ଲକ୍ଷ୍ମୀପ୍ରିୟା ଚୌଧୁରୀଙ୍କ ସ୍ଵପ୍ନ

ଲକ୍ଷ୍ମୀପ୍ରିୟା ଚୌଧୁରୀଙ୍କ ଛାତ ଉପରେ ବଗିଚା କରିଛନ୍ତି । ସେଠାରେ ପ୍ରାୟ ୨୫ଟି ଏହିଭଳି ପରିବାର ଏକାଠି ହୋଇଥିଲେ । ଏହି ଛାତ ଉପରେ ବଗିଚା ସୃଷ୍ଟି କରାଇବାରେ ମହେଶ୍ଵର ଖିଲାରଙ୍କର ରହିଛି ଢେର୍ ଅବଦାନ । ଏବେ ଭୁବନେଶ୍ଵର ସହ ସ୍ମାର୍ଟ ସିଟି (ପୁଣି ଏକନମ୍ବର)ହେବାର ସ୍ଵପ୍ନ ଦେଖିଲାଣି । ଏହି ସ୍ଵପ୍ନକୁ ସାକାର କରିବା ପାଇଁ ଏଭଳି ପ୍ରୟାସ ନିଶ୍ଚିତରୂପେ ସ୍ଵାଗତଯୋଗ୍ୟ ଏବଂ ଏଥିପାଇଁ ସରକାରୀ ସହାୟତାରେ ଆବଶ୍ୟକତା ମଧ୍ୟ ରହିଛି । ଛାତ ଉପରେ ବଗିଚା ପାଇଁ ଖତ ଓ ମାଟିର ଅଭାବ ଅନୁଭୂତ ହୁଏ ।

ପ୍ରତିଦିନ ରାତି ପାହିଲେ ଏଠିକାର ବାସିନ୍ଦା ଘରୁ ବାହାରୁଥିବା ଅଳିଆ, ପନିପରିବା ଚୋପା, ବଳକା ଖାଦ୍ୟପଦାର୍ଥ ଆଦି ଘର ସାମ୍ନାରେ ହେଉ କି ପଛପଟେ ଗଦାଇଥାଆନ୍ତି । ସଫେଇ କର୍ମଚାରୀ ସଫା କରୁଥିଲେ ମଧ୍ୟ ପରିବେଶ ପ୍ରଦୂଷଣ ହେବାରୁ ତ୍ରାହିନାହିଁ । ମଶାଙ୍କର ପ୍ରାଦୁର୍ଭାବ କିଛି କମ୍ ନୁହେଁ । ପୁଣି ପ୍ରତ୍ୟେକ ବାସିନ୍ଦା ବଜାରକୁ କିଛି ଖାଉଥିବା ପନିପରିବା (ଅଧିକାଂଶ ବିଷାକ୍ତ ହୋଇଥିବାରୁ ) ସ୍ୱାସ୍ଥ୍ୟପକ୍ଷେ କେତେ ହିତକର, ଏକଥା ସମସ୍ତଙ୍କୁ ଅଳ୍ପବହୁରେ ଜଣା । ଏଥିପାଇଁ ଖର୍ଚ୍ଚ ମଧ୍ୟ କିଛି କମ୍ ନୁହେଁ । ତେଣୁ ସହରକୁ ସଫା ରଖିବା ସହ ହାତପାଆନ୍ତାରେ ବିଷମୁକ୍ତ ସଜ ପନିପରିବା ପାଇବା ଲାଗି ଏହି ବଳକା ଖାଦ୍ୟପଦାର୍ଥ, ପରିବା ଚୋପା ଆଦିର ଉପଯୁକ୍ତ ବ୍ୟବହାର କରିବା ପାଇଁ ଆମକୁ ଚେଷ୍ଟା କରିବାକୁ ହେବ । ଏହାକୁ ଆମେ ସହଜରେ ଜିଆଖତରେ ପରିବର୍ତ୍ତିତ କରିପାରିବା, ଯାହା ଆମ ପାକଶାଳା ବଗିଚା କିମ୍ବା ଛାତ ଉପର ବଗିଚା ଲାଗି କାମରେ ଆସିବ ।

ଯେ ଫସଲଟିଏ ବଢିବା ସକାଶେ ମାଟିଭଳି ଏକମାଧ୍ୟମର ଆବଶ୍ୟକତା ରହିଅଛି । ଏହା ଫସଲକୁ ଜଳ,ଖାଦ୍ୟ ଯୋଗାଇବା ସହ ଗଛଟିକୁ ସୁସ୍ଥଭାବେ ବଢିବା ପାଇଁ ଧରି ରଖିବାକୁ ସକ୍ଷମ ହେବା ଦରକାର । ପୁଣି ସେଥିରୁ ଜଳ ନିଷ୍କାସନର ସୁବିଧା ଥିବା ବି ଆବଶ୍ୟକ । ଛାତ ଉପରେ ଫସଲ କଥା ଯେତେବେଳେ ଚିନ୍ତା କରୁଛେ, ଦେଖିବାକୁ ହେବ ଯେପରି ଛାତ ଉପରେ ଅଧିକ ଚାପ ସୃଷ୍ଟି ନ ହୁଏ । ତେଣୁ ଓଜନ କମାଇବା ପାଇଁ ମାଟିଭାଗ କମ୍ କରି କମ୍ପୋଷ୍ଟ, ଜିଆଖତ, ନଡିଆକତାଗୁଣ୍ଡ, କାଠଗୁଣ୍ଡ ଆଦି ମିଶାଇ ଭଲ ମାଧ୍ୟମଟିଏ ପ୍ରସ୍ତୁତ କରିପାରିବା । ଏଥିସହ କିଛି ନିମପଡିଆ ମିଶାଇ ଦେଲେ ଭଲ। ଏହି ମାଧ୍ୟମରୁ ଅଣୁଜୀବଙ୍କ ସହାୟତାରେ ଗଛ ଧୀରେ ଧୀରେ ଆବଶ୍ୟକ ମୁତାବକ ଖାଦ୍ୟ ସଂଗ୍ରହ କରିବ । ଜିଆଖତକୁ ଛାଡି ଅନ୍ୟ ଉପାଦାନ ସବୁ ଆମକୁ ବାହାରୁ ସଂଗ୍ରହ କରିବାକୁ ହେବ । ସ୍ୱଳ୍ପ ଖର୍ଚ୍ଚରେ ଆମେ ଘରର ଅବ୍ୟବହୃତ ସ୍ଥାନରେ ଜିଆଖତ ପ୍ରସ୍ତୁତ କରିପାରିବା ।

ସିମେଣ୍ଟ କୁଣ୍ଡ କିମ୍ବା କାଠ ବାକ୍ସରେ ଅଖା ପକାଇ ଜିଆଖତ କରାଯାଇପାରିବ । ଦେଖିବା କଥା ଯେ ସ୍ଥାନଟି ଅନ୍ଧାରୁଆ ହୋଇଥିବ, ବାୟୁ ଚଳାଚଳ ହେଉଥିବ, ତାପମାନ ସାଧାରଣ ଥିବ ତଥା ଆମର ଚଳାଚଳରେ ଅସୁବିଧା ହେଉ ନ ଥିବ । ଏଥିସହ କିଛି ଜିଆ ଏବଂ ଜିଆ ବଞ୍ଚିବା ପାଇଁ ଜୈବିକ ମାଟି ସଂଗ୍ରହ କରିବା ।

ଜିଆଖତ ପ୍ରସ୍ତୁତି

ପାତ୍ରଟିର ତଳସ୍ତରରେ ଏକରୁ ଦୁଇ ଇଞ୍ଚ ବହଳର ଛୋଟ ଛୋଟ ଖଣ୍ଡ ଭଙ୍ଗା ଇଟା/ଖପରା କିମ୍ବା ଗୋଡି ଆଦି ସହ ଧୀରେଧୀରେ ଶଢୁଥିବା ଶୁଖିଲା ନଡା/ଘାସଲଟା ଆଦି ମିଶାଇ ରଖିବା । ତା’ ଉପରେ ମୋଟା ବାଲି କିଛି ବିଛାଇଦେଲେ ତଳସ୍ତରର ଶୂନ୍ୟସ୍ଥାନ ସବୁ ପୂରଣ ହୋଇଯିବ । ପାତ୍ରର ତଳ ଅଂଶରେ ଗୋଟିଏ କଣା ରଖିବାକୁ ହେବ, ଯେଉଁ ବାଟେ ପାତ୍ରରୁ ବଳକା ପାଣି ବାହାରିଯିବ ।

