ଗୋପାଳନକୁ ଲାଭଜନକ କରିବାକୁ ହେଲେ ଗାଈମାନଙ୍କୁ ଅଳ୍ପ ଖର୍ଚ୍ଚରେ ସୁଷମ ଖାଦ୍ୟ ଦେବା ଦରକାର । ହିସାବ କରି ଦେଖାଯାଇଅଛି ଯେ ଗାଈମାନଙ୍କୁ ରଖିଲେ ଯାହା ସବୁ ଖର୍ଚ୍ଚ ହୁଏ କେବଳ ଦାନା ଦେବାରେ ଖର୍ଚ୍ଚର ଶତକଡ଼ା ୬୦ ରୁ ୭୫ ଭାଗ ବ୍ୟବହୃତ ହୋଇଥାଏ । ସାଧାରଣତଃ ଗାଈମାନଙ୍କୁ ଦୁଇଟି କାରଣ ପାଇଁ ଦାନା ଦିଆଯାଏ, ଯଥା: - ନିଜର ଜୀବନଧାରଣ ଓ ଦୁଗ୍ଧ ଉତ୍ପାଦନ ପାଇଁ । ସାଧାରଣତଃ ଗୋରୁ ଗାଈମାନେ ସେମାନଙ୍କର ଖାଦ୍ୟପାଇଁ ଗଛ ଓ ବୁଦା ଉପରେ ନିର୍ଭର କରିଥାନ୍ତି । ଆଗେ କେତେକ ସ୍ଥାନରେ ସେମାନେ କେବଳ ଘାସ ଚରି ଜୀବନଧାରଣ କରୁଥିଲେ । କିନ୍ତୁ ଗାଈଗୋରୁମାନଙ୍କୁ ସୁସ୍ଥ ସବଳ ରଖିବାକୁ ହେଲେ ସେମାନଙ୍କ ଖାଦ୍ୟରେ ପାଣି, ଶ୍ଵେତସାର, ପ୍ରୋଟିନ ବା ପୃଷ୍ଟିସାର, ସ୍ନେହସାର (ଚର୍ବି ବା ତୈଳାକ୍ଷାଂଶ), ନାନା ପ୍ରକାରର ଧାତବ ଲବଣ ଓ ଭିଟାମିନ୍ ଆବଶ୍ୟକ ହୋଇଥାଏ । ଗାଈଗୋରୁମାନଙ୍କୁ ଏହି ସବୁ ଖାଦ୍ୟସାର ଅବା ଦାନା ଦିଆଯିବା ଉଚିତ୍ । ଖାଦ୍ୟସାର ଯୁକ୍ତ ଖାଦ୍ୟ ପାଣି ବଞ୍ଚିବା ପାଇଁ ପାଣି ଏକାନ୍ତ ଆବଶ୍ୟକ । ଦାନା ଅଭାବରେ ହୁଏତ ଗୋଟିଏ ଗାଈ କିଛି ଦିନ ବଞ୍ଚିପାରେ, କିନ୍ତୁ ପାଣି ଅଭାବରେ ଖୁବ୍ ଶୀଘ୍ର ମରିଯିବ । ପଶୁର ଶରୀରରେ ପ୍ରାୟ ୭୦ ଭାଗ ପାଣି ଥାଏ । ଏହି ପାଣି ସବୁବେଳେ ଚମଡ଼ା ମାଧ୍ୟମରେ, ଝାଡ଼ା ଓ ପରିସ୍ରା ଏବଂ ଦୁଧ ଦେଉଥିବା ଗାଈଙ୍କ ଦୁଧ ମାଧ୍ୟମରେ ଚାଲିଯାଇ ଥାଏ । ତେଣୁ ଦେହରୁ ଯେତିକି ପାଣି ଚାଲିଯାଏ ତାହା ଶୀଘ୍ର ପୂରଣ ହେବା ଉଚିତ । ସାଧାରଣତଃ ଗୋରୁ ଗାଈମାନେ ସିଧାସଳଖ ପାଣି ପିଇ ପାଣିର ଅଭାବ ଦୂର କରିଥାନ୍ତି । ଅବଶ୍ୟ ସବୁଜ ଘାସ ଇତ୍ୟାଦି ଖାଇବା ଦ୍ଵାରା ମଧ୍ୟ କେତେକ ପରିମାଣରେ ପାଣିର ଆବଶ୍ୟକତା ପୂରଣ ହୋଇଥାଏ । ଶୁଖିଲା ଦାନା ଯଦିଓ ଆଖିକୁ ଶୁଖିଲା ଦିଶେ। ତହିଁରେ ମଧ୍ୟ ଶତକଡ଼ା ୮ ରୁ ୧୦ ଭାଗ ପାଣି ଥାଏ । ପାଣି ସାହାଯ୍ୟରେ, ଗୋରୁ ପେଟ ଭିତରେ ଦାନା ସବୁ ନରମ ହୋଇ ଜୀର୍ଣ୍ଣ ହୋଇଥାଏ ଏବଂ ଗାଈର ପାକୁଳି କରି ଜୀର୍ଣ୍ଣ ହେବାରେ ସାହାଯ୍ୟ କରେ । ପୁନଶ୍ଚ ପାଣି ସାହାଯ୍ୟରେ ଗାଈର ପେଟ ଭିତରୁ ଅନାବଶ୍ୟକ ପଦାର୍ଥ ମଳ ମୂତ୍ର ଭାବେ ବାହାରି ଆସେ । ସାଧାରଣତଃ ପ୍ରତି ୧୦୦ କି.ଗ୍ରା. ଓଜନର ଗୋରୁ ପାଇଁ ଦୈନିକ ୨୦ ରୁ ୨୫ ଲିଟର ପାଣି ଆବଶ୍ୟକ ହୋଇଥାଏ । ତେଣୁ ସେହି ହିସାବରେ ଯଦି ଗୋଟିଏ ଗାଈର ଓଜନ ୪୦୦ କି.ଗ୍ରା. ହୁଏ ତେବେ ତାହା ପାଇଁ ଦିନକୁ ୮୦ ରୁ ୧୦୦ ଲିଟର ପାଣି ଆବଶ୍ୟକ ହେବ । ଖରାଦିନେ ଗୋରୁଗାଈମାନେ ଅଧୁକ ପାଣି ଆବଶ୍ୟକ କରିଥାନ୍ତି । ସେହିପରି ଦାନାରେ ଯଦି ଅଧିକ ପୃଷ୍ଟିସାର, ଶ୍ଵେତସାର ବା ଲବଣ ଇତ୍ୟାଦି ଥାଏ ତେବେ ପାଣିର ଆବଶ୍ୟକତା ଅଧିକ ହୋଇଥାଏ । ଦୁଧିଆଳୀ ଗାଈମାନେ ପ୍ରତି ୧ ଲିଟର ଦୁଧ ଦେବା ପାଇଁ ୨ ଲିଟର ପାଣି ଦରକାର କରିଥାନ୍ତି । ତେଣୁ ଗୋରୁଗାଈଙ୍କୁ ସୁସ୍ଥ ରଖିବାକୁ ହେଲେ ସବୁବେଳେ ଯଥେଷ୍ଟ ପରିମାଣରେ ପରିଷ୍କାର ପାଣି ଯୋଗାଇ ଦେବା ଆବଶ୍ୟକ । ଶ୍ଵେତସାର ଏହି ଉପାଦାନ ପ୍ରାଣୀର ଅଙ୍ଗାର ଉତ୍ପାଦକ ବୋଲି କୁହାଯାଏ । ଏହା ଗୋରୁର ଶରୀର ବୃଦ୍ଧି, ଉତ୍ପାଦନ କ୍ଷମତା ଓ ଶରୀର ନିର୍ବାହ ଲାଗି ଶକ୍ତି ଯୋଗାଇଥାଏ । ଶ୍ରେତସାର ଖାଦ୍ୟ ସାଧାରଣତଃ ଚୋକଡ଼, କୁଣ୍ଡା, ଗହମ, ମକା, ବାଜରା, ଯଅ, ଇତ୍ୟାଦିରୁ ମିଳିଥାଏ । ଗାଈ ଶରୀରରେ ଏହି ଜାତୀୟ ଖାଦ୍ୟ ପରିପାକ ହୋଇ ତାହା ଗାଈକୁ ଶକ୍ତି ଯୋଗାଇଥାଏ । ଅନ୍ୟ ଖାଦ୍ୟସାର ଅପେକ୍ଷା ଏହା ଗୋରୁଗାଈଙ୍କ ପାଇଁ ଅଧିକ ଦରକାର ହୋଇଥାଏ । ପୃଷ୍ଟିସାର ପ୍ରୋଟିନ୍ ବା ପୁଷ୍ଟିସାର ଜାତୀୟ ଖାଦ୍ୟ ଶରୀରର ମାଂସପେଶୀ ଗଠନ ଏବଂ କ୍ଷୟକ୍ଷତି ପୂରଣ ପାଇଁ ଆବଶ୍ୟକ ହୋଇଥାଏ । ପୁନଶ୍ଚ, ପୁଷ୍ଟିସାର ମଧ୍ୟ ପଶୁ ଶରୀରର ବିକାଶ, ବୁଦ୍ଧି ଏବଂ ବିଶେଷ କରି ଗର୍ଭଧାରଣ ବେଳେ ଓ ଦୁଗ୍ଧ ଉତ୍ପାଦନ ପାଇଁ ଆବଶ୍ୟକ ହୋଇଥାଏ । ବିରି, କୋଳଥ, ବରଗୁଡ଼ିରେ ଉଦ୍ଭିଦ। ପୁଷ୍ଟିସାର ଅଧିକ ପରିମାଣରେ ଥାଏ । ଏହା ବାଦ୍ ଚିନାବାଦାମ, ରାଶି, ଅଳସୀ, କପାମଞ୍ଜି, ସୋୟାବିନ୍, ସୋରିଷ ପିଡ଼ିଆରେ ଛୁଇଁ ଜାତୀୟ ଶସ୍ୟ ଅପେକ୍ଷା ଅଧିକ ପରିମାଣରେ ଉଦ୍ଭିଦ ପୁଷ୍ଟିସାର ଥାଏ। ଧାତବଲବଣ ଗୋଖାଦ୍ୟରେ ଧାତବ ଲବଣର ମହତ୍ତ୍ଵ ବହୁତ ଅଛି । ସାଧାରଣତଃ କ୍ୟାଲସିୟମ, ଫସଫରସ, ସୋଡ଼ିଅମ, ପୋଟାସିଅମ, ମାଗ୍ନେସିୟମ୍, ଗନ୍ଧକ, କୋରାଇଡ୍, ଲୌହ, ଆୟୋଡ଼ିନ୍, ମାଙ୍ଗାନିଜ୍, ତମ୍ବା, କୋବାଲ୍ଟ ଓ ଦସ୍ତା ପ୍ରଭୃତି ଦରକାର ହୋଇଥାଏ । ଅବଶ୍ୟ ଏମାନଙ୍କ ମଧ୍ୟରୁ ଅନେକ ଧାତବ ଲବଣର ଆବଶ୍ୟକତା କମ୍ ହେଲେ ମଧ୍ୟ ତାହା ପଶୁର ସ୍ଵାସ୍ଥ୍ୟ ଉପରେ ବହୁତ ପ୍ରଭାବ ପକାଇଥାଏ । ଗୋଖାଦ୍ୟରେ ଖଣିଜ ମିଶ୍ରଣର ମହତ୍ତ୍ଵ ବାଛୁରୀର ଶାରୀରିକ ବିକାଶରେ ଏହା ସାହାଯ୍ୟ କରିଥାଏ । ବର୍ଦ୍ଧିଷ୍ଣୁ ଗାଈଗୋରୁଙ୍କ ଦାନ୍ତ, ଅସ୍ଥି ଓ ମାଂସପେଶୀ ଗଠନରେ ଉପଯୋଗୀ ହୁଏ । ଗାଈ ଖାଉଥିବା ଖାଦ୍ୟକୁ ସହଜରେ ହଜମ କରାଇଥାଏ । ଗାଈ ଠିକ୍ ସମୟରେ ଋତୁମତୀ ହୋଇଥାଏ। ଦୁଧିଆଳୀ ଗାଈର ଦୁଗ୍ଧ ଉତ୍ପାଦନ ବୁଦ୍ଧି କରାଏ । ଗାଈର ଗର୍ଭଧାରଣ କ୍ଷମତା ଠିକ୍ ରଖେ । ଦୁଇଟି ଛୁଆ ଜନ୍ମର ବ୍ୟବଧାନ କମାଇଥାଏ । ଗାଈ ବହୁଦିନ ପର୍ଯ୍ୟନ୍ତ ଉପଯୋଗୀ ରହିଥାଏ । ଗାଈର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଗାଈ ଜନ୍ମ କରିବାର ପାଖାପାଖି ହେଉଥିବା ରୋଗ ଯଥା ଦୁଗ୍ଧ ଜ୍ଵର, କୀଟୋସିସ୍ ଇତ୍ୟାଦି ରୋଗକୁ ପ୍ରତିରୋଧ କରିଥାଏ । କ୍ୟାଲସିୟମ ଅଭାବ ଜନିତ ରୋଗ ଯଥା ବାଛୁରୀଙ୍କ କ୍ଷେତ୍ରରେ ରିକେଟ୍ସ୍ ଓ ବୟସ୍କ ଗୋରୁଙ୍କ ଠାରେ ଅଷ୍ଟିଓପୋରୋସିସ୍ ରୋଗକୁ ପ୍ରତିହତ କରିଥାଏ । ଭିଟାମିନ୍ ମଣିଷ ଶରୀର ପରି ପଶୁମାନଙ୍କ ଶରୀର ପାଇଁ ନାନା ପ୍ରକାର ଭିଟାମିନର ଆବଶ୍ୟକତା ରହିଅଛି । ଶରୀରର ସ୍ଵାଭାବିକ ବୃଦ୍ଧି ଓ ଦୁଗ୍ଧ ଉତ୍ପାଦନ ପାଇଁ ଭିଟାମିନ ଏକ ଅତ୍ୟାବଶ୍ୟକ ଖାଦ୍ୟସାର । ଏହାର ଅଭାବରେ ଅନେକ ସମୟରେ ପଶୁମାନଙ୍କର ଭୋକ କମିଯାଏ, ଖାଦ୍ୟ ଜୀର୍ଣ୍ଣ ହୁଏ ନାହିଁ ଏବଂ ସେମାନେ ନାନାପ୍ରକାର ରୋଗ ଦ୍ଵାରା ସଂକ୍ରମିତ ହେବାର ସମ୍ଭାବନା ଥାଏ । ସାଧାରଣତଃ ଭିଟାମିନ୍ ଏ, ବି. ସି. ଡି, ଇ ପ୍ରଭୃତି ଗାଈ ଦାନାରେ ରହିବା ଆବଶ୍ୟକ । ପାକୁଳି କରୁଥବା ଗାଈର ପେଟରେ ଏକ ସ୍ଵତନ୍ତ୍ର ଥଳୀ ରହିଥାଏ । ଯେଉଁଠାରେ କି କୋଟି କୋଟି ସଂଖ୍ୟାରେ ଉପକାରୀ ଜୀବାଣୁ ରହିଥାନ୍ତି ଓ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାନ୍ତି। ସାଧାରଣତଃ ଗାଈ ଯାହା ଖାଏ ତାହା ପାଟି, ପେଟ ଓ ଅନ୍ତଃନଳୀରେ ଜୀର୍ଣ୍ଣ ହୁଏ । ଅବଶ୍ୟ ଏହି ଜୀର୍ଣ୍ଣ କାର୍ଯ୍ୟକୁ ନାନା ପ୍ରକାରର ରସ ଓ ଏନ୍ଜାଇମ୍ ସାହାଯ୍ୟ କରିଥାନ୍ତି । ଜୀର୍ଣ୍ଣ କ୍ରିୟା ଦ୍ଵାରା ଦାନାସବୁ ତରଳ ଦ୍ରବଣରେ ପରିଣତ ହୋଇ ରକ୍ତରେ ମିଶିଥାଏ । ଯାହା ଜୀର୍ଣ୍ଣ ହୁଏ ନାହିଁ ତାହା ଗୋବର ଓ ମୃତ ରୂପରେ ବାହାରି ଆସେ । ସାଧାରଣତଃ ଗାଈମାନଙ୍କ ପାଇଁ ଦାନା ପ୍ରସ୍ତୁତ କଲାବେଳେ ସେଥିରେ ଗହମ, ମକା, ବାଲି, ଓଟ୍ ପ୍ରଭୁତି ଶସ୍ୟ ଗୁଆଁର, ମଟର, ଚୁଟ, ବିରି, ମୁଗ ଓ କୋଳଥ ପ୍ରଭୁତି ଡାଲିଜାତୀୟ ପଦାର୍ଥ ରହିବା ଦରକାର । ଗହମ ଚୋକଡ଼, ଗୋରୁଗାଈଙ୍କର ଉତ୍କୃଷ୍ଣ ଖାଦ୍ୟ । ଏହାଦ୍ଵାରା ଗୋରୁର ଝାଡ଼ା ପରିଷ୍କାର ହୁଏ ଓ ଏଥିରେ ଅଧିକ ପରିମାଣରେ ଫସଫରସ ଥାଏ । ଧାନରୁ ବାହାରୁଥିବା କୁଣ୍ଡା ମଧ୍ୟ ଦାନା ରୂପେ ବ୍ୟବହୃତ ହୁଏ । କିନ୍ତୁ ଏଥିରେ ଗହମ ଚୋକଡ଼ ଅପେକ୍ଷା କମ୍ ଖାଦ୍ୟସାର ଥାଏ । ଅନେକ ପ୍ରକାରର ତୈଳବୀଜ ଓ ତହିଁରୁ ବାହାରୁଥିବା ପିଡ଼ିଆରେ ଅଧିକ ପରିମାଣରେ ପ୍ରୋଟିନ୍ ବା ପୁଷ୍ଟିସାର ଥାଏ । ଏହା ସହଜରେ ଜୀର୍ଣ୍ଣ ହୁଏ ଓ ଦାନାକୁ ସ୍ଵାଦଯୁକ୍ତ କରିଥାଏ । ପିଡ଼ିଆ ଓଦା ହୋଇ ବେଶୀ ଜଳ ରହିଲେ ତହିଁରେ ଫିମ୍ପି ମରିଯାଏ ଓ ତାହାର ଖାଦ୍ୟ ଗୁଣ ମଧ୍ୟ ନଷ୍ଟ ହୋଇଯାଏ । ସାଧାରଣତଃ ଚିନାବାଦାମ, ସୋୟାବିନ୍, ରାଶି ପିଡ଼ିଆ ଗୋରୁମାନଙ୍କ ଖାଦ୍ୟପାଇଁ ବେଶ ଉପଯୁକ୍ତ । ମିଶ୍ରିତ ଦାନା ପରୀକ୍ଷା କରି ଦେଖାଯାଇଛି ଯେ ଯଦି ଗୋଟିଏ ଗାଈ ୫ ଲିଟର କ୍ଷୀର ଦେଉଥାଏ ତେବେ ତାହାପାଇଁ ଦାନା ଦେବାର ଆବଶ୍ୟକତା ନଥାଏ । ଜୁଆର, ବାଜରା, ମକା ବା ଶଙ୍କର ନେପିଅର ଘାସ ସହିତ ବରଗୁଡ଼ି ବ ଯେ କୌଣସି ଛୁଇଁ ଜାତୀୟ ଗଛ ଯଥେଷ୍ଟ ଖାଇବାକୁ ଦେଲେ ତାହାର ଖାଦ୍ୟ ଆବଶ୍ୟକତା ମେଣ୍ଟିଯାଏ । କିନ୍ତୁ ତାହାଠାରୁ ଅଧିକ କ୍ଷୀର ଦେଉଥିବା ଗାଈକୁ ଦାନା ଦେବା ଆବଶ୍ୟକ । ସାଧାରଣତଃ ଗାଈମାନେ ଦୁଇ ପ୍ରକାର କାର୍ଯ୍ୟ ପାଇଁ ଦାନା ଆବଶ୍ୟକ କରିଥାନ୍ତି । ପ୍ରଥମଟି ହେଲା ନିଜେ ବଞ୍ଚୁବା ପାଇଁ ଏବଂ ଅନ୍ୟଟି କ୍ଷୀର ଦେବାପାଇଁ । ତେଣୁ ଗାଈ କ୍ଷୀର ଦେଉ ବା ନ ଦେଉ, ତାକୁ ପ୍ରତିଦିନ ପ୍ରାୟ ୨ କିଲୋ ପର୍ଯ୍ୟନ୍ତ ଦାନା ଦେବାକୁ ହେବ । ଏହା ସହିତ କ୍ଷୀର ପରିମାଣ ଅନୁସାରେ ଅଧିକ ଦାନା ଦେବା ଆବଶ୍ୟକ । ସାଧାରଣତଃ ପ୍ରତି ଅଢ଼େଇ ଲିଟର ଗାଈ କ୍ଷୀର ପାଇଁ ଏକ କି.ଗ୍ରା, ଦାନା ଦରକାର ହୋଇଥାଏ । ଅର୍ଥାତ୍ ଯଦି ଗାଈଟି ୧୦ ଲିଟର କ୍ଷୀର ଦେଉଥାଏ । ତେବେ ତାକୁ ଦୁଗ୍ଧ ଉତ୍ପାଦନ ପାଇଁ ୪ କି.ଗ୍ରା, ଦାନା ଦିନକୁ ଦେବା ଉଚିତ୍ । ତେଣୁ ସମୁଦାୟ ୬ କି.ଗ୍ରା, ଦାନା ଦରକାର ହୁଏ । ଦାନା ବ୍ୟତୀତ ସେହି ଗାଈକୁ ପ୍ରତି ୧୦୦ କି.ଗ୍ରା.। ଶରୀରର ଓଜନ ପାଇଁ ୬ ରୁ ୮ କି.ଗ୍ରା. ଚାରା କିମ୍ବା ୨ ରୁ ୨.୫ କି.ଗ୍ରା. ନଡ଼ା ଦେବା ଉଚିତ୍ । ଅଧିକ ପରିମାଣରେ କଞ୍ଚା ଘାସ ଖାଇବାକୁ ଦେଲେ ଦାନାର ପରିମାଣ କମେଇ ଦିଆଯାଇପାରେ । ଫଳରେ ଗୋପାଳନରୁ ଅଧିକ ଲାଭ ମିଳିଥାଏ । ଗାଈମାନଙ୍କୁ ଦୁହିଁବା ସମୟରେ ଦାନା ଦେବା ଉଚିତ୍ । ପ୍ରତିଦିନ ଯେତିକି ଦାନା ଦରକାର ହୋଇଥାଏ, ତାହାକୁ ଦୁଇଥର ଭାଗକରି ଗାଈକୁ ଦେବା ଉଚିତ୍ । ଘାସ ବା ନଡ଼ା ଇତ୍ୟାଦିକୁ ଚାଫ୍କଟର ବା ନଡ଼ାକଟା ପନିକି ସାହାଯ୍ୟରେ କାଟି ଖାଇବାକୁ ଦେଲେ ଗାଈମାନେ ସହଜରେ ଖାଇଥାନ୍ତି । ଏହାଛଡ଼ା ସେମାନଙ୍କୁ ଯଥେଷ୍ଟ ପରିମାଣରେ ପରିଷ୍କାର ପାଣି ଦେବା ମଧ୍ୟ ଉଚିତ୍ । ଏତଦ୍ବ୍ୟତୀତ ୬ ମାସର ଗର୍ଭିଣୀ ଗାଈକୁ ପ୍ରତିଦିନ ୧ କି.ଗ୍ରା.। ଅଧିକ ଦାନା ଦେବା ଉଚିତ୍ । ସୁଷମ ଦାନାରେ ରହୁଥିବା ଉପାଦାନ (ପ୍ରତି ୧୦୦ କି.ଗ୍ରା, ଦାନା ପାଇଁ) ଶସ୍ୟ ଜାତୀୟ ଯଥା : - ମକା, ଗହମ, ବାରା, ଚୁଆର, ବାଲି ୨୫-୩୫ କି.ଗ୍ରା. ପିଡ଼ିଆ ଜାତୀୟ ଯଥା : ଚିନାବାଦାମ, ପେଶି, ସୋରିଷ, ନଡ଼ିଆ, ରାଶି ଓ ସୋୟାବିନ୍ ୨୫-୩୫ କି.ଗ୍ରା. ଗହମ ଚୋକଡ଼ା, କୁଣ୍ଡା ଇତ୍ୟାଦି ୨୦ – ୩୦ କି.ଗ୍ରା ଚଣା ଜାତୀୟ ଯଥା :ବୁଟଗୁଣ୍ଡ, ବିରି, କୋଳଥ, ବୁଟ ଚୁନି ଇତ୍ୟାଦି ୫-୨୦ କି.ଗ୍ରା. ଧାତବ ଲବଣ ୨ କି.ଗ୍ରା. ଖାଇବା ଲୁଣ ୧ କି.ଗ୍ରା. ତେବେ ଦାନା ପ୍ରସ୍ତୁତ କଲାବେଳେ ନିଜ ଅଞ୍ଚଳରେ ମିଳୁଥବା ପଦାର୍ଥକୁ ବ୍ୟବହାର କରିବା ଉଚିତ୍। ନଡ଼ା ସବୁ ଖାଦ୍ୟ ଭିତରେ ନଡ଼ା ସବୁଠାରୁ ନିମ୍ନମାନର । ଏଥରେ ଖୁବ୍ କମ୍ପରିମାଣର ପୁଷ୍ଟିସାର ଥାଏ । କିନ୍ତୁ ଅଧିକ ପରିମାଣରେ ସିଲିକା ରହିଥାଏ । ନଡ଼ା ସହଜରେ ଜୀର୍ଣ୍ଣ ହୁଏ ନାହିଁ ଏବଂ ଏଥିରେ ଖାଦ୍ୟସାର କମ୍ ଥିବାରୁ ଦୁଧିଆଳୀ ଗାଈମାନଙ୍କୁ ବେଶୀ ନଡ଼ା ଦେବା ଉଚିତ୍ ନୁହେଁ । ନଡ଼ା କହିଲେ ଆମେ କେବଳ ଧାନ ନଡ଼ାକୁ ବୁଝିଥାଉ । ଧାନ ବ୍ୟତୀତ ଗହମ, ଜୁଆର, ଓଟ୍, ଚୁଆରରୁ ମଧ୍ୟ ନଡ଼ା ମିଳିଥାଏ । ଏଥିରେ କାଲ୍ସିୟମ୍ ଓ ଫସଫରସ୍ ପରି ଗୁରୁତ୍ବପୂର୍ଣ୍ଣ ଖଣିଜ ପଦାର୍ଥ କମ୍ ମାତ୍ରାରେ ଥାଏ । ଦୁଗ୍ଧ ଉତ୍ପାଦନ ପାଇଁ ଗୋଖାଦ୍ୟରେ କାଲ୍ସିୟମ୍, ଫସଫରସ୍ ରହିବା ଅତ୍ୟନ୍ତ ଆବଶ୍ୟକ । କାରଣ ପ୍ରତି ଏକ କିଲୋଗ୍ରାମ୍ କ୍ଷୀରରେ ୧.୧୮ ଗ୍ରାମ୍ କ୍ୟାଲସିୟମ୍ ଏବଂ ୦.୯୩ ଗ୍ରାମ୍, ଫସଫରସ୍ ଥାଏ । ଏଥିମଧ୍ୟରୁ ଯେ କୌଣସି ଗୋଟିକର ପରିମାଣ କମିଗଲେ ଦୁଗ୍ଧ ଉତ୍ପାଦନ କମିଯାଏ । ନଡ଼ାରେ ଅଧିକ ପରିମାଣରେ ଅଗ୍ରଜାଲିକ୍ ନାମକ ଅମ୍ଳ ଥାଏ । ଯାହାକି ଖାଦ୍ୟରେ ଅବା କାଲ୍ସିୟମକୁ ଅକାମୀ କରିଦିଏ । ଏହିସବୁ କାରଣରୁ ଯେଉଁ ଗାଈ, ବଳଦ ମାନେ କେବଳ ନଡ଼ା ଉପରେ ନିର୍ଭର କରି ବଞ୍ଚନ୍ତି, ସେମାନଙ୍କର ସ୍ଵାସ୍ଥ୍ୟ ଭଲ ରହେ ନାହିଁ ଓ ଦୁଧ ଦେବା ଶକ୍ତି କମିଯାଏ । ଗୋରୁଗାଈଙ୍କ ପାଇଁ ଘାସ ଘାସ ସାଧାରଣତଃ ଗୋରୁମାନଙ୍କର ପ୍ରାକୃତିକ ଖାଦ୍ୟ । ଏହାର ନରମ ହୋଇଥିବାରୁ ପଶୁମାନେ ସହଜରେ ଖାଇଥାନ୍ତି ଓ ଏହା ମଧ୍ୟ ଶୀଘ୍ର ଜୀର୍ଣ୍ଣ ହୋଇଥାଏ । କଞ୍ଚା ଘାସରେ ଅଧିକ ପରିମାଣରେ କ୍ୟାଲ୍ସିୟମ, ଫସଫରସ୍ ଓ ନାନା ପ୍ରକାର ଭିଟାମିନ୍ ଥାଏ । ବିଭିନ୍ନ ମିଶ୍ରିତ ଘାସ ଖାଇଲେ ଗାଈର ଦୁଗ୍ଧ ଉତ୍ପାଦନ ବଢ଼ିବା ସହିତ ପ୍ରଜନନ କ୍ଷମତା ନିୟନ୍ତିତ ହୁଏ, ଫଳରେ ଗାଈ ଠିକ୍ ସମୟରେ ପ୍ରସବ କଲାପରେ ପୁନର୍ବାର ଗରମକୁ ଆସିଥାଏ ଓ ଫଳ ଯାଇ ଗର୍ଭବତୀ ହୋଇଥାଏ । ଏହା ବ୍ୟତୀତ ଗାଈଟିର ସ୍ଵାସ୍ଥ୍ୟରେ ଉନ୍ନତି ଘଟିଥାଏ ଓ ଚେହେରାର ପରିବର୍ତ୍ତନ ଦେଖାଯାଏ । ଘାସଗୁଡ଼ିକ ବୁଢ଼ା ହୋଇଗଲେ ତାହାର ଖାଦ୍ୟଗୁଣ କମିଯାଏ । ସାଧାରଣତଃ ଦୁବ, ଅଞ୍ଜନ, ପାରା, ଗିନି, ସୁଦାନ, ନେପିଅର, ଶଙ୍କର ନେପିଅର ପ୍ରଭୁତି ଘାସ ଗୋରୁମାନଙ୍କ ପାଇଁ ଚାଷ କରାଯାଇଥାଏ । ଏହା ବ୍ୟତୀତ ଗୁଆଁର, ବାଜରା, ମକା, ଓଟ୍, ଫସଲକୁ ମଧ୍ୟ ଗୋ-ଖାଦ୍ୟ ପାଇଁ ଚାଷ କରି ପଶୁମାନଙ୍କୁ ଖାଇବାକୁ ଦିଆଯାଏ । ଆଜିକାଲି ଅନେକ ଚାଷୀ ସେଞ୍ଜି, ବରସିମ, ବରଗୁଡ଼ି, ଲୁସର୍ଣ୍ଣ, ସୋୟାବିନ ପ୍ରଭୁତି ଚାଷ କରି ଗାଈମାନଙ୍କୁ ମଧ୍ୟ ଖାଇବାକୁ ଦେଉଛନ୍ତି । ପଞ୍ଜାବ, ହରିଆନା, ଉତ୍ତରପ୍ରଦେଶ ପ୍ରଭୁତି ଅଞ୍ଚଳରେ ଚାଷୀମାନେ ଗୋରୁଗାଈମାନଙ୍କ ପାଇଁ ରାତିମତ ଗୋ-ଖାଦ୍ୟ ଚାଷ କରିଥାନ୍ତି । ନିଜର ଶକ୍ତି ଅନୁସାରେ ପ୍ରତ୍ୟେକ ଚାଷୀ କିଛି ନା କିଛି ଜମିରେ ମକା, ଭୁଆର, ବାଜରା, ବରଗୁଡ଼ି, ନେପିଅର, ଗିନି, କୃପାନିକ ପ୍ରଭୃତି ଚାଷ କରି ଗୋରୁ ଗାଈମାନଙ୍କୁ ଖାଇବାକୁ ଦେଇଥାନ୍ତି । ଘାସ ଖାଇବା ଦ୍ଵାରା ସେମାନଙ୍କର ସ୍ଵାସ୍ଥ୍ୟ ଭଲ ରହେ ଓ ସେମାନେ ଅଧିକ ଦୁଧ ଦେଇଥାନ୍ତି । ଆମେରିକା, ଇଂଲଣ୍ଡ, କାନାଡ଼ା ପ୍ରଭୃତି ଦେଶରେ ଚାଷୀମାନେ ପ୍ରଚୁର ପରିମାଣରେ ଗୋ-ଖାଦ୍ୟ ପାଇଁ ସ୍ଵତନ୍ତ୍ର ରୂପେ ଫସଲ ଚାଷ କରିଥାନ୍ତି ବା ବଡ଼ ବଡ଼ ଜମିରେ କେବଳ ଘାସ ଚାଷ କରି ଗୋରୁ ଗାଈମାନଙ୍କୁ ଚରିବାକୁ ଛାଡ଼ି ଦେଇଥାନ୍ତି । କିନ୍ତୁ ଆମ ରାଜ୍ୟରେ ଗୋ-ଖାଦ୍ୟ ଚାଷ କରିବା ପାଇଁ ଆମ ଚାକ୍ଷୀ ଭାଈମାନେ ଏ ପର୍ଯ୍ୟନ୍ତ ଆଗ୍ରହ ପ୍ରକାଶ ନ କରିବା ବଡ଼ ଦୁଃଖର କଥା । ତେବେ ସେ ଯାହା ହେଉନା କାହିଁକି, ଏବେ ଯେଉଁ ଚାଷୀ ଭାଈମାନେ ଗାଈରଖିଛନ୍ତି ବା ରଖିବାକୁ ଚାହୁଁଛନ୍ତି, ସେମାନେ କିଛି ପରିମାଣରେ ଘାସ ଚାଷ କରିବା ଉଚିତ୍ । ଆମ ରାଜ୍ୟରେ ହୁଏତ ଅନେକ ଛୋଟ ଚାଷୀ ଅଛନ୍ତି, ଯେଉଁ ମାନଙ୍କର ଗୋ-ଖାଦ୍ୟ ଚାଷ କରିବା ପାଇଁ ଅଧିକ ଜମି ନଥାଏ । ସେମାନଙ୍କର ଯଦି ଢିପ ଜମି ଥାଏ, ତେବେ ତାହାର ହିଡ଼ ଚାରିକଡ଼େ ସେମାନେ ନେପିଅର, ବ୍ଲୁପାନିକ, ଗିନି ପ୍ରଭୁତି ଘାସ ଲଗାଇ ପାରିବେ । ପ୍ରତ୍ୟେକ ଦିନ କିଛି କିଛି କାଟି ସେମାନଙ୍କ ଗୋରୁ ଗାଈଙ୍କୁ ଦେଇ ପାରିବେ । ତେଣୁ ଗୋ-ଖାଦ୍ୟ ଚାଷ କରିବା ପାଇଁ ଆମ ଚାଷୀ ଭାଈମାନଙ୍କର ଆଗ୍ରହ ସୃଷ୍ଟି ହେବା ଉଚିତ୍ । ସେମାନଙ୍କର ଜାଣିବା ଉଚିତ୍ ଯେ, ଘାସ ଅଧିକ ପରିମାଣରେ ଖାଇବାକୁ ଦେଲେ ଦାନା ଖର୍ଚ୍ଚ କମ୍ ହୋଇଥାଏ ଓ ଦାନା ଖର୍ଚ୍ଚ କମ୍ ହେଲେ ଦୃଷ୍ଣ ବିକ୍ରିରୁ ଅଧିକ ଲାଭ ମିଳିଥାଏ । ଗୋଟିଏ ଗାଈର ସମୁଦାୟ ଖର୍ଚ୍ଚର ଶତକଡ଼ା ୭୫ ଭାଗ ଗୋଖାଦ୍ୟରେ ଖର୍ଚ୍ଚ ହୋଇଥାଏ । ତେଣୁ ଏହାର ପରିମାଣ କମାଇବାକୁ ହେଲେ ଘାସ ଚାଷ କରିବା ନିତାନ୍ତ ଆବଶ୍ୟକ । ବିଭିନ୍ନ ପ୍ରକାର ଘାସ ଆମ ରାଜ୍ୟରେ ଗୋରୁଗାଈମାନଙ୍କ ପାଇଁ ନେପିଅର, ହାତିଆ ଘାସ, ଗିନି, କୃପାନିକ, ପାରା ପ୍ରଭୃତି ଘାସ ଚାଷ କରାଯାଇ ପାରିବ । ଏହିସବୁ ଘାସ ଥରେ ଲଗାଇଲେ ୩ ରୁ ୪ ବର୍ଷ ପର୍ଯ୍ୟନ୍ତ ଗୋଟିଏ ବିଲରେ ରହିପାରିବ । ପାରା ଘାସକୁ ଛାଡ଼ିଦେଲେ ଅନ୍ୟସବୁ ଘାସ ଡିପ ବା ମଟାଳିଆ ଜମିରେ ଚାଷ ହୋଇ ପାରିବ । ପାରାଘାସ ଖାଲୁଆ ବା ସନ୍ତସନ୍ତିଆ ଜାଗାରେ ଭଲ ବଢ଼ିପାରେ । ବର୍ଷ ବ୍ୟାପି ଓ ସବୁଦିନିଆ ଘାସ ଏହିସବୁ ଘାସ ଲଗାଇବା ପାଇଁ ପଶୁପାଳନ ବିଭାଗ ତରଫରୁ ସାହାଯ୍ୟ ଦିଆଯାଉଅଛି । ଶଙ୍କର ନେପିଅର ବା ହାତିଆ ଘାସ ଏହି ଘାସ ଶୀଘ୍ର ଶୀଘ୍ର ବଢୁଥିବାରୁ ଏହାକୁ ହାତିଆ ଘାସ କୁହାଯାଏ । ଶଙ୍କର ନେପିଅର ସହିତ ବରଗୁଡ଼ି, ଗୁଆଁର, ବରସିମ୍, ମିଶାଇ ଖାଇବାକୁ ଦେଲେ ପଶୁମାନଙ୍କର ସ୍ଵାସ୍ଥ୍ୟ ଭଲ ରହେ । ଜମିକୁ ଭଲ ଭାବରେ ଚାଷ କରି ଏକର ପିଛା ୮ ରୁ ୧୦ ଗାଡ଼ି ଖତ ଦିଅନ୍ତୁ । ପରେ ୧୦୦ କି.