ଲଙ୍କାମରିଚ କହିଲେ ସାଧାରଣତଃ ରାଗ ଲଙ୍କାକୁ ବୁଝାଏ । କିନ୍ତୁ ପ୍ରକୃତରେ ଲଙ୍କା ଦୁଇ ପ୍ରକାରର - ରାଗ ଲଙ୍କା (Capsicum annuum L), ସଜି ବା ପରିବା ଲଙ୍କା (Capsicum frutscens L) ରାଗ ଲଙ୍କା ଆକାରରେ ଛୋଟ । ଏହା କଞ୍ଚା ଓ ଶୁଖିଲା ହି ସାବରେ ଖାଇ ହୁଏ । ସବୁଜି ବା ପରିବା ଲଙ୍କା ଆକାରରେ ବଡ଼ । ଏଥିରେ ରାଗ ନଥାଏ । ଏହା କେବଳ ପରିବା ହିସାବରେ ବ୍ୟବହାର କରାଯାଏ । ରାଗ ଲଙ୍କା ବର୍ଷସାରା ଚାଷ କରାଯାଇଥାଏ, କିନ୍ତୁ ଲଗାଇବା ସମୟ ଅନୁସାରେ ଅମଳ ମିଳିଥାଏ ଓ ରାଗ ତଥା ରଙ୍ଗରେ ପାର୍ଥକ୍ୟ ଦେଖାଯାଇଥାଏ । କଞ୍ଚା ଖାଇବା ସଙ୍ଗେ ସଙ୍ଗେ ମସଲା ହିସାବରେ ମଧ୍ୟ ଏହା ବ୍ୟହାର କରାଯାଏ । ଲଙ୍କାର ରଗ ସାଧାରଣତଃ ଫଳରେ ଥିବା ଏକ ପ୍ରକାର ଭୋଲାଟାଇଲ୍ ଆକାଲଏଡ଼ ବା କ୍ଷାରୀୟ ପଦାର୍ଥ କାପ୍ରଶାସିନ୍ ଯୋଗୁଁ ହୋଇଥାଏ । ଏହାର ପରିମାଣ ନେଇ ଲଙ୍କାର ରାଗ କି ମୁଁ ବେଶୀ ହୋଇ ଥାଏ । ବଡ଼ ଆକାରର ଲଙ୍କ ଅପେକ୍ଷା ସାନ ଲଙ୍କାରେ କ୍ୟାପ୍ରଶା ସିନ୍ ଅଧିକ ଥାଏ । ଲଙ୍କା ପ୍ରଥମେ ଦକ୍ଷିଣ ଆମେରିକାର ବ୍ରାଜିଲରେ ଚାଷ କରାଯାଇଥିଲା ଓ ଭାରତକୁ ପର୍ଭୁଗୀଜଙ୍କ ଦ୍ଵାରା ସପ୍ତଦଶ ଶତାବ୍ଦୀରେ ଆସିଥିଲା । ବର୍ତ୍ତମାନ ଭାରତ ବର୍ଷ ଲଙ୍କାମରିଚ ଉତ୍ପାଦନ ରେ ପୃଥିବୀର ଏକ ଅଗ୍ରଣୀ ଦେଶ । ଏହା ଦେଶର ସବୁ ଅଞ୍ଚଳରେ ବହୁଳ ଭାବରେ ଚାଷ କରାଯାଉଅଛି । କିନ୍ତୁ ଦକ୍ଷିଣ ଭାରତରେ ଏହାର ବ୍ୟବହାର ଅଧିକ । ପ୍ରକାର ଓ କିସମ ଆମ ଦେଶରେ ଅନେକ ପ୍ରକାରର ଲଙ୍କାମରିଚ ଚାଷ କରାଯାଇଥାଏ । ସାଧାରଣତଃ ରାଗ ଲଙ୍କାର ବାସନା, ଆକାର ଓ ଫଳିବାର ପ୍ରକାର ଭେଦକୁ ନେଇ ତାହାକୁ ମୁଖ୍ୟତଃ ୨ଟି କିସମରେ ବିଭକ୍ତ କରାଯାଇଅଛି । କଞ୍ଚାଲଙ୍କା - ଏହା ଆକାରରେ ଛୋଟ, ରାଗ ଓ ବାସନ ଅଧିକ । ଏହି ଗଛରେ ୧ ବର୍ଷ ରୁ ଅଧିକ ସମୟ ପର୍ଯ୍ୟନ୍ତ ଫୁଲ ଓ ଫଳ ଧରେ । ଏହି ଧାନୁଆ, ଶାଗୁଆ ଗୋଲ, କଳା