ପିଲାମାନଙ୍କ ନାମଲେଖା

ବୋର୍ଡ ପରୀକ୍ଷା ଶେଷ ହୋଇ ଯାଉଥିବାବେଳେ ଅଧିକାଂଶ ମାତାପିତା ଏବଂ ଛାତ୍ରୀଛାତ୍ରଙ୍କ ସାମାନ୍ୟ ଚିନ୍ତା ଲାଘବ ହୋଇଛି । ଅବିରତ ପାଠପଢା ପରେ ଛାତ୍ରୀଛାତ୍ରମାନେ ବର୍ତ୍ତମାନ ରିଲାକ୍ସ ହେଉଥିବାବେଳେ ଅଧିକାଂଶ ମାତାପିତା ସେମାନଙ୍କ ପିଲାମାନଙ୍କ ନାମଲେଖାକୁ ନେଇ ବ୍ୟସ୍ତ ହୋଇ ପଡୁଥିବେ ନିଶ୍ଚିତ । ପରୀକ୍ଷା ଫଳାଫଳ ବାହାରିବା ପରେ କେଉଁ ବିଷୟ ତଥା କଲେଜ୍ ରେ ନାମଲେଖା ହେବ ତାହା ବ୍ୟସ୍ତ ବିବ୍ରତ କରୁଥିବ । କେତେକ ଘରୋଇ ସ୍କୁଲ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠପଢା ବ୍ୟବସ୍ଥା ରଖିଥିବାବେଳେ ଅନେକ ସରକାରୀ ସ୍କୁଲରେ ଏହି ବ୍ୟବସ୍ଥା ନ ଥାଏ । ଫଳରେ ଛାତ୍ରୀଛାତ୍ରଙ୍କୁ ପରବର୍ତ୍ତୀ ଶିକ୍ଷା ଲାଗି ନିକଟସ୍ଥ କଲେଜରେ ନାମ ଲେଖାଇବାକୁ ପଡ଼ିଥାଏ । ତେବେ କିପରି ଠିକ୍ କଲେଜ୍ ରେ ନାମଲେଖା ହେବ ସେଥିପାଇଁ ମାତାପିତା ତଥା ଛାତ୍ରୀଛାତ୍ରମାନେ ଚିନ୍ତିତ ହୋଇପଡନ୍ତି ।

ପରୀକ୍ଷା ପରେ ସବୁଠାରୁ ବଡ ଚିନ୍ତା, ଯାହାକି ମାତାପିତା କରିଥାନ୍ତି ତାହା ହେଉଛି ପିଲାଟି କିପରି ଜଣାଶୁଣା କଲେଜ୍ ରେ ନାମ ଲେଖାଇପାରିବ । ଉନ୍ନତମାନର ଶିକ୍ଷା ପ୍ରଦାନ କରାଯାଉଥିବା ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ସମସ୍ତେ ଚାହିଁଥାନ୍ତି ।

କେତେକ ଛାତ୍ରୀଛାତ୍ର ସାଧାରଣ ଏକାଡେମିକ୍ କୋର୍ସ ଯେପରି ଯୁକ୍ତ ୨ତଥା ଯୁକ୍ତ ୩ କରିବାକୁ ଚାହୁଁଥିବାବେଳେ କେତେକ ଇଞ୍ଜିନିୟରିଂ କିମ୍ବା ମେଡିକାଲ ପାଠ୍ୟକ୍ରମ ପାଇଁ ମନ ବଳାଇଥାନ୍ତି । ସାଧାରଣ ଏକାଡ଼େମିକ୍ ରେ ବିଜ୍ଞାନ ପ୍ରଥମ ପସନ୍ଦ ରହୁଥିବାବେଳେ ଏହା ପଛକୁ ବାଣିଜ୍ୟ ଏବଂ କଳା ରହିଛି ।

