ଉପକ୍ରମ ଗର୍ଭାବସ୍ଥା ସମୟରେ ଅନେକ ସ୍ତ୍ରୀ ଲୋକଙ୍କ ମୁହଁରେ, ସ୍ତନରେ ତଥା ତଳିପେଟରେ କଳା ବା ବାଦାମୀ ରଙ୍ଗର ଚିହ୍ନମାନ ଦେଖାଦିଏ । ଶିଶୁ ଜନ୍ମ ହେଲା ପରେ ଏହି ଦାଗଗୁଡିକ ଆପେ ଆପେ ଚାଲିଯାଏ, ସମୟେ ସମୟେ କେତେକ ସ୍ତ୍ରୀ ଲୋକଙ୍କଠାରେ ଏହି ଚିହ୍ନଗୁଡିକ ରହିଯାଇପାରେ । ସମୟେ ସମୟେ ଗର୍ଭ ନିରୋଧ ବଟିକା ସେବନ କରୁଥିବା ସ୍ତ୍ରୀ ଲୋକଙ୍କ ଦେହରେ ମଧ୍ୟ ଏଭଳି ଦାଗ ଦେଖାଯାଏ । ଏହି ଦାଗଗୁଡିକ ସମ୍ପୂର୍ଣ୍ଣ ସ୍ଵାଭାବିକ ଅଟେ । ଏହା କୌଣସି ସମୟରେ ଦୁର୍ବଳତା ବା ଅସୁସ୍ଥତା ଘଟାଏ ନାହିଁ । ଏହାପାଇଁ କୌଣସି ଚିକିତ୍ସାର ଆବଶ୍ୟକତା ନାହିଁ । ପୁଷ୍ଟିହୀନତାରୁ ସୃଷ୍ଟି ପେଲେଗ୍ରା ତଥା ଅନ୍ୟାନ୍ୟ ଚର୍ମରୋଗ ପେଲେଗ୍ରା ଏକ ପ୍ରକାର ପୁଷ୍ଟିହୀନତା ଅଟେ, ଯିଏ ଚର୍ମ ପାଇଁ କ୍ଷତି କାରକ ହୋଇଥାଏ ଓ ବେଳେବେଳେ ଏହା ଜୀର୍ଣ୍ଣପ୍ରକୀୟା ଓ ସ୍ନାୟୁରେ ମଧ୍ୟ ଆଘାତ ପହଞ୍ଚାଇଥାଏ । ଯେଉଁ ସ୍ଥାନର ଲୋକେ ବିନ୍, ମାଛ, ମାଂସ ଓ ସବୁଜ ପାରିବା ପରି ଶରୀର ବର୍ଦ୍ଧକ ତଥା ଶରୀର ରକ୍ଷାକାରୀ ଖାଦ୍ଯ ନ ଖାଇ ଅଧିକ ପରିମାଣରେ ମକାପରେ ଶୁଷ୍କ ମନ୍ଦ ଯୁକ୍ତ ଖାଦ୍ୟ ଖାଇଥାନ୍ତି, ସେହି ସ୍ଥାନରେ ସାଧାରଣତଃ ଏହି ରୋଗ ଦେଖାଯାଇଥାଏ । ଶୀତ ଋତୁରେ ଉତ୍ତର ଭାରତର ଅଧିକାଂଶ ଲୋକେ ମକା ଗୁଣ୍ଡରୁ ପ୍ରସ୍ତୁତ ରୁଟି ଖାଇଥାନ୍ତି, ସେମାନେ ଏହି ମକାଗୁଣ୍ଡ ସହ କିଛି ଗହମ ଗୁଣ୍ଡ ମିଶାଇ ରୁଟି କରି ଖାଇବା ଉଚିତ୍ । ପୁଷ୍ଟିହୀନତାରେ ଚର୍ମର ଲକ୍ଷଣ ଯେତେବେଳେ ଏହିଭଳି ଅବସ୍ଥା ଦେଖାଦିଏ ତା ସହିତ ଖାଦ୍ୟସାର ଅଭାବ ଜନିତ ଅନ୍ୟାନ୍ୟ ଲକ୍ଷଣମାନ ଯଥା : ପେଟ ଫୁଲିଯିବା, ପାଟିର ଦୁଇ କଡରେ ଘା’ ହେବା, ପାଟି ଓ ଜିଭରେ ଲାଲ ରଙ୍ଗର ତୁଣ୍ଡ ଘା’ ହେବା, ସବୁବେଳେ ଦୁର୍ବଳ ଲାଗିବା, ଆଦୌ ଭୋକ ନ ହେବା ତଥା ଓଜନହାନୀ ହେବା ମଧ୍ୟ ଦେଖାଦିଏ । ଚିକିତ୍ସା ପୁଷ୍ଟିକର ଖାଦ୍ୟ ଖାଇଲେ ପେଲେଗ୍ରା ରୋଗରୁ ମୁକ୍ତି ମିଳିଥାଏ । ଜଣେ ଲୋକ ପ୍ରତିଦିନ କିଛି ପରିମାଣର ବିନ୍, ଚିନାବାଦାମ, କୁକୁଡା ମାଂସ, ମାଛ, ଅଣ୍ଡା, ମାଂସ ଓ ଘିଅ ଆଦି ଖାଇବା ଭଲ, ମକାଗୁଣ୍ଡା ପରିବର୍ତ୍ତେ ଗହମ ଅଟା ଖାଇବା ଅଧିକ ଉପଯୋଗୀ । ତେଣୁ ସୁବିଧା ଥିଲେ ମକାଗୁଣ୍ଡପରିବର୍ତ୍ତେ ଗହମ ଅଟା ଖାଆନ୍ତୁ । ଭୟଙ୍କର ପେଲେଗ୍ରା ତଥା ଅନ୍ୟାନ୍ୟ ଭିଟାମିନ ଅଭାବ ଜନିତ ରୋଗ ପାଇଁ ଭିଟାମିନ୍ ଔଷଧ ସେବନ କଲେ ଉପକାର ମିଳିଥାଏ କିନ୍ତୁ ସୁଷମ ଖାଦ୍ୟ ଭକ୍ଷଣ ଅଧିକ ଲାଭଦାୟକ । ଭିଟାମିନ୍ ଔଷଧରେ ଭିଟାମିନ୍ ‘ବି’ ବିଶେଷତଃ ନିଆସିନ୍ ଅଧିକ ଥିବା ଆବଶ୍ୟକ । ବ୍ରିୱରର ୟିଷ୍ଟରେ ଭିଟାମିନ୍ ‘ବି’ ଅଧିକ ପରିମାଣରେ ଥାଏ । ଭାତୁଡି ପିଲାମାନଙ୍କଠାରେ ଦେଖାଦେଉଥିବା ଭାତୁଡିମାନ ପ୍ରାୟ ୩ ବର୍ଷରୁ ୫ ବର୍ଷ ମଧ୍ୟରେ ଆପେ ଆପେ ଭଲ ହୋଇଯାଏ । ଭୀଷଣ ଦରଜ ହେଉଥିବା ପାଦତଳର ଓସାରିଆ ଭାତୁଡି ଦାଗ ଗୁଡିକ ମାଛ ଆଖିଆ ଅଟେ । ଚିକିତ୍ସା ଯାଦୁକାରୀ ତଥା ଘରୋଇ ଚିକିତ୍ସା ବହୁ ସମୟରେ ଭାତୁଡିକୁ ଆରୋଗ୍ୟ କରିଥାଏ, କିନ୍ତୁ ଅତ୍ୟଧିକ ଅମ୍ଳଯୁକ୍ତ ପଦାର୍ଥ ବା ବିଷାକ୍ତ ଚାରା ଯେଉଁ ଗୁଡିକ ଚର୍ମକୁ ପୋଡି ଦେବ ବା ଘା’ କରିଦେବ ସେଭଳି ପଦାର୍ଥ ବ୍ୟବହାର କରନ୍ତୁ ନାହିଁ । କାରଣ ଏହା ଯେଉଁ ପୋଡା ଘା’ ସୃଷ୍ଟି କରେ ତାହା ଭାତୁଡିଠାରୁ ଅଧିକ କଷ୍ଟଦାୟକ । ପୀଡା ଦାୟକ ‘ମାଛ ଆଖିଆ’ ଗୁଡିକର ଆରୋଗ୍ୟ ପାଇଁ ସ୍ୱାସ୍ଥ୍ୟସେବୀମାନଙ୍କ ସହ ପରାମର୍ଶ କରନ୍ତୁ । ପୁରୁଷ ଜନନାଙ୍ଗରେ ଭାତୁଡି ପାଇଁ । ବିଣ୍ଡି ବିଣ୍ଡି ହେଉଛି ଚର୍ମ ବହଳିଆ ହୋଇ କଠିନ ହୋଇ ଯାଇଥିବାର ଅବସ୍ଥା । ଯଦି ଯୋତା ବା କଠଉ ଚର୍ମ ସହ ବାରମ୍ବାର ଘଷି ହୁଏ ବା ଗୋଡର ଗୋଟିଏ ଆଙ୍ଗୁଠି ଆଉ ଗୋଟିଏ ଆଙ୍ଗୁଠି ସହ ବାରମ୍ବାର ଘଷି ହୁଏ, ତେବେ ବିଣ୍ଡି ହୁଏ । ବିଣ୍ଡିଟି ବହୁତ ଯନ୍ତ୍ରଣାଦାୟକ ହୋଇଥାଏ । ଚିକିତ୍ସା ଏପରି ଭାବେ ଯୋତା ବା ଚପଲ ପିନ୍ଧନ୍ତୁ ତାହା ଯେପରି ବିଣ୍ଡି ଉପରେ ଚାପ ନ ପକାଇବା । ଯେଉଁ ସ୍ଥାନରେ ଚମଡା ଘଷି ହେଉଛି ସେଠାରେ ତୁଳା କିମ୍ବା ଫୋମ୍ ରଖନ୍ତୁ । ବିଣ୍ଡିକୁ ବାରମ୍ବାର ଖଣ୍ଡିଆ ହେବାରୁ ରକ୍ଷା କରିବା ପାଇଁ ଏହିପରି କରନ୍ତୁ । ଉଷୁମ ପାଣିରେ ପାଦକୁ ୧୫ ମିନିଟ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ । ତା’ପରେ ବିଣ୍ଡି ଉପରେ ଆସ୍ତେ ଆସ୍ତେ ଉହା ଘଷି ଘଷି ତାହାକୁ ପତଳା କରି ଦିଅନ୍ତୁ । ପାଦରେ ବିଣ୍ଡି ହୋଇଥିବା ଜାଗାରେ କନା ଗୁଡାଇ ରଖନ୍ତୁ ଏବଂ ଯେଉଁଠାରେ ବିଣ୍ଡି ହୋଇଛି ସେଠାରେ କନାରେ ଗୋଟିଏ କଣା କରିଦିଅନ୍ତୁ ଯାହାଦ୍ଵାରା ଗୋଡ କାଟିବ ନାହିଁ । ବ୍ରଣ ଓ କାଠବ୍ରଣ (ମୁଖ ବ୍ରଣ) ସମୟେ ସମୟେ ଯୁବକ ଯୁବତୀମାନଙ୍କର ମୁଖ, ଛାତି ଓ ପିଠିରେ ବ୍ରଣ ଦେଖାଯାଇଥାଏ – ବିଶେଷତଃ ଯେଉଁମାନଙ୍କର ଚର୍ମ ଅତ୍ୟଧିକ ତୈଳାକ୍ତ ଥାଏ, ସେହିମାନଙ୍କଠାରେ ବ୍ରଣ ଦେଖାଯାଏ । ବେଳେବେଳେ ଏହି ବ୍ରଣ ବିରାଟ ଘା’ରେ ପରିଣତ ହୋଇ ଥାଏ । କୌଣସି ବ୍ରଣକୁ ଛୁଅନ୍ତୁ ନାହିଁ, ନାକ ବା ପାଟି ଚାରିପାଖେ ହୋଇଥିବା ବ୍ରଣକୁ ବାରମ୍ବାର ଛୁଇଁବା ବା ଚିପିବା ଭୀଷଣ କ୍ଷତିକାରକ ଅଟେ । ଚିକିତ୍ସା ଗରମ ପାଣି ଓ ସାବୁନ୍ ରେ ମୁହଁକୁ ଦିନରେ ଦୁଇଥର ଭଲ ଭାବରେ ଧୁଅନ୍ତୁ । ସୂର୍ଯ୍ୟକିରଣ ବ୍ରଣ ନିରାକରଣରେ ସାହାଯ୍ୟ କରିଥାଏ, ତେଣୁ ବ୍ରଣ ହୋଇଥିବା ସ୍ଥାନରେ ଯେପରି ସୂର୍ଯ୍ୟକିରଣ ପଡିବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । ଯେତେ ଇଚ୍ଛା ହେଉଛି ଖାଆନ୍ତୁ । ପ୍ରଚୁର ପରିମାଣରେ ପାଣି ପିଅନ୍ତୁ ଏବଂ ବହୁତ ଶୁଅନ୍ତୁ । ଜଟିଳ ପରିସ୍ଥିତିରେ ଅର୍ଥାତ୍ ଯେଉଁଥିରେ ବ୍ରଣ ଭୀଷଣ ଫୁଲି ପୂଜ ହୁଏ ଓ ଉପର