ଆୟୁବେର୍ଦରେ ଖଜୁରି ପ୍ରକୃତିର ବରଦାନ ପୂର୍ବକ ବିଭିନ୍ନ ଗୁଣକାରୀ ଓ ଶକ୍ତିବର୍ତିକ ଫଳ ହାତପାଆନ୍ତାରେ ମିଳୁଛି। ଶାରୀରିକଦୁର୍ବଳତାକୁ ନଷ୍ଟ କରିବାରେ ଫଳର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଏହି ପରିପ୍ରେକ୍ଷୀରେ ଶରୀର ପାଇଁ ଖଜୁରିର ପୂର୍ଣ୍ଣ ଆବଶ୍ୟକତା ରହିଛି। ଆୟୁର୍ବେଦ ଅନୁସାରେ ଭାରତରେ ଖଜୁରି ତିନି ପ୍ରକାରର । ଯଥା-ପିଣ୍ଡ ଖଜୁରି, ଲାଲ ଖଜୁରି ଏବଂ ହଳଦଆ ଖଜୁରି । ତେବେ ପିଣ୍ଡ, ଖଜୁରିର ବ୍ୟବହାର ବହୁଳ ମାତ୍ରାରେ କରାଯାଇଥାଏ । ଖଜୁରି ମଧୁର, ସ୍ନିଗ୍ଧ, ଗୁରୁ, ଶୀତଳ ଏବଂ ବାତପୀତ ନାଶକ । ଖଜୁରି ପୌଷ୍ଟିକ ଏବଂ ଶକ୍ତିବର୍ଦ୍ଧକ । ନିୟମିତ ଖଜୁରି ଖାଇବା ଦ୍ଵାରା ଶରୀରରେ ହିମୋଗ୍ଲୋବିନ ବା ରକ୍ତ ବୃଦ୍ଧି ହୋଇଥାଏ । ଖଜୁରିରେ ମାଛ, ମାଂସ ଠାରୁ ଅଧୀକ ଶକ୍ତି ପ୍ରଦାନ କରୁଥିବା ପୌଷ୍ଟିକ ତତ୍ତ୍ଵ ଭରପୁର ରହିଛି । ନିୟମିତ ଖଜୁରୀ ଖାଇବା ଦ୍ଵାରା ଶାରିରୀକ ଦୁର୍ବଳତା ନଷ୍ଟ ହୋଇଥାଏ । ଖଜୁରୀକୁ ଶକ୍ତିବର୍ଦ୍ଧକ ଓ ଧାତୁବର୍ଦ୍ଧକ ଫଳରୂପେ ବିବେଚନା କରାଯାଇଛି । ଖଜୁରୀ ସେବନ ଦ୍ଵାରା କଫ ନଷ୍ଟ ହୋଇଥାଏ । କୋଷ୍ଠବଦ୍ଧତାରୁ ମୁକ୍ତିପାଇଁ ନିୟମିତ ଖଜୁରି ସେବନ ନିତାନ୍ତ ଆବଶ୍ୟକ । ହୃଦୟରୋଗୀଙ୍କ ପାଇଁ ଖଜୁରି ବରଦାନ ସଦୃଶ । ଖଜୁରୀ ସେବନ ଦ୍ଵାରା ଶରୀରରେ ରକ୍ତ ଏବଂ ପିତ୍ତର ବିକୃତି ମଧ୍ୟ ନଷ୍ଟ ହୋଇଥାଏ । ଖଜୁରି ସେବନ ଦ୍ଵାରା ମସ୍ତିଷ୍କର ଦୁର୍ବଳତା ନଷ୍ଟ ହୋଇ ସ୍ମରଣ ଶକ୍ତି ବୃଦ୍ଧି ପାଏ । କଟିଶୁଳ, ଗ୍ରୁଧ୍ରୁଶୀ (ସାୟିଟିକା)ବିକୃତି ପାଇଁ ଖଜୁରୀ ସର୍ବୋତ୍ତମ । ଖଜୁରି ସେବନ ଦ୍ଵାରା ଶରୀରକୁ ପ୍ରାକୃତିକ ଶର୍କରା ମିଳିଥାଏ । ୧୦୦ ଗ୍ରାମ ଖଜୁରୀରେ ପାଖାପାଖି ୮୫ ଗ୍ରାମ ଶର୍କରା ଥାଏ । ଖଜୁରିରେ କ୍ୟାଲସିୟମ, ଫସଫରସ, ଲୌହ ଏବଂ ଖଣିଜ ତତ୍ତ୍ଵ ଭରପୂର ହୋଇ ରହିଛି । ଔଷଧୀୟ ଗୁଣ ଖଜୁରି, ଅଙ୍ଗୁର, ଅଦା, ତେନ୍ତୁଳି ଓ ଗୋଲମରିଚ ଆଦିକୁ ଏକତ୍ର