ଘରୋଇ ଔଷଧ ଅଁଳା ଅଁଳାରେ ଭରପୂର ପୁଷ୍ଟିସାର ରହିଛି। ଏଥିରେ ଥିବା ଅତ୍ୟାବଶ୍ୟକ ମିନେରାଲ୍ ଓ ଭିଟାମିନ୍ ଆମ ଶରୀରକୁ ସୁସ୍ଥ ରଖେ।ତା’ସହିତ ଅନେକ ସାଧାରଣ ରୋଗରୁ ଏହା ଆମ ଶରୀରକୁ ସୁରକ୍ଷିତ ରଖେ। ଆପଣ ଅଁଳାକୁ କଞ୍ଚା ଚୋବାଇ ଖାଇ ପାରିବେ ଅବା ଏହାକୁ ଜୁସ୍ କରି ପିଇପାରିବେ। ସେହିପରି ଅଁଳାକୁ ଶୁଖାଇ ତାକୁ ଗୁଣ୍ଡ କରି ପାଣିରେ ଗୋଳାଇ ମଧ୍ୟ ପିଇ ପାରିବେ। ଅଁଳା ଜାମ୍ ଅବା ଆଚାର କରି ମଧ୍ୟ ଖାଇ ପାରିବେ। ତେବେ ଆପଣ ଅଁଳାକୁ ଯେକୌଣସି ଉପାୟରେ ଖାଇଲେ ବି ଏହା ଶରୀରର ଉପକାର କରେ। ଭିଟାମିନ୍ ‘ସି’ ପାଇଁ ଅଁଳା ହେଉଛି ସର୍ବୋତ୍ତମ। ଏହା ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ବଢ଼ାଇଥାଏ ଏବଂ ଜୀବାଣୁ ଓ ଭୂତାଣୁ ଜନିତ ରୋଗରୁ ଶରୀରକୁ ରକ୍ଷା କରେ। ଅଁଳାରେ ପୋଲିଫେନୋଲ୍ସ ନାମକ ଏକ ତତ୍ତ୍ୱ ରହିଛି ଯାହା କ୍ୟାନ୍ସର ବିରୋଧରେ ଲଢ଼େ। ଆୟୁର୍ବେଦ ଅନୁଯାୟୀ ଅଁଳା ଶରୀରର ବିଭିନ୍ନ ପ୍ରକ୍ରିୟା ମଧ୍ୟରେ ସନ୍ତୁଳନ ରକ୍ଷା କରେ। ତିନିଟି ଦୋଷ- ବାତ, କଫ ଓ ପିତ୍ତକୁ ଏହା ସନ୍ତୁଳିତ କରି ରଖେ। ଅଁଳାକୁ ଜୁସ୍ କରି ପିଇଲେ ସବୁଠୁ ଅଧିକ ଲାଭ ମିଳିଥାଏ। ଅଁଳା ଜୁସ୍ ପେଟ ସଫା ରଖେ। ପାଚନ ପ୍ରକ୍ରିୟା ଠିକ୍ ରହେ। ଏହା ଚର୍ମ ଓ ଆଖିକୁ ସୁସ୍ଥ ରଖେ। ଦୁଇ ଚାମଚ ମହୁ ସହିତ ଦୁଇ ଚାମଚ ଅଁଳା ଜୁସ୍ ମିଶାଇ ପ୍ରତିଦିନ ପିଇଲେ ଥଣ୍ଡା ଓ କାଶରୁ ମୁକ୍ତି ମିଳିଥାଏ। ରୋଗ ପ୍ରତିରୋଧ ଶକ୍ତି ବଢ଼ାଏ ନଡ଼ିଆ ପାଣି ନଡ଼ିଆ ପାଣି ଆମ ଶରୀର ପାଇଁ ହିତକାରକ। ନଡ଼ିଆ ପାଣିରେ ଖଣିଜ ଲବଣ ଭରପୂର ହୋଇଥାଏ। ନଡ଼ିଆ ପାଣି ପିଇଲେ ଆମ ଶରୀରକୁ ଶକ୍ତି ମିଳିଥାଏ। ଏହା ଆମ ଶରୀରରେ ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଇଥାଏ। ଫଳରେ ଶରୀରରେ କୌଣସି ରୋଗ ହେବାର ଆଶଙ୍କା କମ୍ ହୋଇଥାଏ। ଏହା ଆମ ଶରୀରର ମୋଟାପଣକୁ ବି ଦୂର କରିଥାଏ। ନଡ଼ିଆ ପାଣି ପିଇବା ଦ୍ୱାରା ଆମକୁ ବାରମ୍ବାର ଭୋକ ହୋଇ ନ ଥାଏ। ବିଶେଷ କରି ସକାଳେ ନଡ଼ିଆ ପାଣି ପିଇଲେ ଶରୀର ପାଇଁ ଅଧିକ ଲାଭଦାୟକ ହୋଇଥାଏ। ନଡ଼ିଆ ପାଣି ପିଇଲେ ଗଳଗଣ୍ଡ ଭଳି ମାରାତ୍ମକ ରୋଗ ଭଲ କରିବାରେ ସହାୟକ ହୋଇଥାଏ। ଆମ ଶରୀରରେ କିଡ୍ନୀକୁ ସୁସ୍ଥ ରଖେ ନଡ଼ିଆ ପାଣି। ନଡ଼ିଆ ପାଣି ପିଇଲେ ୟୁରିନ୍ ଇନଫେକ୍ସନ୍ ଭଳି ମାରାତ୍ମକ ରୋଗ ହେବାର ଆଶଙ୍କା କମ୍ ଥାଏ। କିଛି ଲୋକ ନଡ଼ିଆ ପାଣିରେ ଅଣ୍ଡା ଭିତରେ ଥିବା ଧଳାଅଂଶକୁ ମିଶାଇ ପିଇଥାନ୍ତି। କାରଣ ଅଣ୍ଡାର ଧଳାଅଂଶରେ ଅଧିକ ପ୍ରୋଟିନ୍ ଓ କ୍ୟାଲସିୟମ ଭରପୂର ହୋଇ ରହିଥାଏ। ନଡ଼ିଆ ପାଣିରେ ଖଣିଜ ଲବଣ ଥାଏ। ଏହାକୁ ମିଶାଇ ପିଇଲେ ଆମ ଶରୀରକୁ ଶକ୍ତି ମିଳିଥାଏ। ନଡ଼ିଆ ପାଣି ଆମ ତ୍ୱଚା ମସୃଣ ଓ ଉଜ୍ଜଳ ରଖିଥାଏ। ଉପକାରୀ କଞ୍ଚା ଅମୃତଭଣ୍ଡା କଞ୍ଚା ଅମୃତଭଣ୍ଡା ଆମ ଶରୀର ପାଇଁ ଖୁବ୍ ହିତକାରୀ। ଏଥିରେ ଭିଟାମିନ୍ ଏ,ସି ଓ ଇ ଭରପୂର ମାତ୍ରାରେ ଥାଏ। ଏହା ଆମ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ମଜଭୁତ୍ କରିଥାଏ। ଲିଭରକୁ ସୁସ୍ଥ ରଖିବାରେ କଞ୍ଚା ଅମୃତଭଣ୍ଡା ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ। ଜଣ୍ଡିସ୍ ହେଲେ ଲିଭର୍ ଦୁର୍ବଳ ହୋଇଯାଏ। ସେଥିପାଇଁ କଞ୍ଚା ଅମୃତଭଣ୍ଡାକୁ ସାଲାଡ୍ ଭାବେ ରୋଗୀକୁ ଖାଇବାକୁ ଦିଆଯାଏ। ଏହା ଦ୍ୱାରା ରୋଗୀର ଲିଭର୍ ସୁସ୍ଥ ରହେ। ସେହିପରି ଥଣ୍ଡା,କାଶ ଓ ଇନ୍ଫେକ୍ସନ ସହିତ ବି ଲଢ଼ିଥାଏ କଞ୍ଚା ଅମୃତଭଣ୍ଡା। ପରିସ୍ରା ସଂପର୍କିତ ସମସ୍ୟାଗୁଡ଼ିକ କଞ୍ଚା ଅମୃତଭଣ୍ଡା ଖାଇବା ଦ୍ୱାରା ଦୂର ହୋଇଥାଏ। ଶରୀରକୁ ବ୍ୟାକ୍ଟେରିଆ ସଂକ୍ରମଣରୁ ରକ୍ଷା କରିବାରେ ସହାୟକ ହୋଇଥାଏ କଞ୍ଚା ଅମୃତଭଣ୍ଡା। ଯେଉଁମାନେ କୋଷ୍ଠକାଠିନ୍ୟର ଶିକାର ହୋଇଥିବେ,ସେମାନେ ନିଶ୍ଚିତ ଭାବେ କଞ୍ଚା ଅମୃତଭଣ୍ଡା ଖାଇବା ଉଚିତ୍। କାରଣ ଅମୃତଭଣ୍ଡାରେ ପୈପିନ ନାମରେ ଏକ ଏନ୍ଜାଇମ୍ ଥାଏ। ଏହା ପ୍ରାକୃତିକ ଉପାୟରେ କୋଷ୍ଠକାଠିନ୍ୟକୁ ଭଲ କରିବାରେ ସହାୟକ ହୋଇଥାଏ। ଏଣୁ କୋଷ୍ଠକାଠିନ୍ୟର ଶିକାର ବ୍ୟକ୍ତିମାନେ ନିଜ ଖାଇବାରେ କଞ୍ଚା ଅମୃତଭଣ୍ଡାକୁ ନିଶ୍ଚିତ ସାମିଲ କରନ୍ତୁ। ଆଧାର - "odishareporter.in"