ବର୍ତ୍ତମାନ ଧାନ ଫସଲରେ କାଣ୍ଡବିନ୍ଧା ପୋକ ଏକ ମୁଖ୍ୟ କ୍ଷତିକାରକ, ପୋକ ଭାବରେ ପରିଗଣିତ । ତେବେ ପାଞ୍ଚ ପ୍ରକାରର କାଣ୍ଡବିନ୍ଧା ପୋକ ମଧ୍ୟରୁ ହଳଦିଆ କାଣ୍ଡବିନ୍ଧା ପୋକ ମୁଖ୍ୟତଃ ଉପକୂଳବର୍ତ୍ତୀ ଜିଲ୍ଲାର ଖାଲୁଆ ଓ ଆଭ୍ୟନ୍ତରୀଣ ଜିଲାର ଜଳସେଚିତ ଖାଲ ଜମିରେ ବହୁଳ ଭାବରେ ଦେଖାଯାଏ । କିପରି ଚିହ୍ନଟ କରିବେ ପୂର୍ଣ୍ଣାଙ୍ଗ ପୋକଟି ଈଷତ୍ ହଳଦିଆ କିମ୍ବା ମାଟିଆ ରଙ୍ଗର ଗୋଟିଏ ଛୋଟ ମଥ ଭଳି । ସ୍ତ୍ରୀ ପୋକଟି ପୁରୁଷ ପୋକଠାରୁ ଆକାରରେ ବଡ଼ ଓ ଏହାର ଆଗଡେଣାର ମଧ୍ୟ ଭାଗରେ ସୁସ୍ପଷ୍ଟ କଳା ରଙ୍ଗର ଏକ ଚିହ୍ନ ଥାଏ । ମା' ପୋକ କଅଁଳ ଧାନପତ୍ରର ଅଗ୍ର ଭାଗରେ ମେଞ୍ଚା କରି ଅଣ୍ଡା ଦେଇଥାଏ । ଗୋଟିଏ ମେଞ୍ଚାରେ ଶତାଧିକ ଅଣ୍ଡା ଥାଏ । ମା' ପୋକଟି ଅଣ୍ଡାଗୁଡ଼ିକୁ ଖରା ଓ ବର୍ଷରୁ ରକ୍ଷା କରିବା ପାଇଁ ନିଜ ଶରୀରରୁ ପୁଚ୍ଛ ବାହାର କରି ବାଦାମୀ ବର୍ଣ୍ଣର କେଶଗୁଚ୍ଛ ଦ୍ଵାରା ଅଣ୍ଡାକୁ ଆବୃତ୍ତ କରି ରଖେ । ୫ ରୁ ୮ ଦିନ ମଧ୍ୟରେ ଅଣ୍ଡା ଫୁଟି ଶୂକ ବାହାରନ୍ତି । ଏହି କୀଟର ଶୁକ୍ଳ ଦେଖିବାକୁ ହଳଦୀମିଶା ଧବଳ ବର୍ଣ୍ଣର ଓ ମୁଣ୍ଡ କମଳା ବର୍ଣ୍ଣର । ସଦ୍ୟଜାତ ଶୁକ କାଣ୍ଡ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରେ। ଏବଂ ବେଳେବେଳେ ରେଶମୀ ସୂତା ଦ୍ଵାରା ଗଛରୁ ଝୁଲି ରହିଥାଏ । ପବନର ଗତିରେ ଗୋଟିଏ ଗଛରୁ ଅନ୍ୟ ଗଛକୁ ସ୍ଥାନାନ୍ତରିତ ହୁଏ । ଧାନ ପିଲ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ନବଜାତ ଶୁକ ଦିନେ ଦୁଇ ଦିନ ଧାନପତ୍ର ଉପରେ ଚଲାବୁଲ କରି ପତ୍ରର ସବୁଜ ଅଂଶ କୋରି ଖାଆନ୍ତି । ଏହାପରେ ଗଣ୍ଠି ନିକଟରୁ ଛିଦ୍ର କରି କାଣ୍ଡ ଭିତରକୁ ପ୍ରବେଶ କରେ ଏବଂ କାଣ୍ଡ ଭିତରେ ଥିବା ନରମ ତନ୍ତୁ ଖାଇ ନଷ୍ଟ କରିଦିଏ । ଏହା ଫଳରେ କାଣ୍ଡ ଭିତର ପୋଲା ହୋଇଯାଏ ଏବଂ କାଣ୍ଡ ମଧ୍ୟ ଦେଇ ଜଳ ଓ ପୋଷକ ପରିବହନ ବାଧାପ୍ରାପ୍ତ ହୁଏ । ଫଳରେ ଧାନ ବୁଦାର ମଝି କନ୍ଦା ଶୁଖି ମରିଯାଏ । ଏହାକୁ ‘ମଞ୍ଜକିଳା' ବା ‘ମଲମଞ୍ଜ' କୁହାଯାଏ । ହାତରେ ଟାଣିଲେ ମଲାମଞ୍ଜ ପତ୍ର ସହଜରେ ବାହାରି ଆସେ ଏବଂ କେଣ୍ଡା ଅବସ୍ଥାରେ ଏହି ପୋକ ଆକ୍ରମଣ ଯୋଗୁ କେଣ୍ଡାଟି ଶୁଖି ଧଳା ଦେଖାଯାଏ । ଏହି କେଣ୍ଡାର ଧାନ ସବୁ ଅଗାଡ଼ି ହୋଇଯାଏ । ଏହାକୁ ‘ଧଳାକୋଣ୍ଡା' ବା ‘ବଗପକ୍ଷିଆ' କେଣ୍ଡା କୁହାଯାଏ । ଆର୍ଥିକ ଦେହଳୀ ସୀମା ସଅଳ ରୂଆ ଅବସ୍ଥା ୫% ମଲାମଞ୍ଜ ବା ଏକ ବର୍ଗମିଟର ପ୍ରତି ଗୋଟିଏ ଅଣ୍ଡା ପୁଞ୍ଜ । ମଧ୍ୟମ ପିଲ ଅବସ୍ଥା-୫% ମଲାମଞ୍ଜ । କେଣ୍ଡା ଅବସ୍ଥା- ବର୍ଗ ମିଟର ପ୍ରତି ଗୋଟିଏ ଶଲଭ । ପରିଚାଳନା ଏହି ଦଫାରେ ପ୍ରୟୋଗ କରିବା ପୋକର ଶୁକ ଓ କୋଷା ନଡ଼ାମୂଳି ମଧ୍ୟରେ ବହୁଦିନ ପର୍ଯ୍ୟନ୍ତ ନିଷ୍କ୍ରିୟ ଅବସ୍ଥାରେ ରହିଥାନ୍ତି । ସେଥିଯାଇଁ ଅମଳବେଳେ ଧାନ ଗଛକୁ ଭୂମି – ପତନରେ କାଟନ୍ତୁ ଏବଂ ନଡାମୂଳିକୁ ଚାଷକରି କିମ୍ବା ନିଆଁ ଲଗାଇ ନଷ୍ଟ କରିଦିଅନ୍ତୁ । ସଅଳ ଅମଳ ହେଉଥିବା । ଧାନ କିସମ ବ୍ୟବହାର କଲେ ଫସଲରେ ପୋକର ଏକାଧିକ ପିଢି କାଣ୍ଡବିନ୍ଧା ପୋକ ଦେଖାଯାଏ ନାହିଁ । ଅଧିକ ପରିମାଣର ଯବକ୍ଷାରଜାନ ସାର ପ୍ରୟୋଗ ପରିବର୍ତ୍ତେ ଆବଶ୍ୟକ ପରିମାଣର ସାର ଆବଶ୍ୟକ । ଏକର ପ୍ରତି ୫ଟି ଲେଖାଏଁ ସଙ୍ଗ ଆକର୍ଷଣ ଯନ୍ତା (ଫେରୋମନ୍ ଟ୍ରାପ୍) ସ୍ଥାପନ କରନ୍ତୁ, ଯଦ୍ଵାରା ପୋକର ଗତିବିଧିକୁ ନିରୀକ୍ଷଣ କରିହେବ । ଆବଶ୍ୟକ ସ୍ଥଳେ ହେକ୍ଟର ପ୍ରତି ୧,୦୦,୦୦୦ ଟ୍ରାଇକୋଗ୍ରାମା ପରାଶ୍ରୟୀ (ଅଣ୍ଡା ନାଶୀ) କୀଟ ଧାନରୁଆର ୧ ମାସ ପରଠାରୁ ସାପ୍ତାହିକ ବ୍ୟବଧାନରେ ଛଅଥର କ୍ଷେତରେ ଛାଡ଼ିଲେ, କାଣ୍ଡବିନ୍ଧା ପୋକ ବଂଶବୃଦ୍ଧି କରିପାରନ୍ତି ନାହିଁ । ସଦ୍ୟଜାତ ଶୁକର ନିୟନ୍ତ୍ରଣ ସକାଶେ ବୀଜାଣୁ ଜାତୀୟ ବିଷ ଯଥା ‘ବାସିଲସ ଥୁରିଞ୍ଜିଏନ୍ସିସ” ପ୍ରତି ଲିଟର ପାଣିରେ ୨ ଗ୍ରାମ ହିସାବରେ ମିଶାଇ ଫସଲରେ ସିଞ୍ଚନ କରିପାରିବେ । ଯଦିର ପୋକର ପ୍ରାଦୁର୍ଭାବ ବଢ଼ିଛି ଓ ମଲାମଞ୍ଜ ୫% ରୁ ଅଧିକ ଦେଖାଯାଉଛି, ତେବେ ନିମ୍ନଲିଖତ କୀଟନାଶକ ଦ୍ରବ୍ୟ ୫୦୦ ଲିଟର ପାଣି ସହ ମିଶାଇ ଫସଲରେ ସିଞ୍ଚନ କରନ୍ତୁ । କୀଟନାଶକ ଦ୍ରବ୍ୟର ନାମ କାର୍ବୋଫ୍ୟୁରାନ୍ ୩% ଜି – ୩୩,୦୦୦ ଫୋରେଟ୍ ୧୦% ଜି. - ୧୦,୦୦୦ ଫିପ୍ରୋନିଲ୍ ୦.୩% ଜି. – ୨୫,୦୦୦ କ୍ଳୋରାନ୍ଟ୍ରାନିଲିପ୍ରୋଲ୍ ୧୮.୫% ଏସ.ସି. -୧୫୦ ଫିପ୍ରୋନିଲ୍ ୫% ଏସ୍.ସି.- ୧୦୦୦ ଲାମ୍ବଡ଼ା-ସାଇହାଲୋଥ୍ରିନ୍ ୫% ଇ.ସି.- ୫୦୦ କ୍ରିନାଲଫୋସ୍ ୨୫% ଇ.ସି. – ୧୦୦୦ ଟ୍ରାୟାଜୋଫସ୍ ୨୦% ଇ.ସି. - ୧୫୦୦ ଫ୍ଲୁବେଣ୍ଡିଆମାଇଡ୍ ୨୦% ଡବ୍ଡ, ଜି. - ୧୨୫ ମିଶ୍ରିତ କୀଟନାଶକ କ୍ଵିନାଲଫୋସ୍ ୨୦% ଇ.ସି. + ସାଇପରମେଥ୍ରିନ୍ ୩% ଇ.ସି. କିମ୍ବା ଟ୍ରାୟାଜୋଫାସ୍ ୩୫% ଇ.ସି + ଡେଲ୍ଟାମେଥ୍ରିନ୍ ୧% ଇ.ସି. ହେକ୍ଟର ପ୍ରତି ୧ ଲିଟର ହିସାବରେ ୫୦୦ ଲିଟର ପାଣି ସହ ମିଶାଇ ଫସଲରେ ସିଞ୍ଚନ କରନ୍ତୁ । ଏହି ମିଶ୍ରିତ କୀଟନାଶକକୁ ମାଟିଆ ଗୁଣ୍ଡିପୋକ ଦେଖାଯାଉଥିବା ଅଞ୍ଚଳରେ ବ୍ୟବହାର କରନ୍ତୁ ନାହିଁ । ଗୋଟିଏ ପ୍ରକାର କୀଟନାଶକକୁ ବାରମ୍ବାର ବ୍ୟବହାର ନ କରି ବିଭିନ୍ନ ପ୍ରକାର କୀଟନାଶକକୁ ଅଦଳବଦଳ କରି ବ୍ୟବହାର କରନ୍ତୁ, ଯଦ୍ଵାରା ପୋକର କୀଟନାଶକ ସହନଶୀଳ କ୍ଷମତା ବୃଦ୍ଧି ପାଏନାହିଁ । ଆଧାର - ଶୁଭଶ୍ରୀ ଦାଶ, କୀଟତତ୍ତ୍ଵ ବିଭାଗ ସୁମିତା ଦାସ, ବୀଜ ବିଜ୍ଞାନ ପ୍ରଯୁକ୍ତି ବିଭାଗ,କୃଷି ମହାବିଦ୍ୟାଳୟ ଓ ୟୁଏଟି, ମୋ – ୭୮୭୩୪୪୫୨୬୦