ଖରାଦିନିଆ ପନିପରିବା ଯଥା- କଲରା, ଜହ୍ନି, ପୋଟଳ, କାକୁଡ଼ି, ବରଗୁଡ଼ି, ଗୁଆଁର, କଖାରୁ, ପୋଇ, ଖଡ଼ା ଇତ୍ୟାଦି ପାଇଁ ପଟାଳି ପ୍ରସ୍ତୁତ କରନ୍ତୁ । ତରଭୁଜ ଲଗାଇବା ଆରମ୍ଭ କରନ୍ତୁ । ଉନ୍ନତ କିସମ : ସୁଗାର ବେବି। ଅଦିନିଆ ପନିପରିବା ହିସାବରେ ବିଲାତି ବାଇଗଣ, ବନ୍ଧାକୋବି, ମୂଳା ଓ ଗାଜର ଚାଷ ପାଇଁ ଉନ୍ନତମାନ ମଞ୍ଜି ସଂଗ୍ରହ କରି ଚାରା ଲାଗି ପଟାଳୀ ପ୍ରସ୍ତୁତ କରନ୍ତୁ । ଚାରାରୋପଣ ପାଇଁ ଜମି ପ୍ରସ୍ତୁତ ଆରମ୍ଭ କରନ୍ତୁ । ଅଦା ଓ ହଳଦୀ : ଅଦା ଓ ହଳଦୀ ଫସଲ ଅମଳ ସକାଶେ ଏହା ପ୍ରକୃଷ୍ଟ ସମୟ ଅଟେ । ଜମିର ବତର ଦେଖି ଫସଲ ଅମଳ କରନ୍ତୁ । ଫୁଲଚାଷ ସେରାକଲ କିସମର ଗେଣ୍ଡୁ ଫୁଲ ଚାଷ କରୁଥିଲେ ହେକ୍ଟର ପ୍ରତି ୨୦ ଗାଡ଼ି ଭଲ ସଢ଼ା ଗୋବରଖତ ସହିତ ୨୦୦ କି.ଗ୍ରା. ଯବକ୍ଷାରଜାନ, ୨୦୦ କି.ଗ୍ରା. ଫଫରସ୍ ଏବଂ ୨୦୦ କି.ଗ୍ରା. ପଟାସ୍ ଆବଶ୍ୟକ । ଲଗାଇବା ସମୟରେ ମୂଳସାର ହିସାବରେ ଅର୍ଭକ ଯବକ୍ଷାରଜାନ ଏବଂ ସମସ୍ତ ପଟାସ୍ ଓ ଫସ୍ଫରସ୍ ଖତ ସହିତ ମାଟିରେ ପ୍ରୟୋଗ କରନ୍ତୁ । ମଲ୍ଲୀଫୁଲ ଚାଷ କରୁଥିଲେ ଗଛ ପ୍ରତି ୭୫ ଗ୍ରାମ୍ ଯବକ୍ଷାରଜାନ, ୭୫ ଗ୍ରାମ୍ ଫସ୍ଫରସ୍ ଏବଂ ୫୦ ଗ୍ରାମ୍ ପଟାସ୍ ସାର ପ୍ରୟୋଗ କରନ୍ତୁ । ଗୋଡ଼ିଫୁଲ, ସୂର୍ଯ୍ୟମୁଖୀ ଏବଂ ଜିନିଆ ଚାଷ କରିପାରିବେ। ଗୋଲାପ ଗଛରେ ଶୋଷକ ପୋକ ନିୟନ୍ତ୍ରଣ ଲାଗି ଏକ ଲିଟର ପାଣିରେ ୨ ମି.ଲି, ହିସାବରେ ଡାଇମେଥୋଏଟ୍ କୀଟନାଶକ ମିଶାଇ ଗଛରେ ଭଲ ଭାବରେ ସିଞ୍ଚନ କରନ୍ତୁ । ପାଉଁଶିଆ ରୋଗ (ପାଉଡରି ମିଡ଼ିଉ) ଦେଖାଦେଲେ ୧ ଲିଟର ପାଣିରେ ୩ ଗ୍ରାମ୍ ହିସାବରେ ସଲଫର୍ ସେଚିତ ଗୁଣ୍ଡ ପ୍ରୟୋଗ କରନ୍ତୁ । ଗୋପାଳନ ଓ ଛେଳି ପାଳନ ନଡ଼ା ଖାଇବାକୁ ଦେବା ପୂର୍ବରୁ ପ୍ରଥମେ ନଡ଼ାକୁ କାଟି ପାଣିରେ ୪ ଘଣ୍ଟା ବତୁରାଇ ଦିଅନ୍ତୁ । ପରେ ନଡ଼ାକୁ ପାଣି ଛଡ଼ାଇ ଶୁଖାଇ ଦିଅନ୍ତୁ ଏହି ନଡ଼ାକୁ ଖାଇବାକୁ ଦେଲେ ନଡ଼ାରେ ଥିବା ଅକଜାଲିକ୍ ଅମ୍ଳ ପରିମାଣ କମିଥାଏ । ଦୁଧିଆଳୀ ଗାଈକୁ ପ୍ରତ୍ୟେକ ୨.