ସ୍ୱାବଲମ୍ବୀ ହେବା

ବିବାହର ବର୍ଷଟିଏ ହେଉ ହେଉ ଏକ ରାସ୍ତା ଦୁର୍ଘଟଣାରେ ତାଙ୍କ ସ୍ଵାମୀଙ୍କର ମୃତ୍ୟୁ ଘଟିଲା । ପୁଣି ୬ମାସ ପରେ ଏକମାତ୍ର ଶିଶୁପୁତ୍ର ବି ସେହି ପଥର ଯାତ୍ରୀ ସାଜିଲା । ଏଭଳି ଦାରୁଣ ଦୁଃଖରେ କିଛିଦିନ ବିତିଗଲା । ତାପରେ ନିଜେ କିପରି ଜୀବନ ଅତିବାହିତ କରିବେ ସେଇ ଚିନ୍ତା କରି ବାପ ଘରକୁ ଚାଲିଆସିଲେ । ରୋଜଗାର ପାଇଁ ଉପାୟ ପାଞ୍ଚି ଶେଷରେ ଚାଷ କାର୍ଯ୍ୟକୁ ଆପଣେଇଲେ । ଆରମ୍ଭ ହେଲା ଉଦ୍ୟମ । ଏଥିରେ ଦିନରାତି ଏକ କରିଦେଲେ । ପ୍ରଥମେ ଧାନଚାଷ, ତାପରେ ମକାଚାଷ । ଅନେକ ସଂଘର୍ଷ ପରେ ସ ଜଣେ ସଫଳ ଚାଷୀଭାବେ ନିଜକୁ ପ୍ରତିପାଦିତ କରାଇବାରେ ସକ୍ଷମ ହୋଇଛନ୍ତି । ନିଜେ ସ୍ୱାବଲମ୍ବୀ ହେବା ସହ ଆଉ ୧୦ଜଣଙ୍କୁ ରୋଜଗାର ଯୋଗାଇବାରେ ହୋଇଛନ୍ତି ସମର୍ଥ । ସେ ହେଲେ ସୋନାଲି ସୋରେନ । ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ବାରିପଦା ବ୍ଲକ ଅନ୍ତର୍ଗତ ବେତନା ଗ୍ରାମପଞ୍ଚାୟତର ରାଇକାନଝରନ ଗ୍ରାମରେ । ପିତା ମହା ସୋରେନ ଓ ମାଙ୍କ ନାମ ମାଲହୋ ସୋରେନ ।

