ଅଧିବେଶନ ୬.୩ ଜଳ ପରିଚାଳନା I ଉଦ୍ଦେଶ୍ୟ ରବି ଋତୁପାଇଁ ଉପଲବ୍ଧ ବିଭିନ୍ନ ଜଳ ସେଚନ ପଦ୍ଧତ୍ତି ବିଷୟରେ ସଚେତନ କରିବା ଏବଂ ଜଳ ସଂରକ୍ଷଣ ଉପାୟ ଅବଲମ୍ବନ କରି କିପରି ଭବେ ଅଧିକ ଜମି ଜଳ ସେଚିତ କରିହେବ ସେ ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦେବା I ପଦ୍ଧତି ପୋଷ୍ଟର ଏବଂ ବ୍ୟାଖ୍ୟାନ ମାଧ୍ୟମରେ ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କୁ ଉଚିତ ଜଳ ପରିଚାଳନାର ଉପାଦେୟତା ବିଷୟରେ ବୁଝାଇବା ସହ ଜଳ ନିଷ୍କାସନର ମହତ୍ୱ ବିଷୟରେ ବୁଝାଇବେ I ଅଂଶଗ୍ରହଣକାରୀ ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I ସଭା ସ୍ଥାନ ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I ଦରକାରୀ ସାମଗ୍ରୀ ପୋଷ୍ଟର I ସମୟସୀମା ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ | ପୃଷ୍ଠଭୁମୀ ଫସଲର ବୃଦ୍ଧି ଏବଂ ଅମଳ ପାଇଁ ଜଳ ଅପରିହାର୍ଯ୍ୟ I ଉଭୟ ଜଳ ସେଚନ ଏବଂ ଜଳ ନିଷ୍କାସନ ପ୍ରକ୍ରିୟାର ସମାହାରକୁ ଜଳ ପରିଚାଳନା କହନ୍ତି I ଖରିଫ ଋତୁରେ ଅଧିକ ବର୍ଷା ହେଉଥିବାରୁ ଜଳ ନିଷ୍କାସନ ଉପରେ ଅଧିକ ଜୋର ଦିଆ ଯିବା ଉଚିତ I ଅଧିକ ଦିନ ପର୍ଯ୍ୟନ୍ତ ଜମିରେ ଠିଆ ପାଣି ରହିବା ଉଚିତ ନୁହେଁ I ଜମିରେ ଜଳ ନିଷ୍କାସନ ପାଇଁ ଏକ ଅଲଗା ନାଳୀ ରହିଥିବା ଉଚିତ I ଫସଲର ବୃଦ୍ଧିର ସଙ୍କଟକାଳୀନ ଅବସ୍ଥାରେ ଜଳ ନିଅଣ୍ଟିଆ ହେବା ଉଚିତ ନୁହେଁ I ତେଣୁ ଜଳ ପରିଚାଳନା ଏକ ମହତ୍ୱପୂର୍ଣ୍ଣ ପ୍ରଶିକ୍ଷଣ ଟୁଲ୍ ଯାହା ଚାଷୀମାନଙ୍କୁ ସେମାନଙ୍କର ଜଳ ପରିଚାଳନା କୌଶଳରେ ଉନ୍ନତି ଆଣିବ I ସୋପାନ-ପର-ସୋପାନ କାର୍ଯ୍ୟକ୍ରମ ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ଆଲୋଚନାକୁ ଆରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ରବି ଋତୁରେ କେଉଁ ପ୍ରକାର ଜଳ ସେଚନ ବ୍ୟବହାର କରନ୍ତି ଏବଂ ସେମାନଙ୍କର ଅଞ୍ଚଳରେ ଥିବା ଜଳ ସେଚନର ଉତ୍ସସବୁକୁ ଜାଣିବା ପାଇଁ ଚେଷ୍ଟା କରନ୍ତୁ I ଏହାସହ ଜାଣିବାକୁ ଚେଷ୍ଟା କରନ୍ତୁ ଯେ ସେମାନଙ୍କ ମଧ୍ୟରୁ କେହି ବୁନ୍ଦା ଜଳସେଚନ, ସ୍ପ୍ରିଙ୍କଲର ଇତ୍ୟାଦି ଜଳ ସଞ୍ଚୟକାରୀ ଯନ୍ତ୍ର ବ୍ୟବହାର କରିଥିଲେ କି I କମ ଜଳ ବ୍ୟବହାର କରି ଅଧିକ ଫସଲ ଉତ୍ପାଦନ କରିବା ବିଷୟରେ ଚାଷୀମାନଙ୍କ ସହ ଆଲୋଚନା କରନ୍ତୁ I ସୋପାନ -୨: ବିଭିନ୍ନ ଜଳ ସେଚନ ପଦ୍ଧତ୍ତି: ଜଳର ସଠିକ ଉପଯୋଗ ପାଇଁ ଉପଯୁକ୍ତ ପଦ୍ଧାତ୍ତି ଆଦୃତ କରିବା ଆବଶ୍ୟକ I ବନ୍ୟା ପ୍ଲାବିତ ଜଳ ସେଚନ ପଦ୍ଧତିରେ ଅଧିକ ପରିମାଣରେ ଜଳର ଆବଶ୍ୟକତା ହୋଇଥାଏ I ବୁନ୍ଦା କିମ୍ବା ସ୍ପ୍ରିଙ୍କଲ ଜଳ ସେଚନ ପଦ୍ଧତିରେ କମ ପରିମାଣରେ ଜଳର ଆବଶ୍ୟକତା ହୋଇଥାଏ I ସାଧାରଣ ଭାବେ ଅନୁସରଣ କରାଯାଉଥିବା ବିଭିନ୍ନ ଜଳ ସେଚନ ପଦ୍ଧତି ବିଷୟରେ ନିମ୍ନରେ ପ୍ରଦତ୍ତ ଅଛି ଯାହା ଚାଷୀମାନଙ୍କୁ ବୁଝାଯାଇ ପାରିବ: ବନ୍ୟା ପ୍ଲାବିତ ଜଳ ସେଚନ: ଏହି ପଦ୍ଧତ୍ତିରେ ସମ୍ପୂର୍ଣ ଜମିକୁ ବନ୍ୟା ପ୍ଳାବିତ କରାଯାଇଥାଏ I ଏହି ପଦ୍ଧତ୍ତିରେ ଅଧିକ ଜଳ ଆବଶ୍ୟକ ହୋଇଥାଏ, କିନ୍ତୁ ଜଳ ସେଚନ ପାଇଁ ଖର୍ଚ୍ଚ କମ ହୁଏ I ଅବବାହିକା ଜଳ ସେଚନ: ଏହି ପଦ୍ଧତ୍ତିରେ ଛୋଟ ଛୋଟ ପଟାଳିରେ ପରିବା ଚାଷ ଏବଂ ଗହମ ପାଇଁ ଜଳ ସେଚନ କରାଯାଇଥାଏ I ସବୁ ପଟାଳିକୁ ସମାନ ଭାବେ ଜଳ ସେଚିତ କରାଯାଏ I ମଳା ଜଳ ସେଚନ: ଫଳ ବଗିଚାରେ ଏହି ପଦ୍ଧତ୍ତିରେ ଜଳ ସେଚନ କରାଯାଇଥାଏ ଯେଉଁଥିରେ ଜଳର ଅପଚୟ ହୋଇ ନ ଥାଏ I ସିଆର ଜଳ ସେଚନ: ଏହି ପଦ୍ଧତ୍ତିରେ ବିଭିନ୍ନ ଫସଲ ଯଥା ମକା, ଆଳୁ, ବିଲାତି ବାଇଗଣ ପାଇଁ ସିଆର ଦ୍ୱାରା ଜଳ ସେଚନ କରାଯାଇଥାଏ I ସିଆର କ୍ଷମତାର ଦୁଇ ତୃତୀୟାଂଶ ପର୍ଯ୍ୟନ୍ତ ଜଳ ଭର୍ତ୍ତୀ କରାଯାଇଥାଏ I ସ୍ପ୍ରିଙ୍କଲ ଜଳ ସେଚନ: ଏହା ଏକ କାଳୀନ ନିବେଶ ଦରକାର କରିଥାଏ I କିନ୍ତୁ ଏହା ଦ୍ୱାରା ଅଧିକ ଜମି ଜଳ ସେଚନ କରାଯାଇପାରିବ I ବୁନ୍ଦା ଜଳ ସେଚନ : ଏହି ଜଳ ସେଚନ ପଦ୍ଧତ୍ତି