ଗୋଲ ଓ ଲମ୍ବ । ସୂର୍ଯ୍ୟମୁଖୀ ଜାତୀୟ ଫଳ ଗୁଡ଼ିକ ଆସ୍ପ୍ରେଆସ୍ପ୍ରେ ପାଚେ । ପ୍ରାୟ ଶତକଡ଼ା ୮୦ ଭାଗ କିସମ ସୂର୍ଯ୍ୟମୁଖୀ ଅର୍ଥାତ୍ ଉପରକୁ ଫଳିଥାଏ । ଏହି କିସମରୁ ପାଚି ଯାଇଥିବା ଲଙ୍କାକୁ ଶୁଖାଇ ଶୁଖିଲା ଲଙ୍କା ହିସାବରେ ବ୍ୟବହାର କରାଯାଏ । କିନ୍ତୁ ଏହାକୁ ଶୁଖିଲା ଲଙ୍କା ପାଇଁ ଚାଷ କରିବା ଲାଭଦାୟକ ନୁହେଁ । ଶୁଖିଲା ଲଙ୍କା - ଏହା ଆକାରରେ ବଡ଼ । ରାଗ ମଧ୍ୟମରୁ ଅଧିକ । ଏହାର କଞ୍ଚା ଅବସ୍ଥାରେ ବାସନା କମ୍ । ଫଳଗୁଡ଼ିକ ସାଧାରଣତଃ ଗଛର ତଳ ଆଡ଼କୁ ଓହଳି ଫଳେ । ଫୁଲ ଓ ଫଳ ଏକ ସଙ୍ଗେ ବହୁତ ହୁଏ ଓ ୫ ରୁ ୬ ଥର ଅମଳ ପରେ ଆଉ ବିଶେଷ ଫୁଲ ଓ ଫଳ ଧରେ ନାହିଁ । ଛଅରୁ ସାତ ମାସ ମଧ୍ୟରେ ଅମଳ ସରିଯାଏ । ବ୍ୟବସାୟିକ ଦୃଷ୍ଟିକୋଣରୁ ଏହି ଗଛକୁ ବେଶୀଦିନ ରଖିଲେ ଲାଭ ବିଶେଷ ମିଳି ନଥାଏ । ଅଳ୍ପ ଥର ତୋଳାରେ ଅଧିକ ଅମଳ ଦେଉଥିବା କିସମ ଶୁଖିଲା ଲଙ୍କା ପାଇଁ ଉପଯୁକ୍ତ କିସମ ହିସାବରେ ଧରାଯାଏ । ଏହାର ଲଙ୍କାକୁ କଞ୍ଚାଲଙ୍କା ହିସାବରେ ବ୍ୟବହାର କରାଯାଏ । କିନ୍ତୁ କେତେକ କିସମକୁ ଛାଡ଼ି ଦେଲେ ଏହାର କଞ୍ଚା ଲଙ୍କାକୁ ଗ୍ରାହକ କିଣିବାକୁ ପସନ୍ଦ କରନ୍ତି ନାହିଁ । ମଞ୍ଜି ଲଗାଇବାର ୮୫ ରୁ ୯୦ ଦିନ ଭିତରେ କଞ୍ଚାଲଙ୍କା ଓ ୧୨୫ ରୁ ୧୪୫ ଦିନ ଭିତରେ ପାଚିଲା ଲଙ୍କା ଅମଳ ହୋଇଥାଏ । ଗଛ ଲଗାଇବାର ସମୟ ଅନୁପାତରେ ଅମଳ ପରିମାଣରେ ପାର୍ଥକ୍ୟ ହୋଇଥାଏ । ଶୀତ ଋତୁରେ ଲଗାଇଲେ ଅନ୍ୟାନ୍ୟ ଋତୁ ଅପେକ୍ଷା ୧୨ ରୁ ୧୫ ଦିନ ବିଳମ୍ବରେ ଅମଳ ହୋଇଥାଏ । କିସମ ଫଳର ଆକାର ପ୍ରଥମ ଅମଳ ସମୟ (ଦିନରେ ) କଞ୍ଚାଲଙ୍କା ପାଚିଲାଲଙ୍କା ଅନ୍ୟାନ୍ୟଗୁଣ ପନ୍ଥ ସି- ୧ ମଧ୍ୟମ ୮୫-୯୦ ୧୨୦- ୧୨୫ ସବୁଜ ରଙ୍ଗ, ଭୂତାଣୁ ଜନିତ ରୋଗ ସହନଶୀଳ କ୍ଷମତା ଅଛି । ପୁଷା ସଦାବାହାର ମଧ୍ୟମ - - ମୋଜାଇକ୍ ଏବଂ ପତ୍ର ମୋଡ଼ା ରୋଗ ସହନଶୀଳ କ୍ଷମତା ଅଛି । ଉତ୍କଳ ରାଗିଣୀ ଛୋଟରୁ ମଧ୍ୟମ ୧୦୦-୧୦୫ - ସବୁଜ, ରାଗ ଅଧିକ, ପେନ୍ଥା ପେନ୍ଥା ଫଳେ । ଲାମ୍ ଏକସ – ୨୩୫ ମଧ୍ୟମ ୯୦-୧୦୦ ୧୦୫ – ୧୩୦ ରାଗ ଓ ରଙ୍ଗ ଲାଲ୍। ଉତ୍କଳ ରଶ୍ମି ମଧ୍ୟମ ୯୫ – ୧୦୦ ୧୩୦ – ୧୩୫ ଅଧିକ ରାଗ, ଗାଢ ଲାଲ୍ ରଙ୍ଗ ପୁଷା ଜ୍ଵାଲା ବଡ଼ - ୧୨୫– ୧୩୦ ରାଗ ଅଧିକ, ଭୂତାଣୁ ଜନିତ ରୋଗ ସହନଶୀଳ କ୍ଷମତା ଅଛି । ଉତ୍କଳ ଆଭା ମଧ୍ୟମ - ୧୨୫– ୧୩୦ - ଏକର ପ୍ରତି ଆବଶ୍ୟକ ସାମଗ୍ରୀ ମଞ୍ଜି – ୪୦୦ ଗ୍ରାମ୍ ଖତ — ୫୦ କ୍ଵିଣ୍ଟାଲ ସାର – ଯବକ୍ଷାରଜାନ ୪୮ କି.ଗ୍ରା., ଫସ୍ଫରସ୍ ୨୦ କି.ଗ୍ରା. ଓ ପଟାସ୍ ୩୦ କି.ଗ୍ରା. ତଳି ଘରାରେ ମଞ୍ଜି ବୁଣିବା ପରେ ପିମ୍ପୁଡ଼ି ଦାଉରୁ ରକ୍ଷା କରିବା ପାଇଁ କ୍ଲୋରୋପାଇରିଫସ୍ ଗୁଣ୍ଡ ୧ କି.ଗ୍ରା. । ରୋଗ ଓ ପୋକ ଦେଖାଦେଲେ ତା’ର ପ୍ରତିକାର ପାଇଁ ଔଷଧ । ଜଳବାୟୁ ଓ ମୃତ୍ତିକା ବର୍ଷାଦିନେ ନିପାଣିଆ ବା ବର୍ଷାଧାର ଫସଲ ରୂପେ ଏବଂ ରବି ଋତୁରେ ଜଳସେଚନ ଦ୍ଵାରା ଚାଷ କରାଯାଏ । ବାୟୁମଣ୍ଡଳର ଉତ୍ତାପ ୧୫ ରୁ ୨୦ ଡିଗ୍ରୀ ସେଲ୍ସିଅସ୍ଣ୍ଟିଗ୍ରେଡ଼ ଥିଲାବେଳେ ଲଙ୍କାମରିଚ ଗଛରେ ଫୁଲ ଓ ଫଳ ଅଧିକ ହୁଏ । କଞ୍ଚାଲଙ୍କା ବର୍ଷର ଯେ କୌଣସି ସମୟରେ ଲଗାଯାଇପାରେ । କିନ୍ତୁ ଶୁଖିଲା ଲଙ୍କା ଚାଷ ପାଇଁ ଓଡ଼ିଶାର ଜଳବାୟୁକୁ ବିଚାର କଲେ, ସମତଳ ଅଞ୍ଚଳରେ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ମଞ୍ଜି ତଳିଘରାରେ ପକାଇ ଅକ୍ଟୋବର ମାସ ପ୍ରଥମ ସପ୍ତାହ ରେ ତଳି ଲଗାଇଲେ ଏବଂ ପାହାଡ଼ିଆ ଅଞ୍ଚଳରେ ଅଗଷ୍ଟମାସ ପ୍ରଥମ ସପ୍ତାହ ରେ ମଞ୍ଜି ତଳିଘରାରେ ପକାଇ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହ ରେ ତଳି ଲଗାଇଲେ ସବୁଠାରୁ ଅଧିକ ଅମଳ ମିଳିବା ସଙ୍ଗେ ସଙ୍ଗେ ଶୁଖିଲା ଲଙ୍କାର ରଙ୍ଗ ମଧ୍ୟ ଭଲ ହୁଏ । ଶୀତ ଦିନିଆ ଖରାରେ ପାଚିଲା ଲଙ୍କା ଶୁଖାଇ ଲେ ତା’ର ରଙ୍ଗ ଗାଢ଼ ଲାଲ ରହେ । କିନ୍ତୁ ଗ୍ରୀଷ୍ମ ଋତୁର ଟାଣ ଖରାରେ ପାଚିଲା ଲଙ୍କା ଶୁଖାଇଲେ ରଙ୍ଗ ଭଲ ରହେ ନାହିଁ । ବର୍ଷାଦିନେ ଶୁଖିଲା ଲଙ୍କା ଲଗାଇବା ଉଚିତ୍ ନୁହେଁ । କାରଣ ଫଳ ପାଚିବା ସମୟରେ ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ଥିବାରୁ ତାହା ଶୁଖାଇବାରେ ଅସୁବିଧା ହୁଏ ଏବଂ ରୋଗ ଓ ପୋକ ଅଧିକ ହୋଇଥାଏ । ତେଣୁ ଶୁଖିଲା ଲଙ୍କା ପାଇଁ ଶୁଖିଲା ଜଳବାୟୁ ଦରକାର ହୋଇଥାଏ । ଫୁଲ ଧରିଥିବା ସମୟରେ ଅଧିକ ବର୍ଷା ହେଲେ ଫୁଲ ଝଡ଼ିପଡ଼େ । ଶୀତ ଦିନରେ ଅର୍ଥାତ୍ ନଭେମ୍ବର ମାସ ଦ୍ଵିତୀୟ ସପ୍ତାହ ପରେ ଲଗାଇଲେ ଗଛ ବଢ଼ି ପାରେ ନାହିଁ ଏବଂ ଫୁଲ ଓ ଫଳ ଧରିବାରେ ବିଳମ୍ବ ହେବା ସଙ୍ଗେ ସଙ୍ଗେ ଅମଳ କମିଯାଏ । ଜଳସେଚିତ ବାଲିଆ ଦୋରସା ଓ ପଟୁ ପଡ଼ିଥିବା ନିଗିଡ଼ା ଉର୍ବର ଜମି ଲଙ୍କାମରିଚ ଚାଷ ପାଇଁ ଉତ୍କୃଷ୍ଟ । ସନ୍ତ ସନ୍ତିଆ ଜମିରେ ଗଛ ଭଲ ବଢ଼ିପାରେ ନାହିଁ । ତଳିଘରା ପ୍ରସ୍ତୁତି ବାଇଗଣ ଫସଲ ଭଳି ଲଙ୍କାମରିଚର ତଳିଘରା ପ୍ରସ୍ତୁତ କରାଯାଏ । ଏକର ପ୍ରତି ୪୦୦ ଗ୍ରାମ୍ ମଞ୍ଜି ଦରକାର ହୁଏ । ତଳି ପକାଇବା ସମୟରେ ନିମ୍ନଲିଖିତ କେତୋଟି ବିଷୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ । ମଞ୍ଜିକୁ ବିଶୋଧନ କରି ତଳିଘରାରେ ବୁଣନ୍ତୁ । ଏକ ଏକର ବିଲରେ ରୋଇବା ପାଇଁ ୧୫ଟି ତଳିଘରା ଦରକାର ହୁଏ । ଗୋଟିଏ ତଳି ଘରାର ଓ ସାର ୩ ଫୁଟ ଓ ଲମ୍ବ ୧୦ ଫୁଟ ରଖନ୍ତୁ । ଲଙ୍କା ମଞ୍ଜିରୁ ସାଧାରଣତଃ ଗଜା ବାହାରିବାକୁ ବିଳମ୍ବ ହୁଏ । ତେଣୁ ମଞ୍ଜି ବୁଣି ସାରିଲା ପରେ ଭଲ ଭାବରେ ଛଣ ଦ୍ଵାରା ଘୋଡ଼ାଇବା ଦରକାର ଓ ଗଜା ବାହାରିବା ପର୍ଯ୍ୟନ୍ତ ତଳିଘରାରେ ଆର୍ଦ୍ରତା ରହିବା ଦରକାର । ଶୀତଦିନେ ମଞ୍ଜିରୁ ଗଜା ବାହାରିବା ପାଇଁ ୮ ଦିନ ସମୟ ଲାଗିଥାଏ । ଗଜା ପୁରାପୁରି ବାହାରି ସାରିବା ପରେ ଛଣ କାଢ଼ିଦେବା ଉଚିତ୍ । ତଳି ମାସକର ହୋଇଗଲେ ରୋଇବା ପାଇଁ ଉପଯୁକ୍ତ ହୋଇଥାଏ । ଖତ ଓ ସାର ଲଙ୍କାମରିଚ ଫସଲ ପାଇଁ ଏକ ଏକରକୁ ପ୍ରାୟ ୫୦ କ୍ରିଷ୍ଟାଲ ଭଲ ଖତ ଦେବା ଉଚିତ୍ । ଏହା ବ୍ୟତିତ ୪୮ କି.