ଉପକ୍ରମ ପ୍ରବଳ ଖରା ପରେ ବର୍ଷାଋତୁର ଆଗମନକୁ ସମସ୍ତେ ଅପେକ୍ଷା କରି ରହିଥା’ନ୍ତି । ଜଳଦାନ କରିବା ସହ ବିଭିନ୍ନ ସଂକ୍ରାମକ ରୋଗ ସଙ୍ଗରେ ନେଇ ଆସିଥାଏ ଏହି ଋତୁ । ଏହି ସଂକ୍ରାମକ ରୋଗଗୁଡିକରେ ସାଧାରଣତଃ ଶିଶୁମାନେ ଅଧିକ ପ୍ରଭାବିତ ହୁଅନ୍ତି । ବର୍ଷାଋତୁରେ ଦେଖାଦେଉଥିବା ସଂକ୍ରାମକ ରୋଗଗୁଡିକ ହେଲା : ସିଜନାଲ୍ ଫ୍ଲୁ, କମନ୍ କୋଲ୍ଡ, ତରଳ ଝାଡାବାନ୍ତି, ଲାଳରକ୍ତ ଝାଡା, ଆମାଶୟ, ଜଣ୍ଡିସ୍, ଟାଇଫଏଡ, ଡେଙ୍ଗୁ, ମ୍ୟାଲେରିଆ, ଫ୍ୟାଲେରିଆ । ଓଡିଶାରେ ଗତ ୩/୪ ବର୍ଷ ଧରି ଟିଙ୍କଜାତୀୟ ପୋକ କାମୁଡିବା ଦ୍ଵାରା ମଧ୍ୟ ସ୍କ୍ରବ ଟାଇଫସ୍ ଏହି ଋତୁରେ ହୋଇଥାଏ । ଚର୍ମ ଓ ଶ୍ଵାସର ଆଲର୍ଜି ଅଧିକତର ଏହି ଋତୁରେ ଦେଖାଯାଏ । ଅତ୍ୟଧିକ ଆରଦ୍ରତା ଯୋଗୁ ଚର୍ମର ଫଙ୍ଗାଲ୍ ଇନ୍ ଫେକ୍ସନ ହୋଇଥାଏ । ରୋଗଗୁଡିକର ସାଧାରଣ ଲକ୍ଷଣ ଓ ଏହାର ପ୍ରତିକାର ସମ୍ପର୍କରେ ସିଜନାଲ୍ ଫ୍ଲୁ ଏହା ସାଧାରଣତଃ ନିଃଶ୍ଵାସ ପ୍ରଶ୍ଵାସ ଦ୍ଵାରା ବ୍ୟାପିଥାଏ । ଭାଇରସ୍ ଦ୍ଵାରା ଏହି ରୋଗ ହୋଇଥାଏ । ଜ୍ଵର, ଛିଙ୍କ, ଥଣ୍ଡା, ମୁଣ୍ଡବିନ୍ଧା, ଗୋଡହାତ ବିନ୍ଧା ଏବଂ ହାଲିଆ ଲାଗିବା ଏହି ରୋଗର ଲକ୍ଷଣ । କମନ୍ କୋଲ୍ଡ ସାଧାରଣତଃ ୩-୫ ଦିନ ମଧ୍ୟରେ ଭଲ ହୋଇଯାଏ । ଉତ୍ତମ ଖାଦ୍ୟ, ଓଆରଏସ୍ ପାଣି, ବିଶ୍ରାମ ଓ ପାରାସିଟାମଲଏବଂ ସାଧାରଣ ଥଣ୍ଡା ଔଷଧରେ ଏହି ରୋଗ ଭଲ ହୋଇଥାଏ । ଏଥିରେ କୌଣସି ଆଣ୍ଟିବାଇଟିକ୍ ର ଆବଶ୍ୟକତା ନାହିଁ । ସିଜନାଲ୍ ଫ୍ଲୁ କିନ୍ତୁ ପୁଷ୍ଟିହୀନ ଓ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ପିଲାଙ୍କ ପାଇଁ ମାରାତ୍ମକ ହୋଇପାରେ । ଏହି ରୋଗର ଲକ୍ଷଣ ଦେଖାଦେଲେ ତୁରନ୍ତା