ଏହି ବାଲି ସ୍ତର ଉପରେ ୬-୮ ଇଞ୍ଚ ବହଳର ଦୋରସା ମାଟି ଦେବା, ଯେଉଁଥିରେ ସ୍ଥାନୀୟ ଜିଆ ତଥା ଜିଆର କୋଷା ଆଦି ଥିବ। ଏହି ପ୍ରକାରର ମାଟି ଆମେ ବରଗଛ ତଳ, ତେନ୍ତୁଳି ଗଛ ତଳ ବା ପାଣି ଡିମ୍ବିରି ମୂଳ କିମ୍ବା ଘଞ୍ଚ ଜଙ୍ଗଲରୁ ସଂଗ୍ରହ କରିପାରିବ । ଏହି ମାଟି ଉପରେ କିଛି ସଜ ଗୋବର ମିଶାଇଦେବା । ଏହା ପରେ ୪-୬ ଇଞ୍ଚ ବଦଳର ନଡା କିମ୍ବା ଶୁଖିଲା ପତ୍ର ଆଦି ଦ୍ଵାରା ଘୋଡାଇଦେବା । ଏହାଦ୍ଵାରା ଛାଇ ହେବା ସହ ତାପମାତ୍ରା ସନ୍ତୁଳିତ ରହିବ ।

ଏହି ଅବସ୍ଥାରେ ପାତ୍ରଟିକୁ ୧୦-୧୫ ଦିନ ଛାଡିଦେଲେ ଜିଆମାନେ ଭଲ ଭାବେ କାର୍ଯ୍ୟକ୍ଷମ ହୋଇଯିବେ । ସାମାନ୍ୟ ବତର ଆଣିବା ପାଇଁ ମଝିରେ ମଝିରେ ପାଣି ସିଞ୍ଚିବାକୁ ହେବ । ଏହା ପରେ ଆମର କାମ ହେଲା ରୋଷଘରୁ ମିଳୁଥିବା ପରିବାଚୋପା, ବଳକା ଖାଦ୍ୟପଦାର୍ଥ ଆଦିର ଉପଯୁକ୍ତ ବ୍ୟବହାର କରିବା ଅର୍ଥାତ୍ ବାହାରେ ଫିଙ୍ଗି ନ ଦେଇ ଜିଆଖତ ପ୍ରସ୍ତୁତି ପାତ୍ରରେ ଭରିବା ।

ଉପର ସ୍ତରର ନଡାକୁ ଉଠାଇ ପ୍ରତିଦିନ ପରିବାଚୋପା ଆଦିକୁ ମାଟି ଉପରେ ଏକ ଇଞ୍ଚ ବହଳର ଖେଳାଇବା ଏବଂ ନଡାକୁ ଘୋଡାଇଦେବା । ଦିନେ ଛାଡି ଦିନେ ଦୁଇ ଇଞ୍ଚ ବହଳର ମଧ୍ୟ ପକାଇପାରିବା । ଏହି ଜୈବ ପଦାର୍ଥ ସବୁ ଶଢିବା ସମୟରେ ଆକାରରେ କମିବା ଆରମ୍ଭ କରିବ ଏବଂ ମାସକ ମଧ୍ୟରେ ଉଚ୍ଚତା କେବଳ ଏକଫୁଟ ବହଳର ହେବ । ଯଦି ପ୍ରଚୁର ଜୈବ ପଦାର୍ଥ ବହଳର ହେବ । ଯଦି ପ୍ରଚୁର ଜୈବ ପଦାର୍ଥ ଥାଏ (ବିଶେଷକରି ଶୁଖିଲା ପତ୍ର ତଥା ତନ୍ତୁଯୁକ୍ତ ପଦାର୍ଥ), ତେବେ ଏସବୁକୁ ଅନ୍ୟ ଏକ ସ୍ଥାନରେ ଆର୍ଦ୍ର ଅବସ୍ଥାରେ ୧୫ଦିନ ପର୍ଯ୍ୟନ୍ତ ଶଢାଇ ତା’ପରେ ଜିଆ କୁଣ୍ଡରେ ଭରିବା ଦରକାର । ଏପରି କଲେ ପ୍ରାଥମିକ ଅବସ୍ଥାରେ ଜୈବ ପଦାର୍ଥ ଶଢିବା ସମୟରେ ସୃଷ୍ଟି ଅତ୍ୟଧିକ ଉତ୍ତାପରୁ ଜିଆଙ୍କୁ ବଞ୍ଚାଇହେବ ।

ମଝିରେ ମଝିରେ ଏହି ଜୈବ ପଦାର୍ଥକୁ ଗୋଟିଏ ଫର୍କ ସାହାଯ୍ୟରେ ଓଲଟପାଲଟ କରିଦେଲେ ଏଥିରୁ ଅତ୍ୟଧିକ ଉତ୍ତାପ, ଗ୍ୟାସ ଆଦି ବାହାରିଯିବା ସହ ବାୟୁ ଚଳାଚଳ ସୁବିଧା ହେବ ଏବଂ ଶୀଘ୍ର ଶଢିଯିବ । ମାଂସ, ହାଡ, କଣ୍ଟା ଆଦି ଶୀଘ୍ର ଶଢିବାରେ ସହାୟକ, ମାତ୍ର ଅତ୍ୟଧିକ ତାପମାତ୍ରା ସୃଷ୍ଟି କରିଥାଏ । ତେଣୁ ଏସବୁ ଯେତେ କମ୍ ମାତ୍ରାରେ ମିଶାଯିବ, ସେତେ ଭଲ। ମନେରଖିବେ ଶଢା ପଦାର୍ଥର ତାପମାତ୍ରା ୪୫ଡିଗ୍ରୀ ସେଣ୍ଟିଗ୍ରେଡ ବା ତା’ ଠାରୁ କମ୍ ରହିବା ଜରୁରୀ ।

ପିତା, ଅମ୍ଳଯୁକ୍ତ, ଖଟାଳିଆ ପଦାର୍ଥକୁ ଜିଆ ପସନ୍ଦ କରନ୍ତି ନାହିଁ, ତେଣୁ ଏସବୁ ପଦାର୍ଥ ଧୀରେ ଧୀରେ ଖତରେ ପରିଣତ ହୁଏ । ଜୈବ ପଦାର୍ଥ ଖତରେ ପରିବର୍ତ୍ତିତ ହେବା ସମୟରେ ଧୀରେ ଧୀରେ ଗଢାବାଦାମୀ ରଙ୍ଗରୁ କଳା ରଙ୍ଗକୁ ବଦଳିଥାଏ ।

ଏହି ଜିଆଘତ ଦୁଇରୁ ତିନିମାସରେ ପ୍ରସ୍ତୁତ ହୋଇଥାଏ । ଖତ ସଂଗ୍ରହ କରିବାର ୮-୧୫ଦିନ ପୂର୍ବରୁ ଉପର ଅଂଶ ଶୁଖିଲା ରଖିବା ଦରକାର । ଫଳରେ ଜିଆ ତଳସ୍ତରକୁ ଚାଲିଯିବେ ଏବଂ ପରବର୍ତ୍ତୀ ଖତ ପ୍ରସ୍ତୁତି ପାଇଁ କାମରେ ଲାଗିବେ । ପ୍ରଥମଥର କିଛିଟା କମ୍ ପରିମାଣର ଜିଆଖତ ମିଳିଥାଏ, କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ପ୍ରତିଥର ୪-୮ ଗୁଣା ଖତ ଉତ୍ପାଦନ କରିହେବ ।

ବଗିଚାର ଯତ୍ନ

ଚଢେଇ, ମୂଷା, କଲିକତରା, ଝିଟିପିଟି, ବେଙ୍ଗ ଆଦି ଜିଆଙ୍କର ଶତ୍ରୁ । ତେଣୁ ଝିଟିପିଟି, ବେଙ୍ଗ ଆଦି ଜିଆଙ୍କର ଶତ୍ରୁ । ତେଣୁ ପାତ୍ରଟିକୁ ଗୋଟିଏ ତାର ଜାଲି ଦ୍ଵାରା ଘୋଡାଇ ରଖିବା ଭଲ । ଅବଶ୍ୟ ଏଥିପାଇଁ କିଛି ଖର୍ଚ୍ଚ ଲାଗିବ । ସେହିଭଳି ପିମ୍ପୁଡିଙ୍କଠାରୁ ରକ୍ଷାକରିବା ପାଇଁ ପାତ୍ର ବାହାରେ ଭିନେଗାର ଲଗାନ୍ତୁ ।

ଜିଆ କୁଣ୍ଡରୁ ତଳବାଟେ ନିଷ୍କାସିତ ବଳକା ପାଣିକୁ ଜିଆପାଣି ଆକାରରେ ସଂଗ୍ରହ କରିବା ଦରକାର । ଏଥିରେ ଜିଆର ଲାଳ, ମୃତ ଜିଆର ଶଢା ଅଂଶ ଆଦି ମିଶି ରହିଥାଏ । ଏହାକୁ ଫସଲ ବର୍ଦ୍ଧକ ହିସାବରେ ୧:୧୦(୧ ଭାଗ ଜିଆଜଳ+୧୦ ଭାଗ ପାଣି) ଅନୁପାତରେ ଫସଲରେ ସିଞ୍ଚନ କରାଯାଇପାରେ ।

ଆଧାର – ଦୈନିକ ଧରିତ୍ରୀ