ଚାଷୀଭାଇ ମାନଙ୍କ ପାଇଁ ଲାଭଜନକ ଚାଷ ଆମ ରାଜ୍ୟରେ ଚାଷୀଭାଇମାନେ ପନିପରିବା ଚାଷ କରିବା ସହିତ କନ୍ଦ ଫସଲକୁ ମଧ୍ୟ ପ୍ରାଧାନ୍ୟ ଦେଇଥାନ୍ତି । ସେହି କନ୍ଦ ଫସଲ ଯଥା କନ୍ଦମୂଳ, ସାରୁ, ଖମ୍ବଆଳୁ, ଓଲୁଆ ଇତ୍ୟାଦି ଆମ ରାଜ୍ୟର ଆଦିବାସୀଙ୍କର ପ୍ରଧାନ ଖାଦ୍ୟ । ମାତ୍ର ସାରୁ ଚାଷ ଏଥିରୁ ଅନ୍ୟତମ ଲାଭଜନକ ଚାଷ । ଓଡ଼ିଶାରେ ମୁଖ୍ୟତଃ ଦୁଇ ପ୍ରକାର ସାରୁ ଚାଷ କରାଯାଏ । ଶଙ୍ଖସାରୁ - ଏହା ବିଶେଷ ଭାବେ ଖରାଦିନେ ଚାଷ କରାଯାଏ । ସାନ ସାରୁ (କୁନି ସାରୁ)-ଏହା ଉଭୟ ଖର ଏବଂ ବର୍ଷା ଦିନେ ଲଗାଯାଇପାରିବ । ମୃତ୍ତିକା ଓ କିସମ ସାରୁ ଚାଷ ପାଇଁ ଉଷ୍ଣ ଓ ଆର୍ଦ୍ର ଜଳବାୟୁ ଉତ୍କୃଷ୍ଟ। ଏହା କମ୍ ଗରମ ଓ କମ୍ ଆର୍ଦ୍ରତା ଅଞ୍ଚଳରେ ମଧ୍ୟ ଚାଷ କରାଯାଇପାରିବ । ଜଳବାୟୁ ବାର୍ଷିକ ହାରାହାରି ୧୨୦୦ରୁ ୧୫୦୦ ମି.ଲି. ବୃଷ୍ଟିପାତ ହେଉଥିବା ଅଞ୍ଚଳରେ ସାରୁ ଫସଲ ଭଲ ହୋଇଥାଏ । ଗଭୀର ନିଗିଡା, ବାଲିଆ, ମଟାଳ ମାଟିରେ ଏହି ଫସଲ ଭଲ ହୁଏ । କିସମ ଓଡ଼ିଶାର ଜଳବାୟୁରେ ୨ଟି କିସମ ସାରୁ ଭଲ ଅମଳ ମିଳେ ଏବଂ ଉତ୍ତମ ରନ୍ଧନଯୁକ୍ତ ଅଟେ । ୧-ମୁକ୍ତା କେଶି: ଏହା ୭-୮ମାସରେ ମିଳିପାରିବ । (୨) ତେଲିଆ - ଏହା ୫-୬ ମାସ ମଧ୍ୟରେ ଅମଳ ହୋଇପାରିବ । ଏହି କିସମଟି ଖରଦିନ ପାଇଁ ଉପଯୁକ୍ତ । ଫସଲ ଲଗାଇବା ସମୟ ଓ ବିହନ ମେ-ଜୁନ ମାସ । ବର୍ଷାଦିନ ପାଇଁ ଜଳସେଚନର ସୁବିଧା ଥିଲେ ମାର୍ଚ୍ଚ ମାସରେ ସାରୁ ଲଗାଇଲେ ବର୍ଷାଦିନ ତୁଳନାରେ ଅଧିକ ଅମଳ ପାଇପାରିବେ । ବିହନ ଗଜା ବାହାରିଥିବା ସମୟରେ ସାରୁକୁ ବିହନ ଆକାରରେ ବ୍ୟବହାର କଲେ ଗଛ ଭଲ ହୁଏ ଏବଂ ଅଧିକ ଅମଳ ମିଳିଥାଏ । ୨୦ରୁ୨୫ ଗ୍ରାମ ଓଜନର ସାରୁପୁଆ ବିହନ ପାଇଁ ଉପଯୁକ୍ତ । ଏକ ଏକର ପାଇଁ ୭-୮ କୁଇଣ୍ଟଲୁସାରୁ ବିହନ ଆବଶ୍ୟକ ହୋଇଥାଏ । ବିହନ ବିଶୋଧନ ଏକ କିଲୋଗ୍ରାମ ସାରୁ ବିହନ ପାଇଁ ୨ ଗ୍ରାମ ମାନକୋଜେବ ଗୋଳାଇ ବିହନକୁ ବିଶୋଧନ କରି ଲଗାନ୍ତୁ । ଜମି ପ୍ରସ୍ତୁତି ଓ ଲଗାଇବା ପ୍ରଣାଳୀ: ସାରୁ ଲଗାଇବା ଜମିର ପ୍ରକାର ଅନୁସାରେ ୨ ରୁ ୩ ଓଡ, ଗଭୀର ଚାଷ କରନ୍ତୁ । ତା'ପରେ ୬୦ ସେ.ମି. ବ୍ୟବଧାନର ଗାର ଟାଣି ୪୫ ସେମି. ବ୍ୟବଧାନରେ ୫ ସେ.