ପୋଦିନା ଆଜିକାଲି ବଜାରରେ ପୋଦିନା ପତ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି । ଏହାକୁ ବିଭିନ୍ନ ଚଟପଟି ଖାଦ୍ୟରେ ବ୍ୟବହାର କରାଯାଉଛି । ଖାଇବାକୁ ସ୍ୱାଦିଷ୍ଟ ଲାଗୁଥିବା ପୋଦିନା ଶରୀର ପାଇଁ ବଡ଼ ଉପକାରୀ। ଇଂରାଜୀରେ ମିଣ୍ଟ ନାଁରେ ପରିଚିତ ପୋଦିନାରେ ରହିଛି ଅନେକ ଔଷଧୀୟ ଗୁଣ। ବ୍ୟବହାର ଅଜୀର୍ଣ୍ଣ, ଅରୁଚି, କଫ, କାସ, ବାନ୍ତି, ଅତିସାର, ବାୟୁ, କୃମି ଆଦିର ନିବାରଣ ପାଇଁ ଏହାର ଉପଯୋଗ ହୋଇଥାଏ । ଅଜୀର୍ଣ୍ଣ ଓ ଅଗ୍ନିମାନ୍ଦ୍ୟରେ ସୈନ୍ଧବ ଲବଣ, ପୁରୁଣା ତେନ୍ତୁଳି ଓ ଜୀରା ସହିତ, ଅଥବା ଅଦା ଓ ଲୁଣ ସହିତ, ନାଳ ଝାଡାରେ ଶୁଣ୍ଠି ଓ ଲୁଣ ସହିତ ଏବଂ କୃମି ଆଦିରେ ଏହାକୁ ଗୋଲ ମରିଚ ସହିତ ପ୍ରୟୋଗ କରାଯାଏ । ଔଷଧୀୟ ଗୁଣ ଖରା ଦିନେ ଅଂଶୁଘାତରୁ ରକ୍ଷା କରିଥାଏ ପୋଦିନା । ପୋଦିନା ରସ ଦେହ ପାଇଁ ହିତ ।ଖରାରେ ବାହାରକୁ ଯିବା ପୂର୍ବରୁ ବି ଆପଣ ପୋଦିନା ରସ ପିଇ ପାରିବେ। ପାଟିରୁ ଦୁର୍ଗନ୍ଧ ବାହାରୁଥିଲେ ପୋଦିନା ପତ୍ରକୁ ବ୍ୟବହାର କରନ୍ତୁ। ପୋଦିନା ପତ୍ରର ରସରେ ପାଣି ମିଶାଇ କୁଳି କଲେ ପାଟିରୁ ବାହାରୁଥିବା ଦୁର୍ଗନ୍ଧ ଦୂର ହୋଇଥାଏ। ଶରୀରର କୌଣସି ସ୍ଥାନରେ କ୍ଷତ ହୋଇଥିଲେ ପୋଦିନା ପତ୍ରକୁ ବାଟି ତା’ର ରସକୁ ସେହି ଜାଗାରେ ଲଗାଇ ଦିଅନ୍ତୁ। ଘା’ ଶୀଘ୍ର ଶୁଖି ଯିବ। ଘା’ ସ୍ଥାନରୁ ବାହାରୁ ଥିବା ଦୁର୍ଗନ୍ଧ ମଧ୍ୟ ଦୂର ହୋଇଯିବ। ଅନେକ ପ୍ରକାର ଚର୍ମରୋଗକୁ ନାଶ କରିଥାଏ ପୋଦିନା । ଚର୍ମ ରୋଗ ହେଲେ ପୋଦିନା ପତ୍ରର ପ୍ରଲେପ ଲଗାଇବା ଦ୍ୱାରା ଆରାମ ମିଳିଥାଏ। ବାନ୍ତି ହେଉଥିଲେ ଅଧା କପ୍ ପୋଦିନା ରସକୁ ଦୁଇ ଘଣ୍ଟା ବ୍ୟବଧାନରେ ରୋଗୀକୁ ପିଆନ୍ତୁ। ବାନ୍ତି ବନ୍ଦ ହୋଇଯିବ। ଖାଦ୍ୟ ହଜମ ହେବାରେ ଅସୁବିଧା ହେଉଥିଲେ ପୋଦିନା ରସକୁ ପାଣିରେ ମିଶାଇ ପିଇଲେ ଉପଶମ ମିଳେ। ପେଟ ବ୍ୟଥା ହେଉଥିଲେ ପୋଦିନାକୁ ଜୀରା, ହେଙ୍ଗୁ, ଗୋଲମରିଚ ଓ ଲୁଣ ସହିତ ମିଶାଇ ପିଅନ୍ତୁ। ପେଟ ବ୍ୟଥା ଦୂର ହୋଇଯିବ। ପ୍ରସବ ବେଦନା ସମୟରେ ମହିଳାମାନେ ପୋଦିନା ରସ ପିଇଲେ ସୁରୁଖୁରୁରେ ପ୍ରସବ ହୋଇଥାଏ। ପୋଦିନା ଖାଇବା ଦ୍ୱାରା ହାକୁଟି ସମସ୍ୟା ଦୂର ହୁଏ। ସ୍ୱାସ୍ଥ୍ୟ ପାଇଁ ତରଭୁଜ , ପଇଡ଼ ପାଣି, ଲେମ୍ବୁ ପାଣି ଓ ମିଶ୍ରି ପାଣି ଲାଭଦାୟକ ବୋଲି ସମସ୍ତେ ଜାଣନ୍ତି । ତେବେ ନିକଟରେ ଏକ ପରୀକ୍ଷରୁ ଜଣା ପଡିଛି ନିୟମିତ ଭାବେ ପୋଦିନା ରସ ପିଇବା ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ । ନଜର ପକାନ୍ତୁ ପୋଦିନା ପତ୍ରର ଔଷଧୀୟ ଗୁଣ ଉପରେ । ଭିଟାମିନ୍-ଏ ଥିବାରୁ ପୋଦିନା ରସ ଚକ୍ଷୁ ପାଇଁ ମଧ୍ୟ ଉପକାରୀ । ଦିନକୁ ୨ଥର ଏହି ପାନୀୟ ପିଇଲେ ଆର୍ଥ୍ରାଇଟିସ୍ ହେବାର ଆଶଙ୍କା ଯଥେଷ୍ଟ କମ୍ ରହିଛି । ପୋଦିନା ରସରେ ପୋଟାସିୟମ୍ ସଠିକ୍ ପରିମାଣରେ ଥିବାରୁ ତାହା ହୃଦରୋଗରୁ ରକ୍ଷା କରିଥାଏ । ପୋଦିନା ରସ ରକ୍ତହୀନତାରୁ ରକ୍ଷା କରେ । ଦିନକୁ ୨ଥର ପୋଦିନା ରସ ପିଇଲେ ଓଜନ ମଧ୍ୟ ନିୟନ୍ତ୍ରଣାଧୀନ ରହିଥାଏ । ମେନଥୋଲ ନାମକ ତତ୍ତ୍ୱ ପୋଦିନା ରସରେ ଥିବାରୁ ଏହାକୁ ପିଇଲେ ମାଇଗ୍ରେନ୍ରୁ ରକ୍ଷା ମିଳିଥାଏ । ପୋଦିନା ରସରେ ଆଣ୍ଟିସେପଟିକ୍ ଗୁଣ ପ୍ରଚୁର ପରିମାଣରେ ଥିବା କାରଣରୁ ଏହା ତ୍ୱଚାକୁ ମଧ୍ୟ ସୁସ୍ଥ ରଖେ । ପୋଦିନାରେ ଭିଟାମିନ୍ ସି ଥିବାରୁ ଏହାକୁ ପିଇବା ଦ୍ୱାରା ଶୀଘ୍ର ଥକା ଲାଗିନଥାଏ । ପ୍ରତିଦିନ ପୋଦିନା ରସ ପିଇଲେ ସ୍ମୃତି ଶକ୍ତି ବୃଦ୍ଧି ହୁଏ । ଆଧାର : କନକ ନ୍ୟୁଜ