ଉପକ୍ରମ ଦଶମ ଏବଂ ଦ୍ଵାଦଶ ବୋର୍ଡ ପରୀକ୍ଷା ଲାଗି ପ୍ରତି ବର୍ଷ ଫେବୃୟାରୀ ଏବଂ ମାର୍ଚ୍ଚ ମାସରେ ଛାତ୍ରୀଛାତ୍ରମାନେ ଚିନ୍ତାଗ୍ରସ୍ତ ହୋଇଥାନ୍ତି । ଏହି ପରୀକ୍ଷାଗୁଡିକ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ହୋଇଥିବାରୁ ଛାତ୍ରୀଛାତ୍ର ଏଥିରେ ଭଲ କରିବା ପାଇଁ ଅନେକ ଉଦ୍ୟମ କରିଥାନ୍ତି । କ୍ୟାରିୟର ଲାଗି ଏହି ବୋର୍ଡ ପରୀକ୍ଷାଗୁଡିକ ମୂଳଦୁଆ ହୋଇଥିବା ବେଳେ ଭଲ ସ୍କୋର ସହ ଭଲ ଶିକ୍ଷାନୁଷ୍ଠାନ ଏବଂ ଠିକ୍ ପାଠ୍ୟକ୍ରମ ବାଛିବାରେ ବିଶେଷ ଭାବେ ସହାୟତା କରିଥାଏ । ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡିକରେ ସ୍ୱଳ୍ପ ସଂଖ୍ୟକ ସିଟ୍ ରହୁଥିବା ବେଳେ କଟ୍ ଅଫ୍ ମଧ୍ୟ ଅଧିକ ରହୁଛି । ଯାହାଫଳରେ ପରୀକ୍ଷାରେ ଭଲ ସ୍କୋର କରିବାକୁ ଛାତ୍ରୀଛାତ୍ରମାନେ ଅନେକ ଉଦ୍ୟମ କରିଥାନ୍ତି । ଭଲ ପ୍ରତିଷ୍ଠାନଗୁଡିକରେ କଟ୍ ଅଫ୍ର ଅଧିକ ହେଉଥିବା ବେଳେ ଫିସ୍ ସାଧାରଣତଃ କମ୍ ରହିଥାଏ । ଏଣୁ ଭଲ ଶିକ୍ଷାନୁଷ୍ଠାନ ଗୁଡିକରେ ଏକ ସିଟ୍ ପାଇବା ଲାଗି ଉଭୟ ଅଭିଭାବକ ତଥା ଛାତ୍ରୀଛାତ୍ରଙ୍କ ଚିନ୍ତା ବଢିଯାଇଥାଏ । ଭବିଷ୍ୟତ ଗଠନ ଦିଗରେ ବୋର୍ଡ ପରୀକ୍ଷା ଏକ ପ୍ରମୁଖ ପ୍ରସଙ୍ଗ ହୋଇଥିବା ବେଳେ ଏହାକୁ ସହଜରେ ଗ୍ରହଣ କରାଯାଇ ନ ଥାଏ । ବୋର୍ଡ ପରୀକ୍ଷାକୁ ଯଦି ଜଣେ ସହଜରେ ଗ୍ରହଣ କରି ଶେଷ ମୂହୁର୍ତ୍ତରେ ପ୍ରସ୍ତୁତ ଆରମ୍ଭ କରନ୍ତି ଏବଂ ଭଲ ଫଳାଫଳ ଆଶା ରଖନ୍ତି ତେବେ ଧରିନେବାକୁ ହେବ ଯେ, କୌଣସି ଚମତ୍କାର ଘଟିବ ନାହିଁ । ବୋର୍ଡ ପରୀକ୍ଷାରେ ଉନ୍ନତ ସ୍କୋର କରିବା ଲାଗି କେତେକ ଟିପ୍ସ ବୋର୍ଡ ପରୀକ୍ଷାରେ ଉନ୍ନତ ସ୍କୋର କରିବା ଲାଗି କେତେକ ଟିପ୍ସ ଏଠାରେ ପ୍ରଦାନ କରାଗଲା ... ବୋର୍ଡ ପରୀକ୍ଷା ଲାଗି ସମୟ ପୂର୍ବରୁ ପ୍ରୋଗ୍ରାମ ଘୋଷଣା କରାଯାଉଥିବାରୁ ଛାତ୍ରୀଛାତ୍ର ଏହାକୁ ନେଇ ଭାବେ ଯତ୍ନବାନ ହେବା ଆବଶ୍ୟକ । ପରୀକ୍ଷା ଲାଗି ପ୍ରସ୍ତୁତି ୬ରୁ ୮ ମାସ ପୂର୍ବରୁ କରିନେବା ବୁଦ୍ଧିମାନର କାର୍ଯ୍ୟ ହେବ । ଫେବୃୟାରୀ କିମ୍ବା ମାର୍ଚ୍ଚରେ ପରକ୍ଷା ହେବ ଏବଂ ଏଠି ଲାଗି ସିଲାବସକୁ କାଭର କରିବାକୁ ସମୟ ରହିଛି, ଏହା ଭାବିଲେ ଛାତ୍ରୀଛାତ୍ରଙ୍କୁ ଅଡୁଆରେ ପକାଇବା ସହ ଚିନ୍ତାକୁ ମଧ୍ୟ ବଢାଇଥାଏ । ଧାର୍ଯ୍ୟ ରୁଟିନ୍ କୁ ଅନ୍ତତଃ ପକ୍ଷେ ୬ମାସ ଆଗରୁ ପରିବର୍ତ୍ତନ କରିବା ଆବଶ୍ୟକ । ଠିକ୍ ସମୟ ସୀମା ଧାର୍ଯ୍ୟ କରି ସେହି ମୁତାବକ ନିଷ୍ଠାର ସହ ପ୍ରସ୍ତୁତିରେ ଲାଗି ପଡିବା ଆବଶ୍ୟକ । ନିରନ୍ତର ଭାବେ ଧାର୍ଯ୍ୟ ଯୋଜନା ମୁତାବକ କାର୍ଯ୍ୟ କରିବା ଗୁରୁତ୍ଵପୂର୍ଣ୍ଣ । ପରୀକ୍ଷା ଲାଗି ପ୍ରସ୍ତୁତ କରିଥିବା ଟାଇମ୍ ଟେବୁଲକୁ ନିଜର ଷ୍ଟଡି ଟେବୁଲ ପାଖରେ ଲଗାଇ ରଖନ୍ତୁ । କେଉଁ ବିଷୟଗୁଡିକ କେଉଁ ସମୟରେ ପଢିବେ, କେଉଁଟି କେତେବେଳେ ପଢିଲେ ଭଲ ହେବ ତାକୁ ନେଇ ଠିକ୍ ଭାବେ ଯୋଜନା କରନ୍ତୁ । ସବୁ ବିଷୟକୁ ଭଲ ଭାବେ ପଢିବାକୁ ଯେପରି ଭାବେ ଛାତ୍ରୀଛାତ୍ର ନଭୁଲନ୍ତି ତାକୁ ଧ୍ୟାନରେ ରଖନ୍ତୁ । ବୋର୍ଡ ପରୀକ୍ଷା ଲାଗି ଛାତ୍ରୀଛାତ୍ର ବିଶେଷ ଭାବେ ଯତ୍ନବାନ ବୋଲି ଅଭିଭାବକଙ୍କୁ ଭରସା ଦିଅନ୍ତୁ । ସେହିଭଳି ଏହି ସମୟରେ ଅଭିଭାବକଙ୍କ ସହଯୋଗ ତଥା ଦିଗ୍ ଦର୍ଶନ ଭଲ କାର୍ଯ୍ୟ କରିଥାଏ । ସେହିଭଳି ଚିନ୍ତାକୁ ହ୍ରାସ କରିବାରେ ଅଭିଭାବକଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ପଢିବା ସ୍ଥାନକୁ ସଫା ରଖିବାକୁ ଚେଷ୍ଟା ରଖନ୍ତୁ । ଅସଜଡା ପରିବେଶରେ ପାଠ ପଢିବା ଦ୍ଵାରା ଏହା ଚିନ୍ତାକୁ ଚିନ୍ତାକୁ ବୃଦ୍ଧି କରିଥାଏ । ଏଣୁ ସମସ୍ତ ବହି, ନୋଟ ବୁକ୍ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ବସ୍ତୁକୁ ଠିକ୍ ଭାବେ ସଜାଡି ରଖନ୍ତୁ । ଗତ ତିନି ବର୍ଷର ଗାଇଡ୍ ପୁସ୍ତକ ତଥା ପ୍ରଶ୍ନପତ୍ର ପୁସ୍ତିକା ସଂଗ୍ରହ କରିବାକୁ ଭୁଲନ୍ତୁ ନାହିଁ । ବିଗତ ଦିନଗୁଡିକରେ କେଉଁ ଭଳି ପ୍ରଶ୍ନ ଆସୁଛି ସେ ସମ୍ପର୍କରେ ଜାଣିବା ଲାଗି ଏହା ବିଶେଷ ଭାବେ ସହାୟକ ହୋଇପାରିବ । ଏହା ଦ୍ଵାରା ପ୍ରତି ବିଷୟରେ ଅନ୍ତତଃ ପକ୍ଷେ ୨୦୦ ପ୍ରଶ୍ନର ସମାଧାନ ପରୀକ୍ଷା ପୂର୍ବରୁ କରିବାକୁ ସୁଯୋଗ ମିଳିପାରିବ । ଶେଷ ସମୟରେ ପଢା ଯାଇଥିବା ବିଷୟଗୁଡିକର ପୁନରାବୃତ୍ତି ଠିକ୍ ଭାବେ କରିବା ଭଲ ହେବ । ଏହି ସମୟରେ କୌଣସି ବିଷୟକୁ ପୁଣିଥରେ ଆରମ୍ଭରୁ ପଢନ୍ତୁ ନାହିଁ । ପ୍ରଶ୍ନ ଯେ କୌଣସି ପ୍ରକାରର ମଧ୍ୟ ଆସିପାରେ । ଏଣୁ ପାଠ୍ୟ ପୁସ୍ତିକା, ଗାଇଡ୍ ଶିକ୍ଷକଙ୍କର ସହାୟତା ନେବା ସହ ମନରେ ଥିବା ଦ୍ଵନ୍ଦକୁ ଦୂର କରି ପାରିବେ । ସଫଳତା ଲାଗି କୌଣସି ସୁବିଧା ରାସ୍ତା ନାହିଁ ସହଜରେ ମଧ୍ୟ ସଫଳତା ମିଳି ନ ଥାଏ । ବୋର୍ଡ ପରୀକ୍ଷାରେ ଉଚ୍ଚ ଗ୍ରେଡ୍ ଲାଗି ନିରନ୍ତର ପ୍ରଚେଷ୍ଟାର ଆବଶ୍ୟକତା ରହିଛି । ସମୟର ଠିକ୍ ପରିଚାଳନା ତଥା ଏକ ସ୍ମାର୍ଟ ପଦ୍ଧତି ଗ୍ରହଣ ଦ୍ଵାରା ବୋର୍ଡ ପରୀକ୍ଷାରେ ଉନ୍ନତ ମାର୍କ ଲାଭ କରିପାରିବେ । ସାହିତ୍ୟ, ଅର୍ଥନୀତି, ଇତିହାସ ତଥା ସମାଜବିଜ୍ଞାନ ଭଳି ବିଷୟଗୁଡିକ ସକାଳ ୪ ରୁ ୫ଟା ସମୟ ମଧ୍ୟରେ ପଢିବା ଭଲ ହେବ । ସକାଳ ସମୟରେ ମସ୍ତିସ୍କ ଭଲଭାବେ ଗ୍ରହଣ କରିବାକୁ ସମର୍ଥ ରହିଥାଏ । ଏଣୁ କୌଣସି ବିଷୟ ଯଦି ମନେ ରଖିବାକୁ ଚାହୁଁଥାନ୍ତି ତେବେ ଏହାକୁ ସକାଳେ ପଢିବା ଭଲ ହେବ । ବିଜ୍ଞାନ ତଥା ଗଣିତ ଭଳି ବିଷୟଗୁଡିକୁ ଦିନ କିମ୍ବା ରାତିରେ ପଢି ପାରିବେ । ଅଭ୍ୟାସ ଦ୍ଵାରା ଏହାକୁ ପୁନରାବୃତ୍ତି କରିପାରିବେ ।