ଲକ୍ଷ୍ୟ ଚାଷ ଜମିରୁ ଆରମ୍ବ କରି ବଜାର ପର୍ଯ୍ୟନ୍ତ ପରିବହନ ସମୟରେ ହେଉଥିବା ଫସଲ କ୍ଷତିକୁ କମ କରିବା ପାଇଁ ଚାଷୀମାନଙ୍କୁ ଆଧୁନିକ ଅମଳ-ପରବର୍ତ୍ତୀ ପରିଚାଳନାର ଜ୍ଞାନ କୌଶଳ ବିଷୟରେ ବୁଝାଇବା I ଶିକ୍ଷଣୀୟ ଉଦ୍ଦେଶ୍ୟ ଚାଷୀମାନଙ୍କୁ ରବି ଫସଲର ସଠିକ ଅମଳର ସମୟ, ଅମଳର ପଦ୍ଧତ୍ତି, ଫଳ ଏବଂ ପରିବା ସଂରକ୍ଷଣ ତଥା ବିହନ ଉତ୍ପାଦନ ବିଷୟରେ ଶିକ୍ଷାଦାନ କରିବା I ପ୍ରୟୋଜନ ବେଳେ ବେଳେ ଅସମୟରେ ଅମଳ କରିବା ଫଳରେ ଶସ୍ୟହାନୀ ହୋଇଥାଏ I ଫଳକୁ ପାକଳ ହେବା ଆଗରୁ ଅମଳ କରିଦେଲେ କିମ୍ବା ଅଧିକ ପାକଳ ହୋଇଗଲେ ଏହାକୁ ଅଧିକ ଦିନ ସଂରକ୍ଷଣ କରି ହୁଏ ନାହିଁ ଏବଂ ଏହାର ବଜାର ଚାହିଦା ମଧ୍ୟ କମ ହୋଇଥାଏ I ଅନୁପଯୁକ୍ତ ଅମଳ ପଦ୍ଧତ୍ତି କାରଣରୁ ପନିପରିବା ଫସଲରେ ମଧ୍ୟ କ୍ଷତି ହୋଇଥାଏ I ଅଣ-ବୈଜ୍ଞାନିକ ପଦ୍ଧତିରେ ବିହନ ଉତ୍ପାଦନ କାରଣରୁ ଚାଷୀମାନେ ଉପଯୁକ୍ତ ବିହନ ବ୍ୟବହାର କରିବା ପାଇଁ ଅସୁବିଧାର ସମ୍ମୁଖିନ ହୋଇ ଥାଆନ୍ତି I ଏହି ଦିଗବିଷୟରେ ଚାଷୀମାନଙ୍କର ଜ୍ଞାନ ବର୍ଦ୍ଧନ କଲେ ସେମାନେ ବହୁତ ଉପକୃତ ହେବେ I ରବି ଫସଲର ଅମଳ ପ୍ରଶିକ୍ଷଣ ମଡ୍ୟୁଲ ଚାରିଗୋଟି ଅଧିବେଶନକୁ ନେଇ ଗଠିତ ଅଧିବେଶନ ୯.୧: ଅମଳ କରିବା ପାଇଁ ସଠିକ ସମୟ ନିର୍ଦ୍ଧାରଣ କରିବା ଅଧିବେଶନ ୯.୨: ଅମଳ କରିବା ପଦ୍ଧତ୍ତି ଅଧିବେଶନ ୯.୩: ଫଳ ଓ ପନିପରିବା ସଂରକ୍ଷଣ ଅଧିବେଶନ ୯.୪: ବିହନ ଉତ୍ପାଦନ ଅମଳ ପାଇଁ ସଠିକ ସମୟ ନିର୍ଦ୍ଧାରଣ କରିବା ଅଧିବେଶନ ୯.୧ ଅମଳ ପାଇଁ ସଠିକ ସମୟ ନିର୍ଦ୍ଧାରଣ କରିବା I ଉଦ୍ଦେଶ୍ୟ ସଠିକ ସମୟରେ ଅମଳ କରିବା ପାଇଁ ଚାଷୀମାନଙ୍କୁ ଶିକ୍ଷା ଦେବା I ପଦ୍ଧତି ବ୍ୟାଖ୍ୟାନ ଏବଂ ପୋଷ୍ଟର ମାଧ୍ୟମରେ ସିଆରପିମାନେ ଅଧିବେଶନକୁ ସଞ୍ଚାଳନ କରିବେ ଏବଂ ଅଂଶଗ୍ରହଣକାରୀମାନଙ୍କୁ ଫସଲ ଅମଳର ସଠିକ ସମୟ ବିଷୟରେ ବୁଝାଇବେ I ଏହା ପରେ ସେମାନଙ୍କୁ ଚାଷୀର କ୍ଷେତକୁ ନେଇ ଏହାର ପ୍ରଦର୍ଶନ କରାଯିବ I ଅଂଶଗ୍ରହଣକାରୀ ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ ତଥା ଗ୍ରାମର ଅନ୍ୟାନ୍ୟ ଚାଷୀ I ସଭା ସ୍ଥାନ ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ପ୍ରଦର୍ଶନ ପାଇଁ ଚାଷୀର କ୍ଷେତ I ଦରକାରୀ ସାମଗ୍ରୀ ପୋଷ୍ଟର, ଚାର୍ଟ କାଗଜ, କଲମ୍, ପ୍ରଦର୍ଶନ ପାଇଁ ବିଲରେ ଥିବା ଠିଆ ଫସଲ I ସମୟସୀମା ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ | ପ୍ରଦର୍ଶନ – ୬୦ ମିନିଟ୍ | ପୃଷ୍ଠଭୁମୀ ଫସଲକୁ ଉପଯୁକ୍ତ ସମୟରେ ଅମଳ କରିବାର ଲାଭ ଓ କ୍ଷତିକୁ ଚାଷୀମାନଙ୍କୁ ବୁଝାନ୍ତୁ I ସଠିକ ସମୟରେ ଅମଳ କଲେ ଅମଳ ପରିମାଣ ଅଧିକ ହେବା ସହ ଶସ୍ୟ କିମ୍ବା ଫଳର ମାନ ମଧ୍ୟ ଉତ୍ତମ ହୋଇଥାଏ I ଅମଳ ହୋଇଥିବା ଫଳର ସଂରକ୍ଷଣ ସମୟ ଅଧିକ ହୋଇଥାଏ I ସଠିକ ସମୟରେ ଅମଳ କଲେ ଏହା ପରବର୍ତ୍ତୀ ଫସଲର ପ୍ରାକ-ବୁଣା କାର୍ଯ୍ୟଠାରୁ ଆରମ୍ଭ କରି ଅନ୍ୟାନ୍ୟ ଚାଷ କାମ କରିବା ମଧ୍ୟ ଉପଯୁକ୍ତ ସମୟରେ ହୋଇଥାଏ I ଏହି ସବୁ ସୁବିଧା ପାଇବା ପାଇଁ ଚାଷୀମାନଙ୍କୁ ଫସଲର ଉପଯୁକ୍ତ ଅମଳ ସମୟକୁ ନିର୍ଧାରଣ କରିବାର ଉପାୟକୁ ଚାଷୀମାନଙ୍କୁ କୁହନ୍ତୁ I ସୋପାନ-ପର-ସୋପାନ କାର୍ଯ୍ୟକ୍ରମ ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ସବୁ ଅଂଶଗ୍ରହଣକାରୀମାନଙ୍କୁ ଗ୍ରାମର ଏକ ସୁବିଧାଜନକ ସ୍ଥାନରେ ଅଧିବେଶନ ସଞ୍ଚାଳନ କରିବା ପାଇଁ ଏକତ୍ର କରନ୍ତୁ I ପ୍ରଥମେ, ନିର୍ବାଚନ କରାଯାଇଥିବା ରବି ଫସଲର ଉପଯୁକ୍ତ ଅମଳ ସମୟ ବିଷୟରେ ଚାଷୀମାନଙ୍କର ଜ୍ଞାନକୁ ଆକଳନ କରନ୍ତୁ I ଆଲୋଚନାକୁ ଜାରିରଖି ସେମାନଙ୍କୁ ପଚାରନ୍ତୁ ଯେ ଗତ ରବି ଋତୁରେ ଫସଲ ଅମଳରେ ବିଳମ୍ବ କାରଣରୁ କାହାର ଫସଲ ଅମଳ ପରିମାଣ କମ ହୋଇ ଥିଲା କି I