ଦ୍ଵାଦଶ ପରେ କ୍ୟାରିୟର ସମ୍ପ୍ରତି ସିବିଏସଇ ଏବଂ ଆଇସିଏସର ଦ୍ଵାଦଶ ପରୀକ୍ଷାଫଳ ବାହାରିସାରିଛି । ସମସ୍ତ ଷ୍ଟିମରେ ପାସ ହାର ବଢ଼ିଛି । ପୂର୍ବ ବର୍ଷଗୁଡିକ ତୁଳନାରେ ଓଡ଼ିଶାର ଛାତ୍ରୀଛାତ୍ରମାନେ ଉନ୍ନତ ପ୍ରଦର୍ଶନ କରିଛନ୍ତି । ସର୍ବାଧିକ ମାର୍କ ରଖିଥିବା ଛାତ୍ରୀଛାତ୍ରମାନଙ୍କ ପାଇଁ ସରକାରୀ କିମ୍ବା ଆଗଧାଡି କଲେଜ୍ଗୁଡିକରେ ନାମ ଲେଖାଇବାରେ କୌଣସି ଅସୁବିଧା ନାହିଁ । କିନ୍ତୁ ଚଳନୀୟ ମାର୍କ ରଖିଥିବା ପିଲାଙ୍କ ପାଇଁ ବର୍ତ୍ତମାନ ଚିନ୍ତାର ବିଷୟ । କମ୍ ମାର୍କ ଯୋଗୁ ସରକାରୀ କିମ୍ବା ଭଲ କଲେଜରେ ନାମ ଲେଖାଇବା ଏମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇଥାଏ । ବଡ ବଡ କଲେଜ୍ ଗୁଡିକରେ ମଧ୍ୟ କଟ୍ ଅଫ୍ ମାର୍କ ଏତେ ରହୁଛି ଯେ, ପିଲାମାନଙ୍କ ପାଇଁ ଏଠାରେ ନାମ ଲେଖାଇବା କାଠିକର ପାଠ। ହୋଇଯାଉଛି । ଦ୍ଵାଦଶ ପରେ କେଉଁ କୋର୍ସରେ ନାମ ଲେଖାଇବେ ତାହା ଛାତ୍ରୀ ଛାତ୍ରଙ୍କ ପାଇଁ ଚିନ୍ତାର ବିଷୟ । ଯାହାକୁ ଆମେ କ୍ୟାରିୟର କରିବା ସେଥିରେ ଆମ ରୁଚି ମଧ୍ୟରହିବା ଦରକାର । ଖାଲି ପିଲାମାନେ କାହିକି ଅଭିଭାବକମାନେ ମଧ୍ୟ ଦ୍ଵନ୍ଦୁବଳୟକୁ ଆସିଯାଆନ୍ତି । ନିଷ୍ପତ୍ତି ନେବା କଷ୍ଟକର ହୋଇଥାଏ। ସତ କିନ୍ତୁ କିଛି ବିଷୟକୁ ଧ୍ୟାନରେ ରଖ୍ ଏହାକୁ ସହଜ କରାଯାଇପାରିବ । ଆପଣଙ୍କ ରୁଚି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନିଜ ଇଚ୍ଛା ନ ଥିଲେ କେଉଁ କାର୍ଯ୍ୟରେ ସଫଳତା ମିଳି ନ ଥାଏ । ତେଣୁ ଏଭଳି କ୍ୟାରିୟର ବାଛିବା ଦରକାର ଯେଉଁଥରେ ଆପଣଙ୍କ ରୁଚି ରହୁଥବ । ଯେଉଁ କ୍ୟାରିୟର ବାଛୁଛନ୍ତି ତାହାକୁ ନେଇ ଆପଣ ମାନସିକ, ଆର୍ଥିକ ଏବଂ ଏକାଡେମିକ୍ ଦୃଷ୍ଟିକୋଣରୁ ପ୍ରସ୍ତୁତ ଥିବା ଦରକାର । ଆପଣଙ୍କ ଉପରେ ଅଭିଭାବକ ତଥା ମାତାପିତାଙ୍କର କ'ଣ ଆଶା ରହିଛି, ତାହାକୁ ଦୃଷ୍ଟିରେ ରଖନ୍ତୁ । ପରୀକ୍ଷାରେ ଆପଣ ଯେଉଁ ମାର୍କ ରଖିଛନ୍ତି ସେହି ଅନୁସାରେ ଚୂଡାନ୍ତ ନିଷ୍ପତ୍ତି ନେବା ପରେ ଉକ୍ତ କଲେଜ୍ଗୁଡ଼ିକରେ ଆବେଦନ ଫର୍ମ ପକାନ୍ତୁ, ଯେଉଁଠି ଆପଣଙ୍କୁ ନାମ ଲେଖାଇବାର ସୁଯୋଗ ମିଳିପାରିବ । ସମ୍ପ୍ରତି ବଡ ବଡ କଲେଜ୍ଗୁଡ଼ିକରେ କଟ୍ ଅଫ୍ ମାର୍କ ଅଧିକ । ଫଳରେ କମ୍ ମାର୍କ ରଖିଥିବା ପିଲାମାନଙ୍କୁ କଲେଜ୍ କିମ୍ବା ଷ୍ଟ୍ରିମ୍ ରେ ସାଲିସ୍ କରିବାକୁ ପଡିବ । ଏଭଳି କ୍ଷେତ୍ରରେ କାହା ଉପରେ ଦୋଷାରୋପ ନ କରି ବରଂ ଯେଉଁ କଲେଜ୍ ବା ଷ୍ଟ୍ରିମ୍ ରେ ନାମ ଲେଖାଉଛନ୍ତି ସେଥିରେ ସମ୍ପୂର୍ଣ୍ଣ ମନୋନିବେଶ କରନ୍ତୁ । ଏଥିରୁ ଭଲ ପ୍ରଦର୍ଶନ କରି ଆପଣ ନିଜ ଭବିଷ୍ୟତକୁ ନୂଆ ଆକାର ଦେଇପାରିବେ । ଦ୍ଵାଦଶ ପରେ ସୁଯୋଗ: ବିଜ୍ଞାନ ଷ୍ଟିମ୍ ଛାତ୍ରଛାତ୍ରମାନେ ନିମ୍ନଲିଖିତ କୋର୍ସ ପାଇଁ ପ୍ରୟୁତ ହୋଇପାରିବେ । ଇଞ୍ଜିନିୟରିଂ, ମେଡିକାଲ, ଫାର୍ମା, ଏଗ୍ରିକଲ୍ଚର, ଆର୍କିଟେକଚର, ମର୍ଚ୍ଚାଣ୍ଟନ୍ୟାଭି, ବାୟୋଟେକ୍ନୋଲୋଜି, ମାଇକ୍ରୋବାୟୋଲୋଜି ଆଦି କୋର୍ସକୁ ବିକଳ୍ପ ଭାବେ ନିଆଯାଇପାରିବ । ପ୍ରତିରକ୍ଷା କ୍ଷେତ୍ରରେ ପ୍ରଚୁର ବିକଳ୍ପ ରହିଛି, ଯେପରି ଏନ୍ଡିଏ, ଆର୍ମି. ନ୍ୟାଭି କିମ୍ବା ଏୟାର୍ ଫୋର୍ମ। ଇଞ୍ଜିନିୟରିଂ କ୍ଷେତ୍ରରେ କମ୍ପ୍ୟୁଟର ସାଇନ୍, ଇଲେକ୍ଟ୍ରୋନିକ୍ ଆଣ୍ଡ୍ ଟେଲି କମ୍ୟୁନିକେଶନ୍, ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ ଆପ୍ଳାଏଡ ଇନଷ୍ତୃମେଣ୍ଟସ ପରେ ମେକାନିକାଲ, ଇଲେକ୍ତିକାଲ, ସିଭିଲ୍ ଆଦି ସ୍ପେସିଆଲାଇଜେଶନ୍ ର ଚାହିଦା ଭଲ ରହିଛି । ଏହାଛଡା ବି.