ରାସାୟନିକ ଔଷଧ ପ୍ରୟୋଗ ଫସଲରେ ବିଭିନ୍ନ ପ୍ରକାରର ପୋକ, ରୋଗ, ସୂତ୍ରଜୀବ ଆକ୍ରମଣ ଯୋଗୁଁ ଅମଳ ବାଧାପ୍ରାପ୍ତ ହୋଇଥାଏ । ଏହି ଅନିଷ୍ଟକାରୀ ଜୀବ ମାନଙ୍କ କବଳରୁ ଫସଲକୁ ରକ୍ଷା କରିବା ପାଇଁ ଆମେମାନେ ହଠାତ୍ ରାସାୟନିକ ଔଷଧ ପ୍ରୟୋଗ ପାଇଁ ଚିନ୍ତା କରୁଛେ । ଏହା ଦ୍ଵାରା ପ୍ରାକୃତିକ ପରିବେଶ, ଅନିଷ୍ଠକାରୀ ଜୀବଙ୍କ ସହ ଅନେକ ଉପକାରୀ ଜୀବ ନଷ୍ଟ ହେବା ସହ ଅନେକାଂଶରେ ଔଷଧର ବିଷଶକ୍ତି ଫସଲରେ ରହି ଜୀବଜନ୍ତୁ, ମନୁଷ୍ୟ ମଧ୍ୟ କ୍ଷତିଗ୍ରସ୍ତ ହେଉଅଛି । ତେଣୁ ସମନ୍ଵିତ ରୋଗ ପୋକ ପରିଚାଳନା ମାଧ୍ୟମରେ ଅନିଷ୍ଟକାରୀ ଜୀବମାନଙ୍କୁ ଆର୍ଥିକ ନିୟନ୍ତ୍ରଣ ସୀମାରେଖା ତଳେ ରଖି ସୁରକ୍ଷିତ ପରିବେଶ ଭିତରେ ଉତ୍ପାଦନ ବୃଦ୍ଧି କରିବା ବିଷୟ ପୂର୍ବରୁ ଆଲୋଚନା କରାଯାଇଅଛି । କୌଣସି କାରଣବଶତଃ ଅନିଷ୍ଟକାରୀ ଓ ଉପକାରୀ ପୋକରୋଗଙ୍କ ସଂଖ୍ୟା ବୃଦ୍ଧି ହୋଇ ଆର୍ଥିକ ନିୟନ୍ତ୍ରଣ ସୀମାରେଖା ଉପରକୁ ଉଠିଲେ ସେମାନଙ୍କୁ ଦମନ କରିବା ପାଇଁ ରାସାୟନିକ ଔଷଧର ଆବଶ୍ୟକ ହୋଇଥାଏ । ରାସାୟନିକ ଔଷଧ ପ୍ରୟୋଗ ପାଇଁ ମୁଖ୍ୟତଃ ତିନୋଟି ଦିଗ ପ୍ରତି ସତର୍କ ରହିବା ଦରକାର ଯଥା ଠିକ ଔଷଧ ଓ ଠିକ ଅନୁପାତ ଅର୍ଥାତ କେଉଁ ଫସଲର କି ଅବସ୍ଥା ବେଳେ କେଉଁ ପୋକ ରୋଗ କେତେ ମାତ୍ରାରେ ଆକ୍ରାନ୍ତ ହୋଇଛି, ସେଥିପାଇଁ କେଉଁ ଉପଯୁକ୍ତ ଔଷଧ କେତେ ଅନୁପାତ ରେ ପ୍ରୟୋଗ କରାଯିବ ଏ ବିଷୟରେ ବୈଷୟିକ ଜ୍ଞାନ ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ଗ୍ରହଣ କରି ଫସଲରେ ରାସାୟନିକ ଔଷଧ ପ୍ରୟୋଗ କରିବା ଉଚିତ୍ । କିପରି ଔଷଧ ଦ୍ରବଣ ପ୍ରସ୍ତୁତି କରି ଫସଲରେ ସିଞ୍ଚନ କରିବେ ବଜାରରେ ମିଳୁଥିବା ଅଧିକାଂଶ ପୋକ ଓ ରୋଗମରା ଔଷଧ ଗୁଡିକ ଉପଯୁକ୍ତ ଅନୁପାତରେ ଜଳ ସହିତ ମିଶ୍ରଣ କରି