ସେହିପରି ପଚାରନ୍ତୁ କି ସହଳ ଅମଳ କରିବା ଦ୍ୱାରା ଶସ୍ୟର ମାନ ଖରାପ ହୋଇଥିଲା କି I ଠିକ ସମୟରେ ଅମଳ କଲେ ଶସ୍ୟ ଏବଂ ଫଳର ମାନ ଏବଂ ପରିମାଣ ବଜାୟ ରହିଥାଏ I ସମୟାନୁସାରେ ଅମଳ କଲେ ଅମଳ ହୋଇଥିବା ଫଳର ସଂରକ୍ଷଣ ଅବଧି ଅଧିକ ହୋଇଥାଏ I ସଠିକ ସମୟରେ ଅମଳ କଲେ ଏହା ପରବର୍ତ୍ତୀ ଫସଲର ପ୍ରାକ-ବୁଣା କାର୍ଯ୍ୟଠାରୁ ଆରମ୍ଭ କରି ଅନ୍ୟାନ୍ୟ ଚାଷ କାମ କରିବା ମଧ୍ୟ ଉପଯୁକ୍ତ ସମୟରେ ହୋଇଥାଏ I ବର୍ତ୍ତମାନ ଏହି ସମସ୍ୟାର ସମାଧାନ ପାଇଁ ଉପାୟ ସବୁକୁ କୁହନ୍ତୁ I ସୋପାନ -୨: ରବ ଫସଲର ସଠିକ ଅମଳ କରିବା ସମୟ କିପରି ନିର୍ଦ୍ଧାରଣ କରିବେ: ଚାଷୀମାନଙ୍କୁ କୁହନ୍ତୁ ଯେ ରବି ଫସଲର ମାନ ବଜାୟ ରଖିବା ପାଇଁ ଅମଳର ଉଚିତ ସମୟ ଜାଣିବା ନିତାନ୍ତ ଆବଶ୍ୟକ I ଉଭୟ ବିଳମ୍ବ ଏବଂ ସହଳ ଅମଳ ଫସଲ ପାଇଁ କ୍ଷତିକାରକ I ସହଳ ଅମଳ କଲେ ଅମଳ ପରିମାଣ କମି ଯାଇଥାଏ ଏବଂ ବିଳମ୍ବ ଅମଳ କଲେ ଉତ୍ପାଦର ମାନ ଖରାପ ହୋଇଥାଏ I ଅଧିକନ୍ତୁ, ପାକଳ ହୋଇନଥିବା ଉତ୍ପାଦକୁ ଅଧିକ ଦିନ ସଂରକ୍ଷଣ କରି ରଖିହେବନାହିଁ I କିଛି ବିଶେଷ ଫସଲ ପାଇଁ ଉଚିତ ସମୟ ନିର୍ଦ୍ଧାରଣ କରିବାର କିଛି ଲକ୍ଷଣସବୁ ଉଲ୍ଲେଖ କରାଯାଇଅଛି I ଚାଷୀମାନଙ୍କୁ ଏହାକୁ ପ୍ରଦର୍ଶନ କରାନ୍ତୁ I: ଗହମ: ଗହମ ଫସଲରେ ବୁଣିବାର ୪୫ ଦିନପରେ ଫୁଲ ଆସିଥାଏ ଏବଂ ଫୁଲ ଆସିବାର ୪୫ ଦିନପରେ ଫସଲ ପାକଳ ହୋଇଥାଏ ଅର୍ଥାତ ବୁଣିବାର ୯୦ ଦିନପରେ ଫସଲ ପାକଳ ହୋଇଥାଏ I ଯେତେବେଳେ ଗଛ ସବୁ ସମ୍ପୂର୍ଣ ଭାବେ ହଳଦିଆ ପଡିଯାଏ ଏବଂ ଶସ୍ୟ କଠିନ ହୋଇଯାଏ ଫସଲ ଅମଳ ପାଇଁ ପ୍ରସ୍ତୁତ ହୋଇଯାଇଥାଏ I ଏହି ଅବସ୍ଥାରେ ପହଞ୍ଚିଲେ ଗଛର କାଣ୍ଡକୁ ବଙ୍କାକଲେ ଏହା ଭାଙ୍ଗିଯାଇଥାଏ ଏବଂ ଏହା ଇଙ୍ଗିତ କରେ ଯେ ଫସଲ ଅମଳ ପାଇଁ ପ୍ରସ୍ତୁତ ହୋଇଯାଇଅଛି I ଗହମକୁ ସାଧାରଣଭାବେ ପ୍ରତ୍ୟେକ ବର୍ଷର ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ଅମଳ କରାଯାଇଥାଏ I ଏହି ସମୟରେ କୁଆ ପଥର ବୃଷ୍ଟି ହୋଇଥାଏ, ତେଣୁ ଅମଳକୁ ବିଳମ୍ବ କରିବା ଉଚିତ ନୁହେଁ I ପରିବା ମକା: ମାଈଫୁଲ କିମ୍ବା ଚଅଁର ଆସିବା ମାତ୍ରେ ମକା ଭଣ୍ଡାକୁ ଅମଳ କରି ଦିଅନ୍ତୁ I ଅମଳ କରିବାରେ ବିଳମ୍ବ କଲେ ଫସଲର ମାନ ଖରାପ ହେବା ଆଶଙ୍କା ରହିଥାଏ I ଶୀତ ଋତୁରେ ବୁଣିବାର ୫୫ ଦିନରେ ଫସଲ ଅମଳ ପାଇଁ ପ୍ରସ୍ତୁତ ହୋଇଯାଇଥାଏ I ମଧୁର ମକା: ମକାର ବାହାର ଆବରଣ ସବୁଜ ହୋଇ ଚଅଁର ଶୁଖିଗଲେ ଏହାକୁ ଅମଳ କରାଯାଏ I ଏହାକୁ ନଖରେ ଚିପିଲେ ଦାନା କୋମଳ ଲାଗେ I ଶୀତ ଋତୁରେ ବୁଣିବାର ପ୍ରାଯ ୭୫ ରୁ ୮୦ ଦିନପରେ ଏହାକୁ ଅମଳ କରାଯାଇଥାଏ I ଅନ୍ୟଥା ଏହାର ସ୍ୱାଦ ଧିରେ ଧିରେ କମି ଯାଇଥାଏ I ସୋରିଷ: ଛୁଇଁ ସବୁ ହଳଦିଆ ହୋଇଗଲେ ଅମଳ ପାଇଁ ସଠିକ ସମୟ ହୋଇଥାଏ I ଅଧିକ ଡେରି କଲେ ଛୁଇଁ ଫାଟିଯାଇ ଦାନା ନଷ୍ଟ ହୋଇଯାଇଥାଏ I ପେଶୀ ତେଲ: ଫସଲ ପାକଳ ହେଲେ ମଞ୍ଜିସବୁ ଚକ୍ ଚକ୍ କରୁଥାଏ I ଯେତେବେଳେ ଫଳ ସ୍ୱର୍ଣିମ ହଳଦିଆ ହୋଇଯାଏ ଏହା ଅମଳଯୋଗ୍ୟ ହୋଇଯାଇଥାଏ I ଆଳୁ: ପତ୍ର ହଳଦିଆ ପଡିଗଲେ ଏହାକୁ ଅମଳ କରାଯାଏ I ଅମଳ କରିବାର ସାତଦିନ ପୂର୍ବରୁ ଜଳ ସେଚନ ବନ୍ଦ କରିଦେବା ଉଚିତ I ବିଲାତି ବାଇଗଣ: ଫଳ ହଳଦିଆ କିମ୍ବା ଲାଲ୍ ରଙ୍ଗର ହୋଇଗଲେ ଏହାକୁ ଅମଳ କରାଯାଏ I ସାଧାରଣଭାବେ ବୁଣିବାର ୧୦୦ ରୁ ୧୨୦ ଦିନ ପରେ ଫଳ ପାକଳ ହେବା ଆରମ୍ଭ ହୋଇଥାଏ I ଅମଳରେ ବିଳମ୍ବ କଲେ ଅଧିକ ପାଚିଯିବା କାରଣରୁ ଏହାକୁ ଦୂର ଜାଗାକୁ ପରିବହନ କରିବା ପାଇଁ ସମସ୍ୟା ହୋଇଥାଏ I ମୂଳା: ମୂଳ ନରମ ଥିବା ଅବସ୍ଥାରେ ମୂଳାକୁ ଅମଲ କରାଯାଏ I ବୁଣିବାର ଷାଠିଏ (୬୦) ଦିନରେ ଏହା ଅମଳ ହୋଇଥାଏ I ରସୁଣ: ଫସଲର ଅମଳ ଅବଧି ବୁଣିବାର ଚାରି ରୁ ପାଞ୍ଚ ମାସ ପର୍ଯ୍ୟନ୍ତ ହୋଇଥାଏ ଏବଂ ଉପର ପତ୍ର