ଛେଳି ଛୁଆଙ୍କ ଯତ୍ନ ଅଧିବେଶନ ୨.୬ ଛେଳି ଛୁଆଙ୍କ ଯତ୍ନ I ଉଦ୍ଦେଶ୍ୟ ଛେଳି ଛୁଆମାନଙ୍କୁ ସୁସ୍ଥ ରଖି ମୃତ୍ୟୁହାରକୁ କମାଇବା ପାଇଁ ସେମାନଙ୍କ ଯତ୍ନ ବିଷୟରେ ଚାଷୀମାନଙ୍କୁ ଶିକ୍ଷାଦେବା I ପଦ୍ଧତି ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଯନ କରାଯିବ ଏବଂ ସିଆରପିମାନେ ଅଧିବେଶନର ବିଷୟବସ୍ତୁକୁ ବ୍ୟାଖ୍ୟାନ ମାଧ୍ୟମରେ ସଞ୍ଚାଳନ କରିବେ I ପରେ ସେମାନଙ୍କୁ ଏକ ଛେଳି ଫାର୍ମକୁ ପରିଦର୍ଶନରେ ନିଆଯିବ I ଅଂଶଗ୍ରହଣକାରୀ ସ୍ଵୟଂ ସହାୟକ ଦଳ ଓ ସମୂହର ମହିଳା ଚାଷୀ ଓ ଅନ୍ୟାନ୍ୟ ପ୍ରଗତିଶୀଳ ଚାଷୀ I ସଭା ସ୍ଥାନ ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I ଦରକାରୀ ସାମଗ୍ରୀ ଛେଳି ଫାର୍ମକୁ ପରିଦର୍ଶନ I ସମୟସୀମା ଶ୍ରେଣୀ କକ୍ଷ ଅଧିବେଶନ – ୧୫ ମିନିଟ୍ । ପୃଷ୍ଠ ଭୁମୀ ଛେଳିଛୁଆଙ୍କର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆଣି ମୃତ୍ୟୁହାର କମାଇବା ପାଇଁ ଆରମ୍ଭକାଳୀନ ବୟସରୁ ସେମାନଙ୍କର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ଵପୁର୍ଣ I ତେଣୁ, ଏହି ପ୍ରଶିକ୍ଷଣ ଉପକରଣଟି ଛୁଆଙ୍କର ବିଶେଷ ଯତ୍ନ ନେବା ବିଷୟରେ ଚାଷୀମାନଙ୍କୁ ଶିକ୍ଷାଦାନ କରିବ I ସୋପାନ - ପର - ସୋପାନ କାର୍ଯ୍ୟକ୍ରମ ସୋପାନ - ୧: ପ୍ରାରମ୍ଭିକ ଅଭ୍ୟାସ : ଛେଳି ଛୁଆଙ୍କ ପାଳନ ପାଇଁ ଚାଷୀମାନେ ଅନୁସରଣ କରୁଥିବା ସ୍ଥାନୀୟ ପଦ୍ଧତିସବୁ ସେମାନଙ୍କ ସହ ଅଲୋଚନା କରନ୍ତୁ I ଏହା ସହ ସେମାନଙ୍କୁ ଛେଳି ଛୁଆମାନେ ସମ୍ମୁଖିନ୍ନ ହେଉଥିବା ସମସ୍ୟା ସବୁକୁ ଚିହ୍ନଟ କରିବାକୁ କୁହନ୍ତୁ I ଛେଳି ଛୁଆଙ୍କୁ ଖାସୁ କରିବାପାଇଁ ସ୍ଥାନୀୟ ପଦ୍ଧତିସବୁକୁ ଚାଷୀଙ୍କ ସହ ଅଲୋଚନା କରନ୍ତୁ I ସୋପାନ - ୨ : ଛେଳି ଛୁଆଙ୍କ ପାଳନ ପୋଷଣ : ଚାଷୀମାନଙ୍କୁ ବୁଝାନ୍ତୁ ପ୍ରାରମ୍ଭିକ ବୟସରୁ ଛେଳି ଛୁଆଙ୍କର ଯତ୍ନ ନେବା