ଭିଟାମିନ୍ 'ବି' ଅଭାବଜନିତ ରୋଗ କାଉପାଟିଆ ରୋଗ ବା ପାଟିର କଡ଼ ଘା' ଉଭୟ ଉପର ଏବଂ ତଳ ଓଠର କଡରେ ଧଳା/ଗୋରା ଦେଖାଦେଇ ଘା'ହୁଏ । ପାଟି ମେଲାକଲେ କଷ୍ଟ ଲାଗେ । ଏହା ସାଧାରଣତଃ ପିଲାମାନଙ୍କ ଠାରେ ଅଧିକ ଦେଖାଦେଇଥାଏ । ରୋଗର ପ୍ରଭାବରେ ରୋଗୀର ବିଶେଷ କ୍ଷତି ହେଉନଥିବାରୁ ଲୋକେ ଏଥିପାଇଁ ଯତ୍ନବାନ୍ ହୋଇନଥାନ୍ତି । ଜିଭ ଧରିବା : ଏଥିରେ ଜିଭ ଓ ପାଟି ଲାଲ ପଡେ, ଖାଇଲେ ପୋଡାଜଳା ହୁଏ । ଜିଭର ଅଗ୍ରଭାଗରୁ ଆରମ୍ଭ ହୋଇ ତଣ୍ଟି ଆଡକୁ ମଧ୍ୟ ସଂକ୍ରମଣ ବ୍ୟାପିଥାଏ । ସାଧାରଣତଃ ଗର୍ଭବତୀ ମାନେ ଏହାକୁ ଅଧିକ ଭୋଗିଥାନ୍ତି । ଓଠ ଫାଟିବା : ଓଠ ଫାଟିବା ସହିତ ଏହା ଲାଲ ପଡିଥାଏ । ଏପରିକି ଓଠ ଫାଟିଥିବା ବ୍ୟକ୍ତିର ବେଳେ ବେଳେ କ୍ଷୁଧାହାନୀ ଦେଖାଦେଇଥାଏ । ମନେରଖନ୍ତୁ : ଉପରୋକ୍ତ ଅସୁସ୍ଥତା ଗୁଡିକ ରିବୋଫ୍ଲାବିନ୍ ର ଅଭାବ ହେତୁ ହୋଇଥାଏ । ଭିଟାମିନ୍ ‘ବି’ ର ଏକ ଉପାଦାନ ହେଉଛି ରିବୋଫ୍ଲାବିନ୍ । ଉପଚାର ଭିଟାମିନ୍ ‘ବି’ ଥିବା ଖାଦ୍ୟ ପ୍ରଚୁର ପରିମାଣରେ ଖାଆନ୍ତୁ । ଉପରୋକ୍ତ ଅସୁସ୍ଥତା ଭୋଗୁଥିବା ରୋଗୀ ବି-କମ୍ପ୍ଳେକ୍ସ ବଟିକା ଖାଆନ୍ତୁ । (ଚିକିତ୍ସକଙ୍କ ପରାମର୍ଶ ଅନୁଯାୟୀ ) କ୍ଷୀରରେ ଅଧିକ ପରିମାଣର ରିବୋଫ୍ଲାବିନ୍ ଥାଏ । ମନେରଖନ୍ତୁ : ଔଷଧ ପ୍ରୟୋଗ କରିବା ପୂର୍ବରୁ ଅଭିଜ୍ଞ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ । ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଗୋଷ୍ଠୀରେ ଶିକ୍ଷାଦାନ, ବିଭିନ୍ନ ଡାଲିଜାତୀୟ ଖାଦ୍ୟ ଖାଇବା ପାଇଁ ପରାମର୍ଶ ଦେବା ଉଚିତ । ପୂର୍ବ ବର୍ଣ୍ଣନା ଅନୁଯାୟୀ ଯଥେଷ୍ଟ ପରିମାଣ ଭିଟାମିନ୍ – ବି ଥିବା ଖାଦ୍ୟ ଖାଆନ୍ତୁ । ବେରିବେରି ରୋଗ (ଭିଟାମିନ ଅଭାବ) ଭିଟାମିନ୍ ‘ବି’ରେ ଥିବା ଏକ ଉପାଦାନ ଭିଟାମିନ ର ଅଭାବରେ ଏହି ରୋଗ ହୋଇଥାଏ । ଚିହ୍ନ ଓ ଲକ୍ଷଣ ଖୁବ୍ ଧୀରେ ଧୀରେ ରୋଗର ଲକ୍ଷଣ ପ୍ରକାଶ ପାଇଥାଏ । କ୍ଷୁଧାହାନି, ଦୁର୍ବଳତା, ନିମ୍ନାଙ୍ଗ ( ବିଶେଷ କରି ଗୋଡ ) ଭାରି ଲାଗିବା, ଅଳ୍ପ କାମରେ ହାଲିଆ ଲାଗିବା ଇତ୍ୟାଦି ଲକ୍ଷଣ ରୋଗର ପ୍ରାରମ୍ଭରେ ପ୍ରକାଶ ପାଇଥାଏ । ଘୋଳାବିନ୍ଧା, ଫୋଡି ହେଲାଭଳି ଏବଂ ଗୋଡତଳ ବଧିରା ଲାଗେ । ଗୋଡକୁ ସ୍ପର୍ଶକଲେ କିଛି ଜାଣିହୁଏ ନାହିଁ । ଏହି ରୋଗ ଅନେକ ପ୍ରକାରର ହୋଇଥିଲେ ହେଁ ମୁଖ୍ୟତଃ ତିନୋଟି ପ୍ରକାରରେ ଏହାକୁ ଭାଗ କରାଯାଇଥାଏ । ଯଥା : ଓୟେଟ୍ ବେରିବେରି, ଡ୍ରାଏ ବେରିବେରି ଏବଂ ଇନଷ୍ଟାଣ୍ଟ ବେରିବେରି। ଓୟେଟ୍ ବେରିବେରିରେ ଶରୀରରେ ଶରୀରରେ ଜଳୀୟ ଅଂଶ ଅଧିକ ହେବା ସାଙ୍ଗକୁ ହୃଦକ୍ରିୟାଜନିତ ଅନେକ ଅସୁବିଧା ଦେଖାଦିଏ । ଏପରିକି ହୃଦକ୍ରିୟା ବନ୍ଦ ହୋଇଯିବାର ସମ୍ଭାବନା ଥାଏ । ଡ୍ରାଏ ବେରିବେରିରେ ସ୍ନାୟୁବିକ ଦୁର୍ବଳତା ଦେଖାଯାଏ । ଏଥିରେ ରୋଗୀକୁ ଦୁର୍ବଳ ଲାଗେ ଏବଂ ଶେଷକୁ ଶଯ୍ୟାଶାୟୀ ହୋଇଥାଏ । ଇନଷ୍ଟାଣ୍ଟ ବେରିବେରିରେ ମଧ୍ୟ ଶିଶୁ ଦୁର୍ବଳ ହୋଇଯାଏ । ୨ ରୁ ୪ ମାସ ବୟସର ଶିଶୁଙ୍କ ଠାରେ ଏହା ଦେଖାଯିବାର ସମ୍ଭାବନା ଥାଏ । ଯେଉଁ ମା’ର କ୍ଷୀରରେ ଭିଟାମିନ ର ବିଶେଷ ଅଭାବ ଥାଏ ସେହି ମା’ର ଶିଶୁକୁ ଏହିରୋଗ ହେବାର ସମ୍ଭାବନା ଥାଏ । କାରଣ ଭିଟାମିନ ନଥିବା ଖାଦ୍ୟ ଖାଇବା ଦ୍ଵାରା । ଯେଉଁ ଲୋକମାନେ ଚାଉଳକୁ ଅଧିକ ଚିକ୍କଣ କରି ଖାଆନ୍ତି, ସେମାନେ ଭିଟାମିନ ପାଇନଥାନ୍ତି । କାରଣ ଚାଉଳର ଉପର ଚୋପାରେ ଭିଟାମିନ ଥାଏ । ଚୋପା ଛଡାଇ ଚାଉଳକୁ ଚିକ୍କଣ କରିବା ଦ୍ଵାରା ଏହି ଚାଲିଯାଇଥାଏ । ତେଣୁ ଉଷୁନା ଚାଉଳ ଖାଇବା ଉଚିତ । ଯେଉଁ ପଦ୍ଧତି ଦେଇ ଉଷୁନା ଚାଉଳ ପ୍ରସ୍ତୁତ ହୁଏ ତଦ୍ଵାରା ଚାଉଳକୁ ଭିଟାମିନ ଯାଇନଥାଏ ଏବଂ ଉଷୁନା ଚାଉଳ ଖାଉଥିବା ଲୋକେ ସାଧାରଣତଃ ଭିଟାମିନ ଅଭାବ ଜନିତ ରୋଗରେ ପଡିନଥାନ୍ତି । ଚିକିତ୍ସା ଏବଂ ପ୍ରତିଷେଧକ ବ୍ୟବସ୍ଥା ଆବଶ୍ୟକ ସ୍ଥଳେ ରୋଗୀକୁ ଇଞ୍ଜେକ୍ସନ୍ ଦିଆଯାଇଥାଏ । ଏହା ସାଙ୍ଗକୁ ଅନ୍ୟାନ୍ୟ ଔଷଧ ମଧ୍ୟ ଦିଆଯାଇଥାଏ । ପ୍ରତିଷେଧକ ସ୍ୱରୂପ ଉଷୁନା ଚାଉଳର ଭାତ ଖାଇବା, ଚାଉଳକୁ ଅଧିକ ଚିକ୍କଣ ନକରିବା, ଅଧିକ ପରିମାଣରେ ଡାଲିଜାତୀୟ ଖାଦ୍ୟ ଖାଇବା ଏବଂ ଭିଟାମିନ୍ ‘ବି’ଯୁକ୍ତ ସମସ୍ତ ଖାଦ୍ୟ ଖାଇବା । ଭିଟାମିନ୍ ‘ଡି’ ଅଭାବଜନିତ ରୋଗ ଏହି ପ୍ରକାର ଭିଟାମିନ୍ ର ଅଭାବରେ ସାଧାରଣତଃ ‘ରିକେଟ୍’ ଏବଂ ‘ଅଷ୍ଟିଓମାଲାସିଆ ରୋଗ ଦେଖାଦେଇଥାଏ । ରିକେଟ୍ ସାଧାରଣତଃ ପିଲାମାନଙ୍କୁ ଏହିରୋଗ ହୋଇଥାଏ । ଅନେକ ଗୁଡିଏ ଲକ୍ଷଣ ସହିତ ରୋଗ ପ୍ରକାଶ ପାଇଥାଏ । ବିବିଧ ଲକ୍ଷଣ ପିଲାଙ୍କୁ ଅବଶ ଲାଗେ । ମାଂସପେଶୀ ଗୁଡିକ ଆବଶ୍ୟକତା ଅନୁଯାୟୀ ଟାଣ ନହୋଇ ଅତି କୋମଳ ବା ଲତ୍ଲତ୍ ଲାଗେ । ପେଟ ପାଖ ମାଂସପେଶୀ ଗୁଡିକ ଓହଳି ପଡେ । ରିକେଟ୍ ରୋଗରେ ପ୍ରଭାବିତ ପିଲାର ଅଭିବୃଦ୍ଧିରେ ବିଳମ୍ବ ଘଟିଥାଏ । ଯଥା ଡେରିରେ ଦାନ୍ତ ଉଠିବା, ଗୁରୁଣ୍ଡିବା ଇତ୍ୟାଦି। ବଡକଥା ହେଲା ରୋଗର ମୁଖ୍ୟ ପରିବର୍ତ୍ତନ ଗୁଡିକ ହାଡ ସମ୍ଭନ୍ଧୀୟ । ପଞ୍ଜରାର ତଳଆଡେ ଫୁଲିଥାଏ ଏବଂ ଅପ୍ରାକୃତିକ ଦେଖାଯାଏ । ପିଲାଙ୍କ ତାଳୁ ଶୀଘ୍ର ପୁରିନଥାଏ ଏବଂ ଖପୁରୀର ଅସ୍ଥିଗୁଡିକ ଯୋଡି ହେବାରେ ବିଳମ୍ବ ହୁଏ । ଦୁଇ ବର୍ଷରୁ ଅଧିକ ବୟସ ହେଲା ପର୍ଯ୍ୟନ୍ତ ଯଦି ପିଲାକୁ ଏହି ରୋଗ ଲାଗିରହେ ତେବେ ମେରୁହାଡରେ ବିକୃତି ଦେଖାଯାଇପାରେ । ଚିକିତ୍ସା ଏବଂ ପ୍ରତିଷେଧକ ବ୍ୟବସ୍ଥା ଆବଶ୍ୟକ ପରିମାଣର କ୍ୟାଲସିୟମ୍ ଖାଇବା । ଭିଟାମିନ୍ ‘ଡି’ ମିଳୁଥିବା ଖାଦ୍ୟ ଯାହାକି