ଦାରିଦ୍ର୍ୟ ଦୂରୀକରଣ ନିମନ୍ତେ ଏପର୍ଯ୍ୟନ୍ତ ହୋଇଥିବା ବିଶ୍ଵସ୍ତରୀୟ ପରୀକ୍ଷାମାନଙ୍କ ମଧ୍ୟରେ ସମନ୍ଵିତ ଗ୍ରାମ୍ୟ ଉନ୍ନୟନ ଯୋଜନା ଖୁବ୍ ଫଳପ୍ରଦ ବୋଲି ଜଣାପଡିଛି । ଗ୍ରାମ୍ୟ ଦରିଦ୍ର ପରିବାରଙ୍କ ନିମନ୍ତେ ଆୟ ଉତ୍ପାଦନକାରୀ – ପ୍ରକଳ୍ପ , ପରିଯୋଜନାମାନ ବ୍ୟବସ୍ଥା କରି ସେମାନଙ୍କ ଦାୟିତ୍ଵ ନେବା ଓ ପରିଚାଳନା ତଥା କାର୍ଯ୍ୟକାରୀ କରାଇବା ଓ ଦାରିଦ୍ୟ ସୀମାରେଖା ତଳେ ରହିଥିବା ଅର୍ଦ୍ଧଭୁକ୍ତ ପଲ୍ଲୀବାସୀଙ୍କ ତିକ୍ତ ଦାରିଦ୍ର୍ୟ ଦୂର କରିବା ଏହି ଯୋଜନାର ମହତ୍ ଉଦ୍ଦେଶ୍ୟ । ସମନ୍ଵିତ ଗ୍ରାମ୍ୟ ଉନ୍ନୟନ ଯୋଜନା କାର୍ଯ୍ୟକାରୀ ହେବାର କିଛି ବର୍ଷ ପୂର୍ବରୁ, ଚତୁର୍ଥ ପଞ୍ଚବାର୍ଷିକ ଯୋଜନା କାଳରେ (୧୯୬୯ ରୁ ୧୯୭୪), ଆସ୍ତି ସୃଷ୍ଟି, କୌଶଳ , ଦକ୍ଷତା ଉନ୍ନୟନ ଓ ବୃଦ୍ଧି, ଅନ୍ତଃମିର୍ମାଣ ଅର୍ଥାତ୍ ଯାହାକୁ ଆଧାର କରି , ଭିତ୍ତି କରି କିଛି ଗଠିତ ହୁଏ )ସୃଷ୍ଟି ଓ ଅନୁନ୍ନତ ଅଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟ ନେଇ ‘କ୍ଷୁଦ୍ର ଚାଷୀ ଉନ୍ନୟନ ସଂସ୍ଥା’ ସମଗ୍ର ଭାରତର ୪୬ ଗୋଟି ଜିଲ୍ଲାରେ ଏବଂ ‘ନାମ ମାତ୍ର ଚାଷୀ ଓ କୃଷି ଶ୍ରମିକ ସଂସ୍ଥା ’ ୪୧ ଗୋଟି ଜିଲ୍ଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ୧୯୭୮- ୭୯ ମସିହାରେ କିଛି ପୂର୍ବରୁ ଏକତ୍ରିତ ହୋଇଯାଇଥିବା ଏହି ଦୁଇ ସଂସ୍ଥା ଆଇ.ଆର୍. ଡି. ପି. ଯୋଜନାରେ ସାମିଲ ହୋଇଗଲେ ଏବଂ ଏହି ନବଚିନ୍ତିତ ଆଇ.ଆର୍. ଡି. ପି. ସମଗ୍ର ଦେଶର ୨୩୦୦ ବ୍ଲକରେ କାର୍ଯ୍ୟକ୍ଷମ ମାଧ୍ୟମରେ ଦେଶର ମୋଟ ୨୦ଟି ଜିଲ୍ଲାରେ କାର୍ଯ୍ୟ ଆରମ୍ଭ କରିଥିଲା । ଏତତ୍ ବ୍ୟତୀତ, ଓ ନାମକ ଦୁଇଟି କାର୍ଯ୍ୟକ୍ରମ/ ଅମୁସ୍ଥାନ, ଯାହା କାର୍ଯ୍ୟକ୍ଷମ ହେବା ପୂର୍ବରୁ କାର୍ଯ୍ୟ କରୁଥିଲେ, ୧୯୭୮ – ୭୯ ରେ ଆଇ. ଆର୍. ଡି. ପି. ସହିତ ସାମିଲ ହୋଇଗଲେ । ଆଇ.ଆର୍. ଡି. ପି. ଏକ ହିତାଧିକାରୀ ଭିତ୍ତିକ ଯୋଜନା । ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଗ୍ରାମ୍ୟ ପରିବାରବର୍ଗଙ୍କୁ ଆୟ ସୃଷ୍ଟିକାରୀ ପ୍ରକଳ୍ପମାନ ଯୋଗାଇଦେବା ଏହି ଯୋଜନାର ଲକ୍ଷ୍ୟ । ଏହି ଆୟ ସୃଷ୍ଟିକାରୀ ପ୍ରକଳ୍ପଗୁଡିକ ତିନିଭାଗରେ ବିଭକ୍ତ, ଯଥା – ପ୍ରାଥମିକ, ମାଧ୍ୟମିକ ବା ଦ୍ଯିତୀୟ ସ୍ତରୀୟ ଓ ତୃତୀୟ ସ୍ତରୀୟ ପରିବାରର ମୋଟ ବାର୍ଷିକ ଆୟ ଯଦି ୧୧୦୦୦ ଟଙ୍କା କିମ୍ବା ତା’ଠାରୁ କମ୍ ଥାଏ, ତେବେ ସେହି ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ଅଛି ବୋଲି ଧରି ନିଆଯିବ । ଲକ୍ଷ୍ୟ ବର୍ଗ ସର୍ବପ୍ରଥମେ ସର୍ବାଧିକ ଦାରିଦ୍ର୍ୟ ପ୍ରପୀଡିତ ପରିବାରକୁ ଆଇ.ଆର୍. ଡି. ପି. ମାଧ୍ୟମରେ ଥଇଥାନ କରିବା ଆଭିମୁଖ୍ୟ ଥିବା ହେତୁ, ଯେଉଁ ପରିବାରର ଆୟ ସର୍ବାପେକ୍ଷା କମ୍ , ସେହି ପରିବାରକୁ ପ୍ରଥମେ କଥିତ ଯୋଜନାରେ ଋଣ ଓ ଛାଡ ସୂତ୍ରରେ ଅର୍ଥ ଜରିଆରେ ସାହାଯ୍ୟ ଦିଆଯାଏ । ତେଣୁ ବାର୍ଷିକ ଆୟ ୧୧୦୦୦ ଟଙ୍କା ଅର୍ଜନକ୍ଷମ ପରିବାରଙ୍କୁ ପ୍ରଥମେ ସାହାଯ୍ୟ ପାଇଁ ବଛା ନଯାଇ, ୪୮୦୦ ଟଙ୍କା ମଧ୍ୟରେ ବାର୍ଷିକ ଆୟଥିବା ପରିବାରବର୍ଗଙ୍କୁ ବଛାଯାଇଥାଏ । ଅବଶ୍ୟ, ୩୫୦୧ ଟଙ୍କାରୁ ୪୮୦୦ ଟଙ୍କା ବାର୍ଷିକ ଆୟ ବନ୍ଧନୀ ମଧ୍ୟରେ ଥିବା ପରିବାରଙ୍କୁ ବାଛିବାପୂର୍ବରୁ ୩୫୦୦ ଟଙ୍କା କିମ୍ବା ତା’ଠାରୁ କମ୍ ବାର୍ଷିକ ଆୟ ଥିବା ପରିବାର ବର୍ଗଙ୍କୁ ପ୍ରଥମେ ଆଇ.ଆର୍. ଡି. ପି. ରେ ଥଇଥାନ କରିବାକୁ ପଡିବ । ବର୍ତ୍ତମାନ ୪୮୦୦ ଟଙ୍କାରୁ Cut off line ରୂପେ ଗ୍ରହଣ କରାଯାଇଅଛି । ଏହି ‘କଟ୍ ଅଫ ରେଖା ’ ଉପରେ ଥିବା ପରିବାରବର୍ଗ ବର୍ତ୍ତମାନ ସାହାଯ୍ୟ ପାଇବା ନିମିତ୍ତ ଅନୁପଯୁକ୍ତ, ଯେହେତୁ ‘ କଟ୍ ଅଫ ’ ରେଖା ତଳେ ଥିବା ପରିବାରବର୍ଗଙ୍କ ଥଇଥାନ କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ହୋଇନାହିଁ । କ୍ଷୁଦ୍ର ଏବଂ ନାମ ମାତ୍ର ଚାଷୀ, କୃଷି ଶ୍ରମିକ ଏବଂ ଗ୍ରାମ୍ୟ କାରିଗର ଯେଉଁମାନଙ୍କର ବାର୍ଷିକ ପାରିବାରିକ ଆୟ ୪୮୦୦ ଟଙ୍କାରୁ କମ୍ ଅର୍ଥାତ୍ ‘ କଟ୍ ଅଫ ’ ରେଖାର ନିମ୍ନରେ ସେମାନେ ବର୍ତ୍ତମାନ ଋଣ ପାଇବା ପାଇଁ ଯୋଗ୍ୟ , ଯଦି ସେମାନଙ୍କର ଅନ୍ୟାନ୍ୟ ଆନୁସଙ୍ଗିକ ଯୋଗ୍ୟତା ଥାଏ । ଯେଉଁ କୃଷକ ପରିବାରର ଜମି ପରିମାଣ ୨ (ଦୁଇ) ହେକ୍ଟର କିମ୍ବା କମ୍ ତାକୁ କ୍ଷୁଦ୍ର ଚାଷୀ ରୂପେ ପରିଗଣିତ ହୋଇଥାଏ । କିନ୍ତୁ ପ୍ରଥମ ଶ୍ରେଣୀୟ ଜଳ ସେଚିତ ଜମି ୧ (ଏକ) ହେକ୍ଟର ଥିବା କୃଷକ ପରିବାରଙ୍କୁ ମଧ୍ୟ କ୍ଷୁଦ୍ରଚାଷୀ ତାଲିକା ଅନ୍ତର୍ଭୁକ୍ତ କରାଯାଇଥାଏ । ଯେଉଁ କ୍ଷେତ୍ରରେ ଜମି ଜଳସେଚିତ ହୋଇଥାଏ, ଅଥଚ ପ୍ରଥମ ଶ୍ରେଣୀୟ ନୁହେଁ, ସେପରି ସ୍ଥଳେ ଏକ ଯଥାଯୋଗ୍ୟ ‘ ସଂପରିବର୍ତ୍ତନ ଅନୁପାତ ’ ଗ୍ରହଣ କରାଯାଏ । ଅବଶ୍ୟ, ଏହି କ୍ଷେତ୍ରରେ ମଧ୍ୟ ସର୍ବୋଚ୍ଚ ସୀମା ହେଲା ୨ ହେକ୍ଟର । ଯେଉଁ କୃଷକ ପରିବାରର ମୋଟ ଜମି ପରିମାଣ ୧ ହେକ୍ଟର କିମ୍ବା କମ୍ ତାକୁ ନାମ ମାତ୍ର ଚାଷୀରୂପେ ପରିଗଣିତ କରାଯାଏ । ପ୍ରଥମ ଶ୍ରେଣୀୟ ଜଳସେଚିତ ଜମିର ମାଲିକ ହୋଇଥିବା ସ୍ଥଳେ ୦.୫ ହେକ୍ଟର ସର୍ବୋଛ ସୀମା ରୂପେ ଗୃହୀତ ହୁଏ । ଘରବାଡି ବ୍ୟତୀତ ପରିବାରର ଅନ୍ୟ କିଛି କୃଷି ଜମି ନଥାଏ, ଏବଂ ଯାହାର ମୋଟ ବାର୍ଷିକ ଆୟର ଶତକଡା ପଚାଶ କୃଷି ମଜୁରୀ ଭିତ୍ତିକ, ସେହି ପରିବାରକୁ କୃଷି ଶ୍ରମିକ କୁହାଯାଏ । ସମାଜର ବିଭିନ୍ନ ଦୁର୍ବଳ ଶ୍ରେଣୀୟ ବ୍ୟକ୍ତିଙ୍କ ସ୍ଵତନ୍ତ୍ର ସୁଯୋଗ ମାଧ୍ୟମରେ ଆଇ.ଆର୍. ଡି. ପି. ର ଲକ୍ଷ୍ୟ ବର୍ଗ ରୂପେ ଗହଣା କରାଯାଇ ସେମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଇଅଛି । ଆଦିବାସୀ ଓ ହରିଜନ ଶ୍ରେଣୀୟ ବ୍ୟକ୍ତିମାନଙ୍କ ପାଇଁ ଏପରି ସ୍ଵତନ୍ତ୍ର ସୁବିଧା ରହିଛି । ବ୍ଲକମାନଙ୍କ ନିମନ୍ତେ ହରିଜନ ଓ ଆଦିବାସୀମାନଙ୍କ ପାଇଁ ନିଧାର୍ଯ୍ୟ ଲକ୍ଷ୍ୟ ଏହିପରି ଧାର୍ଯ୍ୟ ହୋଇଅଛି - ଯେଉଁ ବ୍ଲକରେ ମୋଟ ଜନସଂଖ୍ୟାର ଶତକଡା ପଚାଶରୁ କମ୍ ଆଦିବାସୀ, ହରିଜନ ଅଛନ୍ତି ସେଠାରେ ସେହି ଶ୍ରେଣୀର ବ୍ୟକ୍ତିମାନଙ୍କ ମଧ୍ୟରୁ ବ୍ଲକପ୍ରତି ଉଦ୍ଦିଷ୍ଟ ଲକ୍ଷ୍ୟର ଶତକଡା ପଚାଶ ବଛାଯିବେ । ଯେଉଁ ବ୍ଲକରେ ମୋଟ ଜନସଂଖ୍ୟାରେ ଶତକଡା ପଚାଶ କିମ୍ବା ତଦୁର୍ଦ୍ଦ ଆଦିବାସୀ, ହରିଜନ ଅଛନ୍ତି, ସେଠାରେ ସେପରି ବ୍ୟକ୍ତିଙ୍କର ବ୍ଲକ ଜନସଂଖ୍ୟା ସହ ଶତକଡା ହାର ଯାହା, ଠିକ୍ ସେହି ହାରରେ ବ୍ଲକ ପ୍ରତି ଉଦ୍ଦିଷ୍ଟ ବାର୍ଷିକ ଲକ୍ଷ୍ୟ ପୂର୍ଣା ନିମନ୍ତେ ସେମାନେଙ୍କ ମଧ୍ୟରୁ ବଛାଯିବେ । ବ୍ଲକର ବାର୍ଷିକ ଲକ୍ଷ୍ୟର ଶତକଡା ଚାଳିଶ ହିତାଧିକାରୀ ମହିଳା ରହିବେ । ଯେଉଁ ପରିବାରର ମୁଖ୍ୟ ମହିଳା ଅଟନ୍ତି, ସେପରି ପରିବାରକୁ ପ୍ରାଧାନ୍ୟ ଦିଆଯିବ । ସାହାଯ୍ୟ ପାଇବା ପାଇଁ ସ୍ଥିରୀକୃତ ହିତାଧିକାରୀଙ୍କ ମଧ୍ୟରୁ ଶତକଡା ତିନି ଶାରୀରିକ ଅକ୍ଷମ ଶ୍ରେଣୀୟ ହେବା ବିଧେୟ । ସର୍ବୋଚ୍ଚ ସୀମା ଉଦ୍ ବୃତ୍ତ ଜମି ପ୍ରାପ୍ତ ଦରିଦ୍ର ବ୍ୟକ୍ତି ଏବଂ ପରିବାର ମଙ୍ଗଳ କାର୍ଯ୍ୟକ୍ରମରେ ସବୁଜ ପତ୍ରିକା ପ୍ରାପ୍ତ ପରିବାର (ଏହି ପତ୍ରିକା ପ୍ରାପ୍ତି ଯେ କୌଣସି ସମୟରେ ହୋଇଥାଉନା କାହିଁକି), ଯଦି ଅନ୍ୟାନ୍ୟ ଆନୁସଙ୍ଗିକ ସମ୍ପନ୍ନ ହୋଇଥାନ୍ତି, ତେବେ ଏହି ଆଇ.ଆର୍. ଡି. ପି. ରେ ଥଇଥାନ ହେବା ନିମିତ୍ତ ପ୍ରାଧାନ୍ୟ ପାଇବେ । ମୁକ୍ତ ଗୋତି ଶ୍ରମିକମାନେ ଆଇ.ଆର୍. ଡି. ପି.ରେ ଆଗ୍ରାଧିକାର ଭିତ୍ତିରେ ଥଇଥାନ ହେବେ । ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନେ ସାହାଯ୍ୟପ୍ରାପ୍ତ ହୋଇଥିଲେ ମଧ୍ୟ ଆଇ.ଆର୍. ଡି. ପି. ଋଣ ପାଇବାରୁ ସେମାନେ ବଞ୍ଚିତ ହେବେ ନାହିଁ । ହିତାଧିକାରୀ ପରିବାର ଚିହ୍ନଟ ସାହାଯ୍ୟ ପ୍ରାପ୍ତ ହେବା ନିମନ୍ତେ ଯୋଗ୍ୟତାସମ୍ପନ୍ନ ହିତାଧିକାରୀ ଚିହ୍ନଟ କରିବା ସକାଶେ ଅଷ୍ଟମ ପଞ୍ଚବାର୍ଷିକ ଯୋଜନାରେ ଏକ ସର୍ବକ୍ଷେଣ ପରିଚାଳନା ବ୍ୟବସ୍ଥା କରାଯାଇଥିଲା । ସର୍ବେକ୍ଷଣ ପ୍ରକ୍ରିୟା ସମାପନ ପରେ ନିମ୍ନୋକ୍ତ କାର୍ଯ୍ୟସୂଚୀ ଅବଲମ୍ବନରେ ହିତାଧିକାରୀ ଚିହ୍ନଟ କରାଯାଏ – ଅଗ୍ରାଧିକାର କ୍ରମରେ ସଜ୍ଜିତ ଦରିଦ୍ରତମ ପରିବାରଙ୍କ ତାଲିକା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ଵାରା ପ୍ରସ୍ତୁତ ହେବ । ଏଥିରେ ମହିଳାମୁଖ୍ୟ ପରିବାର, ଯାଯାବର ଓ ପଡାବାସିନ୍ଦାଙ୍କୁ ସ୍ଵତନ୍ତ୍ର ଦିଆଯାଇଥିବା ଆବଶ୍ୟକ । ଉପରୋକ୍ତ ତାଲିକା ଗ୍ରାମ ସଭାର ଅନୁମୋଦନ ଲାଭ ନିମନ୍ତେ ବି.ଡି.ଓ. ଙ୍କ ଦ୍ଵାରା ଆହୂତ ଗ୍ରାମସଭାରେ ପେଶ୍ ହେବା ଆବଶ୍ୟକ । ବ୍ୟାପକ ପ୍ରାକ୍ – ପ୍ରଚାର ମାଧ୍ୟମରେ ଗ୍ରାମସଭା ସମ୍ପର୍କରେ ଗ୍ରାମବାସୀବୃନ୍ଦ ଅବହିତ ହୋଇଥିବା ଆବଶ୍ୟକ । ଏଥିରେ ବ୍ୟାଙ୍କ କାରବାର ଦିବସରେ ବ୍ୟବସ୍ଥା କରିବା ଉଚିତ । ଗ୍ରାମସଭାରେ ଗ୍ରାମବାସୀବୃନ୍ଦ, ବେସରକାରୀ ସଭ୍ଯ, ବ୍ଲକ କର୍ମଚାରୀ ଓ ବ୍ୟାଙ୍କ କର୍ମଚାରୀ ତଥା ସ୍ଵେଚ୍ଛାଚାରୀ ସଂଗଠନମାନ ଯୋଗଦେବା ବିଧେୟ । ହିତାଧିକାରୀ ତାଲିକା ଗ୍ରାମସଭାର ଅନୁମୋଦନ ଲାଭ କଲାପରେ ତାହାର ନକଲ ଗ୍ରାମପଞ୍ଚାୟତ ଓ ପଞ୍ଚାୟତ ସମିତିର ବିଜ୍ଞାପନ ଫଳକରେ ସ୍ଥାନ ପାଇବା ଉଚିତ । କିଛି ଆପତ୍ତି ଅଭିଯୋଗ ଗ୍ରହଣ କରିବା ଏହାର ଉଦ୍ଦେଶ୍ୟ । ଆପତ୍ତି ଅଭିଯୋଗରେ ଶୁଣାଣି ପରେ, ଯାହା ପ୍ରକଳ୍ପ ଅଧିକାରୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓ ସମ୍ପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ଵାରା ହେବ, ଏବଂ ତା’ର ଏକ ନକଲ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ବ୍ଲକ ଓ ବ୍ୟାଙ୍କ କର୍ମକର୍ତ୍ତା ଓ ସମ୍ପୃକ୍ତ ସଂସ୍ଥାମାନଙ୍କ ମଧ୍ୟରେ ବଣ୍ଟନ ହେବ । ଆଇ.ଆର୍. ଡି.