କୃଷି ପ୍ରକ୍ରିୟାକରଣ ପ୍ରକ୍ରିୟାକରଣ କେନ୍ଦ୍ର ଉତ୍ପାଦନ ଅଞ୍ଚଳରେ ବିଶେଷତଃ ଉଦ୍ୟାନକୃଷି ଦ୍ରବ୍ୟଗୁଡ଼ିକର ନଷ୍ଟକୁ ହ୍ରାସ କରିବା, ଦ୍ରବ୍ୟଗୁଡ଼ିକୁ ଅଧିକ ମୂଲ୍ୟଯୁକ୍ତ କରିବା ଓ ଗ୍ରାମାଞ୍ଚଳରେ କୃଷିକ୍ଷେତ୍ର ବାହାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଅଧିକ ପ୍ରୋତ୍ସାହନ ଦିଆଯିବ । କୃଷି ପ୍ରକ୍ରିୟାକରଣ ଶିଳ୍ପ ଏଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍ପାଦନ ସମବାୟ ଓ ନିଗମ ମଧ୍ୟରେ ସହଯୋଗ ଉତ୍ସାହିତ କରାଯିବ । ଖାଦ୍ୟ ଓ କୃଷି ପ୍ରକ୍ରିୟାକରଣ ଶିଳ୍ପର ଦ୍ରୁତ ବିକାଶ ନିମନ୍ତେ ବୈଷୟିକ ଜ୍ଞାନ ଅର୍ଥନୀତି ପରିବେଶ ଓ ସମାଜ ମଧ୍ୟରେ ସମନ୍ୱୟ ରଖାଯିବା ନିରାପଦ ଓ ଗୁଣାତ୍ମକ ଖାଦ୍ୟ ଉପରେ ଗୁରୁତ୍ୱ ପ୍ରଦାନ ପୂର୍ବକ ଘରୋଇ ଓ ରପ୍ତାନୀ ବଜାର ପାଇଁ ମୂଲ୍ୟଯୁକ୍ତ କୃଷିଜାତ ଦ୍ରବ୍ୟ ଉତ୍ପାଦନ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଭିତ୍ତି ସ୍ଥାପନ କରାଯିବ। ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି ୨୦୧୩ କୃଷି ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାପନକୁ ତ୍ୱରାନ୍ୱିତ କରିବ । ଦୁଇଟି ନୀତିକୁ ମିଶ୍ରିତ କରି ରାଜ୍ୟରେ ବ୍ୟାପକ ଭାବେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସ୍ଥାପନକୁ ପ୍ରୋତ୍ସାହିତ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଅମଳ ପରବର୍ତ୍ତୀ ପରିଚାଳନା କେବଳ ଉତ୍ପାଦକତା ବୃଦ୍ଧି କରିବା କୃଷି ପ୍ରଗତିର ଲକ୍ଷ୍ୟ ନୁହେଁ । ଉତ୍ପାଦିତ ଦ୍ରବ୍ୟ ପାଇଁ ସର୍ବାଧିକ ମୂଲ୍ୟ ପାଇବା ଆବଶ୍ୟକ । ଅମଳ ପରବର୍ତ୍ତୀ ସମୟରେ ଉପଯୁକ୍ତ ପ୍ରକ୍ରିୟାକରଣ, ବର୍ଗୀକରଣ, ପ୍ୟାକିଙ୍ଗ୍, ପରିବହନ ଓ ସାଇତା ମାଧ୍ୟମରେ ଉତ୍ପାଦିତ କୃଷି ଦ୍ରବ୍ୟର ମୂଲ୍ୟବୃଦ୍ଧି କରାଯାଇ ପାରିବ । କୃଷି ଦ୍ରବ୍ୟ ଉପଯୁକ୍ତ ପରିଚାଳନା ଅଭାବରୁ ଶତକଡ଼ା ୩୦ ଭାଗ ପର୍ଯ୍ୟନ୍ତ ନଷ୍ଟ ହେବାର ଆଶଙ୍କା ଥାଏ । ଏହାଦ୍ୱାରା ଚାଷୀ କମ୍ ମୂଲ୍ୟ ପାଇଥାଏ । ରାଜ୍ୟରେ କୃଷକଙ୍କ ଆୟ ସୀମା ବୃଦ୍ଧି