ସହକର୍ମୀ ଅଫିସ କିମ୍ବା କଲେଜ ସବୁ ଜାଗାରେ ସହଯୋଗୀ ଅବା ସହକର୍ମୀଙ୍କ ସହ କାମ କରିବାକୁ ପଡିଥାଏ । ଯଦି ସହକର୍ମୀମାନେ ଭଲ ହୋଇଥାନ୍ତି , ତେବେ କାମ କରିବା ସହଜ ହୋଇଯାଏ । ନଚେତ ନିୟମିତ ବିଭିନ୍ନ ପ୍ରକାରର ଅବାଞ୍ଛିତ ସମସ୍ୟାକୁ ସାମ୍ନା କରିବାକୁ ପଡିପାରେ । ତେବେ ସହକର୍ମୀମାନେ ଯେମିତି ହୁଅନ୍ତୁ । ଆପଣ କିଛି ଏମିତି ପ୍ଳାନ କରନ୍ତୁ ଯାହା ଉଭୟଙ୍କ ମଧ୍ୟରେ ତାଳମେଳ ରଖିପାରିବ । ସହକର୍ମୀଙ୍କ ସହ ତାଳମେଳ ଅଫିସରେ ସହକର୍ମୀଙ୍କ ସହ ନିଜରର ବ୍ୟକ୍ତିଗତ କଥା ସେୟାର କରନ୍ତୁ ନାହିଁ । କାରଣ ଭବିଷ୍ୟତରେ କୌଣସି ମତାନ୍ତର ହେଲେ ସେ ଆପଣଙ୍କ ବ୍ୟକ୍ତିଗତ କଥାକୁ ନେଇ କାମେଣ୍ଟ କରିପାରନ୍ତି । ନିଜର ଇମେଜକୁ ଭଲ ରଖିବା ପାଇଁ ଘର କଥା ବାହାରେ ପକାନ୍ତୁ ନାହିଁ । ଅଫିସରେ ସହକର୍ମୀମାନଙ୍କ ସହ ଭଲ ସମ୍ପର୍କ ରଖନ୍ତୁ । ଭବିଷ୍ୟତରେ ଆବଶ୍ୟକ ପଡିଲେ ସେମାନେ ସହଯୋଗର ହାତ ବଢାଇ ପାରନ୍ତି । ଯଦି ଅଫିସରେ ଆପଣଙ୍କ ପାଖରେ ଜଣେ ଅନ୍ୟ କାହା ବିରୋଧରେ ଆଲୋଚନା କରୁଛନ୍ତି , ତେବେ ଏହାକୁ ବାରଣ କରନ୍ତୁ । କାରଣ ହୁଏତ ସେହି ବ୍ୟକ୍ତି ଭବିଷ୍ୟତରେ ଆପଣଙ୍କ ବିରୋଧରେ ଅନ୍ୟ କାହା ପାଖରେ ଆଲୋଚନା କରିପାରନ୍ତି । ଏପରି ବାରଣ କରିବା ଦ୍ଵାରା ହୁଏତ ଆପଣ ଅନ୍ୟମାନଙ୍କ ପାଇଁ ବିଶ୍ଵସ୍ତ ହୋଇପାରିବେ । ଅନେକ ସମୟରେ ଦେଖାଯାଏ ଅଫିସରେ କେହି କେହି ନିଜର ପ୍ରମୋଶନ ପାଇଁ ଅନ୍ୟର କାମ ଓ ଆଇଡିଆକୁ ନିଜର ବୋଲି ବସଙ୍କ ଆଗରେ କ୍ରେଡିଟ ନେଇଥାନ୍ତି । ଯାହା ଆଦୌ ଠିକ ନୁହେଁ । ଅଫିସରେ ଯଦି କୌଣସି ସହକର୍ମୀଙ୍କ କଥାବାର୍ତ୍ତା ଆପଣଙ୍କୁ ଭଲ ଲାଗୁନାହିଁ , ତେବେ ହଠାତ ରାଗିଜାଇ ତାଙ୍କୁ ପ୍ରତିକ୍ରିୟା ଦିଅନ୍ତି ନାହିଁ । ବରଂ ଏ ବିଷୟର ସତ୍ୟାସତ୍ୟ ବୁଝି ତାଙ୍କୁ ବୁଝାଇବାକୁ ଚେଷ୍ଟା କରନ୍ତୁ । ଏପରି କରିବା ଦ୍ଵାରା ସମ୍ପର୍କ ଭଲ ରହିଥାଏ । ଆବଶ୍ୟକ ପଡିଲେ ଅଫିସରେ ସହକର୍ମୀଙ୍କ ସାହାଯ୍ୟ ନିଅନ୍ତୁ । ଆଉ ଦରକାର ପଡିଲେ ସାହାଯ୍ୟ ମଧ୍ୟ କରନ୍ତୁ । ଏହାଦ୍ଵାରା ସମ୍ପର୍କ ଭଲ ରହିବ । ସହକର୍ମୀଙ୍କ ଭଲ କାମ ପାଇଁ ତାଙ୍କୁ ପ୍ରଶଂସା କରିବାକୁ ଭୁଲାନ୍ତୁ ନାହିଁ । କାରଣ ଭଲ କାମ କରିବା ପରେ ପ୍ରଶଂସା ପାଇବାର ଅଧିକାର ସମସ୍ତଙ୍କର ରହିଛି । ଆଉ ଏହି ପ୍ରଶଂସା କର୍ମଚାରୀର ମନୋବଳ ବଢାଇବାରେ ସହଯୋଗ କରିଥାଏ । ସଂଗୃହିତ: ପିକ ପ୍ରାମାଣିକ , କ୍ୟାରିୟର କନସୋଲଟାଣ୍ଟ