନ

ଏହା ୧୯୪୫ ମସିହାରେ ଗଠିତ ହୋଇଥିଲା । ବିଶ୍ଵରେ କୃଷି ଉତ୍ପାଦନ ବୃଦ୍ଧି ଓ କୃଷି ଉନ୍ନୟନ ମାଧ୍ୟମରେ ଜୀବନଧାରଣର ମାନବୃଦ୍ଧି ଏହି ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ । ଏହି ସଂଗଠନ ଦ୍ଵାରା ପ୍ରୋତ୍ସାହନ ହୋଇ ବିଜ୍ଞାନୀମାନେ ବିଭିନ୍ନ ଗବେଷଣାରେ ନିୟୋଜିତ ହେବା ସହିତ କୃଷି ଉତ୍ପାଦନର ଉନ୍ନତି ପାଇଁ ନୂତନ ଓ ଉନ୍ନତ କୃଷି ପ୍ରଣାଳୀ ଲୋକମାନଙ୍କ ନିକଟଏ ପହଞ୍ଚାଇଛନ୍ତି ।

ଆନ୍ତର୍ଜାତିକ ଶିଶୁ କଲ୍ୟାଣ ଜରୁରୀକାଳୀନ ପାଣ୍ଠି

ୟୁନିସେଫ ସଂସ୍ଥା ୧୯୪୭ ମସିହା ଡିସେମ୍ବର ୧୧ ତାରିଖରେ ପ୍ରତିଷ୍ଠିତ ହୋଇଥିଲା । ଯୁକ୍ତରାଷ୍ଟ୍ର ଆମେରିକାର ନିୟୁର୍କ ସହରରେ ଏହାର ମୁଖ୍ୟ କାର୍ଯ୍ୟlଳୟ ଅବସ୍ଥିତ । ବିକାଶଉନ୍ମୁଖୀ ରାଷ୍ଟ୍ରଗୁଡିକର ଶିଶୁ ଓ ମହିଳାମାନଙ୍କୁ ଏହି ସଂସ୍ଥା ମାନବ ହିତୌଷି ଓ ଉନ୍ନୟନ ମୂଳକ ସହାୟତା ପ୍ରଦାନ କରିଛନ୍ତି ।

ବିଶ୍ଵବ୍ୟାଙ୍କ

ଯୁଦ୍ଧୋତ୍ତର ପୃଥିବୀର ଅର୍ଥନୈତିକ ପୁନଃନିର୍ମାଣ ପାଇଁ ବିଶ୍ଵବ୍ୟାଙ୍କ ଗଠିତ ହୋଇଥିଲା । ଏହାର ମୁଖ୍ୟ କାର୍ଯ୍ୟlଳୟ ଯୁକ୍ତରାଷ୍ଟ୍ର ଆମେରିକାର ୱାସିଂଟନ ନଗରୀରେ ଅବସ୍ଥିତ । ପୃଥିବୀର ସବୁ ରାଷ୍ଟ୍ର ଏହାର ସଦସ୍ୟ ରହିଛନ୍ତି । ବିଶ୍ଵବ୍ୟାଙ୍କ ତଥା ଆନ୍ତର୍ଜାତିକ ଅର୍ଥ ସଂସ୍ଥା ର ସହାୟତା ଓ ସହଯୋଗ ଦ୍ଵାରା ବହୁ ରାଷ୍ଟ୍ରର ଆର୍ଥିକ ବିକାଶ ଘଟି ପାରିଛି ।ବିଶ୍ଵବ୍ୟାଙ୍କ ପୃଥିବୀର ବିଭିନ୍ନ ରାଷ୍ଟ୍ରକୁ ଋଣ ମଞ୍ଜୁର କରେ । ଓଡିଶାରେ ନିରକ୍ଷରତା ଦୂରିକରଣ ସହିତ ପ୍ରାଥମିକ ଶିକ୍ଷାର ବିକାଶ ଓ ଜାତୀୟ ରାଜପଥ ପ୍ରଶସ୍ତିକରଣ ପାଇଁ ବିଶ୍ଵବ୍ୟାଙ୍କ ଆର୍ଥିକ ସାହାଯ୍ୟ ହେଇଛନ୍ତି ।

ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

ଭାରତର ସଂଯୁକ୍ତ ରାଷ୍ଟ୍ରସଂଘ ସହିତ ସମ୍ପର୍କ ଅତି ଘନିଷ୍ଠ । ବିଭିନ୍ନ ଆନ୍ତର୍ଜାତିକ ସମସ୍ୟାର ସମାଧାନ ଦିଗରେ ସଂଯୁକ୍ତ ରାଷ୍ଟ୍ରସଂଘକୁ ସର୍ବଦା ଭାରତ ସାହାଯ୍ୟ ଓ ସହଯୋଗର ହାତ ବଢାଇଛି । କେବଳ ସେତିକି ନୁହେଁ , ସଂଯୁକ୍ତ ରାଷ୍ଟ୍ରସଂଘର ଲକ୍ଷ୍ୟ ସାଧନ ଦିଗରେ ଭାରତ ସର୍ବଦା ଏହାକୁ ସାହାଯ୍ୟ ପ୍ରଦାନ କରିଆସୁଛି । ଭାରତର ନିରପେକ୍ଷ ବୈଦେଶିକ ନୀତି ଉପରେ ସଂଯୁକ୍ତ ରାଷ୍ଟ୍ରସଂଘ ଦୃଢ ଆସ୍ଥା ସ୍ଥାପନ କରିଛି । ଦୁଇ ବର୍ଷ ଧରି ନିରାପତ୍ତା ପରିଷଦର ଅସ୍ଥାୟୀ ସଦସ୍ୟ – ରାଷ୍ଟ୍ର ଭାବେ ଭାରତ ସଂଯୁକ୍ତ ରାଷ୍ଟ୍ରସଂଘର ଅନ୍ତରଙ୍ଗ ବନ୍ଧୁ ଭାବରେ କାର୍ଯ୍ୟ କରିଛି । ବର୍ଣ୍ଣବୈଷମ୍ୟ ଦୂରିକରଣ ଆନ୍ତର୍ଜାତିକ ମହିଳା ସଶକ୍ତିକରଣ ଇତ୍ୟାଦି କ୍ଷେତ୍ରରେ ଭାରତର ସ୍ପଷ୍ଟ ଆଭିମୁଖ୍ୟକୁ ସଂଯୁକ୍ତ ରାଷ୍ଟ୍ରସଂଘ ସର୍ବଦା ସମ୍ମାନ ପ୍ରଦର୍ଶନ କରିଅଛି । ଶିକ୍ଷା, ବିଜ୍ଞାନ ଓ ସାଂସ୍କୃତିକ ସଂଗଠନ ଏବଂ ଶିଶୁ କଲ୍ୟାଣ ଜରୁରୀକାଳୀନ ପାଣ୍ଠିରୁ ଭାରତ ବହୁତ ସହାୟତା ପାଇଛି ।

ପୃଥିବୀରେ ଶାନ୍ତି ପ୍ରତିଷ୍ଠା , ଆନ୍ତର୍ଜାତିକ ଆତଙ୍କବାଦ ବିରୋଧରେ ସ୍ଵର ଉତ୍ତୋଳନ ଓ ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ବିନିଯୋଗ ଇତ୍ୟାଦି ମହତ ଉଦ୍ଦେଶ୍ୟ ପୂରଣ ଦିଗରେ ଭାରତର ମନୋଭାବକୁ ସଂଯୁକ୍ତ ରାଷ୍ଟ୍ରସଂଘ ସର୍ବଦା ସମ୍ମାନ ପ୍ରଦର୍ଶନ କରିଆବା ସହିତ ସହଯୋଗର ହାତ ବଢାଇଛି । ଦାରିଦ୍ର୍ୟ ଦୂରୀକରଣ , ପୃଥିବୀର “ ଜଳବାୟୁ ପରିବର୍ତ୍ତନ “ ପରିବେଶ ପ୍ରଦୂଷଣ ବିରୋଧରେ ସଂଗ୍ରାମ ଇତ୍ୟାଦି ଜଣମଙ୍ଗଳକାରକ କାର୍ଯ୍ୟକୁ ତ୍ବରାନିତ୍ଵ କରିଆବା ପାଇଁ ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଚେଷ୍ଟାକୁ ଅଧିକ ସମର୍ଥନ ଦେଇଛି ଭାରତ । ଭାରତକୁ ଉପେକ୍ଷା କରିବା ବିବେକାନୁମୋଦିତ ନୁହେଁ ବୋଲି ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟ ରାଷ୍ଟ୍ରମାନେ ଜାଣି ସାରିଲେଣି । ସୁତରାଂ ଭାରତକୁ ନିରାପତ୍ତା ପରିଷଦର ଏକ ସ୍ଥାୟୀ –ସଦସ୍ୟ ଭାବେ ଗ୍ରହଣ କରିବା ପାଇଁ ସଂଯୁକ୍ତ ରାଷ୍ଟ୍ରସଂଘର ଏସୀୟ ଓ ଆଫ୍ରିକୀୟ ସଦସ୍ୟ – ରାଷ୍ଟ୍ରମାନେ ଭାରତର ଦାବିକୁ ପୂର୍ଣ୍ଣ ସମର୍ଥନ ଜଣାଉଛନ୍ତି ।