ଗ୍ରା. ଯବକ୍ଷାର, ୨୦ କି.ଗ୍ରା. ଫସ୍ଫରସ୍ ଓ ୩୦ କି.ଗ୍ରା. ପଟାସ୍ ଦରକାର ହୋଇଥାଏ । ଏହି ସାରରୁ ତଳି ରୋଇବା ସମୟରେ ସବୁ ଫସ୍ଫରସ୍, ଶତକଡ଼ା ୨୦ ଭାଗ ଯବକ୍ଷାର ଓ ପଟାସ୍ ସାର ଦିଅନ୍ତୁ । ଅବଶିଷ୍ଟ ଯବକ୍ଷାର ଓ ପଟାସ୍ ଜାତୀୟ ସାରକୁ ୨ ଥର କରି ୧୫ – ୨୦ ଦିନ ରେ ଓ ୩୦-୪୦ ଦିନ ପରେ ପ୍ରୟୋଗ କରନ୍ତୁ । ଜମି ପ୍ରସ୍ତୁତି ଓ ସାର ପ୍ରୟୋଗ ବିଲକୁ ଭଲରୂପେ ଚାଷ କରି ମାଟିକୁ ଗୁଣ୍ଡ କରି ଦିଅନ୍ତୁ । ବିଲରେ ପାଣି ମଡ଼ାଇବା ପାଇଁ ଓ ଅଧିକ ବର୍ଷା ହେଲେ ବିଲରୁ ପାଣି ବାହାର କରି ଦେବା ପାଇଁ ସିଆର କାନ୍ତୁ । ତଳି ରୋଇବା ପୂର୍ବରୁ ସିଆର ଟାଣି ତା ଭିତରେ ଯବକ୍ଷାର, ଫସ୍ଫରସ୍ ଓ ପଟାସ୍ ଜାତୀୟ ସାର ସହିତ ଖତ ଦେଇ ଭଲ ଭାବରେ ମାଟିରେ ମିଶାଇ ଦିଅନ୍ତୁ । ପରେ ତଳି ରୋଇ ଅଳ୍ପ ଅଳ୍ପ ପାଣି ଦିଅନ୍ତୁ । ତଳି ରୋଇବାର ୧୫ । ରୁ ୨୦ ଦିନପରେ ଜମିକୁ କୋଡ଼ା ଖୁସା କରି ଯବକ୍ଷାର ଓ ପଟାସ ସାର ମୂଳରେ ଦେଇ ହୁଡ଼ା ଟେକି ଦିଅନ୍ତୁ । ରୋଇବାର ୩୦-୪୦ ଦିନ ପରେ କୋଡ଼ାଖୁସା କରି ଦ୍ଵିତୀୟ ଥର ଯବକ୍ଷାର ଓ ଫସ୍ଫରସ୍ ସାର ଦେଇ ଦିଅନ୍ତୁ । ହୁଡ଼ା ଦେବା ଦ୍ଵାରା ଗଛ ପଡ଼ିଯାଏ ନାହିଁ । ଧାଡ଼ି ଧାଡ଼ି ଭିତରେ ବ୍ୟବଧାନ ଦେଢ଼ ଫୁଟ ଓ ଗଛକୁ ଗଛ ବ୍ୟବଧାନ ୧ ଫୁଟ ରଖନ୍ତୁ । ଏହି ବ୍ୟବଧାନରେ ତଳି ରୋଇଲେ ଏକରକୁ ପ୍ରାୟ ୨୭୦୦୦ ତଳି ଦରକାର ହୋଇଥାଏ । ଯଦି ଝାଉଁଳା ରୋଗ ହେବାର ସମ୍ଭାବନା ଥାଏ, ତେବେ ୧୦ ଲିଟର ପାଣିରେ ୧୦ ଗ୍ରାମ୍ ପ୍ଲାଣ୍ଟୋମାଇସିନ ସହିତ ୧୦ ଗ୍ରାମ୍ ବାଭିଷ୍ଟିନ୍ ମିଶାଇ ତଳିର ଚେର ଅଂଶକୁ ସେହି ଔଷଧ ମିଶା ପାଣିରେ ୨୦ ମିନିଟ୍ ପର୍ଯ୍ୟନ୍ତ ବୁଡ଼ାଇ ରୋଇଲେ ଝାଉଁଳା ରୋଗ ହେବାର ସମ୍ଭାବନା କମିଯାଏ । ଜଳସେଚନ ଲଙ୍କାମରିଚ ଫସଲ ପାଇଁ ଜଳସେଚନ ଅତି ଗୁରୁତ୍ଵ ପୂର୍ଣ୍ଣ । ବିଶେଷ କରି ଫୁଲ ଧରି ବା ସମୟରେ ମାଟି ଶୁଖଗଲେ ଫୁଲ ଝଡ଼ି ପଡ଼େ । ତେବେ ଶୀତ ଓ ଖରାଦିନେ ବିଲର ପାଗ ଦେଖି ପ୍ରତି ୧୦-୧୨ ଦିନ ଅନ୍ତରରେ ପାଣି ଦେବା ଉଚିତ୍ । ଅମଳ ମଞ୍ଜି ଲଗାଇବାର ୯୦ ରୁ ୧୦୦ ଦିନ ପରେ କଞ୍ଚାଲଙ୍କା ଅମଳ ହୋଇଥାଏ ଏବଂ ୧୨୫ ରୁ ୧୪୫ ଦିନ ମଧ୍ୟରେ ପାଚିଲା ଲ କା ଅମଳ କରାଯାଏ । କଞ୍ଚାଲଙ୍କାର ଏକର ପ୍ରତି ୨୦ ରୁ ୨୨ କ୍ଵିଣ୍ଟାଲ ଓ ଶୁଖିଲା ଲଙ୍କା ୮ ରୁ ୯ କ୍ଵିଣ୍ଟାଲ ଅମଳ ମିଳିଥାଏ । ଲଙ୍କାମରିଚ ଗଛରେ ପାଚି ଗଲେ ତୋଳିଆଣି ଶୁଖାଇବା ଉଚିତ୍ । ମେଘୁଆ ବା ବର୍ଷା ହେଉଥିବା ଦିନ ପାଚିଲା ଲଙ୍କା ତୋଳିବା ଉଚିତ୍ ନୁହେଁ । କାରଣ ଲଙ୍କା ଶୁଖାଇବାରେ ଅସୁବିଧା ହୁଏ ଓ ଲଙ୍କା ପଚିଯାଏ । ଫଳରେ ରଙ୍ଗ ମଧ୍ୟ ଭଲ ରହେ ନାହିଁ । ପୋକ, ରୋଗ ଓ ତା’ର ପ୍ରତିକାର ଜଉପୋକ (Aphids) ଏହା କଅଁଳ ଡାଳର ଅଗ୍ରଭାଗର ପତ୍ରରେ ଦେଖାଯାଆନ୍ତି ଏବଂ କ୍ରମେ ଅନ୍ୟାନ୍ୟ ଡାଳ ଓ ପତ୍ରରେ ମାଡ଼ିଯାଆନ୍ତି । ଗଛରେ ଯଦି ଜନ୍ଦା ବା ପିମ୍ପୁଡ଼ି ଲାଗିବା ଦେଖାଯାଏ, ତାହାହେଲେ ଅନୁମାନ କରିବାକୁ ହେବ ଯେ ଜଉପୋକ ଗଛରେ ଲାଗିଥାଇ ପାରେ । ଏହା ଫୁଲ ଓ ପତ୍ରକୁ ନଷ୍ଟ କରି ଦିଅନ୍ତି । ପ୍ରତିକାର – ପ୍ରତି ୨.୫ ମିଲିଲିଟର ମେଟାସିଷ୍ଟକସ୍ କିମ୍ବା ରୋଗର୍ ସହିତ ଏକ ଲିଟର ପାଣି ମିଶାଇ ପ୍ରତି ୭ ଦିନ ଅନ୍ତରରେ ଦୁଇଥର ସ୍ପ୍ରେ କଲେ, ଏହି ପୋକକୁ ଦମନ କରାଯାଇପାରେ । ଥ୍ରିପ୍ସ ଏହା ବହୁତ ସରୁ ସରୁ ପୋକ । ଛୋଟ ଅବସ୍ଥାରେ ଏହା ଖାଲି ଆଖିରେ ଦେଖାଯାଏ ନାହିଁ । ଯବକାଚରେ ଦେଖିଲେ ଏହା ଦେଖାଯାଏ । ଏହା ପତ୍ରର ତଳ ଅଂଶରେ ଥାଆନ୍ତି ଏବଂ ପତ୍ର ରସ ଶୋଷଣ କରନ୍ତି । ଯାହାଦ୍ଵାରା ପତ୍ର ମୋଡ଼ା ମୋଡ଼ା ହୋଇଯାଏ । ଭୂତାଣୁ ଜନିତ ପତ୍ରପୋଡ଼ା ରୋଗ ଭଳି ପତ୍ର ମୋଡ଼ି ମୋଡ଼ି ହୋଇଯାଏ । ପ୍ରତିକାର – ପ୍ରତି ୧ ଲିଟର ପାଣିରେ ଢୋଲକୁ ୨ ରୁ ୩ ମିଲିମିଟର କିମ୍ବା ମାଲାଥିଅନ୍ ୨ ମିଲିଲିଟର ସ୍ପ୍ରେ କଲେ ଏହାକୁ ଦମନ କରାଯାଇ ପାରେ । କିନ୍ତୁ ସ୍ପ୍ରେ କରିବାର ଗୋଟିଏ ସପ୍ତାହ ପୂର୍ବରୁ ଅମଳ କରିବା ଉଚିତ୍ ନୁହେଁ । ଆନଥ୍ରାକ୍ନୋଜ ବା ଫଳସଢ଼ା ରୋଗ ଫଳ ପାଚିବା ପୂର୍ବରୁ ବା ଫଳ ପାଚି ବାକୁ ଆରମ୍ଭ କଲାବେଳକୁ ଏହି ରୋଗ ଦେଖାଯାଏ । ପ୍ରଥମେ ଫଳ ଉପରେ କଳା ରଙ୍ଗର ଗୋଲେଇ ଦାଗ ଦେଖାଯାଏ ଓ ତାହା ପରେ ଫଳର ଚାରିଆଡ଼େ ମାଡ଼ିଯାଏ । ଫଳଟି ଅଳ୍ପ ଧୂସର ଦେଖାଯାଏ ଏବଂ ପରେ ପରେ ତାହା ପାଟଳ ରଙ୍ଗର ହୋଇଯାଏ । ଏହା ହେଲେ ଫଳ ଶୁଖି ଗଛରୁ ଝଡ଼ିପଡ଼େ । ପ୍ରତିକାର – ଏକର ପ୍ରତି ୭୫୦ ଗ୍ରାମ୍ ମାଙ୍କାଜେବ୍ ଦୁଇଶହ ଲିଟର ପାଣିରେ ମିଶାଇ ୧୦ ଦିନ ଅନ୍ତରରେ ୩ ଥର ସ୍ପ୍ରେ କଲେ ଏହି ରୋଗକୁ ନିୟନ୍ତ୍ରଣ କରି ହୁଏ । ପତ୍ରପୋଡ଼ା ରୋଗ ଏହା ଭୂତାଣୁ ଜନିତ ରୋଗ । ଏହି ରୋଗ ହେଲେ ପତ୍ର ମୋଡ଼ି ମୋଡ଼ି ହୋଇଯାଏ । ଓ ଗଛରେ ଫୁଲ ଧରିଲେ ମଧ୍ୟ ଫଳ ଧରେ ନାହିଁ । ଏହା ଏକ ପ୍ରକାର ଧଳାମାଛି ଦ୍ଵାରା ବ୍ୟାପେ । ପ୍ରତିକାର – ରୋଗା ଗଛକୁ ଉପାଡ଼ି ପୋତି ଦେବା ଉଚିତ୍ । ଏହି ରୋଗ ପ୍ରଥମେ ଦେଖାଯିବା ମାତ୍ର ୨ ମିଲିଲିଟର ଏଣ୍ଡୋସଫାନ୍ ବା ମାଲାଥିଅନକୁ ୧ ଲିଟର ପାଣିରେ ମିଶାଇ ସ୍ପ୍ରେ କଲେ କେତେକାଂଶରେ । ଦମନ କରାଯାଇପାରେ । ଏହି ସ୍ପ୍ରେ କରିବାର ୧୨ ରୁ ୧୫ ଦିନ ପର୍ଯ୍ୟନ୍ତ । ଅମଳ କରିବା ଉଚିତ ନୁହେଁ । ଏହି ସମୟରେ ଲଙ୍କା ଅମଳ କରି ଖାଇଲେ ଦେହ ପ୍ରତି କ୍ଷତିକାରକ ହୋଇଥାଏ । ଝାଉଁଳା ରୋଗ ଓ ମୂଳସଢା ରୋଗ ଏହାର ଲକ୍ଷଣ ଓ ପ୍ରତିକାର ବାଇଗଣର ଝାଉଁଳା ରୋଗ ଓ ମୂଳସଢ଼ା ରୋଗ ପରି ଅଟେ । ଶସ୍ୟ ଅମଳ, ଉତ୍ପାଦନ ଖର୍ଚ୍ଚ ଓ ଲାଭ ଲଙ୍କାମରିଚ ଚାଷ ପାଇଁ ଏକର ପ୍ରତି ପ୍ରାୟ ୮ ହଜାର ଟଙ୍କା ଖର୍ଚ୍ଚ ହୁଏ । କଞ୍ଚାଲଙ୍କା ଚାଷରୁ ୨୦ ରୁ ୨୨ କ୍ଵିଣ୍ଟାଲ ଅମଳ ମିଳିଥାଏ । କି.