ଧାନଚାଷ, କୁକୁଡା ପାଳନ ସହିତ ମତ୍ସ୍ୟ ପାଳନର ସମନ୍ଵିତ କୃଷି ପ୍ରାୟ ପନ୍ଦରସହବର୍ଷ ପୂର୍ବେ ଭାରତରେ ପ୍ରଥମଥର ପାଇଁ ହୋଇଥିଲା । ଏହି ବ୍ୟବସ୍ଥାର ସବୁଠୁ ମହତ୍ତ୍ଵପୂର୍ଣ୍ଣ ଭୂମିକା ହେଲା ଚାଷୀମାନଙ୍କୁ ତାଙ୍କ ନିୟମିତ ଖାଦ୍ୟ ସହିତ ପୃଷ୍ଟିସାର ଓ ଅନ୍ୟାନ୍ୟ ଲାଭ ଯୋଗାଇଦେବା । ତା’ ସହିତ ଚାଷୀ କୁକୁଡା ଓ ମାଛ ବିକ୍ରି କରି ନିଜର ଭରଣପୋଷଣ କରିପାରିବ । ଆହୁରି ମଧ୍ୟ ଏହାଦ୍ୱାରା ଜମିର ବର୍ଷସାରା ପ୍ରକୃତ ଉପଯୋଗ ହୋଇପାରିବ । ଗୋଟିଏ ଚାଷରେ କ୍ଷତି ହେଲେ ଚାଷୀ ଅନ୍ୟ ଚାଷରୁ ଲାଭ ଉଠାଇ ପାରିବ ।

ମିଳେ କ’ ଣ

ଧାନଚାଷ ସହିତ କୁକୁଡା ଓ ମତ୍ସ୍ୟ ପାଳନ ଦ୍ଵାରା ଏଠାରେ ଉଲ୍ଲେଖିତ ଲାଭ ମିଳିଥାଏ : ଯଥେଷ୍ଟ ପରିମାଣରେ ଖାଦ୍ୟଶସ୍ୟ ସହିତ ପୃଷ୍ଟିସାର ଉତ୍ପାଦନ ।

କମ ନିବେଶରେ ଏକର ପିଛା ଉତ୍ପାଦନ ଅଧିକ ।

ପ୍ରାଣୀଖତର ବ୍ୟବହାର ଅଧିକ ପରିମାଣରେ ହୋଇପାରିବ ।

ବହୁ ଦ୍ରବ୍ୟ ଚାଷ ପ୍ରଣାଳୀ ହୋଇଥିବାରୁ ବର୍ଜ୍ୟବସ୍ତୁର ପୁନର୍ବ୍ୟବହାର କରାଯାଇପାରିବ ।

ଚାଷୀଗୋଟିଏ ଚାଷରେ କ୍ଷ୍ୟତିଗ୍ରସ୍ତ ହେଲେ ଅନ୍ୟ ଚାଷରୁ ଲାଭ ଉଠାଇପାରିବ ।

ପରିବେଶ ପ୍ରଦୂଷଣ ମଧ୍ୟ ରୋକାଯାଇପାରିବ ।

ଚାଷୀ ସବୁ ଋତୁରେ ଲାଭ ପାଇପାରିବ ।

ଚାଷୀର ସାମାଜିକ ଓ ଆର୍ଥିକ ଜୀବନରେ ଉନ୍ନତି ହୋଇପାରିବ ।

ଚାଷରେ ମୁଖ୍ୟ ଅଂଶ

ମାଛଚାଷ ପାଇଁ ମାଛ ପୋଖରୀ ।

କୁକୁଡା ଚାଷ ପାଇଁ ଫାର୍ମ

ଧାନଚାଷ ପାଇଁ ଜମି

ମାଛଚାଷ

ମାଛଚାଷ ପାଇଁ ମାଛ ପୋଖରୀ ଦରକାର । ପୋଖରୀ ଖୋଳିବା ସମୟରେ ତା ଚାରିକଡରେ ମୋଟା ହିଡ କରିବା ସହ ସେହି ସ୍ଥାନରେ ବୃକ୍ଷରୋପଣ କରାଯିବା ଆବଶ୍ୟକ । ପୋଖରୀ ଖୋଳିବା ସ୍ଥାନ ଜମିର ମଝିଭାଗରେ ବାଛିଲେ ଏହା ଧାନ ଜମିକୁ ଜଳସେଚନ କରିବାରେ ସୁବିଧାଜନକ ହୋଇଥାଏ । ଉନ୍ନତ ପ୍ରଜାତିର ମାଛ ବିହନ, ମଞ୍ଜି ଚାଷ କରିବା ଦରକାର, ଯାହାର ମିରିକାଳି ମାଛଚାଷ କରାଗଲେ ଭଲ ।