ଭାରତକୁ ସଂଯୁକ୍ତ ରାଷ୍ଟ୍ରସଂଘର ଅକୁଷ୍ଠ ସାହାଯ୍ୟ ଓ ନିଃସର୍ତ୍ତ ସହଯୋଗ ବିଶେଷ ଭାବରେ ପ୍ରଶଂସନୀୟ

ଭାରତ ଓ ପାକିସ୍ତାନ ମଧ୍ୟରେ ଉପୁଜୁଥିବା ସାମୟିକ ବିବାଦ ପ୍ରତି ସଂଯୁକ୍ତ ରାଷ୍ଟ୍ର ସଂଘ ସର୍ବଦା ସଚେତନା ରହିଛି ଓ ଏହାର ସମାଧାନ ପାଇଁ ସହଯୋଗର ହାତ ସର୍ବଦା ବଢାଇଛି ।

ସଂଯୁକ୍ତ ରାଷ୍ଟ୍ର ସଂଘର ଶାନ୍ତିରକ୍ଷା ସେନା ବାହିନୀ ରେ ଭାରତର ସୈନ୍ୟମାନେ ସକ୍ରିୟ ଅଂଶଗ୍ରହଣ କରିବା ସହିତ ବିଭିନ୍ନ ରାଷ୍ଟ୍ରରେ ଶାନ୍ତି ପ୍ରତିଷ୍ଠା ଦିଗରେ ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଚେଷ୍ଟାକୁ ଭାରତ ସାକାର କରିପାରିଛି । ଅତୀତରେ କୋରିଆ , ଇଜ୍ଜିପ୍ଟ , କଙ୍ଗୋଠାରେ ଭାରତୀୟ ସୈନିକମାନେ ସଂଯୁକ୍ତ ରାଷ୍ଟ୍ରସଂଘର ଶାନ୍ତିରକ୍ଷା ସେନାବାହିନୀ ର ଅଂଶ ରୂପେ ନିୟୋଜିତ ହୋଇ ସେଠାରେ ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ବିଶେଷ ସହାୟକ ହୋଇଥିଲେ ଓ ପ୍ରଶଂସାଭାଜନ ହୋଇଥିଲେ ।

ନିରାପତ୍ତା ପରିଷଦର ଏକ ସ୍ଥାୟୀ ସଦସ୍ୟ ପାଢ ପାଇଁ ଭାରତର ଦାବି ଯେ ଅସ୍ତି-ସୂଚକ ଓ ସଂଯୁକ୍ତ ରାଷ୍ଟ୍ରସଂଘର ଲକ୍ଷ୍ୟ ହାସଲ ପାଇଁ ଏହା ଫଳପ୍ରଦ ହେବ , ଏଥିରେ ସନ୍ଦେହ ନାହିଁ । ସଂଯୁକ୍ତ ରାଷ୍ଟ୍ରସଂଘର ସଫଳତା ଓ ଉଜ୍ଜ୍ଵଳମୟ ଭବିଷ୍ୟତ ଶୀତ ଭାରତର ସମ୍ପର୍କ ଦିନକୁ ଦିନ ଅଧିକ ଘନିଷ୍ଟ ଓ ନିକଟତର ହୋଇପାରିବ –ଏହା ପ୍ରତ୍ୟେକ ଭାରତୀୟ ଚାହାନ୍ତି ।

ସଂଯୁକ୍ତ ରାଷ୍ଟ୍ରସଂଘ ଦ୍ଵାରା ବିଭିନ୍ନ ଆନ୍ତର୍ଜାତିକ ସମସ୍ୟାର ସମାଧାନ :