ଶିଶୁ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ୍ । ପ୍ରତିକାର ମୁହଁ ବା ନାକରେ ହାତ ଲଗାଇବା ପୂର୍ବରୁ ହାତସଫା କରନ୍ତୁ । ଘର ଭିତରକୁ ମୁକ୍ତ ବାୟୁ ଚଳାଚଳ ଓ ସୂର୍ଯ୍ୟକିରଣ ଆସିବାକୁ ଦିଅନ୍ତୁ । ଥଣ୍ଡା, କାଶରେ ସଂକ୍ରମିତ ବ୍ୟକ୍ତି ପିଲାକୁ ଧରନ୍ତୁ ନାହିଁ । ପିଲାର ମୁହଁକୁ ଚାହିଁ ଛିଙ୍କ କିମ୍ବା କାଶନ୍ତୁ ନାହିଁ । ସିଜନାଲ୍ ଫ୍ଲୁ ପାଇଁ ଫ୍ଲୁଟିକା ପ୍ରତିବର୍ଷ ବର୍ଷାଋତୁ ପୂର୍ବରୁ ନେଇପାରିବେ । ଅତିକମ୍ ବୟସର ଶିଶୁ, ଆଲର୍ଜି ଓ ପୁଷ୍ଟିହୀନ ପିଲାଙ୍କ ପାଇଁ ଏହା ନିହାତି ଜରୁରୀ । ତରଳ ଝାଡା ଓ ଲାଳରକ୍ତ ଝାଡା ଏହା ସାଧାରଣତଃ ଦୂଷିତ ଜଳ ଓ ଖାଦ୍ୟ ଦ୍ଵାରା ବ୍ୟାପିଥାଏ । ଏହାର ଲକ୍ଷଣ ଜ୍ଵର, ପତଳା ଝାଡା, ବାନ୍ତି, କମ୍ ପରିସ୍ରା, ପେଟ ଫମ୍ପାଇବା । ଏଥିରେ ଶରୀରର ଜଳୀୟ ଅଂଶ କମିବା ଦ୍ଵାରା କିଡନୀ ଉପରେ ପ୍ରଭାବ ପଡିଥାଏ । ଓଆରଏସ୍ ବାରମ୍ବାର ଅଳ୍ପ ଅଳ୍ପ ପରିମାଣରେ ପିଇ ଜଳୀୟ ଅଂଶ ବଜାୟ ରଖିବା ଏହି ରୋଗର ମୁଖ୍ୟ ଚିକିତ୍ସା । ଲାଳରକ୍ତ ଝାଡ଼ାର ଲକ୍ଷଣ ଜ୍ଵର, ମୁଣ୍ଡବିନ୍ଧା, ପେଟକାଟିବା, ଅଳ୍ପ ଅଳ୍ପ ପରିମାଣରେ ବାରମ୍ବାର ଲାଳରକ୍ତ ଝାଡା ହେବା ସହ ହାଲିଆ ଲାଗିଥାଏ । ଏହା ସାଧାରଣତଃ ବ୍ୟାକ୍ଟେରିଆ ଦ୍ଵାରା ହୋଇଥାଏ । ଓଆରଏସ୍ ଓ ଆଣ୍ଟିବାୟୋଟିକ୍ ଏହାର ମୁଖ୍ୟ ଚିକିତ୍ସା । ଆମାଶୟ ଲକ୍ଷଣ ଜ୍ଵର, ମୁଣ୍ଡବିନ୍ଧା, ବାନ୍ତି, ପେଟକାଟିବା, ଅତି ଦୁର୍ଗନ୍ଧ ଖଇରିଆ ରଙ୍ଗର ଝାଡା (ପ୍ୟାନରୁ ସହଜରେ ନଛାଡିବା) ହୋଇଥାଏ । ଓଆରଏସ୍ ଓ ମେଟ୍ରୋନିଡାଜୋଲ ଏହାର ମୁଖ୍ୟ ଚିକିତ୍ସା । ଟାଇଫଏଡ ଲକ୍ଷଣ ଜ୍ଵର ଧୀରେ ଧୀରେ ଅଧିକରୁ ଅଧିକତର ହେବା, ପେଟ ଫମ୍ପାଇବା, ଜିଭ ଉପରେ ଧଳା ପରସ୍ତ ଦେଖାଦେବା, ଭୋକ ନ ହେବା, ହାଲିଆ ଲାଗିବା, ପିଲାଙ୍କର ସମୟ ସମୟରେ ପତଳା ଝାଡା ହେବା ଏହାର ଲକ୍ଷଣ । ସାଲମେଲା ବ୍ୟାକ୍ଟେରିଆ ଏହାର କାରକ ଜୀବାଣୁ । ସାଧାରଣ ଭାବେ ଜ୍ଵର ୪/୫ ଦିନ ନ ଛାଡିବା ବା ବିନା ଥଣ୍ଡା, କାଶରେ ଜ୍ଵର ଲାଗି ରହିଲେ ଏହି ରୋଗକୁ ସନ୍ଦେହ କରାଯାଏ । ଉତ୍ତମ ଖାଦ୍ୟ, ଓଆରଏସ୍ ଓ ଆଣ୍ଟି ବାୟୋଟିକ୍ କୋର୍ସ ୧୦ – ୧୪ ଦିନ ର୍ହାର ଚିକିତ୍ସା ଅଟେ । ଜଣ୍ଡିସ୍ ସାଧାରଣତଃ ହେପାଟାଇଟସ୍ ‘ଏ’ ବା ‘ଇ’ ଦ୍ଵାରା ଏହା ହୋଇଥାଏ । ଜ୍ଵର ହେବା, ବାନ୍ତି ବାନ୍ତି ଲାଗିବା, ବିଲକୁଲ ଭୋକ ନ ଲାଗିବା, ହାଲିଆ ଲାଗିବା, ପରିସ୍ରା ହଳଦିଆ ହେବା, ଧୀରେ ଧୀରେ ଆଖି ଓ ଦେହ ହଳଦିଆ, ଡାହାଣପଟ ପେଟ କାଟିବା ଓ ଦରଜ ହେବା ଏହି ରୋଗର ଲକ୍ଷଣ । ଏହାର କୌଣସି ନିର୍ଦ୍ଧିଷ୍ଟ ଚିକିତ୍ସା ନାହିଁ । ବିଶ୍ରାମ, ଗ୍ଲୁକୋଜ ପାଣି, କମ୍ ପ୍ରୋଟିନ ଓ ସ୍ନେହସାରଯୁକ୍ତ ଖାଦ୍ୟ, ଭିଟାମିନ୍ ଏହାର ସଫଳ ଚିକିତ୍ସା । ଅତ୍ୟଧିକ ଶୋଇ ରହିବା ଓ ରାତିରେ ନିଦ ନ ହେବା, ଦେହ ଅତ୍ୟଧିକ ହଳଦିଆ ହେବା ଓ ଅତ୍ୟଧିକ ବାନ୍ତି ରୋଗ ମାରାତ୍ମକ ଦିଗରେ ଗତି କରୁଥିବାର ଲକ୍ଷଣ । ଏଥିରେ ପିଲାକୁ ହସ୍ପିଟାଲରେ ରଖି ଚିକିତ୍ସା କରିବା ଉଚିତ୍ । ମ୍ୟାଲେରିଆ ବିନା ଥଣ୍ଡା କାଶରେ ଜ୍ଵର ହେବା, ମୁଣ୍ଡ ବିନ୍ଧିବା, ବାନ୍ତି ହେବା, ଶୀତକମ୍ପ ହୋଇ ଜ୍ଵର ଆସିବା ଆଦି ମ୍ୟାଲେରିଆ ସାଧାରଣତଃ ଶିଶୁମାନଙ୍କରଠାରେ ଅଧିକ ମାରାତ୍ମକ ହୋଇଥାଏ । ତେଣୁ ମ୍ୟାଲେରିଆପ୍ରବଣ ଅଞ୍ଚଳରେ ରହୁଥିବା ଶିଶୁର ପ୍ରତ୍ୟକ ଜ୍ଵରରେ ମ୍ୟାଲେରିଆ ପରୀକ୍ଷା କରାଇନେବା ଉଚିତ୍ । ଡେଙ୍ଗୁ ଅଧିକ ଜ୍ଵର