ଘର କାମ ସହ ଅଫିସରେ କାର୍ଯ୍ୟ କରିବା ଏକ କଷ୍ଟକର ବ୍ୟାପାର । ଘର ଏବଂ ଅଫିସ କାର୍ଯ୍ୟ ମଧ୍ୟରେ ସମନ୍ଵୟ ନ ରଖିଲେ ଅନେକ ଅସୁବିଧାର ସାମ୍ନା କରିବାକୁ ହୁଏ । ଯଦି ପରିବାରରେ ଉଭୟ ସ୍ଵାମୀ ଏବଂ ସ୍ତ୍ରୀ ଅଫିସରେ ଅଫିସରେ କାର୍ଯ୍ୟ କରୁଥାନ୍ତି ତେବେ ଅଫିସ ଏବଂ ଘର କାର୍ଯ୍ୟ ମଧ୍ୟରେ ସମନ୍ଵୟ ରକ୍ଷା କରିବା କଷ୍ଟକର ହୋଇପଡେ । ପରିବାରରେ ଶିଶୁଟିଏ ଜନ୍ମନେଲେ ତା’ର କ୍ୟାରିୟର ତଥା ଭବିଷ୍ୟତକୁ ନେଇ ଅନେକ ବ୍ୟସ୍ତ ବିବ୍ରତ ହୋଇ ପଡନ୍ତି । ପ୍ରାଥମିକ ଶିକ୍ଷା ଗ୍ରହଣଠାରୁ ଆରମ୍ଭ କରି ବୃତ୍ତିଗତ ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା, ନିରାପତ୍ତା ଭଳି ବିଭିନ୍ନ ପ୍ରସଙ୍ଗରେ ଚିନ୍ତା କରିବାକୁ ହୁଏ । ସମ୍ମାନର ସହ ବଞ୍ଚିବା ଲାଗି ଅଧିକାଂଶ ସଂଘର୍ଷ କରିଥାନ୍ତି । ଏହା କେବଳ କୌଣସି ଜଣେ ପ୍ରଫେଶନାଲଙ୍କର ଅସୁବିଧା ନୁହେଁ, ଶିଳ୍ପ ତଥା ବିଭିନ୍ନ କ୍ଷେତ୍ର ଲାଗି ଏହା ଲାଗୁ ହେବ । ଅଫିସରେ ଠିକ ସମୟରେ ପହଞ୍ଚିବା, ଠିକ୍ ଭାବରେ ଘରକୁ ଫେରିବା, ଦିଆଯାଇଥିବା କାର୍ଯ୍ୟକୁ ଠିକ୍ ସମୟରେ ଶେଷ କରିବା ଭଳି ଅନ୍ୟ କେତେକ ପ୍ରସଙ୍ଗ ଯୋଗୁ ଏକ୍ଜିକ୍ୟୁଟିଭଙ୍କ ଚିନ୍ତା ବଢି ଯାଇଥାଏ । ଯଦି ପରିବାର ମଧ୍ୟରେ ରହୁଥାନ୍ତି ତେବେ କିଛି ମାତ୍ରାରେ ଚିନ୍ତା ହ୍ରାସ ହେବାର ସମ୍ଭାବନା ରହିଛି ମାତ୍ର ଅଫିସର ଚିନ୍ତା ଏତେ ସହଜରେ ସମାଧାନ ହୋଇ ନ ଥାଏ । ବିଭିନ୍ନ ପ୍ରକାରର ଚାପ ଆମର ବ୍ୟକ୍ତିଗତ ତଥା ବୃତ୍ତିଗତ ଜୀବନକୁ ବିଶେଷ ଭାବେ ପ୍ରଭାବିତ କରିଥାଏ । ଏପରି ସମୟ ଆସେ ଆମେ ଆମର ପଡୋଶୀଙ୍କ ସହ ଦେଖା ହେବାକୁ ମଧ୍ୟ ସମୟ ପାଇ ନଥାଉ । ଜୀବନରେ ବିଭିନ୍ନ ପ୍ରକାରର ଚାପ ବୃଦ୍ଧି ହେବା ଯୋଗୁ ଆମର ବ୍ୟବହାରରେ ପରିବର୍ତ୍ତନ ଆସୁଥିବା ଲାଇଫ ଷ୍ଟାଇଲ ବିଶେଷଜ୍ଞମାନେ କହିଛନ୍ତି । ଚାପ ବୃଦ୍ଧି ଯୋଗୁ ଘରୋଇ ହିଂସା ବୃଦ୍ଧି, ରାସ୍ତା ଦୁର୍ଘଟଣା ଭଳି ଘଟନା ସାମ୍ନାକୁ ଆସୁଛି । ନିକଟରେ ପ୍ରକାଶିତ ବିଶ୍ଵ ଖୁସୀ ସୂଚକାଙ୍କ ତାଲିକାରେ ଭାରତର ସ୍ଥାନ ୧୨୯ରେ ରହିଛି । ତାଲିକାରେ ପ୍ରଥମ ୩ଟି ସ୍ଥାନରେ ଫିନ୍ ଲାଣ୍ଡ, ନରୱେ ଏବଂ ଡେନମାର୍କ ଭଳି ଦେଶ ରହିଛନ୍ତି । ଭାରତ ଏହି ତାଲିକାରେ ଶ୍ରୀଲଙ୍କା, ପାକିସ୍ଥାନ ଏବଂ ବାଂଲାଦେଶ ଠାରୁ ମଧ୍ୟ ନିମ୍ନ ସ୍ଥାନରେ ରହିଛି । ଘରୋଇ ହିଂସା ବୃଦ୍ଧି ଯୋଗୁ ସାର୍ବଜନୀନ ସ୍ଥାନ, ଅଫିସ, ସ୍କୁଲ, କଲେଜ, ଭଳି ସ୍ଥାନଗୁଡିକରେ ବ୍ୟବହାରରେ ପରିବର୍ତ୍ତନ ଦେଖାଯାଉଛି । ଏଠାରେ ଗୋଟିଏ କଥା ଜଣାଯାଉଛି ଯେ, ଆମ ଜୀବନରେ ଚାପ ତଥା ଚିନ୍ତାର ହାର ବୃଦ୍ଧି ହୋଇଛି । ଯଦି ଗୋଟିଏ ପରିବାରକୁ ବିଚାର କରିବା ତାହାଲେ ଜାଣିପାରିବା ଯେ, କୌଣସି ପରିବାରରେ ଅଫିସରେ କାର୍ଯ୍ୟ କରୁଥିବା ମହିଳା ରହୁଥିଲେ ତାଙ୍କ ଉପରେ ଚାପ ସାଧାରଣତଃ ବୃଦ୍ଧି ହୋଇଥାଏ । ଘର କାମ ସହ ପିଲାଙ୍କ ଦେଖାରକ୍ଷା କରିବାକୁ ମଧ୍ୟ ପଡିଥାଏ । ଏହି କ୍ଷେତ୍ରରେ ପୁରୁଷଙ୍କୁ କିଛି ଫାଙ୍କା ସମୟ ମିଳିଥାଏ। ମନରେ ପ୍ରଶ୍ନ ଆସେ ଆମେ କାର୍ଯ୍ୟଚାପ ତଥା ଚିନ୍ତାରୁ ମୁକ୍ତି ପାଇ ପାରିବା କି ? ହଁ ଆମେ ନିଶ୍ଚିତ ଭାବେ ଏହି ଭଳି ଚାପରୁ ମୁକ୍ତି ପାଇ ପାରିବା । ସମାଜ ବିଜ୍ଞାନୀଙ୍କ ମତରେ ଚାପ ବୃଦ୍ଧି ଲାଗି ଆମେ ନିଜେ ହିଁ ଦାୟୀ । ଚାପ ବୃଦ୍ଧି ଲାଗି ବିଭିନ୍ନ କାରଣକୁ ଆମେ ନିଜେ ହିଁ ଆମନ୍ତ୍ରଣ କରିଥାଉ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏହା ବିଶେଷ ଭାବେ ଗ୍ରହଣ କରିବାକୁ ଆମେ ଆରାଜି ହେଲେ ମଧ୍ୟ ଏପରି ଅନେକ କାରଣ ରହିଛି ଯାହା କେବେ ଚାପ ବଢାଇବ ନାହିଁ । ମାତ୍ର ଏହାକୁ ଆମେ ବଡ ବୋଲି ଭାବୁ ଏବଂ ଅଯଥାରେ ଚାପକୁ ବଢାଇଥାଉ । ଅନେକ ସମୟରେ ଅଯଥାରେ ଅନେକ ବିଷୟରେ ଚିନ୍ତାକରି ଆମେ ଆମର ମାନସିକ ସ୍ତରକୁ ଭାରାକ୍ରାନ୍ତ କରୁ । ଏହାର ସରଳ ସମାଧାନ ଥିଲେ ମଧ୍ୟ ଏହା ବିଷୟରେ ଅଧିକ ଭାବି କଥାକୁ ବଡ କରିଥାଉ ଯାହା ଫଳରେ ଚିନ୍ତା ବଢି ଯାଇଥାଏ । କାର୍ଯ୍ୟାଳୟରେ ଚାପ ବୃଦ୍ଧି କରୁଥିବା କେତେକ କାରଣ ଅଫିସକୁ ଠିକ୍ ସମୟରେ ଆସିବା ଏବଂ ଠିକ୍ ଭାବରେ ଘରକୁ ଫେରିବା ଲାଗି ଆମେ ଦୈନନ୍ଦିନ ଜୀବନରେ ସଂଘର୍ଷ କରିଥାଉ । କାର୍ଯ୍ୟସ୍ଥଳରେ ପ୍ରଦର୍ଶନ ଠିକ୍ ନ ହେଲେ ଏହା ଚିନ୍ତାକୁ ବଢାଇ ଦେଇଥାଏ । ଏପରି କାହିଁକି ହେଉଛି ତାକୁ ନେଇ ଅନେକ ଭାରାକ୍ରାନ୍ତ ହୋଇପଡନ୍ତି । ଅଫିସ ପଲିଟିକ୍ସ ଯାହା ଆମେ ଆଗୋଚରରେ ରହିଥାଏ ଏବଂ ଏହାକୁ ଆମେ ନିୟନ୍ତ୍ରଣ କରିବାକୁ ସକ୍ଷମ ନ ଥାଉ। ଆମର ଖରାପ ପ୍ରଦର୍ଶନକୁ ନେଇ ଆମେ ଅନ୍ୟକୁ ଦୋଷ ଦେଇପାରିବା କି ? କୌଣସି ମୂହୁର୍ତ୍ତରେ ଆମେ ଅନ୍ୟ ଜଣଙ୍କୁ ସବୁ ସମୟରେ ଦୋଷ ଲଦି ପାରିବା ନାହିଁ । ଉପରୋକ୍ତ କାରଣଗୁଡିକ ଅଫିସରେ ଚାପ ବୃଦ୍ଧି ଲାଗି ବିଶେଷ ଭାବେ ଦାୟୀ ହୋଇଥିଲେ ମଧ୍ୟ ଏହାର ସମାଧାନ ମଧ୍ୟ ରହିଛି । ଏହାର ସମାଧାନ ହୋଇ ପାରିଲେ ଚାପ ତଥା ଚିନ୍ତାର ସ୍ତରକୁ ଆମେ ହ୍ରାସ କରିବାକୁ ସକ୍ଷମ ହୋଇପାରିବା । ଅପରପକ୍ଷରେ ଭାବନା ତଥା କାର୍ଯ୍ୟଶୈଳୀରେ ସକରାତ୍ମକ ପ୍ରଭାବ ପକାଇବ । ମଣିଷର ମନ ଶୀଘ୍ର ଚିନ୍ତା ତଥା ଚାପଗ୍ରସ୍ତ ହେବାର ଅଧିକ ସମ୍ଭାବନା ରହିଛି । ଚିନ୍ତାମୁକ୍ତ ହେବା ଆମ ହାତରେ ରହିଛି । ଯଦି ଚିନ୍ତା ମୁକ୍ତ ହେବା ଆମ ହାତରେ ନ ଥାଏ ଚିନ୍ତା କରିବାର କୌଣସି କାରଣ ନାହିଁ । ଚିନ୍ତା ବୃଦ୍ଧି କରୁଥିବା ଉପରୋକ୍ତ କାରଣଗୁଡିକୁ ଆମେ ଯଦି