କୁକୁଡା ପାଳନ

ସମନ୍ଵିତ କୃଷିରେ କୁକୁଡାର ଘର ମାଛ ପୋଖରୀ ଉପରେ ଏକ କାଠ ପାଦ ତଳରେ ତିଆରି ହୋଇଥାଏ, ଯାହା ଫଳରେ କୁକୁଡାର ମଳ ସିଧା ମାଛ ପୋଖରୀରେ ପକାଇବାକୁ ପଡିଥାଏ । କୁକୁଡା ମାଳରେ ଜୈବିକ ତଥା ଅଜୈବିକ ସାର ପ୍ରଚୁର ପରିମାଣରେ ଥାଏ । ପ୍ରାୟତଃ ଗୋଟିଏ କୁକୁଡା ପ୍ରତିଦିନ ୪୦ ଗ୍ରାମ ମଳତ୍ୟାଗ କରେ । ଏସିଆରେ ମୁଖ୍ୟତଃ ସମନ୍ଵିତ ଚାଷରେ ମାଛ ପୋଖରୀ ଉପରେ କୁକୁଡା ଘର ତିଆରି ହୋଇଥାଏ । ଏହି ବ୍ୟବସ୍ଥାରେ କୁକୁଡା ଘରଟି ପୋଖରୀ ଉପରେ ଥିବାରୁ ଉତ୍କୃଷ୍ଟ ବାୟୁ ସଞ୍ଚାଳନ ହୋଇଥାଏ । ଏହି ବ୍ୟବସ୍ଥାରେ ପ୍ରାଣୀ ସମ୍ପଦର ବର୍ଜ୍ୟବସ୍ତୁର ଉପଯୋଗ ମାଛଚାଷର ଲାଭକୁ ବଢେଇ ଦେଇଥାଏ ଏବଂ ପ୍ରଦୂଷଣ ସମସ୍ୟା ମଧ୍ୟ ଦୂରେଇଦିଏ ।

କୁକୁଡାଘର (୧) ଯନ୍ତା ବ୍ୟବସ୍ଥା, (୨) ଡ଼ିପ ଲିଟର ବ୍ୟବସ୍ଥା । ଡ଼ିପ ଲିଟର ବ୍ୟବସ୍ଥାରେ ଗୋଟିଏ ଖୁଆଡ଼ରେ ୨୫୦ଟି କୁକୁଡାଙ୍କୁ ରଖାଯାଇଥାଏ । ଆରମ୍ଭ କରିବା ସମୟରେ ପ୍ରଥମେ ଖୁଆଡକୁ ଶୁଖିଲା ଜୈବ ପଦାର୍ଥରେ ଆବୃତ୍ତ କରାଯାଏ । ଶୁଖିଲା ପଦାର୍ଥ ଗୁଡିକ ହେଲା – ପାଳ, କୁଟା, ଶୁଖିଲା ପତ୍ର ଇତ୍ୟାଦି । ଏହାର ଉଚ୍ଚତା ୫ଇଞ୍ଚ ହେବା ଦରକାର । ଗୋଟିଏ ପକ୍ଷୀ ପ୍ରତି ୦.୩ ରୁ ୦.୪ ମି ଜାଗା ଆବଶ୍ୟକ ହୋଇଥାଏ । କୁକୁଡା ମଳ ଲିଟର ସାମଗ୍ରୀ ଉପରେ ପଡେ ଏବଂ ଧୀରେ ଧୀରେ ତା’ ସହିତ ମିଶିଯାଏ । ଯେତେବେଳେ ଲିଟର ଉଚ୍ଚତା କମିଯାଏ ତା ଉପରେ ପାଳ, ପତ୍ର ଓ କୁଟା ଦେଇ ତାକୁ ସ୍ଥିତାବସ୍ଥାରେ ରଖାଯାଏ । ଲିଟର ସାମଗ୍ରୀ ଆର୍ଦ୍ର ଥିବାବେଳେ ଲାଇମ କିମ୍ବା ସୁପର ଫସଫେଟ ଭଳି ରସାୟନ ବ୍ୟବହାର କରି ତାକୁ ଶୁଖାଇ ଦିଆଯାଏ । ୧୦ ରୁ ୧୨ ମାସ ମଧ୍ୟରେ ଏହା ଏକ ସମ୍ପୁର୍ଣ୍ଣ ଜୈବ ଖତରେ ପରିଣତ ହୋଇଯାଏ ।

କୁକୁଡା ସ୍ଵାସ୍ଥ୍ୟର ଯତ୍ନ

କୁକୁଡା ଘରର ଆସବାବପତ୍ରକୁ ପ୍ରତିମାସରେ ଥରେ ପରିଷ୍କାର କରିବା ଉଚିତ୍ । ବିଭିନ୍ନ ସଂକ୍ରାମକ ରୋଗ ଯଥା – ଆରଡି, ଆଇବିଡି, ବିଏଲଟି, ଏମଡି, ଫାଉଲ ଫକ୍ସ ପାଇଁ ଟୀକାକରଣ ହେବା ଉଚିତ୍ । ଠିକ ସ୍ୱାସ୍ଥ୍ୟରକ୍ଷା ବ୍ୟବସ୍ଥାର ରକ୍ଷଣାବେକ୍ଷଣ ନିହାତି ଜରୁରୀ । ଖତକୁ ସମୟାନୁଯାୟୀ କାଢି ଗୋଟିଏ ସୁରକ୍ଷିତ ସ୍ଥାନରେ ସଜାଇ ରଖିବା ଦରକାର । ପୋଖରୀରେ ପ୍ରତିଦିନ ୫୦ଗ୍ରାମ ଖତ ପକାଇବା ଦରକାର । ଖତ ପ୍ରତିଦିନ ସୂର୍ଯ୍ୟଦୟ ପରେ ପକାଇବା ଦରକାର ।

