ଉପକ୍ରମ ଛତୁ ଏକ ପ୍ରକାର ଜବକ ବା ଫିମ୍ପିଜାତୀୟ ଖାଦ୍ୟ । ଛତୁ ତାର ସ୍ଵତନ୍ତ୍ର ସ୍ଵାଦ ଓ ସୁଗନ୍ଧ ପାଇଁ ସମଗ୍ର ମାନବ ସମାଜରେ ଆଦରଣୀୟ ଖାଦ୍ୟ ହିସାବରେ ପରିଗଣିତ । ଏହାର ଖାଦ୍ୟଗୁଣ ମାଂସରେ ଥିବା ଖାଦ୍ୟ ଗୁଣ ସହିତ ତୁଳନୀୟ । ଏଥିରେ ଶତକଡା ୮୫ ରୁ ୯୫ ଭାଗ ଜଳୀୟଅଂଶ, ଶତକଡା ୩ ଭାଗ ପୃଷ୍ଟିସାର, ଶତକଡା ୪ ଭାଗ ଶ୍ଵେତସାର, ଶତକଡା ୦.୩ ରୁ ୦.୪ ସ୍ନେହସାର ଓ ଶତକଡା ୧ ଭାଗ ଖାଦ୍ୟସାର ଓ ଖଣିଜଲବଣ ରହିଛି । ଛତୁଚାଷର ଆବଶ୍ୟକତା ଧାନ ନଡା ଭଳି କୃଷି ବର୍ଜ୍ୟବସ୍ତୁରୁ ଛତୁଚାଷ କରାଯାଇଥାଏ । ଯାହା ଆମ ରାଜ୍ୟରେ ପ୍ରଚୁର ପରିମାଣରେ ମିଳିଥାଏ ଓ ଅନେକ ଗଦା ହୋଇ ରକ୍ଷଣା ବେକ୍ଷଣ ଅଭାବରୁ ନଷ୍ଟ ହୋଇଯାଇଥାଏ । ତେଣୁ ଏହି ନଷ୍ଟ ହୋଇଯାଇଥିବା ବର୍ଜ୍ୟ ବସ୍ତୁର ସୁବିନିଯୋଗ କରି ଅର୍ଥ ଉପାର୍ଜନ କରିପାରିବା । ଯେତେ ଫସଲ ଅଛି ସବୁଠାରୁ ସହଜ ଅମଳ ପାଳଛତୁ ଚାଷରୁ ହିଁ ମିଳିଥାଏ । ୧୫ ରୁ ୧୮ ଦିନ ଭିତରେ ଅମଳ ମିଳିପାରୁଥିବାରୁ କମ୍ ଦିନ ବ୍ୟବଧାନରେ ଚାଷୀ ତାର ମୂଳଧନ ଫେରସ୍ତ ପାଇଥାଏ । ଛତୁଚାଷ ପାଇଁ ଭୂମିର ଆବଶ୍ୟକ ନ ଥାଏ । ତେଣୁ କ୍ଷୁଦ୍ର ଭୂମିହିନ ଓ ନାମ ମାତ୍ର ଚାଷ ବେକାର ଯୁବକ, ଯୁବତୀ ମାନେ ଘର ଅଗଣାରେ ବାଉଁଶ ବଣରେ, ଝାଉଁ ବଣରେ, ଖୋଲା ଗଛ ମୂଳେ ବାଉଁଶ ଥାକ କରି ଯେଉଁଠି ସିଧା ସଳଖ ସୂର୍ଯ୍ୟ କିରଣ ପଡୁନଥିବ କିମ୍ବା ସ୍ଵତନ୍ତ୍ର ଘର କରି ଛତୁଚାଷ କରି ସ୍ବାବଲମ୍ବୀ ହୋଇପାରିବେ । ଛତୁ, ମାଛ, ମାଂସ ଓ ଅଣ୍ଡାର ବିକଳ୍ପ ଖାଦ୍ୟ ଅଟେ । ସାହାକାରୀ ଲୋକମାନେ ଏହି ଜାତୀୟ ପ୍ରୋଟିନର ଅଭାବକୁ ମେଣ୍ଟାଇବା ପାଇଁ ଛତୁକୁ ଏହାର ବିକଳ୍ପ ଖାଦ୍ୟ ହିସାବରେ ଗ୍ରହଣ କରିପାରିବେ । ଛତୁ ପାଇଁ ଦରକାରୀ ଉପକରଣ – ନଡା, ଡାଲି ଗୁଣ୍ଡ, ମୁଗ, ବିରି, ହରଡ, କୋଳଥ, ଜୀରା, ମଟର, ବୁଟ, କାନ୍ଦୁଲ, ତିଆସି, ଗହମ ଚୋକଡ ଓ ଧାନ ଗୁଣ୍ଡ ଗାଁ ପରିବେଶରେ ମିଳିଥାଏ । ଏହି ଚାଷ ଘର ଭିତରେ କରାଯାଉଥିବାରୁ ଓ ଏହାର ଚାଷ ପ୍ରଣାଳୀ ସହଜ ଓ ସରଳ ହୋଇଥିବାରୁ ମଧ୍ୟବିତ, ନିମ୍ନ ମଧ୍ୟବିତ ଓ ଭୂମିହିନ ମହିଳାମାନେ ଏହି ଚାଷକୁ ଆପଣେଇ ଆର୍ଥିକ ସ୍ଵାବଲାମି ହୋଇପାରିବେ । ଛତୁ ଅମଳ ହୋଇସାରିବା ପରେ ଏଥିରେ ବ୍ୟବହ୍ରୁତ ନଡାକୁ କମ୍ପୋଷ୍ଟ ଜିଆ ଖାତ ବା ଶୁଖାଇ ଗୋ ଖାଦ୍ୟ ରୂପେ ବ୍ୟବହାର କରାଯାଇ ପାରିବ ଛତୁରେ ଶର୍କରା ଅଂସ ବହୁତ କମ ଥାଏ । ଏଥିରେ କୋଲେଷ୍ଟ୍ରାଲ ଓ ଲୁଣ ଅଂସ ଆଦୌ ନ ଥାଏ । ତେଣୁ ଏହା ବହୁ ମୁତ୍ର ରୋଗୀ, ହୃଦ୍ ରୋଗୀ, ଉଚ୍ଚ ତକ୍ତଚାପ ରୋଗୀ, କୋଷ୍ଠ କାଠିନ୍ୟ ରୋଗୀ, ବୃଦ୍ଧ, ଶିଶୁ , ଗର୍ଭବତୀ ମହିଳା ତଥା ମୋଟା ଲୋକମାନଙ୍କ ପାଇଁ ଏକ ଉପାଦେୟ ଖାଦ୍ୟ ଅଟେ । ଅନ୍ୟାନ୍ୟ ବ୍ୟବସାୟିକ ଚାଷ କରି ଛତୁଚାଷକୁ ମଧ୍ୟ ଏକ ଲାଭଜନକ ଚାଷ ଭାବରେ ଗ୍ରହଣ କରାଯାଇପାରିବ । ଆମ ଦେଶର ବେକାର ଯୁବକ ଯୁବତୀ ଓ ଅର୍ଦ୍ଧ ଶିକ୍ଷିତ ମାନେ ଆତ୍ମ ନିଯୁକ୍ତି ପାଇଁ ଛତୁ ଚାଷ ଏକ ଉତକୃଷ୍ଟ ପନ୍ଥା । ଏଥିପାଇଁ ସମଗ୍ର ଓଡିଶାରେ ବିଶେଷ କରି ବୌଦ୍ଧ ଜିଲ୍ଲା, ନବରଙ୍ଗପୁର, ଦେବଗଡ, ମାଲକାନଗିରି, ଫୁଲବାଣୀ, କୋରାପୁଟ ଆଦି ଆଭ୍ୟାନ୍ତରୀଣ ଜିଲ୍ଲା ଏବଂ କଟକ, ଜଗତସିଂହପୁର, ଯାଜପୁର ଆଦି ଉପକୂଳବର୍ତ୍ତୀ ଜିଲ୍ଲାରେ ବହୁଳ ଭାବରେ ଚାଷ କରାଯାଇଥାଏ । କିନ୍ତୁ ବୌଦ୍ଧ ଜିଲ୍ଲାରେ ପାଳଛତୁ ଚାଷ କୌଣସି ଗୁଣରେ କମ ନୁହେଁ । ଖରିଫ ଧାନ ପରେ ପରେ କୃଶକ ପରିବାରର ସମସ୍ତ ସଦସ୍ୟ ଲାଗି ପଡନ୍ତି ଏହି ଚାଷରେ । ସତେ ଯେପରି ଧାନ ପରେ ପରେ ଏହା ସେମାନଙ୍କର ମୁଖ୍ୟ ଜୀବିକା । ବୌଦ୍ଧ ଜିଲ୍ଲାର ବୌଦ୍ଧ ବ୍ଲକ ତଥା ହରଭଙ୍ଗା ବ୍ଲକରେ ଓଡିଶା କୃଷି ଓ ବୌଷୟିକ ବିଦ୍ୟାଳୟ ଅଧିନସ୍ଥ କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ଏହାର ଉଭୟ ପୋଷ୍ୟ ଗ୍ରାମ ଓ କାର୍ଯ୍ୟକାରୀ ଗ୍ରାମ ଯଥା ପୋଲାମ, ମଧୁପୁର, ଇଚ୍ଛାପୂର, ଇଶ୍ରୀସିଙ୍ଗା, ପୁରୁଣା କଟକ, କନକପୁର, ଦୂର୍ଗା ପ୍ରସାଦ, ଟେଲିବନ୍ଧ, ବଢିଗାଁ, ସାହାଜପାଲ, ଟିକରପଡା, ଲମ୍ବକାନି ଆଦି ଗ୍ରାମର ମହିଳା ଚାଷୀ ମାନଙ୍କୁ ଏକାଠି କରି ସମିଳିତ ଗ୍ରାମୀଣ ତଥ୍ୟ ନିର୍ଧାରଣ ତଥା ଆଲୋଚନା ମାଧ୍ୟମରେ ପାଳ ଛତୁ ଚାଷକୁ ଅଧିକ ବ୍ୟାପକ ଲାଭପ୍ରଦ ତଥା ସଫଳ କରିବା ପାଇଁ ସ୍ଥିର କରାଯାଇଥିଲା । ଏହି ଉଦ୍ଧେଶ୍ୟରେ କୃଷିଜୀବି ମହିଳା ଚାଷୀ ମାନଙ୍କୁ କୃଷି ବିଜ୍ଞାନ କେନ୍ଦ୍ରରେ ପ୍ରଶିକ୍ଷଣ ଦେବା ଏବଂ ଆବଶ୍ୟକ ସ୍ଥଳେ ଉପୋରୋକ୍ତ ଗ୍ରାମଗୁଡିକୁ ପରିଭ୍ରମଣରେ ଯାଇ ମହିଳା ଚାଷୀଙ୍କ ସହିତ ସକ୍ରିୟ ଆଲୋଚନା କରି ଏହି କାର୍ଯ୍ୟକ୍ରମକୁ ଅଧିକ ଫଳପ୍ରଦ ଓ ମହିଳା ଚାଷୀ କେନ୍ଦ୍ରିକ କରାଯାଇ ପାରିଥିଲା । ଆଲୋଚନାରୁ ଜଣାପଡିଲା ଯଦିଓ କୃଷିଜୀବୀ ମହିଳାମାନେ ବିଚାଚରିତ ଭାବେ ପାଳଛତୁ ଚାଷପ୍ରତି ଗୁରୁତ୍ଵ ଦେଇ ଆସୁଛନ୍ତି ତଥାପି ବୈଷୟିକ ତଥା ଉନ୍ନତ ଜ୍ଞାନ କୌଶଳ ପ୍ରତି ସେମାନଙ୍କର ଧାରଣା ନାହିଁ କହିଲେ ଚଳେ । ଏପରିକି ଆଲୋଚନାରୁ ଜଣାପଡିଲା କୃଷିଜୀବି ମହିଳାମାନେ ଅନାବଶ୍ୟକ ଭାବେ ପାଳଛତୁ ଚାଷରେ ନିଜସ୍ଵ ପଦ୍ଧତି ପ୍ରୟୋଗ କରିବା ଦ୍ଵାରା ଅମଳ ପାଇବା ତ ଦୂରର କଥା ପାଳଛତୁ ଚାଷ ପ୍ରଭାବିତ ହୋଇ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି । ଅତଏବ ଏ ସବୁ ସମସ୍ୟାର ସମାଧାନ କରିବାକୁ ଯାଇ କୃଷି ବିଜ୍ଞାନ କେନ୍ଦ୍ରର ବିଶେଷଜ୍ଞ ତଥା ହିତାଧିକାରୀମାନଙ୍କର ମତାମତକୁ ଆଧାର କରି କୃଷିଜୀବି ମହିଳାମାନଙ୍କର ଅବଗତ ନିମନ୍ତେ ନିମ୍ନ ପ୍ରଦତ୍ତ କେତେକ ବିଶେଷ ବିଷୟ ପ୍ରତି ଧ୍ୟାନ ଦିଆଗଲା । ଏହାକୁ କୃଷିଜୀବୀ ମହିଳାମାନେ ଅନୁସରଣ କରିପାରିଲେ ନିଶ୍ଚିତ ରୂପେ ପାଳଛତୁ ଚାଷରୁ ବେଶ୍ ଦୁଇପଇସା ଲାଭବାନ ହେବା ସହିତ ଆଗାମୀ ଦିନରେ ଏହି ଚାଷକୁ ବ୍ୟବସାୟିକ ଦିଗ ଦେଇପାରିବେ । ପାଳଛତୁ ଚାଷପାଇଁ ପ୍ରାକୃତିକ ପରିବେଶ ଓଡିଶାର ଜଳବାଯୁ ପାଳଛତୁ ଚାଷପାଇଁ ଉପଯୁକ୍ତ ଅଟେ । ଏହାକୁ ଗ୍ରୀଷ୍ମ ମଣ୍ଡଳୀୟ ଛତୁ, ଗରମ ଛତୁ ଓ ଛତାଛତୁ କୁହାଯାଏ । ଏହି ଛତୁ ଚାଷ ପାଇଁ ଆମ ରାଜ୍ୟର ମାର୍ଚ୍ଚଠାରୁ ନଭେମ୍ବର ମାସ ପର୍ଯ୍ୟନ୍ତ ଓ ଆମ ଜିଲ୍ଲାରେ ମାର୍ଚ୍ଚଠାରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଉପଯୁକ୍ତ ସମୟ । ପାଳଛତୁ ଚାଷପାଇଁ କେତେ ଗୁଡିଏ ଅବସ୍ଥା ପ୍ରତି ଧ୍ୟାନ ଦେବାକୁ ପଡିଥାଏ ଯଥା – ଉତ୍ତାପ, ଆର୍ଦ୍ରତା, ଆଲୋକ ଓ ଅମ୍ଳଜାନ ଇତ୍ୟାଦି । ଉତ୍ତାପ ପାଳଛତୁ ଚାଷପାଇଁ ୩୦୦ ରୁ ୩୮୦ ଉତ୍ତାପ ଆବଶ୍ୟକ । ତେଣୁ ଗ୍ରୀଷ୍ମ ଋତୁରେ ଆମେ ଛତୁ ଘର ଚଟାଣରେ ବାଲି ବିଛାଇ ପାଣି ଢାଳିବା ଓ ମୋଟା ଅଖାକୁ ଓଦାକରି ଛତୁବେଡ୍ ପଡିଥିବା ଘରେ ବା ବାରଣ୍ଡାରେ ଟାଙ୍ଗିବା ଓ ଶୁଖିଗଲେ ପାଣି ଛିଞ୍ଚିଲେ ଉତ୍ତାପ ହ୍ରାସ ପାଇବା ସହିତ ବାୟୁର ଆର୍ଦ୍ରତା ବଢିବା ସହିତ ଅନୁକୂଳ ପରିବେଶ ସୃଷ୍ଟି ହୋଇ ଛତୁଚାଷ ସଫଳ ହୋଇଥାଏ । ଆର୍ଦ୍ରତା ବାୟୁମଣ୍ଡଳରେ ଆର୍ଦ୍ରତା ଶତକଡା ୮୦ ରୁ ୯୦ ଭାଗ ରହିଲେ ଏହା ଛତୁ ଚାଷ ପାଇଁ ଉପଯୁକ୍ତ ଅଟେ । ଆଲୋକ ପାଳଛତୁ ଅନ୍ୟ ଛତୁ ଅପେକ୍ଷା ଅଧିକ ଆଲୋକ ଏପରିକି ୧୦୦୦ ଲକ୍କର ଆଲୋକ ଦରକାର କରିଥାଏ । କିନ୍ତୁ ଶଯ୍ୟା ଉପରେ ସିଧାସଳଖ ସୂର୍ଯ୍ୟକିରଣ ପଡିବା ଉଚିତ ନୁହେଁ । ଏହି ଛତୁ ଚାଷ ପାଇଁ ପରୋକ୍ଷ ଆଲୋକ ଦରକାର । ବିଶେଷ କରି ୧୨ ଘଣ୍ଟା ଅନ୍ଧାରରେ ଓ ୧୨ ଘଣ୍ଟା ଆଲୋକରେ ଛତୁର ଭଲ ଅମଳ ହୁଏ । ଅମ୍ଳଜାନ ପାଳଛତୁର ମାଇସେଲିୟମ ମାଡିବା ବେଳେ କମ୍ ଓ ଫଳନ ଅବସ୍ଥାରେ ବେଶୀ ଅମ୍ଳଜାନ ଦରକାର କରିଥାଏ । କିନ୍ତୁ ଅଧିକ ପବନ ଯାତାୟାତ ହେଲେ ନଡାର ଜଳିୟ ଅଂଶ ହ୍ରାସ ପାଏ ଓ ମାଇସେଲିୟମ ଗୁଡିକ ଛିଣ୍ଡିଯାଏ । ତେଣୁ ଘର ଚାରିପାଖରେ ଅଖା ଝୁଲାଇବା ଦରକାର ଯେପରି ଅଧିକ ପବନ ଯାତାୟାତ କରିବ ନାହିଁ । ନଡାର ଜଳୀୟ ଅଂଶ ନଡାରେ ସାଧାରଣତଃ ୬୫ ପ୍ରତିଶତ ଜଳୀୟ ଅଂଶ ରହିବା ସହଜ ଉପାୟ ହେଲା ବତୁରା ନଡା କୁ ଛାଇରେ ସୁଖାଇବା ପରେ ହାତ ମୁଠାରେ ଧରି ଚିପୁଡି ଦେବେ । ଯଦି ହାତରୁ ପାଣି ବାହାରୁ ନଥିବ କିନ୍ତୁ ପାପୁଲି ଓଦା ଥିବ ତେବେ ନଡା ବର୍ତ୍ତମାନ ଛତୁବେଡ୍ ପକାଇବା ପାଇଁ ପ୍ରସ୍ତୁତ ହୋଇଗଲା ବୋଲି ଜାଣିବ । ଉତକୃଷ୍ଟ ଛତୁ ମଞ୍ଜି ବା ସ୍ପନର ନିର୍ବାଚନ ଛତୁ ମଞ୍ଜି ଆଣିଲା ବେଳେ ଫିମ୍ପି ମାଡିନଥିବା ନିରୋଳା ମଞ୍ଜି ଆଣିବା ଦରକାର । ନାଲି, କଳା, ସବୁଜ, ହଳଦିଆ, କିମ୍ବା ସମ୍ପୂର୍ଣ ଧଳା ଦେଖାଯାଉଥିବା ମଞ୍ଜି ଆଣନ୍ତୁ ନାହିଁ । ବିସ୍କୁଟ ରଙ୍ଗ ବାଇଶତ ବାଦାମି ରଙ୍ଗ ଦେଖାଯାଉଥିବା ଛତୁ ମଞ୍ଜି ଆଣନ୍ତୁ । ମଞ୍ଜି ପ୍ରସ୍ତୁତ କରିବାର ତିନିସପ୍ତାହରୁ ଏକ ମାସ ମଧ୍ୟରେ ମଞ୍ଜି ବ୍ୟବହାର କଲେ ଭଲ ଅମଳ ହୁଏ । ପରିଷ୍କାର ପରିଚ୍ଛନ୍ନତା ଛତୁ ବେଢ୍ ପକାଇବା ପୂର୍ବରୁ ନଡାକୁ ବିଶୋଧନ କରିବା ସହିତ ଛତୁ ଘରକୁ ଓ ଛତୁଘର ଚଟାଣକୁ ମଧ୍ୟ ବିଶୋଧନ କରିବା ଆବଶ୍ୟକ । ଛତୁ ଘର ଚଟାଣ ସିମେଣ୍ଟ ହୋଇଥିଲେ ବ୍ଲିଚିଂ ପାଉଡର ପାଣିରେ ଧୋଇ ଦେବା ଦରକାର । ବାଲି ଚଟାଣ ହୋଇ ଥିଲେ ବ୍ଲିଚିଂ ପାଉଡର ପକାଇ ବିଶୋଧିତ କରିବାକୁ ପଡିବ । ପାଳଛତୁ ଚାଷପାଇଁ ଆବଶ୍ୟକୀୟ ସ୍ଥାୟୀ ଉପାଦାନ ଛତୁପଟାଳୀ ପକାଇବା ପାଇଁ ଅଧିକ ଆଲୋକ ଆସି ପାରୁଥିବା ଓ ଅଳ୍ପ ବାୟୁ ଚଳାଚଳ କରି ପାରୁଥିବା ନଡା ଛପର କିମ୍ବା ଇଟା ସିମେଣ୍ଟର ଘର କରିବା ଦରକାର । ଭୂମିହିନ ଓ ଆର୍ଥିକ ଅଶ୍ଵଛଳତା ଥିବା ଚାଷୀମାନେ ନଡିଆ ବଗିଚା ବାଉଁଶ ବତା ଇତ୍ୟାଦିରେ ଛତୁ ଭାଡି ଉପରେ ଛାମୁଡିଆ କରି ବେଶ ଭଲ ଭାବରେ ଛତୁ ଚାଷ କରିପାରିବେ । ଛତୁଚାଷ ପାଇଁ ବଛାଯାଇଥିବା ଜାଗାର ଆକାର ଭୂମି ଠାରୁ ଏକ ଫୁଟ ଛାଡି ଦୁଇ ଫୁଟ ଲମ୍ବ ଓ ଦୁଇ ଫୁଟ ଚଉଡାର ଏକ ବାଉଁଶ କିମ୍ବା କାଠ ଭାଡି ତିଆରି କରନ୍ତୁ । ଅଳ୍ପ ଜାଗାରେ ଅଧିକା ବେଡ୍ ପକାଇବା ପାଇଁ ପ୍ରଥମ ଭାଡିରୁ ତିନି ଫୁଟ ଉଚ୍ଚତାରେ ଦ୍ଵିତୀୟ କିମ୍ବା ତୃତୀୟ ଥାକ ତିଆରି କରାଯାଇପାରେ । ନଡା