ଗ୍ରା ପ୍ରତି ୧୦ ଟଙ୍କାରେ ବିକ୍ରିକଲେ ଏକର ପ୍ରତି ୨୦ ରୁ ୨୨ ହଜାର ଟଙ୍କା ଆୟ ହୋଇଥାଏ । ସବୁ ଖର୍ଚ୍ଚ ବାଦ ଗଲା ପରେ ଏକର ପ୍ରତି ପ୍ରାୟ ୧୨୦୦୦ ରୁ ୧୪୦୦୦ ଟଙ୍କା ମିଳିଥାଏ । କିନ୍ତୁ ଶୁଖିଲା ଲଙ୍କା କିସମ ଚାଷ କରୁଥିଲେ ସେଥିରୁ ଆଠରୁ ଦଶ କୁଇଣ୍ଟାଲ୍ ଶୁଖିଲା ଲଙ୍କା ମିଳିଥାଏ । ଶୁଖିଲା ଲଙ୍କା କି.ଗ୍ରା. ୩୦ ଟଙ୍କାରେ ବିକ୍ରି କଲେ ତିରିଶ ହଜାର ଟଙ୍କା ଆୟ ମିଳିଥାଏ । ସବୁ ଖର୍ଚ୍ଚ ବାଦ୍ ଗଲାପରେ ୨୦ ରୁ ୨୨ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ହୋଇଥାଏ । ଶୁଖିଲା ଲଙ୍କାକୁ ଭଲ ଭାବରେ ଶୁଖାଇ ଶୁଷ୍କ ସ୍ଥାନରେ ରଖିଲେ ଏକ ବର୍ଷ ପର୍ଯ୍ୟନ୍ତ ରଖାଯାଇ ପାରେ । ବଜାରରେ ଦର ଦେଖ୍ ଏହାକୁ ବିକ୍ରି କରାଯାଇପାରେ । ମଞ୍ଜି ଅମଳ ସାଧାରଣତଃ ଭଲ ପାଚିଥିବା ଓ ଶୁଖିଥିବା ଫଳରୁ ମଞ୍ଜି ସଂଗ୍ରହ କରିବା ଉଚିତ୍ । ଶୁଖିଲା ଫଳର ଓଜନର ଶତକଡ଼ା ୨୮ ରୁ ୩୩ ଭାଗ ମଞ୍ଜି ବାହାରେ । ଏକ ଏକର ଲଙ୍କାମରିଚ ଚାଷରୁ କେବଳ ମଞ୍ଜି ଅମଳ କଲେ ଦୁଇଶହ ପଚିଶ କି.ଗ୍ରା.ରୁ ଦୁଇଶହ ପଚାଶ କି.ଗ୍ରା. ମିଳିଥାଏ । ମଞ୍ଜିକୁ ସଂଗ୍ରହ କଲାପରେ ଶୁଖାଇ ପ୍ୟାକେଟ କରି ଶୁଷ୍କ ସ୍ଥାନରେ ରଖିବା ଉଚିତ୍ । ଏପରି କଲେ ମଞ୍ଜିର ଗଜା ହେବା କ୍ଷମତା ଦୁଇବର୍ଷ ପର୍ଯ୍ୟନ୍ତ ରହିପାରେ। ମନେରଖନ୍ତୁ ଜୈବିକ ଖତ ସହିତ ଅନୁମୋଦିତ ପରିମାଣର ରାସାୟନିକ ସାର ପ୍ରୟୋଗ କରନ୍ତୁ । ଜଳସେଚନର ସୁବିଧା ଥିବା ସ୍ଥାନରେ ଚାଷ କଲେ ଅଧିକ ଲାଭ ମିଳିଥାଏ । ମଞ୍ଜିକୁ ବିଶୋଧନ କରି ତଳିଘରାରେ ବୁଣିବା ଉଚିତ ଓ ମଞ୍ଜି ବୁଣି ସାରିଲା ପରେ ଭଲ ଭାବରେ ଛଣ ଘୋଡ଼ାଇବା ଉଚିତ୍ । ଏହାଫଳରେ ମଞ୍ଜିରୁ ଶୀଘ୍ର ଓ ଅଧିକ ଗଜା ବାହାରେ । ଫସଲରେ ଝାଉଁଳା ରୋଗ ଦେଖାଦେଲେ ଅଳ୍ପ ପାଣି ଦେବା ଉଚିତ୍ । ମେଘୁଆ ପାଗ ବା ବର୍ଷା ସମୟରେ ପାଚିଲା ଲଙ୍କା ଅମଳ କରିବା ଉଚିତ ନୁହେଁ । ଆଧାର -"ଓୟୁଏଟି"