ବିଚାର କରିବା ତେବେ ଆମେ ଜାଣିପାରିବା ଯେ, ଘରୁ ଅଫିସ ଲାଗି ବାହାରିବା ଏବଂ ଅଫିସକୁ ଫେରିବା ଚାପ ସୃଷ୍ଟି କରିଥାଏ । ସମସ୍ୟାର ସମାଧାନ ଜରୁରୀ ଯଦି ଏଭଳି ସମସ୍ୟା ଲାଗି ରହିଥାଏ ସେଥିଲାଗି ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉପରେ ଧ୍ୟାନ ଦେବାକୁ ହୁଏ । ଅଫିସ ନିକଟବର୍ତ୍ତୀ ଏକ ସ୍ଥାନକୁ ରହିବା ଲାଗି ଚୟନ କରିବା ଆବଶ୍ୟକ । ଏପରି ହେଲେ ଅଫିସ ଯିବା ଆସିବା ନେଇ ରହୁଥିବା ଅନେକ ଚିନ୍ତା ଦୂର ହୋଇଯିବ । ଏପରି ହେଲେ ଟ୍ରାଫିକ ଲାଗି ଥିବା ଚିନ୍ତା, ରାସ୍ତା ସମସ୍ୟା, ଦୂରତା, ଖର୍ଚ୍ଚ ଭଳି ଅନେଆ ସମସ୍ୟା ସମାଧାନ ହୋଇ ପାରିବ । ଅଫିସରେ ଭଲ ପ୍ରଦର୍ଶନ କାହିଁକି କରିପାରୁ ନାହାନ୍ତି ତାକୁ ନେଇ ଯତ୍ନବାନ ହୁଅନ୍ତୁ । ଆପଣଙ୍କ ଯୋଜନା ଠିକ୍ ଭାବେ ହୋଇଛି କି ନା, କାର୍ଯ୍ୟାନ୍ୱୟନ ଏବଂ ଭୁଲ ଭାବେ କିଛି କାର୍ଯ୍ୟକୁ କରିବା ଭଳି ସମସ୍ୟା ରହିଛି କି । କୌଣସି ବିଷୟକୁ ଯଦି ଠିକ୍ ଭାବେ ଚିନ୍ତା କରିବା ତେବେ କେଉଁ ଠାରେ ଭୁଲ ରହୁଛି ସେ ସମ୍ପର୍କରେ ଜାଣିବାକୁ ସକ୍ଷମ ହୋଇପାରିବା । ଅନ୍ୟ ଜଣଙ୍କୁ ସହଜରେ ଦୋଷାରୋପ କରିବା ସହଜ ମାତ୍ର ନିଜର ଦୋଷ ଦୁର୍ବଳତାକୁ ଜାଣି ତାର ସମାଧାନ କରିବା କଷ୍ଟକର । ଭୁଲ କେଉଁଠାରେ ରହିଛି ପ୍ରଥମେ ତାକୁ ଜାଣିବା ଦରକାର । ଏହାକୁ ସମାଧାନ ତଥା ସୁଧାର ଲାଗି ଉଦ୍ୟମ ଜାରି ରଖିଲେ ଭଲ ଫଳାଫଳ ନିଶ୍ଚିତ ମିଳିବ । ମାତ୍ର ନିରନ୍ତର ଭାବେ ଏଥିରେ ଲାଗି ରହିଲେ ଯାଇ ସଫଳତା ପଥରେ ଏହା ଆପଣଙ୍କୁ ନେଇଯିବ । ମାତ୍ର ସଫଳତା ଲାଗି ଏକ ସୁନିଶ୍ଚିତ ଯୋଜନା ସହ ଠିକ୍ କାର୍ଯ୍ୟନ୍ଵୟନ ହେଲେ କିଛି ଭିନ୍ନ କରି ଦେଖାଇବାକୁ ଆପଣ ନିଶ୍ଚିତ ଭାବେ ସକ୍ଷମ ହେବ । ଅନେକ ସମୟରେ ଆମ ଭୁଲ ଲାଗି ଅନ୍ୟକୁ ଦୋଷ ଦେଇଥାଉ । ଏପରି ହେଲେ ଆମେ ବନ୍ଧୁ ତୁଳନାରେ ଅନେକ ଶତ୍ରୁ ସୃଷ୍ଟି କରିଥାଉ । କାର୍ଯ୍ୟ କ୍ଷେତ୍ର ହେଉ କିମ୍ବା ଅନ୍ୟ କ୍ଷେତ୍ର କାଦୁଅ ଛିଟା କାର୍ଯ୍ୟ ଛାଡି ଭଲ ସମ୍ପର୍କ ସୃଷ୍ଟି ଦିଗରେ ଧ୍ୟାନ ଦିଅନ୍ତୁ । ଏପରି ଖରାପ ଅଭ୍ୟାସକୁ ଯେତେ ଶୀଘ୍ର ପରିତ୍ୟାଗ କରିବେ ସେତେ ଭଲ । ଏହା ପରିତ୍ୟାଗ ନ କଲେ ପରିଚାଳନା ସଂସ୍ଥା ଆପଣଙ୍କ ପ୍ରତି ଏକ ନକରାତ୍ମକ ଭାବନା ରଖିବ । କେତେକ କ୍ଷେତ୍ରରେ ଏପରି ମଧ୍ୟ ହୋଇଥାଏ ଯେ, ଆମକୁ ସଂସ୍ଥା ପରିବର୍ତ୍ତନ କରିବାକୁ ହୁଏ ଏବଂ ସଂସ୍ଥା ଛାଡିବା ଲାଗି ଚାପ ମଧ୍ୟ ପଡେ । କିନ୍ତୁ ଆପଣ ଜଣେ ସରକାରୀ କର୍ମଚାରୀ କିମ୍ବା ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଚାକିରି କରିଥାନ୍ତି ତେବେ ଏହା କରିବା କଣ ସବୁ ବେଳେ ସମ୍ଭବ ହେବ । ଯଦି ନାହିଁ ତେବେ ଅନ୍ୟ ଜଣଙ୍କୁ ସବୁ ବେଳେ ଦୋଷାରୋପ କରିବା ଛାଡି ଦିଅନ୍ତୁ । ଏହା ପରିବର୍ତ୍ତେ ଏକ ଭଲ ବନ୍ଧୁତା ସୃଷ୍ଟି ଲାଗି ଯତ୍ନବାନ ହୁଅନ୍ତୁ । ଅଫିସର ଆଭ୍ୟନ୍ତର ପଲିଟିକ୍ସ ଯୋଗୁ ଆପଣ ପ୍ରଭାବିତ ହେଉଛନ୍ତି କି ? ଏପରି ହୋଇଥାଏ ଯଦି କୌଣସି କର୍ମଚାରୀ ଭଲ ପ୍ରଦର୍ଶନ କରନ୍ତି ତାକୁ ନେଇ ପଲିଟିକ୍ସ ମଧ୍ୟ ହୋଇଥାଏ । ପଲିଟିକ୍ସ ହେଉଥିବା ଯଦି ଆପଣ ନିଶ୍ଚିତ ଏହାର ସମାଧାନ କିଭଳି ଭାବେ ହୋଇପାରିବ ତାକୁ ନେଇ ଚିନ୍ତା କରନ୍ତୁ । ନୀରବ ରହି କାଁଡିବା କିମ୍ବା ଚୁପ୍ ରହିଗଲେ କୌଣସି ସମସ୍ୟାର ସମାଧାନ ହୋଇ ଯିବ ନାହିଁ । ଯଦି ଆପଣ ଯୋଗ୍ୟ ସବୁ କାର୍ଯ୍ୟ ସମ୍ଭାଳିବାର ଦକ୍ଷତା ଆପଣଙ୍କ ନିକଟରେ ରହିଛି ତେବେ କୌଣସି ଚିନ୍ତା ନ କରି କାର୍ଯ୍ୟକୁ କିଭଳି ଭାବେ ଅଧିକ ଦକ୍ଷ ହୋଇ କରି ପାରିବେ ସେ ନେଇ ଚିନ୍ତା କରନ୍ତୁ । ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ଯଦି ଅଫିସ ପଲିଟିକ୍ସ ସମସ୍ୟାର ସାମ୍ନା ନ କରି ବାରମ୍ବାର ସମସ୍ୟା ଠାରୁ ଦୂରକୁ ଭାଗନ୍ତି ତେବେ ଏପରି ସମସ୍ୟା ବାରମ୍ବାର ଆସିବ । ଆପଣଙ୍କୁ ବିଭାଗ, ୟୁନିଟ, ସ୍ଥାନ ଏବଂ ସଂସ୍ଥା ମଧ୍ୟ ପରିବର୍ତ୍ତନ କରିବାକୁ ପଡିବ । ଏପରି ବାରମ୍ବାର କରିବା କେତେ ଯୁକ୍ତିଯୁକ୍ତ ହେବ । ଏପରି କରିବା ପରିବର୍ତ୍ତେ ଏକ ଉନ୍ନତ ବିକ୍ଳପ ବାଛନ୍ତୁ । ଚାପ ଅଗ୍ରସ୍ତ ହେବା ପରିବର୍ତ୍ତେ ସମସ୍ୟାର ସମାଧାନ କିଭଳି ଭାବେ କରିପାରିବେ ତାକୁ ଗୁରୁତ୍ଵ ଦିଅନ୍ତୁ । ଚାପ ଆମ ଜୀବନକୁ ପ୍ରଭାବିତ କରିବା ସହ ଅନେକଙ୍କ ଖୁସିକୁ ପ୍ରଭାବିତ କରିଥାଏ । ଚିଡିଚିଡା, ଯୁକ୍ତି କରିବା ଭଳି ବିଭିନ୍ନ ପ୍ରବୃତ୍ତି ମଣିଷ ମଧ୍ୟରେ ଚାପ ଯୋଗୁ ସୃଷ୍ଟି ହୋଇଥାଏ । ମଣିଷର ସକାରାତ୍ମକ ଗୁଣକୁ ଚାପ ପ୍ରଭାବିତ କରିବା ଯୋଗୁ ଅନେକ ସମୟରେ ଏହା ବିଭିନ୍ନ ପ୍ରକାରର ଅସୁବିଧା ମାନ ସୃଷ୍ଟି କରିଥାଏ । ଏପରି ଅସୁବିଧା ଲାଗି ଆମେ ଆମର ସୁନ୍ଦର ପରିବାରକୁ ଖରାପ କରି ପାରିବା ନାହିଁ । ଏପରି ସମସ୍ୟାର ସମାଧାନ ରହିଛି । ଏହାର ସମାଧାନ ସମ୍ଭବ । ଏହା କଷ୍ଟକର ହେଲେ ମଧ୍ୟ ଏହା ଉପରେ ନିରନ୍ତର କାର୍ଯ୍ୟ କରିଲେ ଯାଇ ସମସ୍ୟାର ସମାଧାନ କରିବାକୁ ଆମେ ସକ୍ଷମ ହେବା । ଧ୍ୟାନରେ ରଖିବା ଲାଗି କିଛି ପ୍ରସଙ୍ଗ କାର୍ଯ୍ୟାଳୟର ଚାପକୁ ପରିବାର ମଧ୍ୟକୁ ଆଣନ୍ତୁ ନାହିଁ । ଏହାକୁ ଅଫିସରେ ଛାଡିବା ସହ ପିଲା, ପାଳିତ ପଶୁପକ୍ଷୀ କିମ୍ବା ଧର୍ମପତ୍ନୀଙ୍କ ସହ ସମୟ ବିତାଇ ପାରିବେ । ସେମାନେ ଆପଣଙ୍କ ଠାରୁ କ’ଣ ଚାହୁଁଛନ୍ତି ତାହା ବୁଝିବାକୁ ଚେଷ୍ଟା କରନ୍ତୁ । ଘରେ ଏକାଠି ବସି ଖାଇବା ଖାଇ ପାରିବେ । କ୍ଲାସିକ, ରୋମାଣ୍ଟିକ ସିନେମା ଦେଖିବା