ଆତ୍ମନିର୍ଭରଶୀଳ ହେବାର ମାର୍ଗ

ସୋନାଲିଙ୍କ ପ୍ରାଥମିକ ପାଠପଢା ଆରମ୍ଭ ହୋଇଥିଲା ରାଞ୍ଚିରେ । ପରବର୍ତ୍ତୀ ସମୟରେ ବାରିପଦାର ମହାରାଣୀ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଯାଏ ପଢିଥିଲେ । ତାପରେ ତାଙ୍କର ବିବାହ ହୋଇଗଲା ବିବାହର ବର୍ଷକ ପରେ ସାଂସାରିକ ଜୀବନରେ କଳାମେଘ ଘୋଟିଗଲା । ଏଭଳି ଅବସ୍ଥାରେ ବାପଘରକୁ ଚାଲିଆସିଲେ । ତାଙ୍କ ବାପା ଥିଲେ ଜଣେ ଚାଷୀ । ତେଣୁ ଆତ୍ମନିର୍ଭରଶୀଳ ହେବାର ମାର୍ଗ ଭାବି ଚାଷକାର୍ଯ୍ୟକୁ ଆପଣେଇନେଲେ ସେ । ପ୍ରଥମେ ଧାନଚାଷ କଲେ । ପ୍ରାଥମିକ ଭାବେ କିଛି ସଫଳତା ମିଳିଲା । ତାପରେ ସେ ମକାଚାଷ ପାଇଁ ଅଣ୍ଟା ଭିଡିଲେ । ଗାଁ ନିକଟସ୍ଥ ପ୍ରାୟ ୫୦ଏକର ଜମିରେ ମକାଚାଷ କଲେ । ଏଥିରେ ମୂଳଧନ ଭାବେ ୭୫ହଜାର ଟଙ୍କା ଖର୍ଚ୍ଚ କରି ପ୍ରାୟ ଦେଢ ଲକ୍ଷ ଟଙ୍କା ଲାଭବାନ ହୋଇଥିଲେ । ବାଡିରେ ଫାର୍ମକରି ପ୍ରାୟ ୫୦ଟି ଦେଶୀକୁକୁଡା ପାଳନ କରୁଛନ୍ତି । ପଡିଆଜାଗାରେ ୪ବର୍ଷତଳେ ୧୮୦ଟି ହାଇବ୍ରୀଡ ଆମ୍ବଗଛ ଲଗାଇଥିଲେ । ଗତବର୍ଷ ସେଥିମଧ୍ୟରୁ ଅଧିକାଂଶ ଗଛରେ ଆମ୍ବ ଫଳିଥିଲା । ପୁଣି ୨୫୦ଟି ଅମ୍ବୃତଭଣ୍ଡା ଗଛ ଲଗାଇଥିଲାବେଳେ ଅନେକ ଗଛରୁ ଅମୃତଭଣ୍ଡା ସଂଗ୍ରହକରି ବିକ୍ରି କରୁଛନ୍ତି । ଗତବର୍ଷ ଅଧାଏକର ଜମିରେ ଗେଣ୍ଡୁଫୁଲ ଚାଷ କରିଥିଲେ । ଏଥିସହିତ ୪୦ଟି ଧିଙ୍ଗିରିଛତୁ ବେଡ଼ କରିଛନ୍ତି । ୩ଏକର ଜମିରେ ବାଇଗଣ ଚାଷ କରିଛନ୍ତି । ଶୀତରୁତୁରେ ବିଲାତି ବାଇଗଣ ଚାଷ କରିଥାନ୍ତି । ବାଡିରେ ଥିବା ୧୦ଟି ସଜନାଗଛରୁ ଛୁଇଁ ବିକ୍ରିକରିଥାନ୍ତି । ସୂଚନାଯୋଗ୍ୟ ତାଙ୍କର ଏହି ଚାଷକାର୍ଯ୍ୟରେ ସ୍ଥାନୀୟ ୧୦ଜଣ ଲୋକ ନିୟୋଜିତ ହୋଇ ସେମାନଙ୍କ ପରିବାର ପ୍ରତିପୋଷଣ କରିପାରୁଛନ୍ତି । ତାଙ୍କ ଚାଷଜମିରୁ ଅମଳହେଉଥିବା ଫସଲକୁ ବେପାରୀମାନେ ଆସି ନେଇଯାନ୍ତି । ଉନ୍ନତ ଚାଷ ପାଇଁ ସେ ତାଲିମନେଇ ଅଭିଜ୍ଞତା ହାସଲ କରିଛନ୍ତି । ନିଜର ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ନିକଟରେ ଓୟୁଏଟି ପକ୍ଷରୁ ମିଳିଛି ସଫଳ ଚାଷୀ ସମ୍ମାନ । ସୋନାଲି କୁହନ୍ତି ଚାଷ କାର୍ଯ୍ୟ କରି ଜଣେ କାହିଁକି ସ୍ୱାବଲମ୍ବୀ ହୋଇପାରିବ ନାହିଁ । ଅବଶ୍ୟ ଏଥିପାଇଁ ଦୃଢ ମନୋବଳ ସହ ପରିଶ୍ରମକୁ ଆପଣାଇବାକୁ ପଡିବ । ପୁଣି ଚାଷକୁ କିପରି ଲାଭଜନକ କରାଇବାକୁ ହେବ ସେ ବିଷୟରେ ଜାଣିବାକୁ ହେବ । ମୋଟାମୋଟି ଆଗ୍ରହର ସହ କାର୍ଯ୍ୟ କଲେ ସଫଳତା ଯେପରି ହେଲେ ହାତମୁଠାକୁ ଆସିବ ।

ଆଧାର: ରବିନାରାୟଣ ଚାଲାଣ