ଉପକ୍ରମ ପିଜୁଳିକୁ ଆମେ ଓଡିଶାର ସେଉ କହିଲେ କିଛି ଭୁଲ ହେବନି । ଏହା ବହୁତ ଶସ୍ତା, ଖାଇବାକୁ ରୁଚିକର ଓ ଖାଦ୍ୟ ଗୁଣରେ ଭରପୁର ହୋଇଥିବାରୁ ଏହା ଧନୀ ତଥା ଦରିଦ୍ରଙ୍କ ଦ୍ଵାରା ଆଦୃତ ଓ ପସନ୍ଦ ଯୋଗ୍ୟ ହୋଇଥାଏ । ଏଥିରେ ଜିବନିକା-ଗ (Vitamin-C) ବହୁ ପରିମାଣରେ ଥାଏ ଓ ଏଥିରେ ଯଥେଷ୍ଟ ମଣ୍ଡ ଥିବାରୁ ପିଜୁଳିରୁ ସହଜରେ ଜେଲି କରାଯାଇ ଥାଏ । ଏହାର କଅଁଳ ପତ୍ରକୁ ତରଳ ଝାଡାର ଉପଶମ ପାଇଁ ବ୍ୟବହାର କରାଯାଏ । ଉତ୍ପତ୍ତି ସ୍ଥଳ ପିଜୁଳିର ଉତ୍ପତ୍ତି ସ୍ଥଳ ହେଉଛି ଆମେରିକାର ଗ୍ରୀଷ୍ମ ମଣ୍ଡଳୀୟ ଅଞ୍ଚଳ । ଏହା ଭାରତକୁ ସପ୍ତଦଶ ଶତାବ୍ଧିରେ ଅଣାଯାଇଥିଲା । ଜଳବାଯୁ ପିଜୁଳି ଗ୍ରୀଷ୍ମ ଓ ଉପଗ୍ରୀଷ୍ମ ମଣ୍ଡଳୀୟ ଫଳ । ଯେଉଁଠାରେ ଶୀତ ଭଲ ଅନୁଭୂତ ହୁଏ ସେଠାରେ ପିଜୁଳି ଖୁବ ଭଲ ହୁଏ । ରାତିରେ ଉତ୍ତାପ ୧୦ ଡିଗ୍ରୀ ସେଲସିୟସ ରହିଲେ ପିଜୁଳି ଖୁବ ଭଲ ହୁଏ । ସମୁଦ୍ର ପତନ ଠାରୁ ୧୫୦୦ ମିଟର ଉଚ୍ଚତା ଯାଗା ମାନଙ୍କରେ ବର୍ଷା ବର୍ଷକୁ ୧୦୦ ଇଞ୍ଚରୁ ଅଧିକ ହୁଏ, ସେଠାରେ ପିଜୁଳି ଭଲ ହୁଏନି । ବରଫ ପଡୁଥିବା ଅଞ୍ଚଳରେ ପିଜୁଳି ଭଲ ହୁଏନି । ଫଳ ସମୟରେ ଅଧିକ ଉତ୍ତାପ ରହିଲେ ଫଳଝଡାର ସମ୍ଭାବନା ଥାଏ । ଅମଳ ସମୟରେ ବର୍ଷା ପାଗ ରହିଲେ ଫଳର ମାନ କମିଯାଏ । ମୃତ୍ତିକା ପିଜୁଳି ଚାଷ ସବୁ ପ୍ରକାର ମୃତ୍ତିକାରେ କରାଯାଇ ପାରେ, କିନ୍ତୁ ମୃତ୍ତିକାର ଜଳ ନିଷ୍କାସନ ସୁବିଧା ଥିବା ଦରକାର । କିନ୍ତୁ ଏହା ନିଗିଡା ଦୋରସା ମୃତ୍ତିକା ଓ ନଦୀ ପଠା ଅଞ୍ଚଳରେ ଭଲ ଭାବେ ବଢିପାରେ । ମାଟିର ଅମ୍ଳତା ୪.୫ ରୁ ୭.