ଜିପିଏସ୍ ବାବଦରେ

ମୋବାଇଲ୍ ଫୋନର ବ୍ୟବହାର ପରେ ଜିପିଏସ୍ ବାବଦରେ କିଏ ବା ନଜାଣେ । ତେବେ ଏହା ଆମେରିକା ସରକାରଙ୍କ ଦ୍ଵାରା ପରିଚାଳିତ ଏକ ପ୍ରଣାଳୀ ବୋଲି ବହୁତ କମ୍ ଲୋକ ଜାଣନ୍ତି । ପଥ ପ୍ରଦର୍ଶନ ପାଇଁ ଦିଗସୂଚକ ଭାବେ ଭାରତ ତାର ନିଜସ୍ୱ ପ୍ରଣାଳୀ ‘ନାବିକ’ ବାହାର କରିବା ପରେ ଜିପିଏସ୍ ପୁଣି ଥରେ ଚର୍ଚ୍ଚାକୁ ଆସିଛି ।

ଭୂମଣ୍ଡଳୀୟ ସ୍ଥିତି ନିର୍ଣ୍ଣୟ ପ୍ରଣାଳୀ ବା ଗ୍ଲୋବାଲ ପୋଜିସନିଂ ସିଷ୍ଟମ (ଜିପିଏସ୍) ଆମେରିକା ସରକାରଙ୍କ ଦ୍ଵାରା ପ୍ରସ୍ତୁତ ଏକ ପ୍ରଣାଳୀ । ପ୍ରକୃତରେ ଜିପିଏସ୍ ଏକ ଅନ୍ତରୀକ୍ଷ ଆଧାରିତ ପଥ ପ୍ରଦର୍ଶନ ପ୍ରଣାଳୀ ଯାହା ବିନା ବାଧାବିଘ୍ନରେ ଯେ କୌଣସି ପାଣିପାଗରେ ସ୍ଥିତି ଏବଂ ସମୟର ଧାରଣା ଦେଇଥାଏ । ଏହି ପ୍ରଣାଳୀ ସେନା, ସାମୁଦ୍ରିକ ଗତିବିଧି ଏବଂ ସାଧାରଣ ଜନତାଙ୍କ ପାଇଁ ବହୁ ଉପଯୋଗୀ ହୋଇପାରିଛି ।

ଏହି ପ୍ରଣାଳୀକୁ ଆମେରିକାର ସରକାର ପରିଚାଳନା କରିଥାନ୍ତି । ତେବେ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ଏହି ପ୍ରଣାଳୀକୁ ସାଧାରଣ ଜନତାଙ୍କ ବ୍ୟବହାର ପାଇଁ ମାଗଣାରେ ଉପଲବ୍ଧ କରାଇଥାନ୍ତି । ବିଶ୍ଵସ୍ତରରେ ଏହି ପ୍ରଣାଳୀକୁ ବହୁଳ ବ୍ୟବହାର କରାଯିବା ସହିତ ଏହାର ଲୋକପ୍ରିୟତା ମଧ୍ୟ ରହିଛି ।

ପୂର୍ବରୁ ପଥ ପ୍ରଦର୍ଶନ ପାଇଁ ରହିଥିବା ବ୍ୟବସ୍ଥାରେ ସୀମିତ ବ୍ୟବହାର ପରିପ୍ରେକ୍ଷୀରେ ଜିପିଏସ୍ ପ୍ରକଳ୍ପକୁ ଆମେରିକା ସରକାର ୧୯୭୩ ମସିହାର ଆରମ୍ଭ କରିଥିଲେ । ଦ୍ଵିତୀୟ ବିଶ୍ଵଯୁଦ୍ଧ ପୂର୍ବରୁ ବ୍ରିଟିଶ ନାବିକମାନଙ୍କ ଦ୍ଵାରା ବ୍ୟବହାର ହେଉଥିବା ଦିଗସୂଚକ ବ୍ୟବସ୍ଥା ଉପରେ ଜିପିଏସ୍ ପ୍ରଣାଳୀ ହୋଇଥିଲେ ସୁଦ୍ଧା ଇଂଲଣ୍ଡଠାରୁ ଆମେରିକା ଏବେ ଏହି ପ୍ରଣାଳୀର ବହୁ ଆଗରେ ରହିଛି । ୧୯୬୦ରେ ପ୍ରଥମ ଅନ୍ତରୀକ୍ଷ ଆଧାରିତ ପଥ ପ୍ରଦର୍ଶନ ପ୍ରଣାଳୀ ‘ଟ୍ରାନ୍ଜିଟ୍’ର ବ୍ୟବହାର ଆମେରିକାର ନୌସେନା ଦ୍ଵାରା କରଯାଇଥିଲା । ପରବର୍ତ୍ତୀ ସମୟରେ ସ୍ଥିତି ଓ ସମୟ ନିର୍ଣ୍ଣୟ ପାଇଁ ‘ଟିମାସନ’ ଓ ‘ଓମେଗା’ ପରି ପ୍ରଣାଳୀର ବ୍ୟବହାର କରାଯିବାର ପରେ ଶେଷରେ ଜିପିଏସ୍ ପ୍ରଣାଳୀର ବିକାଶ କରାଯାଇଛି । ଆମେରିକାର ସାମରିକା ବିଭାଗ (ଡ଼ିଓଡି) ଏହି ପ୍ରଣାଳୀର ବିକାଶ କରିଛି ।

