ଉପକ୍ରମ ସାଧାରଣତଃ ୧-୩ ଶତାଂଶ ଢାଳୁଥିବା ଜମିରେ ପଟ୍ଟିଚାଷ କରଯାଇଥାଏ । ଏହି ପ୍ରଣାଳୀରେ ଦୁଇଟି ଭିନ୍ନ ପ୍ରକାରର ଫସଲର ପଟ୍ଟି ଅଦଳବଦଳ ଭାବରେ ଚାଷ କରାଯାଏ । ଗୋଟିଏ ପ୍ରକାର ଫସଲ ମୃତ୍ତିକା କ୍ଷୟ ନିରୋଧି ହୋଇଥିବାବେଳେ ଅନ୍ୟ ଫସଲତି ମୃତ୍ତିକା କ୍ଷୟରେ ସହାୟକ ହୋଇଥାଏ । ଏହି ଫସଲ ପଟିଗୁଡିକ ସାଧାରଣତଃ ଢାଲୁ ଦିଗକୁ ଲମ୍ବ ଭାବରେ କରାଯାଇଥାଏ । ଏହା ଧାବମାନ ଜଳରେ ଗତି ନିରୋଧକ ଭାବରେ କାର୍ଯ୍ୟ କରେ । ଯାହା ଫଳରେ ମୃତ୍ତିକା ମଧ୍ୟକୁ ଅଧିକ ପରିମାଣରେ ଜଳ ପ୍ରବେଶ କରେ ଏବଂ ମୃତ୍ତିକା ସଂରକ୍ଷଣ ହୋଇଥାଏ । ପଟ୍ଟିଗୁଡିକ ପ୍ରସ୍ଥ ସାଧାରଣତଃ ଜମିର ଢାଲୁ , ମାଟିର ପ୍ରକାର ଭେଦ , ବର୍ଷାର ପରିମାଣ ଏବଂ ଫସଲର ପ୍ରକାର ଭେଦ ଉପରେ ନିର୍ଭର କରିଥାଏ । ପଟ୍ଟିଚାଷରେ ପଟ୍ଟିର ପ୍ରସ୍ଥ ଢାଲୁ (ଶତକଡା ) ମୃତ୍ତିକା କ୍ଷୟ ସହାୟକ ଫସଲ ପଟିର ପ୍ରସ୍ଥ (ମିଟର ) ମୃତ୍ତିକା କ୍ଷୟ ନିରୋଧି ଫସଲ ପଟିର ପ୍ରସ୍ଥ ୧ ୫୦ ୧୦ ୨ ୩୦ ୬ ୩ ୧୫ ୫ ମିଶ୍ରିତ ଚାଷ ଏହି ପ୍ରଣାଳୀରେ ଦୁଇ କିମ୍ବା ଅଧିକ ଫସଲ ଗୋଟିଏ ଜମିରେ କରାଯାଇଥାଏ । ଏହି ପ୍ରଣାଳୀରେ ଗଭୀର ଗଭୀର ଚେର ଫସଲ (ହରଡ,ମୁଗ, ବିରି, ) ସହିତ ଅଗଭୀର ଚେର ଫସଲ , ଅଧିକ ଉଚ୍ଚ ବଢୁଥିବା ଫସଲ ସହିତ କମ ଉଚ୍ଚ ବଢୁଥିବା ଫସଲ, ଡାଲିଜାତୀୟ ଫସଲ ସହିତ ଶସ୍ୟ ଜାତୀୟ ଫସଲ , ଶୀଘ୍ର ଅମଳ ହେଉଥିବା ଫସଲ ସହିତ ବିଳମ୍ବରେ ଅମଳ ହେଉଥିବା ଫସଲ ଚାଷ କରାଯାଇଥାଏ । ତେଣୁ ଏହି ପ୍ରଣାଳୀରେ ଖାଦ୍ୟସାର ଓ ଜଳ ପାଇଁ ଉଭୟ ଫସଲ ମଧ୍ୟରେ ପ୍ରତିଯୋଗୀତା ହୁଏ ନାହିଁ । ମୃତ୍ତିକା ଭଲ ଭାବରେ ଆବୃତ୍ତ ହୋଇ ରହିଥାଏ । ତେଣୁ ବୃଷ୍ଟିପାତ ଯୋଗୁଁ ହେଉଥିବା ମୃତ୍ତିକା କ୍ଷୟ ନିୟନ୍ତ୍ରଣ ହୋଇଥାଏ । ହୁଡା ଓ ସିଆଲ ଚାଷ ୧-୨ ଶତାଂଶ ଢାଳୁଥିବା ଜମିରେ ଢାଲୁର ଦିଗକୁ ଲମ୍ବ ଭାବରେ ସିଆର କରାଯାଏ । ହୁଡା ଗୁଡିକ ବନ୍ଧ ପରି କାର୍ଯ୍ୟ କରିବା ସହିତ ଜଳର ଗତିକୁ କମ କରାଏ । ଯାହାଦ୍ଵାରା ଜଳ ଭୂମି ମଧ୍ୟରେ ପ୍ରବେଶ କରିଥାଏ । ଏହା ମୃତ୍ତିକା ଓ ଜଳ ସଂରକ୍ଷଣର କାର୍ଯ୍ୟ କରୁଥିବା ବେଳେ ଅଧିକ ବୃଷ୍ଟିପାତ ଅଞ୍ଚଳରେ ଜଳ ନିଷ୍କାସନ କାର୍ଯ୍ୟ ମଧ୍ୟ କରିଥାଏ । ଗଭୀର ଚାଷ ଏହି ପ୍ରଣାଳୀରେ ଫସଲ ଚାଷର ବହୁ ପୂର୍ବରୁ ଗଭୀର ଚାଷ କରାଯାଏ । ଯାହା ଫଳରେ ଚାଷ ଜମିର ଉପମାଟିରେ ଥିବା କଠିନ ସ୍ତର ଭାଙ୍ଗିଯାଏ ଏବଂ ବର୍ଷାଜଳ ସହଜରେ ମାଟି ମଧ୍ୟରେ ପ୍ରବେଶ କରିପାରେ । ତେଣୁ ସୁରକ୍ଷିତ ବୃଷ୍ଟିଜଳ ବାଷ୍ପୀଭୂତ ହୋଇ ନଷ୍ଟ ହୋଇନଥାଏ । ଏହା ମଧ୍ୟ ଖାଦ୍ୟସାର ଫସଲର ଚେର ପାଖକୁ ଯାଉଥିବାରୁ ଅଧିକ ଉତ୍ପାଦନରେ ମଧ୍ୟ ସହାୟକ ହୋଇଥାଏ । ଆବରଣ ଫସଲ ଚାଷ ଏହି ପ୍ରଣାଳୀରେ ଜମି ଉପରେ ଏକ ଘଞ୍ଚ ଏବଂ ଗହଳି ଥିବା ଫସଲର ଆବରଣ କରାଯାଇଥାଏ । ଏହା ଦ୍ଵାରା ବର୍ଷାଜଳର ବେଗ କମିଯିବାରୁ ମୃତ୍ତିକା କ୍ଷୟ ରୋକିବାରେ ଏହା ସହାୟକ ହୁଏ । ମୃତ୍ତିକାରୁ ଜଳର ବାଷ୍ପୀଭବନ କମ ହେବା ସହିତ ବୃଷ୍ଟିଜଳ ମୃତ୍ତିକା ମଧ୍ୟରେ ପ୍ରବେଶ କରି ସଂରକ୍ଷିତ ହୋଇଥାଏ । ମୃତ୍ତିକା ଆଚ୍ଛାଦନ ଜମି ମଧ୍ୟରେ ଜମିକୁ ଆଚ୍ଛାଦାନ କରିବାକୁ ମୃତ୍ତିକା ଆଚ୍ଛାଦନ କୁହାଯାଏ । ମୃତ୍ତିକା ଆଚ୍ଛାଦନ ବିଭିନ୍ନ ପ୍ରକାରର ହୋଇଥାଏ ଯଥା –କ) ମୂଳି ଆଚ୍ଛାଦନ ଖ) ପୃଷ୍ଠ ଆଚ୍ଛାଦନ ଗ) ଲମ୍ବ ଆଚ୍ଛାଦନ ମୂଳି ଆଚ୍ଛାଦନରେ ଫସଲର ଅମଳପରେ ତାହାର ମୂଳକୁ ଜମିରେ ଛାଡିଦିଆଯାଇଥାଏ । ଏହାଦ୍ୱାରା ବର୍ଷାର ବେଗ ମାଟି ଉପରେ କମ ହୋଇଥାଏ , ଯାହା ମୃତ୍ତିକା କ୍ଷୟକୁ ରୋକିଥାଏ । ବର୍ଷାଜଳର ବେଗ ମଧ୍ୟ କମିଯାଏ । ଏହା ମଧ୍ୟ ଜମିର ଜଳ ଧାରଣ କ୍ଷମତାକୁ ବଢାଇଥାଏ । ଜଳ ସହଜରେ ବାଷ୍ପିଭୂତ ହୁଏ ନାହିଁ । ଏହା ବ୍ୟତୀତ ମୂଳୀ ସବୁ ସମୟ କ୍ରମେ ମାଟିରେ ମିଶି ଜୈବସାରରେ ପରିଣତ ହୁଏ । ପୃଷ୍ଠ ଆଚ୍ଛାଦନରେ ଫସଲର ପତ୍ର , କାଣ୍ଡ ନଡା ଇତ୍ୟାଦିକୁ ଜମିରେ ଆଚ୍ଛାଦନ କରାଯାଏ । ଏହାଦ୍ଵାରା ଜମିରେ ବୃଷ୍ଟିଜଳ ପ୍ରବେଶ ସହଜ ହୋଇଥାଏ । ପତ୍ର, ନଡା, କାଣ୍ଡ ଇତ୍ୟାଦି ମାଟିରେ ମିଶି ମାଟିର ଉର୍ବରତା ବୃଦ୍ଧିରେ ସହାୟକ ହୋଇଥାଏ । ଲମ୍ବ ଆଚ୍ଛାଦନ ପ୍ରଣାଳୀରେ ଗଛର ବାହାରେ ଗଛର ଚାରିପାଖରେ ୪୦ ସେମି ଗଭୀର ଓ ୧୫ ସେମି ଓସାରର ଗାତ ଖୋଳି ଏଥିରେ ଡାଳପତ୍ର ଓ ଅନାବନା ଘାସ ଆଚ୍ଛାଦନ କରାଯାଏ ତା ଉପରେ ମାଟି ଘୋଡାଇ ଦିଆଯାଏ । ଏହାଦ୍ଵାରା ବର୍ଷାଜଳ ହେଉ ଅଥବା ସେଚିତ ଜଳ ସହଜରେ ମାଟି ଭିତରକୁ ପ୍ରବେଶ କରିପାରେ । ଏହି ଜଳ ମୃତ୍ତିକା ମଧ୍ୟରେ ବେସୀଦିନ ରହୁଥିବାରୁ ଏହା ଗଛ ପାଇଁ ଉପଯୋଗୀ ହୋଇଥାଏ । ସାଧାରଣତଃ ଫଳ ଚାଷ ଯଥା- ଆମ୍ବ, ନଡିଆ, କାଜୁ, ପିଜୁଳି, କମଳା, ଇତ୍ୟାଦି ପାଇଁ ଏହି ପ୍ରଣାଳୀ ଉପଯୋଗୀ । ଆଧାର : ଓଡିଶା କୃଷି ବୈଷୟିକ ବିଶ୍ଵବିଶ୍ୱବିଦ୍ୟାଳୟ ଭୁବନେଶ୍ଵର