ଆର୍କ, ବିଏସସି (ଏଗ୍ରି) କିମ୍ବା ଏଗ୍ରିକଲଚରାଲ ଇଞ୍ଜିନିୟରିଂ, ମେରାଇନ୍ ଇଞ୍ଜିନିୟରିଂ, ଇଞ୍ଜିନିୟରିଂ ମେକାଟ୍ରୋନିକ୍ସ ଅଟୋମୋବାଇଲ ଇଞ୍ଜିନିୟରିଂ ଆଦି ପସନ୍ଦ ହୋଇପାରିବ । ମେଡିକାଲ ସାଇନ୍ସରେ ରୁଚି ଥିବା ଛାତ୍ରୀଛାତ୍ରମାନେ ଏମବିବିଏସ୍ କିମ୍ବା ବିଡିଏସ୍ ପାଇଁ ପ୍ରସ୍ତୁତ ହୋଇପାରିବେ । ତେବେ ଏଥିରେ ଶତ ପ୍ରତିଶତ ଉଦ୍ୟମ ନ ଲଗାଇଲେ ସରକାରୀ ହସପିଟାଲରେ ନାମ ଲେଖାଇବା ସମ୍ଭବ ହୋଇ ନ ଥାଏ । ଘରୋଇ କଲେଜ୍ରେ ଡୋନେଶନ୍ ଦେଇ ନାମ ଲେଖାଇବାରେ ସମସ୍ୟା ହେଉଛି ଏହି କଲେଜ୍ଗୁଡ଼ିକରେ ଫି' ଏତେ ରହୁଛି ଯେ ଆର୍ଥିକ ଦୃଷ୍ଟିରୁ ସେତିକି ସ୍ୱଚ୍ଛଳ ହୋଇ ନ ଥଲେ । ଏଠାରେ ନାମ ଲେଖାଇ ପାରିବେ ନାହିଁ । ଏନ୍ଇଇଟି ପରୀକ୍ଷାରେ ସଫଳ ହେବା ଅତ୍ୟନ୍ତ କଷ୍ଟକର । ଶତ ପ୍ରତିଶତ ପରିଶ୍ରମ ନ କଲେ ଏଥିରେ ଉତ୍ତାର୍ଣ୍ଣ ହେବା ଅସମ୍ଭବ । ସରକାରୀ କଲେଜ୍ଗୁଡିକରେ ସିଟ୍ ସଂଖ୍ୟା କମ୍ ରହୁଥିବାରୁ ପ୍ରତିଯୋଗିତା ଅଧିକ । ତେଣୁ ପରିଶ୍ରମ ସେହିଭଳି ହୋଇ ନ ଥଲେ ଆପଣ ଉତ୍ତାର୍ଣ୍ଣ ହୋଇପାରିବେ ନାହିଁ । ଅଣ-ବୈଷୟିକ ପାଠ୍ୟକ୍ରମ ପିସିଏମ୍ କିମ୍ବା ସିବିଜେଡ୍ ଆଦିବିଷୟବସ୍ତୁ ସହ ବିଜ୍ଞାନରେ ସ୍ନାତକ କରାଯାଇପାରିବ । ଏଥିରେ ସୁଯୋଗ ମଧ୍ୟ ଭଲ ରହିଛି। ତେବେ ସ୍ନାତକ କରି ଆପଣ ଆଗକୁ ପ୍ରଶାସନିକ ସେବା, ଶିକ୍ଷକତା, ଗବେଷଣା କିମ୍ବା ମ୍ୟାନେଜମେଣ୍ଟ ପାଠ୍ୟକ୍ରମରେ ଆଗେଇପାରିବେ । କମର୍ସରେ କ୍ୟାରିୟର ଏହା ହେଉଛି ଏପରି ଏକ ଷ୍ଟିମ୍ ଯେଉଁଥରେ ସୁଯୋଗର ଅଭାବ ନ ଥାଏ । ଗଣିତରେ ଭଲ କରୁଥିବା ପିଲାମାନେ ଚାର୍ଟାର୍ଡ ଆକାଉଣ୍ଟାନ୍ସି (ସିଏ). କଷ୍ଟ ଆକାଉଣ୍ଟିଂ ସିଏମ୍ଏ ଏବଂ କମ୍ପାନୀ ସେକ୍ରେଟାରିଶିପ୍ ଆଦି କୋର୍ସ କରିପାରିବେ । ଅନ୍ୟମାନେ ଜେନେରାଲ ଆକାଉଣ୍ଟିଂ', ଲଜିଷ୍ଟିକ୍ସ କିମ୍ବା ଏସସିଏମ୍ ଭଳି କୋର୍ସ କରିପାରିବେ । ଏମାନେ ମ୍ୟାନେଜମେଣ୍ଟ କୋର୍ସ କିମ୍ବା ଶିକ୍ଷକତାକୁ ବିକଳ୍ପ ଭାବେ ବାଛିପାରିବେ । କମର୍ସରେ ସ୍ଥାତକ କିମ୍ବା ସ୍ନାତକୋତ୍ତର କରି ମଧ୍ୟ ଆପଣ ପ୍ରଶାସନିକ ସେବା କ୍ଷେତ୍ରରେ ଆଗେଇ ପାରିବେ । ସ୍ନାତକ ପରେ କ୍ୟାଟ୍, ମ୍ୟାଟ୍ ଏବଂ ଜ୍ୟାଟ୍ ଆଦି ପରୀକ୍ଷା ଦେଇ ଆପଣ ଆଇଆଇଏମ୍ ଭଳି ଆଗଧାଡିର ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ୍ ରେ ନାମ ଲେଖାଇପାରିବେ । କଳାରେ କ୍ୟାରିୟର: କଳାରେ ଉଚ୍ଚଶିକ୍ଷା କରୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ଆକର୍ଷଣୀୟ ସୁଯୋଗମାନ ରହିଛି । ଏମାନେ ଶିକ୍ଷକତା, ମ୍ୟାନେଜମେଣ୍ଟ ତଥା ପ୍ରଶାସନିକ ସେବା କ୍ଷେତ୍ରରେ କ୍ୟାରିୟର କରିପାରିବେ । ସମ୍ପ୍ରତି ପ୍ରକାଶିତ ପ୍ରଶାସନିକ ସେବା ପରୀକ୍ଷାର ଫଳାଫଳକୁ ଦେଖିଲେ ଆପଣ ଜାଣିପାରିବେ ଯେ, କୃତିତ୍ଵ ଲାଭ କରିଥିବା ଅଧିକାଂଶ ଛାତ୍ରୀଛାତ୍ର ଅର୍ଥନୀତି, ରାଜନୀତି ବିଜ୍ଞାନ, ଇତିହାସ, ସାମାଜିକ ବିଜ୍ଞାନ ବିଷୟବସ୍ତୁରେ ସ୍ନାତକ ଡିଗ୍ରୀଧାରୀ । ଆର୍ଟସ ଷ୍ଟିମର ଛାତ୍ରୀଛାତ୍ରମାନେ ଆର୍ଟ, କ୍ରାଫ୍ଟ, ସାହିତ୍ୟ ଆଦିରେ ମଧ୍ୟ କ୍ୟାରିୟର କରିପାରିବେ । ଧନ୍ଦାମୂଳକ ଶିକ୍ଷା ମଧ୍ୟ ଭଲ ବିକଳ୍ପ ହୋଇପାରିବ । ସାମ୍ବାଦିକତା, ଅଭିନୟ ଏବଂ ପ୍ୟାଶନ୍ କ୍ଷେତ୍ରରେ ମଧ୍ୟ ବିପୁଳ ସୁଯୋଗ ରହିଛି । ସେହିଭଳି ଦ୍ଵାଦଶ ପରେ ମଧ୍ୟ ବିଏସସି(ଏଟ୍ରିକଲ୍ଚର), ବି.ଆର୍କ,, ଡି. ଫାର୍ମା, ଫିଜିଓଥେରାପି, ଡିଏମ୍ଏଲ୍ଟି, ନର୍ସିଙ୍ଗ, ପାରମେଡିକାଲ, ହୋମ୍ ସାଇନ୍ସ ଆଦି କୋର୍ସ କରାଯାଇପାରିବ । କୌଣସି ଷ୍ଟ୍ରିମ୍ ରେ ସୁଯୋଗର ଅଭାବ ନାହିଁ । କଠିନ ପରିଶ୍ରମ ବଳରେ ହିଁ ପିଲାମାନେ ସୁଯୋଗର ଲାଭ ଉଠାଇପାରିବେ । ସଂଗୃହିତ: ପି.କ୍ ପ୍ରମାନିକ, ଫାଷ୍ଟ ଟ୍ରାକ୍ କେରିୟାର କନସଲଟାଣ୍ଟ