ପି. ନିମନ୍ତେ ଆବଶ୍ୟକୀୟ ଖସଡା ଆୟ ସୃଷ୍ଟିକ୍ଷମ ପ୍ରକଳ୍ପଗୁଡିକର ଯୋଜନାବଦ୍ଧ ସଫଳ ଉପଯୋଗୀତା ନିମନ୍ତେ ଗଭୀର ପ୍ରସୂତ ବ୍ୟାପକ ଓ ପ୍ରାଞ୍ଜଳ ଯୋଜନାର ଆବଶ୍ୟକତା ରହିଅଛି । ଏହି ଯୋଜନା ଦ୍ଵିବିଧ , ଯଥା – ଅନ୍ତର୍ଦୁଷ୍ଟି ସମନ୍ଵିତ ପଞ୍ଚବାର୍ଷିକ ଯୋଜନା ବାର୍ଷିକ ଯୋଜନା ଉଭୟ ଯୋଜନା ବ୍ଲକ ସ୍ତରରେ ହେବ । ଅନ୍ତର୍ଦୁଷ୍ଟି ସମନ୍ଵିତ ପଞ୍ଚବାର୍ଷିକ ଯୋଜନାରେ ନିମ୍ନଲିଖିତ ବିଭାବମାନ ସନ୍ନିବିଷ୍ଟ ହେବା ବାଞ୍ଛନୀୟ । ସ୍ଥାନୀୟ ସମ୍ବଳ ସମୂହର ଏକ ତାଲିକା । ଏହି ତାଲିକା ନିମ୍ନୋକ୍ତ ତଥ୍ୟ ସମ୍ବଳିତ ହେବା ଉଚିତ । ଜନସାଂଖ୍ୟିକ ଦିଗ ବା ଜନତାତ୍ତ୍ଵିକ ପ୍ରବୃତ୍ତି ବା ଜନସାଂଖ୍ୟିକ ଧାରା ଓ ମାନବ ସମ୍ବଳ । ନିର୍ଦ୍ଧିଷ୍ଟ ସମ୍ବଳମାନଙ୍କର ଅବସ୍ଥିତି ଓ କ୍ଷେତ୍ର । ଆର୍ଥନୀତିକ କ୍ରିୟାକଳାପ ଓ ଏଥିରେ ସମ୍ପୃକ୍ତ ଅନୁଷ୍ଠାନ ସମୂହ । ସାମାଜିକ ଓ ଆନୁଷ୍ଠାନିକ ଭିତ୍ତିଭୂମି ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନଙ୍କର କାର୍ଯ୍ୟକାରିତା । ଯୋଜନା ଏବଂ ଅଣ – ଯୋଜନା ସୂତ୍ରରେ କ୍ରିୟାଶୀଳ କାର୍ଯ୍ୟକ୍ରମ ସମୂହର ଏକ ବିବରଣୀ । ଆଗତ କିଛି ବର୍ଷରେ ବିଭିନ୍ନ ଉନ୍ନୟନ ବିଭାଗ ଜରିଆରେ କାର୍ଯ୍ୟକାରୀ ହେବାକୁ ଥିବା ଯୋଜନାମାନଙ୍କର ମୂଲ୍ୟାୟନ । ଅତୀତ ପଞ୍ଚବାର୍ଷିକ ଯୋଜନାମାନଙ୍କରେ ଆଇ.ଆର୍. ଡି. ପି. ଦ୍ଵାରା ସାଧିତ କାର୍ଯ୍ୟକ୍ରମଗୁଡିକର ପ୍ରଭାବ – ଏଥିରେ ଅର୍ଥନୀତିକ ପରିବେଶ ଓ ଗରିବଙ୍କ ଜୀବନଧାରଣମାନ କେତେ ଦୂର ପ୍ରଭାବିତ ତାହାକୁ ବିଚାର କରିବାକୁ ହେବ । ଅନ୍ତର୍ଦୁଷ୍ଟିଭିତ୍ତିକ ପଞ୍ଚବାର୍ଷିକ ଯୋଜନା ତଥା ହିତାଧିକାରୀ ଚିହ୍ନଟର ପରବର୍ତ୍ତୀ ପର୍ଯ୍ୟାୟରେ ‘ ବାର୍ଷିକ ଯୋଜନା ’ କାର୍ଯ୍ୟରେ ଅଗ୍ରସର ହେବାକୁ ହୁଏ , କାରଣ ‘ବାର୍ଷିକ ଯୋଜନା ’ ର ମୁଖ୍ୟ ଦୁଇ ବିଭାବ ହେଲା - ବ୍ଲକର ସମ୍ବଳ ଆଲେଖ୍ୟ ସହ ସାମ୍ୟ ରକ୍ଷାକରିବା ଓ ହିତାଧିକାରୀବର୍ଗଙ୍କ ନିମିତ୍ତ ପ୍ରୟୋଜନ ଅନୁକୂଳ ଆୟ ସୃଷ୍ଟିକାରୀ ପ୍ରକଳ୍ପମାନ ବ୍ୟବସ୍ଥା କରିବାରେ ସହାୟକ ହେବା । ‘ ବାର୍ଷିକ ଖସଡା ’ ରେ ନିମ୍ନୋକ୍ତ ବିଭାବମାନଙ୍କର ବିଶଦ ବିବରଣୀ ସ୍ଥାନ ପାଇବା ବିଧେୟ । ବ୍ଲକର ଅର୍ଥନୀତିକ ଆଲେଖ୍ୟ । ଯେଉଁ ଅଞ୍ଚଳରେ ପ୍ରାଧାନ୍ୟ ଭିତ୍ତିରେ ଯୋଜନା ଅର୍ଥାତ୍ ଆଇ.ଆର୍. ଡି. ପି. କାର୍ଯ୍ୟକାରୀ ହେବ ତାହାର ବିବରଣୀ । ହିତାଧିକାରୀ ପରିବାରର ଏକ ସମ୍ପୂର୍ଣ୍ଣ ବିବରଣୀ । ହିତାଧିକାରୀ ନିଜର ପ୍ରବୃତ୍ତି ସ୍ପୃହା ଓ ରୁଚି ଅନୁଯାୟୀ ଯେଉଁ ପ୍ରକଳ୍ପ ଗ୍ରହଣ କରିବାକୁ ଚାହାନ୍ତି ଓ ଯେଉଁ ରକଳ୍ପ ପ୍ରକୃତରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ତାହାର ବିବରଣୀ ଏଥିରେ ଲିପିବଦ୍ଧ ହେବ । ଯଦି ଉଭୟ ପ୍ରକଳ୍ପ ମଧ୍ୟରେ ପାର୍ଥକ୍ୟ ଦେଖାଯାଏ, ତେବେ ସେଥିନିମିତ୍ତ ବିଶଦ ଯୌକ୍ତିକତା ଉପସ୍ଥାପିତ ହେବା ବାଞ୍ଛନୀୟ । ହିତାଧିକାରୀମାନଙ୍କ ମଧ୍ୟରେ ଋଣ ବଣ୍ଟ କରିବା ଆଭିମୁଖ୍ୟରେ ଏକ ସମୟ – ସାରଣୀ – (ପ୍ରକଳ୍ପ ଉପଯୋଗୀ ଦ୍ରବ୍ୟ ସମୂହ ଲଭ୍ୟ ହେବା, କଞ୍ଚାମାଲ ସଂଗ୍ରହକୁ ନିୟନ୍ତ୍ରିତ କରୁଥିବା କାର୍ଯ୍ୟଧାରା ଓ ପ୍ରକଳ୍ପର କିସମ – ଏଇଗୁଡିକୁ ଭିତ୍ତିକରି କଥିତ ସମୟ – ସାରଣୀ ପ୍ରସ୍ତୁତ ହେବ ।) ଅନ୍ୟାନ୍ୟ ବାହ୍ୟ ସଂସ୍ଥା ଓ ବିଭାଗ ସହିତ ସମ୍ପର୍କ ସ୍ଥାପନର ଆବଶ୍ୟକତା ଓ ସେଗୁଡିକର ସଂଶ୍ଳେଷଣ ମାତ୍ରା ଓ ଉପଯୋଗିତା । କଞ୍ଚାମାଲ ସଂଗ୍ରହର ଉତ୍ସ ଓ କାର୍ଯ୍ୟଧାରା ତଥା ଉତ୍ପାଦିତ ଦ୍ରବ୍ୟର ବିକ୍ରି ବ୍ୟବସ୍ଥା । ଅନ୍ୟାନ୍ୟ ସରକାରୀ ଯୋଜନା, ଯଥା DPAP, DDP, JRY, ଭୂସଂସ୍ଥାର ଇତ୍ୟାଦିକୁ ଆଧାର କରି ଆଇ.ଆର୍. ଡି. ପି. କିପରି ମାର୍ଗରେ ପରିପୁଷ୍ଟ ହୋଇପାରିବ ତାହାର ଏକ ଟିପ୍ପଣୀ । ପ୍ରସ୍ତାବିତ ପ୍ରକଳ୍ପଗୁଡିକ ହିତାଧିକାରୀଙ୍କ ଜୀବନଧାରଣମାନ ଓ ଆଞ୍ଚଳିକ ଅର୍ଥ ବ୍ୟବସ୍ଥାକୁ କିଭଳି ପ୍ରଭାବିତ କରିବ, ତାହାର ଏକ ବିବରଣୀ । ଆଦର୍ଶ ସ୍ଥାନୀୟ ପ୍ରକଳ୍ପମାନଙ୍କର ଏକ ତାଲିକା । ଚଳିତ ବର୍ଷରେ ଯେଉଁ ହିତାଧିକାରୀମାନଙ୍କୁ ଋଣ ପ୍ରଦାନ କରାଯିବ, ସେମାନଙ୍କର ଏକ ଚୁଡାନ୍ତ ତାଲିକା । ଏକ ନିର୍ଦ୍ଧିଷ୍ଟ ଆର୍ଥିକ ବର୍ଷର ‘ ବାର୍ଷିକ ଯୋଜନା ’ ତାହାର ପୂର୍ବ ଆର୍ଥିକ ବର୍ଷର ପେବୃୟାରୀ ମାସ ସୁଦ୍ଧା ଚୁଡାନ୍ତ ହେବ । ଏଥିନିମିତ୍ତ ଆବଶ୍ୟକ ଆର୍ଥିକ ଅନୁଦାନର ପରିମାଣ ପୂର୍ବ ଆର୍ଥିକ ବର୍ଷର ଆର୍ଥିକ ଅନୁଦାନ ସହ ସମାନ ରୂପେ ବିଚାର କରିବାକୁ ହେବ । ଅନ୍ତର୍ଦୁଷ୍ଟିଭିତ୍ତିକ ପଞ୍ଚବାର୍ଷିକ ଯୋଜନାକୁ ଆଧାର କରି, ହିତାଧିକାରୀ ପରିବାରଙ୍କ ପ୍ରବୃତ୍ତି ଓ ପ୍ରୟୋଜନ ପ୍ରତି ଉପାଦେୟ ପ୍ରକଳ୍ପମାନ ବ୍ୟବସ୍ଥା କରିବାକୁ ହେବ । ହିତାଧିକାରୀଙ୍କ ଅଭିରୁଚି ଏହି ପ୍ରକଳ୍ପ ବ୍ୟବସ୍ଥା କ୍ଷେତ୍ରରେ ମୁଖ୍ୟ ନିର୍ଣ୍ଣାୟକ ହେବ । ବୈଷୟିକ ଦକ୍ଷତା ଓ ସଞ୍ଚିତ ପ୍ରବୃତ୍ତି ତଥା ଅନ୍ୟାନ୍ୟ ଦକ୍ଷତା ଆହରଣ ପାଇଁ ମିଳୁଥିବା ସୁଯୋଗକୁ ଭିତ୍ତିକରି ହିତାଧିକାରୀଙ୍କ ପାଇଁ ଉପଯୁକ୍ତ ପ୍ରକଳ୍ପ ନିର୍ଣ୍ଣିତ ହେବ । ପଶ୍ଚାତ୍ ବର୍ତ୍ତୀ ଏବଂ ଅଗ୍ରବର୍ତ୍ତୀ ସଂଯୋଜକଗୁଡିକର ସହଜଲଭ୍ୟତା କିମ୍ବା ଏଗୁଡ଼ିକର ସହଜଲଭ୍ୟତା କଳ୍ପେ ଗ୍ରହଣ କରାଯାଉଥିବା ପଦକ୍ଷେପ, ହିତାଧିକାରୀଙ୍କ ପ୍ରକଳ୍ପ ନିର୍ଣ୍ଣୟ କ୍ଷେତ୍ରରେ ଅତ୍ୟନ୍ତ ସହାୟକ । ପଶ୍ଚାତବର୍ତ୍ତୀ ଏବଂ ଅଗ୍ରବର୍ତ୍ତୀ ସଂଯୋଜକ ର ଅର୍ଥ ନିମ୍ନୋକ୍ତ ବ୍ୟାଖ୍ୟାରୁ ସ୍ପଷ୍ଟ ହେବ । ଦୁଧିଆଳି ଗାଈ ପ୍ରକଳ୍ପ କ୍ଷେତ୍ରରେ ଗୋଖାଦ୍ୟ, ସ୍ୱାସ୍ଥ୍ୟ ସେବା ଇତ୍ୟାଦିର ସହଜଲଭ୍ୟତା ପଶ୍ଚାତବର୍ତ୍ତୀ ସଂଯୋଜକ ହେବ । ସେହିପରି, ଉତ୍ପାଦିତ ସାମଗ୍ରୀ ଅର୍ଥାତ୍ ଦୁଗ୍ଧର ବିକ୍ରୟ ବ୍ୟବସ୍ଥା ବା ମାର୍ଗ ଅଗ୍ରବର୍ତ୍ତୀ ସଂଯୋଜକ ରୂପେ ପରିଗଣିତ ହେବ । ‘ ଖୁଆ ’ ବ୍ୟବସାୟ ପ୍ରକଳ୍ପ ନିମନ୍ତେ ଦୁଗ୍ଧର ସହଜଲଭ୍ୟତା ପଶ୍ଚାତବର୍ତ୍ତୀ ସଂଯୋଜକ ରୂପେ ବିବେଚିତ ହେବ । ଏହିପରି ଦୁଗ୍ଧର ବିକ୍ରୟ ମାର୍ଗ ‘ ଦୁଧିଆଳି ଗାଈ ’ ପ୍ରକଳ୍ପ କ୍ଷେତ୍ରରେ ଅଗ୍ରବର୍ତ୍ତୀ ସଂଯୋଜକ ହେବା ସ୍ଥଳେ ଦୁଗ୍ଧର ସହଜଲଭ୍ୟତା ‘ ଖୁଆ ବ୍ୟବସାୟ ପ୍ରକଳ୍ପ ’ କ୍ଷେତ୍ରରେ ପଶ୍ଚାତବର୍ତ୍ତୀ ସଂଯୋଜକର ଭୂମିକା ଗ୍ରହଣ କରିବ । ପ୍ରକଳ୍ପ ହସ୍ତାନ୍ତର କରିବା ଦୃଷ୍ଟିରୁ, ପରିବାରକୁ ଏକକ ରୂପେ ବିବେଚନା କରିବାକୁ ହେବ । ଏକ ପରିବାରର ଏକାଧିକ ସଦସ୍ୟଙ୍କୁ ବିଭିନ୍ନ ପ୍ରକଳ୍ପ ହସ୍ତାନ୍ତରିତ ହେଲେ ମଧ୍ୟ ତାହା ଏକ ବିକ୍ଷିପ୍ତ ପ୍ରକଳ୍ପ ରୂପେ ବିବେଚିତ ନହୋଇ, ଅଖଣ୍ଡତ୍ଵ ବା ସାମଗ୍ରୀକତା ଦୃଷ୍ଟିରୁ ବିବେଚିତ ହେବ । ପ୍ରକଳ୍ପ ନିର୍ବାଚନ ସମୟରେ, ଅନ୍ତଃନିର୍ମାଣ ଜନିତ ପୃଷ୍ଠ ପୋଷଣ, ପଶ୍ଚାତବର୍ତ୍ତୀ ଏବଂ ଅଗ୍ରବର୍ତ୍ତୀ ସଂଯୋଜକ – ଏଇ ଉଭୟର ସକାରାତ୍ମକ ସମ୍ମିଶ୍ରଣରେ ଉଦ୍ଭବ ବାସ୍ତବିକତା ପ୍ରତି ଦୃଷ୍ଟି ଦେବାକୁ ହୁଏ । ଏଇ ଉଭୟ ମୌଳିକ ଉପାଦାନ ପ୍ରତି ଉଦାସୀନ ରହି ପ୍ରକଳ୍ପ ନିର୍ବାଚନ କଲେ ତାହା ବିଫଳ ହେବାର ଆଶଙ୍କା ଅନେକ ଅଧିକ । ସମ୍ପୃକ୍ତ ଅଞ୍ଚଳରେ ବା ମୁଖ୍ୟ ବ୍ଲକରେ, ଲଭ୍ୟ ଏହି ଦୁଇ ମୌଳିକ ଉପାଦାନ ପ୍ରକଳ୍ପ ନିର୍ବାଚନରେ ମୁଖ୍ୟ ଭୂମିକା ଗ୍ରହଣ କରିବା ବାଞ୍ଛନୀୟ ଅନ୍ତଃନିର୍ମାଣ ଜନିତ ପୃଷ୍ଠପୋଷଣ ପାଇଁ ଉଦ୍ଦିଷ୍ଟ ଅର୍ଥ, ପୂର୍ବରୁ ବିଦ୍ୟମାନ ଅନ୍ତଃନିର୍ମାଣରେ ପରିଲକ୍ଷିତ ଅସାମଞ୍ଜସ୍ୟ ଓ ଅଭାବଗୁଡିକୁ ସୁଧାରି ଦେବା ନିମିତ୍ତ ବ୍ୟବହୃତ ହେବ । କିନ୍ତୁ କଦାଚିତ ଏକ ଅସ୍ତିତ୍ଵହୀନ , ସମ୍ପୂର୍ଣ୍ଣ ନୂତନ ଅନ୍ତଃନିର୍ମାଣର ସୃଷ୍ଟି ଉଦ୍ଦେଶ୍ୟ ନେଇ ଏହି ଅର୍ଥର ବ୍ୟବସ୍ଥା କରାଯାଇନାହିଁ । ହିତାଧିକାରୀ ଚିହ୍ନଟ ଓ ପ୍ରକଳ୍ପଗୁଡିକ ନିର୍ବାଚନ କରିବା ସମୟରେ ସଙ୍ଘବଦ୍ଧ ମନୋଭାବ ପୋଷଣ କରି, ତଦନୁଯାୟୀ ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥଳରେ ଏକ ହିଁ କିସମର ବହୁ ସଂଖ୍ୟକ ପ୍ରକଳ୍ପ କାର୍ଯ୍ୟକାରୀ କରାଇବା ପ୍ରଶାସନିକ ପର୍ଯ୍ୟବେକ୍ଷଣ ଓ ବ୍ୟବସାୟିକ ସାଫଲ୍ୟ ଅଭିମୁଖେ ଉଚିତ ପଦକ୍ଷେପ ହେବ । ଆଇ.ଆର୍. ଡି. ପି. ନିମନ୍ତେ ଉଦ୍ଦିଷ୍ଟ ଜିଲ୍ଲାସ୍ତରୀୟ ପ୍ରଶାସନ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଜରିଆରେ ଜିଲ୍ଲା ସ୍ତରରେ ଆଇ.ଆର୍. ଡି. ପି. କାର୍ଯ୍ୟକ୍ରମ ସମ୍ପାଦିତ ହୁଏ । ଏହି ସଂସ୍ଥା ‘ ରେଜିଷ୍ଟ୍ରେସନ ଅଫ ସୋସାଇଟିସ୍ ଏକ୍ଟ, ୧୮୬୦’ ଅନୁଯାୟୀ ରେଜିଷ୍ଟ୍ରିଭୁକ୍ତ ହୁଅନ୍ତି । ଏହି ସଂସ୍ଥାର ଏକ ‘ ପରିଚାଳକ ମଣ୍ଡଳୀ ’ ରହିଥାଏ । ଏଥିରେ ନିମ୍ନୋକ୍ତ ସରକାରୀ, ବେସରକାରୀ କର୍ମକର୍ତ୍ତାବୃନ୍ଦ ସଦସ୍ୟ ରହିଥାନ୍ତି - ଜିଲ୍ଲାପାଳ – ଅଧ୍ୟକ୍ଷ । ଜିଲ୍ଲାର ସମସ୍ତ ପାର୍ଲାମେଣ୍ଟ ସଦସ୍ୟ – ସଦସ୍ୟ । ଜିଲ୍ଲାରର ସମସ୍ତ ବିଧାନ ସଭା ସଦସ୍ୟ – ସଦସ୍ୟ । କେନ୍ଦ୍ର ସମବାୟ ବ୍ୟାଙ୍କର ମୁଖ୍ୟ – ସଦସ୍ୟ । ଅଧ୍ୟକ୍ଷ, ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ – ସଦସ୍ୟ । ଅଧ୍ୟକ୍ଷ, ଜିଲ୍ଲାପରିଷଦ କିମ୍ବା ତାଙ୍କର ପ୍ରତିନିଧି - ସଦସ୍ୟ । ଲିଡ୍ ବେଙ୍କ ଅଫିସର – ସଦସ୍ୟ । ନାବାର୍ଡ ର ଜିଲ୍ଲା ସ୍ତରୀୟ ପ୍ରତିନିଧି - ସଦସ୍ୟ । ସାଧାରଣ ପରିଚାଳକ, ଜିଲ୍ଲା ଶିଳ୍ପ କେନ୍ଦ୍ର – ସଦସ୍ୟ । ଖଦି ଏବଂ ଗ୍ରାମ୍ୟ ଶିଳ୍ପ ପରିଷଦର ପ୍ରତିନିଧି – ସଦସ୍ୟ । . ପରିବାର ମଙ୍ଗଳ କାର୍ଯ୍ୟକ୍ରମ ଭାରପ୍ରାପ୍ତ ଜିଲ୍ଲାସ୍ତରୀୟ ଅଧିକାରୀ – ସଦସ୍ୟ । . ଜିଲ୍ଲା କର୍ମଯୋଗାଣ ଅଧିକାରୀ - ସଦସ୍ୟ । . ପ୍ରକଳ୍ପ ଅଧିକାରୀ, ସମନ୍ଵିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ – ସଦସ୍ୟ । ଜିଲ୍ଲା ଅଧିକାରୀ, ତଫସିଲଭୁକ୍ତ ଜାତିଙ୍କ ଅର୍ଥ ନିଗମ – ସଦସ୍ୟ . ସହକାରୀ ପ୍ରକଳ୍ପ ଅଧିକାରୀ (ମହିଳା ବିକାଶ) – ସଦସ୍ୟ ଗ୍ରାମ୍ୟ ଦରିଦ୍ରଙ୍କୁ ବାସ୍ତବିକ ସଙ୍ଗଠିତ କରିପାରିଥିବା ଦକ୍ଷତାସମ୍ପନ୍ନ ଜଣେ ମହିଳା କର୍ମୀ / ସଙ୍ଗଠିକା – ସଦସ୍ୟ ଜିଲ୍ଲା ଦୁଗ୍ଧ ସଂଘର ପ୍ରତିନିଧି - ସଦସ୍ୟ ଦୁର୍ବଳ ଶ୍ରେଣୀର ଦୁଇଜଣ ପ୍ରତିନିଧି । ଏମାନଙ୍କ ମଧ୍ୟରୁ ଜଣେ ଆଦିବାସୀ କିମ୍ବା ହରିଜନ ହେବେ । ଏମାନେ କାର୍ଯ୍ୟକ୍ରମର ହିତାଧିକାରୀ ହେବା ବାଞ୍ଛନୀୟ - ସଦସ୍ୟ ଗ୍ରାମ୍ୟ ମହିଳାଙ୍କର ଜଣେ ପ୍ରତିନିଧି ସେ ଜଣେ ହିତାଧିକାରୀ ହେବା ବାଞ୍ଛନୀୟ – ସଦସ୍ୟ ପ୍ରକଳ୍ପ ଅଧିକାରୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା – ସଦସ୍ୟ ସମ୍ପାଦକ ଡି. ଆର୍. ଡି. ଏ. କୁ ସାହାଯ୍ୟ କରିବା ନିମିତ୍ତ ଏକ କାର୍ଯ୍ୟକାରୀ କମିଟି ଗଠନ କରିବା ଅଧିକାର ଡି. ଆର୍. ଡି. ଏ ଅଧ୍ୟକ୍ଷଙ୍କର ରହିଛି । ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ତଥା ଯୋଜନା ନିମିତ୍ତ ସହାୟକ ବିବେଚିତ ଅନ୍ୟାନ୍ୟ ଅଧିକାରୀବୃନ୍ଦ ଏଥିରେ ସଦସ୍ୟ ରହିବେ । ଡି. ଆର୍. ଡି. ଏ. ର ପରିଚାଳନା ମଣ୍ଡଳୀ ଏକ ତ୍ରୈମାସିକ ବୈଠକରେ ମିଳିତ ହେବେ ଏବଂ କାର୍ଯ୍ୟନିର୍ବାହୀ କମିଟି ମାସିକିଆ ବୈଠକରେ ମିଳିତ ହେବେ । ଡି. ଆର୍ ଡି. ଏ. ର କାର୍ଯ୍ୟ ପରିସର ଆଇ. ଆର୍. ଡି. ଯୋଜନାର କାର୍ଯ୍ୟନ୍ଵୟନ , ପର୍ଯ୍ୟାଲୋଚନା ଓ ମୂଲ୍ୟାଙ୍କନ ଦାୟିତ୍ଵ ଡି. ଆର୍. ଡି. ଏ ଉପରେ ନ୍ୟସ୍ତ । ଏହାର ମୁଖ୍ୟ କାର୍ଯ୍ୟଗୁଡିକ ହେଲା – କାର୍ଯ୍ୟକ୍ରମର ମୌଳିକ ନିର୍ଦ୍ଧାରଣମାନଙ୍କ ସମ୍ପର୍କରେ ଜିଲ୍ଲା ଓ ବ୍ଲକକୁ ବିଶଦ ଜ୍ଞାନ ଯୋଗାଇ ଦେବା । ବିଭିନ୍ନ ସର୍ବକ୍ଷେଣ କାର୍ଯ୍ୟରେ ସମନ୍ଵୟ ରକ୍ଷା କରିବା ଓ ଅନ୍ତଦୃଷ୍ଟିଭିତ୍ତିକ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟ ପରିଚାଳନା କରିବା, ସମସ୍ତ ବ୍ଲକର ଏହି ଖସଡା ଏକତ୍ରିତ କରି ଡି. ଆର୍. ଡି. ଏ ର ଅର୍ନ୍ତଦୃଷ୍ଟିଭିତ୍ତିକ ପଞ୍ଚବାର୍ଷିକ ଖସଡା ପ୍ରସ୍ତୁତ ହୁଏ । ଆନ୍ତଃ – ବିଭାଗ ଓ ଆନ୍ତଃ – ସେକ୍ଟର ସମନ୍ଵୟ ଜାଗରଣ ସୃଷ୍ଟି କରିବା । କାର୍ଯ୍ୟକ୍ରମ ସମ୍ପର୍କରେ ଏକ ବୈପ୍ଳବିକ ଜାଗରଣ ସୃଷ୍ଟି କରିବା । ମାସିକ ରିପୋର୍ଟ ତଥା ଅନ୍ୟାନ୍ୟ ନିୟତକାଳିକ ବିବରଣୀ ସରକାରଙ୍କ ନିକଟକୁ ପ୍ରେରଣ କରିବା । ଡି. ଆର୍. ଡି. ଏ ର କର୍ମଚାରୀ ବୃନ୍ଦ ନିମ୍ନ ପ୍ରଦତ୍ତ ତାଲିକାନୁଯାୟୀ ନିଯୁକ୍ତ ହେବ । ଅଧ୍ୟକ୍ଷ – ଜିଲ୍ଲାପାଳ ପ୍ରକଳ୍ପ ଅଧିକାରୀ ସହକାରୀ ପ୍ରକଳ୍ପ ଅଧିକାରୀ (କ୍ରେଡିଟ) – ୧ ସହକାରୀ ପ୍ରକଳ୍ପ ଅଧିକାରୀ (ଓ ଗ୍ରାମ୍ୟଶିଳ୍ପ) – ୧ ସହକାରୀ ପ୍ରକଳ୍ପ ଅଧିକାରୀ (ମହିଳା) – ୧ କନିଷ୍ଠ କିରାଣୀ – ୧ ଡ୍ରାଇଭର – ୧ ସହକାରୀ ପ୍ରକଳ୍ପ ଅଧିକାରୀ (ପ୍ଲାନିଂ ଏଣ୍ଡ ମନିଟର) – ୧ ଷ୍ଟାଟିଷ୍ଟିକାଲ ଇନଭେଷ୍ଟିଗେଟର – ୧ କନିଷ୍ଠ କିରାଣୀ – ୧ ଆକାଉଣ୍ଟସ୍ ଅଫିସର - ୧ ହିସାବରକ୍ଷକ – ୩ ମୁଖ୍ୟ କିରାଣୀ – ୧ କନିଷ୍ଠ କିରାଣୀ – ୨ ଡ୍ରାଇଭର – ୧ ଚତୁର୍ଥ ଶ୍ରେଣୀ କର୍ମଚାରୀ - ୧ ଚୌକିଦାର – ୧ ଉପରୋକ୍ତ ନମୁନା ଅନୁଯାୟୀ ଡି. ଆର୍. ଡି. ଏ. କର୍ମକର୍ତ୍ତାବୃନ୍ଦ ନିଯୁକ୍ତି ହେବା କଥା । ଏହି ନମୁନାଟି ନୂତନ ଭାବେ ପ୍ରବର୍ତ୍ତିତ ହୋଇ ଏହାର କାର୍ଯ୍ୟକାରିତା ପାଇଁ ନିର୍ଦ୍ଦେଶ ରହିଛି । ପୁରାତନ ନମୁନା ଅନୁଯାୟୀ କାର୍ଯ୍ୟ କରୁଥିବା ଅନ୍ୟାନ୍ୟ କର୍ମଚାରୀଙ୍କୁ ଅନ୍ତରିତ ନ କରିବା ପାଇଁ ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି । କିନ୍ତୁ ସେପରି ଯଦି କୌଣସି ପଦବୀ ଶୂନ୍ୟ ରହେ ତେବେ ତାହା ପୂରଣ ହେବ ନାହିଁ । ଆଇ.ଆର୍.ଡି.ପି. ନିମିତ୍ତ ଗଠିତ ରାଜ୍ୟସ୍ତରୀୟ ସମନ୍ଵୟ କମିଟିର ମଞ୍ଜୁରୀ କ୍ରମେ ଡି. ଆର୍. ଡି. ଏ. ରେ ଆବଶ୍ୟକ ମୁତାବକ ଅଧିକ ସଂଖ୍ୟକ କର୍ମଚାରୀ ନିଯୁକ୍ତ ହୋଇପାରନ୍ତି । ପ୍ରକଳ୍ପ ମଞ୍ଜୁରୀ ଓ ଆସ୍ତି ହାସଲ ଋଣ ଦରଖାସ୍ତ ସଂଗ୍ରହ ନିମିତ୍ତ ଶିବିର ବ୍ୟବସ୍ଥା କରି ହିତାଧିକାରୀମାନଙ୍କର ଉପସ୍ଥିତି ପ୍ରତି ଦୃଷ୍ଟି ଦେବାକୁ ପଡିବ । ଏଥିରେ ବ୍ଲକ କର୍ମକର୍ତ୍ତା, ରାଜସ୍ୱ ବିଭାଗ ତଥା ଅନ୍ୟ ସମ୍ପୃକ୍ତ ବିଭାଗ କର୍ମକର୍ତ୍ତା ତଥା ବ୍ୟାଙ୍କ କର୍ମଚାରୀବୃନ୍ଦ ଯୋଗ ଦେବା ବିଧେୟ । ଶିବିର ବ୍ୟବସ୍ଥା ଦ୍ଵାରା ଦରଖାସ୍ତ ସଂଗ୍ରହ ପ୍ରତି ଧ୍ୟାନ ଦେଲେ ହିତାଧିକାରୀମାନଙ୍କର ସମୟ ଅଯଥା ବ୍ୟୟିତ ହୁଏ ନାହିଁ ଏବଂ ସେମାନଙ୍କୁ ବିଭିନ୍ନ କାର୍ଯ୍ୟାଳୟର ଦ୍ଵାରସ୍ଥ ହୋଇ ‘ ନୋ – ଡ୍ୟୁ ସାର୍ଟିଫିକେଟ ’ ଆଣିବା ଲାଗି ଅସୁବିଧାର ସମ୍ମୁଖୀନ ହେବାକୁ ହୁଏ ନାହିଁ । ନିମ୍ନୋକ୍ତ ଫାରମଗୁଡିକ ପୂରଣ କରି ଆଇ.ଆର୍. ଡି.ପି. ଋଣ ପାଇଁ ଦରଖାସ୍ତ ଦେବାକୁ ହୁଏ । ଦରଖାସ୍ତ ତଥା ମୂଲ୍ୟ ନିରୂପକ ଫାରମ । ସମ୍ମତି ତଥା ଆସ୍ତି – ବନ୍ଧକ ପତ୍ର (ଆବଶ୍ୟକ ସ୍ଥଳେ ପରିବର୍ଦ୍ଧିତ ହାରରେ ସୁଧ ପୈଠ ନିମନ୍ତେ ଅଙ୍ଗୀକାର ) । ବଚନ ପତ୍ର ଅର୍ଥ ପରିମାଣ ପାଇଁ ପ୍ରାପ୍ତି ରସିଦ । ‘ ସଙ୍ଘବଦ୍ଧ ଜୀବନ ବୀମା ’ ଯୋଜନାରେ ମନୋନୟନ ପତ୍ର । ଦରଖାସ୍ତ ଫାରମଗୁଡିକ ନିୟମିତ ଭାବେ ବ୍ଲକରୁ ବ୍ୟାଙ୍କକୁ ପ୍ରେରିତ ହେବା ଆବଶ୍ୟକ । ଆର୍ଥିକ ବର୍ଷର ସେସ ଭାଗରେ ଅତି ଅଧିକ ସଂଖ୍ୟକ ଦରଖାସ୍ତ ପ୍ରେରଣ କରିବା ମନୋଭାବ ପରିହାର କରିବା ଉଚିତ । ବ୍ଲକରୁ ଦରଖାସ୍ତ ପହଞ୍ଚିବାର ପନ୍ଦରଦିନ ମଧ୍ୟରେ ବ୍ୟାଙ୍କ ସ୍ତରରେ ତାହା ନିଶ୍ଚିତଭାବେ ଫଏସଲା ହୋଇଯିବା ଉଚିତ । ଆଂଶିକ ଅର୍ଥ ଯୋଗାଣ କିମ୍ବା ନିୟମୋଚିତ ପରିମାଣଠାରୁ କମ୍ ଅର୍ଥ ଯୋଗାଣ ସର୍ବଦା ବର୍ଜନୀୟ । ଯଥେଷ୍ଟ କାରଣ ଥାଇ ଦରଖାସ୍ତକୁ ନାକଚ କରି ବ୍ଲକ ଅଫିସକୁ ଫେରସ୍ତ କରାଯାଇପାରେ । ଏପରି ଦରଖାସ୍ତ ସମ୍ପର୍କରେ ଆବଶ୍ୟକୀୟ ବ୍ଲକ ଅଫିସକୁ ଫେରସ୍ତ କରାଯାଇପାରେ । ଏପରି ଦରଖାସ୍ତ ସମ୍ପର୍କରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣପୂର୍ବକ ସେଗୁଡିକୁ ପୁଣି ବ୍ୟାଙ୍କକୁ ପଠାଯାଏ । କୃଷି ସେକ୍ଟରରେ ଥିବା ବିଭିନ୍ନ ପ୍ରକଳ୍ପରେ ଅର୍ଥ ପରିମାଣ ନିର୍ଦ୍ଧାରଣ କରିବା ଦାୟିତ୍ଵ ନାବାର୍ଡ ର ଆଞ୍ଚଳିକ ଶାଖାରେ ଗଠିତ ‘ ୟୁନିଟ କଷ୍ଟ କମିଟି ’ ଉପରେ ନ୍ୟସ୍ତ । ରାଜ୍ୟ ସରକାର ଏହି ‘ ୟୁନିଟ କଷ୍ଟ କମିଟି ’ ସହ ନିଜକୁ ଜଡିତ କରିବା ଆବଶ୍ୟକ । ଶିଳ୍ପ, ସେବା ଏବଂ ବ୍ୟବସାୟ ସେକ୍ଟରରେ ବିଭିନ୍ନ ପ୍ରକଳ୍ପର ଅର୍ଥ ପରିମାଣ ନିର୍ଦ୍ଧାରଣ କରିବା ଦାୟିତ୍ଵ ବିଭିନ୍ନ ବ୍ୟାଙ୍କ, ଡି.ଆର୍.ଡି. ଏ. ଓ ଲିଡ୍ ବ୍ୟାଙ୍କ ଆନୁକୁଲ୍ୟରେ ଗଠିତ ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟି ଉପରେ ନ୍ୟସ୍ତ । ବ୍ୟାଙ୍କ ବ୍ରଞ୍ଚ ସ୍ତରରେ ଋଣ ମଞ୍ଜୁରୀ ବେଳେ ପ୍ରକଳ୍ପର ନିଧାର୍ଯ୍ୟ ଅର୍ଥ ପରିମାଣରେ ଶତକଡା ପନ୍ଦର ଭାଗ ପରିବର୍ତ୍ତନ, ନାବାର୍ଡ ଦ୍ଵାରା ସ୍ଵୀକୃତ ହୋଇଅଛି । ହିତାଧିକାରୀଙ୍କ ସନ୍ତୋଷ ମୁତାବକ ଉଚ୍ଚମାନର ଅସ୍ତି ଉଚିତ ମୂଲ୍ୟରେ ଯୋଗାଇଦେବା ଡି. ଆର୍. ଡି. ଏ. ର ଦାୟିତ୍ଵ ଅଟେ । ଏଥିନିମିତ୍ତ ବ୍ଲକ ସ୍ତରରେ ଲକ କ୍ରୟ କମିଟି ଗଠିତ ହୋଇଥାଏ । ଏଥିରେ ହିତାଧିକାରୀ , ବ୍ଲକ କର୍ମକର୍ତ୍ତା, ବ୍ୟାଙ୍କ କର୍ମକର୍ତ୍ତା ତଥା ବୈଷୟିକ ବିଶେଷଜ୍ଞ ସଭ୍ୟଥାଆନ୍ତି । କ୍ରୟ କମିଟି ମାଧ୍ୟମରେ ଅସ୍ତି କ୍ରୟ ଦ୍ଵାରା ଯେଉଁ ତ୍ରୁଟି ପରିଲକ୍ଷିତ ହେଲା, ତାହାର ସଂଶୋଧନମୂଳକ ପଦକ୍ଷେପ ସ୍ୱରୂପ ପ୍ରତ୍ୟକ ଜିଲ୍ଲାର କେତେକ ନିର୍ଦ୍ଧିଷ୍ଟ ବ୍ଲକରେ ପ୍ରତ୍ୟକ ଅର୍ଥଯୋଗାଣ ମାଧ୍ୟମରେ ଋଣ ଓ ରିହାତି ଅର୍ଥ ହିତାଧିକାରୀଙ୍କୁ ପ୍ରଦାନ କରାଯାଏ । ଏହି ବ୍ୟବସ୍ଥା ୧୯୯୧- ୯୨ ମସିହାରୁ କାର୍ଯ୍ୟକାରୀ ହେଉଅଛି । ଏହାଦ୍ଵାରା ହିତାଧିକାରୀ ଦର କଷିବା କାର୍ଯ୍ୟ ଠିକ ରୂପେ ସାଧନ କରନ୍ତି ଓ ପୂର୍ବ ପ୍ରଚଳିତ କ୍ରୟ ବ୍ୟବସ୍ଥାର ଅହେତୁକ ବିଳମ୍ବ ଓ ଅସାଧୁତାର ପ୍ରଭାବରୁ ମୁକ୍ତ ହୁଅନ୍ତି । ଆରମ୍ଭରୁ ଏହା ଭାରତର ଏକାବନଟି ବ୍ଲକରେ ପ୍ରଚଳିତ କରାଇବା ପାଇଁ ନିର୍ଦ୍ଦେଶ ରହିଛି । ଅସ୍ତିର ଦୁରୂପଯୋଗ କିମ୍ବା ହସ୍ତାନ୍ତରଣ/ ସ୍ଥାନାନ୍ତରଣ ରୋକିବା ସକାଶେ ଏହାକୁ ଚିହ୍ନିତ କରିବା ଉଚିତ । ବୀମା ଅର୍ଥ ପାଇବାରେ ମଧ୍ୟ ଏହି ଚିହ୍ନିତ – କରିବା ପ୍ରକ୍ରିୟା ସହାୟକ ହୋଇଥାଏ । ଯୋଜନାରେ ଯୋଗାଇ ଦିଆଯାଇଥିବା ପଶୁ ସମ୍ପତ୍ତିଗୁଡିକ କ୍ଷେତ୍ରରେ ବୀମା ବ୍ୟବସ୍ଥା ରହିଅଛି । ଅଗ୍ନି, ବଜ୍ରପାତ, ଦଙ୍ଗା, ଆନ୍ଦୋଳନ, ବନ୍ୟା, ଝଡ, ଭୂକମ୍ପ ଦୁର୍ଭିକ୍ଷ ଇତ୍ୟାଦି ଦ୍ଵାରା କ୍ଷତିଗ୍ରସ୍ତ / ମରୁତ ପଶୁ ଓ ପକ୍ଷୀମାନଙ୍କ ନିମନ୍ତେ ବୀମା ଅର୍ଥ (ବୀମାକୃତ ରାଶି ) । ଜେନେରାଲ ଇନସ୍ୟୁରାନସ୍ କର୍ପୋରେସନ ଦ୍ଵାରା ଭରଣା କରାଯାଏ । ଆଇ. ଆର୍. ଡି. ପି. ହିତାଧିକାରୀଙ୍କ ନିମନ୍ତେ ‘ ସଙ୍ଘବଦ୍ଧ ଜୀବନବୀମା ବ୍ୟବସ୍ଥା ’ ପ୍ରଚଳିତ ହୋଇଅଛି । ୧୮ ବର୍ଷରୁ ୬୦ ବର୍ଷ ବୟସ୍କ ହିତାଧିକାରୀଙ୍କ ପାଇଁ ଏହା ତା ୧- ୪ – ୮୮ ଠାରୁ ଲାଗୁ ହୋଇଅଛି । ଅସ୍ତି ପାଇବା ଦିନଠାରୁ ଆରମ୍ଭ କରି ପାଞ୍ଚବର୍ଷ ପୂର୍ଣ୍ଣ ହେବା ପର୍ଯ୍ୟନ୍ତ କିମ୍ବା ହିତାଧିକାରୀଙ୍କୁ ୬୦ ବର୍ଷ ବୟସ ହେଲା ପର୍ଯ୍ୟନ୍ତ (ଯେଉଁ ଗୋଟିକ ଶୀଘ୍ର ଘଟେ ତାହା ଗ୍ରହଣୀୟ) ଏହି ବୀମା ସୁବିଧା ବଳବତ୍ତର ରହିବ । ବୀମାଭୁକ୍ତ ହିତାଧିକାରୀଙ୍କ ଉତ୍ତରଧିକାରୀଙ୍କର ସ୍ଵାଭାବିକ ମୃତ୍ୟୁ କ୍ଷେତ୍ରରେ ଟ.୩୦୦୦ ଓ ଦୁର୍ଘଟଣାଜନିତ ମୃତ୍ୟୁରେ ଟ.୬୦୦୦ ଟଙ୍କା ଜୀବନ ବୀମା କାର୍ପୋରେସନ ତରଫରୁ ପ୍ରାପ୍ତ ହେବେ । ଆଇ.ଆର୍.ଡି.ପି. ର ଆର୍ଥିକ କାର୍ଯ୍ୟ ପ୍ରଣାଳୀ ଏହି କାର୍ଯ୍ୟକ୍ରମର ସଫଳ ପରିଚାଳନା ନିମନ୍ତେ ଏବଂ ଏକ ନିର୍ଦ୍ଧିଷ୍ଟ ସମୟରେ ଅଜସ୍ର ଅବାଞ୍ଛିତ କାର୍ଯ୍ୟ ବୋଝ ସୃଷ୍ଟି କରିବା ମନୋବୃତ୍ତିକୁ ପରିହାର କରିବା ଉଦ୍ଦେଶ୍ୟରେ ତ୍ରୈମାସିକ ବଜେଟିଂ ଓ ଲକ୍ଷ ନିଧାର୍ଯ୍ୟ ବ୍ୟବସ୍ଥା ରହିଅଛି । ଯୋଜନାର ଅର୍ଥ ବ୍ୟୟ ଓ ହିତାଧିକାରୀଙ୍କୁ ଋଣ ପ୍ରଦାନ ନିମ୍ନୋକ୍ତ ପ୍ରକାରେ ହେବ – ପ୍ରଥମ ତ୍ରିମାସ (ଏପ୍ରିଲ ଠାରୁ ଜୁନ) – ୧୫% ଦ୍ଵିତୀୟ ତ୍ରିମାସ (ଜୁଲାଇଠାରୁ ସେପ୍ଟେମ୍ବର ) – ୨୫% ତୃତୀୟ ତ୍ରିମାସ (ଅକ୍ଟୋବରଠାରୁ ଡିସେମ୍ବର) – ୩୫% ଚତୁର୍ଥ ତ୍ରିମାସ (ଜାନୁଆରୀଠାରୁ ମାର୍ଚ୍ଚ) – ୨୫% ବ୍ୟୟ ପାଇଁ ଡି.ଆର.ଡି.ଏ. କୁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଶତକଡା ପଚାଶ ଭାଗ ପାଣ୍ଠି ଯୋଗାଇଦିଅନ୍ତି । ଉପରବର୍ଣ୍ଣିତ ତ୍ରିମାସ ସମୟ ସାରଣୀ ମଧ୍ୟରେ ଅର୍ଥବ୍ୟୟ କରିବାକୁ ହୁଏ । କେନ୍ଦ୍ର ସରକାର ତାଙ୍କର ଦେୟ ଦୁଇଟି କିସ୍ତିରେ ଦିଅନ୍ତି । ଅର୍ଥ ସାହାଯ୍ୟରେ ଦୃଷ୍ଟାନ୍ତ ନମୁନା ଆଇ.ଆର୍.ଡି.ପି. ରେ ବ୍ୟକ୍ତି/ପରିବାରକୁ ନିମ୍ନୋକ୍ତ ଧାରାରେ ଅର୍ଥ ସାହାଯ୍ୟ ଦିଆଯାଏ । କ୍ଷୁଦ୍ରଚାଷୀ ୨୫% ଛାଡର ସର୍ବୋଚ୍ଚ ସୀମା ଅଣ ଡି.ପି.ଏ.ପି. / ଅଣ ଡି.ପି.ପି. ଅଞ୍ଚଳରେ - ୩୦୦୦ /- ଓ ଡି.ପି.ଏ.ପି./ଡି.ଡି.