ଭିଟାମିନ୍ ‘ଏ’ ମଧ୍ୟ ଯୋଗାଇଥାଏ, ସେହି ଖାଦ୍ୟ ଖାଇବା । କଲିଜା, ମାଛତେଲ, ଅଣ୍ଡା କେଶର ଏବଂ ଦୁଗ୍ଧ ଖାଇବା । ଭିଟାମିନ୍ ‘ସି’ ଅଭାବଜନିତ ରୋଗ (ସ୍କର୍ଭି ) ଆବଶ୍ୟକ ମାତ୍ରାରେ ଭିଟାମିନ୍ ‘ସି’ ଶରୀରକୁ କୌଣସି କାରଣରୁ ନଯାଇପାରିଲେ ସ୍କର୍ଭି ରୋଗ ହୋଇଥାଏ । ଅଧିକ ଦିନ ପର୍ଯ୍ୟନ୍ତ ସଦ୍ୟ ଓ ତଟକା ଫଳ ନଖାଇଲେ ଏହି ରୋଗ ଦେଖାଦିଏ । ବିବିଧ ଲକ୍ଷଣ ଦାନ୍ତ ମାଢି ଫୁଲି ଦଲଦଲିଆ ହୋଇ ସେଥିରୁ ରକ୍ତ ବାହାରେ । ବିଶେଷ ଭାବେ ଦାନ୍ତ ସନ୍ଧିରେ ମାଢି ଫୁଲିଥାଏ । ଏପରିକି ଅଳ୍ପ ଚାପରେ ମଧ୍ୟ ସେଥିରୁ ରକ୍ତ ବାହାରିଥାଏ । ମାଢିରେ ମଧ୍ୟ ସଂକ୍ରମଣ ଥାଇପାରେ । ଆଣ୍ଠୁ ଉପରକୁ ଜଙ୍ଘ ଆଡକୁ ଛୋଟ ଛୋଟ ଦାଗ ଦେଖାଯାଏ । ଏହି ଦାଗ ରକ୍ତକ୍ଷରଣ ଯୋଗୁଁ ହୋଇଥାଏ । ରକ୍ତହୀନତା ମଧ୍ୟ ଦେଖାଦେଇପାରେ । ଏପରିକି ଚିକିତ୍ସା ଅଭାବକୁ ମଧ୍ୟ ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇ ରୋଗୀର ମୃତ୍ୟୁ ହୋଇପାରେ । କାରଣ ଅଧିକ ଦିନ ଧରି ସଦ୍ୟ ତଟକା ପାରିବ ଏବଂ ଫଳ ନ ଖାଇବା ହେତୁ ଶରୀରକୁ ଭିଟାମିନ୍ ‘ସି’ ଯାଇପାରେ ନାହିଁ । ଆଉ ଏକ କାରଣ ହେଲା ରନ୍ଧା ହେବାଦ୍ଵାରା ଉତ୍ତାପରେ ଖାଦ୍ୟ ଦ୍ରବ୍ୟରେ ଥିବା ଭିଟାମିନ୍ ‘ସି’ ନଷ୍ଟ ହୋଇଯାଇଥାଏ । ଏଥିପାଇଁ ଆବଶ୍ୟକୀୟ ଭିଟାମିନ୍ ‘ସି’ର ଉପାଦାନ ଶରୀର ପାଇନଥାଏ । ଫଳରେ ସ୍କର୍ଭି ଦେଖାଦେଇଥାଏ । ଚିକିତ୍ସା ଏବଂ ପ୍ରତିଷେଧକ ବ୍ୟବସ୍ଥା ଭିଟାମିନ୍ ‘ସି’ ବଟିକା ଏବଂ ଇଞ୍ଜେକ୍ସନ୍ ଦେଇ ଚିକିତ୍ସା କରାଯାଇଥାଏ । ଭିଟାମିନ୍ ‘ସି’ଯୁକ୍ତ ଖାଦ୍ୟ ଖାଇବା ଦ୍ଵାରା ରୋଗ ଦୂର ହୋଇଥାଏ/ ଆକ୍ରମଣ କରିନଥାଏ। ପୂର୍ବରୁ ଭିଟାମିନ୍ ‘ସି’ ଖାଦ୍ୟର ତାଲିକା ଦିଆଯାଇଛି। ଆଧାର - "ଓଡ଼ିଶା ଭଲ୍ୟୁଣ୍ଟାରୀ ହେଲ୍ଥ ଆମୋସିଏସନ୍"