ଉପକ୍ରମ ସାଧାରଣତଃ ବରଗୁଡି ଚାଷ ପାରିବା, ଡାଲି, ଗୋ ଖାଦ୍ୟ ଓ ସବୁଜସାର ପାଇଁ କରାଯାଏ । ବରଗୁଡିରେ ବହୁଳ ପୁଷ୍ଟିସାର ଓ ଅନ୍ୟାନ୍ୟ ଖାଦ୍ୟସାର ଥିବାରୁ ଏହା ଶାକୀୟ ମାଂସ ବୋଲି ସୁପରିଚିତ । ବରଗୁଡି ମଞ୍ଜିରେ ୨୩.୪୭ ପୁଷ୍ଟିସାର, ୧.୮% ସ୍ନେହସାର ଏବଂ ୬୦.୩% ଶ୍ଵେତସାର ରହିଛି ଏଥିରେ କ୍ୟାଲସିୟମ ଓ ଲୌହ ମଧ୍ୟ ରହିଛି । ଉଦ୍ଭବ କେନ୍ଦ୍ର ମଧ୍ୟ ଆଫ୍ରିକା ବରଗୁଡି ଫସଲର ଉଦ୍ଭବ କେନ୍ଦ୍ର ପୁରାତନ ଯୁଗରୁ ଗ୍ରୀସ, ରୋମାନ ଏବଂ ସ୍ପାନିଅର୍ଡମାନେ ବରଗୁଡି ଚାଷ କରୁଥିବା ପ୍ରମାଣିତ ରହିଛି । ଭାରତରେ ମଧ୍ୟ ବହୁ ପୁରାତନ କାଳରୁ ଏହା ଚାଷ ହୋଇ ଆସୁଛି । ବରଗୁଡି ଫସଲର ଶ୍ରେଣୀବିଭାଗ : ଚାଷ ହେଉଥିବା ବରଗୁଡି ଫସଲକୁ ତିନି ଭାଗରେ ବିଭକ୍ତ କରାଯାଇ ପାରିବ ଯଥା – ଭିଗ୍ନା ସାଇନେନସିସ୍ ଏହାର ଛୁଇଁଗୁଡିକ ୨୦-୩୦ ସେ.ମି. ଲମ୍ବା ଏବଂ ମଞ୍ଜି ୦.୬ ରୁ ୦.୯ ସେ.ମି. ଲମ୍ବା । ଶୁଖିଗଲେ ଛୁଇଁଗୁଡିକ ନରମ ହୋଇଯାଏ ନାହିଁ କି ଫୁଲି ଯାଏ ନାହିଁ । ଭିଗ୍ନା ସାଇନେନସିସ୍ ଉପଜାତି – କାଟାଜଙ୍ଗ ଭାରତୀୟ ବରଗୁଡି ଛୁଇଁଗୁଡିକ ୭.୫ ରୁ ୧୨.୫ ସେ.ମି. ଲମ୍ବ ସିଧା । ସବୁଜ ଅବସ୍ଥାରେ ସିଧା ରହେ । ଶୁଖିଗଲେ ନଇଁଯାଏ । ମଞ୍ଜିଗୁଡିକ ୦.୫ରୁ ୦.୬ ସେ.ମି. ଲମ୍ବା ଏବଂ ପ୍ରାୟ ଯେତିକି ମୋଟା ସେତିକି ଓସାର । ତୃତୀୟ ପ୍ରକାର ହେଲା-ଉପଜାତି – ସେସ୍ କୁଇ –ପେଡାଲିସ୍ ଛୁଇଁଗୁଡିକ ୩୦-୬୦ ସେ.ମି. ଲମ୍ବା ଏବଂ ପ୍ରଲମ୍ବିତ । ସୁଖିବା ପୂର୍ବରୁ ଦୁଇ ମଞ୍ଜି ଭିତରେ ଖାଲ ଦେଖାଯାଏ । ଛୁଇଁ ଶୁଖିଗଲେ ଚେପଟା ଦେଖାଯାଏ । ମଞ୍ଜି ୦.୮ ରୁ ୧.୨ ସେ.ମି. ଲମ୍ବା । ଉଦ୍ଭିଦବର୍ଣ୍ଣନା : ବରଗୁଡି ଗୋଟିଏ ଋତ୍ଵିକ, ଶାକୀୟ ଲତା ଜାତୀୟ ଉଦ୍ଭିଦ । ଏହାର ଆଦିମୂଳ ଉନ୍ନତ ଏବଂ ଏଥିରେ ବହୁ ପାର୍ଶ୍ଵିକ ଚେର ଥାଏ ଉପର ୪୦ ସେ.