ସହ ନିକଟବର୍ତ୍ତୀ ରେସ୍ତୃରାଣ୍ଟକୁ ଖାଇବାକୁ ଯାଇପାରିବେ । ସନ୍ଧ୍ୟାରେ ଚାଲିବାକୁ ଯାଇ ପାରିବେ । ଅଫିସ କଥା ବ୍ୟତୀତ ଅନ୍ୟ ସବୁ କଥା ଏଠାରେ ଶେୟାର କରିବା ସହ ଜୀବନରେ ପରିବର୍ତ୍ତନ ଆଣିପାରିବେ । ଆମ ସମୟକୁ ଯଦି ଆମେ ଠିକ୍ ଭାବେ ପରିଚାଳନା କରିବା ଏବଂ ଯୋଜନା ମୁତାବକ ସବୁ କାର୍ଯ୍ୟ କରିବା, ଛୋଟ ଛୋଟ ଖୁସିକୁ ପ୍ରାଧାନ୍ୟ ଦେବା ତେବେ ଚାପ କମ୍ ଆସିବ । ଏହାର ଉଦାହରଣ ଆମେ ପେପ୍ସିକୋର ମୁଖ୍ୟ ଇନ୍ଦିରା ନୋଇଙ୍କ ଠାରୁ ନେଇ ପାରିବା । କେଉଁ କାରଣ ଯୋଗୁ ଚାପଗ୍ରସ୍ତ ହେଉଛନ୍ତି ତାର ପ୍ରକୃତ କାରଣ ଯଦି ଜାଣି ପାରୁଛନ୍ତି ତାର ପ୍ରକୃତ କାରଣ ଯଦି ଜାଣି ପାରୁଛନ୍ତି ତାର ରାକୃତ ସମାଧାନ ବାଛନ୍ତୁ । ଯଦି ପ୍ରକୃତ ସମାଧାନ ଯଦି ପାଇ ଯାଇଛନ୍ତି ତେବେ ଚିନ୍ତା କରିବାକୁ ଆବଶ୍ୟକତା ବି କଣ ରହିଛି । ଚାପ କମାଇବା ଲାଗି ଯୋଗ, ପ୍ରାଣାୟାମ, ଧ୍ୟାନ ବିଶେଷ ଭାବେ ସହାୟକ ହୋଇପାରିବ । ପ୍ରାର୍ଥନା କରିବା ଏବଂ ସକାରାତ୍ମକ ଭାବନା ଉପରେ ବିଶ୍ଵାସ ରଖିଲେ ଏହା ଚିନ୍ତାକୁ ହ୍ରାସ କରିବ । ନୂଆ କିଛି ଆରମ୍ଭ କରିପାରିବେ । ଏଥି ଲାଗି ସ୍ଥାନ, ଚାକିରି ତଥା ଶିଳ୍ପରେ ପରିବର୍ତ୍ତନ କରିପାରିବେ । ଚାପ ଯଦି ବେଶବଢିଯାଏଇ ନୂଆ କରି କିଛି ଆରମ୍ଭ ଦ୍ଵାରା ଜୀବନରେ ପରିବର୍ତ୍ତନ ଆଣି ପାରିବେ । ଅଧିକାଂଶ କ୍ଷେତ୍ରରେ ଚାପକୁ ଅତିକ୍ରମ, ପରିଚାଳନା, ହ୍ରାସ ଏବଂ ସକାରାତ୍ମକ ଢଙ୍ଗରେ ସମାଧାନ କରାଯାଇପାରିବ । ପ୍ରତି ସମସ୍ୟାର ସମାଧାନ ରହିଛି । ସେହିଭଳି ଚାପ ସୃଷ୍ଟି କରୁଥିବା ପ୍ରତି କାରଣକୁ ପରିଚାଳନା କରାଯାଇପାରିବ । ଜୀବନ ଛୋଟ ହୋଇଥିବାରୁ ଏହା ସମ୍ପୂର୍ଣ୍ଣ ଭାବେ ଖୁସିର ସହ ବଞ୍ଚିବାକୁ ଚେଷ୍ଟା କରନ୍ତୁ । ସଂଗୃହିତ – ପି.କେ ପ୍ରାମାଣିକ