ଅଧିବେଶନ ୯.୪ ବିହନ ଉତ୍ପାଦନ I ଉଦ୍ଦେଶ୍ୟ ପରବର୍ତ୍ତୀ ଚାଷ ଋତୁରେ ଶସ୍ୟ୍, ପରିବା ଏବଂ ଫଳ ଚାଷ କରିବା ପାଇଁ ଉତ୍ତମ ମାନର ବିହନ ପାଇବାକୁ ଭଲ ବିହନ ସଂରକ୍ଷଣ କରିବାର ମହତ୍ୱ ବିଷୟରେ ଚାଷୀମାନଙ୍କୁ ଶିକ୍ଷାଦାନ କରିବା I ପଦ୍ଧତି ପୋଷ୍ଟର ଏବଂ ବ୍ୟାଖ୍ୟାନ ମାଧ୍ୟମରେ ସିଆରପିମାନେ ଏହି ଅଧିବେଶନକୁ ସଞ୍ଚାଳନ କରିବେ ଏବଂ ବିହନ ଉତ୍ପାଦନ ପ୍ରକ୍ରିୟାକୁ ବୁଝାଇବେ I ଅଂଶଗ୍ରହଣକାରୀ ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ ଏବଂ ପରିବାରର ପୁରୁଷମାନେ I ସଭା ସ୍ଥାନ ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I ଦରକାରୀ ସାମଗ୍ରୀ ପୋଷ୍ଟର I ସମୟସୀମା ଶ୍ରେଣୀ କକ୍ଷ ଅଧିବେଶନ- ୨୫ମିନିଟ୍ | ପୃଷ୍ଠଭୁମୀ ନିଜର ବିହନ ଉତ୍ପାଦନ କଲେ ଆଗାମୀ ଋତୁରେ ବୁଣା କାର୍ଯ୍ୟ କରିବା ଆରମ୍ଭ କରିବା ପାଇଁ ସମୟର ସଞ୍ଚୟ ହୋଇଥାଏ I ଏହାବାଦ, ନିଜର ବିହନ ଉତ୍ପାଦନ କଲେ ଖର୍ଚ୍ଚ ମଧ୍ୟ କମ ହୋଇଥାଏ I ସୋପାନ - ପର - ସୋପାନ କାର୍ଯ୍ୟକ୍ରମ ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ଆଲୋଚନାକୁ ଆରମ୍ଭ କରି ଚାଷୀମାନଙ୍କୁ ପଚାରନ୍ତୁ ଯେ ସେମାନେ ଫସଲ ଚାଷ ପାଇଁ କେଉଁଠାରୁ ବିହନ ସଂଗ୍ରହ କରିଥାଆନ୍ତି I ବିହନ ମିଳୁଥିବା ବିଭିନ୍ନ ଉତ୍ସ ଯଥା ନିଜର ବିହନ, ଅନ୍ୟ ଚାଷୀମାନଙ୍କ ଠାରୁ ସଂଗୃହିତ ବିହନ ଏବଂ ବଜାରରୁ କିଣୁଥିବା ବିହନ ବିଷୟରେ ସେମାନଙ୍କ ସହ ଅଲୋଚନା କରନ୍ତୁ I ସୋପାନ -୨: ନିଜର ବିହନ ଉତ୍ପାଦନ କରିବାର ଉଦ୍ଦେଶ୍ୟ: ଅନେକ ସମୟରେ ଚାଷୀମାନେ ଉତ୍ତମ ମାନର ବିହନ ପାଇବା ପାଇଁ ଅସୁବିଧାର ସମ୍ମୁଖିନ ହୋଇଥାଆନ୍ତି I ଠିକ ସମୟରେ ବିହନ ନ ମିଳିଲେ ବୁଣା