କରିବାରେ ଅମଳ ପରବର୍ତ୍ତୀ ଯତ୍ନ, ପ୍ରକ୍ରିୟାକରଣ ଓ ସାଇତା କାର୍ଯ୍ୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଅଟେ । ଗ୍ରାମାଞ୍ଚଳରେ ଅମଳ କରିବାର ସୁବିଧା ନ ଥିବାରୁ ଚାଷୀମାନେ ପାରମ୍ପରିକ ଭାବେ ଓ ଅଣବୈଜ୍ଞାନିକ ପ୍ରଣାଳୀରେ ଅମଳ କରିଥାନ୍ତି । ଉପଯୁକ୍ତ ଯନ୍ତ୍ର ବ୍ୟବହାର କରି ଫସଲ ଅମଳ କରିବା ଉଦ୍ଦେଶ୍ୟ ରେ “ସାମୂହିକ ଖଳା” ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ । ବୈଜ୍ଞାନିକ ପଦ୍ଧତିରେ ନିର୍ମିତ ହୋଇଥିବା ଅମଳ ଯନ୍ତ୍ର ଉପଲବ୍ଧ ହେଉ ନ ଥିବାରୁ ଅଣବୈଜ୍ଞାନିକ ପ୍ରଣାଳୀରେ ଅମଳ କରିବାକୁ ଚାଷୀ ବାଧ୍ୟ ହୋଇଥାଏ । ଫଳରେ ଚାଷୀ ଅନେକ କ୍ଷତିର ସମ୍ମୁଖୀନ ହୋଇଥାଏ । ଭଡ଼ା ସୂତ୍ରରେ ବ୍ୟବହାର ପାଇଁ ଘରୋଇ କ୍ଷେତ୍ରରେ ଅମଳ କରିବା ଯନ୍ତ୍ର କ୍ରୟ ନିମିତ୍ତ ମୋଟ ମୂଲ୍ୟର ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନର ସୁବିଧା ଯୋଗାଇ ଦିଆଯିବ । ବିଭିନ୍ନ ଫସଲ ପାଇଁ ଅମଳ ଯନ୍ତ୍ର କ୍ରୟ ନିମନ୍ତେ ଚାଷୀଙ୍କ ଦ୍ୱାରା ଗଠିତ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୭୫ ପ୍ରତିଶତ ରିହାତି ପ୍ରଦାନ କରାଯିବ । ଫଳ, ପନି ରିବା ଓ ଫୁଲର ବର୍ଗୀକରଣ, ପ୍ୟାକିଙ୍ଗ ଓ ପରିବହନ ଯୋଗୁ ଏଗୁଡ଼ିକର ମୂଲ୍ୟ ଯଥେଷ୍ଟ ବୃଦ୍ଧି ଘଟିଥାଏ । ବର୍ତ୍ତମାନ ବହୁ ଚାଷୀ ପ୍ୟାକିଙ୍ଗ ନ କରି ପନିରିବା ଓ ଫଳ ଖୋଲା ପରିବହନ କରୁଥିବାରୁ ଗୋଦାମ ଘର ଓ ବିକ୍ରି ସ୍ଥାନରେ ଅଧିକ ନଷ୍ଟ ହେଉଛି । ଫଳ ଓ ପନି ରିବା ଠିକ୍ ଭାବେ ବିକ୍ରିବଟା କରିବା ପାଇଁ ଚାଷୀ ଓ ଚାଷୀଗୋଷ୍ଠୀଙ୍କୁ ସଘନ ତାଲିମ ପ୍ରଦାନ କରାଯିବ । ଚାଷୀମାନଙ୍କୁ କ୍ରେଟ୍ ଓ ଅନ୍ୟାନ୍ୟ ଯନ୍ତ୍ରପାତି କିଣିବା ପାଇଁ ରିହାତି ଦିଆଯିବ । ଉତ୍ପାଦିତ କୃଷି ଦ୍ରବ୍ୟକୁ ଲାଭପ୍ରଦ ମୂଲ୍ୟରେ ବିକ୍ରି କରିବା ପର୍ଯ୍ୟନ୍ତ ବୈଜ୍ଞାନିକ ପଦ୍ଧତିରେ ସାଇତିବା ପାଇଁ ରାଜ୍ୟର ମୁଖ୍ୟ ବଜାର କେନ୍ଦ୍ର ମାନଙ୍କରେ ବୃହତ୍ ଗୋଦାମ ସୁବିଧା ଓଡ଼ିଶା ରାଜ୍ୟ କୃଷି ବିହନ ପରିଷଦ ଦ୍ୱାରା ସୃଷ୍ଟି କରାଯିବ । ଆଧାର - କୃଷି ବିଭାଗ , ଓଡିଶା ସରକାର