ଏହା ପରୀକ୍ଷା ଲାଗି ବିଶେଷ ଭାବେ ଉପାଦେୟ ସାବ୍ୟସ୍ତ ହୋଇପାରିବେ । ଜଟିଳ ପ୍ରଶ୍ନଗୁଡିକର ସମାଧାନ ଲାଗି ପଢା ପ୍ରତି ବିଶେଷ ରୁଚି ରଖୁଥିବା ଛାତ୍ରୀଛାତ୍ରଙ୍କୁ ନେଇ ଏକ ଗ୍ରୁପ ଗଠନ କରିପାରିବେ । ଏକ ସ୍ଥାନ ଚୟନ କରିବା ସହ ପ୍ରଶ୍ନ ଉତ୍ତର ସେସନ୍ ଆରମ୍ଭ କରିଦିଅନ୍ତୁ । ଏଗୁଡ଼ିକୁ ଯତ୍ନର ସହ କରିବାକୁ ପ୍ରୟାସ କରି ପାରନ୍ତି । ଗ୍ରୁପରେ କୌଣସି ଅପ୍ରସଙ୍ଗମୂଳକ କଥାକୁ ସ୍ଥାନ ଦିଅନ୍ତୁ ନାହିଁ । ପରୀକ୍ଷା ସମୟରେ ପ୍ରତ୍ୟକଟି ମୂହୁର୍ତ୍ତ ମୁଲ୍ୟବାନ ହୋଇଥିବାରୁ ଏହାକୁ ଧ୍ୟାନରେ ରଖିବା ବୁଦ୍ଧିମତ୍ତାର ପରିଚୟ ଦେବ । ପରସ୍ପର ମଧ୍ୟରେ ପ୍ରଶ୍ନପତ୍ରର ସମାଧାନକୁ ଶେୟାର କରନ୍ତୁ । ଏହା ଦ୍ଵାରା ଗ୍ରୁପର ଅନ୍ୟ ଛାତ୍ରୀଛାତ୍ର ମଧ୍ୟ ଲାଭବାନ ହୋଇପାରିବେ । କୌଣସି ବିଷୟକୁ ନେଇ ଅଧିକ ଆତ୍ମବିଶ୍ଵାସୀ ହୁଅନ୍ତୁ ନାହିଁ । ପରୀକ୍ଷା ପୂର୍ବଦିନ ରାତିରେ ସିଲାବସକୁ ସ୍କାନ କରି ସମସ୍ତ ବିଷୟକୁ ଜାଣି ଯାଇଛନ୍ତି ତାହା ମଧ୍ୟ ଭାବିବା ଭୁଲ ହେବ । ଏଣୁ ଏହି ଭଳି ପ୍ରସଙ୍ଗକୁ ଧ୍ୟାନରେ ରଖି ପ୍ରସ୍ତୁତି ଉପରେ ଧ୍ୟାନ ଦିଅନ୍ତୁ । ସବୁ ବିଷୟ ଗୁରୁତ୍ଵପୂର୍ଣ୍ଣ ହୋଇଥିବାରୁ ଠିକ୍ ଯୋଜନାମୁତାବକ ଏଗୁଡ଼ିକୁ ପ୍ରସ୍ତୁତି କରିବା ଭଲ କୌଣସି ବିଷୟକୁ ହେଳା କରନ୍ତୁ ନାହିଁ । ଗଣିତ ବିଷୟ ଲାଗି ଅଭ୍ୟାସ, ଟେବୁଲ ତଥା ଥିଓରିଗୁଡିକୁ ମନେ ରଖିବାର ଆବଶ୍ୟକତା ରହିଛି । ରସାୟନ ବିଜ୍ଞାନ ଲାଗି ବିଭିନ୍ନ ଫର୍ମୁଲା, କେମିକାଲ ରିଆକ୍ସନ, ଇକୁଏଶନ ଟେବୁଲ, ଫିଜିକ୍ସ ଲାଗି ବିଭିନ୍ନ ସଂଜ୍ଞା, ଫର୍ମୁଲା, ଟେବୁଲ ମନେ ରଖିବା ଆବଶ୍ୟକ, ଏଣୁ ଗୋଟିଏ ଦିନରେ ଯେ ପଢି ଦେଲେ ସବୁ ହୋଇଯିବ ତାକୁ ମନରୁ ବାହାର କରିବାକୁ ହେବ । ସମାଜଶାସ୍ତ୍ର, ଅର୍ଥନୀତି, ରାଜନୀତି