ପ୍ରାଥମିକ ଚିକିତ୍ସା ଯେତେବେଳେ ତଣ୍ଟିରେ ଖାଦ୍ୟ କିମ୍ବା ଅନ୍ୟ କୌଣସି ପଦାର୍ଥ ଅଟକିଯାଏ,ସେ ଶ୍ଵାସକ୍ରିୟା ସମ୍ପାଦନ କରିପାରନ୍ତି ନାହିଁ, ସେତେବେଳେ ନିମ୍ନ ଉପାୟଗୁଡିକ ଖୁବ୍ ଶୀଘ୍ର ଅବଲମ୍ବନ କରନ୍ତୁ :- ତାଙ୍କ ପଛପଟେ ଛିଡାହୋଇ ଅଣ୍ଟା ଚାରିପଟେ ଆପଣଙ୍କ ହାତ ଛନ୍ଦନ୍ତୁ । ତାଙ୍କ ପଞ୍ଜରା ତଳକୁ ଓ ନାହି ଉପରକୁ ପେଟ ଉପରେ ଆପଣଙ୍କ ମୁଷ୍ଠୀ ରଖନ୍ତୁ । ତା’ପରେ ହଠାତ୍ ଜୋର ଝଟକା ଦେଇ ଉପରମୁହାଁ ଚାପ ଦିଅନ୍ତୁ । ଏହି ଚାପ ଫୁସ୍ ଫୁସ୍ ରୁ ପବନ ନିଷ୍କାସନ କରାଇ ତଣ୍ଟି ସଫା କରିଦେବ । ଦରକାର ପଡିଲେ ଏକାଧିକ ଥର ଏପରି କରନ୍ତୁ । ଯଦି ସେହି ବ୍ୟକ୍ତି ଆପଣଙ୍କଠାରୁ ବହୁତ ମୋଟା ବା ଏ ଚେତା ହରାଇଥାନ୍ତି, ତେବେ ଖୁବ୍ ଶୀଘ୍ର ନିମ୍ନାମତେ କରନ୍ତୁ । ତାଙ୍କୁ ଚିତକରି ଶୁଆଇ ଦିଅନ୍ତୁ ଓ ମୁଣ୍ଡକୁ ଗୋଟିଏ ପଟକୁ ଢଳାଇ ରଖନ୍ତୁ । ଚିତ୍ରରେ ଦର୍ଶାଯାଇଥିବା ପରି ତାଙ୍କ ଉପରେ ବସି ପଞ୍ଜରା ତଳକୁ ଓ ନାହିଁ ଉପରକୁ ପେଟ ଉପରେ ହାତ ରଖନ୍ତୁ । (ମୋଟା ଲୋକ,ଗର୍ଭଣୀ ସ୍ତ୍ରୀ, ଛୋଟ ପିଲା ହୋଇଥିଲେ ପେଟରେ ହାତ ନରଖି ଛାତିରେ ହାତ ରଖି ଏମିତି କରନ୍ତୁ) । ଶୀଘ୍ର ଉପର ମୁହଁ ଶକ୍ତ ଚାପ ପ୍ରୟୋଗ କରନ୍ତୁ । ଦରକାର ପଡିଲେ ଏକାଧିକ ଥର ଏହିପରି କରନ୍ତୁ । ଏହା ସତ୍ତ୍ୱେ ବି ଯଦି ଶ୍ଵାସକ୍ରିୟା ସମ୍ପାଦନ କରିପାରିବେ ନାହିଁ, ତେବେ ମୁହଁରେ ମୁହଁ ଲଗାଇ ଶ୍ଵାସକ୍ରିୟା କରାଇବାକୁ ଚେଷ୍ଟା କରନ୍ତୁ । ପାଣିରେ ବୁଡିଯାଉଥିବା ଲୋକକୁ କିପରି ସାହାଯ୍ୟ କରିବେ ଜଣଙ୍କର ଶ୍ଵାସକ୍ରିୟା ବନ୍ଦ ହେବାର ଚାରିମିନିଟ ପରେ ସେ ମୃତ୍ୟୁ ବରଣ କରିଥାଏ । ତେଣୁ ଯାହା କିଛି କରିହେବ, ଶୀଘ୍ର କରିବା ଦରକାର । ଖୁବ୍ ଶୀଘ୍ର ମୁହଁରେ ମୁହଁ ଲଗାଇ ଶ୍ଵାସକ୍ରିୟା ସମ୍ପାଦନ କରାନ୍ତୁ । ଯଦି ସମ୍ଭବ, ଜଣେ ବୁଡି ଯାଉଥିବା ଲୋକକୁ ଉଦ୍ଧାର କରି ଉପରକୁ ଆଣିବା ପୂର୍ବରୁ ପାଣି ଭିତରେ ଠିଆ ହେଲା ଭଳି ଜାଗାରେ ମଧ୍ୟ ଆପଣ ଏପରି କରିବା ଆରମ୍ଭ କରି ଦିଅନ୍ତୁ । ଯଦି ଫୁସ୍ ଫୁସ୍ ଭିତରକୁ ପବନ ଭର୍ତ୍ତି କରି ନ ପାରନ୍ତି, ତେବେ କୂଳରେ ପହଞ୍ଚୁ ପହଞ୍ଚୁ ତାଙ୍କର ଗୋଡକୁ ମୁଣ୍ଡ ରହିଥିବା ଉଚ୍ଚତାଠାରୁ ଉର୍ଦ୍ଧ୍ଵରେ ରଖି ପୂର୍ବରୁ ବର୍ଣ୍ଣନା କରାଜିଥିବା ପରି ଚାପ ପ୍ରୟୋଗ କରନ୍ତୁ । ତାପରେ ଖୁବ୍ ଶୀଘ୍ର ମୁହଁରେ ମୁହଁ ଲଗାଇ ଶ୍ଵାସକ୍ରିୟା ସମ୍ପାଦନ କରାନ୍ତୁ । ବୁଡିଯାଉଥିବା ଲୋକର ପେଟରୁ ପାଣି ବାହାର କରିବା ପୂର୍ବରୁ, ସବୁବେଳେ ଖୁବ୍ ଶୀଘ୍ର ମୁହଁରେ ମୁହଁ ଲଗାଇ ତା’ର ଶ୍ଵାସକ୍ରିୟା ସମ୍ପାଦନ କରନ୍ତୁ । ଯଦି ଶ୍ଵାସକ୍ରିୟା ଜନିତ କୌଣସି ସମସ୍ୟା ଥାଏ : - ତାଙ୍କ ନଖ, ଜିଭ ଓ ଓଠ ନୀଳବର୍ଣ୍ଣ ଧାରଣ କରେ । ହୃତସ୍ପନ୍ଦନ ମନ୍ଥର ଓ ଅନିୟମିତ ହୋଇଯାଏ । ଶ୍ଵାସକ୍ରିୟା ଅନିୟମିତ ବା ବନ୍ଦ ହୋଇଯାଏ । ଚେତା ବୁଡିଯାଏ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