ଭିଜାଇବା ଓ ବିଶୋଧନ କରିବା ପାଇଁ ସିମେଣ୍ଟ ତିଆରି ଗୁଣ୍ଡ ବା ବଡ ଡେକଚି। ନଡାକୁ ସାଇଜ କରି କାଟିବା ପାଇଁ ନଡା କଟାଯନ୍ତ୍ର ବା ଦାଆ । ନଡା ଶଯ୍ୟାକୁ ଓଦା ରଖିବା ପାଇଁ ତଥା ଘରର ବାୟୁରେ ଆର୍ଦ୍ରତା ରକ୍ଷା କରିବା ପାଇଁ ପାଣି ଝାରାବା ସ୍ପ୍ରେୟର । ନଡା ଶଯ୍ୟା ବା ବେଡକୁ ଆବରଣ ବା ଘୋଡାଇବା ପାଇଁ ପଲିଥିନ ଚଦର ଆବଶ୍ୟକ । ଗୋଟିଏ ୨'x ୨'x ୨' ପଟାଳିକୁ ଘୋଡାଇବା ପାଇଁ ୬ ଫୁଟ ଲମ୍ବ ଓ ୬ ଫୁଟ ଚଉଡାର ସ୍ଵଛ ପଲିଥିନ ଚଦର ଆବଶ୍ୟକ । ପଲିଥିନ୍ ଚଦର ବଦଳରେ ସିମେଣ୍ଟ ଅଖା କିମ୍ବା ସାର ଅଖାକୁ ସିଲାଇ କରି ବ୍ୟବହାର କରିପାରିବେ । ବ୍ୟବସାୟିକ ଭିତିରେ ଛତୁଚାଷ କରୁଥିଲେ ଛତୁ ଘରର ଉତ୍ତାପ ଓ ଆର୍ଦ୍ରତା ମାପିବା ପାଇଁ ଗୋଟିଏ ଥର୍ମୋମିଟର ଓ ଗୋଟିଏ ହାଇଗ୍ରୋମିଟର ଝୁଲାଇବା ଆବଶ୍ୟକ ହୋଇଥାଏ । ପାଳଛତୁ ଚାଷ ପାଇଁ ନିତ୍ୟ ବ୍ୟବହାର୍ଯ୍ୟ ଉପାଦାନ ନଡା ପାଳଛତୁକୁ ଚାଷ ପାଇଁ ଦେଶୀ ଧାନର ନଡା, ଟ୍ରାକ୍ଟର ଦ୍ଵାରା ମଡା ଯାଇନଥିବା, ବେଙ୍ଗଳା ପଡିନଥିବା, ହାତରେ ପିଟା ହୋଇଥିବା ଧଳା, ମୁଲିଆ ଟାଣ ନଡା ୧୨ ରୁ ୧୫ କେ.ଜି ଆବଶ୍ୟକ ୧୦୧୪, ୧୨୪୨, ୧୧୪୧, ଟୀ - ୯୦ କିସମ ନଡା ଭଲ । ଯଦି ଏହି ନଡା ନମିଳେ ତାହେଲେ ୧୦୦୯ ମସୁରୀ, ସ୍ଵର୍ଣ୍ଣ ଇତ୍ୟାଦି ଅଧିକ ଅମଳ କ୍ଷମ ଧାନର ନଡା ମଧ୍ୟ ଭଲ ଛତୁ ଅମଳ ଦିଏ । ଛତୁ ମଞ୍ଜି ଗୋଟିଏ ବେଡ୍ ପାଇଁ ଗୋଟିଏ ବୋତଲ ପାଳଛତୁ ମଞ୍ଜି ଆବଶ୍ୟକ । ଅଧିକ ଖାଦ୍ୟ ଚୋପାଛଡା ଡାଲିଗୁଣ୍ଡ ଅପେକ୍ଷା ଗୋଟା ଚୋପାଲଗା ବୁଟ, କୋଳଥ, ବିରି, ମୁଗ, ହରଡ, କାନ୍ଦୁଲ, ଇତ୍ୟାଦିର ଖଦଖଦଡିଆ ଗୁଣ୍ଡ ବ୍ୟବହାର କଲେ ଚାଷ ପାଇଁ ଉତ୍ତମ ଅଟେ । ଗୋଟିଏ ବେଡ ପାଇଁ 200 ଗ୍ରାମ ଡାଲିଗୁଣ୍ଡ ଆବଶ୍ୟକ ବଜାରରେ ମିଳୁଥିବା ବେସନ ମଧ୍ୟ ବ୍ୟବହୃତ ହୋଇପାରିବ । ଚାଷ ପ୍ରଣାଳୀ ପ୍ରଥମେ ନଡା ବିଡା ଗୁଡିକର ଅଗ୍ରଭାଗକୁ ଧରି ଶୁଖିଲା ପତ୍ର ଗୁଡିକୁ ବାହାର କରି ଦିଅନ୍ତୁ । ନଡାବିଡା ଗୁଡିକୁ ୨ ଫୁଟ ଲମ୍ବରେ ସମାନ ଭାବରେ କାଟି ଦିଅନ୍ତୁ । କୁଣ୍ଡରେ ବିଶୁଦ୍ଧ ପାଣି ନେଇ ନଡାବିଡା ଗୁଡିକୁ ୧୨ ରୁ ୧୪ ଘଣ୍ଟାଯାଏ ବତୁରାଇ ଦିଅନ୍ତୁ । ପାଣି କୁଣ୍ଡରେ ଇମରସନ୍ ହିଟର ଦ୍ଵାରା ୭୦ ରୁ ୯୦୦ ସେଲସିୟସ ଉତ୍ତାପରେ ୧ ଘଣ୍ଟା ପର୍ଯ୍ୟନ୍ତ ବିଡା ଗୁଡିକ ଗରମ କରି ବିଶୋଧନ କରନ୍ତୁ ଅଥବା ବଡ ବାରେଲ ବା ଡେକ୍ଚି ହାଣ୍ଡିରେ ପାଣି ଭାରି ଚୂଲିରେ ବସାଇ ଗରମ କରି ବାଷ୍ପରେ ପରିଣତ କରନ୍ତୁ । କିମ୍ବା ୧୦୦ ଲିଟର (ପାଖାପାଖି ୧୦ ବାଲଟି) ପାଣିରେ ୭ ଗ୍ରାମ ବାଭିଷ୍ଟିନ କିମ୍ବା ୧୦୦ ମି. ଲି. ଫାର୍ମାଲିନ ମିଶାଇ ସେଥିରେ ନଡା ବତୁରାନ୍ତୁ । ଫାର୍ମାଲିନ ପାଣିରେ ନଡା ବତୁରାଇବା ସମୟରେ କୁଣ୍ଡର ଉପରିଭାଗକୁ ଘୋଡାଇ ରଖନ୍ତୁ । ରାସାୟନିକ ବିଶୋଧନ ପ୍ରତି ପ୍ରୋତ୍ସାହିତ କରାଯାଇନାହିଁ । ଏଥି ପାଇଁ ନଡା ଭିଜାଇବା ସମୟରେ ପ୍ରତିଲିଟର ପାଣିରେ ୧୦ ଗ୍ରାମ ଚୂନ ପକାଇ ଭିଜାନ୍ତୁ । ବତୁରି ଯାଇଥିବା ନଡା ଅଧିକ ପାଣି ନିଗିଡିବା ପାଇଁ ୨-୩ ଘଣ୍ଟା ପର୍ଯ୍ୟନ୍ତ ଛାଇରେ ଠିଆ କରାଇ ରଖନ୍ତୁ ଯେମିତିକି ସେଥିରୁ ପାଣି ନିଗିଡି ଯୀବ ଓ ଜଳୀୟ ଅଂଶ ୬୫ ଭାଗ ରହିବ । ନଡାକୁ ୪ ଭାଗ କରନ୍ତୁ ଯେମିତି ୬+୬+୬ +୩ ଏବଂ ୩ ସପ୍ତାହରୁ ଏକମାସ ଭିତରେ ହୋଇଥିବା ଛତୁମଞ୍ଜି ବା ସ୍ପନ ବୋତଲକୁ ଭାଙ୍ଗି ସେଥିରୁ କାଚ ବାହାରକରି ମଞ୍ଜିକୁ ସମାନ ୪ ଭାଗ (ବଡ ସାଇଜ) କରନ୍ତୁ । ଟେକା ଉପରେ କାଚ ଲାଗିଥିଲେ ତାକୁ ତୁଳାରେ ଝାଡି ଦିଅନ୍ତୁ । ବେସନ ବା ଡାଲିଗୁଣ୍ଡକୁ ସମାନ ୪ ଭାଗ କରନ୍ତୁ । ପ୍ରଥମ ସ୍ତର ଏବେ ଭାଡି ଉପରେ ଭିଜା ହୋଇଥିବା ନଡାକୁ ୬ ରୁ ୮ ଇଞ୍ଚ ବହଳର ନଡାକୁ ପୂର୍ବ –ପଶ୍ଚିମ ଦିଗରେ ବିଛାଇ ଦିଅନ୍ତୁ ଯେପରିକି ନଡାର ମୂଳ ବାହାରକୁ ଅଗ୍ରଭାଗ ଭିତରକୁ ରହିବ । ଏକ ଭାଗ ମଞ୍ଜି ନେଇ ଚାରିକଡରୁ ୨/୩ ଇଞ୍ଚ ଛାଡି ମଞ୍ଜି ଖଣ୍ଡ ଗୁଡିକୁ ଥୋଇ ଦିଅନ୍ତୁ । ଏବେ ମଞ୍ଜି ଉପରେ ୧ ଭାଗ ଡାଲିଗୁଣ୍ଡ ବୁଣି ଦିଅନ୍ତୁ । ଦ୍ଵିତୀୟ ସ୍ତର ପ୍ରଥମ ସ୍ତର ଉପରେ ଆଉଥରେ ୬ ରୁ ୮ ଇଞ୍ଚ ବହଳର ନଡା ଉତ୍ତର –ଦକ୍ଷିଣ କରି ବିଛାନ୍ତୁ। ଦ୍ଵିତୀୟ ଭାଗ ମଞ୍ଜି ଓ ଡାଲିଗୁଣ୍ଡ ପ୍ରଥମ ସ୍ତର ପରି ଚାରିକଡରେ ବୁଣନ୍ତୁ । ତୃତୀୟ ସ୍ତର ଦ୍ଵିତୀୟ ସ୍ତର ଉପରେ ବିପରୀତ ଦିଗରେ ବା ପୂର୍ବ ପଶ୍ଚିମ ଦିଗରେ ୬ ରୁ ୮ ଇଞ୍ଚ ବହଳ ନଡା ବିଛାନ୍ତୁ । ଦୁଇଭାଗ ମଞ୍ଜି ଓ ଦୁଇଭାଗ ଡାଲିଗୁଣ୍ଡ ସ୍ତରର ସବୁ ଆଡେ ବୁଣନ୍ତୁ । ଚତୁର୍ଥ ସ୍ତର ଚତୁର୍ଥ ସ୍ତର ନଡା ୨/୩ ଇଞ୍ଚ ବହଳରେ ତୃତୀୟ ସ୍ତରର ବିପରୀତ ଦିଗରେ ସମାନ ଭାବରେ ବିଛାଇ ଦିଅନ୍ତୁ । ହାତରେ ଚାପି ସମତୁଲ କରିଦିଅନ୍ତୁ । ଭାଡିର ଚାରିକଡେ ଓହଳିଥିବା ନଡାକୁ କଇଁଚି କିମ୍ବା ଦା ସାହାଯ୍ୟରେ କାଟି ପରିଷ୍କାର କରନ୍ତୁ ଏବଂ ପଲିଥିନ ଘୋଡାଇ ଦିଅନ୍ତୁ । ଚାଷ ପରବର୍ତ୍ତୀ ଯତ୍ନ ଛତୁ ବେଡ୍ ପକାଇବା ୫/୬ ଦିନ ପରେ ପଲିଥିନ ଟେକି ନଡାର ଆର୍ଦ୍ରତା ଦେଖନ୍ତୁ । ଯଦି କୌଣସି ସ୍ଥାନରେ ନଡା ଶୁଖିଯାଇ ଥାଏ ତାହେଲେ ସ୍ପ୍ରେୟର ସାହାଯ୍ୟରେ ପାଣି ଚିଛନ୍ତୁ । ବେଡ୍ ପଡିବାର ୯/୧୦ ଦିନ ପରେ ଛତୁର ମାଇସେଲିୟମ ନଡାରେ ମାଡିବାର ଦେଖାଯାଏ ଓ ସାଗୁଦାନା ପରି ଧଳାଧଳା ଛତୁ କଡ ବାହାରିବାର ଦେଖାଯାଏ । ଏହି ସମୟରେ ପଲିଥିନ କାଢିଦିଅନ୍ତୁ ଓ ପଟାଳିର ଆର୍ଦ୍ରତା ଦେଖି ପାଣି ସ୍ପ୍ରେ କରନ୍ତୁ । ଅମଳ ୧୦/୧୨ ଦିନ ପରେ ପଟାଳିରେ ଅଣ୍ଡା ଆକାର ଛତୁ କଢ ଦେଖାଯାଏ । ଏହି ଅବସ୍ଥାରେ ଯତ୍ନର ସହ ଛତୁ କଢ ଅବସ୍ଥାରୁ ତୋଳନ୍ତୁ । କଢ ଅବସ୍ଥାରେ ଛତୁ ସୁସ୍ଵାଦୁ ହୋଇଥାଏ । ୧୨/୧୩ ଦିନ ମଧ୍ୟରୁ ସମୁଦାୟ ଅମଳର ୯୦ ରୁ ୯୫ ଭାଗ ପ୍ରଥମ ଅମଳ ମିଳେ ଓ ଏହାର ୭-୮ ଦିନ ପରେ ଦ୍ଵିତୀୟ ଅମଳ ୫-୧୦ ଭାଗ ମିଳେ । ଗୋଟିଏ ବେଡରୁ ୧ କିଲୋ ୫୦୦ ଗ୍ରାମ ପର୍ଯ୍ୟନ୍ତ ଛତୁ ମିଳିଥାଏ । ପାଳଛତୁ ଚାଷ ପାଇଁ କେତୋଟି ଜାଣିବା କଥା ନଡା ବତୁରାଇବା ସମୟରେ ପାଣିରେ ଅଳ୍ପ ଚୂନ (ପ୍ରତି ଲିଟର ପାଣିରେ ୧୦ ଗ୍ରାମ ଚୂନ ) ପକାଇଲେ ଭଲ ଅମଳ ମିଳିଥାଏ । ଛତୁ ବେଡର ଆକାର ୨ ଫୁଟ x ୨ ଫୁଟ x ୨ ଫୁଟ କରିବା ଦ୍ଵାରା ଆବଶ୍ୟକୀୟ ଉତ୍ତାପ ମିଳିଥାଏ ଅମଳ ଭଲ ହୁଏ । ମଞ୍ଜି ବୁଣିବା ସମୟରେ ବେଡର ଅଗଠାରୁ ୩-୪ ଇଞ୍ଚ ଦୂରରେ ବୁଣିଲେ ବେଡର ବାହାର ପାତକୁ ଫିଡ ନାମାଡି ଭିତରେ ସଢିଯାଏ । ବାୟୁ ମଣ୍ଡଳର ଉତ୍ତାପ ଅଧିକ ଥିଲେ ଛତୁ ମାଇସେଲିୟମର ବୃଦ୍ଧି ପାଇଁ ଆବଶ୍ୟକୀୟ ଉତ୍ତାପ ଓ ଆର୍ଦ୍ରତା ରକ୍ଷା କରିବା ପାଇଁ ଛତୁଘରେ ତଳେ ବାଲି ପକାଇ ପାଣି ଢାଳିବା କାନ୍ଥ କିମ୍ବା ଝରକାରେ ଓଦା ଅଖା ଟାଙ୍ଗିବା କିମ୍ବା ଛତୁ ଘରେ ଶୂନ୍ୟକୁ ପାଣି ସ୍ପ୍ରେ କରିବା ଉଚିତ । ବେଡରୁ ପଲିଥିନ ବାହାର କରିବା ପରେ ପରିବେଶକୁ ଦେଖି ଦିନକୁ ଠାରେ କିମ୍ବା ଦୁଇଥର ପାଣି ସିଂଚନ କରିବା ଉଚିତ । ବେଡର ଉପରି ଭାଗରେ ନଡାର ବହଳ ୨-୩ ଇଞ୍ଚ ହେଲେ ସହଜରେ ଛତୁ ଫିମ୍ପି ସ୍ତର ଭେଦି ବେଡ ଉପରକୁ ଆସିପାରେ । ଛତୁ ଅମଳ ସରିବା ପରେ ନଡାକୁ ଜିଆଖତ ଉତ୍ପାଦନ ପାଇଁ ବ୍ୟବହାର କରାଯାଇପାରେ । ଛତୁ ଘରକୁ ବେଡ ପକାଇବା ପୂର୍ବରୁ ଏବଂ ଛତୁ ଅମଳ ହୋଇ ସାରିବା ପରେ ଭଲ କରି ଫାର୍ମାଲୀନରେ ବିଶୋଧନ କରିଦିଅନ୍ତୁ । ବଜାରରେ ବିକ୍ରି ବଟାର ସୁବିଧା ପାଇଁ ଛତୁ ବେଡ ଗୁଡିକୁ ଏକାଥରେ ନପକାଇ ୩-୪ ଦିନ ବ୍ୟବଧାନରେ ପକାନ୍ତୁ । ପାଳଛତୁ ଚାଷରୁ ପ୍ରତି ଛତୁ ଶଯ୍ୟାରେ ୭୦ ଟଙ୍କା ଖର୍ଚ୍ଚ କରି ୧ କିଲୋରୁ ୧ କିଲୋ ୫୦୦ ଗ୍ରାମ ପର୍ଯ୍ୟନ୍ତ ଛତୁ ଅମଳ ହୋଇଥାଏ । ବୌଦ୍ଧ ଜିଲ୍ଲାରେ ଏହି ଛତୁର ଚାହିଦା ବହୁ ପରିମାଣରେ ଥିବାରୁ ଏକ କିଲୋ ପ୍ରତି ୧୫୦ ଟଙ୍କାରେ ବିକ୍ରି ହୋଇଥାଏ ଓ ଚାଷୀ ଜଣକ ୩୦ ଟଙ୍କାରୁ ୮୦ ଟଙ୍କା ପର୍ଯ୍ୟନ୍ତ ଲାଭ ପାଇଥାଏ । ଏହିପରି ବୈଜ୍ଞାନିକ ଜ୍ଞାନ କୌଶଳର ଉପଯୋଗ କରି କୃଷି ବିଜ୍ଞାନ କେନ୍ଦ୍ର ବୌଦ୍ଧର ସହଯୋଗରେ ଛତୁଚାଷକୁ ନିଜର ପେଷାକରି ଅନେକ ମହିଳା ଓ ପୁରୁଷ ଚାଷୀ ଆର୍ଥିକ ଭାବେ ସ୍ଵାବଲମ୍ବୀ ହୋଇପାରିଛନ୍ତି । ଯେମିତିକି କନକପୁରର ଅନ୍ତର୍ଯ୍ୟାମି ସାହୁ, ସସ୍ମିତା ସାହୁ, ଦୂର୍ଗା ପ୍ରସାଦର ପ୍ରତିମା ମହାପାତ୍ର, ଇସିରିଶିଙ୍ଗାର ନିବେଦିତା ପ୍ରଧାନ, ପୁରୁଣା କଟକର ଅମ୍ବର ମହାକୁଡ ଓ ଆରତୀ ମହାକୁଡ, ମୁକୁନ୍ଦପୁରର ଶ୍ରୀକାନ୍ତ କୁମାର ବାରିକ ସାହାଜପାଲ୍ ର ଜନାର୍ଦନ ସାହୁ ଇତ୍ୟାଦି କୃଷି ବିଜ୍ଞାନ କେନ୍ଦ୍ରର ଛତୁଚାଷର ବିଭିନ୍ନ ତାଲିମ, କ୍ଷେତ୍ର ପରୀକ୍ଷଣ, ଆଗୁଆ ଧାଡି କ୍ଷେତ୍ର ପ୍ରଦର୍ଶନ ଆଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଜଣେ ଜଣେ ଦକ୍ଷ ଛତୁଚାଷୀ ହେବା ସହିତ ଅନ୍ୟ ଚାଷୀ ମାନଙ୍କ ପାଇଁ ଉଦାହରଣ ହୋଇଛନ୍ତି । ଦାଶଗୋଟି ପାଳ ଛତୁ ଶଯ୍ୟାର ଆୟ ବ୍ୟୟ ଦିଗ ବ୍ୟୟ ବିବରଣୀ :- କ୍ର . ନଂ ସାମଗ୍ରୀ ଓ ପରିମାଣ ଏକକ ମୂଲ୍ୟ ମୋଟ ମୂଲ୍ୟ (ଟଙ୍କା) ୧ ବେଙ୍ଗେଳା ପଡିନଥିବା ନଡା -୨୦୦ ବିଡା ଟ .୦ . ୫୦ ହିସାବରେ ୧୦୦. ୦୦ ୨ ଛତୁ ବିହନ – ୧୦ ବୋତଲ ଟ . ୧୨/- ହିସାବରେ ୧୨୦ . ୦୦ ୩ ବେସନ -୨ କି .ଗ୍ରା. ଟ . ୬୦/-ହିସାବରେ ୧୨୦ . ୦୦ ୪ ବୁଟ -୫ କି .ଗ୍ରା. ଟ . ୭/-ହିସାବରେ ୩୫ . ୦୦ ୫ ଜରି -୪ (ଫୁଟ)x ୩ (ଫୁଟ) -୧୦ ଗୋଟି ଟ. ୧୫/-ହିସାବରେ ୧୫୦ . ୦୦ ୬ ପରିଶ୍ରମ ଓ ଅନ୍ୟାନ୍ୟ ଖର୍ଚ୍ଚ ___________ ୧୨୦.୦୦ ମୋଟ ଖର୍ଚ୍ଚ -୬୪୫.୦୦ ଆୟ ବିବରଣୀ :- ଶଯ୍ୟାପ୍ରତି ୧ କି .ଗ୍ରା.ଛତୁ ଅମଳ ଅର୍ଥାତ ସମୁଦାୟ ୧୦ କି .ଗ୍ରା. ଛତୁ କି .ଗ୍ରା. ପ୍ରତି ଟ. ୧୩୦/- ହିସାବରେ ମୋଟ ଆଦାୟ –ଟ . ୧୩୦୦.୦୦, ମୋଟ ଲାଭ – ଟ. ୬୫୫.୦୦ ଅତଏବ ଶଯ୍ୟା ପ୍ରତି ଲାଭ – ଟ . ୬୫.୦୦ ସୂଚନା : ପାରୁପାର୍ଶ୍ଵିକ ଅବସ୍ଥା ଓ ବିନିଯୋଗ ଖର୍ଚ୍ଚ ଆଧାରକୁ ନେଇ ମୋଟ ଆଦାୟ ଓ ଲାଭର କିଛିଟା ବ୍ୟତିକ୍ରମ ହୋଇପାରେ । ଆଧାର - ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ, ଭୁବନେଶ୍ଵର