ଦୁଇ ବା ତହିଁରୁ ଅଧିକ ଫସଲକୁ ଗୋଟିଏ ଜମିରେ ଏକ ସମୟରେ ବିକଳ୍ପ ଧାଡିରେ ଚାଷ କରିବାକୁ ଅନ୍ତଃ ଫସଲ ଚାଷ କୁହାଯାଏ । ଅନ୍ତଃ ଫସଲକୁ ଚାଷ ସଂଯୁକ୍ତ ଫସଲର ଗଛ ସଂଖ୍ୟା ଭିତ୍ତିରେ ଦୁଇ ଭାଗରେ ବିଭକ୍ତ କରାଯାଇଛି - ସଂଯୋଜୀ ଅନ୍ତଃ ଫସଲ ଓ ପ୍ରତିସ୍ଥାପନ ଅନ୍ତଃ ଫସଲ । ପ୍ରଥମ ପଦ୍ଧତିରେ ଗୋଟିଏ ଫସଲର ନିରୁତା ଚାଷ ପାଇଁ ଅନୁମୋଦିତ ଗଛ ସଂଖ୍ୟା ଅକ୍ଷୁର୍ଣ୍ଣ ରଖାଯାଏ । ଏହି ଫସଲକୁ ମୂଳ ଫସଲ କୁହାଯାଏ ମୂଳ ଫସଲର ଦୁଇ ଧାଡି ମଧ୍ୟରେ ଆଉ ଗୋଟିଏ ଫସଲକୁ ଲଗାଯାଏ । ଏହାକୁ ଅନ୍ତଃ ଫସଲ କୁହାଯାଏ । ଅନ୍ତଃ ଫସଲର ଗଛ ସଂଖ୍ୟା ନିରୁତା ଫସଲ ପାଇଁ ଅନୁମୋଦିତ ଗଛ ସଂଖ୍ୟାଠାରୁ କମ୍ ରହେ । ଦ୍ଵିତୀୟ ପଦ୍ଧତିରେ ଉଭୟ ଫସଲକୁ ସଂଯୁକ୍ତ ସଂଖ୍ୟା ନିରୁତା ଫସଲ ତୁଳନାରେ କମ୍ ହୁଏ । ଅନ୍ତଃ ଫସଲ ଚାଷର ଉପକାର ନିରୁତା ଫସଲଠାରୁ ଅନ୍ତଃ ଫସଲ ଚାଷରୁ ଅଧିକ ଆଦାୟ ମିଳେ । ଉତ୍ପାଦନରେ ଅଧିକ ନିଶ୍ଚିତତା ଓ ସ୍ଥିରତା ଆସେ । କାରଣ ଗୋଟିଏ ଫସଲ ନଷ୍ଟ ହୋଇଗଲେ ଅନ୍ୟ ଫସଲ ଦ୍ଵାରା ଏହି କ୍ଷତି ଅନେକାଂଶରେ ଭରଣା ହୋଇପାରେ ଜୀବନ ଧାରଣ କୃଷିରେ ଉତ୍ପାଦନର ନିଶ୍ଚିତତା ଏବଂ ସ୍ଥିରତା ବିଶେଷ ଗୁରୁତ୍ଵପୂର୍ଣ୍ଣ । ଅନ୍ତଃ ଫସଲ ଚାଷ ଯୋଗୁ ସ୍ଥାନ ଓ ସମୟର ସର୍ବାଧିକ ଉପଯୋଗ ହୋଇଥାଏ । ଛୁଇଁ ଜାତୀୟ ଫସଲକୁ ଅନ୍ତଃ ଫସଲଭାବେ ଚାଷ କରିବା ଦ୍ଵାରା ମୃତ୍ତିକା ଉର୍ବରତା ସୁରକ୍ଷିତ ରହେ । ସଂଯୁକ୍ତ ଫସଲଗୁଡିକର ଚେର ପଦ୍ଧତିରେ ତାରତମ୍ୟ ହେତୁ ମୃତ୍ତିକାର ବିଭିନ୍ନ ସ୍ତରର ଖାଦ୍ୟସାର , ଜଳ ଦକ୍ଷତାର ସହିତ ବିନିଯୋଗ କରିହୁଏ । ମୃତ୍ତିକା ଉପରିସ୍ଥ – ପରିବେଶର ବିଭିନ୍ନ ଉପାଦାନ ଯଥା : ଆଲୋକ, ଟାପ, ଅଙ୍ଗାରକାମ୍ଳ ଓ ବୃଷ୍ଟିଜଳକୁ ଅଧିକ ବିନିଯୋଗ କରି ହୁଏ । ଅଧିକ ଦିନରେ ଅମଳ ହେଉଥିବା ଏବଂ ଅଧିକ ବ୍ୟବଧାନରେ ଲଗାଯାଉଥିବା ଫସଲ ପ୍ରଥମାବସ୍ଥାର ମନ୍ଥର ବୃଦ୍ଧି ସମକୁ ବିନିଯୋଗ କରିହୁଏ । ଶସ୍ୟ ଓ ଛୁଇଁ ଜାତୀୟ ଫସଲକୁ ଏକାଠି ଚାଷ କରିବା ଦ୍ଵାରା ସୁଷମ ଖାଦ୍ୟ ଓ ଗୋ – ଖାଦ୍ୟ ମିଳେ । ଆନ୍ତଃ ଫସଲ ଚାଷ ଦ୍ଵାରା ମୃତ୍ତିକାର ଅବିଚ୍ଛିନ୍ନ ଆଚ୍ଛାଦନ ଯୋଗୁଁ ମୃତ୍ତିକା କ୍ଷୟ କମ୍ ହୁଏ । ଅନ୍ତଃ ଫସଲ ଚାଷ ଶ୍ଵାସରୋଧ ତୃଣକକୁ ମଧ୍ୟ ନିୟନ୍ତ୍ରଣ କରେ । ଅନ୍ତଃ ଫସଲରେ ଗୋଟିଏ ଫସଲ ଆଉ ଗୋଟିଏ ଫସଲକୁ ପୋଷଣ କରେ କିମ୍ବା ଆଶ୍ରୟ ଦିଏ । ସଂଯୁକ୍ତ ଫସଲ ମଧ୍ୟ ବାୟୁଜନିତ ଅନିଷ୍ଟକାରୀ କୀଟ ଏବଂ ରୋଗ ସୃଷ୍ଟିକାରୀ ଜୀବକୁ ଅବରୋଧ କରେ । ଅସମତଳ ଗଡାଣିଆ ଜମିରେ ପର୍ଯ୍ୟାୟକ୍ରମେ ଚାରଣ ପାଇଁ ଘାସ ସହିତ ଛୁଇଁ ଜାତୀୟ ଗୋ – ଖାଦ୍ୟ ଫସଲକୁ ଅନ୍ତଃ ଚାଷ କରିବା ଦ୍ଵାରା ପ୍ରାନ୍ତୀୟ ଜମି ର ଅଧିକ ବିନିଯୋଗ ହୁଏ । ଭୂକ୍ଷୟ ପ୍ରଶୟୀ ଓ ଭୂକ୍ଷୟ ନିରୋଧୀ ଫସଲର ପଡିଦାର ଚାଷ ଦ୍ଵାରା ଭୂ – ଉନ୍ନୟନ କରିହୁଏ । ଜମିରୁ ଆୟ ବାଣ୍ଟି ହୋଇ ମିଳେ ଏବଂ ବଜାର ଦର କମ୍ ରହିଲେ କ୍ଷତି ସହିବାକୁ ପଡେ ନାହିଁ । ଅଧିକ କର୍ମ ଦିବସ ସୃଷ୍ଟି ହୁଏ ଏବଂ ସଂଯୁକ୍ତ ଫସଲକୁ ଲଗାଇବା ଏବଂ ଅମଳ କରିବାରେ ବ୍ୟବଧାନ ହେତୁ ଅଫହିକ ଶ୍ରମ ଆବଶ୍ୟକ କରୁଥିବା ଚାଷକାର୍ଯ୍ୟ ବାଣ୍ଟିହୋଇ ରହେ । ଏଣୁ ଚାଷକାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରିହୁଏ । ଅନ୍ତଃ ଫସଲ ଚାଷର ଅପକାର ଯାନ୍ତ୍ରିକ ପ୍ରଣାଳୀରେ ଚାଷ କରାଯାଉଥିଲେ ଅଥବା ସଂଯୁକ୍ତ ଫସଲଗୁଡିକର ସାର, ଜଳ, ବୁଣିବା ଗଭୀରତା ଏବଂ ବୁଣିବା ପରବର୍ତ୍ତୀ ଯତ୍ନ ଆବଶ୍ୟକତା କିନ୍ତୁ ଭିନ୍ନ ହେଉଥିଲେ ଅନ୍ତଃଫସଲ ଚାଷକୁ ପରିଚାଳନା କରିବାରେ ଅସୁବିଧା ଦେଖାଦିଏ । ସଂଯୁକ୍ତ ଫସଲ ଗୁଡିକର ଅମଳ ସମୟ ଭିନ୍ନ ଭିନ୍ନ ହୋଇଥିଲେ ଅମଳ କରିବାରେ ମଧ୍ୟ ଅସୁବିଧା ଦେଖାଦିଏ । ଅନ୍ତଃଫସଲ ଚାଷରୁ ଯଦିଓ ଅଧିକ ଆଦାୟ ମିଳେ କିନ୍ତୁ ଉତ୍ପନ୍ନ ଦ୍ରବ୍ୟରୁ ଗୁଣାତ୍ମକମାନ ନିକୃଷ୍ଟ ହୁଏ । ସାଧାରଣତଃ ସମ୍ବଳ କମ୍ ଥିବା ଛୋଟ ଚାଷୀମାନେ ଅନ୍ତଃ ଫସଲ ଚାଷରୁ ବିଶେଷ ଉପକୃତ ହୋଇଥାନ୍ତି । ଅନ୍ତଃ ଫସଲ ଚାଷକୁ ଚାରିଭାଗରେ ବିଭକ୍ତ କରାଯାଇପାରେ । ସମାନ୍ତରାଳ ଫସଲ ଚାଷ ଏହା ପଦ୍ଧତିରେ ଏପରି ଦୁଇଟି ଫସଲକୁ ଏକତ୍ର ଚାଷ କରାଯାଏ ଯେଉଁମାନଙ୍କର ବଢିବା ଢଙ୍ଗ ରେ ପାର୍ଥକ୍ୟ ଥାଏ ଏବଂ ପରସ୍ପର ମଧ୍ୟରେ ପ୍ରତିଯୋଗିତା ଆଦୌ ନଥାଏ । ଉଭୟ ଫସଲ ସେମାନଙ୍କର ସର୍ବାଧିକ ଆଦାୟ କ୍ଷମତା ପ୍ରଦର୍ଶନ କରନ୍ତି, ଯଥା – ମକା + ମୁଗ କିମ୍ବା ବିରି ଏବଂ କପା+ମୁଗ କିମ୍ବା ବିରି । ସରି ଫସଲ ଚାଷ ଏହି ପଦ୍ଧତିରେ କୌଣସି ଫସଲ ଅନ୍ୟ ଫସଲର ଆଦାୟ ଉପରେ ପ୍ରତିକୂଳ ପ୍ରଭାବ ପକାଏ ନାହିଁ । ମୁଖ୍ୟ ଫସଲର ଆଦାୟ ନିରୁତା ଫସଲ ଆଦାୟ ସଙ୍ଗେ ସମାନ ହୁଏ । ଏ ପଦ୍ଧତିରେ ମୁଖ୍ୟ ଫସଲର ଆବଶ୍ୟକ ଗଛ ସଂଖ୍ୟା ରକ୍ଷା କରାଯାଏ କିନ୍ତୁ ଗୌଣ ଫସଲର ଧାଡି ସଂଖ୍ୟା ନିରୁତା ଫସଲ ତୁଳନାରେ କମ୍ ହୁଏ । ଆଖୁ + ସୋରିଷ, ଆଖୁ + ଗହମ , ଆଖୁ + ଆଳୁ । ବହୁତଳ ଫସଲ ଚାଷ ଗୋଟିଏ ଜମିରେ ଏକ ସମୟରେ ବିଭିନ୍ନ ଉଚ୍ଚତା ବିଶିଷ୍ଟ ଫସଲ ଚାଷ କରିବାକୁ ବହୁତଳ ଫସଲ ଚାଷ କୁହାଯାଏ । ସାଧାରଣତଃ ଫଳ ବଗିଚାମାନଙ୍କରେ ଏବଂ ରୋପଣ ଫସଲରେ ଏହି ପଦ୍ଧତି ଅବଲମ୍ବନ କରାଯାଇଥାଏ । ନଡିଆ + ଗୋଲମରିଚ+ସପୁରୀ ଏହି ଫସଲ ପଦ୍ଧତିର ଏକ ଉଦାହରଣ । ନଡିଆ ଗଛ ୧୦-୩୦ ମିଟର ଉଚ୍ଚତା ବଢେ । ଏହା ଫସଲ କୋଠାର ଶୀର୍ଷ ହେଲା ଗଠନ କରେ । ଗୋଲମରିଚ ଗଛ ନଡିଆ ଗଛରେ ମାଡି ୬-୮ ମିଟର ଉଚ୍ଚତା ପର୍ଯ୍ୟନ୍ତ ବଢେ ଏବଂ ଫସଲ – କୋଠାର ଦ୍ଵିତୀୟ ମହଲା ଗଠନ କରେ । ଗୋଲମରିଚ ଗଛର ପାର୍ଶ୍ଵ ବୃଦ୍ଧି ବହୁତ କମ୍ ହୁଏ । କୋକୋ ଏବଂ ଡାଲଚିନି ୧.