ଅଙ୍ଗୀୟ ପ୍ରସାରଣ ଦ୍ଵାରା ଫସଲ ଉତ୍ପାଦନ କରାଯାଉଥିବା ବିହନ ପଦାର୍ଥ ନିର୍ବାଚନ ପ୍ରଣାଳୀ ଆଖୁ , ଆଳୁ, ଇତ୍ୟାଦି ଫସଲ ପାଇଁ ଅଙ୍ଗୀୟ ପ୍ରସାରଣ ପଦ୍ଧତିରେ ବିହନ ପଦାର୍ଥ ଉତ୍ପାଦନ କରାଯାଏ । ଏହି କ୍ଷେତ୍ରରେ ଉପରୋକ୍ତ ପ୍ରକୃତ ବିହନର ଗୁଣାତ୍ମକ ମୂଲ୍ୟାୟନ କରାଯାଏ ନାହିଁ । ଏହି କ୍ଷେତ୍ରରେ ବିହନ ନିର୍ବାଚନ ବେଳେ ନିମ୍ନଲିଖିତ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ । ଆଖୁ ସମ୍ଭବତଃ ଆଖୁର ଉପର ଅଂଶ ଯେଉଁଥିରେ ତରୁଣ କଳିକା ଥାଏ ଜଳ ଓ ଗ୍ଲୁକୋଜ ଭରପୁର ଥାଏ ଏବଂ କଳିକାଟି ପର୍ଣ୍ଣଛଦ ଦ୍ଵାରା ସୁରକ୍ଷିତ ଥାଏ । ଏଣୁ କଳିକାଟି ଶୀଘ୍ର ଗଜା ହୁଏ । କଳିକାଟି ସବୁଜ ପ୍ରକ୍ଷେପକ ଏବଂ ସେଥିରେ ଶୁଖିଲା ଶଳକ ପତ୍ର ନଥାଏ । ବିହନ ପଦାର୍ଥ ମରୁଡି – ତୁଷାର ବା ଜଳାକ୍ରାନ୍ତ ହୋଇ ନଥିବ । ବିହନ କିସମର ରୋଗ ସହଣି ଶକ୍ତି ଥିବ । ମୂଳୀ ଆଖୁକୁ ବିହନ ପଦାର୍ଥ ରୂପେ ନିର୍ବାଚନ କରିବା ଠିକ୍ ହେବ ନାହିଁ । ଆଖୁ ଗଣ୍ଠିରେ ଚେର ବାହାରି ନଥିବ । ଆଖୁ ଶୁଖିଯାଇ ନଥିବ ବା ରୋଗ ପୋକଦ୍ଵାରା ଆକ୍ରାନ୍ତ ହୋଇ ନଥିବ । ଆଳୁ ଆଳୁ ଖଣ୍ଡଟି ଅତି କମ୍ ରେ ୩ ସେ.ମି. ବ୍ୟାସ ଥିବା ଦରକାର । ଏହାର ଓଜନ ୨୫ – ୩୦ ଗ୍ରାମ୍ ରହିବା ଦରକାର । ଆଳୁ ନିରୋଗା ହେବା ଉଚିତ । ପ୍ରତ୍ୟକ କଟା ଆଳୁରେ ଅତି କମ୍ ରେ ୩ଟି ଜୀବନ୍ତ ଆଖି ରହିବା ଉଚିତ । ଖାଲୁଆ ହୋଇଥିବା ଆଖିଥିବା ଖଣ୍ଡ ଲଗାଇବା ପାଇଁ ସବୁଠାରୁ ଭଲ । ବିହନର ଅଧିକ ଉତ୍ପାଦନ କ୍ଷମତା ଏବଂ ରୋଗପୋକ ସହିବା କ୍ଷମତା ରହିଥିବା ବିହନ ନିର୍ବାଚନ କରିବା ଉଚିତ । ଚାରା ମୂଲ୍ୟାଙ୍କନ ଗଜା ଗଣିବା ସମୟରେ ଯେଉଁ ଗଜାଗୁଡିକ ସ୍ଵାଭାବିକ ଏବଂ ଯେଉଁ ଗଜାଗୁଡିକ ଅସ୍ଵାଭାବିକ ଅଲଗା ଗଣିବା ଉଚିତ । ଅସ୍ଵାଭାବିକ ଚାରାଗୁଡିକର କୌଣସି ମୂଲ୍ୟ ନାହିଁ । କାରଣ ଏହି ଚାରାରୁ ସୁଫଳ ମିଳେ ନାହିଁ । ଏଣୁ ଗଜା ହେବା ଚାରାଗୁଡିକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଇପାରେ । ଯଥା - ସ୍ଵାଭାବିକ ଚାରା ଅସ୍ଵାଭାବିକ ଚାରା । ସ୍ଵାଭାବିକ ଚାରା ଯେଉଁ ଚାରାଗୁଡିକର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ସନ୍ତୁଳିତ ଏବଂ ପ୍ରତିସମ ବୃଦ୍ଧି ହୋଇଥାଏ ଏବଂ ଶକ୍ତ ହୋଇ ବିକଶିତ ହୁଏ, ସେହିପରି ଚାରାଗୁଡିକୁ ସ୍ଵାଭାବିକ ଚାରା କୁହାଯାଏ । ସ୍ଵାଭାବିକ ଚାରାଗୁଡିକର ନିମ୍ନଲିଖିତ ଗୁଣାତ୍ମକ ମୂଲ୍ୟ ରହିବା ଉଚିତ । ଚେର ବୃଦ୍ଧି ଓ ବିକାଶ ଭଲ ରୂପେ ହେବା ଉଚିତ । ପ୍ରାଥମିକ ଚେରର ବୃଦ୍ଧି ଠିକ୍ ଭାବେ ହେବା ଉଚିତ । ଅଧୋବୀଜ ପତ୍ରାକ୍ଷ ଅକ୍ଷୁର୍ଣ୍ଣ ଏବଂ ଉତ୍ତମ ବୃଦ୍ଧି ଓ ବିକାଶ ହେଉଥିବା ଉଚିତ । ଉପଭ୍ରୁଣ ପତ୍ର ଅକ୍ଷତ ଏବଂ ଏଥିରେ ଭ୍ରୁଣକାଣ୍ଡ କଳିକାଟି ସ୍ଵାଭାବିକ ଅବସ୍ଥାରେ ଥିବା ଉଚିତ । ଭ୍ରୁଣପତ୍ର ଅକ୍ଷତ ରହିଥିବା ଉଚିତ । ଅସ୍ଵାଭାବିକ ଚାରା ଯେଉଁ ଚାରାଗୁଡିକ ଭାଙ୍ଗି ଯାଇଥିବ, ଦୁର୍ବଳ ଏବଂ ଅସ୍ଵାଭାବିକ ଭାବେ ଗଠିତ ବିକୃତ ସେହିପରି ଚାରାଗୁଡିକ ଅସ୍ଵାଭାବିକ ଚାରା ।ଏହି ଚାରାଗୁଡିକୁ ଚାରା ଗଣନା ଶତକଡା ଭାଗ ବାହାର କରିବା ହିସାବରେ ନ ଆଣିବା ଉଚିତ । ଆନ୍ତର୍ଜାତିକ ବିହନ ପରୀକ୍ଷା ସମବାୟ ନିୟମାନୁସାରେ ନିମ୍ନଲିଖିତ ଦୋଷ ବା ତ୍ରୁଟି ଦେଖାଯିବା ଅସ୍ଵାଭାବିକ ଧରାଯାଏ । ଯଥା – କ୍ଷତ ଚାରା ଭ୍ରୁଣପତ୍ର ନଥିବା ଚାରା, ଖଣ୍ଡିଆ ଚାରା, ଦାଗ ହୋଇଯାଉଥିବା ଚାରା ବା କ୍ଷତ ହୋଇଯାଇଥିବା ଚାରା, ପ୍ରାଥମିକ ଚେର ନଥିବା ଚାରା ଏହି ଶ୍ରେଣୀ ରୂପେ ଗ୍ରହଣ କରାଯାଏ । ବିକଳାଙ୍ଗ ଚାରା ଦୁର୍ବଳ ବା ଅସନ୍ତୁଳିତ ଭାବେ ବୃଦ୍ଧି ହୋଇଥିବା ଚାରାଗୁଡିକ ଯଥା - ବାଙ୍ଗରା ଓ ଫୁଲିଯାଇଥିବା ଚେର । ଫାଟିଯାଇଥିବା ଭ୍ରୁଣକାଣ୍ଡ ବା ଭ୍ରୁଣକାଣ୍ଡ ଚେର ସବୁଜପତ୍ର ବିହୀନ ହୋଇଥିବା ଚାରାକୁ ବିକଳାଙ୍ଗ ଚାରା ରୂପେ ଗଣନା କରାଯାଏ । କ୍ଷୟ ହୋଇଯାଇଥିବା ଚାରା ଚାରାର କୌଣସି ମୁଖ୍ୟ ଅଙ୍ଗ ରୋଗଗ୍ରସ୍ତ ହୋଇ କ୍ଷୟ ହୋଇଯାଇଥିଲେ ଚାରାଟିର ସ୍ଵାଭାବିକ ବୃଦ୍ଧି ବନ୍ଦ ହୋଇଯାଏ । ଏହି କ୍ଷେତ୍ରରେ ବାହ୍ୟ ରୋଗ ଆକ୍ରମଣକୁ ବାଦ୍ ଦିଆଯାଏ । ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