ସେହିଭଳି ଖରାପ ମାର୍କ କିମ୍ବା ଆର୍ଥିକ ସମସ୍ୟା ଯୋଗୁ ରେଗୁଲାର କୋର୍ସ କରିବାରେ ବିଫଳ ହେଉଥିବା ଛାତ୍ରୀଛାତ୍ରମାନେ ଦୂରନିରନ୍ତର ଶିକ୍ଷାରେ ନାମ ଲେଖାଇପାରିବେ । ଏଥିପାଇଁ ନାମଲେଖା ପ୍ରକ୍ରିୟା ସାମାନ୍ୟ ବିଳମ୍ବରେ ହୋଇଥାଏ । ପ୍ରତିବର୍ଷ ଜୁଲାଇ କିମ୍ବା ଅଗଷ୍ଟରେ ଏହି କ୍ଷେତ୍ରରେ ନାମଲେଖା ହୋଇଥାଏ । ଏହା ଦ୍ଵାରା ଡିଷ୍ଟାନ୍ସ ମୋଡ୍ ରେ ଛାତ୍ରୀଛାତ୍ରମାନେ ସେମାନଙ୍କ ମନ ପସନ୍ଦର କୋର୍ସରେ ନାମ ଲେଖାଇପାରିବେ । ଟେକ୍ନିକାଲ କୋର୍ସ ଚୟନ କରୁଥିବା ଛାତ୍ରୀଛାତ୍ରମାନେ ଇଞ୍ଜିନିୟରିଂ ଏବଂ ମେଡିକାଲ କୋର୍ସରେ ନାମ ଲେଖାଇବା ପାଇଁ ଆଡ୍ମିଶନ ଟାଇମ୍ଟେବୁଲ୍ ଠିକ୍ ଭାବେ ଜାଣିବା ଲାଗି ଏଆଇସିଟିଇ(ଆଲ୍ ଇଣ୍ଡିଆ କାଉନ୍ସିଲ୍ ଅଫ୍ ଟେକ୍ନିକାଲ ଏଜୁକେଶନ୍) ର ସରକାରୀ ୱେବ୍ସାଇଟ୍ ଦେଖିପାରିବେ ।

ଇ-ନାମଲେଖା

ନାମଲେଖା ପ୍ରକ୍ରିୟାକୁ ସରଳ କରିବା ଉଦ୍ଦେଶ୍ୟରେ ଉଚ୍ଚ ଶିକ୍ଷା ବିଭାଗ ଇ-ନାମଲେଖା ବ୍ୟବସ୍ଥା ଆରମ୍ଭ କରିଛି । ଫଳରେ ଛାତ୍ରୀଛାତ୍ରମାନେ ବିଭିନ୍ନ କଲେଜ୍ ରେ ନାମଲେଖା ପାଇଁ ଘରେ ବସି ସିଏଏଫ୍(କମନ୍ ଆଡ୍ମିଶନ୍ ଫର୍ମ) ପୂରଣ କରିପାରିବେ । ଏହା ସହଜ ହୋଇଥିବା ସହ ସମୟ ସଞ୍ଚୟକାରୀ । ସାଧାରଣତଃ ନାମଲେଖା ପ୍ରକ୍ରିୟା ଜୁନ୍ ଦ୍ଵିତୀୟ ତୃତୀୟ ସପ୍ତାହରେ ଆରମ୍ଭ ହୋଇଥାଏ । ସିଏଏଫ୍ ଫର୍ମ ଦାଖଲ କରିବା ଲାଗି ୧୫ ଦିନ ସମୟ ଦିଆଯାଇଥାଏ । ପ୍ରଥମ କଟ୍ ଅଫ୍ ମାର୍କ ଲିଷ୍ଟ ପ୍ରକାଶ କରିବା ପାଇଁ ଆଉ ୧୦ ଦିନ ସମୟ ଲାଗିଥାଏ । ଦୁଇ ସପ୍ତାହ ପରେ ଦ୍ଵିତୀୟ କଟ୍ ଅଫ୍ ଲିଷ୍ଟ ପ୍ରକାଶ ପାଇଥାଏ । ଅବଶିଷ୍ଟ ସିଟ୍ ପାଇଁ ସ୍ପଟ୍ ଆଡ୍ମିଶନ୍ ହୋଇଥାଏ । ଅଧିକାଂଶ କୋର୍ସ ନିମନ୍ତେ ନୂଆ ଏକାଡେମିକ୍ କୋର୍ସ ଅଗଷ୍ଟର ପ୍ରଥମ ସପ୍ତାହରେ ଆରମ୍ଭ ହୋଇଥାଏ ।

ଟିପ୍ସ

ତେବେ ନାମ ଲେଖାଇବାବେଳେ ମାତାପିତା ଏବଂ ଅଭିଭାବକଙ୍କୁ କେତେକ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ । ଉକ୍ତ ବିଷୟଗୁଡିକୁ ନେଇ ନିମ୍ନରେ ଏହି ଟିପ୍ସ ପ୍ରଦାନ କରାଯାଇଛି ।