୫ ଲିଟର ଦୁଗ୍ଧ ପାଇଁ ୧ କି.ଗ୍ରା. ସନ୍ତୁଳିତ ମିଶ୍ରିତ ଦାନା ଖାଇବାକୁ ଦିଅନ୍ତୁ । ପ୍ରତ୍ୟେକ ଦିନ ୩୦ ଗ୍ରାମ୍ ଖଣିଜ ଲବଣ ମିଶ୍ରଣ ଗାଈକୁ ଖାଇବାକୁ ଦିଅନ୍ତୁ। ଦାନାଖର୍ଚ୍ଚ କମାଇବା ସହ ଗାଈଙ୍କର ସ୍ଵାସ୍ଥ୍ୟବସ୍ଥା ଭଲ ରହିବା ସକାଶେ ସବୁଜ ଗୋଖାଦ୍ୟ ଫସଲ ଚାଷ କରନ୍ତୁ। ଛେଳି ପାଳନ ଛେଳିମାନଙ୍କୁ ଏଣ୍ଟରୋଟସିମିଆ ରୋଗ ଏହି ମାସରେ ଦେଖାଯାଇଥାଏ । ଏହାର ପ୍ରତିକାର ଲାଗି ଏଣ୍ଟରୋଟସିମିଆ ଟିକା ଛେଳିଙ୍କୁ ଦିଅନ୍ତୁ । କୁକୁଡ଼ା ପାଳନ ବାର୍ଡ଼ ଫ୍ଲୁ ରୋଗ ଦମନ ଲାଗି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରନ୍ତୁ । ବ୍ରଏଲର କୁକୁଡ଼ା – ଦିନରେ ବାୟୁମଣ୍ଡଳର ଉତ୍ତାପ ଅଧିକ ଥିବାରୁ କୁକୁଡ଼ା ଛୁଆ ପାଳନ ପାଇଁ କମ୍ ଉତ୍ତାପ ଦିଅନ୍ତୁ (ଆବଶ୍ୟକ ୩୫୦ ସେଣ୍ଟିଗ୍ରେଡ଼) । କୁକୁଡ଼ା ଛୁଆମାନେ ଉତ୍ତାପ ଉତ୍ସତଳେ ରହିଲେ ଉତ୍ତାପ ବଢ଼ାନ୍ତୁ ଓ ଉତ୍ତାପ ଉତ୍ସ ଠାରୁ ଦୂରରେ ରହିଲେ ଉତ୍ତାପ କମ୍ ଦିଅନ୍ତୁ । ୭ ଦିନର କୁକୁଡ଼ା ଛୁଆଙ୍କୁ ରାଣୀକ୍ଷେତ ରୋଗ ଓ ୧୫ ଦିନର ଛୁଆଙ୍କୁ ଆଇ.ବି.ଡ଼ି. ରୋଗ ଟିକା ଦିଅନ୍ତୁ । ନିମ୍ନଲିଖିତ ଲକ୍ଷଣମାନ ଦେଖାଦେଲେ ବାର୍ଡ ଫ୍ଲୁ ରୋଗ ହେବାର ସୂଚନା ମିଳିଥାଏ । କୁକୁଡ଼ା ଦୁର୍ବଳ ଦେଖାଯାଏ, ପର ଅସଜଡ଼ା ପରି ଲାଗେ, ଅଣ୍ଡାଦିଆ କୁକୁଡ଼ା ଅଣ୍ଡା ଦେବା କମ୍ କରିଦିଏ, ନାକରୁ ପତଳା ସିଂଘାଣି ବାହାରିବା ସହିତ ଛିଙ୍କ ତଥା ପତଳା ପାଣି ପରି ଝାଡ଼ା ହୁଏ, ପ୍ରାପ୍ତ ବୟସ୍କ କୁକୁଡ଼ାଙ୍କ ଚୂଳ, ୱାଟଲ୍ ଓ ଆଖି ଚାରିପାଖ ଫୁଲିଯାଏ, ଚୂଳ ନୀଳ ପଡ଼ିବା ସହିତ ରକ୍ତ ଛିଟା ଚିହ୍ନ ଦେଖାଦେଲେ କିମ୍ବା ମୁହଁ ବା ମୁଣ୍ଡ ଫୁଲିଯିବା ଆଦି ଉପସର୍ଗ ମାନ ଦେଖାଦେଲେ ତୁରନ୍ତ ନିକଟସ୍ଥ ପାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ । ମତ୍ସ୍ୟଚାଷ ଭାକୁର ମାଛରେ ସାଧାରଣତଃ ଆଖିରୋଗ ଦେଖାଯାଇଥାଏ । ଏହାର ପ୍ରାଥମିକ ଲକ୍ଷଣରେ ଆଖିର ସ୍ଵଚ୍ଛପଟଳ ରକ୍ତବର୍ଣ୍ଣ ହୋଇଯାଏ ଓ କିଛିଦିନ ପରେ ଏହା ଅସ୍ଵଚ୍ଛ ହୋଇ କ୍ରମେ ପଚିଯାଇ ଆଖି ନଷ୍ଟ ହୋଇଯାଏ । ତେଣୁ ଏହାର ପ୍ରତିକାର ଲାଗି ୧୦ ମିଲିଗ୍ରାମ୍ ହିସାବରେ କ୍ଲୋରୋମାଇସିଟିକୁ ୧ ଲିଟର ପାଣିରେ ଦ୍ରବଣ ପ୍ରସ୍ତୁତ କରି ମାଛଗୁଡ଼ିକ ୫-୭ ମିନିଟ୍ ପର୍ଯ୍ୟନ୍ତ ବୁଡ଼ାଇ ରଖନ୍ତୁ । ଏହା ବ୍ୟତୀତ ପଟାସିୟମ ପରମାଙ୍ଗାନେଟ୍ ଦ୍ରବଣରେ (୫ ମିଲିଗ୍ରାମ୍ ୧ ଲିଟର ପାଣିରେ) ମାଛକୁ ପ୍ରାୟ ୫ ରୁ ୭ ମିନିଟ୍ ପର୍ଯ୍ୟନ୍ତ ବୁଡାଇ ରଖାଯାଇପରେ । ଏହି ପ୍ରକ୍ରିୟା ୩-୪ ଦିନ ପର୍ଯ୍ୟନ୍ତ କଲେ ଭାକୁର ମାଛର ଆଖିରୋଗ ହେବାର ଆଶଙ୍କା ନଥାଏ । ଏକ ହେକ୍ଟର ବିଶିଷ୍ଟ ମାଛଚାଷ ପୋଖରୀ ପାଇଁ ଦୈନିକ ୭ କି.ଗ୍ରା, କାଣ୍ଡିଆ ୭ କି.ଗ୍ରା, ଚିନାବାଦାମ ପିଡ଼ିଆ ବ୍ୟବହାର କରନ୍ତୁ । ଡାଳିଅ ଧାନ ରୋଇବାର ୧୫-୨୦ ଦିନ ଜମିରେ ନଖବୁଡା ପାଣି ରଖି ୧୨୦ ରୁ କମ୍ ଦିନିଆ ଧାନରେ ହେକ୍ଟର ପ୍ରତି ୩୦ କିଲୋଗ୍ରାମ୍ ଓ ୧୨୦ ଦିନର ଅଧିକ ଦିନିଆ ତଥା ଶଙ୍କର କିସମ ଧାନରେ ୪୦ କିଲୋଗ୍ରାମ୍ ଯବକ୍ଷାରଜାନ ସାର ପିଲସାର ହିସାବରେ ପ୍ରୟୋଗ କରନ୍ତୁ । ପିଲ ଅବସ୍ଥାରେ ୨.୫ ସେ.ମି. ପର୍ଯ୍ୟନ୍ତ ପାଣି ରଖନ୍ତୁ । କାଣ୍ଡବିନ୍ଧା ପୋକ ଦମନ ଲାଗି ହେକ୍ଟର ପ୍ରତି ୧ ଲିଟର କ୍ଲୋରୋପାଇରିଫସ୍ କିମ୍ବା ମନୋକ୍ରୋଟୋଫସ୍ ପତ୍ରରେ ସଞ୍ଚନ କରନ୍ତୁ । ଗହମ ଗହମ କାଣ୍ଡ ହଳଦିଆ ପଡ଼ି ଶୁଖି ମଥା ନଇଁଗଲେ ଅମଳ କରନ୍ତୁ । ମକା ଲଗାଇବାର ୨୧ ଦିନପରେ କୋଡ଼ାଖୁସା କରି ଗଛମୂଳରେ ମାଟିଦେବା ଦରକାର । ଯଦି ଫସଲ ବୁଣିବାର ୩୫ ରୁ ୪୫ ଦିନ ମଧ୍ୟରେ ଥିବା କୋଡ଼ାଖୁସା କରି ଘାସ ବାଛି ହେକ୍ଟର ପ୍ରତି ୩୦-୩୫ କି.ଗ୍ରା. ଯବକ୍ଷାରଜାନର ଗଛ ମୂଳରେ ଦେଇ ଦ୍ଵିତୀୟ ଥର ହୁଡ଼ା ଟେକି ଦିଅନ୍ତୁ । ଡାଲି ଜ।ତୀୟ ଫସଲ ଖରାଦିନିଆ ଅଧିକ ଅମଳ କ୍ଷମ ଡାଲି ଜ।ତୀୟ ଫସଲ ଯଥା - ମୁଗ କସମ – ଆଇ.ପି.ଏମ୍.-୦୨-୧୪ (୬୫ ଦିନ), ଆଇ.ପି.ଏମ୍.-୦୨-୩ (୬୫ ଦିନ), ପ.ଡି.ଏମ୍-୧୧ (୬୫ ଦିନ), ପି.ଡି.ଏମ୍.-୫୪ (୬୦ ରୁ ୬୫ ଦିନ), ଦୁର୍ଗା (୬୦ ରୁ ୬୫ ଦିନ), ସମ୍ରାଟ୍ (୬୫ ରୁ ୭୦ ଦିନ), କେ-୮୫୧ (୬୦ ରୁ ୬୫ ଦିନ) ଓ ବିରି କିସମ - ସାରଳା (୬୫ ରୁ ୭୦ ଦିନ), ପି.ୟୁ.-୩୧ (୭୦ ଦିନ), ପି.ୟୁ.-୩୦ (୬୫ ରୁ ୭୦ ଦିନ), ପି.ୟୁ.-୩୫ (୬୫ ରୁ ୭୦ ଦିନ), ପି.ୟୁ-୧୯(୬୫ ରୁ ୭୦ ଦିନ) ବିହନ ସଂଗ୍ରହ କରି ଜମିରେ ବୁଣନ୍ତୁ । ହେକ୍ଟର ପ୍ରତି ୨୫ କିଲୋଗ୍ରାମ୍ ବିହନ ଆବଶ୍ୟକ । ବିହନକୁ ବିଶୋଧନ କରି ବୀଜାଣୁ କଚର ଉପଚାର କରି ଧାଡ଼ିରେ ବୁଣନ୍ତୁ। ତୈଳବୀକ ଜାତୀୟ ଫସଲ ଚିନାବାଦମ ଏହି ଫସଲରେ । ବିହାରୀ ଶଁବାଳୁଆ ଲାଗିଲେ ସକାଳେ କାକର ଥିବାବେଳେ ହେକ୍ଟର ପ୍ରତି ୨୫ କି.ଗ୍ରା. ହିସାବରେ ୧.୫% କ୍ଲୋରୋପାଇରିଫସ୍ ଗୁଣ୍ଡ ପ୍ରୟୋଗ କରନ୍ତୁ କିମ୍ବା ୧ ଲିଟର ୨୫୦ ମି.ଲି, ଫୋସାଲନ୍ ୫୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ । ସୋରିଷ ଡେରିରେ ବୁଣାଯାଇଥିବା ସୋରିଷ ଅମଳ କରଦିଅନ୍ତୁ । ଖରାଦିନିଆ ରାଶିକୁ ଫ୍ରେବୃୟାରୀ ଠାରୁ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ବୁଣନ୍ତୁ । ହେକ୍ଟର ପ୍ରତି ୭.୫ ରୁ ୧୦ କି.ଗ୍ରା. ବିହନ ଆବଶ୍ୟକ ହୋଇଥାଏ । ରାଶିର ଉନ୍ନତ ବିହନ କିସମଗୁଡ଼ିକ ହେଲା – ଅପ୍ରିତ୍ (୭୫ ଦିନ), କନକ (୮୫ - କଣ୍ଡା, ଦିନ), କାଳିକା (୮୫ ଦିନ), ଉମା (୭୫ ରୁ ୮୦ ଦିନ), ବିନାୟକ (୮୫ ଦିନ), ନିର୍ମଳା (୮୦ ଦିନ), ପ୍ରାଚୀ (୭୫ ରୁ ୮୦ ଦିନ ) ଓ ଉଷା (୭୫ ରୁ ୮୦ ଦିନ) । ଆଧାର - କୃଷି ବୈଷୟିକ ସୂଚନା କେନ୍ଦ୍ର,ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ,ଓୟୁଏଟି, ଭୁବନେଶ୍ଵର