ଉତ୍କୃଷ୍ଟ ସାର କଦଳୀ ମଣିଷ ଶରୀରକୁ ଶକ୍ତି ଓ ଜଳୀୟ ଅଂଶ ଯୋଗାଣର ଏକ ପ୍ରମୁଖ ଉତ୍ସ ଭାବେ ସୁପରିଚିତ । ତେବେ ଏହାର ଚୋପା ମଧ୍ୟ ଉପାଦେୟ । ଏକଥା କିନ୍ତୁ ଅନେକ ଜାଣିନାହାନ୍ତି । ଏହାର ଚୋପାକୁ ଗଛ ଲତା ନିମନ୍ତେ ଉତ୍କୃଷ୍ଟ ସାର ଭାବେ ବ୍ୟବହାର କରାଯାଇପାରିବ । କଦଳୀ ଆମ ଶରୀରକୁ ଯେଉଁଭଳି ପୁଷ୍ଟିସାଧନ ଯୋଗାଏ ତାହାର ଚୋପା ଠିକ୍ ସେହିଭଳି ଉଦ୍ଭିଦ ପାଇଁ ଅତି ଉତ୍ତମ କମ୍ପୋଷ୍ଟ ସାର ହୋଇପାରିବ । କଦଳୀ ଚୋପାରୁ କମ୍ପୋଷ୍ଟ କଦଳୀ ଚୋପାରୁ କମ୍ପୋଷ୍ଟ ତିନିଟି ଉପାୟରେ ପ୍ରସ୍ତୁତ କରାଯାଇପାରିବ । କଦଳୀ ଚୋପାକୁ ଖଣ୍ଡଖଣ୍ଡ କରି କାଟି ତାହାକୁ ନିୟମିତ କମ୍ପୋଷ୍ଟରେ ମିଶାଇ ଗଛରେ ବ୍ୟବହାର କରାଯାଇପାରିବ ଅଥବା ସିଧାସଳଖ ମାଟିରେ ମିଶାଯାଇପାରିବ । ଅଳ୍ପ କିଛିଦିନ ମଧ୍ୟରେ ଏହା ଆପେ ଆପେ କମ୍ପୋଷ୍ଟ ଖତରେ ପରିଣତ ହୋଇ ଗଛକୁ ବଢିବା ନିମନ୍ତେ ଶକ୍ତି ଯୋଗାଇବ । କଦଳୀ ଚୋପାକୁ ଛୋଟଛୋଟ ଆକାରରେ କାଟି ଏହାକୁ ଏକ ସ୍ପ୍ରେ କେନ୍ ରେ ରଖନ୍ତୁ । କେନ୍ ର ଅଧା ପର୍ଯ୍ୟନ୍ତ କିଛି ଉଷୁମ ପାଣି ଭର୍ତ୍ତି କରନ୍ତୁ । ତାହାକୁ ସେହିଭଳି ଏକ ସପ୍ତାହ ରଖିଦିଅନ୍ତୁ । କଦଳୀ ଚୋପା ସଢି ତାହା ପାଣିରେ ମିଶିଯିବା ପର୍ଯ୍ୟନ୍ତ ସେହିଭଳି ରଖାଯାଉ । ସେହି ମିଶ୍ରଣକୁ ଗଛରେ ସିଞ୍ଚନ କରାଯାଇପାରିବ । ଯଦି ତୁରନ୍ତ କଦଳୀ ଚୋପା କମ୍ପୋଷ୍ଟ ଦରକାର ତେବେ କଦଳୀ ଚୋପାକୁ କିଛି ଗରମ ପାଣିରେ ପକାଇ ତାହାକୁ ମାଟିରେ ମିଶାଇ ଦିଅନ୍ତୁ । ଆଧାର – ଦୈନିକ ପ୍ରମେୟ