ମି. ମାଟିରେ ପ୍ରାୟ ସମସ୍ତ ଚେର ଥାଏ । ଏହାର କାଣ୍ଡ ସାମାନ୍ୟ ଶିରାଯୁକ୍ତ ଏବଂ ପ୍ରାୟ ଚିକ୍କଣ । ପତ୍ର ତ୍ରିପତ୍ରୀ ଏକାନ୍ତର ଏବଂ ଲୋମାଯୁକ୍ତ । ଫଳ ଧଳା, ହଳଦିଆ ବା ପାଟଳ ବର୍ଣ୍ଣ । ବରଗୁଡି ଫୁଲରେ ସ୍ୱପରାଗସଙ୍ଗମ ହୋଇଥାଏ । ମଞ୍ଜି ଗୁଡିକ ବିଭିନ୍ନ ଆକାରର । ଫଳରେ ୮-୨୦ଟି ମଞ୍ଜି ରହେ । ମଞ୍ଜିର ରଙ୍ଗ ଧଳା, ସବୁଜ, ନାଲି, ଧୂସର ବା କଳା କିମ୍ବା କେତେକ ମଞ୍ଜିରେ ଛିଟାଯାଏ । ଆକାର ଗୋଳାକୃତି ବା କୁଞ୍ଚୁକୁଞ୍ଚିଆ । ଋତୁ ଓ ଜଳବାୟୁ : ବରଗୁଡି ବିଷୁବମଣ୍ଡଳୀୟ ଓ ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁରେ ଚାଷ କରାଯାଏ । ଏହାର ମରୁଡି ସହଣୀଶକ୍ତି ଥିଲେ ମଧ୍ୟ ଅତ୍ୟନ୍ତ ଶୁଷ୍କ ଜମିରେ ଅମଳ କମିଯାଏ । ଗ୍ରୀଷ୍ମ ଓ ବର୍ଷା ଋତୁରେ ବରଗୁଡି ଭଲ ହୁଏ । ଶୀତ ଋତୁରେ ବରଗୁଡି ଚାଷ କାଲେ ଗଛଗୁଡିକ ରୋଗାକ୍ରାନ୍ତ ହୋଇଯାଏ । ସେଲସିୟସ ଉତ୍ତାପରେ ଅରଗୁଡି ଭଲ ବଢେ ଓ ଅଧିକ ଅମଳ ଦିଏ । ଏହା ସାମାନ୍ୟ ଛାଇ ଯାଗାରେ ବଢିପାରେ କିନ୍ତୁ ଥଣ୍ଡା ଓ କୁହୁଡି ପାଗ ସହ୍ୟ କରିପାରେ ନାହିଁ । ବରଗୁଡି ବୁଣିବା ସମୟ : ବର୍ଷାଋତୁ – ଜୁନରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ବୁଣାଯାଇ ପାରିବ । ପାହାଡିଆ ଯାଗାରେ ବରଗୁଡି ଏପ୍ରିଲଠାରୁ ମେ ମାସ ଭିତରେ ବୁଣାଯାଏ । ସବୁଜ ସାର ଫସଲ ରୂପେ ଚାଷ କଲେ ମଞ୍ଜି ଜୁନ ମଧ୍ୟରୁ ଜୁଲାଇ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ବୁଣିବାକୁ ହେବ । ଓଡିଶା ପାଇଁ ବରଗୁଡି ବୁଣିବାର ଉପଯୁକ୍ତ ସମୟ ହେଉଛି ମାର୍ଚ୍ଚଠାରୁ ଏପ୍ରିଲ । ମୃତ୍ତିକା : ବରଗୁଡି ବହୁପ୍ରକାର ମୃତ୍ତିକାରେ ଚାଷ କରାଯାଇ ପାରିବ । ଜଳନିଷ୍କାସନ ଥିବା ଦୋରସା ବା ଅଳ୍ପ ଭାରି ମୃତ୍ତିକା ବରଗୁଡି ଚାଷ ପାଇଁ ଉପଯୁକ୍ତ ବରଗୁଡି ଚାଷ ପାଇଁ କ୍ଷାରୀ ମୃତ୍ତିକା ବା ଲୁଣୀ ମୃତ୍ତିକା ମୋଟେ ଉପଯୁକ୍ତ ନୁହେଁ । ବିହନ କିସମ : ବରଗୁଡି ଓ ଝୁଡଙ୍ଗ ଏକ ଜାତୀୟ ଫସଲ । ବରଗୁଡି ଝଙ୍କାଏ ବା ସାମାନ୍ୟ ଲଟାଏ । ଝୁଡଙ୍ଗ ଝଙ୍କାଏ ଏବଂ ଅଧିକ ଲଟାଏ । ବରଗୁଡି ଫୁଲ ପାଟଳ, ଝୁଡଙ୍ଗ ଛୁଇଁ ଧଳା । ଝୁଡଙ୍ଗ ଛୁଇଁ କଅଁଳ ଚୋପା ସହିତ ତରକାରୀ ହୁଏ । ପ୍ରକାର – ଛୁଇଁ ଶାଗୁଆ, ଲାଲ ରଙ୍ଗ ଧରେ । ବୀଜ ଚୋପା ଧଳା, କଳା ଓ ଖଇରା । ନିମ୍ନରେ ବିଭିନ୍ନ କିସମର ବରଗୁଡି ଓ ଏହାର ଗୁଣାବଳୀ ପ୍ରଦତ୍ତ ହେଲା । କିସମ ନାମ ଋତୁ ବା ସମୟ ଅବଧି ଦିନ ମଞ୍ଜିର ରଙ୍ଗ ହେକ୍ଟରର ପ୍ରତି ଅମଳ (କୁଇଣ୍ଟାଲ) ବିଶେଷ ଗୁଣ ଏସ୍.ଇ ବି- 2 ବର୍ଷା 90 ଧଳା ଓ ଲାଲ ଚିତ୍ରା 6 ପରିବା ଓ ମଞ୍ଜି ଭାବେ ବ୍ୟବହାର ହୁଏ ଶରତ 90 ଲାଲ ଚିତ୍ରା 6 ଖରା 70 ଲାଲ ଚିତ୍ରା 6 ସ – 152 ସ୍ଵର୍ଣ୍ଣ ଶରତ 90 ଲାଲ ଚିତ୍ରା 8 ମଞ୍ଜି ଓ ଗୋଖାଦ୍ୟ ରାଇରଙ୍ଗପୁର ଶରତ 100 କଳା 8 ପରିବା ପାଇଁ ଉତ୍କୃଷ୍ଟ ନୟାଗଡ – 2 ଶରତ 90 କଳା 10 ପରିବା ପାଇଁ ଉତ୍କୃଷ୍ଟ ସହଳ ଲୋବିଆ ଶରତ 90 କଳା 10 ପରିବା ପାଇଁ ଉତ୍କୃଷ୍ଟ ଏଫ- ଏସ୍- 68, ସି.ଓ-୧, ସ୍ଵର୍ଣ୍ଣ, ଭି – ୩୭ କିସମଗୁଡିକ ମଞ୍ଜି ପାଇଁ ଓ ଏସ୍.ଇ.ବି.- ୨, ପୁଷା ବରଷାତି, ପୁଷା ଦୋ ଫସଲି ଓ ପୁଷା ଫାଲଗୁନି ପରିବା ପାଇଁ ଚାଷ କରାଯାଏ । ଏ ଗୁଡିକ ସାରା ଓଡିଶାରେ ଚାଷ କରାଯାଏ । ଗୋଖାଦ୍ୟ ପାଇଁ ଉପଯୁକ୍ତ କିସମ : ଋସିୟାନ ଜିଆଣ୍ଟ କେ – ୩୯୭, କେ – ୫୮୫, ସିରସା- ୧୦, ଇ.ସି.- ୪୨୧୬, ଏଫ.