ସାଧାରଣତଃ ଦେଖାଯାଏ ନାମଲେଖା କ୍ଷେତ୍ରରେ ଅନେକ ବ୍ରୋକର କାର୍ଯ୍ୟ କରୁଥାନ୍ତି । ସେମାନେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ପିଲା ତଥା ଅଭିଭାବଙ୍କୁ ପ୍ରଲୋଭନ ଦେଖାନ୍ତି, ଯାହାର ନାମ ହୁଏତ ଆପଣ କେବେ ଶୁଣି ନ ଥିବେ । ଏଭଳି ପରିସ୍ଥିତିରେ ସତର୍କତା ଅବଲମ୍ବନ କରନ୍ତୁ ।

ନାମଲେଖା ପୂର୍ବରୁ ଏଆଇସିଟିଇର ସରକାରୀ ୱେବ୍ସାଇଟ୍ରୁ ସମସ୍ତ କଲେଜ୍ ସମ୍ବନ୍ଧରେ ସବିଶେଷ ତଥ୍ୟ ସଂଗ୍ରହ କରନ୍ତୁ । ଉଚ୍ଚ ଶିକ୍ଷା ବିଭାଗର ସାହାଯ୍ୟ ମଧ୍ୟ ନେଇପାରିବେ ।

ପିଲାମାନେ www.aicte-india.org ତଥା www.dte.org.in କୁ ବ୍ରାଉଜ୍ କରିପାରିବେ ।

ଅନ୍ୟ ମାପଦଣ୍ଡ ମଧ୍ୟ ରହିଛି । କଲେଜ୍ ର ପୁରୁଣା ଏକାଡେମିକ୍ ଏବଂ ପ୍ଲେସ୍ମେଣ୍ଟ ରେକର୍ଡ ଦେଖନ୍ତୁ ।

ଶିକ୍ଷାନୁଷ୍ଠାନରେ ପଢାଉଥିବା ଫ୍ୟାକଲ୍ଟି ମାନଙ୍କ ପାଠ ପଢାଇବା ଢାଞ୍ଚା ବିଷୟରେ ଅବଗତ ହୁଅନ୍ତୁ ।

ଶିକ୍ଷାନୁଷ୍ଠାନରେ କିପରି ଭିତ୍ତିଭୂମି ରହିଛି ତାହା ଜାଣନ୍ତୁ । ଲାଇବ୍ରେରି, ଲାବୋରେଟୋରୀ, କମ୍ପ୍ୟୁଟର ତଥା ୱାଇଫାଇ ବ୍ୟବସ୍ଥା ଉପଲବ୍ଧ ଅଛି କି ନାହିଁ ତାହା ମଧ୍ୟ ଜାଣିବା ଜରୁରୀ ।

ସେଠାକାର ଫି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ବିଷୟରେ ଅବଗତ ହୁଅନ୍ତୁ ।

କେତେକ ଶିକ୍ଷାନୁଷ୍ଠାନ ରହିଛି, ଯେଉଁମାନେ ଚେକ୍ ନିଅନ୍ତି ନାହିଁ କିମ୍ବା କ୍ୟାଶ ତଥା ଚେକ୍ ବଦଳରେ ମନି ରିସିପ୍ଟ ଦିଅନ୍ତି ନାହିଁ । ଜାଣିରଖନ୍ତୁ ଏହା ସ୍ଵଚ୍ଛ କାର୍ଯ୍ୟକଳାପ ନୁହେଁ । ଛାତ୍ରୀଛାତ୍ରମାନେ ପରୀକ୍ଷା ପରେ କିଛି ସମୟ ବାହାର କରି କ୍ୟାରିୟର ସମ୍ପର୍କରେ ସୂଚନା ପ୍ରଦାନ କରୁଥିବା କାଉନ୍ସେଲରଙ୍କୁ ଭେଟିପାରିବେ । ଠିକ୍ ପାଠ୍ୟକ୍ରମ, ଠିକ୍ କଲେଜ୍ ଏବଂ ଷ୍ଟ୍ରିମ୍ ରେ ନାମ ଲେଖାଇ ଛାତ୍ରୀଛାତ୍ରମାନେ ନିଜ କ୍ୟାରିୟରକୁ ଉନ୍ନତ ଦିଗକୁ ଅଗ୍ରସର କରାଇପାରିବେ ।

ଆଧାର – ଦୈନିକ ଧରିତ୍ରୀ