ଖାଦ୍ୟ ଶରୀରର ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଆବଶ୍ୟକ ଉପାଦାନ ବିଭିନ୍ନ ଖାଦ୍ୟରୁ ମିଳିଥାଏ । ତେଣୁ ଉତ୍ତମ ଖାଦ୍ୟ ଆମ ଜୀବନ ଧାରଣ ପାଇଁ ଏକାନ୍ତ ଆବଶ୍ୟକ । ଖାଦ୍ୟ ଏବଂ ଏଥିରେ ଥିବା ବିଭିନ୍ନ ଆବଶ୍ୟକୀୟ ଉପାଦାନ ଗୁଡିକୁ ଆମେ ପୁଷ୍ଟି ବା ପୋଷଣ ବୋଲି କହିଥାଉ । ଖାଦ୍ୟ ଏବଂ ଖାଦ୍ୟ ସମ୍ବନ୍ଧୀୟ ବିଭିନ୍ନ ଦିଗର ତର୍ଜମା ପାଇଁ ପୃଷ୍ଟି ବା ପୋଷଣ ଆବଶ୍ୟକ । ଆମ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ଏବଂ ପୋଷଣ ଜନିତ ଜ୍ଞାନ ଏକାନ୍ତ ଆବଶ୍ୟକ । ଖାଦ୍ୟର ଚାରୋଟି କାର୍ଯ୍ୟ ଆମେ ଖାଉଥିବା ଖାଦ୍ୟ ଶରୀର ପାଇଁ ମୁଖ୍ୟତଃ ଚାରୋଟି କାର୍ଯ୍ୟ କରିଥାଏ । ସେଗୁଡିକ ହେଲା – ଶକ୍ତି ଯୋଗାଇବା ଶରୀର ବିଭିନ୍ନ କାର୍ଯ୍ୟ ଯଥା ଚାଲିବା, ବୁଲିବା, ଘରକାର୍ଯ୍ୟ କରିବା ପ୍ରଭୃତି ବାହ୍ୟ କାର୍ଯ୍ୟ ଏବଂ ଶ୍ଵାସକ୍ରିୟା ସଂଚାଳନ ପ୍ରକ୍ରିୟା, ଏଭଳି ଅନେକ ଆଭ୍ୟନ୍ତରୀଣ କାର୍ଯ୍ୟ ପାଇଁ ଶକ୍ତିର ଆବଶ୍ୟକତା ରହିଛି । କେତେକ ଖାଦ୍ୟ ମାଧ୍ୟମରେ ଶରୀର ଏହି ଆବଶ୍ୟକୀୟ ଶକ୍ତିର ଭରଣା କରିଥାଏ । ସେହି ଖାଦ୍ୟ ଗୁଡିକୁ ଶକ୍ତିଦାୟକ ଖାଦ୍ୟ ବୋଲି କୁହାଯାଏ । ଶ୍ଵେତସାର ଏବଂ ଚର୍ବିଜାତୀୟ ଖାଦ୍ୟରୁ ଆମ ଶରୀରକୁ ଶକ୍ତି ମିଳିଥାଏ । ଶରୀର ଗଠନରେ ସାହାଯ୍ୟ କରିବା ଶରୀର ଗଠନ ସାଧାରଣତଃ ଦୁଇଟି ପ୍ରକ୍ରିୟାକୁ ବୁଝାଇଥାଏ । ପ୍ରଥମଟି ହେଲା - ଶରୀର ବୃଦ୍ଧି ହେବା ଏବଂ ଦ୍ଵିତୀୟଟି ହେଲା - ପରିପକ୍ଵ ହୋଇ ନଷ୍ଟ ହୋଇଯାଉଥିବା ଜୀବକୋଷ ବଦଳରେ ନୂତନ ଜୀବକୋଷର ସୃଷ୍ଟିହେବା । ଆମ ଶରୀରରେ ଥିବା ଅସଂଖ୍ୟ ଜୀବକୋଷର ସୃଷ୍ଟି ଏବଂ ବିଲୟ ଚାଲିଛି । ଯେଉଁ ଜୀବକୋଷ ଗୁଡିକୁ ନେଇ ଆମର ସମ୍ପୂର୍ଣ୍ଣ ଶରୀର ଗଠନ ହୋଇଛି ଏବଂ ସମୟାନୁକ୍ରମେ ସେହି ଜୀବକୋଷ ଗୁଡିକରୁ କେତେକ ମରିଯାଆନ୍ତି/ ନଷ୍ଟ ହୋଇଯାଆନ୍ତି/ନଷ୍ଟ ହୋଇଯାଉଥିବା / ମରିଯାଇଥିବା ଜୀବକୋଷ ଗୁଡିକ ସ୍ଥାନରେ ନୂଆ ଜୀବକୋଷ ଗୁଡିକର ସୃଷ୍ଟି ହୋଇଥାଏ । ଯଦ୍ୱାରା ଶରୀରର କ୍ଷୟଭରଣା ହୁଏ ଏବଂ ଏହାର ବିକାଶ ହୁଏ । ସଂକ୍ରମଣରୁ ରକ୍ଷା କରିବା ଶରୀରର ଉପଯୁକ୍ତ ପରିଚାଳନା ପାଇଁ ଏହାକୁ ସଂକ୍ରମଣରୁ ରକ୍ଷା କରିବା ଦରକାର । ପ୍ରତି ମୁହୁର୍ତ୍ତ୍ଵରେ ଶରୀରକୁ ବାହ୍ୟ ସଂକ୍ରମଣର ଆଶଙ୍କା ରହିଛି । ଶରୀରରେ ଥିବା ପ୍ରତିରୋଧକ କ୍ଷମତା ଏହି ସଂକ୍ରମଣରୁ ରକ୍ଷା କରିଥାଏ ଫଳରେ ଶରୀର ପ୍ରକ୍ରିୟା ସୁଚାରୁରୂପେ ଚାଲିଥାଏ । ଯଦି ଜଣଙ୍କ ଶରୀରରେ କୌଣସି ପ୍ରକାରର ଖାଦ୍ୟସାର ଅଭାବ ଜନିତ ଅସୁସ୍ଥତା ଦେଖାଦିଏ ତେବେ ଆବଶ୍ୟକ ଖାଦ୍ୟସାର ଏହି ଅଭାବ ଏବଂ ଅସୁସ୍ଥତା ଦୂର କରିବାରେ ସହାୟତା ହୁଏ । ଉପଯୁକ୍ତ ଖାଦ୍ୟସାର ପାଉନଥିବା ବ୍ୟକ୍ତିର ଅସୁସ୍ଥତା ଦୂର ହେବା ପାଇଁ ବହୁତ ସମୟ ଲାଗିଥାଏ। ଶରୀରର କାର୍ଯ୍ୟ ପରିଚାଳନାରେ ସହାୟକ ହେବା ଖାଦ୍ୟରୁ ମିଳୁଥିବା ବିଭିନ୍ନ ଉପାଦାନ ଶରୀରର ବିଭିନ୍ନ ପ୍ରକ୍ରିୟାରେ ସହାୟକ ହୁଏ । ଉଦାହରଣ ସ୍ୱରୂପ: ଉତ୍ତାପ ରକ୍ଷା, ହୃଦସ୍ପନ୍ଦନ, ସଞ୍ଚାଳନ ଏବଂ ଅନେକ ରାସାୟନିକ ପ୍ରକ୍ରିୟା ଇତ୍ୟାଦି ଖାଦ୍ୟରୁ ମିଳୁଥିବା ପୋଷଣ ଯୋଗୁଁ ସମ୍ଭବ ହୋଇଥାଏ । ସାମୁଦାୟିକ ଭାବେ ଶରୀର ଖାଦ୍ୟ ଉପରେ ନିର୍ଭରଶୀଳ। ଖାଦ୍ୟକୁ ମୁଖ୍ୟତଃ ତିନୋଟି ଭାଗରେ ବିଭକ୍ତ ଖାଦ୍ୟକୁ ମୁଖ୍ୟତଃ ତିନୋଟି ଭାଗରେ ବିଭକ୍ତ କରାଯାଇଛି । ଶକ୍ତି ପ୍ରଦାନକାରୀ ଖାଦ୍ୟ ଶସ୍ୟ ଜାତୀୟ ଖାଦ୍ୟ : ଚାଉଳ, ଗହମ, ମାଣ୍ଡିଆ, ମକା, ଶାଗୁ । ଅଧିକ ଶ୍ଵେତସାରଯୁକ୍ତ ପରିବା : କଞ୍ଚା କଦଳୀ, କନ୍ଦମୂଳ, ଆଳୁ, ପଣସ ଇତ୍ୟାଦି । ତେଲ ଓ ଚର୍ବି ଜାତୀୟ ଖାଦ୍ୟ। ଚିନି ଓ ଗୁଡ । ଶରୀର ଗଠନକାରୀ ଖାଦ୍ୟ ଦୁଗ୍ଧଜାତୀୟ ଖାଦ୍ୟ । ଡାଲିଜାତୀୟ ଯଥା : ଶୁଖିଲା ମଟର, ବୁଟ, ବିନ୍, ଶିମ୍ବ ଓ ସବୁପ୍ରକାର ଡାଲି । ମାଛ, ମାଂସ ଓ ଅଣ୍ଡା ଏବଂ ଛତୁ। ଶରୀର ସୁରକ୍ଷାକାରୀ ଖାଦ୍ୟ ଫଳ, ଅମୃତଭଣ୍ଡା, ପାଚିଲା କଦଳୀ,ସପେଟା, ଆମ୍ବ , କଦଳୀ, ଲେମ୍ବୁ, ଅଁଳା ଇତ୍ୟାଦି। ଶାଗ ଓ ସବୁଜ ପନିପରିବା ସଜନା ଶାଗ, ଲେଉଟିଆ ଶାଗ, ପାଳଙ୍ଗ ଶାଗ, ପିଆଜ ଶାଗ, ମୂଳା ଶାଗ, ପୋଇଶାଗ ଇତ୍ୟାଦି । ଅନ୍ୟାନ୍ୟ ପନିପରିବା : ସଜନା ଛୁଇଁ, ବାଇଗଣ, କଖାରୁ, ଝୁଡଙ୍ଗ, ଭେଣ୍ଡି, କଲରା, ଗାଜର, ବିଲାତି ବାଇଗଣ ଇତ୍ୟାଦି । ଆଧାର - "ଓଡିଶା ଭଲ୍ୟୁଣ୍ଟାରୀ ହେଲ୍ଥ ଆସୋସିଏସନ"