ବିଜ୍ଞାନ ଭଳି କଳା ପାଠ୍ୟକ୍ରମର ବିଷୟଗୁଡିକୁ ପଠନ ତଥା ମନେ ରଖିବା ଲାଗି ଅନ୍ତତଃ ପକ୍ଷେ ବିଗତ ୩ ବର୍ଷର ପ୍ରଶ୍ନ ପତ୍ରଗୁଡ଼ିକୁ ଦେଖିନେବା ଭଲ ବିଗତ ବର୍ଷର ପ୍ରଶ୍ନପତ୍ରଗୁଡିକ ବଜାରରେ ଉପଲବ୍ଧ ହେଉଛି । ପ୍ରତି ବିଷୟ ଲାଗି ଗାଇଡ ମଧ୍ୟ ବଜାରରେ ଉପଲବ୍ଧ ହେଉଛି ଏହା ବିଷୟଗୁଡିକୁ ବୁଝିବାରେ ବିଶେଷ ଭାବେ ସହାୟତା କରିବ । ଯଦି ବିଷୟଗୁଡିକୁ ଭଲ ଭାବେ ବୁଝିବାକୁ ଚାହୁଁଛନ୍ତି ତେବେ ଏଥି ଲାଗି ଟ୍ୟୁଶନ ଗ୍ରହଣ କଲେ ମଧ୍ୟ ହେବ । ଏକାଧିକ କୋଚିଂ କିମ୍ବା ଟ୍ୟୁଟରଙ୍କ ପାଖକୁ ଯିବା ଏତେ ଏକ ଫ୍ୟାଶନ ହୋଇଗଲାଣି । ଏହା ଯୋଗୁ ଅଧିକ ସମୟ ନଷ୍ଟ ହେବା ସହ ଚିନ୍ତା ମଧ୍ୟ ବଢି ଯାଏ । ଏପରି ସମୟ ଅପଚୟ କରିବା ଦ୍ଵାରା ନିଜେ କୌଣସି ବିଷୟକୁ ପଢିବା ଲାଗି ଅସୁବିଧା ସୃଷ୍ଟି ହୋଇଥାଏ । ଗଣିତ ତଥା ବିଜ୍ଞାନ ଭଳି ବିଷୟ ଟ୍ୟୁଶନରେ ଯୋଗ ଦେବା ସହ ଭଲ ଭାବେ ପ୍ରସ୍ତୁତି କରି ପାରିବେ । କେତେକ ବେସରକାରୀ ସ୍କୁଲ ପକ୍ଷରୁ ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରୀଛାତ୍ରଙ୍କ ଲାଗି ସ୍ଵତନ୍ତ୍ର କ୍ଲାସର ଆୟୋଜନ ମଧ୍ୟ କରାଯାଉଛି । ଏପରି ବ୍ୟବସ୍ଥା ହୋଇଥିଲା ସୁବିଧା ନେବା ଭଲ ହେବ । ପରୀକ୍ଷା ସମୟରେ ଚିନ୍ତା ବଢୁଥିବାରୁ ନିଜକୁ ସାମାନ୍ୟ ହାଲକା କରିବାକୁ କିଛି ସମୟ ନେବା ଉଚିତ । ଛାତ୍ରୀଛାତ୍ରମାନେ ସେମାନଙ୍କ ମୁଣ୍ଡକୁ ଫ୍ରେଶ, ଚିନ୍ତାମୁକ୍ତ, ଶକ୍ତିଶାଳୀ କରିବା ଉଚିତ । ଏହି ସମୟରେ ଅଧିକ ଚିନ୍ତାଗ୍ରସ୍ତ ହୋଇ ଅନେକ ଛାତ୍ରୀଛାତ୍ରଙ୍କ ସ୍ଵାସ୍ଥ୍ୟାବସ୍ଥା ବିଗୁଡୁଥିବା ମଧ୍ୟ ଦେଖା ଦେଇଥାଏ । ଏଣୁ ଅଧିକ ଚିନ୍ତା ନ କରି ସାମାନ୍ୟ ଫାଙ୍କା ସମୟ ନିଅନ୍ତୁ । ନିଜର ପୁରୁଣା ସାଙ୍ଗଙ୍କ ସହ ସମୟ ବିତାନ୍ତୁ । ଯୋଗ ତଥା ଧ୍ୟାନ କରିବା ଦ୍ଵାରା ଏହା ଛାତ୍ରୀଛାତ୍ରଙ୍କୁ ଚିନ୍ତା ହ୍ରାସ କରିବାକୁ ସହାୟତା କରିବ । ଏହି ସମୟରେ ଭଲ ଖାଦ୍ୟ ଗ୍ରହଣ କରିବାର ଆବଶ୍ୟକତା ରହିଛି । ଶରୀର ଉପରେ ଏହା ଭଲ ପ୍ରଭାବ ପକାଇବା ସହ ଚିନ୍ତାକୁ ମଧ୍ୟ ହ୍ରାସ କରିବ । ହାଲକା ଭାବେ ଖାଦ୍ୟ ଗ୍ରହଣ କରନ୍ତୁ । ଜଙ୍କ୍ ଫୁଡ ଠାରୁ ଦୂରରେ ରୁହନ୍ତୁ । ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନଠାରୁ ଦୂରେଇ ରୁହନ୍ତୁ । ଏପରି କରିବା ପରିବର୍ତ୍ତେ ବିଷୟଗୁଡିକୁ ଭଲ ଭାବେ ପ୍ରସ୍ତୁତି କରି ପରୀକ୍ଷାକୁ ଯାଆନ୍ତୁ । ପରୀକ୍ଷାକୁ ଯିବା ଆଗରୁ ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ୍ ଯଥା – ଆଡମିଟ କାର୍ଡ, ପାଠ୍ୟକ୍ରମ କୋର୍ସ ଫିସ୍ ର ମନି ରିସପ୍ଟ ଭଲ ଭାବେ ରଖିବା ଆବଶ୍ୟକ । ସେହିଭଳି କଲମ, ରିଫିଲ, ପେନସିଲ, ଫଟୋ ଆଇଡି କାର୍ଡ ଠିକ୍ ଭାବେ ସଜାଡି ରଖନ୍ତୁ । ପରୀକ୍ଷା କେନ୍ଦ୍ର ସମ୍ପର୍କରେ ଠିକ୍ ଭାବେ ଜ୍ଞାନ ରଖନ୍ତୁ । ସେଠାକୁ ଯିବା ଲାଗି ରାସ୍ତା ଆଗୁଆ ଜାଣି ରଖନ୍ତୁ । ଶେଷ ସମୟରେ ହେଉଥିବା ଟ୍ରାଫିକ ଜାମ୍ ରୁ ରକ୍ଷା ପାଇବା ଲାଗି ୩୦ ମିନିଟ୍ ହାତରେ ରଖିଥାନ୍ତୁ । ଶେଷ ସମୟରେ ପ୍ରସ୍ତୁତି କରି କିଛି ଚମତ୍କାର କରିବେ ବୋଲି ଭାବିବା ଭୁଲ ହେବ । ଯଦି ଠିକ୍ ଭାବେ ପ୍ରସ୍ତୁତି କରି ନାହାନ୍ତି ବୋଲି ଭାବୁଥାନ୍ତି ଏହାକୁ ନେଇ ଶିକ୍ଷକ ତଥା ଅଭିଭାବକଙ୍କ ସହ ଆଲୋଚନା କରନ୍ତୁ । ବିଭିନ୍ନ ଅସୁବିଧା ତଥା ପରୀକ୍ଷା ଚାପ ଲାଗି ଅନେକ ଛାତ୍ରୀଛାତ୍ରଙ୍କ ମଧ୍ୟରେଆ ଆତ୍ମହତ୍ୟା ପ୍ରବୃତ୍ତି ଦେଖା ଯାଇଥାଏ । ଏଣୁ ଠିକ୍ ପ୍ରସ୍ତୁତି କରି ପରୀକ୍ଷାରେ କିଭଳି ଭାବେ ଭଲ ସ୍କୋର କରାଯାଇ ପାରିବ ସେ ଉପରେ ଫୋକସ କରନ୍ତୁ । ସଙ୍ଘରୁତୀ - ପି .କେ ପ୍ରାମାଣିକ