ଧାନ ଫସଲ ରୋଗ ଧାନ ଫସଲରେ ରୋଗପୋକ ପ୍ରାଦୁର୍ଭାବରୁ ଧାନ ଅମଳ ଶତକଡ଼ା ୩୦ ଭାଗ ହ୍ରାସ ପାଇଥାଏ । ଏନେଇ ଚାଷୀ ରୋଗପୋକର ଉପଯୁକ୍ତ ଚିହ୍ନଟ କରି ନିରାକରଣ କରିବା ଦରକାର । ଧାନ ଫସଲର ମୁଖ୍ୟ ରୋଗ: ମହିଷା, ପତାଚ୍ଛଦ ପୋଡ଼ା ରୋଗ, ପତ୍ରାଚ୍ଛଦ ସଢ଼ା, ସାହାରା ପତ୍ରଚିତା ଜୋରାଗ ଅନ୍ୟତମ । ମହିଷା ରୋଗ: ଏହି ରୋଗରେ ପ୍ରଥମେ ପତ୍ରରେ ଛୋଟ ବାଦାମୀ ରଙ୍ଗର ଦାଗ ଦେଖାଯାଏ । ଜୋରେ ସେଗୁଡ଼ିକ ବୃଦ୍ଧି ପାଇ ଆଖୁ ଆକୃତିର ହୋଇଥାଏ । ଏହି ଦାଗ ଗୁଡ଼ିକର ମଝି ଅଂଶ ଫିକା ପାଉଁଶିଆ ଓ କଡ଼ଗୁଡ଼ିକ ଗାଢ଼ ବାଦାମୀ ରଙ୍ଗର ଦେଖାଯାଏ । ଫଳରେ ଆକ୍ରାନ୍ତ ପତ୍ର ଶୁଖିଯାଏ । ଫୁଲ ଆସିବା ପରେ ରୋଗ ସଂକ୍ରମିତ ହୋଇ କେଣ୍ଡା ମୂଳ ଗଣ୍ଠିରେ ଗାଢ଼ ବାଦାମୀ ରଙ୍ଗର ଚିହ୍ନ ହୋଇ କଳା ପଡ଼ିଯାଏ । କେଣ୍ଡାଟି ଗଣ୍ଠିରୁ ଭାଙ୍ଗିପଡ଼େ ଓ କେଣ୍ଡାରେ ଥିବା ଧାନ ଗୁଡ଼ିକ ଅଗାଡ଼ି ହୋଇଯାଏ । ନିୟନ୍ତ୍ରଣ : ରୋଗ ସହଣୀ ବିହନ କିସମ ବିହନ ଯେପରିକି ଲଲାଟ, ଭୁବନ, ପ୍ରତାପ, ସୁରେନ୍ଦ୍ର, ଭୋଇ, ଗୌରୀ ମହାନଦୀ ଆଦି ଚାଷ କରନ୍ତୁ ବିହନ ବୁଣିବା ପୂର୍ବରୁ ବିହନ ବିଶୋଧନ କରନ୍ତୁ । ତଳି ଉପାଡ଼ିବାର ଏକ ସପ୍ତାହ ପୂର୍ବରୁ ପ୍ରତି ଲିଟର ପାଣିରେ ୦.୬ ଗ୍ରାମ ହିସାବରେ ଟ୍ରାଇସାଇକ୍ଲୋଜେଲ (ବିମ୍) ଔଷଧ ଗୋଳାଇ ତଳି ପଟାଳିରେ ସିଞ୍ଚନ କରନ୍ତୁ । ଆକ୍ରାନ୍ତ ଫସଲରେ ଏକର ପ୍ରତି ୧୨୦ ଗ୍ରାମ୍ ଟ୍ରାଇସାଇକ୍ଲୋଜେଲ କିମ୍ବା ୨୦୦ ଗ୍ରାମ୍ କାସୁଗାମାଇସିନ୍ କିମ୍ବା ୨୦୦ ମି.ଲି. ଫୁଙ୍ଗି-୧ କିମ୍ବା ୩୦୦ ମି.ଲି ହିନୋସାନକୁ ୨୦୦ ଲିଟର ପାଣିରେ ଗୋଳାଇ ୧୫ ଦିନ ବ୍ୟବଧାନରେ ୨ ଥର ସିଞ୍ଚନ କରନ୍ତୁ । ପତ୍ରାଚ୍ଛଦ ପୋଡ଼ା ରୋଗ ସାଧାରଣତଃ ଏହା ଖରିଫ ଧାନ ଫସଲକୁ ପିଲ ଦେବା ପରଠାରୁ ଥୋଡ଼ ଆସିବା ମଧ୍ୟରେ ସଂକ୍ରମଣ କରିଥାଏ । ପ୍ରଥମେ ଗଛର ପତ୍ର ମୂଳରେ ଧୁସର ସବୁଜ ରଙ୍ଗର ଏକ ଦାଗ ଦେଖାଯାଏ । କ୍ରମେ ଏହା ଆକାରରେ ବୃଦ୍ଧିପାଏ ଓ ଦାଗର ପାର୍ଶ୍ବଗୁଡ଼ିକ ଆବଡ଼ାଖାବଡ଼ା ହୋଇ ଗାଢ଼ ବାଦାମୀ ରଙ୍ଗ ପଡ଼ିଯାଏ । ଦାଗ ଗୁଡ଼ିକର ମଧ୍ୟ ଭାଗ ଧୂସର ରଙ୍ଗର ହୋଇଥାଏ । ରୋଗର ପ୍ରାଦୁର୍ଭାବ ଅଧିକ ହେଲେ ଏହି ଚିହ୍ନ ପତ୍ରକୁ ସଂକ୍ରମିତ ହୋଇଥାଏ ଓ ପତ୍ରରେ ବୋଡ଼ା ସାପ ଜାତି ପରି ଚିହ୍ନ ମାନ ବ୍ୟାପିଯାଏ । ରୋଗ ପୁରୁଣା ହେଲେ ବାହାର ପଟର ପତ୍ରଗୁଡ଼ିକ ଧିରେ ଧିରେ ଶୁଖି ତଳକୁ ଖସିଯାଏ ଓ ପତ୍ର ଆଚ୍ଛଦର ଧାର ଗୁଡ଼ିକରେ ସୋରିଷ ଆକୃତିର ଧଳା ରଙ୍ଗର କବକ ବୀଜ (ସ୍ଲେରୋସିଆ) ଗୁଡ଼ିକ ହାଲକା ଭାବେ ଲାଖି ରହିଥାଏ । ଏହି ସ୍ଲେରୋସିଆ ଗୁଡ଼ିକ ବାଦାମୀ ରଙ୍ଗ ହୋଇଯାଏ । ନିୟନ୍ତ୍ରଣ : ରୋଗ ସହଣୀ କିସମ ଯଥା ସୁରେନ୍ଦ୍ର, ଲଲାଟ, ପ୍ରାଚୀ, ଗଜପତି, ଭୋଇ ଓ ମହାନଦୀ ଆଦି ବିହନ ବୁଣନ୍ତୁ । ଯବକ୍ଷାରଜାନ ସାର ଆବଶ୍ୟକ ମୂତାବକ ପ୍ରୟୋଗ କରନ୍ତୁ । ଏକର ପ୍ରତି ୪୦୦ ମିଲିଲିଟର ଭାଲି ଡାମାଇସିନ୍ କିମ୍ବା ୨୦୦ ମିଲିଲିଟର ପ୍ରପିକୋନାଜୋଲ କିମ୍ବା ୫୦୦ ମିଲିଲିଟିର ହେକ୍ଟୋକୋନାଜୋଲ୍ ୨୦୦ ଲିଟର ପାଣିରେ ଗୋଳାଇ ୧୫ ଦିନ ବ୍ୟବଧାନରେ ଦୁଇଥର ସିଞ୍ଚନ କରନ୍ତୁ। ପତ୍ରାଚ୍ଛଦସଢ଼ା ରୋଗ ଗଛର ପତ୍ରମୂଳରେ ବାଦାମୀ ରଙ୍ଗର ଦାଗ ଦେଖାଯାଏ । ପରେ ଏହି ଚିହ୍ନର ଆକାର ବୃଦ୍ଧିପାଏ ଓ ପୁରାପୁରି ପତ୍ର ଆଚ୍ଛାଦଟିକୁ ବ୍ୟାପିଯାଏ । ଆକ୍ରାନ୍ତ ଗଛର ଥୋଡ଼ପତ୍ର ଭିତରୁ କେଣ୍ଡାଟି ବାହାରି ପାରେ ନାହିଁ କିମ୍ବା ଆଂଶିକ ବାହାରି ରହିଥାଏ । ଆକ୍ରାନ୍ତ କେଣ୍ଡାଟିର ଧାନଗୁଡ଼ିକ ବାଦାମୀ ରଙ୍ଗ ପଡ଼ିଯାଏ ଓ ଅଗାଡ଼ି ହୋଇଯାଏ । ନିୟନ୍ତ୍ରଣ : ରୋଗ ସହଣୀ କିସମ ଯେମିତିକି ସୁରେନ୍ଦ୍ର, ଗଜପତି, ଖାରବେଳ, ରାମଚଣ୍ଡୀ, ମହାନଦୀ ଓ ଇନ୍ଦ୍ରାବତୀ ପ୍ରଭୃତି ଚାଷ କରନ୍ତୁ । ବିଲରୁ ନଡ଼ା ମୂଳ ଗୁଡ଼ିକ ପୋଡ଼ି ନଷ୍ଟ କରି ଦିଅନ୍ତୁ । ଏକର ପ୍ରତି ୨୦୦ ମି.ଲି. ପ୍ରପିକୋନାଜେଲ କିମ୍ବା ୨୦୦ ମି.ଲି. ଆଇସୋପ୍ରେ ଥାୟୋଲେନ୍ ୪୦ ଏସ.ସି. ଔଷଧକୁ ୨୦୦ ଲିଟର ପାଣିରେ ଗୋଳାଇ ଲିଙ୍ଗସଂଚାର ପୂର୍ବରୁ ଥରେ ଓ ୧୫ ଦିନ ପରେ ପୁଣି ସିଞ୍ଚନ କରନ୍ତୁ । ଆଧାର - ଦୈନିକ ପ୍ରମେୟ