କାର୍ଯ୍ୟ ବିଳମ୍ବ ହୋଇଯାଏ I ଏହା ବ୍ୟତୀତ ବିହନ ବଜାରରୁ କିମ୍ବା ଅନ୍ୟ ଚାଷୀଙ୍କ ଠାରୁ କିଣିବା ପାଇଁ ଅର୍ଥ ଖର୍ଚ୍ଚ ହୋଇଥାଏ I ଏହି ପ୍ରକାର ପରିସ୍ଥିତିରୁ ମୁକୁଳିବା ପାଇଁ ଚାଷୀମାନଙ୍କୁ ନିଜର ବିହନ ଉତ୍ପାଦନ କରିବା ପାଇଁ ଉତ୍ସାହିତ କରିବା ଉଚିତ I ଏହାପରେ ବୈଜ୍ଞାନିକମାନଙ୍କ ତତ୍ତ୍ୱାବଧନତାରେ ପ୍ରଜଜକ ବିହନ ଉତ୍ପାଦନ କରାଯାଏ I ପ୍ରଜଜକ ବିହନରୁ ବିହନ ପ୍ରମାଣିକରଣ ମାଧ୍ୟମରେ ପିଣ୍ଡ ବିହନ ଉତ୍ପାଦନ କରାଯାଏ ଏବଂ ପିଣ୍ଡବିହନରୁ ପ୍ରାମାଣିକ ବିହନ ଉତ୍ପାଦନ କରାଯାଇଥାଏ I କିନ୍ତୁ, ଚାଷୀମାନେ ନିଜ ଉତ୍ପାଦରୁ ସେମାନଙ୍କର ନିଜର ବିହନ ଉତ୍ପାଦନ କରିବା ଉଚିତ I ସୋପାନ -୩: ଉତ୍ତମ ମାନର ବିହନ କିପରି ଉତ୍ପାଦନ କରିହେବ: ଚାଷୀମାନଙ୍କୁ କୁନନ୍ତୁ ଯେ ଉତ୍ତମ ମାନର ବିହନ ଉତ୍ପାଦନ କରିବା ପାଇଁ ନିମ୍ନ ଲିଖିତ ଦିଗସବୁକୁ ବିଚାରକୁ ନେବା ଉଚିତ: ବିହନର ଉତ୍ସ ବିଶୁଦ୍ଧ ସୂତରୁ ଆଣିବାକୁ ସୁନିଶ୍ଚିତ କରନ୍ତୁ I ବିହନ ଉତ୍ପାଦନ ପାଇଁ ପିଣ୍ଡ ବିହନ କିମ୍ବା ପ୍ରାମାଣିକ ବିହନକୁ ବ୍ୟବହାର କରିବା ଉଚିତ I ବିହନ ଉତ୍ପାଦନ ସମୟରେ ଅନ୍ୟ ଫସଲଠାରୁ ନ୍ୟୁନତମ ଅନ୍ତରଣ ଦୂରତା ବଜାୟ ରଖନ୍ତୁ I ବିହନ ଉତ୍ପାଦନ କରାଯାଉଥିବା ସମାନ ଫସଲର ଅନ୍ୟ କିସମ ଆଖ ପାଖରେ ଚାଷ କରିବା ଉଚିତ ନୁହେଁ I ଆଗାମୀ ଋତୁରେ ବିହନ ଉତ୍ପାଦନ ପାଇଁ ବ୍ୟବହୃତ ହେବାକୁ ଥିବା ଜମିରୁ ଅନାବଶ୍ୟକ କିସମ ଏବଂ ଅନ୍ୟାନ୍ୟ ଫସଲ ସବୁକୁ ବାହାର କରି ଦିଅନ୍ତୁ I ରୋଗ ପୋକ ଆକ୍ରମଣରୁ ପ୍ରତିରୋଧ କରିବା ପାଇଁ ଯତ୍ନ ନେବା ଉଚିତ I ରୋଗାକ୍ରାନ୍ତ ଫଳ କିମ୍ବା ଶସ୍ୟରୁ ବିହନ ସଂଗ୍ରହ କରିବା ଉଚିତ ନୁହେଁ I ଫଳ କିମ୍ବା ଶସ୍ୟ ସମ୍ପୂର୍ଣ ଭାବେ ପାକଳ ହୋଇଗଲା ପରେ ଅମଳ କରନ୍ତୁ I ଭଲ ଭାବେ ଖରାରେ ଶୁଖାଇଲା ପରେ ବିହନକୁ ସଂରକ୍ଷଣ କରିବା ଉଚିତ I ସଙ୍କର କିସମ ବିହନ ଉତ୍ପାଦନ କରିବା ଉଚିତ ନୁହେଁ I ସୋପାନ -୪: କିଛି ଫସଲର ଅନ୍ତରଣ (Isolation) ଦୂରତା: ବିହନ ଉତ୍ପାଦନ ଉଦ୍ଦେଶ୍ୟରେ ଚାଷ କରାଯାଉଥିବା ଫସଲ ପାଇଁ ବ୍ୟବହୃତ ଜମି ଏବଂ ଆଖ ପାଖରେ ସେହି ଏକା ପ୍ରକାର ଫସଲ ଚାଷ କରାଯାଉଥିବା ଜମି ମଧ୍ୟରେ ଅନୁମୋଦିତ ନ୍ୟୁନତମ ଦୂରତା ରକ୍ଷା କରିବା ଆବଶ୍ୟକ I ଏହି ଦୂରତାକୁ ଅନ୍ତରଣ ଦୂରତା କୁହାଯାଏ I କିଛି ରବି ଫସଲ ପାଇଁ ନ୍ୟନତମ ଅନ୍ତରଣ ଦୂରତା ନିମ୍ନରେ ଉଲ୍ଲେଖ କରାଯାଇଅଛି : କ୍ର. ନଂ. ଫସଲର ନାମ ଦୂରତା (ମିଟର) ୧ ଧାନ ଓ ଗହମ ୩ ୨ ମକା ୨୦୦ ୩ ବିରି, ମୁଗ, ମତର ଏବଂ ମାଣ୍ଡିଆ ୧୦ ୪ ହରଡ ଏବଂ ଟୋମାଟୋ ୨୫ ୫ ସୋରିଷ ଏବଂ ଭେଣ୍ଡି ୨୦୦ ୬ ବାଇଗଣ ୧୦୦ ୭ କଖାରୁ, କାକୁଡି, ଜହ୍ନି, କଲରା, ଛଛିନ୍ଦ୍ରା ଏବଂ ତରଭୂଜ ୫୦୦ ୮ ବନ୍ଧାକୋବି, ଫୁଲକୋବି ଏବଂ ମୂଳା ୧୦୦୦ ସୋପାନ -୫: କିଛି ପରିବା ଫସଲ ପାଇଁ ବିହନ ଉତ୍ପାଦନ ପ୍ରକ୍ରିୟା: ଏକ ପୋଷ୍ଟର ବ୍ୟବହାର କରି ଚାଷୀମାନଙ୍କୁ କିଛି ଫଳ ଏବଂ ପନିପରିବା ପାଇଁ ବିହନ କିପରି ଭାବେ ପ୍ରସ୍ତୁତ କରାଯାଏ ବୁଝାନ୍ତୁ I କିଛି ସାଧାରଣ ଫସଲ ପାଇଁ ବିହନ ଉତ୍ପାଦନ ପ୍ରଣାଳୀ ଚାଷୀମାନଙ୍କ ଅବଗତି ନିମନ୍ତେ କୁହନ୍ତୁ: ବିଲାତି ବାଇଗଣ: ଅଧିକ ବିଳମ୍ବ ନ କରି ଫଳ ସବୁ ପାକଳ ହେବା ସାଙ୍ଗେ ସାଙ୍ଗେ ଅମଳ କରନ୍ତୁ I ଫଳକୁ ଦୁଇ ଭାଗରେ କାଟି ମଞ୍ଜିକୁ ବାର (୧୨) ଘଣ୍ଟା ପର୍ଯ୍ୟନ୍ତ ପାଣିରେ ରଖନ୍ତୁ I ପର ଦିନ ଏହାକୁ ଧୋଇ ଦେଇ ସଫା କରି ଦିଅନ୍ତୁ I ଶୁଖାଇଲା ପରେ ଏହାକୁ ସଂରକ୍ଷଣ କରି ରଖନ୍ତୁ I ମଟର: ଛୁଇଁ ସବୁ ଶୁଖି ପାକଳ ହୋଇଗଲା ପରେ ଏହାକୁ ଅମଳ କରନ୍ତୁ I ମଞ୍ଜିସବୁ ଶୁଖିଗଲା ପରେ ଏହାକୁ ସଂରକ୍ଷଣ କରନ୍ତୁ I ଭେଣ୍ଡି, ବିନ୍ସ , ଝୁଡଙ୍ଗ: ଫଳ ଶୁଖିଗଲା ପରେ ଅମଳ କରନ୍ତୁ I ଖରାର ଶୁଖାଇଲା ପରେ ମଞ୍ଜିସବୁକୁ ସଂଗ୍ରହ କରନ୍ତୁ I କଖାରୁ, ତରଭୂଜ: ଫଳ ସବୁ ସମ୍ପୂର୍ଣ ଭାବେ ପାକଳ ହେବା ପରେ ଅମଳ କରନ୍ତୁ I ଏହାକୁ ଦୁଇ ଭାଗରେ କାଟିଦେଇ ମଞ୍ଜିସବୁକୁ ବାହାର କରନ୍ତୁ I ଏହାପରେ ମଞ୍ଜିସବୁକୁ ଖରାରେ ଶୁଖାଇ ସଂରକ୍ଷଣ କରନ୍ତୁ I କାକୁଡି: ଫଳ ସବୁ ସମ୍ପୂର୍ଣ ଭାବେ ପାକଳ ହେବା ପରେ ଅମଳ କରନ୍ତୁ I ଏହାକୁ କାଟିଦେଇ ମଞ୍ଜିସବୁକୁ ବାହାର କରନ୍ତୁ I ଏହି ମଞ୍ଜିକୁ ଗୋଟିଏ ଦିନ ପାଇଁ ପାଣିରେ ରଖନ୍ତୁ I ମଞ୍ଜିସବୁକୁ ଅଲଗା କରିବା ପାଇଁ ଗୋଟିଏ କାଠିକୁ ବ୍ୟବହାର କରି ଘାଣ୍ଟନ୍ତୁ I ଏହାପରେ ମଞ୍ଜିକୁ ସଫାକରି ଏବଂ ଶୁଖାଇ ସଂରକ୍ଷଣ କରନ୍ତୁ I ବାଇଗଣ: ଫଳ ସବୁ ସମ୍ପୂର୍ଣ ଭାବେ ପାକଳ ହେବା ପରେ ଅମଳ କରନ୍ତୁ I ଏହାକୁ କାଟିଦେଇ ଛୋଟ ଛୋଟ ଖଣ୍ଡକରି ପାଣିରେ ପକାନ୍ତୁ I ଏହି ଖଣ୍ଡସବୁକୁ ଚିପି ମଞ୍ଜିସବୁକୁ ବାହାର କରନ୍ତୁ ଏବଂ ଯେତେବେଳେ ମଞ୍ଜିସବୁ ତଳେ ବସିଯିବ, ଏହାକୁ ସଫାକରି ଖରାରେ ଚାରି ରୁ ପାଞ୍ଚ ଦିନ ପର୍ଯ୍ୟନ୍ତ ଖରାରେ ଶୁଖାନ୍ତୁ I ଉପସଂହାର ଜାଣିବାକୁ ଚେଷ୍ଟା କରନ୍ତୁ ଯେ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରୁ କେହି ନିଜ ଫସଲ ଉତ୍ପାଦନରୁ ବିହନ ସଂଗ୍ରହ କରିଅଛନ୍ତି କି I ସେମାନେ ଚାଷ କରୁଥିବା ଫସଲରୁ କେଉଁ ପ୍ରକାରେ ବିହନ ସଂଗ୍ରହ କରି ରଖି ପାରିବେ ପୁନର୍ବାର ବୁଝାନ୍ତୁ I ଏହି ଅଭ୍ୟାସ ଚାଷୀମାନଙ୍କୁ ଅଧିବେଶନରେ ଶିକ୍ଷା ଦିଆଯାଇଥିବା ବିଷୟକୁ ମନେ ପକାଇବାକୁ ସାହାଯ୍ୟ କରିବ I ଆଧାର - ପୋର୍ଟାଲ ଟିମ