କଲେଜ ପଢା ପରେ ନିଜେ ନିଜର କିପରି ସ୍ୱାବଲମ୍ବୀ ହୋଇପାରିବେ ସେକଥା ଚିନ୍ତାକଲେ । ହେଲେ ଚାକିରି ପଛରେ ନାଗୋଡେଇ ଚାଷ ପାଇଁ ମନ ବଳାଇଲେ । ତା’ ପରେ ଆରମ୍ଭ ହେଲା ଉଦ୍ୟମ । ଆଉ ବର୍ଷ କେଇଟାରେ ସେଇ ମାଟିରେ ସୁନାର ଫସଲ ଫଳାଇ ସ୍ଥାନୀୟ ଅଞ୍ଚଳରେ ଜଣେ ସଫଳ ଚାଷୀଭାବେ ନିଜର ଏକ ପରିଚୟ ସୃଷ୍ଟିକରିଛନ୍ତି । ଏଥି ସହିତ ଆଉ କେତେଜଣଙ୍କୁ ସ୍ୱାବଲମ୍ବୀ ହେବାର ସେ ସହାୟ ହୋଇପାରିଛନ୍ତି । ସେ ହେଲେ ସୁକାନ୍ତ ନାୟକ ମୋ-(୯୮୬୧୫୧୪୩୪୪) । ଘର ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ସାନବନ୍ଧକେରା ଗ୍ରାମରେ । ପିତା କରୁଣାକର ନାୟକ । ସୁକାନ୍ତଙ୍କ ପରିବାରର ଅଧିକ ଚାଷ ଜମିଥିଲେ ବି ବାରମ୍ବାର ଧୋଇ, ମରୁଡି ଯୋଗୁ ଚାଷ ନହୋଇ ପ୍ରାୟ ଜମି ପଡିଆ ପଡୁଥିଲା । ଏଥିପାଇଁ ତାଙ୍କ ପରିବାର ଅଭାବ ଅନଟନ ମଧ୍ୟରେ ଗତିକରୁଥିଲା । ସୁକାନ୍ତ ବ୍ରହ୍ମଗିରି ଧନ୍ଦାମୂଳକ ମହାବିଦ୍ୟାଳୟରୁ ବିଏ ପାସ କରିବା ପରେ ରୋଜଗାର ଲାଗି କୃଷିକାର୍ଯ୍ୟକୁ ଆପଣେଇ ନେଲେ । ବୈଜ୍ଞାନିକ ପଦ୍ଧତିରେ ପରିବର୍ତ୍ତନ ସେଥିଲାଗି ସେ ପାରମ୍ପରିକ ଚାଷକୁ ଉନ୍ନତ ତଥା ବୈଜ୍ଞାନିକ ପଦ୍ଧତିରେ ପରିବର୍ତ୍ତନ କରିବାର ଲକ୍ଷ୍ୟ ନେଇ କୃଷିମହାବିଦ୍ୟାଳୟରୁ ପ୍ରଶିକ୍ଷଣ ନେଲେ । ଏହା ପରେ ନିଜ ଜନ୍ମମାଟିକୁ ଫେରି କୃଷିକାର୍ଯ୍ୟରେ ମନଦେଇଥିଲେ । ଦୃଢ ମନୋବଳ ଓ କିଛି ଜାଣିବାର ଇଚ୍ଛା ଯୋଗୁ ସେ ମାଛ ଚାଷ, ମାଛ ଯାଆଁଳ ଚାଷ, କୁକୁଡା ଚାଷ, ଗୋପାଳନ, ଛତୁ ଚାଷ, ତୈଳବୀଜ ଫସଲ, ଡାଲି ଜାତୀୟ ଚାଷ, ବିଭିନ୍ନ ଉନ୍ନତ ମାନର ପନିପରିବା ଓ ସରକାରଙ୍କ ବିଭିନ୍ନ କିସମର ଧାନ ଚାଷ କରି ସଫଳତା ଲାଭ କରିଛନ୍ତି । ନିଜେ ରୋଜଗାରକ୍ଷମ ହେବାସହ ନିଜ ଅଞ୍ଚଳର କୃଷକମାନଙ୍କ ପାଇଁ ନିଜ ଉଦ୍ୟମରେ ଏକ ପରାମର୍ଶ ଓ ସୂଚନାକେନ୍ଦ୍ର ଖୋଲି ମାଗଣାରେ ପରାମର୍ଶ ଦେଇଥାନ୍ତି । ଏଭଳି ଉଦ୍ୟମ ଯୋଗୁ ସେ ସଫଳ ଚାଷୀ ଭାବେ ୨୦୧୬ ରେ ରାଜ୍ୟସ୍ତରୀୟ କୃଷି ମହୋତ୍ସବ, ୨୦୦୫ ଓ ୨୦୧୬ ରେ ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ, ୨୦୦୩ରେ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ଏବଂ ୨୦୧୫ ରେ କେଭିକେ ଦ୍ଵାରା ମାଛ ଚାଷ ପାଇଁ ସମ୍ମାନିତ ହୋଇଛନ୍ତି । ନିଜ ଉଦ୍ୟମରେ ପୋଖରୀରେ ମାଛଚାଷ କରି ଯାଆଁଳ ରୁ ଏକମାସ ମଧ୍ୟରେ ୫ଗୁଣା ଲାଭବାନ ହୋଇଛନ୍ତି । ପୁଣି ନିଜ ଫାର୍ମରେ ବ୍ରଏଲର, ବନରାଜ କୁକୁଡା ଓ ଦେଶୀ କୁକୁଡା ପ୍ରାୟ ୨୦୦୦ ପାଳନ କରିଛନ୍ତି । ଗୋ ପାଳନ କରି ସେ ଦୈନିକ ୧୦୦ ଲିଟର କ୍ଷୀର ଉତ୍ପାଦନ କରନ୍ତି । ଏହା ସହ ବ୍ରହ୍ମଗିରି ଅଞ୍ଚଳରେ ସୂର୍ଯ୍ୟମୁଖୀ ଓ ଉନ୍ନତ ସଙ୍କର ଜାତୀୟ ଧଳାରାଶି ଚାଷ କରି କୃଷି କ୍ଷେତ୍ରରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ବିଭିନ୍ନ ପନିପରିବା ଚାଷସହ ଛତୁ ଚାଷ ଓ ଆଜୋଲା ଚାଷ(ମାଛ, କୁକୁଡା ଓ ଗାଈଙ୍କ ପାଇଁ ଖାଦ୍ୟ) ର ବର୍ଜ୍ୟ ବସ୍ତୁକୁ ନେଇ ଜିଆ ଚାଷ କରି ଜୈବିକ ସାର ପ୍ରସ୍ତୁତ କରି କୃଷି କାର୍ଯ୍ୟରେ ବ୍ୟବହାର କରିଥାନ୍ତି । ଯାହାଫଳରେ ସେ ରାସାୟନିକ ସାର ଠାରୁ ଦୂରରେ ରହି ଜୈବିକ ସାର ପ୍ରୟୋଗରେ ଜଣେ କୁଶଳୀ ଚାଷୀ ଭାବେ ପରିଚିତ । ସୁକାନ୍ତଙ୍କ ଆମଦାନୀ ହେଉଥିବା ଫସଲର ଚାହିଦା ବ୍ରହ୍ମଗିରିରେ ବେଶ ପ୍ରସିଦ୍ଧଲାଭ କରିଛି । ଧାଡିରୁଆ, ଶ୍ରୀ ପ୍ରଣାଳୀ ଭଳି ନୂତନ ଜ୍ଞାନକୌଶଳର ଚାଷ ନିଜ କ୍ଷେତରେ ପରୀକ୍ଷା ମୂଳକ ଭାବେ ପ୍ରୟୋଗକରି ସଫଳତା ପାଇଛନ୍ତି । କେବଳ ଏତିକି କୃଷି କାର୍ଯ୍ୟ ନୁହେଁ କୃଷକଙ୍କ ସମସ୍ୟା ପାଇଁ ମଧ୍ୟ ସେ ଅଣ୍ଟା ଭିଡିଥାନ୍ତି । ବ୍ରହ୍ମଗିରି ଅଞ୍ଚଳର କୃଷକମାନଙ୍କ ବିଭିନ୍ନ ସମସ୍ୟା ନେଇ ସମାଧାନ ପାଇଁ ଆଲୋଚନା କରିଥାନ୍ତି । ବ୍ରହ୍ମଗିରି ଅଞ୍ଚଳର କୃଷକମାନଙ୍କୁ ଉତ୍ସାହିତ କରିବା ପାଇଁ ନିଜସ୍ଵ ଉଦ୍ୟମରେ ପ୍ରତିବର୍ଷ ଅକ୍ଷୟ ତୃତୀୟାରେ ହଳ ପ୍ରତିଯୋଗୀତା କରି ଚାଷୀମାନଙ୍କୁ ପୁରସ୍କୃତ କରିଥାନ୍ତି । ଅକ୍ଲାନ୍ତ ପରିଶ୍ରମ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ବାର୍ଷିକ ୫ଲକ୍ଷରୁ ଊର୍ଦ୍ଧ୍ଵ ରୋଜଗାର କରିପାରୁଥିବା ଏହି ଯୁବ ଚାଷୀ ଜଣଙ୍କ ବ୍ରହ୍ମଗିରି ଅଞ୍ଚଳରେ ବେଶ ପରିଚିତ । ତାଙ୍କର ଏହି ଉଦ୍ୟମ ପଛରେ ଅବଶ୍ୟ ତାଙ୍କ ପତ୍ନୀ ଗୀତାଞ୍ଜାଳୀଙ୍କ ସହଯୋଗ ଓ ପ୍ରେରଣା ରହିଛି ବୋଲି ସେ କୁହନ୍ତି । ସୁକାନ୍ତଙ୍କ ସମ୍ପର୍କରେ ବ୍ରହ୍ମଗିରି ସହକାରୀ କୃଷି ଅଧିକାରୀ ସାଗର ସାହୁ କୁହନ୍ତି, ପାରମ୍ପରିକ କୃଷି କାର୍ଯ୍ୟ ଠାରୁ ଆଉ ପାଦେ ଆଗକୁ ଯାଇ ବୈଜ୍ଞାନିକ ପଦ୍ଧତିରେ ଉନ୍ନତ ମାନର ଚାଷ କରିବା ସହ ସମନ୍ଵୟ କୃଷିକ୍ଷେତ୍ରରେ ଜଣେ ସଫଳ ଚାଷୀ ଭାବେ ସୁକାନ୍ତ ନିଜକୁ ପ୍ରତିଷ୍ଠିତ କରି ପୁରୀ ଜିଲ୍ଲାର ଚାଷୀମାନଙ୍କ ମଧ୍ୟରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ଆଧାର : ସ୍ଵାଧୀନ କୁମାର ଚମ୍ପତିରାୟ