ମୃତ୍ତିକା ସଂରକ୍ଷଣ ଭୂପୃଷ୍ଠରେ ଫସଲ ଉତ୍ପାଦନ ପାଇଁ କର୍ଷଣ କରାଯାଉଥିବା ଅଂଶକୁ ମୃତ୍ତିକା କୁହାଯାଏ। ଏହା ଭୁପୃଷ୍ଠରେ କୋମଳ ସ୍ତର । କେଉଁଠି ଏହି ସ୍ତର ମୋଟାତ କେଉଁଠି ପତଳା । ଏହି ମୃତ୍ତିକା ଯୁଗ ଯୁଗ ଧରି ଜଳ, ବାୟୁ, ତାପମାନ, ଜୀବଜନ୍ତୁ ଓ ଉଦ୍ଭିଦର ମିଳିତ ପ୍ରକ୍ରିୟାରେ ସଂଘଟିତ ହେଉଥିବା ବିଭିନ୍ନ ଭୌତିକ ଓ ରାସାୟନିକ ପ୍ରକ୍ରିୟା ଦ୍ଵାରା ଗଠିତ ହୋଇଅଛି । ପୃଥିବୀ ପୃଷ୍ଠରେ 1 ସେ.ମି. ବହଳର ମୃତ୍ତିକା ସୃଷ୍ଟି ଲାଗି ପ୍ରକୃତିକୁ ପ୍ରାୟ ୫୦୦ ରୁ ୧୦୦୦ ବର୍ଷ ଲାଗିଥାଏ । ଏହି ମୃତ୍ତିକାର ରକ୍ଷଣାବେକ୍ଷଣ ଉପରେ ଦେଶ ଓ ଜାତିର ସଭ୍ୟତା ଓ ସ୍ଥିତି ଚିରକାଳ ନିର୍ଭରଶୀଳ । ଜୀବନ ଧାରଣ ଆବଶ୍ୟକ ଖାଦ୍ୟପେୟ, ବସା ଓ ବାସ ଲାଗି ମୃତ୍ତିକା ଅପରିହାର୍ଯ୍ୟ ମାଧ୍ୟମ ହୋଇଥିବାରୁ ଏହାର ସଂରକ୍ଷଣ ଓ ସଦୁପଯୋଗ ଜାତି ଓ ସଭ୍ୟତାର ସ୍ଥିତି ଓ ବିକାଶର ମୂଳଧାର ବୋଲି ଗୃହୀତ ହୋଇଛି । ଭୂପୃଷ୍ଠର ଉଚ୍ଚା ନିଚ୍ଚା ହେତୁ ଏହି ମୃତ୍ତିକାର ସ୍ଥାନାନ୍ତରଣକୁ ମୃତ୍ତିକା କ୍ଷୟ କୁହାଯାଏ । ସାଧାରଣ ଭାବେ ବୁଝାଯାଉଥିବା ମୃତ୍ତିକାକ୍ଷୟ ପ୍ରକୃତରେ କ୍ଷୟ ନୁହେଁ । ଏହା ସ୍ଥାନାନ୍ତରଣ ମାତ୍ର । ଜଣଙ୍କର କ୍ଷତିରେ ଅନ୍ୟର ଲାଭ କୌଣସି ସ୍ଥାନରୁ ପରିବହିତ ମୃତ୍ତିକା ସୃଷ୍ଟିକରିଥାଏ । ପୃଥିବୀ ଆରମ୍ଭରୁ ମୃତ୍ତିକାର ଗଠନ – ପ୍ରକ୍ରିୟା ଅବିରତ ଭାବେ ଲାଗି ରହିଛି । ଏହି ପ୍ରକ୍ରିୟା ଏତେ ମନ୍ଥର ଓ ସୂକ୍ଷ୍ମ ଯେ ସହଜରେ ଅନୁମାନ କରାଯାଇପାରେ ନାହିଁ । ପ୍ରକୃତିର ଏହି ସମନ୍ଵିତ ପ୍ରକ୍ରିୟାର ଭାରସାମ୍ୟ କୌଣସି ବାହ୍ୟକାରକ ହେତୁ ନଷ୍ଟ ହୋଇ ତ୍ୱରାନ୍ୱିତ ହେଲେ ତାହା ଦୃଷ୍ଟିଗୋଚର ହୋଇଥାଏ । ଆମ୍ଭେ ଏହାକୁ ମୃତ୍ତିକା କ୍ଷୟ ଆଖ୍ୟା ଦେଇଥାଉ । ମୃତ୍ତିକା କ୍ଷୟର କାରଣ ମୃତ୍ତିକା ଗଠନର କାରକ ଗୁଡିକ ମଧ୍ୟ କ୍ଷୟର କାରକ ଅଟନ୍ତି । ଏମାନଙ୍କ ମଧ୍ୟରେ ଜଳ ଓ ବାୟୁ ପ୍ରଧାନ । ଏ ଦୁହିଁଙ୍କର ପ୍ରଭାବ ଖୁବ୍ ଶୀଘ୍ର ଜଣାପଡିଥାଏ । ଜଳଦ୍ଵାରା ମୃତ୍ତିକା କ୍ଷୟ ଜଳ ବର୍ଷାରୁ ଆସେ । ବର୍ଷାଜଳ ଟୋପା ଟୋପା ହୋଇ ପଡିଲେ ମୃତ୍ତିକା ଆର୍ଦ୍ରହୁଏ । କ୍ରମେ ମୃତ୍ତିକା ଭିତରେ ଜଳବିନ୍ଦୁ ଭେଦିଯାଏ । ମୃତ୍ତିକାରେ ଅବା ଛିଦ୍ରରୁ ବାୟୁ ବାହାରିଯାଇ ଜଳ ତାର ସ୍ଥାନ ପୂରଣ କରେ । କ୍ରମେ ମୃତ୍ତିକା ଫୁଲି ଉଠେ । ମୃତ୍ତିକା ରେ ଥିବା ସବୁ ଛିଦ୍ର ପୂର୍ଣ୍ଣ ହୋଇଗଲେ ଜଳ ମାଧ୍ୟାକର୍ଷଣ ଶକ୍ତି ହେତୁ ତଳକୁ ଭେଦିଯାଏ । ତଳକୁ ଭେଡିବା ଶକ୍ତି ମୃତ୍ତିକା ବୟନ ଅନୁସାରେ ଭିନ୍ନ ହୋଇଥାଏ। ବାଲିଆ ମୃତ୍ତିକାରେ ଛିଦ୍ର ଗୁଡିକର ଆକାର ବଡ । ଏହି ଛିଦ୍ର ଦେଇଜଳ ଶୀଘ୍ର ତଳକୁ ବହିଯାଇ ପାରେ । କର୍ଦ୍ଦମାକ୍ତ ମୃତ୍ତିକାରେ ଛିଦ୍ର ଗୁଡିକର ଆକାର ଛୋଟ। କର୍ଦ୍ଦମ କଣିକା ପୃଷ୍ଠରେ ବେଶି ଜଳ ଅଣୁ ଆକର୍ଷିତ ହୋଇ ରହିପାରୁଥିବାରୁ ଏହା ଶୀଘ୍ର ଫୁଲିଯାଏ । ଏହାର ଛିଦ୍ର ଗୁଡିକର ମୁହଁ ବନ୍ଦ ହୋଇଯାଏ । ଏଣୁ ଜଳ ଶୀଘ୍ର ନିମ୍ନ ଦିଗକୁ ଗତି କରିପାରେ ନାହିଁ । ନିମ୍ନ ଦିଗକୁ ନହୋଇ ପାର୍ଶ୍ଵକୁ ହୋଇଥାଏ । ଯେଉଁ ପାର୍ଶ୍ଵର ଢାଲୁ ପରିମାଣ ବେଶି ହୋଇଥାଏ, ସେହି ପାର୍ଶ୍ଵକୁ ଜଳ ବୋହିଯାଏ । ଜଳ ବୋହିଯିବା ସମୟରେ ତା ସହିତ ମୃତ୍ତିକା ମଧ୍ୟ ବୋହି ନେଇଥାଏ । ଏହି କ୍ରିୟା ବୃଷ୍ଟିପାତର ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ ବିଭିନ୍ନ ଅବସ୍ଥାରେ ସମ୍ପାଦିତ ହୋଇଥାଏ । ସ୍ତରକ୍ଷୟ ବର୍ଷା ହେତୁ ମୃତ୍ତିକାର ଉପରିସ୍ଥ କଣିକା ଗୁଡିକ ଶୀଘ୍ର ଜଳ ଶୋଷି ଆର୍ଦ୍ର ହୋଇଯାଆନ୍ତି । ବୃଷ୍ଟି ବଢିଲେ ଏହି କଣିକା ଗୁଡିକ ତଳ ସ୍ତରରେ ଥିବା କଣିକା ଗୁଡିକରୁ ଅଲଗା ହୋଇ ପାଣିରେ ମିଶିଯାଆନ୍ତି ଓ ସ୍ତର ସ୍ତର ହୋଇ ବୋହିଯାଆନ୍ତି । ପଡିଆ ଓ ଢାଲୁ ଜମିରେ ଏପରି ପ୍ରଥମେ ମୃତ୍ତିକା କ୍ଷୟ ହୋଇଥାଏ। ବର୍ଷା ଛାଡିଗଲା ପରେ ସେଗୁଡିକ ସହଜରେ ଜଣା ପଡେନାହିଁ । ଏଣୁ କେତେ ନଷ୍ଟ ହେଲା ଜାଣିହୁଏ ନାହିଁ । କିନ୍ତୁ ବର୍ଷା ହେଉଥିବା ବେଳେ ନିରୀକ୍ଷଣ କଲେ ପାଣି ଗୋଳିଆ ହୋଇ ବହିଯାଉଥିବା ଜଣାପଡେ । ଏହାଦ୍ଵାରା ମୃତ୍ତିକାର ଉପର ଅଂଶରେ ଥିବା ପଟୁ, କର୍ଦ୍ଦମ ଓ ଉଦ୍ଭିଦ ଲାଗି ଆବଶ୍ୟକ ବିଭିନ୍ନ ଉପାଦାନ ବୋହିଜାଇ ନଷ୍ଟ ହୋଇଥାଏ । ଏହି କ୍ଷୟ ସହଜରେ ଅନୁଭୂତ ନହେଉ ଥିଲେ ମଧ୍ୟ କ୍ରମାଗତ ଭାବେ ଘଟିଲେ ମୃତ୍ତିକାର ଉତ୍ପାଦିକତା ହ୍ରାସପାଏ ଏବଂ ଫସଲ ଅମଳ ମଧ୍ୟ ହ୍ରାସପାଏ । ଧାନ ଓ ନାଳ କ୍ଷୟ ଏହା ସ୍ତର କ୍ଷୟର ପରବର୍ତ୍ତୀ ଅବସ୍ଥା ଅଟେ । ଅବିରତ ସ୍ତରକ୍ଷୟ ହେତୁ ଭିଜିଯାଉଥିବା ମୃତ୍ତିକାରେ ପ୍ରଥମେ ଛୋଟ ଛୋଟ ସରୁ ସୂତା ଭଳି ଧାର ଏବଂ ପରେ କେତୋଟି ବଳିତା ମିଶି ସରୁ ନାଳ ସୃଷ୍ଟି କରନ୍ତି । ଆଙ୍ଗୁଠି ଭଳି ମୋଟା ନଳୀ ସୃଷ୍ଟି ହୁଏ । ଏହିସବୁ ନାଳୀ ବା ଧାର ଗୁଡିକୁ ଆଙ୍ଗୁଳି ନାଳୀ ବୋଲି କୁହାଯାଏ । ବର୍ଷାର ପ୍ରକୋପ ବଢିଲେ ଏହି ନଳୀରେ ଗଡିଯାଉଥିବା ପାଣିର ବେଗ କ୍ରମେ ବୃଦ୍ଧିପାଏ । ଦୁଇପଟୁ ଓ ତଳୁ ବେଶୀ ମାଟି ଖୋଳି ତାଡି ବୋହି ନେଇ ତଳ ମୁଣ୍ଡରେ ଗଦା କରିଦିଏ । କ୍ରମେ ନାଳୀର ଆକାର, ଓସାର ଓ ଗଭୀରତା ବୃଦ୍ଧିପାଏ । ବର୍ଷାବେଳେ ଗାଁ ଦାଣ୍ଡରେ ବହିଯାଉଥିବା ପାଣି ଗୋଳିଆ ହୋଇ କେତେ ମାଟି ତଳ ମୁଣ୍ଡରେ ଗଦା କରିଦିଏ ଦେଖିଲେ ଏହା ସହଜରେ ଅନୁମାନ କରିହେବ । କ୍ରମେ ସରୁନାଳୀ ମଧ୍ୟମ ଓ ବଡ ନାଳୀରେ ପରିଣତ ହୋଇଥାଏ। ନାଳୀର ଆକାର ବୃଦ୍ଧି ପାଇଲେ ବେଶି ପାଣି ବହିଯିବା ସାଥି ସାଥି ବହିଯାଉଥିବା ପାଣିର ବେଗ ମଧ୍ୟ ବୃଦ୍ଧି ପାଇଥାଏ । ବିଭିନ୍ନ ପ୍ରକାର ନାଳୀର ସୃଷ୍ଟି ଦର୍ଶାଯାଇଛି । ବୃଷ୍ଟିହେତୁ ନାଳୀର ସୃଷ୍ଟିକ୍ରମ ଗଛର ପତ୍ର - ପତ୍ରର, ଡେମ୍ଫ - ଡେମ୍ଫରୁ, ଛୋଟ ଡାଳ- ବଡ ଡାଳ, ଗଣ୍ଡି – ମୂଳ ଭଳି କଳ୍ପନା କରାଯାଇପାରେ । ଧାରର ଆକାର ବଡ ହେଲେ ତାକୁ ନାଳୀ କୁହାଯାଏ । ନାଳୀ ହେତୁ ମୃତ୍ତିକା କ୍ଷୟକୁ ନାଳ – ମୃତ୍ତିକା କ୍ଷୟ କୁହାଯାଏ । ପାହାଡିଆ ଅଞ୍ଚଳରେ ପାହାଡରୁ ଗଡି ଆସୁଥିବା ପାଣିର ଗତିପଥ ଓ ବିଭିନ୍ନ ପ୍ରକାର ଝିଲ୍ଲି, ଝର, ଧାର ଓ ନାଳକୁ ଲକ୍ଷ୍ୟକଲେ ବିଭିନ୍ନ ପ୍ରକାର ମୃତ୍ତିକା କ୍ଷୟ ପ୍ରଣାଳୀ ସହଜରେ ଜଣାପଡେ । ନଈ ଓ ନାଳ ଦ୍ଵାରା ମୃତ୍ତିକା ବହିଯାଇ ନଈ ସମୁଦ୍ର ମିଶିବା ସ୍ଥାନରେ ତ୍ରିକୋଣ ଭୂମି ଗଠିତ ହୋଇଛି । ନଦୀ ପଠା ଓ ଚଡା ଇତ୍ୟାଦି ମୃତ୍ତିକା କ୍ଷୟ ଓ ମୃତ୍ତିକା ଗଠନରସହଜ ଉଦାହରଣ । ଜଳଧାର ସୃଷ୍ଟି ହେଲେ ଏହି ଧାରର ଆକାର କ୍ରମେ କ୍ରମେ ବୃଦ୍ଧିପାଏ । ମାଟି ନରମ ଓ ଫସଫସିଆ ଥିଲେ ଏବଂ ଏହି ମାଟିକୁ ଜାବୁଡି ଓ ଟାଣ କରି ଧରି ରଖିବାକୁ କୌଣସି ଫସଲ, ଗଛଲତା ବା ଘାସ ନଥିଲେ ଜଳଧାର ଦୁଇକଡକୁ ଓ ତଳକୁ ଖାଇଖାଇଯାଏ । ଦୁଇପଟ ମାଟି ଅତଡା ଖାଇ ଖସିପଡେ ଓ ପାଣିରେ ଗୋଳେଇ ହୋଇ ତଳକୁ ବୋହିଯାଏ। ମାଟିର ଗୁଣ ଅନୁସାରେ ନାଳର ଆକାର ଭିନ୍ନ ହୋଇଥାଏ । ଦୁଇପଟ ମାଟି ଅପେକ୍ଷା ତଳପଟ କମ୍ ଖାଇଥାଏ । କିନ୍ତୁ ଦୁଇପଟ ଅପେକ୍ଷା ତଳମାଟି ନରମ ଥିଲେ ପାଣି ତଳପଟୁ ଖାଇ ନାଳୀକୁ ବେଶି ଗଭୀର କରିଦିଏ । ଏହି ଦୃଷ୍ଟିରୁ ନାଳୀର ଅନୁପ୍ରସ୍ଥଚ୍ଛେଦ ଇଂରାଜୀ ଅକ୍ଷର ଇଉ ବା ଭି ଭଳି ଦେଖାଯାଉଥିବାରୁ ଏହାକୁ ଇଉ ବା ଭି ଆକୃତି ନାଳ ଆକୃତି ନାଳ କୁହାଯାଏ । କର୍ଦ୍ଦମ ଓ ପଟୁମାଟି ବେଶିଥିବା ଅଞ୍ଚଳରେ ସାଧାରଣତଃ ଇଉ ଆକୃତି ନାଳ ଓ ପାହାଡିଆ ଅଞ୍ଚଳରେ ଭି ଆକୃତି ନାଳ ଦେଖାଯାଇଥାଏ । ଜମିର ଢାଲୁ ବେଶି ହେଲେ ସାଧାରଣତଃ ଭି ଆକୃତି ଓ କମ୍ ହୋଇ ଜମି ସମତଳ ହେଲେ ଇଉ ଆକୃତି ନାଳ ସୃଷ୍ଟି ହୋଇଥାଏ । କାରଣ ଟାଣ ଓ ଢାଲୁ ଜମିରେ ଜଳର ବେଗ ପ୍ରଖର ହୋଇ ଆଗ ତଳପଟୁ ବେଶି ଖାଇଯାଇ ନାଳକୁ ଓସାର ତୁଳନାରେ ବେଶି ଗଭୀର କରିପକାଏ । ପାହାଡ ଉପରୁ ବହି ଆସୁଥିବା ଜଳଧାରକୁ ଲକ୍ଷ୍ୟକରି ଏହାର ଗତିପଥ ଅନୁସରଣ କରି ସବାତଳେ ସମତଳ ଭୂମିରେ ପଡିଥିବା