୫ ଭିତରେ ପିଜୁଳି ଚାଷ ଭଲ ହୁଏ । କିସମ ପିଜୁଳିର କିସମ ଗୁଡିକୁ ଦୁଇଭାଗରେ ବିଭକ୍ତ କରାଯାଏ । ଯଥା ଧଳାଶସ ଓ ଗୋଲାପି ଶସ । ଧଳା ଶସ ଭିତରେ ଲକ୍ଷ୍ମୌ -୪୯, ଆଲାହାବାଦ ସଫେଦା, ଚିତିଦାର, କରେଲା,ଆର୍କା ମିଦୃଳା, ସ୍ମୁଥଗ୍ରୀନ, ବାଙ୍ଗାଲୋରା, ସଫେଦ ଜାମ, ନାଗପୁର ସିଡଲେସ, ସାହାରନ ପୁର ସିଡଲେସ, ଭୁବନଗିରି ଇତ୍ୟାଦି ଗୋଲାପି ଶସ ଭିତରେ ଆଲାହାବାଦ ସୁରଖା, ହାଫସି , ନାଲି ମାଂସଳ,ଇତ୍ୟାଦି । କେତେଗୁଡିଏ କିସମର ପୁରା ବିବରଣୀ ଦିଆଗଲା ଏଲହାବାଦ ସଫେଦା ଫଳ ମଧ୍ୟମ ଧରଣର ପ୍ରାୟ ୧୬୦ ଗ୍ରାମ ଓଜନ ବିଶିଷ୍ଟ ହୋଇଥାଏ । ଏହା ଖାଇବାକୁ ସୁସ୍ଵାଦୁକର । କମ ମଞ୍ଜି ବା ମଞ୍ଜିବିହୀନ ଗୋଲ ଆକୃତି, ଚିକକଣ ଚମଡାଯୁକ୍ତ ଏବଂ ଏହାର ମାଂସଳ ଶସ ଧଳା ଓ ମିଠା । ଏହି କିସମ ଉତ୍ତର ପ୍ରଦେଶ ଓ ବିହାରରେ ବହୁଳଭାବେ ଚାଷ କରାଯାଇଥାଏ । ଚିତିଦାର ଏହି କିସମ ଆହ୍ଲାବାଦରୁ ସୃଷ୍ଟି । ଏହା ଆହ୍ଲାବାଦ ସଫେଦା କିସମ ପରି, ଦେଖିବାକୁ କେବଳ ଏହାର ଚମଡା ଉପରେ ନାଲି ଦାଗ ଥାଏ । ଏହା ଛୋଟ ଆକୃତିର । ୧୧୦ ଗ୍ରାମ ଓଜନ ବିଶିଷ୍ଟ । କଲେରା ଏହା ପିଅର ଫଳ ଆକୃତି ଭଳି । ଏହି ଫଳରେ ଉପର ଭାଗ ଆବୁଡା ଖାବୁଡା । ଏହାର ମାଂସାଳ ଶସ ଧଳା ଓ ସ୍ଵାଦୁ ମିଠା । ଲକ୍ଷ୍ମୌ-୪୯ ଏହି କିସମ ଆହ୍ଲାବାଦ ସଫେଦାରର ଉଦବରଣ ଓ ପୁନାରୁ ଜାତ । ଏହି କିସମ ମହାରାଷ୍ଟ୍ର ଓ ଦକ୍ଷିଣ ଭାରତରେ ବହୁଳଭାବେ ଚାଷ କରାଯାଏ ଫଳଗୁଡିକ ବଡ ଆକୃତିର । ୨୪୫ ଗ୍ରାମ ଓଜନ ବିଶିଷ୍ଟ । ଗଛରେ ବହୁତ ପରିମାଣର ଫଳ ଆସିଥାଏ । ଏହା ଖାଇବାକୁ ନରମ, ମିଠା ଓ ମାଂସଳ । ଶସ ଲହୁଣି ପରି ଧଳା, ସ୍ଵାଦ, ମିଠା ଓ ଅମ୍ଳଯୁକ୍ତ । ଏହି କିସମ ଗଛଗୁଡିକ ବାଙ୍ଗରା ହୋଇ ବଢିଥାଏ । ଏଲହାବାଦ ସୁରଖା ଏହାର ମାଂସଳ ଶସ ଗୋଲାପି ରଙ୍ଗ, ସୁଗନ୍ଧ ଯୁକ୍ତ ଓ ମିଠା । ଗଛରେ ବହୁତ ଫଳେ । ୬ ବର୍ଷର ଗଛ ୧୨୦ କେଜି ଫଳ ଦିଏ । ଅର୍କ ମୃଦୁଳା ଏହା ଏକ ଶଙ୍କର କିସମ ଭଲ ପିଜୁଳି । ଏହା Alhabad Safed ଓ Triploid ପିଜୁଳିର ସମିଶ୍ରଣରୁ ବାହାରିଛି । ଖୁବ ମିଠା ଓ ମଞ୍ଜି କଅଁଳ । ଅର୍କ ଅମୂଲ୍ୟ ଏହା ମଧ୍ୟ ଏକ ଉନ୍ନତ କିସମ । ଖୁବ ମିଠା ଓ ମଞ୍ଜି କଅଁଳ । ସଫେଦ ଜାମ Allahabad Safeda ଓ Kohir ର ସମିଶ୍ରଣରେ ଏ କିସମ ବାହାରିଛି । ଖୁବ ଭଲ ପିଜୁଳି । ନାଲି ମାଂସଳ ଏହାର ମାଂସଳ ଶସ ନାଲି ରଙ୍ଗ ଓ ଫଳ ମଧ୍ୟମ ଧରଣର । ୧୭୦ ଗ୍ରାମ ଓଜନ ବିଶିଷ୍ଟ ; ଏହି କିସମ ଫଳର ଶସ ଆପ୍ରିକଟ ଭଳି ସୁବାସଯୁକ୍ତ ଓ ଗଛରେ ବହୁତ ଫଳ ଧରିଥାଏ । ବାରାଣାସି ଏହି କିସମ ଫଳ ବହୁତ ମିଠା ଓ କମ ଅମ୍ଳଯୁକ୍ତ । ଗଛ ଗୁଡିକ ୪ ରୁ ୫.୫ ମିଟର ଉଚ୍ଚତା ବିଶିଷ୍ଟ, ଲମ୍ବା ପତ୍ରଯୁକ୍ତ, ଫଳ ଗୁଡିକ ଗୋଲାକାର ଓ ହଳଦିଆ ରଙ୍ଗର ହୋଇଥାଏ । ମଞ୍ଜିବିହୀନ କିସମ ସାହାରାନପୁର ସିଡ୍ ଲେସ୍ ଓ ନାଗପୁର ସିଡ୍ ଲେସ୍ । ଏହି କିସମର ଫଳରେ ମଞ୍ଜି ନଥାଏ ଓ ଗଛ ଗୁଡିକରେ ହାଲୁକା ଫଳନ ହୋଇଥାଏ । ଏହି କିସମ ଗଛ ଗୁଡିକ ବହୁତ ବଢିଥାଏ । କିନ୍ତୁ ସେହି ତୁଳନାରେ ଫଳ ଛୋଟ ଆକୃତିର । ବଂଶ ବିସ୍ତାର ପିଜୁଳି ସାଧାରଣତଃ ମଞ୍ଜିରୁ ବଂଶ ବିସ୍ତାର କରିଥାଏ । ମଞ୍ଜି ଗଛ ହେବା ପାଇଁ ୧୫-୨୦ ଦିନ ନେଇଥାଏ । ମଞ୍ଜିରୁ ହେଉଥିବା ଗଛ କିସମର ନିଜସ୍ଵ ଗୁଣ ବଜାୟ ରଖି ପାରେ ନାହିଁ । ଏହି କାରଣରୁ ଏହାର ବଂଶ ବିସ୍ତାର ପାଇଁ ଡାଳ କଲମୀ ବା ଗୁଟି କଲମୀ କରାଯାଏ । ବର୍ଷାଦିନ ଆରମ୍ଭରେ ଗୁଟି ବନ୍ଧା ଯାଏ । ଏବେ କିନ୍ତୁ ପିଜୁଳିର ଯୋଡ କଲମୀ,ଭିନିୟର କଲମୀ, ଟି ବଡିଙ୍ଗ ଓ ପ୍ୟାଚ ବଡିଙ୍ଗ ଦ୍ଵାରା ସହଜରେ ବଂଶ ବିସ୍ତାର କରାଯାଇ ପାରୁଛି । ଜମି ପ୍ରସ୍ତୁତି ଓ ଚାରା ରୋପଣ ଜମିକୁ ୩/୪ ଓଡ ହଳ କରିବ । ଉର୍ବର ମାଟିରେ ୭ ରୁ ୮ ମିଟର ବ୍ଯବଧାନରେ ଓ ଅନୁର୍ବର ମାଟିରେ ୫ ରୁ ୭ ମିଟର ବ୍ୟବଧାନରେ ୧ମି *୧ମି*୧ମିଟର ଗାତ କରିବ । ପ୍ରତି ଗାତରେ ୨ ଟୋକେଇ କମ୍ପୋଷ୍ଟ ସହ ୨କେଜି ଜୈବିକ ସାର ଓ ୧୦୦ ଗ୍ରାମ କ୍ଳୋରୋପାଇରିଫସ ଗୁଣ୍ଡ ଦେଇ ଗଛ ଲଗାଯାଏ । ଜୁନ-ଜୁଲାଇ ମାସ ବା ବର୍ଷାକାଳ ଆରମ୍ଭରେ ଗଛ ଲଗାଯାଏ । ଖତ ଓ ସାର ଗଛରେ ଫୁଲ ଆସିବା ପୂର୍ବରୁ ଖତ ଓ ସାର ପ୍ରୟୋଗ କରାଯାଏ । ଗୋଟିଏ ପୂର୍ଣ୍ଣାଙ୍ଗ ବୟସ୍କ ଗଛ ପ୍ରତି ୫୦ କେଜି ଖତ, ୨ କେଜି ସୋନା ସାର, ୨କେଜି ସୁପର ସାର ଓ ୧କେଜି ମ୍ୟୁରେଟ ଅଫ ସାର ପ୍ରୟୋଗ କରାଯାଏ । ଜଳ ନିଷ୍କାସିତ ହୋଇପାରୁ ନଥିବା ସ୍ଥଳରେ ବେଳେ ବେଳେ ଗଛରେ ଜିଙ୍କ ଧାତୁର ଅଭାବ ଦେଖାଯାଏ । ଏଥିପାଇଁ ୫୦୦ ଗ୍ରାମ ଜିଙ୍କ ସଲଫେଟ ଓ ୩୫୦ ଗ୍ରାମ କଲିଚୁନ ୮୦ ଲିଟର ପାଣିରେ ଦ୍ରବଣ କରି ସିଞ୍ଚନ କରିବା ଉଚିତ । କାଟଛାଣ୍ଡ ଗଛର ମୂଳରୁ ବାହାରୁଥିବା ପାଣି ପୁଆ ଡାଳଗୁଡିକ ବହୁତ ଲମ୍ବା ହୋଇ ବଢନ୍ତି । ପିଜୁଳି ଫୁଲ ଫଳ ଧରେ ନାହିଁ ଓ ଡାଳ ଗୁଡିକ ବହୁତ ଲମ୍ବା ହୋଇ ବଢନ୍ତି । ପିଜୁଳି ଫୁଲ ଚଳନ୍ତି ଋତୁର ନୂଆ ଡାଳରେ ଆସିଥାଏ । ତେଣୁ ଫୁଲ ଆସିବା ପୂର୍ବରୁ ଡାଳ ଗୁଡିକର ଅଗ୍ରଭାଗକୁ କାଟି ଦିଆଯାଏ , ଯଦ୍ୱାରା ସେଥିରୁ ନୂଆ ଡାଳ ବାହାରି ଅଧିକ ଫୁଲ ଫଳ ଧରେ । ପିଜୁଳି ଗଛରେ ଲାଗୁଥିବା ରୋଗ,ପୋକ ଓ ତା’ର ପ୍ରତିକାର ଝାଉଁଳା ରୋଗ ଝାଉଁଳା ରୋଗ ପିଜୁଳି ଗଛର