ମି.) ଗଭୀରରେ ପୁଆକୁ ପୋତନ୍ତୁ ଏବଂ ମାଟି ଘୋଡାଇ ଦିଅନ୍ତୁ । ବର୍ଷା ନିୟମିତ ହେବା ପୂର୍ବରୁ ଲଗାଯିବା ସିଆରଗୁଡିକୁ ଶୁଖିଲାପତ୍ର ବା ଛଣା ଦ୍ଵାରା ଘୋଡାଇଲେ ଭଲ, ଗଜା ହୁଏ । ଖତ ଓ ସାର ଶେଷ ଓଡ ଚାଷ ପୂର୍ବରୁ ଏକର ପ୍ରତି ୩ରୁ ୪ ଟନ ସଜା ଗୋବର ଖତ ଆବଶ୍ୟକ । ଏହାଛଡା ୩୨. କେ.ଜି, ଯବକ୍ଷାରଜାନ, ୨୪ କେ.ଜି. ଫସଫରସ, ୩୬ କେ.ଜି. ପଟାସ ସାର ବ୍ୟବହାର କରିପାରିବେ । ବିହନ ଲଗାଇବା ପୂର୍ବରୁ ସବୁତକ ଫସଫରସ ମାଟିରେ ଭଲ ଭାବରେ ମିଶାନ୍ତୁ । ଲଗାଇବାର ୧ ମାସରେ ଅଧା ଯବକ୍ଷାରଜାନ ଏବଂ ଅଧା ପଟାସ ସାର ଧାଡିର ଦୁଇ ପାଖରେ ଦେଇ ହିଡ଼ ଟେକିଦିଅନ୍ତୁ । ପ୍ରଥମ ସାର ଦେବାର ୧ ମାସ ପରେ ବାକି ଅଧା ଯବକ୍ଷାରଜାନ ଏବଂ ପଟାସ ସାର ଧାଡିର ଦୁଇ ପାଖରେ ଦେଇ ମାଟି ଟେକନ୍ତୁ । ପରବର୍ତ୍ତୀ ଯତ୍ନ ଅଧିକ ଅମଳ ପାଇଁ ସାରୁ ଫସଲକୁ ଲଗାଇବାର ଦୁଇ ମାସ ପର୍ଯ୍ୟନ୍ତ ଅନାବନା ଘାସ ଦାଉରୁ ମୁକ୍ତ ରଖନ୍ତୁ । ଜଳସେଚନ ବର୍ଷା ଦିନିଆ ସାରୁ ସଅଳ ଲଗାଇଥିଲେ ଏବଂ ବର୍ଷା ଆରମ୍ଭ ହୋଇ ନ ଥିଲେ ଗଜା ବାହାରିବା ପାଇଁ ହାଲୁକା ଜଳସେଚନ କରନ୍ତୁ । ଅବଶ୍ୟ ଖରାଦିନେ ଏହା ପାଇଁ ଅଧିକ ଜଳସେଚନ ଦରକାର। ମାଟିର ଆର୍ଦ୍ରତା ଦେଖି ଜଳସେଚନ କରନ୍ତୁ । ରୋଗ ଓ ପୋକ ସାରୁରେ ଦେଖାଯାଉଥିବା ରୋଗ ମଧ୍ୟରେ ପତ୍ରପୋଡା ପ୍ରଧାନ । ଏହି ରୋଗ ଦେଖାଦେଲେ ୧ ଲିଟର ପାଣିରେ ୨ ଗ୍ରାମ ମାଙ୍କୋଜେବ ଓ୨ ଗ୍ରାମ ରିଡୋସିଲ ମିଶାଇ ପତ୍ରରେ ସିଞ୍ଚନ କରନ୍ତୁ । ଏହାର ୧୫ ଦିନ ପରେ ଦ୍ଵିତୀୟ ଥର ସିଞ୍ଚନ କରନ୍ତୁ । ଅମଳ ଓ ପରବର୍ତ୍ତୀ ଯତ୍ନ ସାରୁ ପତ୍ର ଓ ପଙ୍ଗା ଶୁଖି ଆସିଲେ ସାରୁ ଅମଳ କରାଯାଏ । ମୁଣ୍ଡା ଓ ପୁଆଗୁଡିକୁ ଅଲଗା କରି ରଖନ୍ତୁ । ସାଧାରଣ ଉତ୍ତାପରେ ସାରୁ ପୁଆ ୨ରୁ ୪ ମାସ ସୁରକ୍ଷିତ ରହିପାରିବ । ଉନ୍ନତ ପ୍ରଣାଳୀ ତଥା ବ୍ୟବସାୟିକ ଭିତ୍ତିରେ ଚାଷ କଲେ ଏକର ପିଛା ୫-୬ ଟନ ଅମଳ ମିଳିପାରିବ । ଏକ ଏକର ସାରୁ ଚାଷରେ ୪୦ ହଜାରରୁ ୪୨ ହଜାର ଟଙ୍କା ହେଉଥିବା ସ୍ଥଳେ ୧,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ଅମଳ ମିଳିପାରିବ । ସଂଗୃହିତ - ମାନସ ରଞ୍ଜନ ପଟ୍ଟନାୟକ ଆସୁଶାନ୍ତ କୁମାର ଦାସ, ଆତ୍ରେ ପଲିଟେକ୍ନିକ, ବୌଦ୍ଧ