ପର୍ଯ୍ୟନ୍ତ ନାଳୀର ଆକାର ଓ ଆକୃତିକୁ ଲକ୍ଷ୍ୟକରି କଥାଟି ସହଜରେ ଜାଣିହୁଏ । ଜଳ ପରିମାଣ, ପ୍ରବାହ ବେଗ, ଦୁଇପଟ ଓ ତଳ ମାଟିର ଗୁଣ ଏବଂ ଦୁଇପଟେ ଥିବା ଗଛଲତାର ଗୁଣ ଓ ପ୍ରକାର ଅନୁସାରେ ଧାର କେଉଁଠି ଓସାରିଆ, କେଉଁଠି ଅଣ ଓସାରିଆ ଓ ଏହି ଜଳଧାରରେ ଅନୁପ୍ରସ୍ଥ ଚ୍ଛେଦ ଭି କିମ୍ବା ଇଉ ଆକାର ହୋଇଥାଏ। ଏହି କାରଣରୁ ମଧ୍ୟ ନଦୀର ଉତ୍ପତ୍ତି ସ୍ଥଳରେ ଏହାର ଓସାର, କମ୍ , ଗଭୀର ବେଶି ଏବଂ ମୁହାଣ ଆଡକୁ ଓସାର ଖୁବ୍ ବେଶି କିନ୍ତୁ ଗଭୀର କମ୍ ହୋଇଥାଏ । ଛୋଟ ନାଳ, ବଡ ନାଳ ଓ ନଦୀ ସବୁ ଏହିପରି ସୃଷ୍ଟି ହୋଇ ଜଳ ପ୍ରବାହିକା ରୂପେ ମୃତ୍ତିକା କ୍ଷୟ ଓ ପରିବହନ କରି ବିଭିନ୍ନ ଜାଗାରେ ବିଭିନ୍ନ ରୂପ ସୃଷ୍ଟି କରିଛନ୍ତି । ପଥୁରିଆ, ଗେଙ୍ଗୁଟିଆ ପାହାଡିଆ ମାଟିରେ ଛୋଟ, ବଡ ଅଗଭୀର ଓ ସଂକୀର୍ଣ୍ଣ ଗିରିପଥ ସୃଷ୍ଟି ହୋଇଥାଏ । ଏଗୁଡିକ ମଧ୍ୟ ଝର, ଧାର ଓ ନାଳ ପ୍ରଣାଳୀ ମୃତ୍ତିକା କ୍ଷୟର ପରିପ୍ରକାଶ । ନାଳର କ୍ରମିକ ବୃଦ୍ଧିରେ ମୁଖ୍ୟତଃ ୪ଟି ଅବସ୍ଥା ଦେଖାଯାଇଥାଏ - ସଞ୍ଚରଣ ଅବସ୍ଥା – ଏଥିରେ ପାଣି ଉପର ମାଟି କାଟି ତଳ ଅଂଶ ଆଡକୁ ଖାଇ ଖାଇଯାଏ । ବିକାଶ ଅବସ୍ଥା – ନାଳରେ ପାଣି ଜୋରରେ ବହିଲେ ନାଳମୁହଁ ଫାଟିଯାଏ । ନାଳର ଓସାର ଓ ଗଭୀରତା ବୃଦ୍ଧିପାଏ । ଆରୋଗ୍ୟ ଅବସ୍ଥା – ପାଣି ଯେତିକି ମାଟି କାଟି ଖାଇଯିବା କଥା ସେତିକି ହୋଇଗଲା ପରେ ନାଳର ଆକାର ଓ ପ୍ରକାର ଆଉ ପରିବର୍ତ୍ତନ ହୁଏ ନାହିଁ, ସ୍ଥିର ହୋଇଯାଏ । ଦୁଇ କଡରେ ଘାସ ଓ ଅନ୍ୟାନ୍ୟ ଗଛ ଉଠିଯାଏ । ସ୍ଥିରାବସ୍ଥା – ଏହି ଅବସ୍ଥାରେ ନାଳର ଆକାର ଓ ପ୍ରକାର ସ୍ଥିର ରହେ । ଦୁଇ କଡରେ ଭଲ ଭାବେ ଘାସ ବିଭିନ୍ନ ଅନାବନା ଗଛ ଉଠି ବଢି କଡକୁ ଆବୃତ୍ତ କରି ରଖେ। ବେଳେ ବେଳେ ଗୋଟିଏ ନାଳର ସଞ୍ଚରଣ ସ୍ଥଳରୁ ମୁହାଣ ପର୍ଯ୍ୟନ୍ତ ଗତିପଥରେ ନାଳର ଆକାର ପ୍ରକାର ଓ ସବୁ ପ୍ରକାର ଅବସ୍ଥା ଦେଖାଯାଇଥାଏ । ନାଳ ଦେହରୁ ଶାଖା ଓ ପ୍ରଶାଖାନାଳ ବାହାରି କିଛି ଦୂର ଯାଇ ପୁଣି ଛନ୍ଦା ଛନ୍ଦି ହୋଇ ଏକାଠି ମିଶି ନଦୀରେ ବା ମୁହାଣରେ ପଡିଥିଲେ ପ୍ରକୃତିର ଗଠନ ଓ ଧ୍ଵଂସଲୀଳାର ଚିତ୍ର ସୁସ୍ପଷ୍ଟ ହୋଇଯାଏ । ଓଡିଶାର ଭୂପ୍ରକୃତି ଉତ୍ତର ପୂର୍ବରୁ ଦକ୍ଷିଣକୁ ଓ ଦକ୍ଷିଣ ପଶ୍ଚିମରୁ ପୂର୍ବକୁ ଢାଲୁ । ସୁବର୍ଣ୍ଣରେଖା, ବୈତରଣୀ, ବ୍ରାହ୍ମଣୀ, କାଂଶ ବାଂଶ, ଚିତ୍ରୋତ୍ପଳା, ବିରୂପା, ମହାନଦୀ, କାଠଯୋଡି, ନାଗାବଳୀ ଓ ଋଷିକୁଲ୍ୟା ଇତ୍ୟାଦି ନଦୀର ଉତ୍ପତ୍ତି ସ୍ଥଳରୁ ବଙ୍ଗୋପସାଗରସ୍ଥ ମୁହାଣ ପର୍ଯ୍ୟନ୍ତ ଗତିପଥ ପର୍ଯ୍ୟବେକ୍ଷଣ କଲେ ଏହି ପ୍ରକ୍ରିୟାର ଏକ ସମ୍ପୂର୍ଣ୍ଣ ଚିତ୍ର ମିଳିଥାଏ । ଓସାର, ଗଭୀରତା ଓ ଦୁଇ ପଟର ଢାଲୁ ଅନୁସାରେ ନାଳ ଓ ଗିରିଗହ୍ଵର ଗୁଡିକୁ - ଅତି କ୍ଷୁଦ୍ର କ୍ଷୁଦ୍ର ମଧ୍ୟମ ଓ ଗଭୀର ବୋଲି ୪ଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ । (ସାରଣୀ -୧) ସାରଣୀ – ୧ ନାଳ ଗିରିଗହ୍ଵର ର ଶ୍ରେଣୀ ବିଭାଗ । ବିବରଣୀ ଶ୍ରେଣୀ ଅତିକ୍ଷୁଦ୍ର କ୍ଷୁଦ୍ର ମଧ୍ୟମ ଗଭୀର ଗଭୀରତା ୧ ୧-୩ ୩-୯ ୯ ରୁ ବେଶି ନାଳ ଶଯ୍ୟାର ଓସାର ୦-୧୮ ୧୮ ରୁ ବେଶି ୧୮ ରୁ ବେଶି ୧୮ ରୁ ବେଶି ଦୁଇପଟର ଢାଲୁ % ବଦଳୁଥାଏ ବଦଳୁଥାଏ ୬-୧୨ ଦୁଇପଟ ଢାଲୁ ପରିମାଣ ପ୍ରାୟସମାନ ୧୨ରୁ ବେଶି ତୀଖ, ଉତ୍ତୁଙ୍ଗ ତୀର ଓ ବେଳାଭୂମି ମୃତ୍ତିକା କ୍ଷୟ ସମୁଦ୍ର ଢେଉ ବାଲି ବା ମାଟି ବହିଆଣି କୁଳରେ ଆଉଯାଇ ଦିଏ ଏବଂ ସମୁଦ୍ର ଭିତରକୁ ନେଇଯାଏ । ସମୁଦ୍ର କୂଳିଆ ଗାଁମାନ ବେଳେ ବେଳେ ସମୁଦ୍ର ଢେଉରେ ଆସ୍ତେ ଆସ୍ତେ ଧୋଇ ହୋଇ ସଂପୂର୍ଣ୍ଣ ଭାବେ ସମୁଦ୍ର ଗର୍ଭରେ ଲୀନହୋଇଯାଏ । ସମୁଦ୍ର ଜୁଆରିଆ ହେଲେ ଜୁଆର ପାଣି ନାଳ ଭିତରେ ଆସି ଖାଲ ଜମି ଲୁଣିଆ କରିଦିଏ । ଜୁଆର ଛାଡିଗଲା ବେଳେ ନାଳରୁ ଚିକିଟା ଓ ପଟୁମାଟି ଧୋଇ ନେଇଯାଏ । ହୁଗୁଳିଠାରୁ ବଙ୍ଗୋପସାଗର କୂଳେ କୂଳେ ଚାନ୍ଦିପୁର, ଧାମରା