ଫଳ ଓ ପରିବା ଚାଷ ପାଇଁ ଅଧିକ ଉପଯୋଗୀ I ଏହି ପଦ୍ଧତ୍ତିରେ ଗଛର ଚେର ଉପରେ ସିଧା ସଳଖ ବୁନ୍ଦା ବୁନ୍ଦା ଜଳ ପ୍ରୟୋଗ କରାଯାଇଥାଏ I ପାଣିର ଅପଚୟକୁ ସମ୍ପୁର୍ଣ ଭାବେ ରୋକା ଯାଇ ପାରିବ, କିନ୍ତୁ ଏଥିରେ ନିବେଶ ଅଧିକ ହୋଇ ଥାଏ I କିନ୍ତୁ ଦୀର୍ଘସୂତ୍ରୀ ଭାବେ ବୁନ୍ଦା କିମ୍ବା ସ୍ପ୍ରିଙ୍କଲ ଜଳ ସେଚନ ଏକ ବ୍ୟବହାର୍ଯ୍ୟ ବିକଳ୍ପ ହୋଇପାରେ I ସୋପାନ -୩: ରବି ଜଳ ସେଚନ ସମଯରେ ମନେରଖିବା ପାଇଁ କିଛି ଦିଗ: ରବି ଫସଲ ଚାଷ କରିବା ପାଇଁ ଚାଷୀମାନଙ୍କୁ ନିମ୍ନ ଲିଖିତ ଦିଗ ସବୁକୁ ବିଚାରକୁ ନେବା ପାଇଁ ସଚେତନ କରନ୍ତୁ: ଏକ କାଳୀନ ଅତ୍ୟଧିକ ଜଳ ସେଚନ କରନ୍ତୁ ନାହିଁ I ମାଟି ଶୁଖିଗଲା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନହିଁ I ଫସଲ ପୋଡି ଯାଇପାରେ I ବନ୍ୟା ପ୍ଲାବିତ ଜଳ ସେଚନ ପଦ୍ଧତ୍ତି ତୁଳନାରେ ସିଆର ଏବଂ ମଳା ଜଳ ସେଚନ ପଦ୍ଧତ୍ତି ଉତ୍ତମ I ଶିଆର କ୍ଷମତାର ଦୁଇ-ତୃତୀୟାଂଶ ପର୍ଯ୍ୟନ୍ତ ଜଳ ଭର୍ତ୍ତୀ କରି ଏକ-ତୃତୀୟାଂଶ ସ୍ଥାନ ଖାଲି ରଖନ୍ତୁ I ଗୋଟିଏ ଜମିରୁ ଆଉ ଏକ ଜମିକୁ ଜଳ ପ୍ଳାବିତ କରନ୍ତୁ ନାହିଁ I ଆଳୁ ଏବଂ ବିଲାତି ବାଇଗଣରେ ପତ୍ର ଝାଉଁଳା ରୋଗ ଦେଖାଦେଲେ ଜଳ ସେଚନ କମ କରି ଦିଅନ୍ତୁI ଅତ୍ୟଧିକ ବର୍ଷା ହେଲେ କିମ୍ବା ପାଣି ଜମିଗଲେ ଜଳ ନିଷ୍କାସନ କରନ୍ତୁ I ଗ୍ରୀଷ୍ମ ଋତୁରେ ଧାନ ଫସଲ ଚାଷ କରିବା ଉଚିତ ନୁହେଁ କାରଣ ଏହା ଅଧିକ ଜଳ ଆବଶ୍ୟକ କରେ I ଯଦି ଅନ୍ୟ କୌଣସି ଫସଲ ଚାଷ କରାଯାଏ, ଏହି ଜଳକୁ ବ୍ୟବହାର କରି ଅଧିକ ଜମିରେ ଚାଷ କରାଯାଇପାରିବ I ସୋପାନ -୪: ଫସଲର କେଉଁ ଅବସ୍ଥାରେ ଜଳ ଅପରିହାର୍ଯ୍ୟ ହୋଇଥାଏ? : ଫସଲର ବୃଦ୍ଧି ଏବଂ ଅମଳ ପାଇଁ ଜଳ ଏକ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ I ବେଳେ ବେଳେ ସାମାନ୍ୟ ବୃଷ୍ଟିପାତ ନ ହେଲେ ମରୁଡି ପରି ପରିସ୍ଥିତି ସୃଷ୍ଟି ହୋଇଥାଏ I ଫସଲର ଫୁଲ ଧରିବା ଏବଂ ଫଳ ଧରିବା ଅବସ୍ଥାରେ ଯେପରି ଜଳ ନିଅଣ୍ଟିଆ ନ ହୁଏ ଧ୍ୟାନ ରଖିବା ଉଚିତ I କିଛି ନିର୍ଦ୍ଦିଷ୍ଟ ଫସଲର କେଉଁସବୁ ଅବସ୍ଥାରେ ଜଳ ଉପଲବ୍ଧତା କମ ହେବା ଉଚିତ ନୁହେଁ, ନିମ୍ନ ଚାର୍ଟରେ ପ୍ରଦତ୍ତ ଅଛି I ଏହି ଚାର୍ଟ ଚାଷୀମାନଙ୍କୁ ପ୍ରଦର୍ଶନ କରିବା ଉଚିତ ଯାହା ସେମାନଙ୍କୁ ରବି ଫସଲର ଯେଉଁ ସବୁ ସଙ୍କଟକାଳୀନ ଅବସ୍ଥାରେ ଜଳ ନିଅଣ୍ଟିଆ ହେବା ଉଚିତ ନୁହେଁ ସେହି ବିଷୟରେ ଏକ ଧାରଣା ଦେବ I କ୍ର. ନଂ. ଫସଲର ନାମ ଫସଲର କେଉଁ ଅବସ୍ଥାରେ ଜଳ ନିତାନ୍ତ ଆବଶ୍ୟକ ୧ ମୁଗ ଏବଂ ବିରି ଫୁଲ ଧରିବା ଅବସ୍ଥା, ଛୁଇଁ ଧରିବା ଅବସ୍ଥା I ୨ ରାଶି, ସୋରିଷ ଏବଂ ଆଳୁ ଫୁଲ ଧରିବା ଅବସ୍ଥା ଠାରୁ ଫସଲ ପାକଳ ପର୍ଯ୍ୟନ୍ତ ୩ ପିଆଜ ପିଆଜ ଫୁଲିବା ଅବସ୍ଥା ଠାରୁ ଫସଲ ପାକଳ ପର୍ଯ୍ୟନ୍ତ ୪ ବିଲାତି ବାଇଗଣ ଫୁଲ ଧରିବା ଅବସ୍ଥା ଠାରୁ ଫଳ ଧାରଣ ପର୍ଯ୍ୟନ୍ତ ୫ ଗାଜର ଏବଂ ମୂଳା ମୂଳ ବର୍ଦ୍ଧନ ଅବସ୍ଥା ସୋପାନ -୫: କିଛି ବିଶେଷ ଫସଲ ପାଇଁ ଜଳ ଆବଶ୍ୟକତା: କିଛି ବିଶେଷ ଫସଲର ଜଳ ଆବଶ୍ୟକତାକୁ ଚାଷୀମାନଙ୍କର ଜାଣିବା ପାଇଁ ନିମ୍ନ ଚାର୍ଟରେ ଦିଆ ଯାଇଅଛି I କ୍ର. ନଂ. ଫସଲର ନାମ ଆବଶ୍ୟକ ପାଣି ( ସେ.ମି.ରେ ) ୧ ଧାନ (ସହଳ କିସମ) ୬୫ ୨ ଧାନ (ମଜିଆଳି କିସମ) ୧୦୫ ୩ ଗହମ ୪୦ ୪ ମକା ୫୦ ୫ ଚଣା, ମୁଗ ଏବଂ ବିରି ୨୦ ୬ ଆଳୁ, ବାଦାମ, ଟୋମାଟୋ, ବନ୍ଧାକୋବି & ଫୁଲକୋବି ୬୫ ୭ ସୋରିଷ ଏବଂ କପା ୩୦ ଉପସଂହାର ଅଧିବେଶନର ଶେଷ ଆଡକୁ ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ବୁନ୍ଦା ଜଳସେଚନ, ସ୍ପ୍ରିଙ୍କଲର ଇତ୍ୟାଦି ଜଳ ସଞ୍ଚୟକାରୀ ଯନ୍ତ୍ର ବ୍ୟବହାର କରିବା ପାଇଁ ଆଗ୍ରହୀ ଅଛନ୍ତି କି ? ଅଧିବେଶନରେ ଆଲୋଚାନା କରାଯାଇଥିବା ବିଷୟ ବସ୍ତୁକୁ ଆଉଥରେ ମନେ ପକାଇବା ପାଇଁ ଚାଷୀମାନଙ୍କୁ ପଚାରନ୍ତୁ ଯେ ସେମାନେ ନିଜ ନିଜ ଅଞ୍ଚଳରେ ଚାଷ କରାଯାଉଥିବା ଫସଲ ପାଇଁ ଆବଶ୍ୟକ ହେଉଥିବା ଜଳର ପରିମାଣ ମନେପକାଇ କହି ପାରିବେ କି ? ଆଧାର – ପୋର୍ଟାଲ ଟିମ