ବର୍ଣ୍ଣିତ ପ୍ରକ୍ରିୟାରେ ଆରୋଗ୍ୟ ନ ହୁଏ, ତେବେ ଟେଟ୍ରାସାଇକ୍ଲିନ ଗ୍ରହଣ କଲେ ଉପକାର ମିଳିଥାଏ । ଚର୍ମ ଲୋସନ ବ୍ୟବହାର କରନ୍ତୁ ନାହିଁ । ଶୋଇବାକୁ ଯିବା ପୂର୍ବରୁ କିଛି ଆଲକୋହଲ ସହିତ ସଲଫର ମିଶାଇ ମୁହଁରେ ଲଗାନ୍ତୁ । (୧୦ ଭାଗ ଆଲକୋହଲ ୧ ଭାଗ ସଲଫର) ଜଟିଳ ପରିସ୍ଥିତିରେ ଯେଉଁଥିରେ ବ୍ରଣ ଭୀଷଣ ଫୁଲି ପୂଜ ବାହାରେ ଓ ଉପର ବର୍ଣ୍ଣିତ ପ୍ରକ୍ରିୟାରେ ଭଲ ନ ହୁଏ ତେବେ ଟେଟ୍ରାସାଇକ୍ଲିନ ୨୫୦ ମି.ଗ୍ରା. ର ଗୋଟିଏ ବଟିକା ଦିନକୁ ୪ ଥର ୩ ଦିନ ଖାଆନ୍ତୁ ଓ ତା’ପରେ ଦିନକୁ ୨ଟି ବଟିକା ଖାଆନ୍ତୁ । ଏହା ମାସେ ଯାଏଁ ଖାଇବା ଉଚିତ୍ । ଚର୍ମ କର୍କଟ ଗୋରା ରଙ୍ଗଧାରୀ ବ୍ୟକ୍ତି ଯଦି ବହୁ ସମୟ ଟାଣ ଖରାରେ କାମ କରୁଥାନ୍ତି ତେବେ ତାହାଙ୍କୁ ଚର୍ମକର୍କଟ ରୋଗ ହେବାର ଭୟ ଥାଏ । ଶରୀରର ଯେଉଁ ଅଂଶମାନଙ୍କରେ ସୂର୍ଯ୍ୟଙ୍କର ଉତ୍ତପ୍ତ କିରଣ ପଡେ ସେହି ଅଙ୍ଗ ମାନଙ୍କରେ କର୍କଟ ହେବାର ସମ୍ଭାବନା ଥାଏ । ଚର୍ମ କର୍କଟ ଅନେକ ରୂପରେ ହୋଇଥାଏ । ପ୍ରଥମେ ଏହା ଏକ ଛୋଟ ମୁଦ୍ରିକା ଆକାର ହୁଏ ଓ ମୁକ୍ତା ପରି ଚକଚକ୍ କରିଥାଏ । ତାହାର ଠିକ୍ ମଝିରେ ଗୋଟିଏ ଛୋଟ ଗାତ ସୃଷ୍ଟି ହୁଏ ଓ ଗାତଟି କ୍ରମଶଃ ବଢିବାରେ ଲାଗେ । ଯଦି ଠିକ୍ ସମୟରେ ଚିକିତ୍ସା ଆରମ୍ଭ କରାଯାଏ, ତେବେ ଅଧିକାଂଶ ଚର୍ମ କର୍କଟ ମାରାତ୍ମକ ହୁଅନ୍ତି ନାହିଁ । ଚର୍ମ କର୍କଟକୁ ସମ୍ପୂର୍ଣ୍ଣ ଆରୋଗ୍ୟ କରିବାପାଇଁ ଅସ୍ତ୍ରୋପ୍ରଚାର ଦରକାର ହୋଇଥାଏ । ଯଦି ଆପଣଙ୍କର କୌଣସି ଘା’ ବହୁଦିନ ଧରି ଶୁଖୁନାହିଁ ତେବେ ତାହା ଚର୍ମ କର୍କଟ ହୋଇ ଥାଇପାରେ । ଅବହେଳା ନ କରି ସ୍ୱାସ୍ଥ୍ୟସେବୀଙ୍କୁ ଦେଖାଇ ଦିଅନ୍ତୁ । ଗୋରା ରଙ୍ଗର ବ୍ୟକ୍ତି ବା ଯେଉଁ ମାନଙ୍କର ଚର୍ମ ପତଳା ସେମାନେ ପ୍ରଚଣ୍ଡ ସୂର୍ଯ୍ୟତାପରୁ ନିଜ ଶରୀରକୁ ରକ୍ଷା କରିବା ଉଚିତ୍ ଓ ସବୁବେଳେ ମୁଣ୍ଡରେ ଟୋପି