ସ୍ଥିତି ସହିତ ସମୟର ସଠିକ୍ ବିବରଣୀ ପ୍ରଦାନ ପାଇଁ ଜିପିଏସ୍ ରେ ରହିଥିବା ଘଣ୍ଟା ପୃଥିବୀ ପୃଷ୍ଠର ଘଣ୍ଟାଠାରୁ ଦିନକୁ ୩୮ ମାଇକ୍ରୋ ସେକେଣ୍ଡ କ୍ଷିପ୍ର ଚାଲିଥାଏ । ଏହା ଦ୍ଵାରା ପୃଥିବୀ ପୃଷ୍ଠର ସହ ଜିପିଏସ୍ ଘଣ୍ଟା ସମାନ ସମୟ ଦେଖାଇଥାଏ ।

ଜିପିଏସ୍ ପ୍ରଣାଳୀକୁ ପରିପୁଷ୍ଟ କରିବା ପାଇଁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସାଟେଲାଇଟ୍ ର ବ୍ୟବହାର କରାଯାଇଛି । ସେମାନଙ୍କ ମଧ୍ୟରୁ କେତେକ ଏବେ ବ୍ୟବହାର ଉପଯୋଗୀ ରହି ନଥିବା ଓ କେତେକ ତ୍ରୁଟିପୂର୍ଣ୍ଣ ରହିଥିବାରୁ ବ୍ୟବହାର ହୋଇ ପାରୁନାହିଁ । ୯ ମାର୍ଚ୍ଚ ୨୦୧୬ର ସୂଚନା ଅନୁସାରେ ମୋଟ୍ ୩୧ ଟି ରହିଥିବାରୁ ଏହାର ବ୍ୟବହାର ହୋଇ ପାରୁନାହିଁ । ୯ ମାର୍ଚ୍ଚ ୨୦୧୬ର ସୂଚନା ଅନୁସାରେ ମୋଟ୍ ୩୧ଟି ସାଟେଲାଇଟ୍ ଜିପିଏସ୍ ସେବା ଯୋଗାଇବା ପାଇଁ ଉପଯୋଗୀ ହୋଇ ରହିଛନ୍ତି ।

କିପରି କାମ କରେ ଜିପିଏସ୍

ଜିପିଏସ୍ ର ଉପଯୋଗ ପାଇଁ ଏକ ରିସିଭରର ଆବଶ୍ୟକତା ପଡିଥାଏ । ଏହି ରିସିଭର ସାଟେଲାଇଟ୍ ନିରନ୍ତର ସିଗ୍ନାଲ ଗ୍ରହଣ କରୁଥାଏ । ଏକାଧିକ ସାଟେଲାଇଟ୍ ରୁ ମିଳୁଥିବା ସୂଚନା ଆଧାରରେ ରିସିଭର ତାର ପ୍ରକୃତ ସ୍ଥାନ ଆକ୍ଷାଂଶ ଓ ଦ୍ରାକ୍ଷ୍ରିମା ଆଧାରରେ ନିର୍ଦ୍ଧାରିତ କରିଥାଏ । ଜିପିଏସ୍ ପ୍ରଣାଳୀର ଅନ୍ୟୁନ ୪ଟି ସାଟେଲାଇଟ୍ ରୁ ମିଳୁଥିବା ସୂଚନା ଆଧାରରେ ସ୍ଥିତି ନିର୍ଦ୍ଧାରଣ କରାଯାଇଥାଏ । ସେହିପରି ସାଟେଲାଇଟ୍ ରେ ଲାଗିଥିବାର ଆଣବିକ ଘଣ୍ଟା ନିରନ୍ତର ରିସିଭରର ସମୟକୁ ସଠିକ୍ କରିଥାଏ । ସେହିପରି ସାଟେଲାଇଟ୍ ରୁ ନିରନ୍ତର ପୃଥିବୀ ପୃଷ୍ଠକୁ ଆସୁଥିବା ସିଗ୍ନାଲ ଆଧାରରେ ‘୩-ଡି ଭିଉ’ ମାଧ୍ୟମରେ କୌଣସି ନିଷ୍ପତ୍ତି ରୂପରେଖକୁ ମଧ୍ୟ ଜାଣିହେବ ।

