ଦଇମତୀଙ୍କ ଆତ୍ମନିର୍ଭରଶୀଳ

ଓଡିଶାରେ ସାଧାରଣତଃ ଧାରଣା ରହିଛି ଯେ ମହିଳାମାନେ ଚାଷ କ୍ଷେତ୍ରରେ ପୁରୁଷମାନଙ୍କୁ ସହାୟତା କରିବେ । ଗାଁ ଗହଳିରେ ମହିଳାମାନେ ଜମିରେ କାମ କରୁଥିବା ସ୍ୱାମୀମାନଙ୍କ ପାଇଁ ଖାଦ୍ୟ ପାନୀୟ ନେଇଯିବା କଥା ଆମେ ଜାଣିଛେ । ତେଣୁ ସେମାନେ ଯେ ସ୍ୱତନ୍ତ୍ର ଭାବେ ଚାଷ କାମ କରିପାରିବେ, ଏହା ବହୁ କମ୍ ଲୋକଙ୍କ ବିଶ୍ୱାସ । କିନ୍ତୁ ଏମିତି ବି ଅନେକ ମହିଳା ଅଛନ୍ତି, ଯେଉଁମାନେ ସ୍ୱାଧୀନ ଭାବେ ଓ ଅଭିନବ ଢଙ୍ଗରେ କୃଷି କାର୍ଯ୍ୟ କରି ସଫଳ ହୋଇଛନ୍ତି ଓ ଅନ୍ୟମାନଙ୍କ ପାଇଁ ଉଦାହରଣପାଲଟି ଯାଇଛନ୍ତି ।

କୋରାପୁଟ ଜିଲ୍ଲାର ଏକ ନିପଟ ମଫସଲ ଗାଁର ମହିଳା ଦଇମତୀଙ୍କ କଥା । ସେ ଏଭଳି ଭାବେ ଖମ୍ବଆଳୁ ବା ଦେଶୀଆଳୁ ଚାଷ କରିଛନ୍ତି ଯେ ନିଜେ ଆତ୍ମନିର୍ଭର ହେବା ସହ ପରିବାର ପ୍ରତିପୋଷଣ ପାଇଁ ସକ୍ଷମ ହୋଇଛନ୍ତି । ତାଙ୍କର ଏହି ଉଦ୍ୟମ ଏବେ ଆଖପାଖ ଗାଁରେ ଚର୍ଚ୍ଚାର ବିଷୟ ହୋଇଛି ।

ଦଇମତୀ ଦୁରୁଆ । ସ୍ୱାମୀ ପୁଷୁ ଦୁରୁଆ । ଘର କୁନ୍ଦୁରା ବ୍ଲକ କେରିମିଟ ପଂଚାୟତର କେନ୍ଦୁଗୁଡା ଗାଁ ରେ । ଦୁଅ ଝିଅ ଓ ଗୋଟିଏ ପୁଅକୁ ନେଇ ତାଙ୍କର ଛୋଟ ସଂସାର । ଗ୍ରାମାଂଚଳରେ ଦାରିଦ୍ର୍ୟର ଶିକାର ସେ ମଧ୍ୟ ହୋଇଛନ୍ତି । ଭୂମିହୀନ ଏହି ପରିବାରଟି ବର୍ଷ ପାଇଁ ଦାନା ସଂଗ୍ରହ କରବାକୁ ମଧ୍ୟ ଅସମର୍ଥ ହେଉଥିଲା ।

ଏସମ୍ପର୍କରେ ଦଇମତୀ କୁହନ୍ତି,ଆମେ ଚଳିବାକୁ ଭାରି ହଇରାଣ ହେଉଥିଲୁ । ଏଭଳିକି ଦିନେ ଦିନେ ଓପାସ ରହିବାକୁ ମଧ୍ୟ ପଡିଛି । ନିଜର କିଛି କାମ ଧନ୍ଦା ନଥିବାରୁ ଜଙ୍ଗଲରେ ବୁଲି ଯାହା ମିଳିବା ସେଥିରୁ ଗୁଜରାଣ ମେଣ୍ଟାଉ । ମୁଁ କେତେ କଣ କରିବାକୁ ଇଛା କରିଛି, ହେଲେ ସୁଯୋଗ ପାଇନଥିଲି ।

ରୋଜଗାରର ପନ୍ଥା

ଦଇମତୀଙ୍କ ଜୀବନରେ ସେତିକିବେଳେ ପରିବର୍ତ୍ତନର ମୋଡ ଆସିଲା, ଯେତେବେଳେ ସେ ତାଙ୍କ ଅଂଚଳରେ ଏକ ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା ପରିଚାଳିତ ହେଉଥିବା ଖମ୍ବଆଳୁ ଚାଷ ସମ୍ପର୍କରେ ଜାଣିଲେ ଓ ସେଠାରେ ଯୋଗଦେଇ ଏହା କିପରି କରିବାକୁ ହୁଏ ତାହା ବୁଝିଲେ । ଜମି ନଥିବା ଚାଷୀମାନେ କିପରି ନିଜ ଘର ପାଖରେ ଥିବା ଅଳ୍ପ ସ୍ଥାନରେ ଖମ୍ବଆଳୁ ଚାଷ କରିପାରିବେ ତାହା ଏଠାରେ ଶିକ୍ଷା ଦିଆଯାଇଥିଲା । ସେଠାରୁ ଏହି ଚାଷ ବିଷୟରେ ଶିଖିବା ପରେ ଦଇମତୀ ଉତ୍ସାହର ସହ ଏହି କାମ ଆରମ୍ଭ କରିଥିଲେ ।

ଏହି ଚାଷରେ ସେ ନୂଆ ଥିବାରୁ ପ୍ରଥମେ ସେ ତିନିଟି ଜରିବସ୍ତାରେ ମାପ ଅନୁସାରେ ମାଟି, ବାଲି ଓ ଗୋବର ଖତ ମିଶାଇ ସେଥିରେ ଦୁଇ ଶହ ଗ୍ରାମ ଓଜନର ଖମ୍ବଆଳୁ ମଂଜି ପୋତିଲେ । ଉପଯୁକ୍ତ ପ୍ରଣାଳୀରେ ତାର ଯତ୍ନ ନେଲେ । ୭ ମାସ ପରେ ଗଛ ମରିଗଲା । ଆଉ ଜରି ଅଖା କାଟି ସେ ଆଳୁ ବାହାର କଲେ । ହାତୀ ଖୋଜିଆ ଏହି ଦେଶୀ ଖମ୍ବଆଳୁ କିସମର ଗୋଟିଏ ବସ୍ତାରୁ ୮ କେଜି, ଅନ୍ୟ ବସ୍ତାରୁ ୧୨ କେଜି ଓ ତୃତୀୟ ବସ୍ତାରୁ ୧୫ କେଜି ଆଳୁ ବାହାରିଲା ।

ଦଇମତୀ ଏ ସମ୍ପର୍କରେ ଖୁସୀର ସହ କହନ୍ତି,ମୁଁ ଭାବିଲି, ମୁଁ ବୋଧେ କିଛି ଭୁଲ କରିଦେଲି । ଗଛ ମରିଗଲା । ଆଉ ମୋର କ୍ଷତି ହୋଇଗଲା । କିନ୍ତୁ ତିନିଟି ଅଖାରେ ଆଳୁ ଦେଖି ମୁଁ ବହୁତ ଖୁସୀ ହୋଇଯାଇଥିଲି । ମୋଟ ୪୦୦ ଟଙ୍କା ଖର୍ଚ୍ଚ କରିଥିଲି । କିନ୍ତୁ ୧୧୦୦ ଟଙ୍କା ପାଇଲି । ଏହା ପରେ ଅଧିକ ଅଖାରେ ଖମ୍ବଆଳୁ ଚାଷ କରିବାକୁ ମନ ହୋଇଥିଲା ।

ଦଇମତୀଙ୍କୁ ସାହସ ଓ ଆତ୍ମବିଶ୍ୱାସ ମିଳି ଯାଇଥିଲା । ଦ୍ୱିତୀୟ ଥରେ ସେ ଏକଥରକେ ୫୦ ଟି ବସ୍ତାରେ ଖମ୍ବଆଳୁ ଚାଷ କଲେ । ସେଥିର ବି ସଫଳ ହେଲେ । ସେ ଥର ୧୫ ହଜାର ଟଙ୍କା ଲାଭ ହୋଇଥିଲା ବୋଲି ସେ କୁହନ୍ତି । ଏ ବର୍ଷ ସେ ୧୦୦ ବସ୍ତାରେ ଖମ୍ବଆଳୁ ମଂଜି ପକାଇ ଚାଷ କରିଛନ୍ତି । ତାଙ୍କର ଏହି କାର୍ଯ୍ୟ ପରିବାର ପାଇଁ ମୁଖ୍ୟ ରୋଜଗାରର ପନ୍ଥା ପାଲିଟିଛି ।

ସ୍ଵାମୀଙ୍କ ବାର୍ତ୍ତା

ଏ ନେଇ ତାଙ୍କ ସ୍ୱାମୀ ପୁଷୁ ଦୁରୁଆ କହନ୍ତି,ପ୍ରଥମେ ସେ ଯେତେବେଳେ ଚାଷ ଆରମ୍ଭ କରିଥିଲା, ମୋର ଏଥିରେ ବିଶ୍ୱାସ ନଥିଲା । କିନ୍ତୁ ଭଳ ଖମ୍ବଆଳୁ ଫଳିବା ପରେ ତାର ଏହି କାମରେ ମୁଁ ମଧ୍ୟ ସାମିଲ ହୋଇଛି । ଏହି ଉଦ୍ୟମ ଆମ ପରିବାରକୁ ସାହାରା ହୋଇଛି ।

ଶେଷକଥା

ଖମ୍ବଆଳୁ ଚାଷ ସମୟରେ କେତେ ମାଟିରେ କେତେ ପରିମାଣର ସାର ଓ ଏହି ଅଖାକୁ କେଉଁଠି ରଖିଲେ ଗଛ ଭଲ ହେବ ଆଦି ସବୁ ଭଲ ଭାବେ ଜାଣିଛନ୍ତି ଦଇମତୀ । ଗାଁର ଅନ୍ୟ ମହିଳାଙ୍କୁ ମଧ୍ୟ ସେ ଏହି ଚାଷ କରିବାକୁ କହୁଛନ୍ତି । ଅନ୍ୟ କେତେକ ଲୋକମଧ୍ୟ ତାଙ୍କ ଠାରୁ ଏ ବିଷୟରେ ପରାମର୍ଶ ନେବାକୁ ଆସିଥାନ୍ତି । କଠିନ ପରିଶ୍ରମ ଫଳରେ ଯେ ନିଜେ ଗୋଡରେ ନିଜେ ଛିଡା ହୋଇହୁଏ, ତାହା ପ୍ରମାଣ କରିଦେଖାଇଛନ୍ତି ଦୁଇମତୀ । ନା ସେ ଅପେକ୍ଷା କରିଛନ୍ତି ଆଉ କାହାର ସାହାଯ୍ୟକୁ ନା ସରକାରଙ୍କ ସହାୟତାକୁ । ଗ୍ରାମାଂଚଳରେ ଦଇମତୀଙ୍କ ଭଳି ସବୁ ମହିଳା କିଛି ରୋଜଗାର କରିବାକୁ ଆଗେଇ ଆସିଲେ ସେମାନଙ୍କ ଆର୍ଥିକ ସ୍ଥିତିରେ ନିଶ୍ଚୟ ସୁଧାର ଆସିବ ।

ଆଧାର - Akhand social worker, freelance journalist