ପିନ୍ଧିବା ଭଲ । ଯଦି କୌଣସି ବ୍ୟକ୍ତିଙ୍କର ଚର୍ମ କର୍କଟ ହୋଇଅଛି ଓ ସେ ସୂର୍ଯ୍ୟ କିରଣରେ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି ସେ ଏକ ସ୍ଵତନ୍ତ୍ର ମଲମ ଲଗାଇ ସୂର୍ଯ୍ୟ ତାପରୁ ଘା’କୁ ରକ୍ଷା କରି ପାରନ୍ତି । ଜିଙ୍କ୍ ଅକସାଇଡ ମଲମଟି ଏକ ଶସ୍ତା ମଲମ ଅଟେ ଓ ଏହା ଭଲ କାମ ଦିଏ । ଚର୍ମ ଯକ୍ଷ୍ମା ବା ଶରୀରର ରସବାହୀଗ୍ରନ୍ଥି ଫୁଲିବା ଯେଉଁ ସୂକ୍ଷ୍ମ କୀଟାଣୁ ଫୁସୁଫୁସ୍ ରେ ଜଖା ସୃଷ୍ଟି କରି ଥାଆନ୍ତି, ସେହି କୀଟାଣୁମାନେ ହିଁ ଚର୍ମଉପରେ ଚର୍ମ ଯକ୍ଷ୍ମା ସୃଷ୍ଟି କରନ୍ତି, ଏହା ଆରମ୍ଭ ବେଳେ ଯନ୍ତ୍ରଣା ଶୂନ୍ୟ ଅଟେ । ପ୍ରାୟତଃ ଚର୍ମ ଯକ୍ଷ୍ମା ଧୀରେ ଧୀରେ ଆରମ୍ଭ ହୁଏ । ବହୁତ ଦିନ ଧରି ରୁହେ । ପୁନଶ୍ଚ ମାସ ମାସ ବା ବର୍ଷେ ପରେ ପୁନର୍ବାର ଲେଉଟି ଆସେ । ଏହାକୁ ଚିହ୍ନି ଚିକିତ୍ସା ଆରମ୍ଭ କରିବା ପ୍ରାୟ କଷ୍ଟକର ହୋଇଥାଏ । ଚର୍ମ ଯକ୍ଷ୍ମା ସମୟେ ସମୟେ ଲସୀକା ଗ୍ରନ୍ଥୀରୁ ସଂକ୍ରମିତ ହୋଇଥାଏ, ଅଧିକାଂଶ ସମୟରେ ବେକ ଓ ଖୁଆର ମଧ୍ୟବର୍ତ୍ତୀ ସ୍ଥାନ ବା କଣ୍ଠାସ୍ଥିର ଠିକ୍ ପଛକୁ ଦେଖା ଦେଇଥାଏ, ଲସୀକା ଗ୍ରନ୍ଥୀ ଫୁଲିଯାଏ ଓ ଫାଟିଯାଇ ସେଥିରୁ ପୂଜ ବାହାରେ । କିଛି ସମୟ ପାଇଁ ଶୁଖିଯାଇ ପୁନଶ୍ଚ ଖୋଲିଯାଇ ପୂଜ ବାହାରେ । ସାଧାରଣତଃ ଏଗୁଡିକ ପୀଡା ଦାୟକ ନୁହେଁ । ଚିକିତ୍ସା ଘା’ ବହୁଦିନ ଧରି ନ ଶୁଖିଲେ, ମାଂସ ପଚିଗଲେ ବା ଲସୀକା ଗ୍ରନ୍ଥୀ ଅନେକ ଦିନ ଧରି ଫୁଲିରହିଲେ, କାଳ ବିଳମ୍ବ ନ କରି ଡାକ୍ତରଙ୍କ ପରାମର୍ଶ କରିବା ଉଚିତ୍ । ଏଥିପାଇଁ ସ୍ଵତନ୍ତ୍ର ପରୀକ୍ଷା ଆବଶ୍ୟକ ହୋଇଥାଏ । ଏହି ରୋଗର ସଂକ୍ରମଣ ପୁନର୍ବାର ନ ହେବା ପାଇଁ ଚର୍ମ ଠିକ୍ ଦେଖାଯିବା ପରେ ମଧ୍ୟ ଅନେକ ଦିନ ଧରି ଔଷଧ ଖାଇବାକୁ ପଡିଥାଏ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