ବାଟି ଲୁଣ ସହ ଚଟଣି କରି ଖାଦ୍ୟର ଘଣ୍ଟାକ ପୂର୍ବରୁ ଖାଇଲେ ଅରୁଚିରୁ ମୁକ୍ତି ମିଳେ । ଖଜୁରି ମଞ୍ଜିକୁ ଶିଳରେ ବାଟି ମଥାରେ ଲେପ ଦେଲେ ମୁଣ୍ଡ ବିନ୍ଧାରୁ ମୁକ୍ତି ମିଳିଥାଏ । ରାତିରେ ୧୦ଟି ଖଜୁରିକୁ ପାଣିରେ ଭିଜାଇ ରଖନ୍ତୁ । ସକାଳୁ ଉଠି ଖାଲି ପେଟରେ ଖଜୁରୀ ସହ ସେହି ପାଣିକୁ ସେବନ କଲେ ସନ୍ଧି ଶୋଥ ବା ଆଣ୍ଠୁଗଣ୍ଠି ବିନ୍ଧାରୁ ମୁକ୍ତି ମିଳିଥାଏ । ଖଜୁରି ସହିତ ଅଶ୍ଵଗନ୍ଧା ଚୂର୍ଣ୍ଣ ମିଶାଇ କ୍ଷୀର ସହିତ ସେବନ କଲେ ଶାରୀରିକ ଦୁର୍ବଳତା ଦୂର ହୋଇଥାଏ । ଯେଉଁ ସ୍ତ୍ରୀଲୋକଙ୍କ ଶାରୀରିକ ଦୁର୍ବଳତା କାରଣରୁ ମାସିକ ଋତୁସ୍ରାବ ଅନିୟମିତ ହୋଇଥାଏ, ସେମାନେ ପ୍ରତ୍ୟେକ ଦିନ ସକାଳେ ଏବଂ ରାତିରେ ୫ଟି ଖଜୁରି ସେବନ କଲେ ମାସିକ ଋତୁସ୍ରାବ ନିୟମିତ ହୋଇଥାଏ । ଶାରୀରିକ ଶ୍ରମ କରୁଥିବା ସ୍ତ୍ରୀ ଲୋକଙ୍କ ପାଇଁ ଖଜୁରି ଏକ ସର୍ବୋତ୍ତମ ଶକ୍ତି ପ୍ରଦାନ କାରୀ ଫଳ । ଖଜୁରିକୁ ଶୀଳରେ ବାଟି ଛୋଟପିଲାଙ୍କୁ ଚଟାଇବା ଦ୍ଵାରା ପିଲାଙ୍କ ଦାନ୍ତ ମଜଭୁତ ହେବାସହ ଦାନ୍ତ ଗୁଡିକ ସହଜରେ ଉଠିଯାଇଥାଏ । କାରଣ ଖଜୁରିରେ ପ୍ରଚୁର ପରିମାଣରେ କାଲସିୟମ ରହିଛି । ଖଜୁରି ସହିତ ଗୋକ୍ଷୁରା ଚୂର୍ଣ୍ଣ ମିଶାଇ କ୍ଷୀର ସହିତ ସେବନ କଲେ ଉପଦଂଶ ରୋଗରୁ ମୁକ୍ତି ମିଳିଥାଏ । ଖଜୁରି ସହିତ ଗୋକ୍ଷୁରା ଚୂର୍ଣ୍ଣ ମିଶାଇ ସେବନ କଲେ ସ୍ଵପ୍ନ ଦୋଷ ରୋଗରୁ ମୁକ୍ତି ମିଳିଥାଏ । ନପୁଂସକତା ରୋଗରୁ ମୁକ୍ତି ପାଇଁ ୪/୫ଟି ଖଜୁରୀ ସହିତ ଡାଳଚିନି ଚୂର୍ଣ୍ଣ ମିଶାଇ ସେବନ କଲେ ଉପକାର ମିଳିଥାଏ । ପରିସ୍ରାଗତ ସମସ୍ୟା ପାଇଁ ଖଜୁରି ପତ୍ରରସ ସହ ମିଶ୍ରି ମିଶାଇ ସେବନ କଲେ ରୋଗରୁ ମୁକ୍ତି ମିଳିଥାଏ । ଏହାର ଅନେକ ଔଷଧୀୟ ଗୁଣ ରହିଥିବାରୁ ଖଜୁରିକୁ ନିଃସନ୍ଦେହରେ ଭଗବାନଙ୍କ ସର୍ବୋତ୍ତମ ସୃଷ୍ଟି ବୋଲି କୁହାଯାଏ । ସଂଗୃହିତ : ଡାକ୍ତର ଦେବନଦତ୍ତ ସାମନ୍ତରାୟ ଦିଶା ଆୟୁର୍ବେଦ ଓ ପଞ୍ଚକର୍ମ ହସ୍ପିଟାଲ, ପାରାଦ୍ଵୀପ ଆଧାର: କନକ ନ୍ୟୁଜ