ଓ ଏସ୍ – ୧, ଏଫଏସ୍ – ୧୪୫ କୋ – ୨, ୟୁପିସି ୫୨୮୬, ୟୁପିସି – ୨୮୭, ଏସ୍ ୪୫୦, ଏସ୍ ୪୫୬ ଏବଂ ଏସ୍ -୪୫୭ । ଜମି ପ୍ରସ୍ତୁତି : ପୂର୍ବ ଫସଲର ମୂଳ ଏବଂ ଅନାବନା ମୂଳ ଥିଲେ ପରିଷ୍କାର କରିଦେବା ଉଚିତ୍ । ତାପରେ ଜମିକୁ ଦୁଇ ତିନି ଓଡ ଚାଷ କରି ମାଟିକୁ ଗୁଣ୍ଡ କରି ଦିଆଯାଏ । ମଇ ଦେଇ ଚଉରସ କରାଯାଏ । ବିହନ ପରିମାଣ ଓ ବିହନବୁଣା ପ୍ରଣାଳୀ ପରିବା ପାଇଁ ବରଗୁଡି ଚାଷ କରୁଥିଲେ ହେକ୍ଟର ପିଛା ୨୦-୨୫ କି.ଗ୍ରା. ବିହନ ଦରକାର । ଗୋଖାଦ୍ୟ ପାଇଁ ଚାଷ କରୁଥିଲେ ୩୫-୪୦ କି.ଗ୍ରା. ବିହନ ଦରକାର । ଋତୁ ଭେଦରେ ବରଗୁଡି ଲଗାଇବା ବ୍ୟବଧାନ, ବିହନ ପରିମାଣ ନିମ୍ନରେ ଦିଆଗଲା । ବର୍ଷା ଓ ଶରତ ଋତୁ ଖରା ବ୍ୟବଧାନ ସେ.ମି. ବିହନ ପରିମାଣ (କି.ଗ୍ରା.) ବ୍ୟବଧାନ ସେ.ମି. ବିହନ ପରିମାଣ (କି.ଗ୍ରା.) 45 X 15 20 30 X 10 30 ବିହନକୁ କି.ଗ୍ରା. ପିଛା 3 ଗ୍ରାମ ଥିରାମ ସହିତ ଭଲଭାବେ ମିଶାଇ ବିଶୋଧନ କରିବା ଉଚିତ । ବିହନକୁ ଲଙ୍ଗଳସିଆର ପଛରେ ବା ବିହନ ବୁଣା ଯନ୍ତ୍ର ସାହାଯ୍ୟରେ ଧାଡିରେ ବୁଣିବା ଦରକାର । ବୁଣିବାର ୧ ଦିନ ପୂର୍ବରୁ ବିହନ ବିଶୋଧନ କରି ଓ ବୁଣିବା ଦିନ ଜୀବାଣୁ କଲଚର ପ୍ରୟୋଗ କରି ବିହନ ଉପରବେଳା ବୁଣିବା ଦରକାର । ଖତ ଓ ସାର – ବରଗୁଡି ପାଇଁ ହେକ୍ଟର ପ୍ରତି ୫ ଟନ୍ କମ୍ପୋଷ୍ଟ ଜମିପ୍ରସ୍ତୁତି ସମୟରେ ପ୍ରୟୋଗ କରି ମାଟିରେ ଭଲଭାବେ ମିଶାଇ ଦିଆଯାଏ । ବୁଣିବା ସମୟରେ ହେକ୍ଟର ପ୍ରତି ୨୫ କି.ଗ୍ରା. ଯବକ୍ଷାରଜାନ, ୫୦ କି.ଗ୍ରା. ଫସଫରସ୍ ଓ ୨୫ କି.ଗ୍ରା. ପଟାସ୍ ପ୍ରୟୋଗ କରାଯାଏ । ସାର ସିଆରରେ ୭.୫ ସେ.ମି. ଗଭୀରରେ ଦିଆଯାଏ ଓ ମଞ୍ଜି ୫ ସେ.