ହଳଦିଆ ହୋଇଗଲେ ରସୁଣକୁ ଅମଳ କରାଯାଏ I ଅଦା/ହଳଦି: ଗଛ ଶୁଖିଗଲେ ଏହାକୁ ଅମଳ କରାଯାଏ I ତରଭୂଜ: ବୁଣିବାର ଚାରି ମାସ ପରେ ଏହାକୁ ଅମଳ କରାଯାଏ I ଫଳକୁ ହାତରେ ପିଟିଲେ, ପାଚିଲା ଫଳରୁ ମନ୍ଦ ଶବ୍ଦ ଆସିଥାଏ I ସୋପାନ -୩: ପ୍ରଦର୍ଶନ: ଶ୍ରେଣୀ-କକ୍ଷ ଅଧିବେଶନ ପରେ ଅଂଶଗ୍ରହଣକାରୀମାନଙ୍କୁ ଏକ ନିକଟବର୍ତ୍ତୀ ଚାଷୀର ବିଲକୁ ପ୍ରଦର୍ଶନରେ ନିଅନ୍ତୁ ଯେଉଁଠାରେ କିଛି ମୁଖ୍ୟ ଫସଲର ଅମଳ ହେଉଥିବ I ଅଂଶଗ୍ରହଣକାରୀମାନେ ଅମଳର ବିଭିନ୍ନ ଚରଣ ସବୁକୁ କେତେଦୁର ବୁଝିପାରିଛନ୍ତି, ଜାଣିବାପାଇଁ ସେମାନଙ୍କୁ ପଚାରନ୍ତୁ ଯେ ବର୍ତ୍ତମାନ ସେମାନେ ଦେଖୁଥିବା "ଅମଳ ଚରଣ"ର ନାମ କ'ଣ ? ସେମାନେ ଅମଳର ବିଭିନ୍ନ କାର୍ଯ୍ୟ ଯେପରିକି କାଟିବା, ଶୁଖାଇବା, ପରିବହନ କରିବା, ବସ୍ତାରେ ବାନ୍ଧିବା, ଅମଳ କରିବା, ସଫା କରିବା ଏବଂ ପ୍ୟାକିଙ୍ଗ କରିବା ଇତ୍ୟାଦିକୁ ଚିହ୍ନଟ କରିବା ସହ ଏହି ସବୁର ପ୍ରଭେଦକୁ ଜାଣି ପାରୁଥିବା ଉଚିତ I ସେହିପରି ଭାବେ ବିଭିନ୍ନ ଉପକରଣ ଯଥା ଦା, ଅମଳକରିବା ଯନ୍ତ୍ର, ଅଖା ବସ୍ତା ଇତ୍ୟାଦି ଦେଖାଇ ସେମାନଙ୍କୁ ପଚାରନ୍ତୁ ଯେ ଏହିସବୁ ଉପକରଣ ଅମଳ ସମୟରେ କ'ଣ କାମରେ ଆସିଥାଏ I ଅମଳର ବିଭିନ୍ନ ପଦ୍ଧତି ଯଥା କାଟିବା (ଧାନ), ତୋଳିବା (ପରିବା) ଏବଂ ଖୋଲିବା (ଆଳୁ) ଇତ୍ୟାଦି ଦେଖାଇବା ପାଇଁ ଏହିସବୁ ଫସଲ ଅମଳ ପର୍ଯ୍ୟାୟରେ ଥିବା ବିଭିନ୍ନ ଚାଷ ଜମିକୁ ଅଂଶଗ୍ରହଣକାରୀମାନଙ୍କୁ ନିଅନ୍ତୁ I ଉପସଂହାର ଏହା ଧରିନିଆଯିବ ଯେ ଫସଲର ଉପଯୁକ୍ତ ଅମଳ ସମୟ ବିଷୟରେ ସେମାନେ ସଠିକ ଭାବେ ବୁଝି ପାରିଥିବେ ଏବଂ ପ୍ରତ୍ୟେକ ଫସଲ ପାଇଁ ଏହା କିପରି ନିର୍ଦ୍ଧାରଣ କରାଯିବ I ଅଧିବେଶନକୁ ସମାପ୍ତ କରି ସୁନିଶ୍ଚିତ କରନ୍ତୁ ଯେ ସେମାନେ ଫସଲକୁ ଉପଯୁକ୍ତ ସମୟରେ ଅମଳ କରିବା ପାଇଁ ଠିକ ଭାବେ ବୁଝିଛନ୍ତି I ଆଧାର – ପୋର୍ଟାଲ ଟିମ