ହୁକିଟୋଲା, ପାରାଦ୍ଵୀପ, ଗୋପାଳପୁର, ଚିଲିକା ରମ୍ଭା ଦେଇ ବିଶାଖାପାଟଣା ପର୍ଯ୍ୟନ୍ତ ଗଲେ ସମୁଦ୍ର ହେତୁ ମୃତ୍ତିକା କ୍ଷୟ ପ୍ରକ୍ରିୟା ଖୁବ୍ ଭଲ ଭାବେ ଜଣାପଡେ । ସମୁଦ୍ର ହେତୁ ତୀରବର୍ତ୍ତି ଜମିରେ ବିଶେଷତଃ ଖରାଦିନେ ଲୁଣି ସମସ୍ୟା ସୃଷ୍ଟି ହୋଇଥାଏ । ନାଳ ଓ ନଈକୁଳ ମୃତ୍ତିକା କ୍ଷୟ ବର୍ଷା ହେଲେ ମୃତ୍ତିକା ଆର୍ଦ୍ରହୁଏ । ମୃତ୍ତିକା ଧରି ପାରୁନଥିବା ଉଦବୃତ୍ତ ଜଳତଳକୁ ବହିଯାଏ । ଏହି ଜଳ କ୍ରମେ ଛୋଟ ନାଳରୁ ବଡ ନାଳ ଓ ବଡ ନାଳରୁ ନଦୀକୁ ପ୍ରବାହିତ ହୁଏ । ନାଳ ଓ ନଈ ପୂରିଯାଏ ଏବଂ ସୁଅ ପଡେ। ଘନ ଘନ ବର୍ଷା ହେତୁ ନାଳ ଓ ନଦୀରେ ସୁଅର ବେଗ ପ୍ରଖର ହେଲେ ଦୁଇପଟରୁ ମାଟି ତାଡି ଖାଇଯାଏ । ଦୁଇକଡରୁ ବଡ ବଡ ଅତଡା ଖସେ । ବେଳେବେଳେ ଏ ସମସ୍ୟା ଏତେ ଉତ୍କଟ ହୁଏ ଯେ ଗୋଟିଏ ଗୋଟିଏ ନଈକୂଳିଆ ଗାଁ ମଧ୍ୟ ନଦୀ ଗର୍ଭରେ ଲୀନ ହୋଇଯାଏ । ନଦୀ ବନ୍ଧରେ ଥିବା ବଡ ବଡ ଗଛ ମଧ୍ୟ ଉପୁଡି ପଡି ନଦୀ ଗର୍ଭରେ ଲୀନ ହୁଏ । ଏପରି ମୃତ୍ତିକା କ୍ଷୟକୁ ନାଳ ଓ ନଈ କୁଳ ମୃତ୍ତିକା କ୍ଷୟ କୁହାଯାଏ । ଏହାଦ୍ଵାରା କେଉଁ କେଉଁ ନଦୀର ଗତିପଥ ମଧ୍ୟ ବଦଳିଯାଏ । କେଉଁପଟ ନଈ ଖାଇଯାଏ ତ କେଉଁ ପଟେମାଟି ଭର୍ତ୍ତିକରି ଜମି ଗଢିଦିଏ । ନଦୀ ମଧ୍ୟଭାଗରେ ମଧ୍ୟ ମାଟି ଗଦା ହୋଇଯାଇ କ୍ରମେ ଟାପୁ ବା ଚଡା ସୃଷ୍ଟି ହୋଇଯାଏ । ଠାଏ ଠାଏ ନଦୀ ବନ୍ଧ ଭାଙ୍ଗିଯାଏ । ବଡ ବଡ ଘାଇ ସୃଷ୍ଟିହୁଏ । ବନ୍ଧ ଡେଇଁ ପାଣି ପାଖ ଗାଁ ଓ ଜମିକୁ ପ୍ଲାବିତ କରି ଧନ ଜୀବନ ବିପନ୍ନ କରେ । ଏହାଦ୍ଵାରା କେତେ ଜମିରେ ବାଲି ଚଢିଯାଇ ବାଲିଚର ହୋଇଯାଏ । ଜମି ସମ୍ପୂର୍ଣ୍ଣ ଉତ୍ପାଦନ ଅକ୍ଷମ ହୋଇଯାଏ । ୧୯୫୫ ଓ ୧୯୮୨ ମସିହାରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ଅଦ୍ଭୁତପୂର୍ବ କ୍ଷତି ହୋଇଥିଲା । ହଜାର ହଜାର ହେକ୍ଟର ଜମିରେ ବାଲିଚର ସୃଷ୍ଟି ହୋଇଥିଲା । ସେ ସବୁ ଜମି ଏପର୍ଯ୍ୟନ୍ତ ବି ସମ୍ପୂର୍ଣ୍ଣ ଭାବେ ଅବାଦି ହୋଇନାହିଁ । ଅନ୍ୟାନ୍ୟ ପ୍ରଣାଳୀ ଦ୍ଵାରା ମୃତ୍ତିକା କ୍ଷୟ ତୁଳନାରେ ଜଳଦ୍ଵାରା ମୃତ୍ତିକା କ୍ଷୟ ଅତି ବ୍ୟାପକ, ବହୁରୂପୀ ଓ ଭୟଙ୍କର। ଜଳଦ୍ଵାରା ମୃତ୍ତିକା କ୍ଷୟ ହୁଏ କିପରି? ଟପ୍ ଟପ୍ ହୋଇ ପଡୁଥିବା ଜଳ ବିନ୍ଦୁର ଶକ୍ତି ଓ ମାଟି ଉପରେ ବହିଯାଉଥିବା ଜଳବିନ୍ଦୁର ଶକ୍ତି ସଂଯୋଗରେ ମୃତ୍ତିକା କ୍ଷୟ ପ୍ରକ୍ରିୟା ସଂଗଠିତ ହୋଇଥାଏ । ଉପରୁ ପଡୁଥିବା ଜଳବିନ୍ଦୁର ଶକ୍ତି ମୃତ୍ତିକା ଉପରେ କୌଣସି ଭାବେ ଅଥବା ଲମ୍ବଭାବେ ପଡେ । ବହିଯାଉଥିବା ଜଳର ଶକ୍ତି ଭୂମି ସହିତ ସମାନ୍ତରାଳ ହୋଇପଡେ । ଉପରୁ ପଡୁଥିବା ଜଳ ବିନ୍ଦୁର ଶକ୍ତି ହେତୁ ମୃତ୍ତିକା କଣିକା ଅନ୍ୟ କଣିକା ଗୁଡିକ ଠାରୁ ବିଚ୍ଛିନ୍ନ ହୋଇଯାଏ । ଭୂମି ସହିତ ସମାନ୍ତରାଳ ଭାବେ ବହିଯାଉଥିବା ଜଳଶକ୍ତି ଏ ବିଚ୍ଛିନ୍ନ କଣିକାକୁ ବୋହିନିଏ । ଜମିରେ ବିଶେଷତଃ କୌଣସି ଫସଲ ବା ଆବରଣ ନଥିଲେ ଏବଂ ଜମି ଢାଲୁ ହୋଇଥିଲେ କଚଡା ଓ ଛେଚା ବର୍ଷା ହେତୁ ମାଟି କାଦୁଅ ହୋଇଯାଏ । ଏବଂ ଚାରିଆଡକୁ ଛିଟିକିଯାଏ । ଚବଚବ ଓ ସୁସୁ ଶବ୍ଦ କରି ତଳକୁ ବୋହିଯାଏ । ଏହି ପ୍ରକ୍ରିୟା ଗୋଳିଆ ପାଣିର ପରିବହନ ଶକ୍ତି ବୃଦ୍ଧି କରାଇଥାଏ । ଅତି ଫସଫସିଆ ନରମ ଓ ଅନାବରିତ ମାଟିରେ ଛେଚା ବର୍ଷା ହେତୁ ହେକ୍ଟର ପ୍ରତି ପ୍ରାୟ ୨୫ ଟନରୁ ଅଧିକ ମାଟି ଛିଟିକି କରି ବର୍ଷାକୁ କ୍ଷୟ ହୋଇଥାଏ । ବହିଯାଉଥିବା ପାଣିର କାଟିବା ଶକ୍ତି ଏବଂ ଏହାକୁ ବହିନେବା ଶକ୍ତି ପାଣିର ବେଗ ଉପରେ ନିର୍ଭର କରେ । ବହିଯାଉଥିବା ପାଣିର ମାଟି କାଟିବା ବା ଖାଇଯିବା ଶକ୍ତି ପ୍ରବାହ ବେଗର ବର୍ଗାନୁପାତୀ, ଏବଂ ବିଭିନ୍ନ ପ୍ରକାର ପଦାର୍ଥ ବହିନେବା ଶକ୍ତି ପ୍ରବାହ ବେଗର ଷଷ୍ଠ ଘାଟାଣୁପାତୀ । ଏଣୁ ନାଳରେ ପାଣି ବହିଲେ ମାଟି କାଟି ହୋଇଯାଏ ଏବଂ ବୋହିଯାଏ । ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