ଅମଳ ସମସ୍ତ ଚାଷୀ ଚାଷ ଶେଷରେ ବିହନ ଅମଳ କରନ୍ତି । ହେଲେ ଯଦି ବିହନ ଅମଳର ସଠିକ୍ ପ୍ରଣାଳୀ ଜଣା ନଥାଏ, ତେବେ ଉକ୍ତ ବିହନରୁ ଭଲ ଫସଲ ଉତ୍ପାଦନ କରିହେବ ନାହିଁ । ସେଥିପାଇଁ ଆସନ୍ତୁ ଜାଣିବା ବିହନ ଅମଳର ସଠିକ୍ ପ୍ରଣାଳୀ । ବିହନ ଅମଳର ସଠିକ୍ ପ୍ରଣାଳୀ ଫଳ ପୁରା ପାଚିଲା ପରେ ବିହନ ଅମଳ କରନ୍ତୁ । ପକ୍କା ଚଟାଣ ଉପରେ ବିହନ ଅମଳ କରନ୍ତୁ । ବିହନକୁ ଭଲ ଭାବରେ ଖରାରେ ଶୁଖାନ୍ତୁ ଯେପରି ବିହନରେ ଜଳୀୟ ଅଂଶର ପରିମାଣ ଶତକଡ଼ା ୬-୮ ଭାଗ ମଧ୍ୟରେ ରହିବ । ଅଧିକ ଜଳୀୟ ଅଂଶ ରହିଲେ ବିହନ, ଶୀଘ୍ର ଗଜା ହେବା ଶକ୍ତି ହରାଇଥାଏ ଓ ବିହନକୁ ରୋଗ ପୋକ ଆକ୍ରମଣ କରିଥାନ୍ତି । ବିହନକୁ ସାଧାରଣତଃ ଅଳ୍ପଦିନ ପାଇଁ ସାଇତି ରଖହେବ । ଛଅ ମାସରୁ ଏକବର୍ଷ ପାଇଁ ବା ଅଧିକ ଦିନ ପାଇଁ (୧ ବର୍ଷରୁ ୪ ବର୍ଷ ପାଇଁ) ବା ଅଧିକା ବର୍ଷ ପର୍ଯ୍ୟନ୍ତ ( ୫ ରୁ ୨୦ ବର୍ଷ ପାଇଁ) ମଧ ସାଇତି ରଖୁହେବ । ୫-୨୦ ବର୍ଷ ପର୍ଯ୍ୟନ୍ତ ବିହନ ସାଇତି ରଖିବାକୁ ହେଲେ ବିହନକୁ ତରଳ ଯବକ୍ଷାରଜାନ ଭିତରେ ରଖାଯାଇଥାଏ । ବିହନକୁ ଅଳ୍ପ ତାପମାତ୍ରାରେ ସାଇତି ରଖିବା ଭଲ । ଅଧିକ ତାପମାତ୍ରାରେ ବିହନ ଶୀଘ୍ର ନଷ୍ଟ ହୋଇଯାଏ । ତାପମାତ୍ରାରକମବେଶି (ତାରତମ୍ୟା) ହେଲେ ବିହନ ସହଜରେ ନଷ୍ଟ ହୋଇଯାଏ । ବିହନକୁ ସିଧା ସୂର୍ଯ୍ୟ କିରଣଠାରୁ ଦୂରରେ ରଖିବା ଆବଶ୍ୟକ । ବିହନକୁ ଏକ କିଲୋଗ୍ରାମ୍ ପ୍ୟାକେଟ୍ କରି ମୋଟା, ପଲିଥୁନ୍ ବା ଆଲୁମିନିୟମ ମୁଣାରେ ବନ୍ଧକରି ଅଳ୍ପ ତାପମାତ୍ରାରେ ରଖଲେ ବିହନ ବହୁତ ଦିନ ଯାଏ ରହେ । ହୃଷ୍ଟପୁଷ୍ଟ ବିହନକୁ ଭଲ ଭାବରେ ଶୁଖାଇ ରୋଗ ବିଶୋଧନ ଔଷଧ ଯଥା କାପଟାନ, ଥୁରାମ ଆଦି ଔଷଧ ଏକ କେଜି ବିହନ ପିଛା ୨ ଗ୍ରାମ ହିସାବରେ ଗୋଳାଇ ରଖନ୍ତୁ । ପାକଳ ହୋଇଥିବା ହୃଷ୍ଟପୃଷ୍ଟ ମଞ୍ଜିକୁ ଭଲ ଭାବରେ ଶୁଖାଇ, ଅଳ୍ପ ତାପମାତ୍ରା ଥିବା ଜାଗାରେ ସୂର୍ଯ୍ୟକିରଣ ଓ ଆର୍ଦ୍ରତାଠାରୁ ଦୂରରେ ରଖଲେ, ବିହନ ବହୁତ ଦିନ ଯାଏ ରହେ । ଅଖା ବସ୍ତା, ବାଉଁଶ ପାଚିଆ, ମାଟିହାଣ୍ଡି, ଆଦିରେ ବିହନ ରଖିବା ଆଦୌ ଉଚିତ ନୁହେଁ। ଆଧାର – କୃଷି ବିଭାଗ