୫ ରୁ ୨.୫ ମିଟର ଉଚ୍ଚତା ପର୍ଯ୍ୟନ୍ତ ବଢେ ଏବଂ ଫସଲ – କୋଠାର ପ୍ରଥମ ମହଲା ଗଠନ କରେ । ସପୁରୀ ଏବଂ ମୂଳ ଜାତୀୟ ଫସଲ ଏକ ମିଟରରୁ କମ୍ ଉଚ୍ଚ ବଢେ ଏବଂ ଫସଲ କୋଠାର ତଳ ମହଲା ଗଠନ କରେ । ନଡିଆ ଗଛକୁ ୭.୫ ମିଟର X ୭.୫ ମିଟର ବ୍ୟବଧାନରେ ଲଗାଯାଏ । କିନ୍ତୁ ଗୋଟିଏ ପରିପକ୍ଵ ନଡିଆ ଗଛର ଚେର ଦୁଇ ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ସୀମିତ ରହେ ଏବଂ ମୃତ୍ତିକା ଉପର ୩୦ ସେ.ମି. ମଧ୍ୟରେ କାର୍ଯ୍ୟକ୍ଷମ ଚେର ପ୍ରାୟ ନଥାଏ । ଏଣୁ ଦିଆଯାଉଥିବା ବ୍ୟବଧାନକୁ ନଡିଆ ଗଛ ଦକ୍ଷତାର ସହିତ ବିନିଯୋଗ କରିପାରେ ନାହିଁ । ବହୁତଳ ଫସଲ ଚାଷ ପଦ୍ଧତି ଦ୍ଵାରା ନଡିଆ ବଗିଚାର ଅବ୍ୟବହୃତ ସ୍ଥାନର ସଦ୍ ବିନିଯୋଗ କରିହୁଏ । ଓଲୁଅ, ସାକରକଳା, କନ୍ଦମୂଳ, ଅଦା, ହଳଦୀ, ମାଟିଆଳୁ, କଦଳୀ ଆଦି ଫସଲକୁ ମଧ୍ୟ ନଡିଆ ବଗିଚାରେ ଚାଷ କରାଯାଇପାରିବ । ଇଉକାଲିପଟାସ+ ଅମୃତଭଣ୍ଡା+ ବରସିମ୍ ବହୁତଳ ଫସଲ ଚାଷର ଆଉ ଏକ ଉଦାହରଣ । ବିଲ ଫସଲରେ ମଧ୍ୟ ସମୟ ସମୟରେ ବହୁତଳ ଫସଲ ଚାଷ ପଦ୍ଧତି ଅବଲମ୍ବନ କରାଯାଏ । ଅନ୍ତଃ ଫସଲ ଓ ମିଶ୍ରିତ ଫସଲ ଚାଷ ପାଇଁ ଫସଲ ନିର୍ବାଚନରେ ସତର୍କତା ଆଲୋକ, ପୋଷାକ ଉପାଦାନ , ଜଳ, ବାୟୁ ଓ ସ୍ଥାନ ପାଇଁ ଗୋଟିଏ ଫସଲ ଆଉ ଗୋଟିଏ ଫସଲ ସହିତ ପ୍ରତିଯୋଗୀତା କରୁ ନଥିବା ଉଚିତ । ଗୋଟିଏ ଫସଲ ଅନ୍ୟ ଫସଲର କୌଣସି କ୍ଷତି କରୁନଥିବା ଉଚିତ । ଅନ୍ତଃଚାଷ ଆବଶ୍ୟକତାରେ ବିଭିନ୍ନତା ଥିବା ଫସଲକୁ ଏକତ୍ର ଚାଷ କରିବା ଅନୁଚିତ । ଅନିଷ୍ଟକାରୀ କୀଟ ଏବଂ ପରଜୀବୀ ତୃଣକ ପାଇଁ କୌଣସି ଫସଲ ବିକଳ୍ପ ପୋଷକ ଉଦ୍ଭିଦ ରୂପେ କାର୍ଯ୍ୟ କରୁନଥିବା ଉଚିତ । ମୂଳୀରୁ ପୁନଃ ବଢୁଥିବା ଫସଲ, ମଞ୍ଜିର ଜଡତା ନଥିବା ଫସଲ ଏବଂ ମଞ୍ଜିଝଡା ଦେଉଥିବା ଫସଲ ମିଶ୍ରିତ ଚାଷ ପାଇଁ ଅନୁପଯୁକ୍ତ । ବିହନ ଫସଲ ସହିତ ମିଶ୍ରିତ ଚାଷ ଅନୁଚିତ । ପୃଷ୍ଠଭାଗ ବନ୍ଧୁର ଥିବା ଫସଲ ସହିତ ପୃଷ୍ଠଭାଗ ନରମ ଓ କୋମଳ ଥିବା ଫସଲର ଅନ୍ତଃ ଫସଲ ଚାଷ ଅନୁଚିତ । ସଙ୍କର ବିହନ ଉତ୍ପାଦନ ପାଇଁ ଚାଷ କରାଯାଉଥିବା ଫସଲ ସହିତ ଜିନ୍ ସଂଯୋଗକ୍ଷମ ଫସଲକୁ ଅନ୍ତଃଫସଲ ଚାଷ କରିବା ଅନୁଚିତ । ବାରମ୍ବାର ତୋଳା ଆବଶ୍ୟକ କରୁଥିବା ଫସଲ ସହିତ ଏକ ସମୟରେ ତୋଳା ଆବଶ୍ୟକ କରୁଥିବା ଫସଲକୁ ଅନ୍ତଃଚାଷ କରିବା ଅନୁଚିତ । ଅସମୟରେ ପଡିଯାଉଥିବା ଫସଲର ଅନ୍ତଃଚାଷ ପାଇଁ ସତର୍କତା ଅବଲମ୍ବନ କରିବା ଉଚିତ । ଆରୋହଣ କରୁଥିବା କିମ୍ବା ଅନ୍ୟ ଫସଲ ଉପରେ ମାଡୁଥିବା ଫସଲକୁ ଅନ୍ତଃଚାଷ କଲେ ଦେଖିବାକୁ ହେବ ଯେପରି ଏହି ଫସଲ ଯୋଗୁ ଅନ୍ୟ ଫସଲର ବିଶେଷ କ୍ଷତି ନ ଘଟେ । ଅନ୍ତଃ ଫସଲ ଚାଷର କେତେକ ଉଦାହରଣ ଧାନ ଅନୁପାତ ଧାନ ସହିତ ଅନ୍ତଃ ଫସଲ ଚାଷ ଧାନ + ହରଡ ଧାନ + ମୁଗ ଧାନ + ବିରି ୫:୨ ୩:୧ ୩:୧ ହରଡ ସହିତ ଅନ୍ତଃ ଫସଲ ଚାଷ ହରଡ + ମୁଗ ହରଡ + ବିରି ହରଡ + ମକା ୨:୨-୩ ୨:୨-୩ ୨ : ୨ ଚିନାବାଦାମ ସହିତ ଅନ୍ତଃ ଫସଲ ଚାଷ ଚିନାବାଦାମ + ହରଡ ଚିନାବାଦାମ + ଜଡା ଚିନାବାଦାମ + ରାଶି ଚିନାବାଦାମ + ସୂର୍ଯ୍ୟମୁଖୀ ୬ :୨ ୬ : ୧ ୬: ୧ ୬ : ୧ ମକା ସହିତ ଅନ୍ତଃ ଫସଲ ଚାଷ ମକା + ମୁଗ ମକା + ବିରି ମକା + ବରଗୁଡି ୧ : ୧ ୧ : ୧ ୧ : ୧ ଗୋଖାଦ୍ୟ ଫସଲ ସହିତ ଅନ୍ତଃ ଫସଲ ଚାଷ ମକା + ବରଗୁଡି ଟିଓସିଣ୍ଟେ + ବରଗୁଡି ୨ : ୨ ୧ : ୧ ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