ପି. ଅଞ୍ଚଳରେ ଟ. ୪୦୦୦/- ଧାର୍ଯ୍ୟ ହୋଇଅଛି ନାମମାତ୍ର ଚାଷୀ/ କୃଷି ଶ୍ରମିକ ୩୩% ଏଜ୍ନ ‘ କ ’ ଓ ‘ ଖ ’ ବିଭାଗରେ ବର୍ଣ୍ଣିତ ଶ୍ରେଣୀ ମଧ୍ୟରୁ ହରିଜନ, ଆଦିବାସୀ ଓ ଶାରୀରିକ ଅକ୍ଷମ - ୫୦% ସମଗ୍ର ଗ୍ରାମାଞ୍ଚଳରେ ପରିବାର ପିଛା ଅର୍ଥ ସାହାଯ୍ୟରେ ଟ ୫୦୦୦/- ଧାର୍ଯ୍ୟ ହୋଇଅଛି । ବ୍ୟକ୍ତିଗତ କ୍ଷୁଦ୍ର ଜଳସେଚନ ଯୋଜନାରେ ନିମ୍ନୋକ୍ତ ଧାରାରେ ଅର୍ଥ ସାହାଯ୍ୟ ବ୍ୟବସ୍ଥା ହୋଇଅଛି । ଏହି କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ଅର୍ଥ ସାହାଯ୍ୟର ନିରଙ୍କୁଶ ସର୍ବୋଚ୍ଚ ସୀମା ପ୍ରଯୁଜ୍ୟ ନୁହେଁ । ଅର୍ଥାତ୍ ପ୍ରକଳ୍ପ ପାଇଁ ବ୍ୟୟ ହେଉଥିବା ଅର୍ଥର ୨୫% ବା ୩୩% ବା ୫୦% ପରିମାଣ ଯାହା ହେଉନା କାହିଁକି , ଉପକୃତ ବ୍ୟକ୍ତି ତାହା ପାଇବା ପାଇଁ ହକଦାର । ବ୍ୟକ୍ତିଗତ ବୋର ୱେଲ ନିମନ୍ତେ ଅର୍ଥ ସାହାଯ୍ୟର ସର୍ବୋଚ୍ଚ ସୀମା ଏହିପରି । କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ – ଟ.୩୦୦୦/- ସାଧାରଣ ଅଞ୍ଚଳରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ - ଟ.୪୦୦୦/- DEP/DPAP ଅଞ୍ଚଳରେ ଆଦିବାସୀ , ହରିଜନ, ଶାରୀରିକ ଅକ୍ଷମ – ଟ. ୫୦୦୦/- ସମସ୍ତ ଏହି ଅର୍ଥ ହିତାଧିକାରୀମାନଙ୍କୁ । ସିଧାସଳଖ ଦିଆନଯାଇ ସମ୍ପୃକ୍ତ ସରକାରୀ ବିଭାଗ ଦ୍ଵାରା ବିନିଯୋଗ ହେବ । ଯଦି ସୁଚିତା ଅର୍ଥଠାରୁ ଅଧିକ ଖର୍ଚ୍ଚ ହୁଏ, ତେବେ ସମ୍ପୃକ୍ତ ହିତାଧିକାରୀ ତାହା ବହନ କରିବେ । ରେଜିଷ୍ଟ୍ରିଭୁକ୍ତ ସମବାୟ ସମିତି ମାଧ୍ୟମରେ ଆଇ.ଆର.ଡି.ପି. ପ୍ରକଳ୍ପମାନ କାର୍ଯ୍ୟକାରୀ କରାଇବା ନିମିତ୍ତ ଶତକଡା ପଚାଶ ହାରରେ ଅର୍ଥ – ସାହାଯ୍ୟର ସ ଅର୍ବୋଚ୍ଚ ସୀମା ଧାର୍ଯ୍ୟ ହୋଇଅଛି । ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ ଋଣ ଅର୍ଥର ସୁଧହାର ସେପ୍ଟେମ୍ବର ୨୨,୧୯୯୦ରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଦ୍ଵାରା ଆଇ.ଆର.ଡି.ପି. ହିତାଧିକାରୀଙ୍କ ପାଇଁ ଘୋଷିତ ହୋଇଥିବା ସୁଧର ହାର ନିମ୍ନରେ ଦିଆଗଲା ଋଣର ପରିମାଣ ସୁଧର ହାର (ସରଳସୁଧ)% ବାର୍ଷିକ ଟ. ୭୫୦୦ ପର୍ଯ୍ୟନ୍ତ ୧୦.୦ ଟ. ୭୫୦୧ ରୁ ଟ.୧୫୦୦୦ ୧୧.୫୦ ଟ. ୧୫୦୦୧ ଋ ଟ. ୨୫୦୦୦ ୧୨.୦ ଟ. ୨୫୦୦୧ ରୁ ଟ. ୫୦୦୦୦ ୧୪.୦ ଟ.୫୦୦୦୧ ରୁ ଟ. ୨ ଲକ୍ଷ ୧୫.୦ ଟ. ୨ ଲକ୍ଷରୁ ଉର୍ଦ୍ଧ୍ଵ ୧୬.୦ (ସର୍ବନିମ୍ନ) ଆଇ.ଆର୍. ଡି.ପି. ର ସଫଳ ରୂପାୟନ ଓ ସରକାରୀ କର୍ମକର୍ତ୍ତା ଏବଂ ବ୍ୟାଙ୍କ କର୍ମକର୍ତ୍ତାଙ୍କ ମଧ୍ୟରେ ଫଳପ୍ରଦ ସମନ୍ଵୟ ରକ୍ଷା ଉଦ୍ଦେଶ୍ୟରେ ଗ୍ରାମମାନଙ୍କରେ ଋଣ ମେଳା ଅନୁଷ୍ଠିତ ହୋଇଥାଏ । ଏଥିରେ ଗୋଟିଏ ଗ୍ରାମ କିମ୍ବା ତିନି ଚାରୋଟି ନିକଟବର୍ତ୍ତୀ ଗ୍ରାମର ହିତାଧିକାରୀମାନେ ଯୋଗଦିଅନ୍ତି । ଏହି ଋଣ ମେଳାରେ ଋଣ ଦରଖାସ୍ତ ମଞ୍ଜୁରୀ କରାଯାଏ ଓ ପୂର୍ବରୁ ମଞ୍ଜୁରୀପ୍ରାପ୍ତ ଦରଖାସ୍ତର ହିତାଧିକାରୀଙ୍କୁ ଅସତ୍ୟ ପ୍ରଦାନ କରାଯାଏ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିର୍ଦ୍ଦେଶାନାମା ଅନୁଯାୟୀ ପ୍ରତ୍ୟକ ଶାଖା ବ୍ୟାଙ୍କ ସପ୍ତାହର ଗୋଟିଏ ନିର୍ଦ୍ଧିଷ୍ଟ ଦିନ ହିତାଧିକାରୀଙ୍କ ମଧ୍ୟରେ ଋଣ ବଣ୍ଟନର ବ୍ୟବସ୍ଥା କରିଛନ୍ତି ବ୍ଲକ ସ୍ତରୀୟ ସମନ୍ଵୟ କମିଟି ବୈଠକରେ ଏହି ନିର୍ଦ୍ଧିଷ୍ଟ ବାରଟି ସ୍ଥିରୀକୃତ ହୋଇଥାଏ । ଋଣ ବଣ୍ଟନରେ ଅସଦାଚାର ରୋକିବା ଓ ଉଚିତ ପର୍ଯ୍ୟବେକ୍ଷଣ ତଥା ଅତର୍କିତ ପରିଦର୍ଶନରେ ଏହି ବ୍ୟବସ୍ଥା ସହାୟକ ହୋଇଥାଏ । ଋଣ ପରିଶୋଧ ଆଇ.ଆର୍. ଡି.ପି. ଋଣ ଏକ ମଧ୍ୟମ ମିଆଦୀ ଋଣ ଅଟେ ଏଥିରେ ପରିଶୋଧ କାଳ ଅତି କମ୍ ରେ ତିନିବର୍ଷ ହୋଇଥାଏ । କିନ୍ତୁ କୌଣସି କୌଣସି ବ୍ୟାଙ୍କ ଶାଖା ଏଥିରେ ବ୍ୟତିକ୍ରମ ଘଟାଇ ତିନି ବର୍ଷରୁ କମ୍ ସମୟରେ ଋଣ ପରିଶୋଧ ପାଇଁ ଅନୁସୂଚୀ ନିର୍ଦ୍ଧାରଣ କରିଥାନ୍ତି । ଋଣ ପରିଶୋଧରେ ନିଷ୍କ୍ରିୟତା, ଅନୁସୂଚୀ ନିର୍ଦ୍ଧାରଣ ପ୍ରକଳ୍ପଟିର ମୁମୂର୍ଷୁ ଅବସ୍ଥାର ମୁଖ୍ୟ କାରଣ ହୋଇଥାଏ । ବ୍ୟାଙ୍କ ତରଫରୁ ହିତାଧିକାରୀମାନଙ୍କୁ ପାଶ୍ ବୁକ୍ ଯୋଗାଇ ଦିଆଯାଏ । ଏଥିରେ ଋଣ ସମ୍ପର୍କୀୟ ବିଶଦ ବିବରଣୀ ଯଥା, ଋଣ ମଞ୍ଜୁରୀ ତାରିଖ, ମଞ୍ଜୁରୀ ଋଣ ପରିମାଣ, ଛାଡଋଣର ପରିମାଣ ସୁଧହାର, ପ୍ରତ୍ୟକ କିସ୍ତିର ପରିମାଣ, କିସ୍ତି ଦେୟର ତାରିଖ ଇତ୍ୟାଦି ପ୍ରାଞ୍ଜଳ ଭାବେ ଲିପିବଦ୍ଧ ହୋଇଥାଏ । ଋଣ ଅସୁଲ ପାଇଁ ବ୍ୟାଙ୍କ ଓ ବ୍ଲକ କର୍ମକର୍ତ୍ତାଙ୍କ ମିଳିତ ପ୍ରଚେଷ୍ଟାରେ ଶିବିରମାନ ଅନୁଷ୍ଠିତ ହୁଏ । ଋଣ ପ୍ରଦାନ ତଥା ଋଣ ଅସୁଲ ମେଳା ଏକ ସମୟରେ ହେବା ବାଞ୍ଛନୀୟ । ଆବଶ୍ୟକ ସ୍ଥଳେ ତହସିଲ କାର୍ଯ୍ୟାଳୟର ସାହାଯ୍ୟ ମଧ୍ୟ ନିଆଯାଇପାରେ । ନିଜର ତ୍ରୁଟି ନଥାଇ ମଧ୍ୟ ଯଦି କୌଣସି ହିତାଧିକାରୀ ପ୍ରଥମ ଋଣ ମାଧ୍ୟମରେ ଦାରିଦ୍ର୍ୟ ସୀମାରେଖା ଲଙ୍ଘନ କରିପାରିଲେ ନାହିଁ, ତେବେ ତାଙ୍କୁ ଦ୍ଵିତୀୟ ଋଣ ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ପ୍ରଥମ ଋଣ ପ୍ରଦାନ କରିଥିବା ବ୍ୟାଙ୍କ ଶାଖା ଦ୍ଵିତୀୟ ଋଣ ମଞ୍ଜୁର