ମାରାତ୍ମକ ଶତୃ । ଏହି ରୋଗରେ ପତ୍ର ଆଗଆଡୁ ହଳଦିଆ ପଡିଯାଏ, ପତ୍ର ମୋଚି ହୋଇଯାଏ ଓ ଶୁଖିଯାଏ, କିନ୍ତୁ ଗଛରେ ଲାଗିଥାଏ । ଆକ୍ରାନ୍ତ ଡାଳ ଝାଉଁଳି ମରିଯାଏ । ଗଛର ଛେଲି ଅତ୍ୟଧିକ ଭାବରେ ଫାଟିଯାଏ ଓ ଗଛ ମରିଯାଏ । ସାଧାରଣତଃ ଫଳକଷି ଓ ଫଳ ଆସିବା ସମୟରେ ଏ ରୋଗ ହୋଇଥାଏ । ପ୍ରତିକାର ଏହି ରୋଗ ଜଳ ନିଷ୍କାସିତ ହେଉ ନଥିବା ଓ ବାଲିଆ ମାଟିରେ ବେସୀ ହେବାର ଦେଖାଯାଏ । ତେବେ ରୋଗ ଲାଗିଲେ ନିମ୍ନଲିଖିତ ପ୍ରତିକାର କରିବେ । ମରି ଯାଉଥିବା ଡାଳଗୁଡିକୁ ବାହାର କରି ନଷ୍ଟ କରି ଦିଅନ୍ତୁ । ଅତ୍ୟଧିକ ଆକ୍ରାନ୍ତ ଗଛକୁ ଉପାଡି ପୋତିଦେବା ଉଚିତ । ମାଟିରେ ଚୂନ ଓ ଜିପସମ ଗଛ ପ୍ରତି ୨ କେଜି ହିସାବରେ ପ୍ରୟୋଗ କରିବା ଦ୍ଵାରା ଝାଉଁଳା ରୋଗ ଅନ୍ୟ ଗଛକୁ ବ୍ୟାପୀ ନ ଥାଏ । ସହଣୀ କିସମର ଗଛ ଲଗାନ୍ତୁ । ଗଛମୂଳରେ ବାଭିଷ୍ଟିନ ଏକ ଲିଟର ପାଣିରେ ଏକ ଗ୍ରାମ ହିସାବରେ ୧୦ ଲିଟର ଦ୍ରବଣ ଦିଅନ୍ତୁ । ପିଜୁଳିର ଫଳପଚା ରୋଗ ଏ ରୋଗରେ କଞ୍ଚା ଫଳରେ ଘନ ବାଦାମି ରଙ୍ଗର ଗୋଲାକାର ପଚା ଦାଗ ମାନ ପ୍ରଥମେ ଦେଖାଯାଏ । ତା’ପରେ ଫଳ ପାଚ୍ୟ ଯାଏ । ବର୍ଷା ଦିନରେ ଏହା ଅଧିକ ଦେଖାଯାଏ । ପ୍ରତିକାର ରିଡୋମିଲ (୦.୧%)ବା ଡିଥେନ-ଜେଡ-୭୮ (୦.୨%) ବା ଅରିଓଫନବିନ(୧୦ ପି.ପି.ଏମ) ବର୍ଷା ଦିନେ ସପ୍ତାହ ଅନ୍ତରରେ ସ୍ପ୍ରେ କରିବା ଦରକାର । ପିଜୁଳିର କାଙ୍କର ରୋଗ ଫଳ ଉପରେ ଗୋଲାକାର, ବାଦାମୀ ଓ କଳା ରଙ୍ଗର ଯାଦୁଆ ରୋଗ ଦେଖାଯାଏ । ଫଳ ଗୁଡିକ ବିକୃତ ହୋଇଯାଏ । ଫଳ ସବୁ ଦାଗ ଦାଗ ହୋଇ ନିସିଆ ଦେଖାଯାଏ ଓ ପାଚେ ନାହିଁ । ସାଧାରଣତଃ ବର୍ଷାଦିନେ ଦେଖାଯାଏ । ପ୍ରତିକାର ଜୁଲାଇରୁ ଅକ୍ଟୋବର ମାସ ମଧ୍ୟରେ ମାସକ ବ୍ୟବଧାନରେ ଡିଥେନ-ଜେଡ-୭୮(୦.