ଗ୍ରା. ସିଙ୍ଗଲ ସୁପର ଫସଫେଟ୍ ଓ ୨୬ କି.ଗ୍ରା. ମ୍ୟୁରେଟ୍ ଅଫ୍ ପଟାସ ସାର ସିଆରରେ ଦେଇ ନେପିଅର ଘାସର ମୂଳ ଲଗାନ୍ତୁ । ଦୁଇ ସିଆର ଭିତରେ ବ୍ୟବଧାନ ୩ ଫୁଟ ରଖିନ୍ତୁ । ଚେର ବ୍ୟତୀତ କାଣ୍ଡରୁ ମଧ୍ୟ ଗଛ କରାଯାଇ ପାରେ । ଶଙ୍କର ନେପିଅର ଘାସ ମଞ୍ଜିରେ ଗଛ ହୁଏ ନାହିଁ । ପ୍ରତି ଏକର, ଜମିରେ ହାରାହାରି ୫୦୦୦ ମନ୍ଦା ହୁଏ । ପ୍ରତି ମନ୍ଦାରେ ଦୁଇଟି ଖଣ୍ଡ ଲଗାଯାଏ । ଏଣୁ ଏକର ପ୍ରତି ହାରାହାରି ୧୦,୦୦୦ ଖଣ୍ଡ ଦରକାର ହୋଇଥାଏ । ଚେର ବା କାଣ୍ଡ ଲଗାଇ ସାରିଲା ପରେ ସିଆରରେ ପାଣି ମଡ଼ାନ୍ତୁ । ଗଛ ଉଠିଲା ପରେ ବିଲରୁ ଘାସ ଇତ୍ୟାଦି ବାଛି ଦିଅନ୍ତୁ । ସାଧାରଣତଃ ଜୁଲାଇ ମାସରେ ଘାସ ଲଗାଇବା ଭଲ । ତିନିମାସ ପରେ ପ୍ରଥମେ ଘାସ କାଟି ଗୋରୁଙ୍କୁ ଖାଇବାକୁ ଦିଅନ୍ତୁ । ତାପରେ ପ୍ରତି ଦେଢ଼ମାସରୁ ଦୁଇମାସ ଭିତରେ ଘାସ କାଟନ୍ତୁ । ପ୍ରତିଥର ଘାସ କାଟି ସାରିବା ପରେ ଏକର ପିଛା ୪୦ କି.ଗ୍ରା. ୟୁରିଆ ଦିଅନ୍ତୁ । ଏହିପରି ଭାବରେ କାଟିଲେ ଏକ ଏକର ବିଲରୁ ବର୍ଷକୁ ପ୍ରାୟ ୫୦୦ ରୁ ୬୦୦ କ୍ଵିଣ୍ଟାଲ ଘାସ ମିଳିପାରିବ । ଦିନକୁ ଯଦି ଗୋଟିଏ ଗାଈକୁ ୪୦ କି.ଗ୍ରା. ଲେଖାଏଁ ମିଶ୍ରିତ ଘାସ ଦେବା, ତେବେ ଦୈନିକ ପାଞ୍ଚ ଲିଟର ପର୍ଯ୍ୟନ୍ତ ଦୁଗ୍ଧ ଦେଉଥବା ଗୋଟିଏ ଗାଈ ମିଶ୍ରିତ ଘାସ ଖାଇ ବିନା ଦାନାରେ ଦୁଗ୍ଧ ଦେଇଥାଏ । ତେବେ ଏକ ଏକର ବିଲରୁ ହେଉଥିବା ଘାସରେ ଆମେ ଚାରୋଟିରୁ ଅଧିକ ଗାଈଙ୍କୁ ଘାସ ଖାଇବାକୁ ଦେଇପାରିବା । ଗିନି ଓ ବ୍ଲୁପାନିକ ଏହିସବୁ ଘାସ ବୁଦା ବୁଦା ହୋଇ ବଢ଼ିଥାଏ ଏବଂ ଥରେ ଲଗାଇଲେ ୩ ରୁ ୪ ବର୍ଷ ପର୍ଯ୍ୟନ୍ତ ସହଜରେ ଘାସ କଟାଯାଇ ପାରେ । ଉଚ୍ଚ ବା ମଟାଳିଆ ଜମିରେ ଏହି ଘାସ ଲଗାଇବା ଉଚିତ୍ । ଜମିକୁ ଭଲ ଭାବରେ ଚାଷ କରି, ତହିଁରେ ଖଡ, ସୁପର ଫସଫେଟ୍ ଓ ପଟାସ ସାର ଦେଇ ସିଆର କରନ୍ତୁ । ଅସରାଏ। ବର୍ଷା ହୋଇଗଲା ପରେ ସିଆରରେ ଏହିସବୁ ଘାସର ଚେର ଲଗାନ୍ତୁ । ଯଦି ବିଲ ଶୁଖିଲା ଥାଏ, ତେବେ ସଙ୍ଗେ ସଙ୍ଗେ ପାଣି ଦିଅନ୍ତୁ । ସାଧାରଣତଃ ୩ ରୁ ୪ ମାସ ପରେ ଏହିସବୁ ଘାସ କାଟିବା ପାଇଁ ଉପଯୁକ୍ତ ହୋଇଥାଏ । ପ୍ରତିଥର ଘାସ କାଟି ସାରିଲା ପରେ ଏକର ପିଛା ୨୦ କି.ଗ୍ରା. ହିସାବରେ ୟୁରିଆ ସାର ବିଲରେ ଦେଇ ପାଣି ଦିଅନ୍ତୁ । ସାଧାରଣତଃ ଏହିସବୁ ଘାସରୁ ବର୍ଷକୁ ପ୍ରାୟ ୪୦୦ କ୍ଵିଣ୍ଟାଲ ଘାସ ମିଳିପାରିବ । ପାରା ଘାସ ପାରା ଘାସ ସାଧାରଣତଃ ସନ୍ତସନ୍ତିଆ ଜମିରେ ଭଲ ହୋଇଥାଏ । ବିଲରେ ଏକର ପିଛା ୭ ରୁ ୮ ଗାଡ଼ି ଖତ, ୮୦ କି.ଗ୍ରା. ସୁପର ଫସଫେଟ୍ ଓ ୩୦ କି.ଗ୍ରା. ମୁଖରେଟ୍ ଅଫ୍ ପଟାସ୍ ଦିଅନ୍ତୁ । ସାର ସବୁ ସିଆରରେ ଦେବା ଉଚିତ୍ । ବର୍ଷା ଆସିଗଲେ ୩ ରୁ ୪ ଗଣ୍ଠିଯୁବା ପାରା ଘାସର କାଣ୍ଡକୁ ସିଆରରେ ପୋତି ଦିଅନ୍ତୁ । ଅଳ୍ପ ଦିନ ଭିତରେ ଗଣ୍ଠିରୁ ପତ୍ର ବାହାରି ଗଛ ବଢ଼େ, ଏବଂ ପ୍ରାୟ ୨ ମାସ ପରେ କାଟିବା ପାଇଁ ଉପଯୁକ୍ତ ହୋଇଥାଏ । ପ୍ରଥମ ଥର କଟାଯିବା ପରେ ପ୍ରତି ୨ ମାସରେ ଏହା କଟାଯାଇ ପାରିବ ଓ ଏକରକୁ ପ୍ରାୟ ୪୦୦ କ୍ଵିଣ୍ଟାଲ ଘାସ ମିଳିପାରିବ । ଋତୁକାଳୀନ ଘାସ ଚାଷ ଗୋ-ଖାଦ୍ୟ ପାଇଁ ମକା ଆଗରୁ କୁହାଯାଇଅଛି ଯେ, କେବଳ ଗୋ-ଖାଦ୍ୟ ପାଇଁ ମକା, ଜୁଆର, ବାଜରା ଆଦି ଚାଷ କରାଯାଇ ପାରିବ । ଏହି ଫସଲ ଗୁଡ଼ିକ ଗୋ-ଖାଦ୍ୟ ହିସାବରେ ବେଶ୍ ପୃଷ୍ଟିକର ଓ ରୁଚିକର । ଯଦିଓ ମକା ଗଛକୁ ସବୁ ସମୟରେ ଗାଈମାନଙ୍କୁ ଦିଆଯାଇପାରେ, ତଥାପି ମକା ଗଛରେ ଫୁଲ ଧରିବା ସମୟରେ ଏହା ସବୁଠାରୁ ପୃଷ୍ଟିକର ଗୋ-ଖାଦ୍ୟ ରୂପେ ବ୍ୟବହୃତ ହୋଇଥାଏ । ଗୋ-ଖାଦ୍ୟ ପାଇଁ ମକା ଚାଷ କରିବାକୁ ହେଲେ ଢିପଜମିକୁ ଭଲ ଭାବରେ ଚାଷ କରି ତହିଁରେ ଏକର ପିଛା ୧୦ ଗାଡ଼ି ଖତ, ୨୦ କିଲୋ ୟୁରିଆ, ୭୦ କିଲୋ, ସୁପର ଫସଫେଟ୍ ଏବଂ ୨୦ କିଲୋ ମ୍ୟୁରେଟ୍ ଅଫ୍ ପଟାସ ଦେଇ ଭଲ ଭାବରେ ମାଟିରେ ମିଶାଇ ଦିଅନ୍ତୁ । ତାପରେ ଏକ ଫୁଟ ବ୍ୟବଧାନରେ ସିଆର କରି ତହିଁରେ ମକା ମଞ୍ଜି ଲଗାଯାଏ । ଏକର ପିଛା ପ୍ରାୟ ୧୦ କିଲୋ ମଞ୍ଜି ଲଗାଯାଏ । ଗଛ ଏକ ଫୁଟ ଉଚ୍ଚ ହୋଇଗଲେ ଏକର ପିଛା ଆହୁରି ୨୦ କିଲୋ ୟୁରିଆ ଦିଅନ୍ତୁ । ବିଲରୁ ଘାସ ଇତ୍ୟାଦି ବାଛି ଦେବା ଉଚିତ୍ । ସାଧାରଣତଃ ଗଛ ହେବାର ୭୦ ରୁ ୭୫ ଦିନ ଭିତରେ ଗୋ-ଖାଦ୍ୟ ପାଇଁ ମକା, କଟାଯାଏ । ଗଛକୁ ମୂଳରୁ ହାଣି ଚାଫକଟର (ନଡ଼ାକଟା ଯନ୍ତ୍ର) ବା ନଡ଼ାକଟା ପନିକି ସାହାଯ୍ୟରେ ଛୋଟ ଛୋଟ ଖଣ୍ଡରେ କାଟି ଗୋରୁଗାଈଙ୍କୁ ଖାଇବାକୁ ଦିଅନ୍ତୁ । ମକା ସହିତ ବରଗୁଡ଼ି ଗଛ ମଧ୍ୟ ଗୋରୁଙ୍କୁ ଖାଇବାକୁ ଦେବା ଭଲ । ଏକ ଏକର ମକା, କିଆରୀରୁ ସବୁଜ ଗୋଖାଦ୍ୟ ଅନୁଷ୍ୟାନ ୧୦୦ କ୍ଵିଣ୍ଟାଲରୁ ୧୨୦ କ୍ଵିଣ୍ଟାଲ ଅମଳ ମିଳିଥାଏ । ଜୋଆର ଏହା ଏକ ବର୍ଷାକାଳୀନ ଫସଲ । ଜୁନ୍ ଓ ଜୁଲାଇ ମାସରେ ଏହା ବୁଣାଯାଏ । ୪୦-୪୫ କିଲୋଗ୍ରାମ୍ ମଞ୍ଜି ହେକ୍ଟର ପିଛା ଦରକାର ହୁଏ । ମଞ୍ଜି ବୁଣିବା ପୂର୍ବରୁ ଜମିକୁ ଦୁଇ ବା ତିନି ଥର ଭଲ ଭାବରେ ଚାଷ କରି ଏକର ପ୍ରତି ୧୦-୧୫ ଶଗଡ଼ ଗୋବର ଖଡ, ୫୦ କିଲୋଗ୍ରାମ୍ ସୁପର ଫସଫେଟ୍ ଓ ୧୫ କିଲୋଗ୍ରାମ୍ ମ୍ୟୁରେଟ୍ ଅଫ୍ ପଟାସ୍ ଜମିରେ ଦିଆଯାଇ ଚାଷ କରାଯାଇଥାଏ । ମଞ୍ଜି ବୁଣିବାର ୮୦-୯୦ ଦିନ ମଧ୍ୟରେ ଏହା କଟାଯାଏ, ଫୁଲ ଧରିବା ପୂର୍ବରୁ ଏଥିରେ ଏକ ବିଷାକ୍ତ ଅମ୍ଳ ସଞ୍ଚିତ ହୋଇଥାଏ । ତାହାର ନାମ ହାଇଡ୍ରୋସାୟନିକ୍ ଏସିଡ଼୍ । ଏହା ଖାଇଲେ, ଖାଦ୍ୟ ବିଷାକ୍ତ ଜନିତ ମୃତ୍ୟୁ ହୋଇଥାଏ । ତେଣୁ ଏହାକୁ ଫୁଲ ଧରିବା ପରେ କାଟି ଖାଇବାକୁ ଦେବା ଉଚିତ୍ । ୧୦୦-୧୪୦ କ୍ଵିଣ୍ଟାଲ ଘାସ ଏକର ପିଛା ଅମଳ ହୋଇଥାଏ । ଓଟ୍ସ ଏହା ଏକ ଶୀତଦିନିଆ ଘାସ । ଏହାକୁ ଶୁଷ୍ପ ଘାସ କରି ସାଇତି ରଖାଯାଏ । ଏହା ଏକ ସୁସ୍ଵାହୁ ଗୋଖାଦ୍ୟ । ଏହା ସେପ୍ଟେମ୍ବର ମାସର ଶେଷ ବେଳକୁ ବୁଣାଯାଏ । ବର୍ଷାଦିନିଆ ଫସଲ ଅମଳ ପରେ ଜମିକୁ ୩/୪ ଥର ଚାଷ କରି ଏକର ପିଛା ୧୦ ଶଗଡ଼ ଗୋବର ଖତ ଓ ୩୦ କିଲୋଗ୍ରାମ୍ ଆମୋନିୟମ୍ ସଲ୍ଫେଟ୍ ପକାଇ ଚାଷ କରାଯାଏ । ଏକର ପିଛା, ୩୦ କିଲୋଗ୍ରାମ୍ ମଞ୍ଜି ବୁଣିବା ଉଚିତ୍ । ମଞ୍ଜି ବୁଣିବାର ଦୁଇମାସ ପରେ ଏହାର ଅମଳ ହୋଇଥାଏ । ଏହା ସାଧାରଣତଃ ଫୁଲ ହେବା ପୂର୍ବରୁ କଟାଯାଏ । ଏହି ଘାସ ଏକର ପିଛା ୧୨୫ ରୁ ୧୪୦ କ୍ଵିଣ୍ଟାଲ ଅମଳ ହୋଇଥାଏ । ବରଗୁଡ଼ି ବରଗୁଡ଼ି ଫସଲରେ ବହୁତ ପୁଷ୍ଟିସାର ଥାଏ । ତେଣୁ ଏହା ଗୋ-ଖାଦ୍ୟ ପାଇଁ ଉପାଯୁକ୍ତ । ଗୋ-ଖାଦ୍ୟ ପାଇଁ ଏକ ସ୍ଵତନ୍ତ ପ୍ରକାରର ବରଗୁଡ଼ି କିସମ ଚାଷ କରାଯାଇଥାଏ, ଯାହାକି ୩ ଥର କଟାଯାଇ ପାରେ । ଡିପ ଜମିରେ ବରଗୁଡ଼ି ଭଲ ହୁଏ । ବର୍ଷାଦିନ ପୂର୍ବରୁ ବିଲକୁ ଭଲ ରୂପେ ଚାଷ କରି ତହିଁରେ ଖତ ଦିଅନ୍ତୁ । ବରଗୁଡ଼ି ଫସଲ ପାଇଁ ଏକର ପିଛା ୧୦ କିଲୋ ୟୁରିଆ, ୮୦ କିଲୋ ସୁପର ଫସ୍ଫୋଟ୍ ଓ ୧୫ କିଲୋ ମ୍ୟୁରେଟ୍ ଅଫ୍ ପଟାସ୍ ଆବଶ୍ୟକ ହୋଇଥାଏ । ଏହାକୁ ଉପରେ ଧାଡ଼ି କରି କିମ୍ବା ଛାଟି କରି ବୁଣାଯାଇପାରେ । ଅନେକ ଚାଷୀ ମକା, ବାଜରା, ଜୁଆର ସହିତ ବରଗୁଡ଼ି ମଧ୍ୟ ଚାଷ କରିଥାନ୍ତି । ଛୁଇଁ ଧରିବାକୁ ଆରମ୍ଭ କଲେ। ଏହାକୁ କାଟି ଗୋରୁମାନଙ୍କୁ ଖାଇବାକୁ ଦିଆଯାଏ । ଏକ ଏକରରୁ ପ୍ରାୟ ୧୦୦ କ୍ଵିଣ୍ଟାଲ ପର୍ଯ୍ୟନ୍ତ ଅମଳ ମିଳିଥାଏ । ବରସିମ୍ ଆଜିକାଲି ଗୋ-ଖାଦ୍ୟ ପାଇଁ ଆମ ରାଜ୍ୟରେ ବରସିମ୍ ଫସଲ ଚାଷ କରାଯାଉଛି । ଏହି ଫସଲରେ ଅଧିକ ପରିମାଣରେ ପୁଷ୍ଟିସାର, ଥିବାରୁ ଏହା ଗୋରୁ ଗାଈମାନଙ୍କ ପାଇଁ ବେଶ୍ ପୁଷ୍ଟିକାରକ । ତେଣୁ ଗୋ-ଖାଦ୍ୟ ମଧ୍ୟରେ ଏହାକୁ ରାଜା ବୋଲି କୁହାଯାଇଥାଏ । ସାଧାରଣତଃ ଦୁଇ ପ୍ରକାର ବରସିମ୍ ବିହନ ମିଳିଥାଏ । ଟେଟ୍ରାପ୍ଲଏଡ୍ କିସମର ବିହନ ଶୀତ ଋତୁରେ ଶୀଘ୍ର ବଢ଼େ ଓ ଡ଼ିପ୍ଲଏଡ୍ ବିହନ ବସନ୍ତ ଋତୁରେ ବଢ଼େ । ତେଣୁ ଏହି ଦୁଇ କିସମର ବିହନରୁ ଅଧା ଅଧା ମିଶାଇ ବୁଣିଲେ ଅଧିକ ଦିନ ପର୍ଯ୍ୟନ୍ତ ବରସିମ୍ ମିଳିଥାଏ । ଆଜିକାଲି ଟ୍ରାଇ ପୋଲିଅମ୍ ରିପେସ୍ ନାମକ ଏକ କିସମ ମିଳୁଅଛି, ଯାହାକି ଖରାଦିନ ଆରମ୍ଭରେ ବଢ଼ିପାରେ । ଜଳସେଚନ ସୁବିଧା ଥିବା ଜମିରେ ବରସିମ୍ ଚାଷ କରିବା ଉଚିତ୍ । ମାଟିକୁ ଭଲ ରୂପେ ଚାଷ କରି ଗୁଣ୍ଡ କରିଦିଅନ୍ତୁ । ଚାଷ କରିବା ସମୟରେ ଏକର ପିଛା ୧୦ ଗାଡ଼ି ଖତ, ୨୦ କିଲୋ ୟୁରିଆ, ୧୬୦ କିଲୋ ସୁପର ଫସଫେଟ୍ ଓ ୨୦ କିଲୋ ମ୍ୟୁରେଟ୍ ଅଫ୍ ପଟାସ୍ ଦେଇ ଭଲରୂପେ ମାଟିରେ ମିଶାଇ ଦିଅନ୍ତୁ । ବିଲକୁ ଛୋଟ ଛୋଟ ପଟିରେ ବିଭକ୍ତ କରି ତହିଁରେ ମଞ୍ଜି ବୁଣନ୍ତୁ । କାରଣ ପଟି କରିବା ଦ୍ଵାରା ପାଣି ଦେବାକୁ ସୁବିଧା ହୋଇଥାଏ । ବରସିମ୍ ବିହନ ବୁଣିବା ପୂର୍ବରୁ ତାହାକୁ ଗୋଟିଏ ରାତି ପାଣିରେ ବଡୁରେଇ ଦିଆଯାଏ । ବିହନ ସହିତ ଏକ ପ୍ରକାର ଜୀବାଣୁ ଗୋଳାଇ ବୁଣିଲେ ଗଛ ଭଲ ବଢ଼ିଥାଏ । ଏକ ଏକର ପାଇଁ ସାଧାରଣତଃ ୧୦ କିଲୋ ଟେଟ୍ରାପ୍ଲଏଡ୍ ବିହନ ଓ ୬ କିଲୋ ଡିପ୍ଲଏଡ୍ ବିହନ ଆବଶ୍ୟକ ହୋଇଥାଏ । ବିହନକୁ ବିଲରେ ପ୍ରତ୍ୟେକ ପଟିରେ ସମାନ ଭାବରେ ବୁଣି ମାଟିରେ ମିଶାଇ ଦିଅନ୍ତୁ । ଗଛ ଉଠିଗଲା ପରେ ବିଲର ପାଗ ଦେଖୁ ପ୍ରତି ୧୦-୧୨ ଦିନ ଛଡ଼ାରେ ଥରେ ଲେଖାଏଁ ପାଣି ଦେବା ଦରକାର । ଗଛ ୨ ମାସର ହେଲା ପରେ ପ୍ରଥମେ କଟାଯାଏ। ଓ ତାପରେ ପ୍ରାୟ ପ୍ରତି ଦେଢ଼ ମାସରେ ଥରେ ଲେଖାଏଁ କଟାଯାଇ ପାରିବ । ଆମ ଓଡ଼ିଶାରେ ଏକ ଏକରରୁ ପ୍ରାୟ ୨୦୦ ରୁ ୨୫୦ କ୍ଵିଣ୍ଟାଲ ପର୍ଯ୍ୟନ୍ତ ବରସିମ୍ ଅମଳ କରାଯାଇପାରିବ । ଷ୍ଟାଇଲୋ ଏହା ଏକ ଛୁଇଁ ଜାତୀୟ ଘାସ । ଅଳ୍ପ ବୃଷ୍ଟି ଅଞ୍ଚଳରେ ଏହାର ଚାଷ କରାଯାଏ । ଜମିକୁ ୩ ରୁ ୪ ଥର ଚାଷ କରି ଏକର ପିଛା ୧୦ ଶଗଡ଼ ଗୋବର ଖତ ଓ ୧୦୦ କିଲୋଗ୍ରାମ୍ ସୁପର ଫସଫେଟ୍ ପକାଇ ଚାଷ କରାଯାଇ ଏକର ପିଛା ୪ ରୁ ୫ କିଲୋଗ୍ରାମ୍ ମଞ୍ଜି ବୁଣାଯାଏ, ବୁଣିବାର ୪ ମାସ ପରେ ପ୍ରଥମ କଟା ହୋଇ ଘାସ ଅମଳ ହୁଏ । ୮୦ ରୁ ୧୦୦ କ୍ଵିଣ୍ଟାଲ, ଘାସ ଏକର ପିଛା ଅମଳ ହୁଏ । ଚାରାକୁ ସାଇତି ରଖିବା କିପରି ? ସାଇଲେଜ୍ (ଘାସ, ଆଚାର) ଆମେରିକା, ଇଂଲଣ୍ଡ ପ୍ରଭୁତି ଦେଶରେ ଗାଈମାନଙ୍କୁ ଖାଇବାକୁ ଦେବା ପାଇଁ ସାଇଲେଜ୍ ପ୍ରସ୍ତୁତ କରାଯାଇଥାଏ । ଆମ ଦେଶରେ ମଧ୍ୟ ଅନେକ ବଡ଼ ବଡ଼ ସରକାରୀ ଗୋ-ପାଳନ କେନ୍ଦ୍ରରେ ମକା, ଜୁଆର, ଶଙ୍କର ନେପିଅର ଘାସ ପ୍ରକୃତିରୁ ସାଇଲେଜ୍ ପ୍ରସ୍ତୁତ କରାଯାଇ ଗାଈମାନଙ୍କୁ ଖାଇବାକୁ ଦିଆଯାଉଅଛି । ସାଇଲେଇ କରିବା ଦ୍ଵାରା ସବୁଜ ଖାଦ୍ୟକୁ ବହୁଦିନ ପର୍ଯ୍ୟନ୍ତ ସାଇତି ରଖାଯାଇ ଗୋରୁମାନଙ୍କୁ ଖାଇବାକୁ ଦିଆଯାଇଥାଏ । ସାଧାରଣତଃ ଯେତେବେଳେ ଗଛର ଡାଳପତ୍ର ଇତ୍ୟାଦି ପବନ ନଥିବା ଅବସ୍ଥାରେ ସଡ଼ିବାକୁ ଆରମ୍ଭ କରେ, ସେତେବେଳେ ସେଥିରୁ ଲାକ୍ଟିକ୍ ଏସିଡ୍ ନାମକ ଅମ୍ଳ ବାହାରିଥାଏ । ଲାକ୍ଟିକ୍ ଏସିଡ଼୍ ଦହିରେ ମଧ୍ୟ ଦେଖାଯାଏ । ଏହି ଏସିଡ୍ ସବୁଜ ଘାସ ବା ଗୋ-ଖାଦ୍ୟକୁ ସାଇତି ରଖିବାରେ ସାହାଯ୍ୟ କରିଥାଏ । ଏହି କାରଣରୁ ବାୟୁରୁଦ୍ଧ ଅବସ୍ଥାରେ ଗୋ-ଖାଦ୍ୟକୁ ସାଇତି ରଖିବା ପ୍ରଣାଳୀକୁ ସାଇଲେଜ୍ ତିଆର କୁହାଯାଏ । ଗାତ ବା ଇଟାରେ ତିଆରିସାଇଲେ। (ବାମ୍ପି ପରି) ମାନଙ୍କରେ ସାଇଲେଜ୍ ସାଇତି ରଖାଯାଏ । ବର୍ଷର ସବୁଦିନେ ଯଥେଷ୍ଟ ପରିମାଣରେ ସବୁଜ ଗୋ-ଖାଦ୍ୟ ମିଳେ ନାହିଁ । ଏଣୁ ଯେଉଁ ଋତୁରେ ଏହା ମିଳିଥାଏ, ତାହାକୁ ସାଇଲେଜ୍ରେ ପରିଣତ କରି ରଖି ପାରିଲେ ଗୋରୁମାନଙ୍କୁ ସବୁବେଳେ ଖାଇବାକୁ ଦିଆଯାଇ ପାରିବ । ସବୁଜ ଗୋଖାଦ୍ୟରେ ଯାହା ସବୁ ଖାଦ୍ୟସାର ଥାଏ, ସାଇଲେଜରେ ତାହା ସବୁ ଅତୁଟ ଅବସ୍ଥାରେ ରହିଥାଏ । ମକା, ଜୁଆର, ନେପିଅର, ବାଜରା ପ୍ରଭୃତି ଫସଲରୁ ସାଇଲେଜ୍ ପ୍ରସ୍ତୁତ କରାଯାଏ । ଏପରିକି ଧାନ ନଡ଼ା ସହିତ ବରସିମକୁ ମିଶାଇ ମଧ୍ୟ ସାଇଲେଜ୍ ପ୍ରସ୍ତୁତ କରାଯାଇପାରେ । ମକା ଗଛରୁ ଉତ୍କୃଷ୍ଣ ସାଇଲେଜ୍ ହୁଏ । ଏଥିରେ ଯଥେଷ୍ଟ ପରିମାଣରେ ଶର୍କରା ଜାତୀୟ ପଦାର୍ଥ ରହିଥିବାରୁ ଏହା ଶୀଘ୍ର ସାଇଲେଜ୍ରେ ପରିଣତ ହୁଏ । ମକା, ଜୁଆର, ଶଙ୍କର ନେପିଅର, ବାଜରା ପ୍ରଭୃତି ଗୋ-ଖାଦ୍ୟକୁ ଫସଲରେ ଅଧାଅଧି ଫୁଲ ଆସିବା ପରେ ତାକୁ ଅମଳ କରି ଚାଫ୍କଟର ବା ଘାସକଟା ଯନ୍ତ୍ର ସାହାଯ୍ୟରେ ଛୋଟ ଛୋଟ ଖଣ୍ଡ କରି ପ୍ରଥମେ କଟାଯାଏ । ତା ପରେ ଏଗୁଡ଼ିକୁ ଗାତ ବା ସାଇ ଲୋ, ଭିତରେ ଭରି କରି ଭଲ ଭାବରେ ଦାବି ଦିଆଯାଏ, ଯାହା ଫଳରେ ଗାତ ଭିତରେ ପବନ ରହିପାରେ ନାହିଁ । ଜମିର ଉପର ପତନ ଠାରୁ ଏକ ଫୁଟ ଉପର ପର୍ଯ୍ୟନ୍ତ କଟା ଘାସକୁ ରଖି ପ୍ରଥମେ ଖଣ୍ଡିଏ ପଲିଥିନ୍ ଦ୍ଵାରା ଢାଙ୍କି ଦିଆଯାଏ ଓ ତା ଉପରେ ଭଲ କରି ମାଟି ପକାଇ ଗୋବରରେ ଲିପି ଦିଆଯାଏ । ଯଦି କିଛି ଦିନ ପରେ ମାଟି ପ୍ରଲେପଟି ତଳକୁ ଦବିଯାଏ କିମ୍ବା ଫାଟ ହୋଇଯାଏ ତା ଉପରେ ଆଉ କିଛି ମାଟି ପକେଇ ଫାଟ ସବୁକୁ ବନ୍ଦ କରି ଦିଆଯାଏ, ଯେମିତି ଗାତ ଭିତରକୁ ପବନ ପଶିବ ପାରିବ ନାହିଁ । ଏହାପରେ ୪୨ ଦିନ ପରେ ଘାସ, ଆଚାର ତିଆରି ହୋଇଯାଇଥାଏ । ଖାଇବାକୁ ଦେବା ପାଇଁ ଦରକାର ମୁତାବକ ଘାସ, ଆଚାର ବାହାର କରନ୍ତୁ। ଆମ ଗାଁ ଗହଳି ପାଇଁ ଗାତ ଖୋଳି ସାଇଲେଜ୍ କରିବା ସୁବିଧାଜନକ । ସାଧାରଣତଃ ଫୁଟେ ଲମ୍ବ, ଫୁଟେ ଚଉଡ଼ା ଓ ଫୁଟେ ଗଭୀର (ଏକ ଘନଫୁଟ) ଗାତରେ ପ୍ରାୟ ୧୫ କି.ଗ୍ରା, ଖଣ୍ଡ ଖଣ୍ଡ କଟା ହୋଇଥିବା ସବୁଜ ଗୋ-ଖାଦ୍ୟ ରହିପାରେ । ଆଠଫୁଟ ଚଉଡ଼ାର ଗୋଲେଇ ଓ ୧୨ ଫୁଟ ଗଭୀର ଗାତରେ ସାଇଲେଜ୍ ରଖିଲେ ତାହା ୪ ଗୋଟି ଦୁଧିଆଳୀ ଗାଈଙ୍କ ପାଇଁ ପ୍ରାୟ ୩ ମାସ ପର୍ଯ୍ୟନ୍ତ ସାଇଲେଜ୍ ଯୋଗାଇ ପାରିବ । ହେ (Hey) କଞ୍ଚା ଘାସକୁ ଶୁଖାଇ ସାଇତି ରଖିବାର ଏକ ନିର୍ଦ୍ଦିଷ୍ଟ ପ୍ରଣାଳୀ ଅଛି । କଅଁଳିଆ ମକା, ଜୁଆର, ବାଜରା, ଏମ୍ପି. ଚେରୀ ଇତ୍ୟାଦି ଫସଲକୁ ଫୁଲ ଧରିଥିବା ଅବସ୍ଥାରେ କାଟି ଶୁଖାଇ ରଖାଯାଇପାରେ । ଏହି ଶୁଖାଇବା ପ୍ରଣାଳୀ । ୨/୩ ଦିନ ମଧ୍ୟରେ ସରିବା ଆବଶ୍ୟକ । ଗଛ ଶୁଖିଲାପରେ ତହିଁରେ ଶତକଡ଼ା ୨୦ ଅଂଶ ଜଳଭାଗ ଅଲେ ତାହା ଭଲ ହେ ହୁଏ । ତହିଁରୁ ଅଧିକ ଜଳୀୟ ଅଂଶ ରହିଲେ ତାହା ଫିମ୍ପି ମାରି ନଷ୍ଟ ହୋଇଯାଏ । ଶୀତ ଦିନେ ଚାଷ ହେଉଥିବା ବରସିମ୍, ଯବଧାନ ଓ ଲୁସର୍ଣ୍ଣ ଇତ୍ୟାଦିକୁ ସଠିକ୍ ରୂପେ ଶୁଖାଇ ଦୀର୍ଘଦିନ ଧରି ସାଇତି ରଖାହୁଏ । ସବୁଦିନିଆ ଘାସ ଗିନି, ପାରା ଓ ନେପିଅର ପ୍ରଭୃତି ଘାସକୁ ମଧ୍ୟ ଶୁଖାଇ ସାଇତା ଯାଇପାରେ । ହେ ଘାସକୁ ଗଣ୍ଠି ଆକାରରେ ବିଡ଼ା ବାନ୍ଧି ଛାଇ ଜାଗାରେ ଓ ବର୍ଷା ପାଣି ପଡୁ ନଥିବା ଛପର ତଳେ ରଖିବା ଉଚିତ୍ । ବର୍ଷା ପାଣି ପଡ଼ିଲେ, ତାହା ନଷ୍ଟ ହୋଇଯାଏ । ସାଧାରଣତଃ ଯେତେବେଳେ ସବୁଜ ଘାସ ମିଳେ ନାହିଁ, ସେତେବେଳେ ସାଇଲୋରୁ ସାଇଲେଜ୍ ନେଇ ଗାଈମାନଙ୍କୁ ଖାଇବାକୁ ଦେବା ଉଚିତ୍ । ପ୍ରତ୍ୟେକ ଦିନ ଅଳ୍ପ ଅଳ୍ପ କରି ସାଇଲେଜ୍ କାଢ଼ି ଗୋରୁଙ୍କୁ ଦିଆଯାଏ । ଗୋଟିଏ ଗାଈକୁ ସାଧାରଣତଃ ଦୈନିକ ୨୫ କି.ଗ୍ରା.. ପର୍ଯ୍ୟନ୍ତ ସାଇଲେଜ୍ ଖାଇବାକୁ ଦିଆଯାଇପାରେ । ତେବେ ୨ ଭାଗ ସାଇଲେଜ୍ ସହିତ ୧ ଭାଗ ସବୁଜ ଘାସ ମିଶାଇ ଖାଇବାକୁ ଦେବା ସବୁଠାରୁ ଭଲ । ମନେରଖିନ୍ତୁ ଗୋରୁଗାଈମାନଙ୍କୁ ସବୁବେଳେ ସୁଷମ ଖାଦ୍ୟ ଦିଅନ୍ତୁ । ଅଧିକ କ୍ଷୀର ପାଇବା ପାଇଁ ଗାଈମାନଙ୍କୁ ମିଶ୍ରିତ ଦାନା ଦିଅନ୍ତୁ । ଗାଈ ରଖିଲା ବେଳେ ଘାସଚାଷ କରିବା ପାଇଁ ଭୁଲନ୍ତୁ ନାହିଁ । ଦୈନିକ ଆପଣଙ୍କ ଗାଈକୁ ଅନ୍ତତଃ ୨୦-୨୫ କି.ଗ୍ରା, କଞ୍ଚା ଘାସ ଖାଇବାକୁ ଦିଅନ୍ତୁ । ଅଧିକ ଅମଳ ପାଇବା ପାଇଁ ହାଇବ୍ରିଡ୍ ନେପିଅର, ଗିନି ବା ପାରା ଘାସ ଚାଷ କରନ୍ତୁ । ଘାସ ଚାଷ ପାଇଁ ବିହନ ପାଇବାକୁ ହେଲେ ନିକଟସ୍ଥ ପଶୁ ଚିକିତ୍ସକଙ୍କ ସହ ଯୋଗାଯୋଗ କରନ୍ତୁ। ଅଧିକ ଜାଣିବା ପାଇଁ -"ଓୟୁଏଟି" ସଂଗୃହିତ - ସଂଶୋଧିତ ବିଷୟବସ୍ତୁ ଡା ଇକ୍ଷ୍ମଣ କୁମାର ବାବୁ, ପ୍ରଫେସର ପ୍ରାଣୀଧନ ଉତ୍ପାଦନ ଓ ପରିଚାଳନା ବିଭାଗ ପଶୁ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟ ଭୁବନେଶ୍ଵର – ୭୫୧୦୦୩ ମୂଳ ବିଷୟ ବସ୍ତୁ ଡଃ ମହେଶ୍ଵର ମିଶ୍ର ଡଃ ବିଜୟ କୁମାର ସାହୁ ଡଃ ଅନ୍ତର୍ଯ୍ୟାମୀ ମହାନ୍ତି