ବୈଜ୍ଞାନିକ ନାମ : ବିକ୍ସା ଓରେଲାନା ବଂଶ : ବିକ୍ସେସୀ ଆଞ୍ଚଳିକ ଭାଷାଗତ ନାମ : ଓଡିଆ : କୁଙ୍କୁମ ସଂସ୍କୃତ : ସିନ୍ଦୁରୀ , ବଙ୍ଗଳା : ଲଟକନ , ମରାଠୀ – ଶେନ୍ଦ୍ରୀ ହିନ୍ଦୀ – ସିନ୍ଦୂରିୟା ତେଲୁଗୁ/ ତାମିଲ – ଜାଫର ଇଂରାଜୀ – ଆନାଟୋ ଉପକ୍ରମ କୁଙ୍କୁମ ଏକ ପ୍ରାକୃତିକ ରଙ୍ଗ । ଏହି ରଙ୍ଗ କୁଙ୍କୁମ ଗଛ ମଞ୍ଜିରୁ ପ୍ରସ୍ତୃତ ହୋଇଥାଏ । ବଜାରରେ ରଙ୍ଗ ମିଶା ପ୍ରସ୍ତୁତ ଖାଦ୍ୟ ଓ ପାନୀୟର ଆଦର ଅଧିକ ହୋଇଥାଏ । ଖାଦ୍ୟ ପାନୀୟରେ ମିଶୁଥିବା ରଙ୍ଗ ଦୁଇ ପ୍ରକାରର – ପ୍ରାକୃତିକ ଓ କୃତ୍ରିମ । ପ୍ରାକୃତିକ ରଙ୍ଗ ତୁଳନାରେ କୃତ୍ରିମ ରଙ୍ଗ ଶସ୍ତାକିନ୍ତୁ ସ୍ୱାସ୍ଥ୍ୟ ପକ୍ଷେ ଏହାର ଦ୍ରବ୍ୟଗୁଣ ହାନିକାରକ ବୋଲି ଜଣାପଡିଛି । ଏହି ପରିପ୍ରେକ୍ଷୀରେ ବିଶ୍ଵସ୍ୱାସ୍ଥ୍ୟ ସଂଗଠନ ୨୦୦୪ରେ ଖାଦ୍ୟ- ପାନୀୟରେ କୃତ୍ରିମ ରଙ୍ଗ ବ୍ୟବହାର ଉପରେ ନିଷେଧାଜ୍ଞା ଜାରିକରିଛନ୍ତି । ତେଣୁ ବର୍ତ୍ତମାନ ପ୍ରାକୃତିକ ରଙ୍ଗର ଆବଶ୍ୟକତା ଅତି ମାତ୍ରାରେ ବଢିଛି : କିନ୍ତୁ ଆବଶ୍ୟକତା ଅନୁସାରେ ରଙ୍ଗ ମିଳିବା ସମ୍ଭବ ହେଉନାହିଁ । କୁଙ୍କୁମ ଅତି ଉଚ୍ଚକୋଟିର ପ୍ରାକୃତିକ ରଙ୍ଗ ହୋଇଥିବାରୁ ବୈଜ୍ଞାନିକ ପଦ୍ଧତିରେ ଏହାର ଚାଷ କରାଗଲେ ଏଥିରେ ଯଥେଷ୍ଟ ବ୍ୟବସାୟିକ ଲାଭ ଚାଷୀମାନେ ପାଇପାରିବେ । ଉଦ୍ଭିଦ ପରିଚୟ କୁଙ୍କୁମ ୧୦ ରୁ ୧୨ ଫୁଟ ଉଚ୍ଚତା ବିଶିଷ୍ଟ ଏକ ଗ୍ରୀଷ୍ମମଣ୍ଡଳୀୟ ଗୁଳ୍ମ । ଏହି ଛୋଟ ବୃକ୍ଷଟି ଦକ୍ଷିଣ ଭାରତ , ପଶ୍ଚିମବଙ୍ଗ ଏବଂ ଆସାମ ପ୍ରଭୃତି ରାଜ୍ୟରେ ପ୍ରାକୃତିକ ଭାବରେ ଦେଖାଯାଏ । ମହୀଶୂରରେ ଏହାକୁ ଅଧିକ ପରିମାଣରେ ଚାଷ କରାଯାଉଛି । କୁଙ୍କୁମ ଗଛର ସଖା ପ୍ରଶାଖାଗୁଡିକ ସଘନ ଏବଂ ସୁନ୍ଦର ଅଟେ । ଏହାର ପତ୍ରଗୁଡିକ ହୃଦୟାକୃତି ,ଲମ୍ବାଗ୍ର ଏବଂ ୪ ରୁ ୬ ଇଞ୍ଚ ଲମ୍ବ ବିଶିଷ୍ଟ ଅଟେ । ଫୁଲ ଗୁଡିକ ଛୋଟ, ଗୋଲାପି, ବା ରକ୍ତବର୍ଣ୍ଣଯୁକ୍ତ ୬ ସେମି ବ୍ୟାସ ବିଶିଷ୍ଟ ଏବଂ ଏହା ଡାଳର ଅଗ୍ରଭାଗ ହୋଇଥାଏ । ଫୁଲର ୫ ଟି ଦଳ ଓ ୫ ଟି ବୃତ୍ତି ଥାଏ । ଫଳ ବାଦାମିରୁ ରକ୍ତିମ ବାଦାମି ରଙ୍ଗଯୁକ୍ତ , ଚୋପା ଉପରେ ଛୋଟ ଟାଣ ଲୋମ ଥାଏ । ଫଳ ଦୁଦୁରା ଫଳପରି ମୃଦୁ କଣ୍ଟକିତ । ଏଥିରେ ପାଖାପାଖି ୫୦ ଲେଖାଏଁ ଛୋଟ ସିନ୍ଦୁର ବର୍ନର ବୀଜ ଥାଏ । ଏହି ବୀଜର ବ୍ୟାସ ୫ ମିମି ଚୋପା, ପତଳା,ମାଂସାଳ, ଓ ରଙ୍ଗୀନ ଅଟେ । ଏହି ବୀଜରୁ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରାଯାଏ । ପ୍ରୟୋଗନୀୟ ଅଂଶ : ବୀଜ,ପତ୍ର, ଫୁଲ, ମୂଳ । ରାସାୟନିକ ସଂଗଠନ : ବୀଜରେ ମୁଖ୍ୟତଃ ରଞ୍ଜକ ଦ୍ରବ୍ୟ ବିକ୍ଵିନ ତଥା ସ୍ନେହ ରାଳ ଓ ତିକ୍ତ ପଦାର୍ଥ ମିଳିଥାଏ । ଔଷଧୀୟ ଗୁଣ ଓ ପ୍ରୟୋଗ କୁଙ୍କୁମ ମଞ୍ଜିରୁ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରାଯାଉଥିବାରୁ ଏହାର ଚାହିଦା ଅଧିକ ରହିଥିଲେ ମଧ୍ୟ ଔଷଧୀୟ ଗୁଣଧର୍ମ ଦୃଷ୍ଟିରୁ ଏହା ପାରମ୍ପରିକ ଚିକିତ୍ସାରେ ଆଦୃତ ହୋଇଆସୁଛି ।ଏହାର ବୀଜ ଓ ମୂଳ, ରୋଚକ, ଜ୍ଵରଘ୍ନ ଓ ଗ୍ରାହୀ ଅଟେ । ମୂଳର ଛାଲି ଜ୍ଵର ରୋଗୀ ପାଇଁ ଲାଭଦାୟକ । ଏହାର ବୀଜକୁ ଯେକୌଣସି ଶୋଥ ବା ଫୁଲା ସ୍ଥାନରେ ବାଟି ଲେପ ଦିଆଯାଏ । ପତ୍ର ମଧ୍ୟ କାମଳ ରୋଗୀ ପାଇଁ ହିତକର । ଚାଷ ପଦ୍ଧତି ଓଡିଶାର ମୃତ୍ତିକା ଓ ଜଳବାୟୁ କୁଙ୍କୁମ ଚାଷ ପାଇଁ ଅତି ଉପଯୋଗୀ । ଗ୍ରାମାଞ୍ଚଳମାନଙ୍କରେ ଅନେକ ସ୍ଥାନରେ ଏହା ରାସ୍ତାକଡ ଓ ବାଡମାନଙ୍କରେ ମଧ୍ୟ ବଡୁଥିବାର ଦେଖାଯାଏ । ନିମ୍ନରେ ଏହାର ଚାଷ ସମ୍ପର୍କିତ ତଥ୍ୟାବଳୀ ପ୍ରଦାନ କରାଗଲା । ଜଳବାୟୁ ମୃତ୍ତିକା ଓ ମୃତ୍ତିକା : ଗ୍ରୀଷ୍ମମଣ୍ଡଳୀୟ ଉଷ୍ଣ ଶୁଷ୍କ ଜଳବାୟୁରେ ଏହା ଭଲ ବଢିପାରେ । ତେଣୁ ମୁଖ୍ୟତଃ ଥଣ୍ଡାପ୍ରଧାନ ରାଜ୍ୟ ଯଥା – ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ ଏବଂ ହିମାଳୟ ପର୍ବତ୍ୟାଞ୍ଚଳ ଅନ୍ତର୍ଭୁକ୍ତ ରାଜ୍ୟଗୁଡିକୁ ବାଦଦେଲେ ଏହାକୁ ଭାରତର ଅନ୍ୟ ଯେ କୌଣସି ପ୍ରଦେଶରେ ଚାଷ କରାଯାଇପାରିବ । ଏହା ଛଡା ମୃତ୍ତିକା ବିଚାର କଲେ ଏହା ଯେକୌଣସି ନିଗିଡାମ ନିର୍ବଳୁଆ କିନ୍ତୁ ବତର ଧରିରଖୁଥିବା ଜମିରେ ଚାଷ ହୋଇପାରେ । ରୋପଣ ସମୟ : ସାଧାରଣତଃ ଏପ୍ରିଲ- ମେ ମାସରେ ଚାରା ପକାଯାଏ । ଏବେ ବର୍ଷିକିଆ ସୁସ୍ଥ ଚାରା ବର୍ଷା ଆରମ୍ଭରେ ଲଗାଯାଏ । ବର୍ଷାଋତୁ ଆରମ୍ଭରେ ଏହାର ଚାରା ରୋପଣ କରାଯାଉଥିବାରୁ ଜଳସେଚନ ଆବଶ୍ୟକ ପଡେନାହିଁ । ବଂଶ ବିସ୍ତାର : ମଞ୍ଜି ଓ ଅଙ୍ଗରୁ ଗଛ ହୁଏ । ଏଥିପାଇଁ ପଲିଥିନ ମୁଣି (ବ୍ୟାସ ୧ ଫୁଟ୨ଟି ମଞ୍ଜି ଓ ଉଚ୍ଚ ୧ ଫୁଟ) ରେ ମାଟି ଖତ ଓ ସାର ମିଶ୍ରଣ କରି ମାଟିରେ ୧ରୁ ୨ ଟି ମଞ୍ଜି ପୋତି ବରାବର ପାଣି ଦିଆଯାଏ । ପ୍ରାୟ ୮-୧୦ ଦିନରେ ଗଜା ବାହାରିଥାଏ । ଗୋଟିଏ ଚାରା ବଢିବାକୁ ଦିଆଯାଏ ଏବଂ ୨୦ସେମି ଉଚ୍ଚତାର ହୋଇଗଲେ ତାହା ରୋପଣଯୋଗ୍ୟ ହୋଇଥାଏ । ଜମି ପ୍ରସ୍ତୁତି : ଚାଷ କରି ଜମିକୁ ପ୍ରଥମେ ସମତଳ କରିବ ଏବଂ ମାର୍ଚ୍ଚ ମାସ ଆରମ୍ଭରେ ୪.୫ ମିଟରx ୪.୫ ମିଟର ବ୍ୟବଧାନରେ ୩୦x୩୦x୩୦ ସେମି ଗାତ ଖୋଳିବ । ଗାତରେ ମାଟି,ଖତ, ସାର, ମିଶ୍ରଣ ଭରି ଭିଜାଇ ରଖିବ । ଚାରା ରୋପଣ : ଗାତ ମଝିରେ ଚାରାକୁ ସିଧା ପୋତି ସଙ୍ଗେ ସଙ୍ଗେ ପାଣି ହେବ । ହେକ୍ଟର ପ୍ରତି ୫୦୦ ଛଡ଼ା ଲଗାଯାଇପାରିବ । ରୋପଣ ପରବର୍ତ୍ତୀ ଯତ୍ନ : ରୋପଣ ପରେ ଘାସ ବଛା ଓ ରୋଗପୋକ ନିୟନ୍ତ୍ରଣ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡେ । ଏଥିପାଇଁ ସର୍ବଦା ଗଛମୂଳରୁ ଘାସ ଉପଡି ସଫା କରିବା । ଘାସ ବାଛି ମୂଳରୁ ଖୁସାଇ ଦେଲେ ଗଛ ଭଲ ବଢିବ । ଏହାଛଡା କୁଙ୍କୁମ ଫସଲରେ ରୋଗପୋକ ପ୍ରାୟତଃ ଆକ୍ରମଣ କରିବାର ସମ୍ଭାବନା ଯଥେଷ୍ଟ କମଥାଏ । ଏପରି ସମସ୍ୟା ଦେଖାଦେଲେ ନିମରୁ ପ୍ରସ୍ତୁତ ଜୈବ କୀଟନାଶକ ସିଞ୍ଚନ କରାଯାଇପାରିବ । ଅମଳ : ଚାରା ରୋପଣର ବର୍ଷେ ବା ଦୁଇବର୍ଷବେଳକୁ ଫଳ ଧରେ । ଭବିଷ୍ୟତରେ ଭଲ ଅମଳ ପାଇଁ ପ୍ରଥମେ ବର୍ଷେ ଦୁଇବର୍ଷ ବେଳକୁ ଫଳ ଆସେ ଏବଂ ପ୍ରାୟ ୧୦ -୧୫ ବର୍ଷ ଯାଏ ଲାଭଜନକ ଅମଳ ମିଳିଥାଏ । ସମ୍ପ୍ରତି କୁଙ୍କୁମ ମଞ୍ଜିରୁ ପ୍ରସ୍ତୃତ ପ୍ରାକୃତିକ ରଙ୍ଗର ଚାହିଦା ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ ବଜାରରେ ରହିଛି । ଭାରତର କୁଙ୍କୁମ ମଞ୍ଜି ରୁଷିଆକୁ ରପ୍ତାନି ହୁଏ । ତେଣୁ ଏହାର କୃଷିକରଣ ଚାଷୀମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରିବ । ଆଧାର :ଡାକ୍ତର ଦୀନବନ୍ଧୁ ମହାରଣା