୨%) ସ୍ପ୍ରେ କରିବା ଆବଶ୍ୟକ । ଆନଥ୍ରାକ୍ନୋଜ ରୋଗ ଏହି ରୋଗରେ କଞ୍ଚା ଫଳରେ ବର୍ଷା ଦିନେ ଛୋଟ ଦାଗ ଦେଖାଯାଏ । ଦାଗ ସବୁ ପ୍ରଥମେ ବାଦାମୀ ରଙ୍ଗର ହୋଇ ପରେ କଳା ଦେଖାଯାଏ । ଅନୁକୂଳ ପରିସ୍ଥିତିରେ ଏହି ଦାଗ ଗୁଡିକ ଏକାଠି ହୋଇ ବଡ ବଡ ଦାଗରେ ପରିଣତ ହୁଏ । ଆକ୍ରାନ୍ତ ସ୍ଥାନଗୁଡିକ ଅପେକ୍ଷାକୃତ ଶକ୍ତ । ପାଚିଲା ଫଳଗୁଡିକ ଏ ରୋଗରେ ନରମ ହୋଇଯାଏ । ଛୋଟ ଫୁଲ ଓ କଢ ଏଥିରେ ଆକ୍ରାନ୍ତ ହୋଇ ଝଡି ପଡନ୍ତି । ପତ୍ରର ଅଗ ଓ ଧାର ପାଉଁଶିଆ ଦେଖାଯାଏ । ପ୍ରତିକାର ଡାଇଫୋଲଟନ(୦.୩%) ବା ଡିଥେନ-ଏମ-୪୫ (୦.୨%) ସ୍ପ୍ରେ କରନ୍ତୁ । ରୋଗାକ୍ରାନ୍ତ ଡାଳକୁ କାଟି ଦିଅନ୍ତୁ । ତଳେ ପଡିଯାଇ ଥିବା ପତ୍ର ଏବଂ ଫଳକୁ ନଷ୍ଟ କରି ଦିଅନ୍ତୁ । ଗଛକୁ ଭଲ ଭାବରେ ରକ୍ଷଣାବେକ୍ଷଣ କଲେ ଓ ବଗିଚାକୁ ସଫାସୁତରା ରଖିଲେ ଏ ରୋଗର ବ୍ୟାପକତା କମିଯାଏ । ଅମଳ କଲମି ଗଛ ଗୁଡିକ ୨ ରୁ ୩ ବର୍ଷ ଓ ମଞ୍ଜିରୁ ହୋଇଥିବା ଗଛଗୁଡିକ ୪-୫ ବର୍ଷରେ ଫଳ ଧାରଣ କରିଥାନ୍ତି । ୭-୮ ବର୍ଷ ଗଛରେ ପୁରା ମାତ୍ରାରେ ଫଳ ଆସେ । ଫଡଳ ଗୁଡିକ ସବୁଜମିଶା ହଳଦିଆ ରଙ୍ଗ ହେଲେ ପାକଳ ବୋଲି ଜାଣି ହାତରେ ତୋଳିବ । ପତ୍ର ଡେମ୍ଫ ସହିତ ଫଳ ତୋଳିବା ଉଚିତ । ଫଳରେ ପିଜୁଳିର ଦାମ ଅଧିକା ମିଳେ ଓ ପର ବର୍ଷ ଗଛରୁ ଅଧିକ ପିଜୁଳି ମିଳେ । ଫଳ ଗୁଡିକ ବସ୍ତାରେ ନ ପଠାଇ ବାଉଁଶ ଝୁଡିରେ ଦୂର ସ୍ଥାନକୁ ପଠାଯାଏ । ବଡ ଗଛ ବର୍ଷକୁ ୧୦୦ କେଜି ଫଳ ଦିଏ । ଉପଯୁକ୍ତ ଯତ୍ନ ନେଲେ ହେକ୍ଟର ପିଛା ତ୫୦,୦୦୦ ଆଯ ମିଳେ । ସଙ୍ଘରୁତି :ଡାକ୍ତର ସୂର୍ଯ୍ୟ ନାରାୟଣ ବେହେରା