ମି. ଗଭୀରରେ ବୁଣାଯାଏ । ପରବର୍ତ୍ତୀ ଯତ୍ନ : ବିହନ ବୁଣିବାର ୨୦-୨୫ ଦିନ ମଧ୍ୟରେ ଫସଲକୁ ତୃଣକ ଦାଉରୁ ରକ୍ଷା କରିବା ଉଚିତ । ଏହି ସମୟରେ ଥରେ କୋଡା ଖୁସା ଓ ଘାସବାଛି ଦେବା ଉଚିତ । ନଚେତ୍ ତୃଣକ ଦମନ ନିମିତ୍ତ ରାସାୟନିକ ପଦାର୍ଥ ବାସାଲିନ୍ ହେକ୍ଟର ପ୍ରତି ୨ ଲିଟରକୁ ୧୦୦୦ ଲିଟର ଜଳରେ ମିଶାଇ ବୁଣିବାର ଦିନକ ପୂର୍ବରୁ ମାଟିରେ ଭଲଭାବେ ଛିଞ୍ଚିଦେବା ଉଚିତ । ଏହାଦ୍ଵାରା ଏକ ମାସ ପର୍ଯ୍ୟନ୍ତ ତୃଣକ ହେବ ନାହିଁ । ଜଳସେଚନ : ବିଶେଷତଃ ଶରତ ଓ ଗ୍ରୀଷ୍ମ ଋତୁରେ ଜଳସେଚନ ଦରକାର । ମାଟିର ପାଗ ଦେଖି ୧୦-୧୫ ଦିନ ଅନ୍ତରରେ ୫ ସେ.ମି. ଲେଖାଏଁ ଜଳସେଚନ କରିବା ଦରକାର । କିନ୍ତୁ ବର୍ଷାଦିନିଆ ଫସଲକୁ ଜଳ ନିଷ୍କାସନର ବ୍ୟବସ୍ଥା କରିବା ଉଚିତ । ଅମଳ ଓ ସାଇତା : ଛୁଇଁଗୁଡିକ ଶୁଖିଗଲା ପରେ ତୋଳି ଆଣି ଅମଳ କରାଯାଏ । ଶୁଖିଲା ଛୁଇଁ ଫଳଗୁଡିକୁ ତିନିଥର ତୋଳିବା ଦରକାର ପଡେ । ସେଗୁଡିକୁ ଖରାରେ ଭଲଭାବେ ଶୁଖାଇ ଠେଙ୍ଗାରେ ପିଟି ଅମଳ କରାଯାଏ । ତାପରେ ସଫାକରି ମଞ୍ଜିକୁ ଶୁଖାଇ ଜଳୀୟ ଅଂଶ ୯% ଥିବା ଅବସ୍ଥାରେ ସାଇତି ରଖାଯାଏ । ପରିବା : ସବୁଜ ଛୁଇଁ ପରିବା ରୂପେ ବ୍ୟବହାର କରିବା ପାଇଁ ବୁଣିବାର ୪୫-୯୦ ଦିନ ମଧ୍ୟରେ ତୋଳାଯାଏ । ଛୁଇଁଗୁଡିକ କଅଁଳ ଥିବା ସମୟରେ ତୋଳିବା ଭଲ । ନଚେତ୍ ଅମଳ କମିଯିବ । ମଞ୍ଜି ପାଇଁ ୯୮-୧୨୫ ଦିନ ମଧ୍ୟରେ ଅମଳ କରାଯାଏ । ଗୋଖାଦ୍ୟ : ଗୋ ଖାଦ୍ୟ ପାଇଁ ଏହାକୁ ୪୦-୫୦ ଦିନ ଭିତରେ କାଟି ଗାଈଗୋରୁଙ୍କୁ ଦିଆଯାଏ ବା ସାଇଲେଜ୍ କରାଯାଏ । ସବୁଜ ଖତ: ଦୁଇ ତିନିଥର ପରିବା ପାଇଁ ସବୁଜ ଛୁଇଁ ତୋଳିନେବା ପରେ ଚାଷକରି ମାଟିରେ ମିଶାଇ ଦିଆଯାଏ । ଅମଳ : ଫସଲ ଭଲହେଲେ ୧୨-୧୫ କୁଇଣ୍ଟାଲ ମଞ୍ଜି ଓ ୫୦-୬୦ କୁଇଣ୍ଟାଲ ବୋତି ହେକ୍ଟର ପିଛା ମିଳିଥାଏ । ଗୋ ଖାଦ୍ୟ ପାଇଁ କରିଥିବା ବରଗୁଡି ଫସଲରୁ ୨୫୦ – ୩୫୦ କୁଇଣ୍ଟାଲ ସବୁଜ ଗୋ ଖାଦ୍ୟ ହେକ୍ଟର ପିଛା ଅମଳ ହୋଇଥାଏ । ଆଧାର – ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