ହେବା, ମୁଣ୍ଡ ଅତ୍ୟଧିକ ବିନ୍ଧା, ଗୋଡହାତ ଓ ଅଣ୍ଟା ବିନ୍ଧା, ଜ୍ଵରର ପ୍ରଥମ ଦିନରୁ ଅଧିକ ହାଲିଆ ଲାଗିବା, ବାନ୍ତି ଲାଗିବା, ଦେହରେ ଲାଲ୍ ଲାଲ୍ ଛୋଟ ଛୋଟ ଦାଗ ଦେଖାଯିବା ଏହାର ଲକ୍ଷଣ । ଏହାର କୌଣସି ନିର୍ଦ୍ଧିଷ୍ଟ ଚିକିତ୍ସା ନାହିଁ । ଓଆରଏସ୍ ଓ ପାରାସିଟାମଲ୍ ଏହାର ମୁଖ୍ୟ ଚିକିତ୍ସା । ସାଧାରଣତଃ ୪/୫ ଦିନ ପରେ ଏହା ମାରାତ୍ମକ ରୂପ ନେଇପାରେ । ତେଣୁ ବିନା ଥଣ୍ଡାକାଶରେ ପ୍ରବଳ ମୁଣ୍ଡବିନ୍ଧା ସହ ଜ୍ଵର ଓ ବାନ୍ତି ହେଉଥିଲେ ମ୍ୟାଲେରିଆ ଓ ଡେଙ୍ଗୁ ପରୀକ୍ଷା କରାଇ ନେବା ଉଚିତ୍ । ସ୍କ୍ରବ ଟାଇଫସ୍ ଏହା ଅତିକ୍ଷୁଦ୍ର (ଖାଲି ଆଖିକୁ ଦେଖାଯାଉ ନ ଥିବା) ଟିଙ୍କଜାତୀୟ ପୋକ କାମୁଡିବା ଦ୍ଵାରା ହୋଇଥାଏ । ଜ୍ଵର ଧୀରେ ଧୀରେ ବଢିବା ଓ ଯକୃତ ବଢିବା ଶରୀରରେ ସିଗାରେଟ ଚେଙ୍କା ପରି ପୋକ ବା ଦାଗ ଦେଖାଯିବା ଏବଂ କୌଣସି କମନ୍ ଆଣ୍ଟିବାୟୋଟିକ୍ ଏହି ଜୀବାଣୁ ଉପରେ କାଟୁ ନ କରିବା ଏହି ରୋଗର ଲକ୍ଷଣ । ଆଜିଥ୍ରୋମାଇସିନ ଓ ଡକ୍ସିସାଇକ୍ଲିନ ଏହି ରୋଗପାଇଁ ଉପଯୁକ୍ତ ଆଣ୍ଟିବାୟୋଟିକ୍ । ଉପଯୁକ୍ତ ସମୟରେ ରୋଗ ଚିହ୍ନଟ ଓ ଚିକିତ୍ସା ନ କଲେ ଏହି ଜୀବାଣୁ ମଣିଷର ସବୁ ଅଙ୍ଗକୁ ପ୍ରଭାବିତ ଓ ନିଷ୍କ୍ରିୟ କରିପାରେ । ଆଲର୍ଜି ଓ ଆଜମା ବର୍ଷାଋତୁ ଆରମ୍ଭ ହେବାର ୧୦-୧୫ ଆଗରୁ ଆଣ୍ଟି ଆଲର୍ଜିକ ଔଷଧ ବ୍ୟବହାର କରନ୍ତୁ । ଯଥା :- ମଣ୍ଟେଲ୍ୟୁକାଷ୍ଟ ଆଲର୍ଜିର ଉପଶମ ପାଇଁ ହିନହେଲର, କଫ୍ ସିରଫ, ସ୍କିନ ଲୋଶନ ନିଜ ପାଖରେ ରଖନ୍ତୁ ଓ ଏହାର ଉପଯୁକ୍ତ ବ୍ୟବହାର କରନ୍ତୁ । ଅତି ଥଣ୍ଡାପାଣିରେ ଗାଧୋଇବା ଥଣ୍ଡା, ପାନୀୟ, ଆଇଷକ୍ରିମ ଆଦି ଖାଇବା ଓ ବର୍ଷାରେ ଭିଜିବା ଆଡିକୁ ଆଭଏଡ କରନ୍ତୁ । ଚର୍ମରୋଗ ଯାଦୁ, ଫୁଲଛଉ ଏହି ସମୟରେ ଅଧିକ ହୋଇଥାଏ । ଶୁଖିଲା ପୋଷାକ ପିନ୍ଧିବା, ପ୍ରତିଦିନ ଗାଧୋଇବା, ଝାଳ ପୋଛିବା ସଙ୍ଗେ ସଙ୍ଗେ ବଦଳାଇଲେ ଏହା ହୁଏ ନାହିଁ । ପିଲାଙ୍କ ଶରୀରର ଭାଙ୍ଗକୁ ସଫା ଶୁଖିଲା ରଖନ୍ତୁ । ଟରବେନାଫିନ, କ୍ଲୋଟ୍ରିମାଜୋଲ କ୍ରିମ କିମ୍ବା ଡଷ୍ଟିଙ୍ଗ ପାଉଡର ଏହାର ଚିକିତ୍ସା ପାଇଁ ବ୍ୟବହାର କରାଯାଇପାରେ । ଉପରୋକ୍ତ ରୋଗଗୁଡିକ ପାଇଁ ସାଧାରଣ ପ୍ରତିକାର ଫ୍ରିକୁଏଣ୍ଟ ହ୍ୟାଣ୍ଡ ୱାସିଂ (ବାରମ୍ବାର ହାତ ଧୋଇ ସଫା କରିବା) ଗାଧୋଇବା ପାଇଁ ସାଧାରଣ ଆଣ୍ଟିସେପ୍ଟିକଡେଟଳ କିମ୍ବା ସାଭଲନ୍ ସୋପ୍ ବା ନିମ୍ ସୋପ୍ ର ବ୍ୟବହାର ଫୁଟାପାଣି ପିଇବା, ସଦ୍ୟ ପ୍ରସ୍ତୁତ ଘରରନ୍ଧା ଖାଇବା । ଘର ଓ ଘରର ଚତୁଃପାର୍ଶ୍ଵ ପରିଷ୍କାର ପରିଚ୍ଛନ୍ନ ରଖିବା । ମଶାରି ଲଗାଇ ଶୋଇବା । ବାହାରେ ଖେଳିଲେ , ପାର୍କ ଆଦି ଗଲେ ଫୁଲ୍ ସାର୍ଟ ବା ଫୁଲ୍ ପ୍ୟାଣ୍ଟ ପିନ୍ଧିବା ବର୍ଷା ଋତୁ ଆରମ୍ଭରେ ପ୍ରତିବର୍ଷ ଫ୍ଲୁ ଟିକା ନେବା ଯେଉଁ ଶିଶୁମାନେ ହେପାଟାଇଟିସ୍ ଏ, ଟାଇଫଏଡ ଟିକା ନେବା ଉଚିତ୍ । ବିଶେଷ ଦ୍ରଷ୍ଟବ୍ୟ ମ୍ୟାଲେରିଆ ଓ ଡେଙ୍ଗୁର କୌଣସି ନିର୍ଦ୍ଧିଷ୍ଟ ଟିକା ନାହିଁ । ଏହା ଜଲ୍ଦି ମାରାତ୍ମକ ରୂପ ଧାରଣ କରେ । ତେଣୁ ଏଥିପ୍ରତି ସତର୍କ ରହିବା ଜରୁରୀ । ବର୍ଷାଦିନେ ପିଲାର ସ୍ୱାସ୍ଥ୍ୟ ସାଧାରଣତଃ ବର୍ଷାଦିନେ ପିଲାମାନଙ୍କୁ ଥଣ୍ଡା, ଜ୍ଵର, କାଶ, ଝାଡାବାନ୍ତି ପରି ସମସ୍ୟା ଦେଖାଦେଇଥାଏ । ଏହି ସମୟରେ ମା’ ମାନେ କିପରି ସତର୍କ ରହିବା ଦରକାର ସେ ସମ୍ପର୍କରେ – ବର୍ଷାଦିନେ ଜଣ୍ଡିସ୍ ବା ଡାଇରିଆ ଖୁବ ଶୀଘ୍ର ବ୍ୟାପିଥାଏ । ପିଲାଙ୍କୁ ପାଣି ଫୁଟାଇ ପିଇବାକୁ ଦେବା ସହ ବାହାର