ଆବଶ୍ୟକ I ଏହା ଛୁଆଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ସହ ମୃତ୍ୟୁହାରକୁ କମାଇବା ପାଇଁ ସାହାଯ୍ୟ କରିବ I ଯଦି ଏକା ଥରକେ ଏକରୁ ଅଧିକ ଛୁଆ ଜନ୍ମ ହୁଅନ୍ତି, ତେବେ ଦୁର୍ବଳ ଛୁଆଙ୍କୁ ପ୍ରଥମେ ମା' ଛେଳିର ଚିର ପାଖକୁ କ୍ଷୀର ପିଆଇବା ପାଇଁ ନିଅନ୍ତୁ I ମା' ର ପ୍ରଥମ କ୍ଷୀରରେ ରୋଗ ପ୍ରତିଷେଧକ ଗୁଣ ଥାଏ I ପ୍ରଥମ ତିନି ମାସ ପର୍ଯ୍ୟନ୍ତ ଛୁଆଙ୍କୁ କେବଳ ମା' କ୍ଷୀର ପିଆନ୍ତୁ I ତାପରେ ଦିନକୁ ପ୍ରାୟ ୬୦ ଗ୍ରାମ୍ ଆହାର ଦିଅନ୍ତୁ I ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଛୁଆମାନଙ୍କୁ ମୁକ୍ତ ଆକାଶ ତଳେ ତଥା ସୁର୍ଯ୍ୟାଲୋକରେ ରଖନ୍ତୁ I ଖରାଦିନେ ସେମାନଙ୍କୁ ଗଛ ଛାଇରେ ଏବଂ ଶୀତଦିନେ ଖୋଲା ଜାଗାରେ ରଖନ୍ତୁ I ସୋପାନ - ୩ : ଅଣ୍ଡିରା ଛେଳି ଛୁଆଙ୍କୁ ଦୁଇ ରୁ ଚାରି ସପ୍ତାହ ବୟସ ମଧ୍ୟରେ ଖାସୁ କରାଯାଏ I ଖାସୁ କରିବା ପାଇଁ ବୁରଡିଜ୍ୟୋ (burdizzo ) ଖାସୁ କରିବା ଉପକରଣ (castrator) ବ୍ୟବହାର କରନ୍ତୁ ଯାହା ପଶୁ ଡାକ୍ତରଖାନାରେ ସହଜରେ ମିଳିଥାଏ I ସୋପାନ - ୪ : ଖାସୁ କରଣର ଉପାଦେୟତା : ଚାଷୀମାନଙ୍କୁ ଖାସୁ କରଣର ନିମ୍ନ ଲିଖିତ ଉପାଦେୟତା ବିଷୟରେ ବୁଝାନ୍ତୁ: ଛେଳି ଶାନ୍ତ ପ୍ରକୃତିର ହୋଇଥାଏ I ଶରୀରର ଓଜନ ଶୀଘ୍ର ବଢିଥାଏ I ମାଂସ ଅଧିକ ସୁସ୍ୱାଦୁ ଓ ଉତ୍ତମ ମାନର ହୋଇଥାଏ I ବୁଦାରୁ ସୃଷ୍ଟି ହେଉଥିବା ଦୁର୍ଗନ୍ଧ ହୁଏ ନାହିଁ I ଅବାଂଛିତ ବୁଦା ସଂଖ୍ୟା କମ ହୋଇଥାଏ I ମାଂସ ଓ ଚମଡାରେ ଗୁଣାତ୍ମକ ବୃଦ୍ଧି ହୁଏ I ଉପସଂହାର ଅଂଶଗ୍ରହଣକାରୀମାନଙ୍କୁ ଖାସୁକରଣର ସୁବିଧା ବିଷୟରେ ପଚାରନ୍ତୁ I ଛେଳିଛୁଆଙ୍କୁ କେତେ ଆହାର ପ୍ରଦାନ କରାଯିବା ଉଚିତ, ସେ ବିଷୟରେ ମଧ୍ୟ ସେମାନଙ୍କୁ ପଚାରନ୍ତୁ I ରୋଗ ପରିଚାଳନା ଅଧିବେଶନ ୨.୭ ରୋଗ ପରିଚାଳନା I ଉଦ୍ଦେଶ୍ୟ ଛେଳିମାନଙ୍କୁ ଆକ୍ରାନ୍ତ କରୁଥିବା ବିଭିନ୍ନ ରୋଗ ଏବଂ ଚିକିତ୍ସା ବିଷୟରେ ଚାଷୀମାନଙ୍କୁ ଶିକ୍ଷାଦାନ କରିବା I ପଦ୍ଧତି ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଯନ କରାଯିବ ଏବଂ ସିଆରପିମାନେ ଅଧିବେଶନର ବିଷୟବସ୍ତୁକୁ ବ୍ୟାଖ୍ୟାନ ଓ ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ସଞ୍ଚାଳନ କରିବେ I ଅଂଶଗ୍ରହଣକାରୀ ସ୍ଵୟଂ ସହାୟକ ଦଳ ଓ ସମୂହର ମହିଳା ଚାଷୀ ଓ ଅନ୍ୟାନ୍ୟ ପ୍ରଗତିଶୀଳ ଚାଷୀ I ସଭା ସ୍ଥାନ ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I ଦରକାରୀ ସାମଗ୍ରୀ ପୋଷ୍ଟର I ସମୟସୀମା ଶ୍ରେଣୀ କକ୍ଷ ଅଧିବେଶନ – ୨୦ ମିନିଟ୍ I ପୃଷ୍ଠ ଭୁମୀ ଛେଳିମାନେ ବିଭିନ୍ନ ପ୍ରକାର ରୋଗରୁ ଆକ୍ରାନ୍ତ ହୁଅନ୍ତି I ତେଣୁ ରୋଗର ଠିକ ନିଦାନ କରିବା ଉଚିତ, ଯାହା ଫଳରେ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଇପାରିବ I ଏହି ପ୍ରଶିକ୍ଷଣ ଉପକରଣ ଚାଷୀମାନଙ୍କୁ ଛେଳିଙ୍କ ରୋଗସବୁକୁ ଚିହ୍ନଟ କରି ଉପଯୁକ୍ତ ଚିକିତ୍ସା କରିବା ପାଇଁ ସାହାଯ୍ୟ କରିବ I ସୋପାନ - ପର - ସୋପାନ କାର୍ଯ୍ୟକ୍ରମ ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ : ଛେଳିମାନଙ୍କୁ ହେଉଥିବା ସାଧାରଣ ରୋଗସବୁକୁ ଚାଷୀମାନଙ୍କ ସହ ଆଲୋଚନା କରନ୍ତୁ I ସେମାନଙ୍କୁ ପଚାରନ୍ତୁ ରୋଗ ସଂକ୍ରମଣ ରୋକିବା ପାଇଁ ସେମାନେ କିଛି ଦେଶୀୟ ପଦ୍ଧତି ଆଦୃତ କରିଛନ୍ତି କି ? ସୋପାନ -୨: ଛେଳିଙ୍କୁ ହେଉଥିବା ରୋଗ : ଛେଳିମାନଙ୍କ ଭିତରେ ଦେଖାଯାଉଥିବା କିଛି ସାଧାରଣ ରୋଗ ଏବଂ ରୋଗର ଲକ୍ଷଣ: ବଜବଜିଆ ରୋଗ: ଛେଳିମାନେ ଥଣ୍ଡା ଓ ଜ୍ୱରରେ ପୀଡିତ ହୁଅନ୍ତି I ଲକ୍ଷଣ ସବୁରେ ବେକ ଫୁଲିବା, ମୁହଁରୁ ଲାଳ ଗଡିବା ଦେଖାଯାଏ ଓ ଛେଳିର ମୃତ୍ୟୁ ହୋଇଥାଏ ଏହି ରୋଗକୁ ପ୍ରତିହତ କରିବା ପାଇଁ ଟୀକାକରଣ କରିବା ଉଚିତ I ଯଦି ଛେଳିକୁ ଏହି ରୋଗ ହୁଏ ପଶୁ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ I ଫାଟୁଆ ରୋଗ: ଶରୀର ତାପମାତ୍ରା ବଢିଯାଇ ଖାଦ୍ୟ ପାଇଁ ରୁଚି କମି ଯାଇଥାଏ I ମୁହଁ ଓ ଖୁରା ଫୁଲିବା ସହ କ୍ଷତ ଦେଖାଯାଇଥାଏ I ମୁହଁରୁ ଲାଳ ଗଡିବା ଦେଖାଯାଏ । ଫୁଲିଥିବା ଖୁରା ଫାଟିଯାଇଥାଏ I ଗୋଡକୁ ଆଲକାଲାଇନ ପାଣିରେ (ଏକ ଲିଟର ପାଣିରେ ୨୦ ଗ୍ରାମ) ଧୋଇବା ସହ ପଶୁଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ I ପିପିଆର୍ (ପେଷ୍ଟି ଡେସ୍ ପଟାଇଟିସ୍ ରୁମିନାଣ୍ଟ): ନାକର ବାହାର ଭାଗ ଓ ଆଖି ନାଲି ହୋଇଯାଏ I ପାଟିରେ ଘା ହୋଇଯାଏ ଏବଂ ଛେଳିକୁ ପତଳା ଝାଡା ହେବା ସହ, ସପ୍ତାହ ମଧ୍ୟରେ ଛେଳିର ମୃତ୍ୟୁ ହୋଇଯାଏ I ଏହି ରୋଗକୁ ପ୍ରତିହତ କରିବା ପାଇଁ ଛେଳିକୁ ଟୀକାକାରଣ କରିବା ଉଚିତI ଏଣ୍ଟେରୋଟୋକ୍ସିମିଆଁ (ଅନ୍ଥଃ ବିଷାଣୁ): ଏହି ରୋଗ ଯୋଗୁଁ ଛୁଆମାନେ ଅଧିକ ଆକ୍ରାନ୍ତ ହୁଅନ୍ତି I ଏହି ରୋଗ ହେଲେ କଳା ଓ ବାଦାମୀ ରଙ୍ଗର ପତଳା ଝାଡା ହୁଏ I ତଳ ପେଟରେ ଯନ୍ତ୍ରଣ ହେବା ସହ ଛେଳିଟିର ମୃତ୍ୟୁ ହୋଇଥାଏ I ବୟସ୍କ ଛେଳିମାନେ ଏହି ରୋଗ ହେଲେ ଶୁଖି ଯାଆନ୍ତି I ପରଜୀବୀ ରୋଗ: ଛେଳିମାନେ ପଡିଆରେ ଚରିବା ସମୟରେ ପରଜୀବୀ ଛେଳିର ଦେହ ଭିତରେ ପ୍ରବେଶ କରିଥାଏ I କୃମି ଯୋଗୁଁ ଶରୀର ବୃଦ୍ଧି କମି ଯାଇଥାଏ I ଛେଳି ମେଣ୍ଢାରେ ପରଜୀବୀ ଅଣ୍ଡା ପରିଲ୍ଲଖିତ ହୁଏ I ଚିକିତ୍ସା ପାଇଁ ପଶୁଡାକ୍ତରଙ୍କ ପରାମର୍ଶ ନିଅନ୍ତୁ I ଟିଙ୍କ ଓ ଉକୁଣି: ବେଳେ ବେଳେ ଟିଙ୍କ ଓ ଉକୁଣି ଛେଳି ଦେହରୁ ରକ୍ତ ଶୋଷି ନିଅନ୍ତି I ଏହା ଛେଳିଦେହରେ ରକ୍ତ ହୀନତା ସୃଷ୍ଟି କରେ I ଯଦି ଗୁହାଳକୁ ସଫାରଖାଯାଏ, ଏହି ପୋକର ଆକ୍ରମଣ କମିଯାଏ I ଟିଙ୍କ ଓ ଉକୁଣି ଆକ୍ରମଣକୁ ପ୍ରତିହତ କରିବା ପାଇଁ, କାନ୍ଥ ଉପରେ କୀଟନାଶକ ଔଷଧ ସିଞ୍ଚନ କରନ୍ତୁ I ସୋପାନ - ୩: ଛେଳି ରୋଗର ଲକ୍ଷଣ : ଚାଷୀମାନଙ୍କୁ କୁହନ୍ତୁ କି ନିମ୍ନଲିଖିତ ଲକ୍ଷଣମାନ ଦେଖାଦେଲେ ସାଧାରଣତଃ ଛେଳି ରୁଗ୍ଣ ଅଛି ବୋଲି ଜଣା ପଡିଥାଏ : ଶରୀର ଓଜନ କମି ଯାଇଥାଏ I ଶରୀରରେ ଜଳୀୟ ଅଂଶ କମିଯିବା ଯୋଗୁଁ ଚମଡା ଶୁଖିଲା ହୋଇଯାଏ I ଛେଳି ଛୋଟେଇ ଚାଲୁଥାଏ I ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା I ନାକ, ପାଟି, ଆଖି କିମ୍ବା ଯୌନାଙ୍ଗରୁ ଯଦି ଅସ୍ୱାଭାବିକ ପଦାର୍ଥ ଝରୁଥାଏ I ଝାଡାରେ ରକ୍ତ ପଡୁଥାଏ ବା ଝାଡା ପତଳା ହେଉଥାଏ I ଦେହରେ ଉତ୍ତାପ ବଢ଼ିଯାଏ I ଆଖି ସେଥା ପଡିଯାଏ I ଚମଡାରୁ ବାଳ ଝଡି ଯାଉଥାଏ I ଖାଇବା ବନ୍ଦ କରିଦିଏ କିମ୍ବା ଅଳ୍ପ ଖାଉଥାଏ I ସୋପାନ - ୪: ଟୀକାକରଣ ସାରଣୀ : ତଳେ ଛେଳିକୁ ଦିଆଯାଉଥିବା ରୋଗ ପ୍ରତିଷେଧକ , ଟୀକାକରଣର ବୟସ ଓ ଟୀକାଦାନ ପଦ୍ଧତି ବିଷୟରେ ଉଲ୍ଲେଖ କରାଯାଇଛି I ଚାଷୀମାନଙ୍କୁ ଏହି ଚାର୍ଟ ଦେଖାନ୍ତୁ । ପ୍ରତିଷେଧକ ଟୀକାର ନାମ ବୟସ ପଦ୍ଧତି ଫାଟୁଆ ୪ ମାସ ୧ ମି.ଲି.ଆନ୍ତ୍ର-ମାଂସପେଶୀୟ, ବାର୍ଷିକ ପୁନରାବୃତ୍ତି ଏଣ୍ଟେରୋଟୋକ୍ସିମିଆଁ ୪ ମାସ ୨ ମି.ଲି.ଚର୍ମତଳେ,ବାର୍ଷିକ ପୁନରାବୃତ୍ତି ପିପିଆର୍ ୪ ମାସ ୧ ମି.ଲି.ଚର୍ମତଳେ, ବାର୍ଷିକ ପୁନରାବୃତ୍ତି ବସନ୍ତ ୬ ମାସ ୦.୫ ମି.ଲି. ଚର୍ମତଳେ ଗଳାଫୁଲା ରୋଗ / ବଜବଜିଆ ରୋଗ(ଆଲମ) ୬ ମାସ ୨ ମି.ଲି.ଚର୍ମତଳେ, ବାର୍ଷିକ ପୁନରାବୃତ୍ତି କୃମି ନାଶକ ପ୍ରତି ତିନି-ଚାରି ମାସ ଅନ୍ତରାଳରେ ଉପସଂହାର ଅଧିବେଶନର ଶେଷ ଆଡକୁ, ଜଣେ ଅଂଶଗ୍ରହଣକାରୀଙ୍କୁ ଛେଳିମାନଙ୍କ ମଧ୍ୟରେ ଦେଖାଯାଉଥିବା ରୋଗ ଓ ଏହାର ଲକ୍ଷଣ ସବୁକୁ ବର୍ଣ୍ଣନା କରିବା ପାଇଁ କୁହନ୍ତୁ I ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ସେମାନେ କ'ଣ କରିବେ ପଚାରନ୍ତୁ I ଏହା ମଧ୍ୟ ପଚାରନ୍ତୁ କି ସେମାନେ ପ୍ରତିଷେଧକ ଟୀକାକରଣର ସାରଣୀକୁ ଠିକ ଭାବରେ ବୁଝିଛନ୍ତି କି ନାହିଁ I ଆଧାର – ପୋର୍ଟାଲ ଟିମ