ଜିପିଏସ୍ ଭବିଷ୍ୟତ

ଜିପିଏସ୍ ର ଉପଯୋଗ କରି ଭବିଷ୍ୟତରେ ଚାଳକ ବିହୀନ ଗାଡି ପାଇଁ ଏବେ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି । ଖୁବ୍ ଶୀଘ୍ର ଏଭଳି ଗାଡି ଆମେରିକା ଓ ଇଂଲଣ୍ଡ ରାସ୍ତାରେ ଗଡିବ ବୋଲି ଗୁଗୁଲ୍ ପକ୍ଷରୁ ଘୋଷଣା କରାଯାଇଛି । ସେହିପରି ରୋବଟ୍ ରେ ଏହାର ବ୍ୟବହାର ରୋବୋଟିକ୍ ଘୋଷଣାକୁ ଗତି ଦେଇଛି । ଏହାସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସଠିକ୍ ସ୍ଥାନର ନିରୂପଣ ସହ ସହାୟତା ଯୋଗାଇବା ଦିଗରେ ମଧ୍ୟ କାର୍ଯ୍ୟ କରାଯାଉଛି ।

ବିଭିନ୍ନ ଦେଶର ପଥ ପ୍ରଦର୍ଶକ ପ୍ରଣାଳୀ

ଭାରତ : ଭାରତ ଏବଂ ଏହାର ଆଖପାଖ ୧୫୦୦ କିଲୋମିଟର କ୍ଷେତ୍ରରେ ସ୍ଥିତି ନିରୂପଣ ଏବଂ ସମୟ ପାଇଁ ନିଜସ୍ୱ ଜ୍ଞାନକୌଶଳରେ ଭାରତୀୟ କ୍ଷେତ୍ରୀୟ ଅନ୍ତରୀକ୍ଷ ପଥ ପ୍ରଦର୍ଶକ ପ୍ରଣାଳୀ ବା ଇଣ୍ଡିଆନ୍ ରିଜିଓନାଲ ନାଭିଗେସନ୍ ସାଟେଲାଇଟ୍ ସିଷ୍ଟମ କୁ ଚଳିତ ବର୍ଷ ମେ ଶେଷ ସପ୍ତାହକୁ ଆରମ୍ଭ କରାଯାଇଛି । ଏହାକୁ ଲୋକପ୍ରିୟ ଭାବେ ନାବିକ କୁହାଯାଉଛି । ଏଥିପାଇଁ ଭାରତ ସରକାର ୭ଟି ସାଟେଲାଇଟ୍ ଅନ୍ତରୀକ୍ଷକୁ ପଠାଇଛନ୍ତି । ଏଥିମଧ୍ୟରୁ ୩ଟି ଭୂସ୍ଥିର ଏବଂ ୪ଟି ଭୂ-ସମକାଳିକ କକ୍ଷରେ ସ୍ଥାପନା ହୋଇଛି । ୧ ଜୁଲାଇ ୨୦୧୩ରେ ପ୍ରଥମ ଏବଂ ୨୮ ଏପ୍ରିଲ ୨୦୧୬ରେ ସପ୍ତମ ତଥା ଶେଷ ସାଟେଲାଇଟ୍ କକ୍ଷ ପଥରେ ସ୍ଥାପିତ ହୋଇଥିଲା । ସ୍ଥିତି ନିର୍ଦ୍ଧାରଣ କ୍ଷେତ୍ରରେ ଆମେରିକାରେ ପରି ଦେଶର ଏକଚଟିଆ ବ୍ୟବହାର ପରିପ୍ରେକ୍ଷୀରେ ଭାରତ ପକ୍ଷରୁ ଏହି ବ୍ୟବସ୍ଥା ହୋଇଥିବା କୁହାଯାଉଛି । ମୁଖ୍ୟତଃ କାରଗିଲ ଯୁଦ୍ଧ ସମୟରେ ସୈନ୍ୟ ସ୍ଥିତି ସଂପର୍କରେ ସୂଚନା ଦେବା ପାଇଁ ଆମେରିକା ସରକାର ମନା କରିବା ପରଠାରୁ ଭାରତର ଇସ୍ରୋ ଏନେଇ ଗବେଷଣା ଚଳାଇ ଆସିଥିଲା ।

ରୁଷିଆ : ଜିପିଏସ୍ ର ବିକଳ୍ପ ଭାବେ ପୃଥିବୀର ଅଧିକାଂଶ ସ୍ଥାନର ସ୍ଥିତି ରୁଷିଆର GLONASS (Globalnaya navigatsionnaya sputnikovaya sistema) ମାଧ୍ୟମରେ ଜାଣି ହେବ । ରୁଷିଆ ସରକାରଙ୍କ ବାୟୁସେନା ଏହି ପ୍ରଣାଳୀର ବ୍ୟବହାର କରିଥାଏ । ସ୍ଥାନ ନିରୂପଣ ପାଇଁ ୨୪ଟି ସାଟେଲାୟଟ୍ ଉପଯୋଗ କରାଯାଇଛି ।

ଆଧାର – ଦୈନିକ ସମାଜ