ଧାନଚାଷ

ବର୍ଷାଦିନ ସହ ଅନ୍ୟ ଋତୁରେ ମଧ୍ୟ ଜଳସେଚନ ସୁବିଧା ଯୋଗୁ ଧାନଚାଷ କରାଯାଇପାରିବ । ଧାନ ସହିତ ଅନ୍ୟ ଡାଲିଜାତୀୟ ଶସ୍ୟ ମିଶ୍ରିତ କୃଷି ମାଧ୍ୟମରେ କରାଯାଇପାରିବ । କୁକୁଡା ମଳକୁ ମଧ୍ୟ ଖତ ଭାବରେ ବ୍ୟବହାର କରାଯାଇପାରିବ ।

ଧାନଚାଷକୁ ଲାଭଜନକ କରିବା ଲାଗି

ଅଧିକ ଉତ୍ପାଦନ ହେଉଥିବା ପ୍ରଜାତିର ବିହନ ନିର୍ଣ୍ଣୟ ।

ଉତ୍କୃଷ୍ଟ ଖତର ବ୍ୟବହାର ।

ରୋଗ ଏବଂ ପୋକର ଉଚିତ ନିରାକରଣ ଏବଂ ତାର ଆବଶ୍ୟକ ପରିଦର୍ଶନ ।

ଆବଶ୍ୟକ ଜଳସେଚନ ବ୍ୟବସ୍ଥା ।

ଉପଯୁକ୍ତ ସମୟରେ ଅମଳ ।

ଧାନଚାଷ ସହିତ କୁକୁଡା ଓ ମାଛଚାଷରୁ ଅନେକ ଲାଭ ମିଳିବ, କିନ୍ତୁ ମୁଖ୍ୟ ଲାଭଗୁଡିକ ହେଲା- ଯଥେଷ୍ଟ ପରିମାଣରେ ଖାଦ୍ୟଶସ୍ୟ ସହ ପୃଷ୍ଟିସାର ଉତ୍ପାଦନ କମ୍ ନିବେଶରେ ଅଧିକ ଉତ୍ପାଦନ, ଗୋଟିଏ ଚାଷର ବର୍ଜ୍ୟବସ୍ତୁ ଆଉ ଗୋଟିଏ ଚାଷରେ ଉପଯୋଗ ଏବଂ କମ୍ ପ୍ରଦୂଷଣ ।

ଏହି ବ୍ୟବସ୍ଥାରେ ଚାଷୀର ଆର୍ଥିକ ଓ ସାମାଜିକ ଜୀବନରେ ଉନ୍ନତି ପରିଲକ୍ଷିତ ହେବ । ଚାଷୀ ଯଦି ଗୋଟିଏ ଚାଷରେ କ୍ଷ୍ୟତିଗ୍ରସ୍ତ ହେଉଛି, ଅନ୍ୟ ଚାଷରୁ ମଧ୍ୟ ଲାଭ ଅର୍ଜନ କରିପାରିବ ।

ଭାରତରେ ଅଧିକାଂଶ ଚାଷୀ ମଧ୍ୟବିତ୍ତ ପରିବାରର ଲୋକ । ସେମାନେ କେବଳ ଧାନଚାଷରୁ ଯାହା ଲାଭ ଅର୍ଜନ କରୁଛନ୍ତି, ତାହା କେବଳ ଗୋଟିଏ ଋତୁରେ ଚାଷ କରି ଲାଭ ପାଉଛନ୍ତି । କିନ୍ତୁ ଏହି ବ୍ୟବସ୍ଥାରେ ଚାଷୀ ସବୁ ଋତୁରେ ଚାଷ କରିପାରିବ । ଉକ୍ତ ଚାଷ ପ୍ରଣାଳୀରେ ଶ୍ରମିକମାନଙ୍କ କାମ ମଧ୍ୟ ଠିକ ଭାବରେ ବିଭକ୍ତ ହୋଇପାରିବ । କେବଳ ଗୋଟିଏ ପ୍ରକାର ଚାଷରୁ ମିଳୁଥିବା ଲାଭ ତୁଳନାରେ ଏଇ ବ୍ୟବସ୍ଥାରେ ଲାଭ ଅଧିକ । ତେଣୁ ଚାଷୀମାନେ ଏହି ବ୍ୟବସ୍ଥା ଆପଣେଇ ଲାଭବାନ ହୋଇପାରିବେ ।

ଆଧାର : ଡା. ବିଜୟାଲକ୍ଷ୍ମୀ ଲେଙ୍କା, ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ପାଳନ ସମ୍ପ୍ରସାରଣ ବିଭାଗ, ଓଡିଶା ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ପାଳନ ମହାବିଦ୍ୟାଳୟ, ଭୁବନେଶ୍ଵର