କରିପାରେ, ଅଥବା ସେହି ବ୍ୟାଙ୍କର ଅନ୍ୟ ଏକ ଶାଖା କିମ୍ବା ଅନ୍ୟ ଯେକୌଣସି ବ୍ୟାଙ୍କ ଶାଖା ଏହି ଦ୍ଵିତୀୟ ଋଣ ଦେଇପାରନ୍ତି । ଯେଉଁ ହିତାଧିକାରୀ ପ୍ରଥମ ଋଣ ଏକ ସମବାୟ ବ୍ୟାଙ୍କରୁ ପାଇଥିବେ ଅଥଚ ଦେଇତୀୟ ଋଣ ପ୍ରଦାନ କରିବା ପାଇଁ ସେହି ସମବାୟ ବ୍ୟାଙ୍କର ଆର୍ଥିକ ସ୍ଵଚ୍ଛଳତା ନଥିବ , ସେପରି ସ୍ଥଳେ ଅନ୍ୟ ଏକ ବ୍ୟବସାୟିକ ବ୍ୟାଙ୍କ କିମ୍ବା ଆଞ୍ଚଳିକ ବ୍ୟାଙ୍କ ଉକ୍ତ ହିତାଧିକାରୀଙ୍କୁ ଦ୍ଵିତୀୟ ଋଣ ମଞ୍ଜୁର କରିପାରିବେ । ପ୍ରତ୍ୟକ ବ୍ଲକରେ ‘ ବ୍ଲକ ସ୍ତରୀୟ ପରାମର୍ଶଦାତା କମିଟି ’ ଗଠିତ ହେବ । ତାହାର ଗଠନ ପ୍ରଣାଳୀ ଏହିପରି । ଉପଜିଲ୍ଲାପାଳ – ଅଧ୍ୟକ୍ଷ ଗୋଷ୍ଠୀଉନ୍ନୟନ ଅଧିକାରୀ - ଆବାହକ ସମସ୍ତ ବ୍ୟବସାୟିକ ବ୍ୟାଙ୍କର ଶାଖା ପରିଚାଳନା - ସଦସ୍ୟ ପ୍ରାଥମିକ ଭୂ – ଉନ୍ନୟନ ବ୍ୟାଙ୍କର ସମ୍ପାଦକ / ସଭାପତି – ସଦସ୍ୟ ଜିଲ୍ଲା ସମବାୟ ବ୍ୟାଙ୍କର ସମ୍ପାଦକ / ସଭାପତି – ସଦସ୍ୟ ତହସିଲଦାର - ସଦସ୍ୟ ଅତିରିକ୍ତ ପ୍ରକଳ୍ପ ଅଧିକାରୀ – ସଦସ୍ୟ ବ୍ଲକସ୍ତରୀୟ ପରାମର୍ଶଦାତା କମିଟି ବୈଠକ ଉପଜିଲ୍ଲାମାନଙ୍କୁ ଜଣାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧାର୍ଯ୍ୟ କରିବେ । ଏଥିରେ ଉପଜିଲ୍ଲାପାଳ କିମ୍ବା ତାଙ୍କର ଅନୁପସ୍ଥିତିରେ ଗୋଷ୍ଠୀଉନ୍ନୟନ ଅଧିକାରୀ ଅଧ୍ୟକ୍ଷତା କରିବେ । ଏହି କମିଟିର ମୁଖ୍ୟ କାର୍ଯ୍ୟଗୁଡିକ ନିମ୍ନରେ ଦର୍ଶାଗଲା । ବ୍ୟାଙ୍କ ଶାଖାୱ୍ୟାରୀ ଯୋଜନା (ପ୍ରକଳ୍ପ) ୱ୍ୟାରୀ ଲକ୍ଷକୁ ସ୍ଵିକୃତି ପ୍ରଦାନ କରିବା । ବ୍ୟାଙ୍କ ମଧ୍ୟରେ ଗ୍ରାମଗୁଡିକୁ ବଣ୍ଟନ କରିବା । ଋଣ ପ୍ରଦାନ ମେଳା ଓ ଋଣ ଆଦାୟ ମେଳା ପାଇଁ ତାରିଖ ଧାର୍ଯ୍ୟ କରିବା । ଋଣ ଦରଖାସ୍ତ ପ୍ରେରଣ, ମଞ୍ଜୁରୀ ଓ ନାକଚ ଇତ୍ୟାଦି ଅନୁଧ୍ୟାନ କରିବା ଓ ତ୍ୱରାନ୍ୱିତ କରିବା । କ୍ରୟ କମିଟିର କାର୍ଯ୍ୟଧାରା ତ୍ୱରାନ୍ୱିତ କରାଇ ଆସ୍ତି ବ୍ୟବସ୍ଥା ପ୍ରତି ଯତ୍ନବାନ ହେବା । ଯୋଜନା ସମୀକ୍ଷା ଓ ଆସ୍ତି ତନଖି । ବ୍ଲକର ବୈଠକ ପ୍ରତିମାସରେ ଥରେ ଅନୁଷ୍ଠିତ ହୁଏ । ‘ ବ୍ଲକ ସ୍ତରୀୟ ବ୍ୟାଙ୍କମାନଙ୍କର କମିଟି ’ ପ୍ତରୀ ତିନି ମାସରେ ଥରେ ଅନୁଷ୍ଠିତ ହୁଏ । ବ୍ଲକରେ କାର୍ଯ୍ୟ କରୁଥିବା ସମସ୍ତ ବ୍ୟାଙ୍କ, ସମବାୟ ବ୍ୟାଙ୍କ ଓ ଗ୍ରାମ୍ୟ ବ୍ୟାଙ୍କର ଶାଖା ପରିଚାଳକ ଏଥିରେ ସଭ୍ୟ ରହନ୍ତି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତାଙ୍କ କାର୍ଯ୍ୟାଳୟର ସମବାୟ ସମ୍ପ୍ରସାରଣ ଅଧିକାରୀ, କୃଷି ଅଧିକାରୀ, ଶିଳ୍ପ ଉନ୍ନୟନ ଅଧିକାରୀ, ପ୍ରଗତି ସହାୟକ ଇତ୍ୟାଦି ସଦସ୍ୟ ଅଟନ୍ତି । ଲିଡ୍ ବ୍ୟାଙ୍କ ଅଫିସର ଏହାର ଅଧ୍ୟକ୍ଷ ଅଟନ୍ତି । ସେ ଏହାର ଆବାହକ ମଧ୍ୟ ଅଟନ୍ତି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଲିଡ୍ ଡିଷ୍ଟ୍ରିକ ଅଫିସର ଏଥିରେ ଯୋଗଦାନ କରନ୍ତି । ଏହି କମିଟିର କାର୍ଯ୍ୟଗୁଡିକ ହେଲା । ବିଭିନ୍ନ ବ୍ୟାଙ୍କର ଆକ୍ସନ ପ୍ଲାନ ସମୀକ୍ଷା କରିବା । ଆଇ.ଆର୍. ଡି.ପି. କାର୍ଯ୍ୟକାରୀ କରାଇବାରେ ଥିବା ଅନ୍ତରାୟଗୁଡିକୁ ଦୂର କରିବା ଓ ଏହାର ଅଗ୍ରଗତି ପ୍ରତି ଦୃଷ୍ଟିଦେବା SEEU ଓ SEPUP କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରାଇବା । ବ୍ୟାଙ୍କର ଅନ୍ୟାନ୍ୟ ଋଣ ପ୍ରଦାନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବା । ନୂତନ ବ୍ୟାଙ୍କ ଶାଖା ପାଇଁ ସେବା କ୍ଷେତ୍ର ପ୍ରସ୍ତୁତ କରିବା । ବିକାଶ ପତ୍ରିକା ପ୍ରତ୍ୟକ ହିତାଧିକାରୀଙ୍କୁ ବିକାଶ ପତ୍ରିକା ଯୋଗାଇଦେବା ବ୍ୟବସ୍ଥା ରହିଛି । ଏହି ପତ୍ରିକାର ଅନ୍ୟ ଏକ ନକଲ ବ୍ଲକ କାର୍ଯ୍ୟାଳୟରେ ରହିବ । ଏଥିରେ ପ୍ରକଳ୍ପର ସମସ୍ତ ତଥ୍ୟ ଓ ପ୍ରଚଳିତ ଅବସ୍ଥା ଲିପିବଦ୍ଧ ହେବ । ଆଇ.ଆର୍. ଡି.ପି. ର ଗୁଣାତ୍ମକ ପାର୍ଯ୍ୟାଲୋଚନ ପଦ୍ଧତିରେ କ୍ଷେତ୍ର ପରିଦର୍ଶନ ପୂର୍ବକ ହିତାଧିକାରୀଙ୍କ ଆସ୍ତି ତନଖି ଓ ପ୍ରତ୍ୟକ୍ଷ ଆଲୋଚନାର ଭାର ବିଭିନ୍ନ କର୍ମକର୍ତ୍ତାଙ୍କ ଉପରେ ନ୍ୟସ୍ତ କରାଯାଇଛି । ସେହି କର୍ମକର୍ତ୍ତାବୃନ୍ଦ ନିମ୍ନୋକ୍ତ ତାଲିକା ପ୍ରକାରେ ନିଜର ଗସ୍ତକାଳରେ ହିତାଧିକାରୀଙ୍କୁ ସାକ୍ଷାତ କରି ବିଭିନ୍ନ ତଥ୍ୟ ସଂଗ୍ରହ କରିବେ । ପ୍ରଦର୍ଶନକାରୀ କର୍ମକର୍ତ୍ତାଙ୍କ ମନ୍ତବ୍ୟ ଜିଲ୍ଲା ଓ ରାଜ୍ୟ ସ୍ତରରେ ଆଲୋଚିତ ହୁଏ ଓ ତଦନୁଯାୟୀ ପରବର୍ତ୍ତୀ ଯୁକ୍ତିଯୁକ୍ତ ପଦକ୍ଷେପ ନିଆଯାଏ । ସମବର୍ତ୍ତୀ ମୂଲ୍ୟାଙ୍କନ ପ୍ରତ୍ୟକ ମାସରେ ବ୍ଲକର ସମ୍ପ୍ରସାରଣ ଅଧିକାରୀଙ୍କ ଦ୍ଵାରା ଏହି କାର୍ଯ୍ୟ ସମାହିତ ହୁଏ ଏବଂ ଏହାର ରିପୋର୍ଟ ଡି.ଆର.ଡି.ଏ. କୁ ପ୍ରେରିତ ହୁଏ ଏଥିରେ ହିତାଧିକାରୀଙ୍କ ଆର୍ଥିକ ପ୍ରଗତି ଋଣ ପରିଶୋଧର ମାତ୍ରା, ପ୍ରକଳ୍ପର ପରିସ୍ଥିତି , ହିତାଧିକାରୀଙ୍କ ଦ୍ଵିତୀୟ ଋଣ ପାଇବାପାଇଁ ଆବଶ୍ୟକତା ଇତ୍ୟାଦି ସମ୍ପର୍କରେ ସୂଚନା ଥାଏ । ଆଇ.ଆର୍. ଡି.ପି. ଅନୁମୋଦିତ"ବିଭିନ୍ନ ପ୍ରକଳ୍ପର ତାଲିକା" ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