ସଂଯୁକ୍ତ ରାଷ୍ଟ୍ରସଂଘର ମୁଖ୍ୟ କାର୍ଯ୍ୟହେଲା ପୃଥିବୀରେ ଶାନ୍ତି ବଜାୟ ରଖିବା ଏବଂ ସମସ୍ତ ସଦସ୍ୟ ରାଷ୍ଟ୍ରମାନଙ୍କର ନିରାପତ୍ତାକୁ ସୁଦୃଢ କରିବା । ତୃତୀୟ ବିଶ୍ଵଯୁଦ୍ଧର ବିଭୀଷିକାରୁ ପୃଥିବୀ ଦୂରେଇ ରଖିବା ପାଇଁ ସଂଯୁକ୍ତ ରାଷ୍ଟ୍ର ସଂଘ ନିଜର ଉଦ୍ୟମ ସର୍ବଦା ଜାରି ରଖିଛି ।

୧୯୮୮ ମସିହାରେ ପୃଥିବୀରେ ଶାନ୍ତି ରକ୍ଷା ଦିଗରେ ସଂଯୁକ୍ତ ରାଷ୍ଟ୍ରସଂଘ ନିଜର ସଫଳତା ପାଇଁ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ ହୋଇଅଛି । ବିଶେଷକରି ମାନବାଧିକାର ର ସୁରକ୍ଷା ଦିଗରେ ନାରୀ ଓ ପୁରୁଷ ସମସ୍ତଙ୍କୁ ସମାନ ମାନବାଧିକାର ଯୋଗାଇ ଦେବାରେ ସଂଯୁକ୍ତ ରାଷ୍ଟ୍ରସଂଘର ଭୂମିକା ପ୍ରଶଂସନୀୟ । ଫଳରେ ସଂଯୁକ୍ତ ରାଷ୍ଟ୍ରସଂଘ ସମସ୍ତ ବିଶ୍ଵବାସୀଙ୍କର ଆସ୍ଥା ଭାଜନ ହୋଇପାରିଛି । ସେଥିପାଇଁ ପ୍ରତିବର୍ଷ ଡିସେମ୍ବର ମାସ ୧୦ ତାରିଖ ଦିନ “ ବିଶ୍ଵ ମାନବାଧିକାର ଦିବସ “ ବିଶ୍ଵରେ ସବୁ ସ୍ଥାନରେ ପାଳନ କରାଯାଉଛି ।

ସଂଯୁକ୍ତ ରାଷ୍ଟ୍ରସଂଘ ବିଭିନ୍ନ ବିବାଦୀୟ ସ୍ଥାନକୁ “ ଶାନ୍ତି ରକ୍ଷା ସେନାବାହିନୀ ପ୍ରେରଣ କରି ସେଠାରେ ଶାନ୍ତି ପ୍ରତିଷ୍ଠା ଦିଗରେ ବହୁ ସଫଳତା ପାଇଛି ।

ବହୁ ଅନ୍ତର୍ଜାତିକ ସମସ୍ୟା ଯଥା – ଦକ୍ଷିଣ ଆଫ୍ରିକାର ବର୍ଣ୍ଣବୈଷମ୍ୟ , ପାଲେଷ୍ଟାଇନ ସମସ୍ୟା, କୋରିଆ ସମସ୍ୟା , କୋରିଆ ସମସ୍ୟା , ଆଫାଗାନସ୍ଥାନ ସମସ୍ୟା , କାଶ୍ମୀର ସମସ୍ୟା ଇତ୍ୟାଦି ବହୁ ବିବାଦୀୟ କ୍ଷେତ୍ରରେ ସଂଯୁକ୍ତ ରାଷ୍ଟ୍ରସଂଘର ଶାନ୍ତି ପ୍ରତିଷ୍ଠା ପାଇଁ ସଫଳ ପ୍ରଚେଷ୍ଟା ଓ ଏହାର ଭୂମିକା ବିଶେଷ ଭାବରେ ପ୍ରଶଂସନୀୟ ।

ବିଶ୍ଵରେ ନିରସ୍ତ୍ରୀକରଣ ପ୍ରକ୍ରିୟାକୁ ସଫଳ କରିବା ପାଇଁ ସଂଯୁକ୍ତ ରାଷ୍ଟ୍ରସଂଘ ତରଫରୁ ବିଶେଷ ପଦକ୍ଷେପ ନିଆଯିବ ସହିତ ନିରସ୍ତ୍ରୀକରଣ କମିଶନ ଗଠନ କରାଯାଇଛି । ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ବିନିଯୋଗ ପାଇଁ ସଂଯୁକ୍ତ ରାଷ୍ଟ୍ରସଂଘର ଉଦ୍ୟମ ସର୍ବଦା ପ୍ରଶଂସନୀୟ ।

ଆଧାର – ମାଧ୍ୟମିକ ଶିକ୍ଷା ପରିଷଦ , ଓଡିଶା ।