ସ୍ପ୍ରେୟାର ସାହାଯ୍ୟରେ ଫସଲରେ ସିଞ୍ଚନ କରିବାକୁ ହୁଏ । ଭିନ୍ନ ଭିନ୍ନ ସ୍ପ୍ରେୟର ବ୍ୟବହାର କଲେ ଆବଶ୍ୟକୀୟ ଜଳର ପରିମାଣ ଭିନ୍ନ ହୁଏ ଓ ଦ୍ରବଣର ଅନୁପାତ ମଧ୍ୟ ଭିନ୍ନ ହୁଏ । ସାଧାରଣତଃ ହସ୍ତଚାଳିତ ସ୍ପ୍ରେୟର ର ବ୍ୟବହାର ବହୁଳ ଅଟେ । ତେବେ ଔଷଧ ଦ୍ରବଣ ପ୍ରସ୍ତୁତି କଲାବେଳେ ଦୁଇଟି ମୁଖ୍ୟ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡିବ । କେତେ ଔଷଧ କେତେ ପାଣିରେ ମିଶାଇବାକୁ ହେବ । ଏକର/ହେକ୍ଟର ପ୍ରତି କେତେ ଔଷଧ ଦ୍ରବଣ ଦରକାର । ଏଥିପାଇଁ ନିମ୍ନଲିଖିତ ସୂତ୍ର ବ୍ୟବହାର କରାଯାଏ । ଦରକାର ହେଉଥିବା ଔଷଧର ପରିମାଣ ଓ ଦରକାର ହେଉଥିବା ବଜାରରେ ମିଳୁଥିବା ଔଷଧରେ ଥିବା କ୍ରିୟାଶୀଳ ଉଦାହରଣ - କ୍ଳୋରୋପାଇରିଫସ ୦.୪% ଏକର ପ୍ରତି ୨୦୦ ଲିଟର ଦ୍ରବଣ ସିଞ୍ଚନ ପାଇଁ କେତେ ଔଷଧ ଦରକାର । କ୍ଳୋରୋପାଇରିଫସ ଔଷଧ ସାଧାରଣତଃ ବଜାରରେ କୋରୋବାନ, ଧନୁସବାନ, ଡରମେଟ ଆଦି ନାମରେ EC ୨୦% କ୍ରିୟାଶୀଳ ବିଷ (A.I) ଥାଇ ମିଳୁଛି । ଦରକାର ହେଉଥିବା ସମୁଦାୟ ସ୍ପ୍ରେ ଦ୍ରବଣ = ୨୦୦ଲିଟର ଦରକାର ହେଉଥିବା ଦ୍ରବଣରେ ଔଷଧର ହାର = ୦.୦୪% ବଜାରରେ ମିଳୁଥିବା ଔଷଧରେ କ୍ରିୟାଶୀଳ ବିଷ ହାର(A.I%) = ୨୦% ତେବେ ଦରକାର ହେଉଥିବା ଔଷଧର ପରିମାଣ = ୨୦୦x୦.୦୪/୨୦ = ୦.୪ ଲି. ବା ୪୦୦ ମିଲି ଅର୍ଥାତ ୪୦୦ମିଲି ୨୦% EC ଧନୁସବାନ/ଡରମେଟ ୨୦୦ ଲିଟର ପାଣିରେ ମିଶାଇ ଏକ ଏକର ଫସଲରେ ସିଞ୍ଚନ କରନ୍ତୁ । ସାଧାରଣତଃ ୧୨ଲି ଧରୁଥିବା ହସ୍ତ ଚାଳିତ ସ୍ପ୍ରେ ମେସିନରେ ୧୦ଲିଟର ଦ୍ରବଣ ରାଖୀ ସ୍ପ୍ରେ କରାଯାଏ । ତେବେ ୧୦ ଲିଟର ଦ୍ରବଣ ପାଇଁ ୧୦ ଲିଟର ଜଳରେ ୨୦ମିଲି ଔଷଧ ମିଶ୍ରଣ କରି ୫ ଡିସିମିଲ ଫସଲରେ ସ୍ପ୍ରେ କରନ୍ତୁ । ଆଧାର : ଡାକ୍ତର ସୂର୍ଯ୍ୟ ନାରାୟଣ ବେହେରା