ଖାଦ୍ୟ ଯେପରିକି ଦହିବରା, ଗୁପଚୁପ୍ ଆଦି ଖାଇବାକୁ ଦିଅନ୍ତୁ ନାହିଁ । ଘର ଚାରିପଟେ ପାଣି ଜମାହୋଇ ରହିଲେ ମଶା ବଂଶ ବୃଦ୍ଧି ହୋଇଥାଏ । ତେଣୁ ସେସବୁ ସ୍ଥାନକୁ ପରିଷ୍କାର ରଖନ୍ତୁ । ଘର ଚତୁଃପାର୍ଶ୍ଵରେ କୌଣସି ଭଙ୍ଗା ଟିଣ ସାମଗ୍ରୀ ରଖନ୍ତୁ ନାହିଁ । କାରଣ ଏଥିରେ ପାଣି ଜମି ରହିବା ଦ୍ଵାରା ଖୁବ ଶୀଘ୍ର ମଶା ବୃଦ୍ଧି ପାଇଥାନ୍ତି । ଡେଙ୍ଗୁ ଜ୍ଵର ମାରାତ୍ମକ ହୋଇଥିବାରୁ ସଚେତନ ରହିବା ଆବଶ୍ୟକ । ଏହି ଦିନେ ଥଣ୍ଡା, ଜ୍ଵର, କାଶ ଝାଡାବାନ୍ତି ହୋଇଥାଏ । ଏଥିପ୍ରତି ସଚେତନ ରହିବା ଆବଶ୍ୟକ । ଏହିଦିନେ ଥଣ୍ଡା, ଜ୍ଵର, କାଶ, ଝାଡାବାନ୍ତି ହୋଇଥାଏ । ଏଥିପ୍ରତି ସଚେତନ ରହିବା ଆବଶ୍ୟକ । କେତେକ ଘର ସନ୍ତସନ୍ତିଆ ରହିବାରୁ ଜୀବାଣୁ ବୃଦ୍ଧି ପାଇଥାଏ । ଘରଦ୍ଵାର ସବୁବେଳେ ସଫାସୁତୁରା ରଖନ୍ତୁ । ପନିପରିବା ଆଣିବା ପରେ ତାକୁ ଭଲଭାବେ ଧୁଅନ୍ତୁ । କାରଣ ଏଥିରେ ବହୁ ଜୀବାଣୁ ରହିଥାଏ । ବର୍ଷାଦିନେ ସାଧାରଣତଃ ଲୁଗାପଟା ଶୀଘ୍ର ସୁଖି ନ ଥାଏ । ଏପରି ପୋଷାକ ପିଲାଙ୍କୁ ପିନ୍ଧାଇଲେ ଶରୀର ଖୁବ ଶୀଘ୍ର ଇନଫେକସନ୍ ହେବାର ଆଶଙ୍କା ଥାଏ। ବର୍ଷାଦିନେ ପିଲାର ସ୍ୱାସ୍ଥ୍ୟ ପାଇଁ ସଚେତନ ବର୍ଷାଦିନେ ଘରକୁ ଶୁଖିଲା ଓ ପରିଷ୍କାର ରଖନ୍ତୁ । ପିଲା ଶୋଇଥିବା ରୁମକୁ ସାଧାରଣ ତାପମାତ୍ରାରେ ରଖନ୍ତୁ । ପିଲାଙ୍କୁ ଉଷୁମ ପାଣିରେ ଗାଧୋଇବାକୁ କୁହନ୍ତୁ । ବର୍ଷାଦିନେ ପିଲାମାନଙ୍କୁ ଆଣ୍ଟିସେପ୍ଟିକ ସାବୁନରେ ଗାଧୋଇ ଦିଅନ୍ତୁ । ଏହାଦ୍ଵାରା ଶରୀର ଜୀବାଣୁମୁକ୍ତ ରହିବା ସହ ସେମାନଙ୍କୁ ଫ୍ରେଶ୍ ଲାଗିଥାଏ । ପିଲା ସୋଇଥିବା ବେଡରେ ମଶାରୀ ଟାଣନ୍ତୁ । ସନ୍ଧ୍ୟାହେଲେ ପିଲାମାନଙ୍କ ରୁମର କବାଟ ବନ୍ଦ କରି ଦିଅନ୍ତୁ । ଏହାଦ୍ଵାରା ମଶା କିମ୍ବା ଅନ୍ୟ କୀଟପତଙ୍ଗ ଘର ଭିତରକୁ ପଶି ପାରିବେ ନାହିଁ । ମଶାରୁ ବର୍ତ୍ତିବା ପାଇଁ ଏହିଦିନେ ଝରକାରେ ଜାଲି ଲଗାନ୍ତୁ। ଘରେ ଥଣ୍ଡା,ଜ୍ଵର ଓ ବାନ୍ତି ଔଷଧ ଷ୍ଟକ ରଖନ୍ତୁ । ଏହା କେତେ ଥର ଦିଆହେବ ସେ ବିଷୟରେ ଯଦି ଜାଣି ନାହାନ୍ତି ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଏପରି ପରିସ୍ଥିତିରେ ପ୍ରାଥମିକ ଚିକିତ୍ସା (ଘରେ) ପରେ ଡାକ୍ତରଙ୍କ ନିକଟକୁ ନେଇଯାଆନ୍ତୁ । ଯେ ପିଲାର ସ୍ୱାସ୍ଥ୍ୟ ପରୀକ୍ଷା କରି ଯେଉଁ ଔଷଧ ଖାଇବାକୁ ପରାମର୍ଶ ଦେବେ ତାହାକୁ ଅକ୍ଷରେ ଅକ୍ଷରେ ମାନନ୍ତୁ । ବର୍ଷାଦିନେ ଘରେ ଏସି ବ୍ୟବହାର କରନ୍ତୁ ନାହିଁ । ଏହା ରୁମର ତାପମାତ୍ରାକୁ କମ ରଖିଥାଏ । ଘରେ ପିଲା ଶୋଇଥିବା ରୁମରେ କଏଲ ବ୍ୟବହାର କରିବା ପରିବର୍ତ୍ତେ ମଶାରୀ ଟାଣନ୍ତୁ । ପୋଷାକ ଯଦି ଆଂଶିକ ଓଦା ରହିଛି ତେବେ ତାହାକୁ ପିଲାଙ୍କୁ ପିନ୍ଧିବାକୁ ଦିଅନ୍ତୁ ନାହିଁ । ବେଳେବେଳେ ଏହା ଇନଫେକସନର କାରଣ ହୋଇଥାଏ । ପିଲାର ପାଦକୂ ପରିଷ୍କାର ଏବଂ ଶୁଖିଲା ରଖନ୍ତୁ । ଏହିଦିନେ ଯେତେସମ୍ଭବ ଉଷୁମ ତଥା ତଟକା ଖାଦ୍ୟ ପିଲାଙ୍କୁ ଦିଅନ୍ତୁ । ଯେପରିକି ଗରମ ସୁପ୍, ଗରମ କ୍ଷୀର ଇତ୍ୟାଦି । ପିଲାର ବ୍ୟାଗ, ରେନକୋଟ୍, ଖେଳଣାକୁ ଶୁଷ୍କ ଏବଂ ପରିଷ୍କାର ରଖନ୍ତୁ । ଏହିଦିନ ଘରର ଚତୁଃପାର୍ଶ୍ଵକୁ ପରିଷ୍କାର ରଖନ୍ତୁ । ବଡ ବଡ ବୃକ୍ଷର ଡାଳ ଗୁଡିକୁ କାଟି ଦିଅନ୍ତୁ । କୌଣସି ସ୍ଥାନରେ ପାଣି ଜମି ରହିବାକୁ ଦିଅନ୍ତୁ ନାହିଁ । ଏହାଦ୍ଵାରା ମଶାବଂଶ ବୃଦ୍ଧି ପାଇଥାଏ । ଆପଣ ଚାହିଁଲେ ପିଲାଙ୍କୁ ମଶା ନ କାମୁଡିବା ପାଇଁ ମିଳୁଥିବା କ୍ରିମ ଲଗାଇ ଦିଆନ୍ତୁ କିମ୍ବା ମଶା ନ ହେବା ପାଇଁ ମିଳୁଥିବା ଲିକୁଇଡ୍ ଘରେ ଲଗାନ୍ତୁ । ଏହିଦିନେ ଟାଇଫଏଡ ବହୁତ ଶୀଘ୍ର ହୋଇଥାଏ । ଏଥିପ୍ରତି ସଚେତନ ରୁହନ୍ତୁ । ଯେତେ ସମ୍ଭବ ପିଲାକୁ ବାହାର ଖାଦ୍ଯ ଦିଅନ୍ତୁ ନାହିଁ । ଘରେ ପ୍ରସ୍ତୁତ ଖାଦ୍ୟ ପିଲାର ସ୍ୱାସ୍ଥ୍ୟ ପାଇଁ ଉତ୍ତମ । ଅଦା, ହଳଦୀ ପରି ହରବାଲ୍ ଜାତୀୟ ଜିନିଷ ପିଲାର ଖାଦ୍ୟ ତାଲିକାରେ ସାମିଲ କରନ୍ତୁ । ସେମାନଙ୍କୁ ଫଳ ମୂଳ ଖାଇବାକୁ ଦେବା ପୂର୍ବରୁ ସେଗୁଡିକୁ ଭଲଭାବେ ଧୁଅନ୍ତୁ । ପ୍ରସ୍ତୁତ ହୋଇ ଦୀର୍ଘ ସମୟ ଧରି ରହିଥିବା ଖାଦ୍ୟକୁ ଭଲଭାବରେ ଗରମ କରି ଖାଇବାକୁ ଦିଅନ୍ତୁ । ବର୍ଷାଦିନେ ଦହି ଲସି ଆଦି ପିଲାକୁ ଖାଇବାକୁ ଦିଅନ୍ତୁ ନାହିଁ । ପିଲାଙ୍କୁ ପ୍ରଚୁର ପାଣି ପିଇବାକୁ କୁହନ୍ତୁ । ବର୍ଷାଦିନେ ପାଣି ଏବଂ କାଦୁଅରେ ଅନେକ ପିଲା ଖେଳିବାକୁ ପସନ୍ଦ କରିଥାନ୍ତି । ଯଥା ସମ୍ଭବ ଏଥିରୁ ପିଲାଙ୍କୁ ଦୂରେଇ ରଖନ୍ତୁ । ପିଲା ବାହାରେ ଖେଳି ସାରି ଘରକୁ ଫେରିଲେ ଅପରିଷ୍କାର ହୋଇଥିବା କପଡାକୁ ସଙ୍ଗେ ସଙ୍ଗେ ବଦଳାଇ ସେମାନଙ୍କୁ ଭଲ ଭାବେ ଧୋଇ ଦିଅନ୍ତୁ । ଓଦା ଥିବା ଜୋତା କିମ୍ବା ମୋଜା ପିନ୍ଧିଲେ ଜୀବାଣୁ ସଂକ୍ରମଣ ହେବାର ଆଶଙ୍କା ଥାଏ । ତେଣୁ ଯେତେ ସମ୍ଭବ ମୋଜା ଓ ଜୋତାକୁ ଶୁଷ୍କ ରଖନ୍ତୁ । ଲେଦର ଚପଲ ବଦଳରେ ବର୍ଷାଦିନେ ଚପଲ ପିନ୍ଧିବାକୁ କୁହନ୍ତୁ । ପିଲା ନଖ କାମୁଡୁଥିଲେ ଏଥିରୁ ସେମାନଙ୍କୁ ବାରଣ କରନ୍ତୁ କାରଣ ଏହାଦ୍ୱାରା ପିଲାର ନଖରେ ଥିବା ସମସ୍ତ ମଇଳା ପେଟକୁ ଯାଇଥାଏ ଏବଂ ବିଭିନ୍ନ ରୋଗ ସୃଷ୍ଟି କରିଥାଏ । ସମସ୍ତ ଖାଦ୍ୟକୁ ଘୋଡାଇ ରଖନ୍ତୁ । ସଂଗୃହୀତ – ଡା. ସ୍ଵର୍ଣ୍ଣଲତା ଦାସ ସ୍ୱାସ୍ଥ୍ୟ ବିଭାଗ